ମୋ ଗାଁର ବାଟ ଓ ସାର୍‌ଙ୍କ ଛାଟ

ମନ-ମାନଚିତ୍ର/ଡ. ନରହରି ବେହେରା
ସମୟର ଆହ୍ବାନରେ ଆଜି ଅଧିକାଂଶ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତମାନେ ଗାଁ ଛାଡ଼ି ଦୂରଦୂରାନ୍ତ ସହରରେ ବାସ କରୁଛନ୍ତି। ବୃତ୍ତି ଚାପରେ ମୁଁ ବି ଗାଁ ଛାଡ଼ି ବାହାରେ ବାସ କରୁଛି। ଗାଁର ପୂଜାପାର୍ବଣ କି ଘରର ବିବାହ ଉତ୍ସବ ଇତ୍ୟାଦି ହେଲେ ଜଣେ ମାନ୍ୟଗଣ୍ୟ ଅତିଥି ପରି ବୁଲିଯାଏ। ନିଜ ଜନ୍ମମାଟିକୁ ଛାଡ଼ି ନ ପାରିଥିବା ମୋ ସାଙ୍ଗମାନେ ମୁଁ ବଡ଼ଲୋକ ହୋଇଗଲିଣି ବୋଲି ପରିହାସ କରନ୍ତି। ସେମାନେ ଦୂରେଇ ଦୂରେଇ ରହନ୍ତି। ଭଲରେ ମିଶନ୍ତି ନାହିଁ। ମୁଁ କିଛି ସମୟ ନିଜକୁ ସଭ୍ୟ, ଉଚ୍ଚଶିକ୍ଷିତ ଏବଂ ମାନ୍ୟଗଣ୍ୟ ମଣିଷ ବୋଲି ଭାବେ। ମାତ୍ର ଏବେ କାହିଁକି କେଜାଣି ବୟସ ବଢ଼ିବା ସହିତ ସହରରେ ଚାରିହାତ ଜାଗା ଭିତରେ ଚାପିହୋଇ ଅଣନିଃଶ୍ୱାସୀ ହେବାପରି ଲାଗୁଛି। ମୋ ଚାରିପାଖରେ ପଡ଼ୋଶୀ ଅଛନ୍ତି। ମାତ୍ର ଗାଁ ପରି ସମ୍ପର୍କ ନାହିଁ, ଯାହାକୁ ଦେଖ ନିଜ ଝରକା ଭିତରୁ କି ପାଚେରି ସେ ପାଖରେ ଜୁଳୁ ଜୁଳୁ ଚାହୁଁଛନ୍ତି। ସତେ ଯେମିତି ମୁଁ ଗୋଟିଏ ଜୋକର କି ଅଷ୍ଟ୍ରେଲିଆର କଙ୍ଗାରୁ! ମାତ୍ର ଗାଁରେ ରକ୍ତର ସମ୍ପର୍କ ନ ଥିଲେ ବି ସମସ୍ତେ ଗୋଟିଏ ଗୋଟିଏ ସମ୍ପର୍କରେ ଯୋଡ଼ିହୋଇ ଯାଉଥିଲେ।
ପିଲାଦିନେ ଆମ ଗାଁ ପାଇଁ ଯେଉଁ ଦୁଇଟି ବଡ଼ ଅଭାବ ଥିଲା, ତାହା ହେଉଛି ଆମ ଗାଁର ବାଟ ଏବଂ ଶିକ୍ଷା। ରାଜପଥରୁ ଆମ ଗାଁକୁ ଯେଉଁ ଏକମାତ୍ର ମାଟି ରାସ୍ତାଟି ଥିଲା ତାହା ଥିଲା ଅଣଓସାରିଆ। ତାହା ବର୍ଷାଦିନରେ କାଦୁଅ ପଚପଚ ହୋଇଯାଏ। ଆମ ଗାଁକୁ ଯମ ଯିବନି ବୋଲି ଲୋକମାନେ ଆମକୁ ଥଟ୍ଟାରେ କହନ୍ତି। ଶିକ୍ଷା ବୋଇଲେ ଗାଁ ମୁଣ୍ଡରେ ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷାଦାନ। ସେଇଠି ଆମ ଗାଁର ସବୁପିଲା ପଢ଼ୁଥିଲେ। ସେତେବେଳେ ଶିକ୍ଷକମାନେ ଅନେକ ପରିଶ୍ରମ କରି ଆମକୁ ପଢ଼ାଉଥିଲେ ମଧ୍ୟ କିଛି ବାଳୁଙ୍ଗା ପାଠରେ ମନ ଦେଉ ନ ଥିଲୁ। ଏମିତି ଡିଆଁଡେଇଁ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଯାଇଥିଲି। ମାର୍କୋଣାରୁ ଜଣେ ଶିକ୍ଷକ ଆମ ସ୍କୁଲରେ ଯୋଗଦେଲେ। ତାଙ୍କ ନାଁ ମହେନ୍ଦ୍ର କୁମାର ସେଠୀ। ସେ ମୋ ପରି ଜଣେ ବାଳୁଙ୍ଗାକୁ ମଣିଷରେ ପରିଣତ କରିଥିଲେ। ସେ ମୋ ଅବସ୍ଥା ଦେଖି ଦୁଇଟି ପାଠ ଉପରେ ଦୃଷ୍ଟିଦେଲେ। ଗୋଟିଏ ବର୍ଣ୍ଣବୋଧ ଓ ଅନ୍ୟଟି ଏ ଫର୍‌ ଏପ୍‌ ଅର୍ଥାତ୍‌ ପ୍ରାଥମିକ ଇଂଲିଶ ଶିକ୍ଷା। ଅଳ୍ପଦିନ ଭିତରେ ମୋର ପାଠରେ ଉନ୍ନତି ହେବାର ଦେଖି ମୋ ଅନୁପସ୍ଥିତିରେ ଅନ୍ୟମାନଙ୍କ ଆଗରେ ବହୁତ ପ୍ରଶଂସା କରୁଥିବାର ଶୁଣୁଥିଲି। ମୋତେ ସେ ଖୁବ୍‌ ଭଲପାଉଥିଲେ ଏବଂ ଅନ୍ୟଆଗରେ ମୋତେ ବଡ଼କରି ଦେଖାଇବା ପାଇଁ ଚାହୁଁଥିଲେ। ତେଣୁ ଗାଁର କେହି ଲୋକ ସ୍କୁଲକୁ ଆସି ପହଞ୍ଚତ୍ଗଲେ ସେ ଦେଖାଇବା ପାଇଁ ବ୍ଲାକ୍‌ବୋର୍ଡ଼ରେ ଇଂଲିଶ ଏବଂ ଓଡ଼ିଆରେ ବିଭିନ୍ନ ଶବ୍ଦ ଲେଖିବାକୁ ଡାକୁଥିଲେ। ଥରେ କ’ଣ ହେଲା କେଜାଣି ଇଂଲିଶର ବଲ୍‌ ଶବ୍ଦଟାକୁ ଠିକ୍‌ କରି ଲେଖିପାରିଲି ନାହିଁ। ଏଇ ସାଧାରଣ ଶବ୍ଦଟାକୁ ଭୁଲ୍‌ କରିବି ସେ ବିଶ୍ୱାସ କରିପାରିଲେ ନାହିଁ। ଜଣେ ଗ୍ରାମବାସୀଙ୍କ ଆଗରେ ମୋ ଅଜ୍ଞତା ତାଙ୍କୁ ଅପମାନିତ କରିଦେଲା। ସେ ମୋତେ ପିଟି ପକେଇଗଲେ। ବର୍ତ୍ତମାନର ଦଣ୍ଡମୁକ୍ତ ବିଦ୍ୟାଳୟ ହୋଇଥିଲେ ସେ ହୁଏତ ଦୋଷୀ ସାବ୍ୟସ୍ତ ଓ ଦଣ୍ଡିତ ହୋଇଥାନ୍ତେ। ମୁଁ ସେତେବେଳେ ତାଙ୍କୁ ଭୀଷଣ ଭୟ କରୁଥିଲେ ମଧ୍ୟ ଏବେ ଅନୁଭବ କରୁଛି ତାଙ୍କ ଅନ୍ତରତଳେ ମୋ ପାଇଁ କେତେ ଭଲପାଇବା ଥିଲା! ସେଇଥିପାଇଁ ତ ମୁଁ ପାଠରେ ଭୁଲ୍‌ କରିଦେଲେ ସେ ରାଗି ନିଆଁବାଣ ହୋଇ ଯାଉଥିଲେ। ତା’ ନ ହେଲେ ଆମ ଶ୍ରେଣୀରେ ଅନ୍ୟ ପିଲାମାନେ ପାଠରେ ଭୁଲ୍‌ କଲେ ମହେନ୍ଦ୍ର ସାର୍‌ ଏତେ ରାଗୁ ନ ଥିଲେ କାହିଁକି, ଯେତିକି ମୋ ଉପରେ ରାଗୁଥିଲେ?
ଆଜି ଗାଁର ରୂପ ବଦଳିଛି। ଗାଉଁଲି ଢଙ୍ଗ ଛାଡ଼ି ସହରୀ ଢଙ୍ଗରେ ସଜେଇ ହେଲାଣି ମୋ ଗାଁ। କାଦୁଅ ପଚ ପଚ ମୁଖ୍ୟ ରାସ୍ତାଟା ଏବେ କଳା ମଚ ମଚ ହୋଇଗଲାଣି। କିନ୍ତୁ ଏବେ ପରିସ୍ଥିତିକୁ ଦେଖିଲେ ମନେହେଉଛି, ସତେଯେମିତି ଗାଁ ବାଟର ଛାତି ନୁହେଁ, ଆମ ଗାଁର ଲୋକମାନଙ୍କର ମନଟା ଟାଣ ହୋଇଯାଇଛି। ଗାଁ ଭିତରେ ଥିବା ବାଟଟାକୁ ମରାମତି ପାଇଁ ନିଜ ଗାଁର ସରପଞ୍ଚବାବୁ ଦଳୀୟ ଚିନ୍ତାରେ ମନା କରିଦେଉଛନ୍ତି। ଆଗପରି ଗୋପାଳ ଗାଁର କୁମ୍ଭବୁଡ଼ା ଦିନ ପାଖ ସାହିର ଲୋକମାନେ ଆସୁନାହାନ୍ତି। ଆଗରୁ ପରସ୍ପରକୁ ପ୍ରାଣ ଭରି ଭଲପାଉଥିବା ଦି’ଭାଇ ଏବେ ଚାଖଣ୍ଡେ ଜମି ପାଇଁ କୋର୍ଟକଚେରି ଦୌଡ଼ୁଛନ୍ତି। ଆଗରୁ କକା, ଖୁଡ଼ୀ, ମାମୁ ପରି ସରାଗପୂର୍ଣ୍ଣ ଡାକ ଆଜି ଫିକା ପଡ଼ିଯାଇଛି। ସମସ୍ତେ ନିଜ ଜ୍ଞାତି କୁଟୁମ୍ବର ପରିଚୟ ଅପେକ୍ଷା ଗୋଟିଏ ଗୋଟିଏ ରାଜନୈତିକ ଦଳର ପରିଚୟ ନେଇ ବଞ୍ଚତ୍ବାକୁ ବେଶ୍‌ ଭଲ ପାଉଛନ୍ତି।
ଗାଁ ବାଟ ପରି ଆମ ଗାଁ ବିଦ୍ୟାଳୟର ଚେହେରା ମଧ୍ୟ ବଦଳି ଯାଇଛି। ଆଗପରି ନୁଅଁାଣିଆ ଚାଳଘର ନାହିଁ। ଏବେ ସୁନ୍ଦର ସୁନ୍ଦର ଘର ତୋଳାଯାଇଛି। ଅନେକ ଶିକ୍ଷକ ନିଯୁକ୍ତି ପାଉଛନ୍ତି। ହେଲେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଯେଉଁ ଭାବଗତ ସମ୍ପର୍କ ରହିବା କଥା ତାହା ନାହିଁ। ଯେଉଁ ଛାଟ ଆମପରି ଉଚ୍ଛୃଙ୍ଖଳ ବିଦ୍ୟାର୍ଥୀମାନଙ୍କୁ ବାଟ ଦେଖାଉଥିଲା ତାହା ଆଜି ଶିକ୍ଷକଙ୍କ ହାତରେ ନାହିଁ। ଅପରପକ୍ଷେ ଶିକ୍ଷକମାନଙ୍କୁ ଛାଟ ମାରିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଟୋଲ୍‌ ଫ୍ରି ନମ୍ବର ଧରାଇ ଦିଆଯାଇଛି। ଅର୍ଥାତ୍‌ ଶିକ୍ଷକମାନେ ଶାସିତ ହୋଇ ଦାରୁଭୂତ ମୁରାରି ଭାବରେ ବସିରହି କେବଳ ବଚନାମୃତ ବାଣ୍ଟିବେ ସିନା ଶାସନ କରିପାରିବେ ନାହିଁ। ପ୍ରାଚୀନ କାଳରେ ଗୁରୁଙ୍କ ଆଦେଶରେ ଶିଷ୍ୟମାନେ ଦିନ ଦିନ ଉପବାସ ରହୁଥିଲେ, ରାତିସାରା ଜଳଧାରାକୁ ଅଟକାଇବା ପାଇଁ ହିଡ଼ ଉପରେ ଶୋଇ ରହୁଥିଲେ। ଏବେ ସେ ସବୁ ଆଇନ୍‌ ଆଖିରେ ଭୁଲ୍‌ ଏବଂ ଦଣ୍ଡନୀୟ। ଏସବୁ ସମୟର ଆହ୍ବାନ। କିନ୍ତୁ ଗାଁର ସୁଖ ସମୃଦ୍ଧି ପାଇଁ ଭଲ ବାଟଟିଏ ଯେମିତି ଲୋଡ଼ା, ଠିକ୍‌ ସେମିତି ସଭ୍ୟତା ଓ ସଂସ୍କୃତିର ବିକାଶ ପାଇଁ ଶିକ୍ଷକଙ୍କ ସ୍ନେହପୂର୍ଣ୍ଣ ଛାଟ ଆଉ ଶିଷ୍ୟର ସମର୍ପିତ ଭାବ ନିତାନ୍ତ ଆବଶ୍ୟକ। ମାତ୍ର ଆଜି ସବୁକିଛି ଓଲଟପାଲଟ ହୋଇଯାଉଛି।
ଏ କେବଳ ମୋ ଗାଁର କଥା ନୁହେଁ। ପ୍ରାୟ ସବୁ ଗାଁ ଏବେ ସହର ହେବାକୁ ପ୍ରତିଯୋଗିତାରେ ଲାଗିପଡ଼ିଛନ୍ତି। ତେଣୁ ଗାଁରେ କବାଡ଼ି, ବାଗୁଡ଼ି ପ୍ରଭୃତିର ଖେଳ ଜମୁନି କି ସାଇଭାଇରେ ପୂନେଇଁ ପରବ ଦିନ ପିଠାପଣା ଦିଆନିଆର ଭାବ ନାହିଁ। ଏକଥା ସତ୍ୟ ଯେ ଗତି ହିଁ ଜୀବନର ପରିଭାଷା। ଆଗକୁ ଚାଲିବା ହିଁ ମଣିଷର ଧର୍ମ। ମାତ୍ର ଚାଲିବା ନାଁରେ ନିଜ ମାଟିର ବାସ୍ନା, ଜନ୍ମମାଟିର ସତ୍ତାକୁ ଭୁଲିବା କଦାପି ଉଚିତ ନୁହେଁ।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ୍‌, ଭଦ୍ରକ, ମୋ- ୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri