ମମତାର ଡାକ

ଦ୍ୱିତୀ ଚନ୍ଦ୍ର ସାହୁ
ପ୍ରବଳ ଖରାରେ ଗାଁକୁ ଯିବାକୁ ବାହାରିଲେ ମା’। ସ୍ନେହର ପରଶରେ, ମମତାର ମୋହରେ ବନ୍ଧା ସ୍କୁଲପଢୁଆ କିଶୋର ଛାଡ଼ିବାକୁ ବାହାରିଲା ଆପେ ଆପେ। ପୁଅ ଧରିଲା ସାଇକେଲ। ନିମିଷକରେ ପହଞ୍ଚିଗଲେ ବସ୍‌ଷ୍ଟପରେ। ଫେରିବାବେଳେ ରାସ୍ତାର ଏକ ମୋଡ଼ରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ତଳେ ଚାପି ହୋଇଗଲା ପୁଅ ଆଖିପିଛୁଳାକେ। ଘଟଣା ସମ୍ପର୍କରେ ଜାଣିବା ପରେ ମା’ଙ୍କ ଆର୍ତ୍ତ ଚିତ୍କାରରେ ଫାଟିପଡ଼ିଲା ଘଟଣାସ୍ଥଳ। ମରଣ ସହ ସଂଘର୍ଷ କରୁଥିବା ପୁଅକୁ ବଞ୍ଚାଇବା ଲାଗି ଆକୁଳ ନିବେଦନ କଲା ସେ। ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ି ଓ ସମବେତ ଲୋକଙ୍କ ନିକଟରେ ନେହୁରା ହେଲା ନିଜ ପୁଅକୁ ଉଦ୍ଧାର କରିବା ଲାଗି। ଶେଷରେ ଉଦ୍ଧାର ହେଲା ପୁଅ। କିନ୍ତୁ ବିଳମ୍ବଜନିତ କାରଣରୁ ମା’କୁ ଚିରଦିନ ଛାଡି ଚାଲିଗଲା କିଶୋର ପୁଅ। ଏ ଯାଏ ପୁଅର ଜୀବନ ଲାଗି ସଂଗ୍ରାମ କରୁଥିବା ମା’ ଜୀବନର ନିଷ୍ଠୁର ସତ୍ୟକୁ ସାମ୍ନା କରିବା ପରେ ଚେତାଶୂନ୍ୟ ହୋଇଗଲା। ସେ ଜାଣିଗଲା ତା’ ଆଖି ସାମ୍ନାରେ ପୁଅ କୋଳ ଶୂନ୍ୟକରି ଭଗବାନଙ୍କ ପ୍ରିୟ ହୋଇଗଲା।
ଆଉ ଏକ ଦୃଶ୍ୟ। ୯୯ ବର୍ଷ ବୟସ୍କା ମା’ ହୀରାବେନ୍‌ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’। ପୁତ୍ର ପ୍ରଚଣ୍ଡ ଜନାଦେଶ ପାଇ ଦ୍ୱିତୀୟଥର ନିର୍ବାଚିତ ହେବା ପରେ ମା’ଙ୍କ ଆଶୀର୍ବାଦ କାମନା ଲାଗି ଛୁଟିଗଲେ ଗାନ୍ଧୀନଗର। ଯାହାଙ୍କ ନିକଟରେ ସମସ୍ତେ ମଥାନତ ହେଉଛନ୍ତି, ସେ କିନ୍ତୁ ନତମସ୍ତକପୂର୍ବକ ମା’ଙ୍କ ପାଦ ଛୁଇଁ ଶୁଭାଶିଷ କାମନା କଲେ। ମା’ଙ୍କ ଶୁଭାଶିଷ ଯେ ଏକ ଶକ୍ତିଶାଳୀ ରକ୍ଷାକବଚ, ଏ କଥା ଚିର କାଳ ଭାରତୀୟ ସଂସ୍କୃତିରେ ପ୍ରମାଣିତ ହୋଇଆସିଛି। ମୁଣ୍ଡରେ ମା’ବାପାଙ୍କ ହାତ ଥିଲେ କାଳେ ଦୁନିଆର ସବୁ ଶକ୍ତିକୁ ପରାହତ କରାଯାଇପାରେ। ସମ୍ଭବତଃ ମହାଭାରତୀୟ ସଂସ୍କୃତିର ଏଇ ଗୌରବମୟ ପରମ୍ପରା ପୁଣି ଥରେ ପ୍ରମାଣିତ ହୋଇଛି। ଏଇ ମର୍ମକଥାକୁ ବୁଝିଛନ୍ତି ବୋଲି ହିଁ ସେ ପ୍ରତିଟି ଶୁଭକାମ ପୂର୍ବରୁ ମା’ଙ୍କ ଆଶୀର୍ବାଦ କାମନା କରିବାକୁ ଆଦୌ ଭୁଲନ୍ତି ନାହିଁ।
ତୃତୀୟ ଦୃଶ୍ୟ। ଡିଗିଡିଗା ଖରା। ନିଆଁ ବର୍ଷୁଛି। ଛାଇ ପାଇଁ ପଶୁପକ୍ଷୀ ବି କାତର। କିନ୍ତୁ ସ୍ବାମୀକୁ ହରାଇଥିବା ବୃଦ୍ଧା ମା’ ଅପେକ୍ଷାରତ ଘରର ଫାଟକ ସାମ୍ନାରେ। ବଡ଼ ପୁଅ ଗେଟ୍‌ ଖୋଲିଲେ ଘରକୁ ଯିବ। ହିସାବ ମୁତାବକ ମାସ ପୂରିଯିବା ପରେ ସାନ ପୁଅ ଆଣି ଛାଡିଦେଇଗଲା ଚୁପ୍‌ଚାପ୍‌ ବଡ଼ପୁଅର ଘର ସାମ୍ନାରେ। ବହୁ ନିବେଦନ ପରେ ବି ବ୍ୟାଙ୍କ ଚାକିରି କରୁଥିବା ବଡ଼ପୁଅ ଖୋଲୁ ନ ଥିଲା ଗେଟ୍‌। ଅସହାୟ ମା’ ଗଡ଼ଉଥିଲା ଲୁହ ଭୋକରେ ଓ କୋହରେ। ବୃଦ୍ଧା ମା’ ଶେଷରେ ଫାଟକ ସାମ୍ନାରେ ବସିଗଲା। ରାସ୍ତାରେ ଯାତାୟାତ ଲୋକଙ୍କ ତର ସହିଲାନି। ମା’ ପ୍ରତି ପୁଅମାନଙ୍କ ଅତ୍ୟାଚାରକୁ ସହି ପାରିଲେନି। ହସ୍ତକ୍ଷେପ କଲେ। ପୋଲିସକୁ ଖବର ଦେଲେ। ଗଣମାଧ୍ୟମ ସହଯୋଗର ହାତ ବଢ଼େଇଲା। ଜେଲଯିବା ଭୟରେ ଅମାନୁଷିକ ପୁଅଙ୍କ ଭିତରେ କଳିର ଆପାତତଃ ଲିଖିତ ସମାଧାନ ହେଲା। ବ୍ୟାଙ୍କ ଚାକିରିଆ ପୁଅ ମା’ର ଭରଣପୋଷଣ ଲାଗି ମାସିକ ଖର୍ଚ୍ଚ ଦେବ। ସାନପୁଅ ମା’ର ଦାୟିତ୍ୱ ନେବ।
ମା’କୁ ନେଇ ଏମିତି ଅନେକ ଦୃଶ୍ୟ ଆଜି ସମାଜରେ। ମା’ର ଅନେକ ରୂପ ଯାହାକୁ ଶବ୍ଦରେ ବାନ୍ଧିରଖିବା ସହଜ ନୁହେଁ। ପିଲା ପାଇଁ ସବୁ କିଛି କରିପାରେ ମା’। ଗର୍ଭଯନ୍ତ୍ରଣା ସହି ଜନ୍ମ ଦେଇଥିବା ମା’ ପୁଅର ଉଜ୍ଜ୍ୱଳ ଭବିଷ୍ୟତ କାମନାପୂର୍ବକ ବାର ଓଷା ତେର ପର୍ବ ପାଳନ କରେ। ଶୀତଳ ପଣତରେ ଘୋଡେଇ ରଖିବା ଲାଗି ଗାଁ ଠାକୁରାଣୀଙ୍କ ନିକଟରେ ଅଧିଆ ପଡେ। ନିଜ ପେଟ କାଟି ପୁଅର ପେଟ ଭରେ। ଘୋଡାମୁହାଁ ପୁଅର ସବୁ ଦୁର୍ଗୁଣକୁ ପଣତ କାନିରେ ଲୁଚାଇ ରଖି ସମାଜରେ ଭଲ ହେବାକୁ ତୁହାଇ ତୁହାଇ ବୁଝାଏ। ପୁଅ ମୁହଁରେ ଚେନାଏ ହସ ଓ ଖୁସି ଲାଗି ସମସ୍ତ ପ୍ରକାର ଉଦ୍ୟମ କରେ। ଅଥଚ ଆଜିର ଅନେକ ପୁଅ ମୁଣ୍ଡକୁ ହାତ ପାଇବା ପରେ ମା’କୁ ଭୁଲିଯାନ୍ତି। ମା’ ପ୍ରତି ଥିବା ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଅଣଦେଖା କରନ୍ତି। ବାସ୍ତବରେ ମା’ ସବୁବେଳେ କ’ଣ ଚାହେଁ? ପୁଅର ସୁଖ, ଉଜ୍ଜ୍ୱଳ ଭବିଷ୍ୟତ, ନିଜ ଆୟୁଷ ନେଇ ପୁଅ ଯେପରି ଚିରଞ୍ଜୀବୀ ହୋଇ ରହେ। ପ୍ରତିବଦଳରେ ପରିଣତ ବୟସରେ ସ୍ବଚ୍ଛନ୍ଦରେ, ସମ୍ମାନରେ ନିଜ ଘରେ ରହିବାର ଅଭୀପ୍ସା। ବାସ୍‌ ଏଇ ସାମାନ୍ୟ ଇଚ୍ଛାକୁ ସମ୍ମାନ ଦେବାରେ ଆମର ଏତେ କାର୍ପଣ୍ୟ! ଏଇକ୍ରମରେ ଯେଉଁଠି ମା’ ନିଜ ପୁଅର ପ୍ରାଣ ଲାଗି ଆକୁଳ ନିବେଦନ କରେ, ବୟସ୍କ ପୁଅ ମୁଣ୍ଡରେ ବି ଆଶୀର୍ବାଦର ହାତ ରଖେ, ସେଇଠି ବି ଦେଖାଯାଏ କୃତଘ୍ନ ଭାବେ ମା’ର ସ୍ନେହଭରା ହୃଦୟକୁ ବିଦାରି ଦେଉଥିବା ବ୍ୟାଙ୍କ ଅଫିସର ଭଳି କୁଳଙ୍ଗାରମାନେ। ତଥାପି ମା’ ସର୍ବକାଳେ ମମତାରେ ଭରା। ଏଇ ମମତାର ଡାକକୁ ପଢ଼ିବାରେ ଓ ବୁଝିବାରେ ସନ୍ତାନଙ୍କର ତ୍ରୁଟି ରହିଯାଉଛି ନିଶ୍ଚିତ। କାରଣ ସବୁ ମା’ର ହୃଦୟ ଏକା ପ୍ରକାରର। କିନ୍ତୁ ବଦଳୁଥିବା ହୃଦୟ ହେଉଛି ପୁଅମାନଙ୍କର!
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡା, ମୋ – ୯୫୫୬୨୮୭୭୭୫, dwitisahu@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri