Posted inଫୁରସତ

ଶୋକ ପାଳନ -ଶ୍ରୀମାନ୍‌ ସର୍ବଗିଳା

ମୋ ପ୍ରିୟ ପିଲାଦିନ ସାଙ୍ଗ ବେନୁଆର ବାପା ମରିଯିବା ଭଳି ଦୁଃଖ କଥା ପ୍ରଥମେ ଫୋନ୍‌ରେ, ଫେସ୍‌ବୁକ୍‌ରୁ ଓ ପରେ ଖବରକାଗଜରୁ ପଢ଼ି ଭାଙ୍ଗି ପଡ଼ିଲି। ଖବର ସହ ଫଟ ଛପାହୋଇ ଲେଖାଥିଲା ”ଆମ୍ଭ ପିତା ଆମକୁ ଗଭୀର ଶୋକ ସାଗରରେ ଭସାଇ, ଗଲା ଶନିବାର ଦିନ ସକାଳ ସାତୁଟାରେ ସ୍ବର୍ଗାରୋହଣ କରିଛନ୍ତି, ଆପଣମାନେ ଆମ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ପିତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।“ ତହୁଁ ଚଟାପଟ ସୋସିଆଲ୍‌ ମିଡିଆରେ ବନ୍ଧୁଗଣ ଏଇ ଗଭୀର ଶୋକ ସାଗରେ ଭାସୁଥିବା ପରିବାର ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ଦେଖି ମୋର ବି ମନ ଅଥୟ ହେଲା। ଶତାଧିକ ବ୍ୟକ୍ତି ଇଂଲିଶରେ ରିପ୍‌ ଲେଖିବାରୁ ମୁଁ ବି ସେଇଭଳି ଶ୍ରଦ୍ଧାଞ୍ଜଳି ଦେଲେ ହେଁ, ମନ ବୁଝିଲା ନାହିଁ। ଏଇ ଶୋକାକୁଳ ପରିବାରବର୍ଗଙ୍କର ଧାରଧାର ଲୁହକୁ ପୋଛିବା ପାଇଁ, ବାଲ୍ୟବନ୍ଧୁ ସାଙ୍ଗଙ୍କୁ ସାନ୍ତ୍ୱନା ଦେବା ଆଶାରେ ତାଙ୍କ ଘରକୁ ଧାଇଁଲି। ସାଙ୍ଗରେ ଘରୁ ଯୋଡ଼ାଏ ରୁମା ଟଉଲିଆ ନେଇଥିଲି। ଲୁହରେ ଗୋଟାଏ ଭିଜିଗଲେ, ଆରୁଟା କାମ ଚଳେଇଦେବ ଭାବି। କ’ଣ କହିବି କି ପ୍ରକାର ସାନ୍ତ୍ୱନା ଶବ୍ଦ ଶୁଣେଇବି ଭାବିଭାବି ପହଞ୍ଚିଲି। ହେଲେ ଇଏ କ’ଣ ? ବାପା ମରିବାର ମାତ୍ର ଯୋଡ଼ାଏ ଦିନ ହେଇଛି, ଅଥଚ ଏତେ ବେଶି ଶୋକ ସାଗର ଶୁଖି, ପରିବାରରେ ହସ ମୋତି କେମିତି ବର୍ଷୁଛି ଦେଖି ଆଶ୍ଚର୍ଯ୍ୟ ହେଲି। ଅଯଥାରେ ଦି’ଦି’ଟା ରୁମା ଟଉଲିଆ ଲୁହ ପୋଛିବାକୁ ଆଣିବା ବୋକାମିକୁ ମୋର ଧିକ୍କାର କରୁଥିଲି।

ବନ୍ଧୁଙ୍କର ମୋତେ ଦେଖି ଆଗମନ ଓ ସସ୍ତ୍ରୀକ ସ୍ବାଗତ, ହସହସ ମୁଖ ମଣ୍ଡଳର କାରଣ ହୁଏତ ଏଇୟା ହୋଇପାରେ, ଗଲା ପାଞ୍ଚବର୍ଷ ଧରି ବେନୁଆ ଭୁବନେଶ୍ୱରରେ ଜାଗା ଘର କିଣିବା ପାଇଁ ବାପାଙ୍କୁ ବାଧ୍ୟ କରୁଥିଲା, ଗାଁ ଘର ଜମି ବିକ୍ରି କରିଦେବାକୁ। ଅବୁଝା ଅରାଜି ପିତାଙ୍କ ଦେହାନ୍ତରେ ସେ ଅସୁବିଧା ଦୂରେଇ ଯାଇଥିବାର ପରିସ୍ଥିତି ବୋଧେ ଏଇ ଶୋକ ସାଗର ଭିତରୁ ମୋତି ସାଉଁଟା ପରି ମୋର ମନେହେଲା, କିନ୍ତୁ ସେମାନେ ଯେ ପିତୃ ବିୟୋଗରେ ଗଭୀର ଶୋକ ସାଗରରେ ନିଶ୍ଚିନ୍ତ ଭାସୁଥିଲେ, ତା’ର ପ୍ରମାଣ ଏଇ ଖବରକାଗଜ।

ଆରମ୍ଭ କଲା, ଆରେ ଭାଇ ବଡ଼ ଦୁଃଖ ଲାଗୁଛି, ହଠାତ୍‌ କାହାକୁ କିଛି ନ କହି ନ ଜଣେଇ ଏଇ ଗାଁରେ ବାପା ଚାଲିଗଲେ। ସଙ୍ଗେସଙ୍ଗେ ମୁଁ ସାନ୍ତ୍ୱନା ଦେଇ ଦି’ଥର ‘ରିପ୍‌, ରିପ୍‌’ ଇଂଲିଶରେ କହି ସାନ୍ତ୍ୱନା ଦେଇ ସାଙ୍ଗ ହିସାବରେ ମୋ କର୍ତ୍ତବ୍ୟ ନିଭେଇଥିବାରୁ ଖୁସି ହେଉଥିଲି। ସେଇଠୁ ପୁଣି ସାଙ୍ଗ କହିଲା, ବୁଝିଲ କି, ତାଙ୍କ ମରଣ ପାଇଁ ଆମେ ପ୍ରସ୍ତୁତ ନ ଥିଲୁ। ତେଣୁ ଖବର ପାଇ ଆମେ ପତି-ପତ୍ନୀ ପିଲାଛୁଆ ପୂରା ଚାରିହଜାର ଦେଇ କାର୍‌ ଭଡ଼ା କରି ଗାଁରେ ପହଞ୍ଚି ଲୋକଙ୍କୁ ଯୋଗାଡ଼ି ଗାଡ଼ି ଠିକ୍‌ କରି ଲୋକଙ୍କ କଥାରେ ଆମତ୍ସମ୍ମାନ ପାଇଁ ପୁଣି ଛ’ହଜାର ଗାଡ଼ି ଭଡ଼ା କରି ସ୍ବର୍ଗଦ୍ୱାର ନେଇ ପୋଡ଼ିଲୁ। କେମିତି ଏସବୁ ଖର୍ଚ୍ଚ ହେବ, କେମିତି କାମ ହେବ ବୋଲି ମୋ ସ୍ତ୍ରୀ ତାଙ୍କର ସବୁ ଟ୍ରଙ୍କ ଆଲମିରା ଦରାଣ୍ଡି କିଛି ନ ପାଇବାରୁ ମୋ ସ୍ତ୍ରୀ ଓ ମୁଁ ନିଶ୍ଚିନ୍ତ ହେଲୁ ସବୁ ତାଙ୍କ ଝିଅ ଘରେ ପୂରେଇ ଦେଇ ଯାଇଛନ୍ତି। ଫଟା ପାହୁଲାଏ ମିଳିଲାନି। ମୋ ଜାଣିବାରେ ପାଞ୍ଚ ଲକ୍ଷ ଏଲଆଇସି ଟଙ୍କା ଉଠେଇଥିଲେ। ଫିକ୍ସ ଡିପୋଜିଟ୍‌, ସେଭିଂ ଡିପୋଜିଟ୍‌, ବ୍ୟାଙ୍କ ପାଶ୍‌ବୁକ୍‌ ବି ମିଳିଲାନି । ସେତେବେଳକୁ ଖାଲି ଗାଡ଼ି ଭଡ଼ାରେ ଚାରି ଓ ଛ’ ହଜାରେ ମିଶେଇ ହାତରୁ ଦଶହଜାର ଖର୍ଚ୍ଚ ସରିଲାଣି। ପୁଣି ସଂସ୍କାରଠୁ ଦଶାହ କ୍ରିୟା ଯାଏ କେତେ ଖର୍ଚ୍ଚ। ତୁ ତ ଜାଣୁ। ମୁଁ ବୁଦ୍ଧିକରି ହରିଶ୍ଚନ୍ଦ୍ର ଯୋଜନାରେ ମାଗଣାରେ କାମ ସାରିଦେବି ଭାବି ଟିକଟ କାଟୁଛି ସେତିକି ବେଳକୁ ସେ ଅଲକ୍ଷଣା ସଦାନା ମୋ ପାଖରେ ଆସି କହୁଛି, ‘ହଇଏ ଭାଇନା ! ଆପଣ କ’ଣ ଗରିବ? ଆପଣ ପରା ମାସକୁ ଷାଠିଏ ଆଉ ଭାଉଜ ଚାଳିଶି ହଜାର ପାଉଛନ୍ତି। ଭାଇରେ ଲାଜରେ ମୁହଁ ଜଳିଗଲା। ପଳେଇ ଆସି ପୁଣି ହାତରୁ ଟଙ୍କା ଖର୍ଚ୍ଚ କରି ଦି’କୁଇଣ୍ଟାଲ କାଠ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଭାବୁଥିଲି ଯା’ହଉ ଏଇଠି ମୋର ପିତୃଋଣ ଶୁଝା ପଡ଼ିଲା। ହେଲେ ଘରେ ପହଞ୍ଚି କେମିତି କାମ ହେଲା ବୋଲି ପତ୍ନୀ କି ସବୁ ସତ କହି ଗୁଡ଼ାଏ ଗାଳି ଖାଇଲି। ଅଯଥାରେ ଏତେ ଖର୍ଚ୍ଚ କରି ଶୁଣିଲି, ତା’ ଯୁକ୍ତି ବି ଠିକ୍‌।

ପତ୍ନୀ ପହଞ୍ଚି କହିଲେ, ”ବୁଝିଲ କି ଭାଇନା, ଇଏ ଲୋକ ଏଡ଼େ ବୋକା! ଆରେ ତମର ତ ତିନି ଭାଇ। ଶବ ସଂସ୍କାରଠାରୁ ସବୁଦିନ ବ୍ରାହ୍ମଣିଆ କ୍ରିୟାକର୍ମ ଖିଆପିଆ, ବନ୍ଧୁବାନ୍ଧବ, ତୁଠଲୁଗା, ମହାପ୍ରସାଦ ସେବାଠାରୁ ବାରଦିନ ଭୋଜି, ଚଉଦ ଦିନ ସଂକୀର୍ତ୍ତନ ଯାଏ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହବ, ମତେ ଜଳଜଳ ଦିଶୁଛି। ତମେ କିଆଁ ମରିବ? ଆମେ ବଡ଼ ପୁଅ ବୋହୂ ବୋଲି ମୁହଁରେ ନିଆଁ ଦେଇ କ୍ରିୟା ଧରିଛୁ ତା ବୋଲି କ’ଣ ସବୁ ଖର୍ଚ୍ଚ କରି ମରିବୁ ? ମୁଁ ପଚାରୁ ପଚାରୁ ପଚାରିଦେଲି – ତେବେ କ୍ରିୟାକର୍ମ କେମିତି ଚାଲିଛି ? ଉତ୍ତରରେ ଭାଉଜ କହିଲେ, ତାଙ୍କ ଆଉ ଦି’ଭାଇ- ଜଣେ ଦିଲ୍ଲୀରୁ ଆଉ ଜଣେ ବାଙ୍ଗାଲୋରରୁ ଆସନ୍ତୁ। ଶବ ସଂସ୍କାର ଖର୍ଚ୍ଚର ତାଙ୍କ ଭାଗ ଦେଲାପରେ ବାକି କ୍ରିୟାକର୍ମ ହିସାବରେ ହେବ। ସେ ଯାଏ ଅନେଇଛୁ। ମତେ ଦେଖେଇ ସେ ବେନୁଆକୁ କହିଲେ, ମୁଁ ଗୋଟେ ଉପାୟ କହୁଛି କରିବ। ”ଏଇ ସାଙ୍ଗଠାରୁ ଲକ୍ଷେ ବାରହଜାରେ ଟଙ୍କା ହାତଉଦ୍ଧାରି ଆଣି କାମ କରିଛୁ କହିବ। ବନ୍ଧୁ ପତ୍ନୀ ମତେ କହିଲେ ଭାଇନା ! ତମକୁ ଯଦି ସେମାନେ ପଚାରିବେ, ତେମେ ଏତିକି ମିଛ ସାଙ୍ଗ ପାଇଁ କହିବ।“

ଦି’ଥର ମୋ ତୁଣ୍ଡରୁ ସାନ୍ତ୍ୱନା ଶବ୍ଦ ବାହାରି ପଡ଼ିଲା ରିପ୍‌ ରିପ୍‌ ା ମୁଣ୍ଡ ହଲେଇ ହଁ କରି ଫେରିଲା ବେଳେ ଭାବୁଥିଲି, ଏବେ ବନ୍ଧୁମାନଙ୍କ ଶୋକରେ ଲୁହ ପୋଛିବାକୁ ରୁମା ଟଉଲିଆ ନୁହଁ, ଡାହା ମିଛରୁ ଲକ୍ଷାଧିକ ଖର୍ଚ୍ଚ, ଆଉ ଇଂରାଜିଆ ରିପ୍‌ ଗଣ୍ଡେ ବହୁତ ଜରୁରୀ ଦର୍କାର।
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ,
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?