ଭବିଷ୍ୟତ କହିବ

ଚାଇନାର ଉହାନ୍‌ରୁ କରୋନା ଭାଇରସ୍‌ ବାହାରିଥିଲା। ହେଲେ ଏହି ଭୂତାଣୁ ଏବେ ବିଶ୍ୱର ପ୍ରାୟ ସବୁ ଦେଶକୁ ଗ୍ରାସ କରିସାରିଛି। ଏପରିକି ଚାଇନା ରାଜଧାନୀ ବେଜିଂରେ ପୁନର୍ବାର ମୁଣ୍ଡ ଟେକିବାର ଖବର ମିଳିଛି। ଅବଶ୍ୟ ଚାଇନାରୁ ବାହାରୁଥିବା କୌଣସି ଖବର ବିଶ୍ୱାସଯୋଗ୍ୟ ହୋଇପାରୁ ନାହିଁ। କିଛି ମାସ ପାଇଁ ଉହାନ୍‌ରେ କଠୋର ନିୟମ ଲାଗୁ କରାଯିବା ପରେ ଚାଇନା ବାହୁବଳ ବ୍ୟବହାର କରି ଏହାକୁ ନିୟନ୍ତ୍ରଣ ମଧ୍ୟରେ ରଖିଥିବା ଦାବି କଲା। ସେଠାକାର ସ୍ଥିତି କିଭଳି ଅଛି ଏଠାରେ ବସି କହିବା ସମୀଚୀନ ହେଉନାହିଁ। ଅନ୍ୟପକ୍ଷରେ ଏହି ବିଷମ ଅବସ୍ଥାକୁ ସୃଷ୍ଟି କରିଥିବା ଚାଇନା ଏବେ ନିଜର ଔଦ୍ୟୋଗିକ ଉନ୍ନତି କରୁଛି ବୋଲି ପଦାକୁ ଖବର ପଠାଉଛି। ପୂର୍ବରୁ ଚିନ୍ତା କରାଯାଉଥିଲା ଯେ, କରୋନା ଭାଇରସ୍‌ ସୃଷ୍ଟି କରିବା ପରେ ତାହାକୁ ବିଶ୍ୱବ୍ୟାପୀ ବାଣ୍ଟିଥିବା ଚାଇନା ନିଜେ ସୁରକ୍ଷିତ ରହିଯାଇପାରେ। ସେଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଭାଷଣରେ ବାରମ୍ବାର ଚାଇନା ପ୍ରତି ଆକ୍ରମଣାତ୍ମକ ମନ୍ତବ୍ୟ ଦେଇ କହୁଥିଲେ ଯେ, ସେହି ଦେଶର କୁକର୍ମ ଯେହେତୁ ସମଗ୍ର ପୃଥିବୀକୁ କ୍ଷତି ପହଞ୍ଚାଇଛି, ସେହେତୁ ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଦରକାର। ଟ୍ରମ୍ପ୍‌ଙ୍କ ପରେ ଅଷ୍ଟ୍ରେଲିଆ ଭଳି ଆହୁରି ଅନେକ ଦେଶ ଏହି ଅନୁସନ୍ଧାନ ସପକ୍ଷରେ ମତ ବାଢ଼ିଥିଲେ। କିନ୍ତୁ ଆଜିର ବିଶ୍ୱ ପରିସ୍ଥିତିରେ ଚାଇନା ଭଳି ବୃହତ୍‌ ଉତ୍ପାଦକ ରାଷ୍ଟ୍ର, ଯାହାର ସାମରିକ ଶକ୍ତି ମଧ୍ୟ ବୃହତ୍‌, ତାହାକୁ ଛେକିବା କାହାରି ପାଇଁ ସମ୍ଭବପର ହେଉନାହିଁ। ପୂର୍ବରୁ କମ୍ୟୁନିଷ୍ଟ ସୋଭିଏଟ୍‌ ରୁଷ୍‌କୁ ‘ଲୁହାର ପର୍ଦ୍ଦା’ ପଛର ଦେଶ ବୋଲି କୁହାଯାଉଥିଲା ବେଳେ ଅନୁନ୍ନତ କମ୍ୟୁନିଷ୍ଟ ଚାଇନାକୁ ‘ବାଉଁଶ ପର୍ଦ୍ଦା’ ପଛର ଦେଶ କୁହାଯାଉଥିଲା। ତାହା ଇତିହାସ ପାଲଟିଗଲାଣି। ଏବେ ଚାଇନା ହେଉଛି ଲୁହା ପର୍ଦ୍ଦା ପଛରେ ଥିବା ଦେଶ। ସେହି ଢାଲର ସୁଯୋଗ ନେଇ ଏବେ ଚାଇନା ସରକାର ତାଙ୍କ ଦେଶର ଔଦ୍ୟୋଗିକ ବିକାଶ ପ୍ରତି ପୁନର୍ବାର ଦୃଷ୍ଟି ପକାଉଛନ୍ତି ବୋଲି ଖବର ମିଳୁଛି। ଏହାର ସଦ୍ୟ ଉଦାହରଣ ଭାବେ ଚାଇନାର ଦ୍ୱିତୀୟ ବୃହତ୍‌ ବିମାନ ଚଳାଚଳ କମ୍ପାନୀ ସାନ୍ୟା ଇଣ୍ଡରନ୍ୟାଶନାଲ ଏୟାରଲାଇନ୍‌ ଏବେ ତାହାର ଦ୍ୱୀପ ରାଜ୍ୟ ହାଇନାନ୍‌କୁ ନୂଆ ବିମାନ ଉଡ଼ାଣ କରିବା ପାଇଁ ଯୋଜନା କରିଛି।
କରୋନା ମହାମାରୀ ବେଳେ ଏହି ଯୋଜନା କେତେଦୂର ଫଳପ୍ରଦ ହେବ ଏବଂ ଏହାର ଆର୍ଥିକ ପରିସୀମା କେଉଁଭଳି ରୂପ ଧାରଣ କରିବ, ତାହା ଚାଇନା ବାହାରେ ଥିବା ଲୋକଙ୍କ ପାଇଁ କହିବା କଷ୍ଟକର। ତେବେ ଗୋଟିଏ କଥା ସ୍ପଷ୍ଟ ବୁଝାପଡୁଛି। ବିଶ୍ୱବ୍ୟାପୀ ଚଳିତ ଅର୍ଥନୈତିକ ମାନ୍ଦାବସ୍ଥାରୁ ଚାଇନା ବାଦ୍‌ ପଡ଼ିନାହିଁ। ପୃଥିବୀର ସର୍ବବୃହତ୍‌ ଉତ୍ପାଦକ ରାଷ୍ଟ୍ର ଭାବେ ସମ୍ଭବତଃ, ଚାଇନାର ସର୍ବାଧିକ କ୍ଷତି ମଧ୍ୟ ଘଟି ଥାଇପାରେ। ଗଳିକନ୍ଦି ଗାଁ ମୁଣ୍ଡରେ ଛୋଟବଡ଼ ଶିଳ୍ପ ପ୍ରତିଷ୍ଠା କରି ସମଗ୍ର ପୃଥିବୀରେ ‘ମେଡ୍‌ ଇନ୍‌ ଚାଇନା’ ସାମଗ୍ରୀ ଭର୍ତ୍ତି କରିଦେଇପାରୁଥିବା ଦେଶ ହଠାତ୍‌ ଏବେ କୌଣସି ଜିନିଷ ବିକ୍ରି କରିପାରୁ ନାହିଁ। ଏହା ଆମେ ଭାରତୀୟ ଅତି ସହଜରେ ବୁଝି ପାରୁଛୁ, କାରଣ ଚାଇନାର ନିମ୍ନମାନର ଦ୍ରବ୍ୟ ଭାରତରେ ଭର୍ତ୍ତି ହୋଇ ରହୁଥିଲା। ବର୍ତ୍ତମାନ ସେହି ପରିସ୍ଥିତିରେ ପରିବର୍ତ୍ତନ ଦେଖାଦେଇଛି। ବିଶେଷକରି ସାମଗ୍ରୀ ପରିବହନରେ ବାଧା ଘଟିଥିବାରୁ ଭାରତୀୟ ବନ୍ଦରଗୁଡ଼ିକରେ ଚାଇନା ସାମଗ୍ରୀ ଆସି ପହଞ୍ଚି ପାରୁନାହିଁ। ଏହାର ଅର୍ଥ କେତେକ ଭାରତୀୟ କରୁଥିବା ବର୍ଜନ ଗର୍ଜନର ପ୍ରଭାବ ପଡ଼ିଛି। କେବଳ ସାମଗ୍ରୀ ମିଳୁନାହିଁ, ଦୋକାନ ଥାକରେ ପହଞ୍ଚିଗଲେ ଗ୍ରାହକ ମାଳମାଳ।
କିନ୍ତୁ ଚାଇନା ପାଇଁ ଭାରତର ଗୁରୁତ୍ୱ ଅତ୍ୟନ୍ତ ନଗଣ୍ୟ। ଏବେ ସେହି କମ୍ୟୁନିଷ୍ଟ ଦେଶର ସବୁଠୁ ବଡ଼ ଚିନ୍ତା ହେଉଛି ଆଭ୍ୟନ୍ତରୀଣ ଜନ ଅସନ୍ତୋଷ। ଅର୍ଥନୀତିର ପତନରୁ ଜନ୍ମିଥିବା ବେକାରି ସମସ୍ୟା ସେହି ରାଷ୍ଟ୍ରର ଜନସାଧାରଣଙ୍କୁ ସରକାର ବିରୋଧୀ କରୁଛି ବୋଲି ପାଶ୍ଚାତ୍ୟ ଗଣମାଧ୍ୟମରୁ ଶୁଣିବାକୁ ମିଳୁଛି। ସେଥିପାଇଁ ଚାଇନା ଏବେ ତା’ ଦେଶର ଘରୋଇ ସମସ୍ୟାରୁ ଦୃଷ୍ଟି ହଟାଇବା ପାଇଁ ହଂକଂ ଉପରେ କର୍ତ୍ତୃତ୍ୱ ଜାହିର କରିବା, ପୂର୍ବ ଲଦାଖରେ ସେନା ମୁତୟନ କରି ଭାରତ ଭୂଖଣ୍ଡର କିଛି ଅଂଶକୁ ଅକ୍ତିଆର କରିବାର ପ୍ରଚେଷ୍ଟା ଏବଂ ଦକ୍ଷିଣ ଚାଇନା ସମୁଦ୍ର ଉପରେ ନିଜର ପତିଆରା ବୃଦ୍ଧି କରିଚାଲିଛି। ଗୋଟିଏପଟେ ଅର୍ଥନୈତିକ ମାନ୍ଦାବସ୍ଥା ତା’ର ବିଶାଳ ବଜାରକୁ ସଙ୍କୁଚିତ କରିଦେଇ ଥିବାରୁ ଦେଶ ଭିତରର ଜନଅସନ୍ତୋଷକୁ ଚପାଇବା ପାଇଁ ବେଜିଂ ବିଭିନ୍ନ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ଜାରିରଖିଛି ବୋଲି ଲୋକଦେଖାଣିଆ ପ୍ରଚାର କରୁଛି। ମାତ୍ର ଚାଇନାର ସାମଗ୍ରିକ ବିକାଶ କିଭଳି ରୂପ ଧାରଣ କରିବ ତାହା ଭବିଷ୍ୟତ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ବାହ୍ୟ ମଳମୁକ୍ତ ଗ୍ରାମ

ବିଚିତ୍ର ବିଶ୍ୱାଳ ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଣ୍ଟ ଫଳକ ସମସ୍ତଙ୍କ ନଜରରେ...

ଚାଷୀ ଯେଉଁ ତିମିରେକୁ ସେଇ ତିମିରେ

ହରିହର ତ୍ରିପାଠୀ ଦେଶରେ କୃଷକକୁ ସବୁଠାରୁ ସ୍ବାଭିମାନୀ ବୋଲି କୁହାଯାଏ। ସେ ସ୍ବାଧୀନ, ସେ କାହା ଉପରେ ନିର୍ଭର କରେ ନାହିଁ। ମୁଣ୍ଡଝାଳ ତୁଣ୍ଡରେ ମାରି...

ଅର୍ଥ ଅନର୍ଥର ଖେଳ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ସାଧୁତା ସାଂପ୍ରତିକ ସମାଜର ଏକ ବିରଳ ସମ୍ପଦ ଏବଂ ଅସାଧୁତାର ଏକ ସିଂହଭାଗ ମୂଳରେ ଥାଏ ପୁଳାଏ ସହଜଲଭ୍ୟ...

ଏଇ ଭାରତରେ

ଜୀବନ କେମିତି ଗଢ଼ିବାକୁ ହୁଏ, ଜୀବିକା ଲାଗି ସଂଗ୍ରାମ କରି ନିଜେ ବଞ୍ଚି ଅନ୍ୟମାନଙ୍କ ମୁହଁରେ କେମିତି ହସ ଫୁଟାଇବାକୁ ହୁଏ; ତାହାର ଏକ ଦୃଷ୍ଟାନ୍ତ...

ବଢ଼ିବା ଏକ ପ୍ରସଙ୍ଗ

ଡ. କିଶୋର ମହାନ୍ତି ‘ବଢ଼ିବା’ଟା ଗୋଟାଏ ସର୍ବକାଳୀନ ପ୍ରସଙ୍ଗ। ବେଳେ ବେଳେ ଏହି ପ୍ରସଙ୍ଗକୁ ଆଧାର କରି ଚଉକି ଟଣାଓଟରା ହେବାଟା ସ୍ବାଭାବିକ। ଶାସକ ଦଳ...

ପ୍ରଯୁକ୍ତି ବିଦ୍ୟାରେ ଭାରତ

ଡ. ଗୌରୀଶଙ୍କର ସାହୁ   ମେ’ ୩୧, ୧୮୯୩। ଜାପାନର ୟୋକୋହାମାରୁ କାନାଡାର ଭାଙ୍କୋଭର ଅଭିମୁଖେ ଚଳମାନ ଏକ ଷ୍ଟିମର। ଅନ୍ୟ ସହଯାତ୍ରୀଙ୍କ ସହ ଯାତ୍ରା...

ପିଲାଙ୍କ ଉପରେ ପରୀକ୍ଷା ଚାପ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ଦୀର୍ଘ ଦୁଇବର୍ଷ କରୋନା ମହାମାରୀ ଭିତରେ ପିଲାମାନେ ଘରେ ରହି ଅନ୍‌ଲାଇନ ପାଠପଢ଼ାରେ ବ୍ୟସ୍ତ ରହିଲେ। ଦୁଇବର୍ଷ ପରେ ବିଦ୍ୟାଳୟକୁ ଯାଇ...

ଏଇ ଭାରତରେ

ଜଣେ ବ୍ୟକ୍ତି ୪୩୦ରୁ ଅଧିକ ପ୍ରକାର କଦଳୀ ଚାଷ କରୁଥିବା ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏହି ଚାଷୀଙ୍କ ନାମ ବିନୋଦ ସହଦେବନ...

Advertisement
Archives

Model This Week