ମଦରୁ ମୁକ୍ତି କେବେ

ସୁଧିରାଜ ରାଉତ

ଏକ ଘରୋଇ ସ୍କୁଲର ସାଂସ୍କୃତିକ ଉତ୍ସବକୁ ଅତିଥି ହୋଇ ଯାଇଥାଏ। କାର୍ଯ୍ୟକ୍ରମ ଆରମ୍ଭ ହୋଇ ନ ଥାଏ। ଦୁଇଟି ଶିଶୁ ଖୁବ୍‌ ଦୁଷ୍ଟାମି କରୁଥାନ୍ତି। ସମସ୍ତଙ୍କ ବାରଣ ସତ୍ତ୍ୱେ ଦୌଡ଼ାଦୌଡ଼ିରେ ମାତିଥାନ୍ତି। ସେ ଦୁହିଁଙ୍କୁ ନିକଟକୁ ଡାକି କହିଲି, ତୁମେ ଦୁହେଁ ଘନିଷ୍ଠ ବନ୍ଧୁ। ବହୁଦିନ ପରେ ହଠାତ୍‌ ମିଶୁଛ। ବର୍ତ୍ତମାନ ମଞ୍ଚରେ କେହି ନାହାନ୍ତି। ସେଠାକୁ ଯାଇ ଅଭିନୟରେ ଏହା ଦେଖାଅ। ଦୁହେଁ ମଞ୍ଚକୁ ଯିବା ପାଇଁ ଦୁଇ ଭିନ୍ନ ଭିନ୍ନ ରାସ୍ତା ଦେଇ ପ୍ରବେଶ କଲେ ଏବଂ ଦୁହେଁ ଦୁହିଁଙ୍କୁ ଦେଖି ଖୁସିହେବାର ଅଭିନୟ ସହ ପରସ୍ପରକୁ କୋଳାଗ୍ରତ କରିବା ଦକ୍ଷ ଅଭିନେତାଙ୍କ ଅଭିନୟ ଭଳି ଲାଗୁଥିଲା। ଏହାପରେ ସେଇ ଦେବଶିଶୁଦ୍ୱୟ ମଞ୍ଚର ଏକ ପାର୍ଶ୍ୱକୁ ଚାଲିଯାଇ ବସିପଡ଼ି ବୋତଲ ଫିଟାଇ ମଦ ପିଇବାର ଅଭିନୟ କରିବା ଏବଂ ଏହାପରେ ନାତଗୋଇଠା ମରାମରି ହେବା ସହ ଦେଖଣାହାରୀଙ୍କ କରତାଳି ମୋତେ ସ୍ଥାଣୁ କରିଦେଇଥିଲା। ବଲବଲ ହୋଇ ସଭିଙ୍କୁ ଚାହିଁଲି। ସମସ୍ତେ ହସୁଥିଲେ। ସେଦିନ ରାତି ତମାମ ଶିଶୁ ଦୁଇଙ୍କର ସରଳ ଆଖି ମୋତେ ଶୁଆଇ ଦେଲାନାହିଁ। ଦୁଇ ଦେବଶିଶୁ ମନେହେଉଥିଲା ଦୁଇ ଦେବଦୂତ ହୋଇ ଆମ ସଭିଙ୍କୁ ଆଙ୍ଗୁଠି ଦେଖାଇ କହି ଦେଉଥିଲେ ଏ ଜାତିର, ଏ ଯୁବମାନସର, ଏ ସଭ୍ୟତାର ଗତି କୁଆଡ଼େ।
ଭୋ ଭୋ କାନ୍ଦିବାକୁ ଇଚ୍ଛା ହେଉଥିଲା, ପାଟି ଚିଲାଇ ମୋ ସହରର ସବୁଙ୍କୁ ଉଠାଇ ଦେବାକୁ ଇଚ୍ଛା ହେଉଥିଲା କିନ୍ତୁ କାହାକୁ କହିବି, କିଏ ଏଠି ଶୁଣିବ? ଏଠି ତ ଆଜି ରାଜାରୁ ପ୍ରଜାଯାଏ ମଦ ମାହାତ୍ମ୍ୟ ଗାନ କରୁଛନ୍ତି। ମଦକୁ ଆମ ଅର୍ଥନୀତିର ମେରୁଦଣ୍ଡ ମଣୁଛନ୍ତି। ଆଜି ଦେଶର ବହୁରାଜ୍ୟରେ ମଦ ବନ୍ଦ ହେବା ସତ୍ତ୍ୱେ ଓଡ଼ିଶାରେ କାହିଁକି ମଦର ବନ୍ୟା ଚାଲିଛି, ଉତ୍ତର କିଏ ଦେବ? ଏ ଦରିଦ୍ର ମାଟିରେ ବହୁ ଅର୍ଥ ମଦକୁ ଅର୍ଘ୍ୟରୂପେ କାହିଁକି ଅର୍ପଣ ହେଉଛି ଏହାର ଉତ୍ତର ଏ ମାଟିର ଜନମାନସ, ବୁଦ୍ଧିଜୀବୀ, ଶାସକ କେବେ ଖୋଜିବେ? ଏଇ କେତେ ସପ୍ତାହ ମଧ୍ୟରେ ମୋ କୁନି ସହରରେ ଯାହା ଘଟିଗଲା ତାହା ଏଇଭଳି- ରାତ୍ରି ବାରଟା ପରେ ଜଣେ ଲୋକ ଡାକ୍ତରଙ୍କ ଘରକୁ ରୋଗୀ ହୋଇ ଯାଇ ଛୁରି ଦେଖାଇ ସବୁ ସୁନା ଟଙ୍କା ଲୁଟି ନେଲା। ଜଣେ କଅଁଳ ଯୁବକ ଗଛରେ ଗାଡ଼ି ବାଡ଼େଇ ମରିଗଲା। ଆଉ ଏ ଶାନ୍ତ ଜାଗାରେ ଦିନ ଦି’ପହରେ ଖଣ୍ଡାକାତି ବୁଲିଲା। ଏ ଘଟଣାସବୁର ନାୟକ ଖଳନାୟକ ସମସ୍ତେ ଆକଣ୍ଠ ମଦ୍ୟପାନ କରିଥିଲେ।
କେବଳ ମୋ କୁନି ସହର ନୁହେଁ ଦଶହରା ଛୁଟିରେ ବହୁବର୍ଷ ପରେ ଗାଁକୁ ଯାଇଥିଲି, ଅନେକ ବାଲ୍ୟବନ୍ଧୁ ସହପାଠୀଙ୍କ ସହ ଦେଖାହେଲା। ବନ୍ଧୁମାନେ ମୋତେ ଠାକୁରାଣୀ ମନ୍ଦିର ପଛ ତୋଟାକୁ ଡାକିନେଇ ବୋତଲ ଖୋଲି ବଢ଼ାଇ ଦେଲେ। କହିଲି କେବେ ପିଇନାହିଁ। ଜଣେ ବନ୍ଧୁ ଅଭିଯୋଗ ସ୍ବରରେ କହିଲା- ”ଆମକୁ କ’ଣ ମଦୁଆ ଭାବିଲୁ?“ ଆଉ ଜଣେ ବନ୍ଧୁ କହିଲା ”ମଦ ଦୁଇ ଢୋକ ହଜମ କରିପାରୁନୁ, କି ମରଦ? ମାଇଚିଆଟା।“ ଆଉ ଜଣେ ପୁରାଣପଣ୍ଡିତ ଭଳି କହିଲା, ”ପୁରାଣରେ ଯେଉଁ ସୋମରସ ଦେବତାମାନେ ପାନ କରୁଥିଲେ, ତାହା ଆଉ କ’ଣ କି?“ ତିନିଦିନ ଗାଁରେ ରହିଲି। ମୋ ବୟସରୁ କମ୍‌ ଏଭଳି ଜଣେ ଯୁବକ ଦେଖିଲି ନାହିଁ ଯିଏ ମଦ ପିଏ ନାହିଁ। ଆଜି ସବୁ ଗାଁର ସବୁ କଲର୍ଭଟ, ତୋଟା, ନଈପଠା ମଦ ବୋତଲରେ ଭର୍ତ୍ତି, ଯେଉଁ ଗାଁରେ ଦିନେ ସପ୍ତମ ଶ୍ରେଣୀ ପଢ଼ିବା ଯାଏ ଗୋଟିଏ ମଦ୍ୟପ ଦେଖି ନ ଥିଲି। ଏହାପରେ ବାପାଙ୍କ ସହ ସହର ଚାଲିଗଲି। ଆଜି କେଇ ଦଶନ୍ଧି ମଧ୍ୟରେ ସେ ଗାଁର ହେଲା କ’ଣ? ଆଜି ତମାମ ଦେଶରେ ଯେଉଁ ହୃଦୟବିଦାରକ ଘଟଣାସବୁ ଘଟୁଛି, ଏ ଦେବଭୂମିରେ ମାନବ ନୁହେଁ ଦାନବ ମଧ୍ୟ ଲଜ୍ଜିତ ହେବେ। ଆଜି ଏ ଦେବଭୂମିରେ ବିବେକ ଓ ଆତ୍ମାକୁ ମାରି ମଦପିଶାଚର ଜୟଗାନ ଚାଲିଛି।
ପୁରାଣରେ ବର୍ଣ୍ଣନା ଅଛି କଳି ଯେବେ ପୃଥିବୀକୁ ପ୍ରବେଶ କଲା ମହାରାଜା ପରିକ୍ଷିତ ତାକୁ ବଧ କରିବାକୁ ବାହାରନ୍ତେ ସେ ପାଦତଳେ ପଡ଼ି ଅନୁନୟ ବିନୟ କଲା। ସେତେବେଳେ ରାଜା ତାକୁ ରହିବାକୁ ଯେଉଁ ତିନୋଟି ସ୍ଥାନ ଦେଲେ ସେଥି ମଧ୍ୟରୁ ପ୍ରଥମ ସ୍ଥାନ ମଦ। ମୋ ରାଜ୍ୟର ମଦବନ୍ୟା ମୋତେ କହୁଛି କଳି ତା’ କାଳପଞ୍ଝାରେ କଷିକି ଧରିଛି ଓଡ଼ିଶାକୁ। ଏଠି ମଦ ବିରୋଧରେ ସବୁ ଆନ୍ଦୋଳନ, ସବୁ ଧର୍ମଘଟ, ସବୁ ଗୁହାରି ପ୍ରାର୍ଥନା ଫସର ଫାଟିଛି। ଓଡ଼ିଶା ସରକାରଙ୍କ ଏସବୁ ବିରୋଧ, ଗୁହାରି ପ୍ରତି ସାମାନ୍ୟ ନିଘା ନାହିଁ। ଅର୍ଥ ବିଶାରଦ ଏଠି ବଖାଣୁଛନ୍ତି- ମଦରୁ ଓଡ଼ିଶାର ରାଜସ୍ବ ଆୟ ଅଧିକ। ଏହି ଆୟ ବିନା ଏ ଗରିବ ରାଜ୍ୟ ଚାଲିପାରିବ ନାହିଁ। ଯେଉଁ ରାଜ୍ୟର ମାଟି ତଳେ ଭରି ହୋଇ ରହିଛି କୁବେର ଭଣ୍ଡାର, ମାଟି ଉପରେ ସୁନା ଫଳାଇବା ଭଳି ଉର୍ବର ଜମି, ବିଶାଳ ସମ୍ଭାବନାର ସମୁଦ୍ରତଟ, ପର୍ଯ୍ୟଟନର ଅମାପ ସୁଯୋଗ, ସେଠି ମଦ ହିଁ ଅର୍ଥନୀତିର ମେରୁଦଣ୍ଡ ହୋଇ କେମିତି ଅଛି? ବିହାର, କେରଳ ଆମଠାରୁ ମଦରେ ବହୁ ଅଧିକ ଆୟ କରୁଥିବା ସତ୍ତ୍ୱେ ଏବଂ ସେମାନଙ୍କର ଆମଭଳି ବିକଳ୍ପ ସାଧନ କମ୍‌ ଥିବା ସତ୍ତ୍ୱେ ସେମାନେ ଯଦି ନିଜ ରାଜ୍ୟରୁ ମଦ ନିଷେଧ କରି ପାରିଲେ ଏ ପୌରାଣିକ ମହାଜାତି କାହିଁକି ଏହା କରିପାରିବ ନାହିଁ?
ସରକାର ଏଠି ଯୋଜନା ପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ଦରିଦ୍ର ରାକ୍ଷସ ଏଠି ରାଜା ହୋଇ ରହିଛି, ଶିଶୁଟିଏ କହିଥିବା କାହାଣୀ ମନେପଡ଼ୁଛି- ଜଣେ ରାକ୍ଷସ ଥିଲା। ତାକୁ ପ୍ରସନ୍ନ କଲାରୁ ଯାହା କହିଲେ ସେ ଶୁଣିଲା। ହିଂସା ଛାଡ଼ିଦେ- ଆଜ୍ଞା ହଁ କହିଲା, ଲୋଭ ଛାଡ଼ିଦେ- ହଁ କହିଲା, ମିଛ ଛାଡ଼ିଦେ- ହଁ କହିଲା। କିନ୍ତୁ ମଦ ଛାଡ଼ିଦେ କହିବାରୁ କହିଲା- ମଦ ଛାଡ଼ିଦେଲେ ମୁଁ କ’ଣ ଆଉ ରାକ୍ଷସ ହୋଇ ରହିପାରିବି? ହିଂସା, କ୍ରୋଧ, ରାଗସବୁ ଛାଡ଼ିଥିଲେ ବି ମଦ ଟିକେ ପିଇଲେ ସବୁ ମୋ ପାଖକୁ ପୁଣି ଫେରି ଆସିବ। ମୋତେ ଲାଗୁଛି ଏ କାହାଣୀର ରାକ୍ଷସ ଭଳି ଓଡ଼ିଶାକୁ କବଳିତ କରିଥିବା ଦରିଦ୍ର ରାକ୍ଷସ କହୁଛି- ଯାହା ଯୋଜନା କରୁଛ କର ମୋର ମନା ନାହିଁ। ମଦ ଥିବା ଯାଏ ମୁଁ ଦରିଦ୍ର ରାକ୍ଷସ ଏ ସୁଜଳା ସୁଫଳା ଉତ୍କଳର ଅଧୀଶ୍ୱର ହୋଇ ରହିଥିବି। ଏକ ଆକଳନ କହେ କାଳିଆ ଯୋଜନା ଯେବେ ମିଳିଲା ସେହି ଦିନମାନଙ୍କରେ ସବୁଠାରୁ ଅଧିକ ମଦ ବିକ୍ରି ହୋଇଛି , ଏମିତି ସବୁ ଯୋଜନା ଏଠି ଫସର ଫାଟିଛି ଆଉ ମଦ ଏ ପବିତ୍ର ଭୂଇଁକୁ ପୌରୁଷହୀନ, ପ୍ରଗତିହୀନ ପଶୁ-ମଣିଷର ଚରାଭୂଇଁ କରିଛି।
ବିହାରରେ ଯେବେ ମଦ ଉପରେ କଟକଣା ଲାଗୁ ହେଲା ସେଠି ରହୁଥିବା ଜଣେ ବାନ୍ଧବୀ ଫୋନରେ ପ୍ରଶ୍ନ କଲା, ”ଓଡ଼ିଶାରେ ଏହା କେବେ ହେବ ଭାଇ?“ ବାନ୍ଧବୀର ଏ ପ୍ରଶ୍ନରେ ଲଜ୍ଜିତ ହୋଇ କିଛି ସମୟ ନୀରବ ରହି କାହାଣୀଟିଏ କହିଲି- ”ରାଜା ନିଜ ଇଷ୍ଟଦେବୀଙ୍କ ପାଖେ ବଳିଭୋଗ ନ ଚଢ଼ାଇବା ଯାଏ କିଛି ବି ଖାଉ ନ ଥିଲେ ଆଉ ପ୍ରତିଦିନ ଡଉଲ ଡାଉଲ କେତୋଟି ଖାସି ଇଷ୍ଟଦେବୀ ବଳି ରୂପେ ପାଉଥିଲେ। ବଳିକୁ ବିରୋଧ କରି କିଛି ସାଧୁସନ୍ଥ ରାଜାଙ୍କୁ ବଳି ବନ୍ଦ କରିବାକୁ ପ୍ରାର୍ଥନା କରୁଥିଲେ। କିନ୍ତୁ ରାଜାଙ୍କର ଏ ଆବେଦନ ପ୍ରତି ସାମାନ୍ୟ କର୍ଣ୍ଣପାତ ନ ଥିଲା। କିଛିବର୍ଷ ଅନ୍ତେ ରାଜାଙ୍କ ଦାନ୍ତ ସବୁ ଝଡ଼ିଗଲା ଆଉ ଖାଇ ହେଲାନି ବଳିଭୋଗ ରୂପୀ ମାଂସ ତରକାରୀ। ଏବେ ରାଜାଙ୍କୁ ଏହା ପ୍ରତୀତ ହେଲା ଯେ ବଳିପ୍ରଥା ଏକ ଘୃଣ୍ୟ ଓ ଅସଭ୍ୟ ପ୍ରଥା। ସେ ଘୋଷଣା କଲେ ମୋ ରାଜ୍ୟରେ ବଳିପ୍ରଥା ବନ୍ଦ ହେଲା। ମୋ ରାଜ୍ୟର ରାଜାମାନେ ତ ଏବେ ସକାଳୁ ମଦରେ ମୁହଁ ପଖାଳୁଛନ୍ତି। କେବେ ସେମାନଙ୍କ ମଦଦାନ୍ତ ଝଡିବ, ଯକୃତରୋଗରେ ପୀଡ଼ିତ ହେବା ପରେ ଡାକ୍ତରଙ୍କ ପରାମର୍ଶରେ ମଦ ସେମାନଙ୍କୁ ଅରୁଚି ଲାଗିବ ଏହା ଏ ମାଟିର ଠାକୁର ଜଗନ୍ନାଥ ହିଁ ଜାଣନ୍ତି। ସେତେ ଦିନ ଆମ ସଭିଙ୍କୁ ଅପେକ୍ଷା କରିବାକୁ ହେବ।
ଇନ୍ଦ୍ରାବତୀ, ନବରଙ୍ଗପୁର, ମୋ – ୯୮୬୧୯୬୯୬୭୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri