ଭାଜପାର ଉତ୍ଥାନ

ଆକାର ପଟେଲ

ଶୁକ୍ରବାର ଏନ୍‌ଡିଏ ୧୦୦ଟି ରାଜ୍ୟସଭା ଆସନ ଅତିକ୍ରମ କରି ଭାଜପାକୁ ଏହାର ୪୦ତମ ବର୍ଷରେ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ଭାବରେ ଆହୁରି ଦୃଢ଼ କରିପାରିଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ଜନ୍ମ ଏପ୍ରିଲ, ୧୯୮୦ରେ ହୋଇଥିଲା। ଏକଚ୍ଛତ୍ରବାଦୀ ଇନ୍ଦିରା ଗାନ୍ଧୀଙ୍କ ମୁକାବିଲା ପାଇଁ ଏହାର ତିନିବର୍ଷ ପୂର୍ବରୁ ମିଳିତ ବିରୋଧୀ ଦଳ ଭାବେ ଗଠିତ ଜନତା ପାର୍ଟିରୁ ବହିଷ୍କୃତ ହେବା ପରେ ସେହି ସଦସ୍ୟମାନଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟି ଗଠିତ ହୋଇଥିଲା। ଜନତା ପାର୍ଟିର ଅନ୍ୟତମ ସହଯୋଗୀ ଥିଲା ୧୯୫୧ରେ ଗଠିତ ଭାରତୀୟ ଜନସଂଘ। ଏହାର ନିଜସ୍ବ ରେକର୍ଡ ଅନୁଯାୟୀ ତିନିଟି ଘଟଣାର ଫଳସ୍ବରୂପ ଜନସଂଘ ସୃଷ୍ଟି ହୋଇଥିଲା। ପ୍ରଥମେ ଡିସେମ୍ବର ୧୯୫୦ରେ ବଲ୍ଲଭଭାଇ ପଟେଲଙ୍କ ମୃତ୍ୟୁ, ଦ୍ୱିତୀୟରେ ସେହି ବର୍ଷ ନେହେରୁ ସରକାରରୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଇସ୍ତଫା ଏବଂ ୧୯୫୦ ମସିହାରେ ନିର୍ବାଚନ ଓ ତତ୍‌ସହ ପି.ଡି. ଟଣ୍ଡନଙ୍କୁ କଂଗ୍ରେସ ସଭାପତି ପଦରୁ ଜୋରକରି ବାହାର କରିଦେବା। ନେହେରୁଙ୍କ ଧର୍ମନିରପେକ୍ଷତାକୁ ବିରୋଧ କରୁଥିବା ଟଣ୍ଡନଙ୍କୁ ହିନ୍ଦୁ ରକ୍ଷଣଶୀଳ ଭାବରେ ଦେଖାଯାଉଥିଲା ଏବଂ ପଟେଲଙ୍କ ମୃତ୍ୟୁ ପରେ ନେହେରୁ ଟଣ୍ଡନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ।
ଆଉ ଏକ ଘଟଣା, ଯାହାକୁ ଜନସଂଘର ଗଠନ ପାଇଁ ଅନ୍ୟତମ କାରଣ ଭାବେ ବିବେଚନା କରାଯାଏ, ତାହା ହେଉଛି ୧୯୪୮ରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଉପରେ ନିଷେଧାଜ୍ଞା ଜାରି ଏବଂ ଏହାର ନେତା ଏମ୍‌.ଏସ୍‌. ଗୋଲ୍‌ୱାଲ୍‌କରଙ୍କୁ ଗିରଫ କରାଯିବା। ଆର୍‌ଏସ୍‌ଏସ୍‌ ଏକ ରାଜନୈତିକ ସଂଗଠନ ଭାବରେ ପଞ୍ଜୀକୃତ ହୋଇ ନ ଥିଲା ଏବଂ ଏହା ଉପରେ ଜାରି ନିଷେଧାଜ୍ଞାକୁ ୧୯୪୯ରେ ହଟାଇ ଦିଆଯାଇଥିଲା। ସର୍ତ୍ତ ଥିଲା ଆର୍‌ଏସ୍‌ଏସ୍‌ ନିଜର ଏକ ସମ୍ବିଧାନ ତିଆରି କରିବ ଏବଂ ଏହି ସର୍ତ୍ତକୁ ସଂଘ ଗ୍ରହଣ କରିଥିଲା। ଏହି ସମୟରେ ଆର୍‌ଏସ୍‌ଏସ୍‌ କାହିଁକି ରାଜନୀତିରେ ଭାଗ ନେବା ଉଚିତ ସେ ନେଇ ଆର୍‌ଏସ୍‌ଏସ୍‌ ଭିତରେ ଅନେକ ଯୁକ୍ତି ଚାଲିଲା ଏବଂ ଏହାର ମୁଖପତ୍ର ‘ଦି ଅର୍ଗାନାଇଜର୍‌’ରେ ଅନେକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଶେଷରେ ଗୋଲ୍‌ୱାଲ୍‌କର ଏକ ସମାଧାନ ଦେଲେ ଯେ, ଆର୍‌ଏସ୍‌ଏସ୍‌କୁ ନିଜେ ଏକ ରାଜନୈତିକ ଦଳ ଭାବେ ନ ଗଢ଼ି ବରଂ ଏହାର ସଦସ୍ୟମାନଙ୍କୁ ଏକ ରାଜନୈତିକ ଦଳ ଗଠନ କରିବାକୁ ଅନୁମତି ଦିଆଯାଉ।
ସେମାନେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସହ ଯୋଗଦେଲେ, ଯିଏକି ପୂର୍ବରୁ ହିନ୍ଦୁ ମହାସଭାର ମୁଖ୍ୟ ଥିଲେ ଏବଂ ଭାରତୀୟ ଜନସଂଘ ମୁଖାର୍ଜୀଙ୍କ ନେତୃତ୍ୱରେ ଗଢ଼ାହେଲା। ଗୋଲ୍‌ୱାଲ୍‌କର ଆର୍‌ଏସ୍‌ଏସ୍‌ର ଉତ୍ତରପ୍ରଦେଶ ପ୍ରଚାରକ ଦୀନ ଦୟାଲ ଉପାଧ୍ୟାୟଙ୍କ ସମେତ ତାଙ୍କର କିଛି ଲୋକଙ୍କୁ ଜନସଂଘରେ ଯୋଗଦେବାକୁ କହିଲେ। ତା’ପରେ ଦି ଅର୍ଗାନାଇଜର ପାଇଁ ଚଳଚ୍ଚିତ୍ର ସମୀକ୍ଷା ଲେଖୁଥିବା ଅଟଳବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କୁ ମଧ୍ୟ ଯୋଗଦେବାକୁ କୁହାଯାଇଥିଲା। ସେତେବେଳକୁ ଆର୍‌ଏସ୍‌ଏସ୍‌ ୨୫ ବର୍ଷର ପୁରୁଣା ହେବା ସହ ନାଗପୁର ବାହାରେ ବି ବିସ୍ତାର ଲାଭ କରିଥିଲା। ଏହା ଜନସଂଘର ମୂଳଦୁଆକୁ ସୁଦୃଢ଼ କରିବା ସହ ବିଭିନ୍ନ ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିବାରେ ସହାୟକ ହୋଇଥିଲା। ୧୯୫୩ରେ ମୁଖାର୍ଜୀଙ୍କ ମୃତ୍ୟୁ ପରେ ଦଳକୁ ଆର୍‌ଏସ୍‌ଏସ୍‌ ନିଜ ନିୟନ୍ତ୍ରଣକୁ ଆଣିଥିଲା।
ଭାରତର ପ୍ରଥମ ନିର୍ବାଚନଗୁଡ଼ିକରେ ଜନସଂଘ ମାତ୍ର ଅଳ୍ପ କିଛି ଆସନ ଜିତିଥିଲା ଏବଂ ୧୯୭୦ ଦଶକ ପର୍ଯ୍ୟନ୍ତ ଏମିତି ଚାଲିଥିଲା, ଯେତେବେଳେ ବାଜପେୟୀଙ୍କ ଅଧୀନରେ ଏହା ଅନ୍ୟ ବିରୋଧୀ ଦଳ ସହିତ ଜନତା ପାର୍ଟିରେ ମିଶିଥିଲା। ଯେତେବେଳେ ଜନତା ପାର୍ଟିରୁ ସଂଘର ସଦସ୍ୟମାନଙ୍କୁ ବହିଷ୍କାର କରାଗଲା ଏବଂ ୧୯୮୦ରେ ଏକ ନୂତନ ଦଳ ଗଠନ କରିବାକୁ ପଡ଼ିଲା, ସେତେବେଳେ ବାଜପେୟୀ ଏହାର ନାମ ଭାରତୀୟ ଜନସଂଘ ରଖିବାକୁ ରାଜି ହେଲେ ନାହିଁ। ସେ ନୂତନ ଦଳର ନାମ ଦେଲେ ଭାରତୀୟ ଜନତା ପାର୍ଟି (ଭାଜପା)। ଦଳର ନାମ ପରିବର୍ତ୍ତନ ସହିତ ଆଉ ଗୋଟିଏ ନିୟମ କରାଗଲା ଯେ ଅଣ-ଆର୍‌ଏସ୍‌ଏସ୍‌ ବ୍ୟକ୍ତିଙ୍କୁ ବି ଦଳର ସଦସ୍ୟ ଭାବେ ଗ୍ରହଣ କରାଯିବ। ଦ୍ୱିତୀୟରେ, ଜନସଂଘଠାରୁ ଭାଜପାର ସମ୍ବିଧାନ ଭିନ୍ନ ହେବ ଏବଂ ଏହା ଭାରତର ଧର୍ମନିରପେକ୍ଷତା ଓ ସମାଜବାଦ ପ୍ରତି ପ୍ରତିବଦ୍ଧ ରହିବ।
ଏହି ଦଳ ମଧ୍ୟ ୧୯୮୪ ନିର୍ବାଚନରେ ଭଲ ପ୍ରଦର୍ଶନ କରି ନ ଥିଲା ଏବଂ କେବଳ ୨ଟି ଆସନ ଜିତିଥିଲା, ଯେଉଁଥିରେ ରାଜୀବ ଗାନ୍ଧୀଙ୍କ ଅଧୀନରେ କଂଗ୍ରେସ ବିପୁଳ ବିଜୟ ଲାଭ କରିଥିଲା। ଯାହା ଦଳର ଭାଗ୍ୟ ବଦଳାଇ ଦେଇଥିଲା, ତାହା ହେଉଛି ବାବ୍ରି ମସ୍‌ଜିଦରେ ଯେଉଁଠାରେ ଡିସେମ୍ବର ୧୯୪୯ରେ ରାମ ଓ ସୀତାଙ୍କର ଦୁଇଟି ମୂର୍ତ୍ତି ରଖାଯାଇଥିଲା, ସେଠାରେ ପ୍ରାର୍ଥନା କରିବାକୁ ଅନୁମତି ଦେବା ନିମନ୍ତେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆରମ୍ଭ ହୋଇଥିବା ଆନ୍ଦୋଳନ। ଧର୍ମନିରପେକ୍ଷତାର ପ୍ରତିବଦ୍ଧତାକୁ ଅଣଦେଖା କରାଯାଇ ନୂତନ ସଭାପତି ଆଡ୍‌ଭାନୀଙ୍କ ଅଧୀନରେ ଦଳ ବିଶ୍ୱହିନ୍ଦୁ ପରିଷଦର ଦାବିକୁ ଗ୍ରହଣ କରିଥିଲା, ଯଦିଓ ଅଯୋଧ୍ୟା ଜନସଂଘର ବା ସେପର୍ଯ୍ୟନ୍ତ ଭାଜପାର କାର୍ଯ୍ୟସୂଚୀ ଭିତରେ ନ ଥିଲା।
ଅଯୋଧ୍ୟା ବାବଦରେ ନିଷ୍ପତ୍ତି ନେଇ ଆଡ୍‌ଭାନୀ ଆର୍‌ଏସ୍‌ଏସ୍‌ର ଲକ୍ଷ୍ୟ ପୂରଣରେ ତଥା ଭାଜପାକୁ ସଫଳତା ଦେବାରେ ସାହାଯ୍ୟ କରିଥିଲେ ଏବଂ ୧୯୮୯ରେ ଭାଜପା ୮୫ଟି ଆସନ ଜିତିଥିଲା। ସେମାନେ ଜନତା ଦଳ ନାମକ ଅନ୍ୟ ଏକ ମିଳିତ ମଞ୍ଚରେ ସାମିଲ ହୋଇଥିଲେ କିନ୍ତୁ ଏଥର ଏହାକୁ ବାହାରୁ ସମର୍ଥନ କରିଥିଲେ। ଯେତେବେଳେ ସରକାର ଭୁଶୁଡ଼ି ପଡ଼ିଲା, ଆଡଭାନୀ ପୁଣି ବାବ୍ରି ପ୍ରସଙ୍ଗକୁ ଫେରିଥିଲେ ଏବଂ ଶେଷରେ ଡିସେମ୍ବର ୧୯୯୨ରେ ବିକ୍ଷୁବ୍ଧ ଜନତା ଏହାକୁ ଭାଙ୍ଗି ଦେଇଥିଲେ। ଏହାପରେ ହୋଇଥିବା ଦଙ୍ଗାରେ ୨୦୦୦ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା। ବାବ୍ରି ଭଙ୍ଗା ଓ ହିଂସା ପରେ ଦଳ ଏହାର ଲୋକପ୍ରିୟତାକୁ ଆହୁରି ବଢ଼ାଇ ଦେଇଥିଲା ଏବଂ ବାଜପେୟୀଙ୍କ ଅଧୀନରେ ୧୯୯୮ ନିର୍ବାଚନରେ ଏହା ଦୁଇଗୁଣ ବୃଦ୍ଧି ପାଇ ୧୮୨ଟି ଆସନ ପାଇଥିଲା। ୧୯୯୯ରେ ହୋଇଥିବା ପରବର୍ତ୍ତୀ ନିର୍ବାଚନରେ ଏହା ୧୮୦ରେ ଅଟକି ରହିଲା ଏବଂ ୨୦୦୪ରେ ୧୩୮କୁ ଖସିଗଲା।
କ୍ଷମତାରେ ଥିବାବେଳେ ଭାଜପା ଏହାର ଅଯୋଧ୍ୟା ଏବଂ ମୁସଲମାନ ବିରୋଧୀ ଆଭିମୁଖ୍ୟଠାରୁ ସବୁବେଳେ ଦୂରରେ ରହିଆସିଛି। ୨୦୦୨ରେ ଗୁଜରାଟରେ ହୋଇଥିବା ଦଙ୍ଗା ପରେ ବାଜପେୟୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ଦଳରେ ପ୍ରମୁଖତା ମିଳିଲା। ଭାଜପା ଧର୍ମନିରପେକ୍ଷତା ପ୍ରତିବଦ୍ଧତାରୁ ଦୂରେଇ ଯିବା ପରେ ଅଧିକ ସଫଳତା ପାଇଲା ଏବଂ ୨୦୧୯ରେ ମୋଦିଙ୍କ ନେତୃତ୍ୱରେ ଏହା ୩୦୦ରୁ ଅଧିକ ଆସନ ଜିତିଲା। ଦଳର କାହାଣୀ ଅତ୍ୟନ୍ତ ଜଟିଳ, କିନ୍ତୁ କେତେକ ଦିଗରୁ ଖୁବ୍‌ ସରଳ। ଯେଉଁ କାହାଣୀ ମୁଖାର୍ଜୀଙ୍କ ଦ୍ୱାରା ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିଲା, ତାହା ପୁଣି ସେହି ରାଜ୍ୟକୁ ଖୁବ୍‌ଶୀଘ୍ର ଫେରିବାକୁ ଯାଉଛି।

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଧନୀଙ୍କ ଘୃଣ୍ୟ ଚେହେରା

ଡ. ସନ୍ତୋଷ କୁମାର ମହାପାତ୍ର ଧନୀ ହେବା, ଅର୍ଥ ଅର୍ଜନ କରିବା ଓ ସମ୍ପଦ ବୃଦ୍ଧି କରିବା କିଛି ଭୁଲ୍‌ ନୁହେଁ। ଅର୍ଥ ଓ ସମ୍ପଦ...

ପ୍ରଦୂଷଣର ଭିନ୍ନ ଦିଗ

ମାନେକା ଗାନ୍ଧୀ ଭାରତ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରଦୂଷଣ ମାନକ ଆଧାରରେ ସମସ୍ତ ଶିଳ୍ପର ବର୍ଗୀକରଣ କରାଯାଇଛି। ମାଟି, ପାଣି, ପବନ ଏବଂ...

ସମ୍ପାଦକୀୟ/ କିଏ ବଞ୍ଚାଇବ

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପର୍ଯ୍ୟସ୍ତ ହେବାରେ ଲାଗିଛି, ତାହା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଅପରାଧରୁ ଦେଖିବାକୁ ମିଳୁଛି। ନିକଟରେ କଳାହାଣ୍ଡି...

ଓଡ଼ିଆ ଅସ୍ମିତାର ପ୍ରଶ୍ନ

ଅମାତ୍ୟ କୁମାର ପ୍ରଧାନ ଡିସେମ୍ବର ତୃତୀୟ ସପ୍ତାହରେ ଓଡ଼ିଆ ଅସ୍ମିତାର ବିଭିନ୍ନ ବିଷୟ ଉପରେ ଯେଉଁସବୁ ପ୍ରସଙ୍ଗ ଉତ୍ଥାପନ କରାଯାଇଛି ତାହା ଯେ କୌଣସି ସଚେତନ...

ଏଇ ଭାରତରେ

ଆଭିଏଶନ କ୍ୟାରିୟର ଛାଡ଼ି ବଳାତ୍କାର ପୀଡ଼ିତାଙ୍କ ପାଇଁ ନ୍ୟାୟିକ ଲଢ଼େଇ କରୁଛନ୍ତି ଦିଲ୍ଲୀର ଯୋଗିତା ଭାୟାନା। ସେ ବିପର୍ଯ୍ୟୟ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା...

ଏଇ ଭାରତରେ

ଛତିଶଗଡ଼ ରାଜ୍ୟ ଗଠନ ହେବାର ୨୦ ବର୍ଷ ପରେ ୧୦ଟି ଗାଁରେ ପ୍ରଥମ ଥର ପାଇଁ ମତଦାନ ହେବା ଘଟଣା ସାମ୍‌ନାକୁ ଆସିଛି। ଦାନ୍ତଓ୍ବୋଡା ଜିଲା...

ଆଧୁନିକ ଯୁଦ୍ଧ

ଆକାର ପଟେଲ ସକାଳେ ଖବରକାଗଜ ପଢ଼ୁ ପଢ଼ୁ ଗୋଟିଏ ଖବର ଉପରେ ନଜର ଅଟକି ରହିଗଲା। ଏଥିରେ ଲେଖାଥିଲା ଯେ ଭାରତୀୟ ବାୟୁ ସେନା ଚାହୁଁଛି...

କାହାର ମଙ୍ଗଳ

ତଥାଗତ ସତପଥୀ ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିବାରୁ ବିଭିନ୍ନ ସର୍ଭେ ସଂସ୍ଥା ଆର୍ଥିକ ବ୍ୟାପାର ସହ ଜଡ଼ିତ ବିଷୟ ଉପରେ ଅନୁଶୀଳନ କରିବାରେ ଲାଗିଛନ୍ତି।...

Advertisement
Archives

Model This Week