ଶବ୍ଦ ନୁହେଁ ମନ୍ତ୍ରଟିଏ

ସଂଗ୍ରାମ କେଶରୀ ପୃଷ୍ଟି
ଦଶମାସ ଦଶଦିନ ମିଠା ଯନ୍ତ୍ରଣାକୁ ଆଲିଙ୍ଗନ କରି ସୁରକ୍ଷିତ ଗର୍ଭକୁ ବୋହି ଶେଷରେ ଏ ସୁନ୍ଦର ସୃଷ୍ଟିକୁ ଯିଏ ଆଣିଥାଏ, ସେ ହେଉଛି ମମତାମୟୀ ମା’। ସୁତରାଂ ପ୍ରତ୍ୟେକଟି ସନ୍ତାନ ପାଇଁ ପ୍ରଥମ ଅମୃତବୋଳା ଏ ଶବ୍ଦ ମା’, ଯେଉଁଥିରେ ଭରିରହିଥାଏ ପ୍ରଚୁର ସମ୍ମୋହନ, ଅନୁଚ୍ଚାରିତ ଆବେଗ, ନିଆରା ଅନୁଭବ ଓ ସର୍ବୋପରି ବଶୀକରଣର ଅବ୍ୟର୍ଥ ମନ୍ତ୍ର। ମା’ ଶବ୍ଦର ଏହି ଅନୁଭବ ମଧ୍ୟରେ ଲୁଚିରହିଥାଏ ସମଗ୍ର ବସୁଧାର ସଂଜ୍ଞା ଆଉ ତା’ ପଣତକାନି ପାଲଟିଯାଏ ଏକ ନିରାପଦ ଆଶ୍ରୟସ୍ଥଳ। ଯେଉଁଠି ପ୍ରକୃତିକୁ ଖୋଜିବାର ଆବଶ୍ୟକତା ନ ଥାଏ। ଛନ୍ଦମୟୀ ନଈଟିଏ ସାଜି ସମସ୍ତଙ୍କୁ କୋଳେଇନେଇ ମାଡିଚାଲେ ସେ ଆଗକୁ ଆଗକୁ। ଯାବତୀୟ ବାଧା ବନ୍ଧନକୁ ପାଦରେ ଏଡାଇ ସମସ୍ତଙ୍କୁ ଅକାତର ଚିତ୍ତରେ କ୍ଷମା କରି ନିଜର କଠୋର ତପସ୍ୟା ବଳରେ ପାଲଟିଯାଏ ଗଙ୍ଗା। ସନ୍ତାନର ଆତ୍ମସମ୍ମାନ ରକ୍ଷା ପାଇଁ ନିଜେ ଧରିତ୍ରୀ ପରି ଦୁଇଫାଳ ହୋଇ ସତୀ ସୀତାଙ୍କୁ ଗର୍ଭରେ ସ୍ଥାନ ଦେଇ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଥିବା କରୁଣାମୟୀ ମା’ପରି ଆଉ କିଏ ହୋଇପାରେ!
ଏ ସଂସାରର ପ୍ରତ୍ୟେକଟି ମଣିଷ ପାଇଁ ମା’ ହେଉଛି ସବୁଠୁ ସୁନ୍ଦର ଓ ମଧୁମୟ। ତପ, ତ୍ୟାଗ, ସମର୍ପଣ ଓ ବଳିଦାନର ଜୀବନ୍ତ ପ୍ରତିମାଟିଏ ସେ। ସେ ଫୁଲଠୁ କୋମଳ ପୁଣି ଜହ୍ନଠୁ ଶୀତଳ। ସନ୍ତାନ ପାଇଁ ତା’ କୋଳ ହେଉଛି ସ୍ନେହ-ମମତାର ଗନ୍ତାଘର। ତା’ ହାତଛୁଆଁରେ ପାଣି ପାଲଟିଯାଏ ଗଙ୍ଗାଜଳ। ତା’ ନିଷ୍ଠା ଓ ସାଧନା ବଳରେ ଭଙ୍ଗାଘର ବି ଦେଉଳରେ ପରିଣତ ହୋଇଯାଏ। ମଧୁଠୁ ମଧୁର ମା’ର ସେଇ ପଣତକାନି ଶ୍ରୀମନ୍ଦିର ନେତଠାରୁ କୌଣସି ଗୁଣରେ କମ୍‌ ନୁହେଁ। ତା’ ଆଶୀର୍ବାଦରୁ ହିଁ ଜୀବନ ହୁଏ ପୁଲକିତ ଓ ମଧୁମୟ।
ପ୍ରଚୁର ସ୍ନେହ ମମତା ଅଜାଡିଦେବାରେ କାର୍ପଣ୍ୟ ନ ଥାଏ ବୋଲି ତ ମା’ ହେଉଛି ମମତାମୟୀ। ତା’ର ସେହି ସୀମାହୀନ ମମତା ହିଁ ପୋଛିଦେଇଥାଏ ସନ୍ତାନର ଯାବତୀୟ ଦୁଃଖ ଓ ଅବସାଦକୁ। ତା’ ତ୍ୟାଗର ତୁଳନା ନାହିଁ। ଦୁନିଆର ଯେତେସବୁ ଝଡଝଞ୍ଜାକୁ ବିଷ ପରି ପାନ କରି ସେ ସାଜିଥାଏ ନୀଳକଣ୍ଠ। ସନ୍ତାନ ଯେତେବଡ଼ ହେଲେ ବି ମା’ ଆଖିରେ ସେ ଛୁଆ। ତା’ର ଅସୁସ୍ଥତା ବେଳେ ସେ ରାତି ରାତି ଉଜାଗର ରହେ ଓ ତା’ ମଙ୍ଗଳକାମନା କରି ବାରମାସ ଯାକ ଓଷାବ୍ରତ କରେ। ଉଜାଗର ରହି ଦୀପ ଜାଳେ। ଛୁଆ ଟିକିଏ ଝୁଣ୍ଟିପଡିଲେ କି କାନ୍ଦି ଉଠିଲେ ମା’ର ସହାନୁଭୂତିର ହାତଯୋଡିକ ଲମ୍ବିଆସେ ତା’ ଆଡକୁ। ମା’ର ସାନ୍ନିଧ୍ୟରୁ ମିଳିଥାଏ ଅପୂର୍ବ ଶାନ୍ତି। ମା’ ବୋଲି ପଦେ ଡାକିଦେଲେ ଯୋଜନ ଯୋଜନ ଚାଲିଯାଏ ଦୁଃଖ। ସମ୍ଭବତଃ ସେଥିପାଇଁ ଝୁଣ୍ଟି ପଡିଲେ କି ବିପଦ ଆସିଲେ ମୁହଁରୁ ସ୍ବତଃପ୍ରବୃତ୍ତଭାବେ ବାହାରିପଡ଼େ ମା’ ଡାକ।
ଭକ୍ତି, ପରୋପକାର ଓ ଧର୍ମପରାୟଣତାର ମୂର୍ତ୍ତିଟିଏ ମା’। ସନ୍ତାନକୁ ଭଲ ମଣିଷ ଭାବେ ଗଢ଼ିବାର ଦୁର୍ବାର ଆକାଙ୍‌କ୍ଷା ନେଇ ପ୍ରତିଶ୍ରୁତିବଦ୍ଧ ସ୍ବପ୍ନଟିଏ ସେ। ଦୁଃଖ-ଯାତନା ଓ ନୈରାଶ୍ୟକୁ ପ୍ରତିହତ ପୂର୍ବକ ଆଗକୁ ବଢ଼ିବାର ସେ ଦିଏ ପ୍ରେରଣା ଓ ସାମର୍ଥ୍ୟ। ଶିଳ୍ପୀଟିଏ ସାଜି କୋଣାର୍କ ଗଢ଼ିବାର ମଗ୍ନ ସାଧିକା ସେ। ତା’ ବିନା ସନ୍ତାନର ଅସ୍ତିତ୍ୱ ଯେ ଭିତ୍ତିହୀନ। ପୁଣ୍ୟ ପବିତ୍ରର ଫଲ୍‌ଗୁଟିଏ ସାଜି ସନ୍ତାନର ସାମଗ୍ରିକ ସତ୍ତାକୁ ପ୍ରଭାବିତ କରୁଥାଏ ତା’ ବ୍ୟକ୍ତିତ୍ୱ। ଚିନ୍ତା ଓ ଚେତନାରେ ଅହରହ ଆସି ସେ ପାଲଟିଯାଏ ଆଦର୍ଶର କେନ୍ଦ୍ରବିନ୍ଦୁଟିଏ। ମା’ଟିଏ ହେଉ କଦାକାର ଅବା ମୂର୍ଖ, ପୁଣି ହୋଇଥାଉ ଗରିବ ତଥାପି ସନ୍ତାନ ପାଇଁ ସେ ଏ ଦୁନିଆର ସବୁଠୁ ଭଲ ମା’। ସନ୍ତାନର ଖୁସି ପାଇଁ ନିଜେ ଉପବାସରେ ରହି ଛୁଆକୁ ଖୁଆଏ, ନିଜେ ଦୁଃଖ ସହି ଖୁସି ବାଣ୍ଟେ। କେତେବେଳେ ହାତଠାରି ଜହ୍ନମାମୁକୁ ନିମନ୍ତ୍ରଣ ଜଣାଏ ତ କେତେବେଳେ ବାଇଆକୁ ଡାକେ। କାହାର ନଜର ପଡିବନି ବୋଲି ଛୁଆ ମଥାରେ କଜଳଟିକା ଲଗାଏ। ହାତ ଓ ବେକରେ ବାନ୍ଧେ ଡେଉଁରିଆ। ତା’ ସ୍ତନ୍ୟରୁ ଅମୃତସମ ଦୁଗ୍ଧ ପାନକରାଇ ଛୁଆକୁ ପୁଷ୍ଟ କରାଏ।
ସନ୍ତାନ ପାଇଁ ଯିଏ ସମର୍ପି ଦେଇଥାଏ ନିଜର ସମଗ୍ର ଆୟୁଷ, ସେ ମା’ ନିଶ୍ଚିତ। ସ୍ନେହ-ମମତା-ପ୍ରେମର ପ୍ରତୀକ ମା’ ହେଉଛି ସମ୍ପୂର୍ଣ୍ଣା, ପରିପୂର୍ଣ୍ଣା। ମନରୁ ରାଗ, ରୋଷ, ଦ୍ୱେଷ, ହିଂସା, ଘୃଣା ଓ ଅହଂକାରକୁ ଦୂରେଇଦେଇଥାଏ ବୋଲି ତ ସେ ମା’। ଅନ୍ଧାର ରାତିରେ ବତିଘର ସାଜି ସେ ଦେଖାଏ ରାହା। ତା ’ କଠୋର ଅନୁଶାସନ ହିଁ ସନ୍ତାନ ପାଇଁ ସାଜିଥାଏ ପଥପ୍ରଦର୍ଶକ। ତା’ ହାତତିଆରି ଖାଦ୍ୟର ସୁଆଦ ଓ ଝାଳୁଆ ପଣତକାନିର ସୁଗନ୍ଧ କିଏ ଭଲା ପାସୋରି ପାରିବ। ଜୀବନର କୌଣସି ନା କୌଣସି କ୍ଷେତ୍ରରେ ଆତ୍ମସନ୍ତୋଷ ପରିପ୍ରେକ୍ଷୀରେ ନିଶ୍ଚୟ ମନେପଡେ ମା’ର ଶିକ୍ଷା, ସଂସ୍କାର ଓ ଅବଦାନ।
ସାଗରଠୁ ଆକାଶ ଯାଏ ପରିବ୍ୟାପ୍ତ ମା’ର ସ୍ନେହମମତା, ତା’ କୋଳର ଝୁଲଣା, ନିର୍ଭୟତାର ପଣତକାନି, ମୁଖନିଃସୃତ ମନଗଢ଼ା କାହାଣୀ ପୁଣି ଲୋରୀ କିଏ ବା ଭୁଲିପାରିବ! ସକଳ ତ୍ୟାଗ ଓ ତିତିକ୍ଷାର ଦେବୀଟିଏ ସାଜି ଦୁଃଖ-କ୍ଳେଶକୁ ପିଠିକରି, କେତେକେତେ ନିଃଶବ୍ଦ ବ୍ୟଥା ଓ ବେଦନାକୁ ଆତ୍ମସ୍ଥକରି ନିଃସର୍ତ୍ତରେ, ନିବିଡ଼ ଆଶ୍ଳେଷରେ ମାତୃତ୍ୱର ଦୀପ୍ତିରେ ଉଦ୍ଭାସିତ କରିପାରୁଥିବା ସଞ୍ଜ ସଳିତାଟିଏ ହେଉଛି ମା’। ଯିଏ ନିଜ ଦେହରୁ ବିନ୍ଦୁ ବିନ୍ଦୁ ରକ୍ତ ନିଗାଡ଼ି, ଅମାପ ଉଦ୍ଦାମତ୍ତାରେ, ନିଜର ପ୍ରେମମୟ ସତ୍ତାରେ ଭରିଦେଇପାରେ ସକଳ ବ୍ରହ୍ମାଣ୍ଡ। ତା’ ନିବିଡ ଆଲିଙ୍ଗନ ହିଁ ଆଣିଦେଇପାରେ ସନ୍ତାନ ପାଇଁ ମହଣ ମହଣ ଖୁସିର ସମ୍ଭାର। ତା’ ହୃଦୟରେ ସାଇତା ମମତାରେ ସେ ଟପିଯାଇଛି ସାଗରର ଗଭୀରତାକୁ ଓ ଦିଗନ୍ତବିସ୍ତାରୀ ନୀଳାଭ ଗଗନକୁ। ମା’ ବୋଲି ଡାକିଦେଲେ ପ୍ରତିଧ୍ୱନି ଖେଳିଯାଏ ଭୂମିଠୁ ଭୂମା ଯାଏ। ସନ୍ତାନର ଚେତନାରେ, ବେଦନାରେ, ସ୍ପନ୍ଦନରେ ଅହରହ ଗୁଞ୍ଜରିତ ହେଉଥିବା ଶକ୍ତି, ମୈତ୍ରୀ ଓ ପ୍ରୀତିର ଆବେଗ ମା’ ଏକ ଶବ୍ଦ ନୁହେଁ, ମନ୍ତ୍ରଟିଏ। ଅମୃତ ଅନୁଭବଟିଏ। ତାକୁ ଏଡାଇବାର ସାମର୍ଥ୍ୟ କାହାର ଭଲା ଅଛି ଯେ !
(୧୨ା୫ ଅନ୍ତର୍ଜାତୀୟ ମାତୃଦିବସ ଉପଲକ୍ଷେ)
ରାଜକିଶୋର ନଗର, ଅନୁଗୋଳ, ମୋ-୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri