ରାମ-କାଳୀ ଲଢ଼େଇ

ଡ. କୁଳାଙ୍ଗାର
ତା’ର ଠାକୁର-ଠାକୁରାଣୀ ଓ ମାଙ୍କଡ଼ଙ୍କୁ ଭାରି ଭୟ। ଭୟର କାରଣ କାଳେ କ’ଣ ସବୁ ଛଡ଼େଇ ନେବେ। ଏ ଡରଟା ତା’ ଭିତରେ ପିଲାବେଳୁ ଅଛି। କାରଣ ସିଏ କାନ ଉଠିଲା ଦିନୁ ଶୁଣି ଆସିଛି କି ଠାକୁର-ଠାକୁରାଣୀଏ ମହାରାଗୀ। ଟିକେ ଏପଟ ସେପଟ ହେଲେ କୋପ କରି ତମଠୁ ଧନସମ୍ପତ୍ତି, ସୁଖଶାନ୍ତି, ବୁଦ୍ଧିବୃତ୍ତି ଓ ପ୍ରିୟଜନ ଆଦିଙ୍କୁ ଛଡେଇନେବେ! ଯେତେ ପାଠପଢ଼ି ପରୀକ୍ଷାରେ ଲେଖିଥିଲେ ମଧ୍ୟ ତୁମର ମାର୍କ ଛଡ଼େଇ ନେଇପାରନ୍ତି!! ତେଣୁ ଠାକୁରଙ୍କୁ ଟିକେ ସମ୍ଭାଳିକି। ତାଙ୍କୁ ଖୁସି କରିବା ପାଇଁ ଭୋଗରାଗ, ଦକ୍ଷିଣା ପ୍ରଦାନ ସହ ମାନସିକ ଓ ଉପାସବ୍ରତ ଆଦି କରୁଥିବ। ସେଇ ଡରରେ ସିଏ ପିଲାବେଳୁ ଜଣେ ବାଧ୍ୟ ଭକ୍ତ।
ପିଲାବେଳେ ସିଏ ଦିନେ ସକାଳୁ ଉଠି ଠାକୁରଙ୍କୁ ମୁଣ୍ଡିଆ ମାରିବାକୁ ଭୁଲିଯାଇଥିଲା। ଯୋଗ ଦେଖନ୍ତୁ, ସେଇଦିନ କ୍ରିକେଟ ଖେଳିଲା ବେଳେ ତା’ ବଲ୍‌ଟି ବ୍ୟାଟ୍‌ ମାଡ଼ରେ ଦୂରକୁ ଯାଇ ଆଉ ଫେରିଲା ନାହିଁ। ସିଏ ଦୃଢ଼ନିଶ୍ଚିତ ହେଲା କି ସକାଳୁ ମୁଣ୍ଡିଆ ମାରି ନ ଥିବାରୁ ଠାକୁର ରାଗିି ତା’ ବଲ୍‌ଟାକୁ ନେଇଗଲେ। ଆଉ ଜମା ଫେରେଇଲେ ନାହିଁ। ସିଏ ସେଦିନଠାରୁ ଭୁଲ୍‌ରେ ବି ଠାକୁରଙ୍କୁ ମୁଣ୍ଡିଆ ମାରିବାକୁ ଭୁଲେନାହିଁ।
ଠାକୁର-ଠାକୁରାଣୀଙ୍କୁ ତ କୌଣସି ପ୍ରକାରେ ଚଳେଇ ନେଇ ହୁଏ, ତେବେ ଏ ମାଙ୍କଡ଼ଗୁଡ଼ାକ ମହା ବଦମାସ୍‌। ପିଲାବେଳେ ଖାଉଥିବା କଦଳୀଟିକୁ ତା’ହାତରୁ ଗୋଟେ କାଳିଆମୁହଁା ହନୁ ଛଡ଼େଇ ନେଲା। ସିଏ ଦେବାକୁ ଅମଙ୍ଗ ହୁଅନ୍ତେ ତା’ ଗାଲରେ ଶକ୍ତ ଚାପୁଡାଟିଏ ବସେଇ ଦେଲା। ସେଇଦିନୁ ସିଏ ମାଙ୍କଡ଼ ଦେଖିଲେ ଭୟରେ ଥରିଉଠେ। ଆଉ ଠାକୁର ଓ ମାଙ୍କଡ଼ର ମିଶ୍ର ଅବତାର ହନୁମାନଙ୍କୁ ଦେଖିଲେ ଆହୁରି ଭୟ ଲାଗେ।
ସାମାନ୍ୟ ଜ୍ଞାନ ହେଲା ପରେ ସିଏ ଜାଣିଲା କି- ହନୁମାନ ଜଣେ ଦିବ୍ୟ ମାଙ୍କଡ଼, ଯିଏ ହନୁ-ମାନଙ୍କର ନେତୃସ୍ଥାନୀୟ ଓ ଶ୍ରୀରାମଙ୍କ ପାଖଲୋକ। ସିଏ ମନେମନେ ଭାବିଲା- ବଢ଼ିଆ ଉପାୟ ତ! ଏଥର ହନୁମାଙ୍କଡ଼ ଦେଖିଲେ ପ୍ରଭୁ ଶ୍ରୀରାମଙ୍କୁ ଡାକିଦେବି। ସିଏ ତାଙ୍କ ଭକ୍ତକୁ ସମ୍ଭାଳନ୍ତୁ!
ତେଣୁ ସିଏ ଠାକୁର ଓ ମାଙ୍କଡ଼ ଭିତରେ ଲଢ଼େଇ ପରିସ୍ଥିତି ସୃଷ୍ଟି କରିଦିଏ। ନିଅନ୍ତୁ ଦୁହେଁ ବଳ କଷାକଷି ହୁଅନ୍ତୁ! ଏଇ ମଉକାରେ ସିଏ ଭୟରୁ ମୁକ୍ତି ପାଇଯାଏ।
କିଛିଦିନ ତଳେ ସିଏ କଲିକତା ଯାଇଥିଲା। କାହିଁକି ଯାଇଥିଲା?
କଥା କ’ଣ କି ତା’ର ଟିକେ ଉଡ଼ାଜାହାଜରେ ବସିବାକୁ ମନ ହେଲା। ହେଲେ ପାଖରେ ଟଙ୍କା କମ୍‌। ସିଏ ବୁଝାବୁଝି କରି ଜାଣିଲା ଯେ କଲିକତାକୁ ଉଡ଼ାଜାହାଜ ଟିକେଟ କମ୍‌ ଟଙ୍କାରେ ମିଳିବ। ତେଣୁ ସିଏ ଖାସ୍‌ ଉଡ଼ାଜାହାଜରେ ବସିବ ବୋଲି ଟିକେଟ କାଟି କଲିକତା ଯାଇଥିଲା। ହେଲେ ଫେରସ୍ତ ରେଳଗାଡିରେ। ବିମାନ ବନ୍ଦରରୁ ରେଳ ଷ୍ଟେଶନ ଦୂର। କିଛିବାଟ ସିଟି ବସ୍‌ରେ ଯାଇ ଆଉ କିଛିବାଟ ଚାଲିଚାଲି ଗଲା।
ଚାଲିଚାଲି ଚାରିଆଡକୁ ଚାହିଁିଚାହିଁ ରାସ୍ତାରେ ଯାଉଥିଲା। ବାଟରେ ଯାଉଯାଉ ତା’ ସାମ୍‌ନାରେ ଗୋଟେ ମାଙ୍କଡ଼ ଡେଇଁ ପଡିଲା। ସିଏ ଅତର୍ଚ୍ଛା ପଛମୁହଁା ହୋଇ ରାସ୍ତା ମଝିରେ ବଡ଼ପାଟିରେ ଜୟ ଶ୍ରୀରାମ ଜୟ ଶ୍ରୀରାମ କହି କହି ଦୌଡ଼ିଲା। ତା’ କଥା ଶୁଣି ଭକ୍ତିରସର କିଛି କାର୍ଯ୍ୟ ହେଉଛି ଭାବି ଲୋକମାନେ ତା’ର ଅନୁଧାବନ କଲେ। ରାସ୍ତା ଜାମ୍‌ ହୋଇଗଲା। ଗାଡିମୋଟର ଅଟକି ରହିଲା। ଏବେ ପୋଲିସ ଆସି ତାକୁ ଗିରଫ କରିନେଲା।
ପୋଲିସ ବଙ୍ଗଳା ଭାଷାରେ ତାକୁ ଗୁଡ଼ାଏ ମନ୍ତ୍ର ଶୁଣେଇଲା ଓ ପିଟିଲା। ସିଏ ପୋଲିସର ଭାଷା ଓ ମାଡ଼ର କାରଣ ବୁଝିପାରିଲା ନାହିଁ। ମାଡ଼ରୁ ତ୍ରାହି ପାଇବା ଉଦ୍ଦେଶ୍ୟରେ ରାମନାମ ଜପି ଚାଲିଲା। ପୋଲିସ ଜଣକ ପିଟିପିଟି ହାଲିଆ ହେବା ପରେ ତାକୁ ଛାଡି ଚାଲିଗଲା।
ସିଏ ନିଜକୁ ବୁଝେଇଲା- ଶେଷରେ ରାମ ତା’ ହେଲେ ଶୁଣିଲେ!
କିନ୍ତୁ ଅଳ୍ପ ସମୟ ପରେ ଜଣେ ମାଡାମ୍‌ ପହଞ୍ଚତ୍ଲେ। ଦେହରେ ଛୋଟ ଓ ଚିପା ପୋଷାକ, ମୁଣ୍ଡରେ ଖୋଲା ଚୁଟି। ମଥାରେ ବଡ଼ ଟୋପା। ଓଠରେ ରକ୍ତ ପରି ଟହଟହ ଲିପ୍‌ଷ୍ଟିକ୍‌। ପାଟିରେ ଲହଲହ ଲମ୍ବାଜିଭ। ହାତରେ ମୋଟା ବାଡ଼ି।
ବଡ଼ବଡ଼ ଆଖିକରି ମାଡାମ୍‌ ଯେବେ ତା’ ଉପରକୁ ବାଡି ଉଠେଇଲେ, ଭୟରେ ତା’ର ହାତ ଯୋଡି ହୋଇଗଲା। ବିକଳରେ ତା’ ପାଟିରୁ ବାହାରିପଡିଲା- ଜୟ ମା’ କାଳୀ!
ବାସ୍‌ ଏଇ ପଦକ କଥାରେ ମାଡାମ୍‌ ଥଣ୍ଡା ପଡ଼ିଗଲେ। ତାକୁ ଛାଡ଼ିଦେଲେ। କହିଲେ ଯାଆ। ସିଏ ମୁକ୍ତ ହୋଇ ଫେରୁଫେରୁ ଭାବିଲା- ରାମ ଓ କାଳୀଙ୍କର କ’ଣ ଯୁଦ୍ଧ ହୁଏ କି? ଜୟ ଶ୍ରୀରାମ କହିଲାରୁ ଏତେ ପିଟିଲେ, ହେଲେ ଜୟ ମା’ କାଳୀ କହୁକହୁ ଛାଡିଦେଲେ କାହିଁକି? କିଛି ବୁଝି ହେଲାନି!
ପାଠକେ! ସିଏ ତ ବୁଝି ପାରିଲା ନାହିଁ, ଆଶା ଆପଣ ନିଶ୍ଚୟ ବୁଝି ପାରୁଥିବେ!
ମୋ- ୯୩୩୮୫୮୧୩୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri