ଆରମ୍ଭ ହେଲା ଇ-ଚେକ୍‌ଗେଟ୍‌ ବ୍ୟବସ୍ଥା: ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ଲୋକେ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ମୋବାଇଲ୍‌ ଫୋନ୍‌ ଆପ୍ଲିକେଶନ (ଆପ୍‌) ମାଧ୍ୟମରେ ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ସାଧାରଣ ଲୋକେ। ଏଥିପାଇଁ ପ୍ରଚଳନ ହେବ ସିଟିଜେନ ରିପୋର୍ଟିଂ ଆପ୍‌। ଲୋକେ ବେପରୁଆ ଗାଡ଼ିଚାଳକଙ୍କ ଫଟୋ ଉଠାଇ ଉକ୍ତ ଆପ୍‌ ଜରିଆରେ ପଠାଇବେ। ଆବଶ୍ୟକ ଯାଞ୍ଚ ପରେ ଚାଲାଣ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ଯୋଜନା ଓ ସଂଯୋଜନା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ରବିବାର ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌ଠାରେ ସଡ଼କ ସୁରକ୍ଷା ସପ୍ତାହର ଉଦ୍‌ଯାପନୀ ଉତ୍ସବ ଓ ଇ-ଚେକ୍‌ଗେଟ୍‌ ବ୍ୟବସ୍ଥାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରି ମନ୍ତ୍ରୀ କହିଲେ, ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦୁର୍ଘଟଣା କମିଛି। ଜରିମାନା ଅଧିକ ହେଉଥିବା କେତେକ ଲୋକେ କହୁଛନ୍ତି। କିନ୍ତୁ ଜଣେ ଟ୍ରାଫିକ ନିୟମ ମାନିଲେ ଜରିମାନା କାହିଁକି ଦେବେ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ନିକଟରେ କେନ୍ଦ୍ରୀୟ ବୈଠକରେ ମଧ୍ୟ ଅନ୍ୟ ରାଜ୍ୟର ମନ୍ତ୍ରୀମାନେ ଏହାକୁ ବିରୋଧ କରିଥିଲେ। କିନ୍ତୁ ମୁଁ ଏହାକୁ ସମର୍ଥନ କରିଥିଲି। ଜରିମାନା ଅଧିକ ହେବାରୁ ବେପରୁଆ ଗାଡ଼ି ଚାଳକମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବାକୁ ୧୦ଥର ଭାବିବେ। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାରେ ଓଡ଼ିଶା ୫ମ ସ୍ଥାନରେ ରହିଛି। ଏହାକୁ ଆମେ ଚଳିତବର୍ଷ ସଡ଼କ ଦୁର୍ଘଟଣା ୫୦ପ୍ରତିଶତ କମାଇବା ପାଇଁ ଚେଷ୍ଟା କରିବା। ଏଥିପାଇଁ ଟ୍ରାଫିକ ନିୟମ କଡାକଡି କରାଯିବାର ଆବଶ୍ୟକତା ରହିଛି। ବାଇକ ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ହେବ। ରାମେଶ୍ୱରରୁ ଚଣ୍ଡିଖୋଲ ରାସ୍ତାରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ କରାଯିବ। ରାସ୍ତାରେ ଅତ୍ୟାଧୁନିକ କ୍ୟାମେରା ଲାଗିବ। ଏହା ସାହାଯ୍ୟରେ ବେପରୁଆ ଗାଡ଼ିଚାଳକଙ୍କୁ ଚିହ୍ନଟ ପରେ ଜରିମାନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଲେ, ଚଳିତବର୍ଷ ୯୦ ପ୍ରତିଶତ ଲୋକ ଟ୍ରାଫିକ ନିୟମ ସଂକ୍ରାନ୍ତରେ ସଚେତନ ହୋଇଛନ୍ତି। ଆମ ଦେଶରେ ବର୍ଷକୁ ହାରାହାରି ୧ଲକ୍ଷ ୫୦ ହଜାର ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଥିବାବେଳେ ଓଡିଶାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ୧୦୦ଟି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଜାତୀୟ ସ୍ତରରେ ୩୧ ରହିଥିବାବେଳେ ଓଡ଼ିଶାରେ ୪୭ ରହିଛି। ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୩୮ ହଜାର ଲୋକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ଏହାର ୭୦ ପ୍ରତିଶତ ଯୁବବର୍ଗ ଅଟନ୍ତି। ୪୨ ପ୍ରତିଶତ ମୃତ୍ୟୁ କେବଳ ଜାତୀୟ ରାଜପଥଗୁଡିକରେ ଘଟିଛି। ପୁଣି ୩୫ ପ୍ରତିଶତ ୨ଚକିଆ ଗାଡ଼ି ଚାଳକ ବା ଆରୋହୀ ରହିଛନ୍ତି। ଅଧିକାଂଶ ବିନା ହେଲ୍‌ମେଟ୍‌ରେ ଯାତ୍ରା ଯୋଗୁ ଘଟିଛି। ଦ୍ରୁତଗତି ଓ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁ ୬୦ ପ୍ରତିଶତ ଦୁର୍ଘଟଣା ଘଟିଥିବା ରିପୋର୍ଟ କହୁଛି। ଗତ ୩ ମାସରେ ପ୍ରାୟ ୯ ହଜାର ମଦୁଆ ଗାଡ଼ି ଚାଳକ ଗିରଫ ହୋଇଛନ୍ତି। ଗତବର୍ଷ ୧୭ହଜାର ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଛି। ଆପାତତଃ ୪ଲକ୍ଷ ୭୫ ହଜାର ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଇ-ଚାଲାଣ କରାଯାଇଛି। ଏହାସହ ରାଜ୍ୟରେ ୪୩୫ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଯାଇ ତାହାର ନିରାକରଣ କରାଯାଇଥିବା ପଣ୍ଡା ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଆଇଜି (ସିଆଇଡି) ଅମିତେନ୍ଦ୍ର ନାଥ ସିହ୍ନା, ଆର୍‌ଟିଓ-୧ ଓ ଆର୍‌ଟିଓ-୨ ଉପସ୍ଥିତ ଥିଲେ।
ଇ-ଚେକ୍‌ଗେଟ୍‌ ବ୍ୟବସ୍ଥା କ’ଣ?
ପୂର୍ବରୁ ବାହାର ରାଜ୍ୟର ଗାଡ଼ି ଓଡିଶାକୁ ଆସିଲେ ସେମାନେ ପ୍ରଥମେ ପ୍ରବେଶ କରିଥିବା ଜିଲାର ଆର୍‌ଟିଓ ଅଫିସ୍‌ରେ ଗାଡ଼ି ପ୍ରବେଶ କାଗଜପତ୍ର କରିଥାନ୍ତି। କିନ୍ତୁ ଏବେ ଇ-ଚେକ୍‌ଗେଟ୍‌ ହେବା ଦ୍ୱାରା ଏହି ସମସ୍ୟା ଦୂର ହୋଇଛି। ଗାଡ଼ି ଚାଳକମାନେ ଆର୍‌ଟିଓ ଅଫିସ ନ ଯାଇ ଅନ୍‌ଲାଇନ୍‌ରେ ଟଙ୍କା ଜମା କରି ପ୍ରବେଶ କାଗଜପତ୍ର ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?