Posted inରାଜ୍ୟ

ବିଭାଜିତ ସଂସଦୀୟ ଜନମତ

ଭୁବନେଶ୍ୱର,୨୮।୫: ‘ଉତ୍କଳରେ ନେତା ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ବୟଂ ନାରାୟଣ’। ୨୦୧୯ ସଂସଦୀୟ ନିର୍ବାଚନର ଫଳାଫଳକୁ ଦେଖିଲେ କୌଣସି ଜଣେ ବି ସମଗ୍ର ଓଡ଼ିଶାର ସର୍ବମାନ୍ୟ ନେତା ହେବାର ଦାବିଦାର ହୋଇପାରି ନାହାନ୍ତି। ଚଳିତ ନିର୍ବାଚନରେ ଅଧିକାଂଶ ଆସନରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୨୧ ଲୋକ ସଭା ଆସନରୁ ବିଜେଡି ୧୨ଟି ଆସନ ପାଇଥିବାବେଳେ ଭାଜପା ୮ ଏବଂ ଗୋଟିଏ ଆସନ କଂଗ୍ରେସକୁ ଯାଇଛି। ଆଞ୍ଚଳିକ ସ୍ତରରେ ଦେଖିଲେ ପଶ୍ଚିମ ଓଡ଼ିଶାର ସମସ୍ତ ୫ ଆସନ କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ସହ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର ଏବଂ ଉପକୂଳ ଓଡ଼ିଶାର ଭୁବନେଶ୍ୱର ଆସନକୁ ଭାଜପା ଦଖଲ କରିଛି। ଓଡ଼ିଶାର ମାନଚିତ୍ରକୁ ଅନୁଧ୍ୟାନ କଲେ ରାଜ୍ୟର ୨ପାର୍ଶ୍ୱର ସଂସଦୀୟ ଜନମତ ବିଭାଜିତ ହୋଇଯାଇଛି। ରାଜ୍ୟ ରାଜନୀତିରେ ବିଜେଡିର ଶାସନ ଗ୍ରହଣୀୟ ହୋଇଥିବାବେଳେ ଜାତୀୟସ୍ତରରେ ଗୈରିକ ଦଳକୁ ପୂର୍ବାପେକ୍ଷା ଭୋଟର ଅଧିକ ପସନ୍ଦ କରିଥିଲେ। ତେଣୁ ଚଳିତ ବର୍ଷର ନିର୍ବାଚନ ଫଳ ଭବିଷ୍ୟତର ରାଜନୀତିକୁ ମଧ୍ୟ ବିଶେଷଭାବେ ପ୍ରଭାବିତ କରିପାରେ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି। .
ଭାଜପାର ଏହି ପ୍ରଦର୍ଶନ ସୂଚାଇ ଦେଉଛି ଯେ, ଏବେ ରାଜ୍ୟର ଲୋକମାନେ ପରିବର୍ତ୍ତନ ମୁହାଁ ହୋଇଥିଲେ। ବିଧାନସଭା ନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଥିଲେ ସୁଦ୍ଧା ଲୋକ ସଭାରେ ଦଳ ଆଶାତୀତ ସଫଳତା ପାଇ ନାହିଁ। ୨୦୧୪ ନିର୍ବାଚନରେ ବିଜେଡି ୨୦ଟି ଆସନରେ ଜିତିଥିବାବେଳେ ଭାଜପା ମାତ୍ର ଗୋଟିଏ ଆସନ(ସୁନ୍ଦରଗଡ଼)ରେ ବିଜୟ ଲାଭ କରିଥିଲା। ଦେଖିବାକୁ ଗଲେ ୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଭାଜପା ବହୁ ସଂଖ୍ୟକ ଜିଲା ପରିଷଦ ସିଟ୍‌ ହାତେଇ ପାରିଥିଲା। ଏପରିକି ଅନେକ ଜିଲାରେ ପରିଷଦ ମଧ୍ୟ ଗଠନ କରିଥିଲା। ସେହି ସବୁ ସ୍ଥାନରେ ବିଜେଡି ସ୍ଥିତି ଦୁର୍ବଳ ବୋଲି ଅନୁଭବ କରାଯାଇଥିଲା। ତେଣୁ ବିଜେଡି ନେତୃତ୍ୱ ଉକ୍ତ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦେଇଥିଲେ। ଏପରି କି ୨୦୧୮ ଫେବୃୟାରୀରେ ଅନୁଷ୍ଠିତ ବିଜେପୁର ଉପନିର୍ବାଚନରେ ତତ୍କାଳୀନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରାଗଲା। ସମସ୍ତ କଳବଳ କୌଶଳ ଖର୍ଚ୍ଚ କରି ବିଜେଡି ନିର୍ବାଚନ ମଧ୍ୟ ଜିତିଲା। ଉପନିର୍ବାଚନରେ କଂଗ୍ରେସର ସିଂହଭାଗ ଭୋଟ ବିଜେଡିକୁ ସ୍ଥାନ୍ତାନ୍ତରିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ତେଣୁ ବିଜେଡି ସାଧାରଣ ନିର୍ବାଚନରେ ଭାଜପାକୁ ଉଚିତ ଜବାବ ଦେଇପାରିବ ବୋଲି ଏକ ଧାରଣା ସୃଷ୍ଟି କରାଯାଇଥିଲା। ପଶ୍ଚିମ ଓଡ଼ିଶାରେ ଭାଜପାର ପ୍ରଦର୍ଶନ ଉତ୍ତମ ରହିଥିବା କାରଣରୁ ସେହି ଅଞ୍ଚଳର ଭୋଟକୁ ନିଜ ସପକ୍ଷରେ କରିବା ଉଦ୍ଦେଶ୍ୟରେ ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହିତ ବିଜେପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଚିନ୍ତା କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଉପସ୍ଥିତି ଦଳକୁ ଶକ୍ତିଶାଳୀ କରିବ। ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ବରଗଡ ଲୋକ ସଭା ଆସନର ଏକ ଅଙ୍ଗ। ତେଣୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ସେହି ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା। ଭାଜପା ସୁରେଶ ପୂଜାରୀଙ୍କୁ ବରଗଡ଼ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯିବାରୁ ଏଥିରେ ଅସନ୍ତୁଷ୍ଟ ହୋଇ ଭାଜପା ନେତା ସୁବାସ ଚୌହାନ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଏପରି କି କିଛି ଭାଜପା ଜିଲା ପରିଷଦ ସଭ୍ୟ ମଧ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଆଶା କରାଯାଉଥିଲା ଯେ, ବରଗଡ଼ ଲୋକ ସଭା କ୍ଷେତ୍ରକୁ ବିଜେଡି ସହଜରେ ଅକ୍ତିଆର କରିପାରିବ। ମାତ୍ର ତାହା ହେଲା ନାହିଁ। ବରଗଡ଼ରେ ଭାଜପା ପ୍ରାର୍ଥୀ ପୂଜାରୀ ବିଜୟ ଲାଭ କଲେ । ସେତିକି ନୁହେଁ, ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଆସନରେ ଭାଜପା ବିଜୟ ବାନା ଉଡ଼ାଇପାରିଲା, ଯାହାକି ନବୀନଙ୍କ ନେତୃତ୍ୱ ପ୍ରତି ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଉତ୍ତର ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି। ମୟୂରଭଞ୍ଜ ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଭାଜପା ବାଜିମାତ କରିଥିଲା। ସେହିଭଳି ବାଲେଶ୍ୱର ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ଜିଲା ସଭାପତି କରାଯିବା ସହ, ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ବିଦା କରିବାର ବାଟ ସୃଷ୍ଟି କରାଯାଇଥିଲା। ତାହାର କୁଫଳ ଶେଷରେ ବିଜେଡିକୁ ଭୋଗିବାକୁ ପଡିଲା। ଅନୁରୂପଭାବେ ଭୁବନେଶ୍ୱରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାଜପା ପ୍ରାର୍ଥତ୍ନୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ତେଣୁ ବିଜେଡି ନେତୃତ୍ୱ, ସ୍ଥାନୀୟ ସଙ୍ଗଠନକୁ ନେଇ ଏକାଧିକ ପ୍ରଶ୍ନ ଉଙ୍କି ମାରିଛି। ଲୋକ ସଭାରେ ବିଜେଡିର ମୋଟ ଭୋଟ ପ୍ରତିଶତ ୪୨.୭୬ ପ୍ରତିଶତ ଥିବାବେଳେ ଭାଜପାର ୩୮.୩୭ ରହିଛି। ଦୁଇ ଦଳ ମଧ୍ୟରେ ଭୋଟ ପ୍ରତିଶତ ଅନ୍ତର ମାତ୍ର ୪.୩୯ ପ୍ରତିଶତ ରହିଛି।
କେତେଜଣ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ, ବିଜେଡିରେ ନବୀନଙ୍କ ସାରା ରାଜ୍ୟରେ ଗ୍ରହଣୀୟତା କେତେକାଂଶରେ ହ୍ରାସ ପାଇଛି। ଏହାର କାରଣ ଲୋକ ସଭା ଫଳାଫଳରୁ ସ୍ପଷ୍ଟ ଅନୁମେୟ। ଅପରପକ୍ଷରେ ଭାଜପାରେ କୌଣସି ଗ୍ରହଣୀୟ ରାଜ୍ୟସ୍ତରୀୟ ନେତା ନ ଥିବାରୁ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ବୀପରିତ ହୋଇଥିଲା।

(ଚିଦାନନ୍ଦ ଜେନା)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?