ମହାପ୍ରଭୁଙ୍କ ମହାପ୍ରସାଦ

ଡ. ପ୍ରଫୁଲ୍ଲ କୁମାର ସାହୁ
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସାଂସ୍କୃତିକ ପ୍ରାଣକେନ୍ଦ୍ର। ଆମ ଆଧ୍ୟାତ୍ମିକ ଆସ୍ଥା ଓ ସାମାଜିକ ବିଚାର ଧାରାର କେନ୍ଦ୍ରବିନ୍ଦୁ। ଓଡ଼ିଶାର ସାମାଜିକ ଚଳଣି, ଖାଦ୍ୟପେୟ ରୀତିନୀତି ଓ କଳା ସଂସ୍କୃତିକୁ ଅଙ୍ଗୀଭୂତ କରି ପରିପୁଷ୍ଟ ହୋଇଛି ଶ୍ରୀଜଗନ୍ନାଥ ସଂସ୍କୃତି। ଏହା ମୂଳରେ ରହିଛି ଧର୍ମୀୟ ଉଦାରତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପ୍ରେରଣା, ଭ୍ରାତୃଭାବ, ସଂହତି ରକ୍ଷା ଓ ଅଲୌକିକ ମାନବିକତାର ଗଭୀର ସ୍ପନ୍ଦନ। ଅର୍ଥାତ୍‌ ମହାନ୍‌ ଅନ୍ତଃପ୍ରେରଣାରେ ଦୀପ୍ତିମନ୍ତ ତା’ର ପ୍ରତ୍ୟେକଟି ଅନ୍ତରଙ୍ଗ ବିଭବରେ ନିହିତ ମଣିଷ ଜୀବନକୁ ସରସ, ସୁନ୍ଦର ଓ ସୃଜନଶୀଳ କରି ଗଢ଼ିତୋଳିବାର ଏକ ବ୍ୟବସ୍ଥିତ ଦୃଷ୍ଟିଭଙ୍ଗୀ। ଏହାର ଚୂଡ଼ାନ୍ତ ଦୃଷ୍ଟାନ୍ତ ହେଉଛି ମହାପ୍ରଭୁଙ୍କର ମହାପ୍ରସାଦ।
ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ। ମାନବଶରୀର ସୁରକ୍ଷାରେ ତା’ର ଭୂମିକା ଅବର୍ଣ୍ଣନୀୟ। ପୃଥିବୀର ସର୍ବପ୍ରାଚୀନ ଶାସ୍ତ୍ର ଆୟୁର୍ବେଦକୁ ଭିତ୍ତିକରି ତିଆରି ହୋଇଛି ମହାପ୍ରଭୁଙ୍କ ମହାପ୍ରସାଦ ବିଧି। ପ୍ରତିଦିନ ପ୍ରଭୁଙ୍କ ମଣୋହି ଗୋପାଳ ବଲ୍ଲଭ ଧୂପରୁ ଆରମ୍ଭହୋଇ ଶେଷ ହୁଏ ବଡ଼ସିଂହାର ଧୂପରେ। ଅନ୍ନ ଓ ବ୍ୟଞ୍ଜନ ସହିତ ଭୋଗଲାଗେ ବରା, କାକରା, ଲଡ଼ୁ, ପିଠା ଓ ଆହୁରି ଅନେକ ପ୍ରକାର ସାତ୍ତ୍ୱିକ ଖାଦ୍ୟ। ମନ୍ଦିର ବିଧି ଅନୁସାରେ ଏସବୁ ପ୍ରସ୍ତୁତ ହୁଏ ଦେଶୀ ପନିପରିବା, ଫଳମୂଳ, ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ପ୍ରାକୃତିକ ପଦାର୍ଥରୁ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ଏସବୁ ଖାଦ୍ୟରେ ଆଦୌ ବ୍ୟବହାର ହୁଏନି ବିଲାତି ଆଳୁ, ବିଲାତି ବାଇଗଣ ଆଦି ବୈଦେଶିକ ପରିବା। ମାତ୍ର ବିଡ଼ମ୍ବନାର ବିଷୟ ଅମୃତଭଣ୍ଡା ଭଳି କିଛି ପରିବାକୁ ବିଦେଶୀ କହି ମହାପ୍ରସାଦଠାରୁ ଦୂରେଇ ରଖାଯାଇଛି, ଯାହା ଶୁଦ୍ଧ ସାତ୍ତ୍ୱିକ ଖାଦ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ। ଆୟୁର୍ବେଦ କହେ ଅମୃତଭଣ୍ଡା ଅମୃତ ସମ ଏକ ସାତ୍ତ୍ୱିକ ଖାଦ୍ୟ। ସୁସ୍ଥ ଓ ନୀରୋଗ ଜୀବନ ଧାରଣ ପାଇଁ ଏହା ଏକାନ୍ତ ଜରୁରୀ। ଶରୀରର ପୁଷ୍ଟିସାଧନ ନିମନ୍ତେ ଏଥିରେ ରହିଛି ପର୍ଯ୍ୟାପ୍ତ ପରିମାଣର ଜୀବସାର କ, ଖ, ଗ ଓ ଘ। ହଜମ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ସେଥିରେ ରହିଛି ଭରପୂର ପେପେନ ଏଞ୍ଜାମିନ୍‌। ତା’ର କ୍ଷୀରରେ ବି ରହିଛି ଅଦ୍ଭୁତ ଔଷଧୀୟ ଗୁଣ। ବିଶେଷଜ୍ଞଙ୍କ ମତରେ ଦନ୍ତ ରୋଗ, ଅର୍ଶ ତଥା ଯକୃତ ଓ ମନ୍ଦାଗ୍ନି ଆଦି ଉଦର ରୋଗ ପାଇଁ ଏହା ଏକ ମହାର୍ଘ ମହୌଷଧି। ଏଥିରେ ପୂର୍ଣ୍ଣମାତ୍ରାରେ ଫାଇବର ଥାଏ, ଯାହା ଦୂର କରେ କଫ ସମସ୍ୟା। କଞ୍ଚାଭଣ୍ଡା ରକ୍ତରେ ଥିବା ଶର୍କରା ଅଂଶକୁ କମ୍‌ କରୁଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ। ତେଣୁ ଗୁଣବତ୍ତା ଦୃଷ୍ଟିରୁ ଏହା ମହାପ୍ରଭୁଙ୍କ ବ୍ୟଞ୍ଜନରେ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ। ଅଥଚ ଏ ଦିଗରେ ବାଧକ ହୋଇ ଉଭା ହୋଇଛି ତା’ର ଉପତ୍ତ୍ତି ସ୍ଥଳ। ଦକ୍ଷିଣ ମେକ୍ସିକୋରୁ ଆସିଛି ବୋଲି କହି ତାକୁ ଅମୃତ ମଣୋହିଠାରୁ ଦୂରେଇ ରଖାଯାଇଛି ପରମ୍ପରାକ୍ରମେ।
ଏହି ପରିପ୍ରେକ୍ଷୀରେ ଆମେ ଜାଣିରଖିବା ଉଚିତ ଜଗନ୍ନାଥ କେବଳ ଏକ ଆଧ୍ୟାତ୍ମିକ ଉପଲବ୍ଧିର ପୀଠ ନୁହନ୍ତି, ବରଂ ସେ ହେଉଛନ୍ତି ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ; ଯାହାର ବ୍ୟାପକତା ଅକଳ୍ପନୀୟ। ମାନବ ଜାତିର ପରମ୍ପରା, ଜୀବନଚର୍ଯ୍ୟା ତଥା ଆଧ୍ୟାତ୍ମିକ ଓ ସାମାଜିକ ଜୀବନର ନିରବଚ୍ଛିନ୍ନ ପ୍ରତିଫଳନରେ ପ୍ରାଣବନ୍ତ, ଛବିଳ ଓ ମହିମାନ୍ବିତ ହୋଇଛି ଜଗନ୍ନାଥ ତତ୍ତ୍ୱ, ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ବିଜ୍ଞାନ। ଅର୍ଥାତ୍‌ ଆଞ୍ଚଳିତ ସଂକୀର୍ଣ୍ଣତା ନୁହେଁ, ପାରିବେଶିକ ପ୍ରତିବଦ୍ଧତାକୁ ନେଇ ତିଆରି ହୋଇଛି ମହାପ୍ରଭୁଙ୍କ ଖାଦ୍ୟଶୃଙ୍ଖଳା। ଶାସ୍ତ୍ର କହେ ପ୍ରକୃତିଦତ୍ତ ଅଣୁ ପରମାଣୁରେ ତିଆରି ହୋଇଛି ମଣିଷ ଶରୀର। ତା’ର ପୁଷ୍ଟି ସାଧନ ନିମନ୍ତେ ଆବଶ୍ୟକ ପରିବେଶ ଉପଯୋଗୀ ସାତ୍ତ୍ୱିକ ଆହାର। ପ୍ରକୃତିର ସ୍ବୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ପରିବେଶ ଉପଯୋଗୀ ଖାଦ୍ୟଶସ୍ୟ ଉପତ୍ାଦିତ ହୁଏ ସ୍ଥାନୀୟ ଜଳବାୟୁରେ। ଏହି ଦୃଷ୍ଟିରୁ ବିଚାର କଲେ ଅମୃତଭଣ୍ଡା ଏମିତି ଏକ ପରିବା, ଯାହା ଜୈବିକ ଉପାୟରେ ଓ ସ୍ଥାନୀୟ ପରିବେଶରେ ପ୍ରଚୁର ପରିମାଣରେ ଫଳେ ବର୍ଷତମାମ। ଏଥିପାଇଁ ଆବଶ୍ୟକ ହୁଏନି ରାସାୟନିକ ସାର ଓ କୀଟନାଶକ। ଅଥଚ ଅମୃତସମ ଆହାର ଅମୃତଭଣ୍ଡା ପରିବର୍ତ୍ତେ ମହାପ୍ରସାଦରେ ଏମିତି କିଛି ପରିବା ବ୍ୟବହାର ହୋଇଛି, ଯାହାର ଉପତ୍ତ୍ତିସ୍ଥଳ ବିଦେଶରେ।
ସଂଗୃହୀତ ତଥ୍ୟ ଅନୁସାରେ ମହାପ୍ରସାଦରେ ବ୍ୟବହାର ହେଉଥିବା ମାଟିଆଳୁ ଆସିଛି ଆଫ୍ରିକାରୁ। ପୋଟଳ ଓ କଞ୍ଚାକଦଳୀର ଉପତ୍ତ୍ତିସ୍ଥଳ ଯଥାକ୍ରମେ ଆମେରିକା ଓ ନେଦରଲାଣ୍ଡ। ଦକ୍ଷିଣ ଏସିଆରୁ ଆସିଛି ବାଇଗଣ ଓ ପାଣିକଖାରୁ। ଲାଟିନ୍‌ ଆମେରିକାରୁ ଆସିଥିବା କନ୍ଦମୂଳ ମଧ୍ୟ ବ୍ୟବହାର ହେଉଛି ଦେଶୀ ପରିବା ଭାବରେ। ଏହି ଦୃଷ୍ଟିରୁ ବିଚାର କଲେ ଅମୃତଭଣ୍ଡାକୁ ବିଦେଶୀ ପରିବା କହି ମହାପ୍ରସାଦଠାରୁ ଦୂରେଇ ରଖିବାରେ ଯଥାର୍ଥତା କିଛି ନାହିଁ। ପରମ୍ପରାକୁ ମାନଦଣ୍ଡ ଭାବରେ ଗ୍ରହଣ କଲେ ବି ଆଦୌ ଯୁକ୍ତିସିଦ୍ଧ ମନେହୁଏନି ତାକୁ ମହାପ୍ରସାଦଠାରୁ ଦୂରେଇ ରଖିବା ନିଷ୍ପତ୍ତି। ଏ କଥା ଅବଶ୍ୟ ସତ୍ୟ ଯେ ବ୍ୟବସ୍ଥାକୁ ଅଙ୍ଗୀଭୂତ କରି ନେଇଥିବା କିଛି ପରମ୍ପରାକୁ ବଦଳେଇ ହୁଏନି ସହଜରେ। ଜୋର୍‌କରି ବଦଳେଇବାକୁ ଚେଷ୍ଟା କଲେ ସେଥିରେ କିଛି ଗୋଟେ ଭାଙ୍ଗିଯାଏ, ଯଦ୍ଦ୍ବାରା ଆଉ ଯୋଡ଼ି ହୁଏନି କି ସଜାଡ଼ି ହୁଏନି ପୂର୍ବ ବ୍ୟବସ୍ଥା। ମାତ୍ର ଶ୍ରୀମନ୍ଦିର ପରମ୍ପରା ଏକ ଅପରିବର୍ତ୍ତନୀୟ ପ୍ରକ୍ରିୟା ନୁହେଁ, ଏହା ପରିବର୍ତ୍ତନଶୀଳ। ତା’ର ସଂସ୍କାରସ୍ନାତ ଉଦାରତା କଥା ବିଚାରକଲେ ପ୍ରଥମେ ଆଖିଆଗକୁ ଆସେ ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା। ଆଗେ ଶ୍ରୀମନ୍ଦିର ଥିଲା ଗଜପତିଙ୍କ ତତ୍ତ୍ୱାବଧାନରେ। ପରବର୍ତ୍ତୀ ସମୟରେ ତା’ର ପରିଚାଳନା ଦାୟିତ୍ୱ ହାତକୁ ନେଲେ ସରକାର। ମନ୍ଦିର ନିର୍ମାଣ ହୋଇଥିଲା ଲାଖ, ଚୂନ, ଗୁଡ଼ ଓ ଝୁଣା ସାହାଯ୍ୟରେ। ସେସବୁ ସାମଗ୍ରୀ ଆଉ ବ୍ୟବହାର ହେଉନି ମନ୍ଦିର ମରାମତି ବେଳେ। କେଉଁ ପ୍ରାଚୀନ କାଳରୁ ମନ୍ଦିରରେ ପ୍ରଚଳିତ ଥିଲା ଦେବଦାସୀ ନୃତ୍ୟ ପରମ୍ପରା। ସମୟକ୍ରମେ ତାହା ଉଚ୍ଛେଦ ହେଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ। ଅନ୍ଧାର ଦୂର କରିବା ପାଇଁ ମନ୍ଦିର ଭିତରେ ଆଗଭଳି ଆଉ ଦୀପ ଜଳୁନାହିଁ, ଏବେ ଜଳୁଛି ଉଜ୍ଜ୍ୱଳ ବିଜୁଳିବତି। ଦିନଥିଲା ତାଳପତ୍ର ଛତା ବ୍ୟତୀତ କପଡ଼ା ଛତା ନେଇ କେହି ପ୍ରବେଶ କରିପାରୁ ନ ଥିଲେ ମନ୍ଦିର ଭିତରେ। କାଳକ୍ରମେ କୋହଳ ହେଲା ସେ ନୀତି। ପୂର୍ବରୁ ମନ୍ଦିରର ରୋଷ ଘରେ ଧୂଆଁ ନିର୍ଗତ ହେବା ପାଇଁ କାନ୍ଥରେ ଥିଲା ବଡ଼ ବଡ଼ ଛିଦ୍ର ବା ଜଳା କବାଟ। ଏବେ ଧୂଆଁ ନିର୍ଗତ ହେବା ପାଇଁ ଖଞ୍ଜାଯାଇଛି ବିଜୁଳିଚାଳିତ ପଙ୍ଖା। ମହାପ୍ରଭୁଙ୍କ ଖାଦ୍ୟ ଶୃଙ୍ଖଳାରେ ବି ଆସିଛି ଅନେକ ପରିବର୍ତ୍ତନ। ମେକ୍‌ସିକୋରୁ ଆସିଥିବା କାରଣରୁ ଆଗେ ମହାପ୍ରସାଦରେ ବ୍ୟବହାର ହେଉ ନ ଥିଲା ପାଣିକଖାରୁ। ମାତ୍ର ରାମାନୁଜଙ୍କ ଶ୍ରୀକ୍ଷେତ୍ର ଅବସ୍ଥାନ କାଳରେ ବଦଳିଲା ପରମ୍ପରା। ତାଙ୍କ ହସ୍ତକ୍ଷେପ ଫଳରେ ବ୍ୟବହାର ହେଲା ପାଣିକଖାରୁ। ଆଗେ କେବଳ ଢିଙ୍କିକୁଟା ଚାଉଳରେ ପ୍ରସ୍ତୁତ ହେଉଥିଲା ଅନ୍ନ। ଏବେ ବ୍ୟବହାର ହେଉଛି କଳକୁଟା ଚାଉଳ। ଦିନଥିଲା ଗୁଡ଼ ବ୍ୟତୀତ ଚିନି ବ୍ୟବହାର ହେଉ ନ ଥିଲା ମହାପ୍ରଭୁଙ୍କ ବ୍ୟଞ୍ଜନରେ। ଏବେ ବ୍ୟବହାର ହେଉଛି ଉଭୟ ଗୁଡ଼ ଓ ଚିନି। ମହାପ୍ରଭୁଙ୍କ ବ୍ୟଞ୍ଜନରେ ଆଗେ ନ ଥିଲା କାଙ୍କଡ଼ ଫଳର ବ୍ୟବହାର। ମାଦଳାପାଞ୍ଜି ଅନୁସାରେ ତକୀ ଖାଁର ଆକ୍ରମଣ ବେଳେ ସେବକମାନେ ମହାପ୍ରଭୁଙ୍କୁ ନେଇ ରଖିଥିଲେ ଚିଲିକାର କାଙ୍କଡ଼ ଶିଖରରେ। ସେଇ ନୀରବ ନିଶ୍ଚଳ ପାହାଡ଼ରେ ମହାପ୍ରଭୁଙ୍କ ଶୀତଳ ମଣୋହି ଥିଲା କାଙ୍କଡ଼ ଫଳ। ତା’ ପରଠୁ ପ୍ରଚଳିତ ହେଲା ଏଠାରୁ ଲକ୍ଷ୍ମୀ ରୋଷ ଘରକୁ କାଙ୍କଡ଼ ପ୍ରେରଣ ପରମ୍ପରା। ମେକ୍‌ସିକୋରୁ ଆସିଥିବା କାରଡ଼ରୁ ଲଙ୍କା ବଦଳରେ ମହାପ୍ରଭୁଙ୍କ ବ୍ୟଞ୍ଜନରେ ବ୍ୟବହାର ହୁଏ ଗୋଲମରିଚ। ଏବେ କିନ୍ତୁ ଆନନ୍ଦ ବଜାରରେ ଭକ୍ତମାନଙ୍କ ଅବଢ଼ା ସେବନ ବେଳେ କଞ୍ଚାଲଙ୍କା ଜାହିର କଲାଣି ତା’ର ଉପସ୍ଥିତି।
ଅତଏବ ମାନବବାଦର କଥା ହେଉ କି ସ୍ବାସ୍ଥ୍ୟ ସୁରକ୍ଷା ସବୁ କ୍ଷେତ୍ରରେ ଏକ କଲ୍ୟାଣକାରୀ ଆଭିମୁଖ୍ୟର ସୂଚକ ହେଉଛି ଜଗନ୍ନାଥ ସଂସ୍କୃତି। ଏକ ପ୍ରଗତିଶୀଳ ଦର୍ଶନ ଭାବରେ ତାହା ସର୍ବଦା ନିତ୍ୟ ନୂତନତାରେ ବିମଣ୍ଡିତ। ଏହି ପରିବର୍ତ୍ତନ କ୍ରମରେ ଅମୃତଭଣ୍ଡାର ଗୁଣବତ୍ତା ସମୀକ୍ଷାପୂର୍ବକ ତାକୁ ମହାପ୍ରସାଦରେ ବ୍ୟବହାର ନିମନ୍ତେ ବ୍ୟବସ୍ଥା ଗ୍ରହଣ କଲେ ଉପକୃତ ହୋଇପାରନ୍ତେ ମହାପ୍ରସାଦ ସେବନ କରୁଥିବା ରୋଗୀଠାରୁ ଯୋଗୀ ପର୍ଯ୍ୟନ୍ତ କୋଟି କୋଟି ଭକ୍ତ। ଶ୍ରୀଜଗନ୍ନାଥ ସଂସ୍କୃତିର ବିଶ୍ୱ ପରିବ୍ୟାପକତାରେ ଯୋଡ଼ି ହୋଇ ଯାଆନ୍ତା ଉଦାରଶୀଳତାର ଆଉ ଏକ ଫର୍ଦ୍ଦ।
ବିଜୁପଟ୍ଟନାୟକ ନଗର, ଭଦ୍ରକ, ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପାଞ୍ଚଶହ ବର୍ଷର ପୁରୁଣା ଅଯୋଧ୍ୟା ମାମଲାର ଏ୍ୟତିହାସିକ ରାୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିବା ପରେ ଦେଶରେ ଭାଇଚାରାର ଛବି ପଦାକୁ ଆସିଛି। ଶାନ୍ତିପୂଣ୍ଣର୍ର୍ ଭାବେ...

ନିଖିଳର କବି କାଳିନ୍ଦୀଚରଣ

ଡ. ହୃଷୀକେଶ ମଲ୍ଲିକ ଗତ ଶତାବ୍ଦୀର ଓଡ଼ିଆ ଗଦ୍ୟ ଓ କବିତାରେ କାଳିନ୍ଦୀଚରଣ ହେଉଛନ୍ତି ଏକ ସଶକ୍ତ ଉଚ୍ଚାରଣ। ୧୯୨୦ ମସିହା ପରେ, ଅର୍ଥାତ୍‌ ସତ୍ୟବାଦୀ...

ଏସିଆର ଆଗାମୀ ଦଶନ୍ଧି

ଶରତ ଚନ୍ଦ୍ର ମିଶ୍ର ଗତ କେତେବର୍ଷ ହେଲା ଏସିଆରେ ଅଭୂତପୂର୍ବ ପ୍ରଗତି ଘଟିଛି। ପ୍ରାୟ ୬୦୦ ନିୟୁତ ବ୍ୟକ୍ତିଙ୍କୁ ଗୋଟିଏ ପିଢ଼ିରେ ଦାରିଦ୍ର୍ୟରୁ ରକ୍ଷା କରିବାରେ...

ସମ୍ପାଦକୀୟ/ ଉଦ୍ଭଟ: ଜହ୍ନରେ ଜଳଖୋଜା

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍‌ ଧାଓ୍ବନ ମହାକାଶ କେନ୍ଦ୍ରରୁ ଭାରତର ଦ୍ୱିତୀୟ ମୁନ୍‌ ମିଶନ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ ପାଇଁ ୧୪ ଜୁଲାଇ ରାତି ୨ଟା ୫୧କୁ ସମୟ...

ଭାରତର ରାଜନୈତିକ ସମୀକରଣ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ କଂଗ୍ରେସ ଦଳ (ଭାରତୀୟ ଜାତୀୟ କଂଗ୍ରେସ) ଦେଶର ଶାସନ ଭାର...

ବିଶ୍ୱର ନିଷ୍ପେଷିତ ଜନଗୋଷ୍ଠୀ

ନାରାୟଣ ପଣ୍ଡା   ବିଶ୍ୱରେ ଏବେ ବି କିଛି ମଣିଷ ବିଭିନ୍ନ ଦେଶରେ ଧର୍ମ, ବର୍ଣ୍ଣ ଜାତିକୁ ନେଇ ନିଷ୍ପେଷିତ ଅଛନ୍ତି। ତାହା ହିନ୍ଦୁ ପ୍ରଧାନ...

କାହିଁକି ଦେଖେଇ ହେଉଛେ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଚାଇନାରେ ସରକାରୀ ତଥ୍ୟ ଅନୁଯାୟୀ ଅଦ୍ୟାବଧି ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ପାଖାପାଖି ୪୦,୦୦୦ ଆକ୍ରାନ୍ତ ହୋଇଛନ୍ତି।...

ଏଇ ଭାରତରେ

ନିଜେ ପଢୁଛନ୍ତି, କିନ୍ତୁ ଟ୍ୟୁଶନରୁ ରୋଜଗାର କରି ବୁଲାକୁକୁରଙ୍କ ସେବା କରୁଛନ୍ତି ଜଣେ ଛାତ୍ରୀ। ହରିୟାଣାର ସୋନିପତ ଅଞ୍ଚଳରେ ରହୁଥିବା ଇଞ୍ଜିନିୟରିଂ ଛାତ୍ରୀ ଶେନ ଆରୋରା...

Advertisement
Archives

Model This Week