ବିଦ୍ୟାଳୟ ପାଠ୍ୟକ୍ରମରେ ହାପିନେସ୍‌ କ୍ଲାସ

ଡ. ପବିତ୍ର ସୁବୁଦ୍ଧି

ପ୍ରଖ୍ୟାତ ଲେଖକ ଡାଭିଡ ସ୍କ୍ବାଜ୍‌ ଥରେ ତାଙ୍କର ଛଅ ବର୍ଷର ପୁଅକୁ ପଚାରିଲେ- ତୁମେ ବଡ଼ ହେଲେ କ’ଣ କରିବ? ପୁଅ କାଳବିଳମ୍ବ ନ କରି ଉତ୍ତର ଦେଲା- ପ୍ରଫେସର ହେବି। ଡାଭିଡ୍‌ ପୁଣି ପଚାରିଲେ- ତୁମେ କେଉଁ ବିଷୟରେ ପ୍ରଫେସର ହେବ? ପୁଅ ତତ୍‌କାଳ ଉତ୍ତର ଦେଲା- ‘ପ୍ରଫେସର ଅଫ୍‌ ହାପିନେସ୍‌।’ କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇଗଲେ ଡାଭିଡ୍‌ ଏବଂ ପରେ ଚିନ୍ତାକଲେ ବହିଟିଏ ଲେଖିବେ ଏବଂ ଲେଖିଲେ- ‘The Magic of Thinking Big.’ ବହିଟିକୁ ସେ ତାଙ୍କର ସେହି ପୁଅ ନାମରେ ହିଁ ଉତ୍ସର୍ଗ କଲେ।
ଡାଭିଡ୍‌ଙ୍କ ପୁଅ ଦେଇଥିବା ଉତ୍ତରର ବହୁବର୍ଷ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଦିଲ୍ଲୀର ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟରେ (୧ମରୁ ଅଷ୍ଟମ) ‘ହ୍ୟାପିନେସ୍‌ ପାଠ୍ୟକ୍ରମ’ ଅନ୍ତର୍ଭୁକ୍ତ କରାଇ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। ଏହି ପାଠ୍ୟକ୍ରମରେ ଯୋଗ, ପ୍ରାଣାୟାମ, ନୀତିଶିକ୍ଷା, ସଂସ୍କୃତି ଓ ପରମ୍ପରା ସଂପର୍କରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି। କହିବା ବାହୁଲ୍ୟ, ନିକଟ ଅତୀତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ତାଙ୍କ ପତ୍ନୀ ମାଡାମ୍‌ ମେଲାନିଆ ଟ୍ରମ୍ପ ଏହି ସରକାରୀ ବିଦ୍ୟାଳୟ ପରିଦର୍ଶନ କରି ‘ହାପିନେସ୍‌ ପାଠ୍ୟକ୍ରମ’ର ଭୂୟସୀ ପ୍ରଶଂସା କରିଛନ୍ତି। ତାଙ୍କ ମତରେ ଏହି ପାଠ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ମୂଲ୍ୟବୋଧ ସୃଷ୍ଟି କରିପାରିବ। ନୀତିଶିକ୍ଷା ଦ୍ୱାରା ପିଲାମାନେ ଶୃଙ୍ଖଳା ଓ ଶିଷ୍ଟାଚାର ଶିଖିପାରିବେ। ଧ୍ୟାନଯୋଗ ଓ ପ୍ରାଣାୟାମ ଦ୍ୱାରା ପିଲାମାନେ ସମସ୍ତ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣରେ ରଖିପାରିବେ। ନିଜେ ନୀରୋଗ ରହିବା ସହିତ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବେ। ବିଡ଼ମ୍ବନା ଏହା ଯେ, ଯେତେବେଳେ ଦିଲ୍ଲୀର ଏହି ସରକାରୀ ବିଦ୍ୟାଳୟଗୁଡ଼ିକ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛି, ଠିକ୍‌ ସେତିକିବେଳେ ଓଡ଼ିଶାରେ ପ୍ରାୟ ୧୪ ହଜାରରୁ ଊର୍ଦ୍ଧ୍ୱ ସରକାରୀ ସ୍କୁଲରେ ଛାତ୍ରୀଛାତ୍ର ଅଭାବରୁ ତାଲା ପଡ଼ିବାକୁ ଯାଉଛି।
ଏ ପରିପ୍ରେକ୍ଷୀରେ ସୁପ୍ରାଚୀନ ଗ୍ରୀକ୍‌ କିମ୍ବଦନ୍ତୀର ଅଭିଶପ୍ତ ସିସିଫାସ୍‌ ପ୍ରସଙ୍ଗଟି ସ୍ମରଣକୁ ଆସେ। ସିସିଫାସ୍‌କୁ ଦିଆଯାଇଥିଲା ଏକ ଅଭାବନୀୟ ଦଣ୍ଡ। ଖୁବ୍‌ ଓଜନିଆ ଏକ ଶିଳାଖଣ୍ଡକୁ ଠେଲି ଠେଲି ଉପରକୁ ନେଇ ପର୍ବତ ଶୀର୍ଷରେ ସେ ତାକୁ ସ୍ଥାପନ କରିବ। କିନ୍ତୁ ହାୟ! ବିଚରା ସିସିଫାସ୍‌ କଠୋର ପରିଶ୍ରମ ଯୋଗେ ଯେତେଥର ସେ ଶିଳାଖଣ୍ଡକୁ ନେଇ ପର୍ବତ ଶୀର୍ଷରେ ପହଞ୍ଚାଏ, ସେତେଥର ତାହା ଗଡ଼ି ଗଡ଼ି ଚାଲିଆସେ ପର୍ବତର ପାଦଦେଶକୁ। ସିସିଫାସ୍‌ର ଶ୍ରମ ଏଯାବତ୍‌ ଅବ୍ୟାହତ ରହିଛି।
ପାଠକେ! ଉପରୋକ୍ତ ଉପାଖ୍ୟାନଟି ଏଠି ମନେପଡ଼ିବାର କାରଣ ହେଉଛି, ଆଜି ଆମ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ମାଳ ମାଳ ଅଭିଯାନ, କୋଟି କୋଟି ଟଙ୍କାର ବ୍ୟୟବରାଦ, କମିଶନ ପରେ କମିଶନ, ସମ୍ମିଳନୀ, ବିତର୍କ, ଗ୍ରନ୍ଥ ଓ ସନ୍ଦର୍ଭର ଅଭାବ ନାହିଁ। ତଥାପି ଆମ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି କାହିଁ? କେବଳ ଯାହା ବାଲିଗରଡ଼ା ସାଉଁଟିବାକୁ ଯାଇ ଆମେ ଢେର୍‌ ମଣିମୁକ୍ତା ହରେଇଲେଣି। ଏବେ ସ୍କୁଲରେ ଆଉ ଦଣ୍ଡ ବ୍ୟବସ୍ଥା ନାହିଁ। ପ୍ରଥମରୁ ଅଷ୍ଟମ ଯାଏ (ଏ ବର୍ଷ ନବମ ଯାଏ) ପରୀକ୍ଷାର ବାଡ଼ ନାହିଁ। ଆଉ ସବୁ ଅଛି। ପକ୍‌କା ଘର, ପାଇଖାନା, ପାଚେରି, କୂଅ, ନଳକୂପ, କଳ ପାଣି, ନଳ ପାଣି, ଡିସ୍‌ଟେମ୍ପର୍‌ମରା ମୁଲାୟମ୍‌ କାନ୍ଥ, କାନ୍ଥରେ ସୁନ୍ଦର ଅକ୍ଷରରେ ପ୍ରବଚନ, ମଧ୍ୟାହ୍ନ ଭୋଜନ, ପାଚିଲା କଦଳୀ, ଅଣ୍ଡା, ଆଇରନ୍‌ ବଟିକା, ମାଗଣା ବହି, ଜୋତା, ଡ୍ରେସ୍‌, ଟାଇ, ସାଇକେଲ, ଷ୍ଟାଇପେଣ୍ଡ ଇତ୍ୟାଦି ସବୁ ଅଛି। ଏ ସବୁ ସତ୍ତ୍ୱେ ପିଲାଏ ସ୍କୁଲ୍‌ ଆସନ୍ତି ନାହିଁ। ଖତ, ସାର ଓ ପାଣି ଦେଇ ଗଛ ବଢ଼ଉଥିବା ମାଳୀ ଏବେ ଜଗୁଆଳି। ଶ୍ରେଣୀରେ ଓ ସ୍କୁଲରେ ଛାତ୍ରାଭାବ ହେତୁ ସରକାର ଏହିସବୁ ସରକାରୀ ସ୍କୁଲ୍‌କୁ ଚଳିତ ଶିକ୍ଷାବର୍ଷଠାରୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। କରୋନା ଯୋଗୁ ବନ୍ଦ କାର୍ଯ୍ୟ ଅଟକିଛି। ତେବେ ସରକାର ଓ ଶିକ୍ଷାଯନ୍ତ୍ରୀମାନେ କେବେ ତର୍ଜମା କରିଛନ୍ତି କି କ’ଣ ପାଇଁ ସବୁ ସୁବିଧା ସତ୍ତ୍ୱେ ପିଲାଏ ସରକାରୀ ସ୍କୁଲକୁ ଆସୁନାହାନ୍ତି?
୧୯୬୬ ମସିହାରେ କୋଠାରୀ କମିଶନ ଦେଇଥିବା ରିପୋର୍ଟର ଗୋଟିଏ ଧାଡ଼ି ଏଠି ମନେପଡୁଛି। ସେ କହିଥିଲେ- ”The future of India is now being shaped in her classrooms.“ ବିଡ଼ମ୍ବନା ଏହା ଯେ, ଏବେ ଆମ ସରକାରୀ ସ୍କୁଲରେ ସବୁ ଶ୍ରେଣୀଗୃହ ଏବେ ମଧ୍ୟାହ୍ନଭୋଜନର ରୋଷଘର ପାଲଟିଛି। ପିଲାଏ ସବୁ ପାଆନ୍ତି, କିନ୍ତୁ ପାଠ ପାଆନ୍ତିନି। ଜନଗଣନା, ବିପିଏଲ୍‌ ସର୍ଭେ, ଭୋଟର ତାଲିକା ସଂଶୋଧନ, ସ୍କୁଲ ଗୃହ ନିର୍ମାଣ, ମଧ୍ୟାହ୍ନଭୋଜନ ଆଦି କାମରେ ଶିକ୍ଷକମାନେ ବ୍ୟସ୍ତ।
ଯେଉଁ ସମୟରେ କୋମଳମତି ଶିଶୁଟିଏ ପ୍ରଥମ କରି ସ୍କୁଲ୍‌ରେ ପାଦ ଥାପେ, ସେତେବେଳେ ସେ ଦୁଇଟି ଜିନିଷ ସାଥିରେ ଧରି ଆସିଥାଏ। ଗୋଟିଏ ହେଲା ମସ୍ତିଷ୍କ ଓ ଅନ୍ୟଟି ହେଲା ହୃଦୟ। ଆମ ବିଦ୍ୟାଳୟରେ ଯେତେ ପାଠ୍ୟକ୍ରମ ଅଛି, ସେ ସବୁ ହୁଏତ ଶିଶୁର ମସ୍ତିଷ୍କକୁ ତୀକ୍ଷ୍‌ଣ କରୁଥାଇପାରେ, ମାତ୍ର ହୃଦୟକୁ ଆଦୌ ସ୍ପର୍ଶ କରିପାରୁ ନାହିଁ। ଏକ ଅନ୍ତଃସାରଶୂନ୍ୟ ଶିକ୍ଷା ବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ଶ୍ରେଣୀଗୃହକୁ ନେଇ ଆମେ ଉନ୍ନତ ହେବାର ସ୍ବପ୍ନ ଦେଖୁଛୁ। ମୁଠାଏ ଭାତ, ଟୋପାଏ ଡାଲି ପାଣି ଦେଇ ଆମେ ସଚେତନ ଓ ସ୍ବଚ୍ଛଳବର୍ଗର ଅଭିଭାବକମାନଙ୍କୁ ସରକାରୀ ବିଦ୍ୟାଳୟକୁ ଆକର୍ଷଣ କରିବା ଅସମ୍ଭବ। ଯେଉଁମାନଙ୍କର କିଛି ବିକଳ୍ପ ନାହିଁ ସେମାନେ ବାଧ୍ୟହୋଇ ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ଭର୍ତ୍ତି କରୁଛନ୍ତି, ଯେଉଁଠି ନାହିଁ ପିଲାଙ୍କୁ ଆକର୍ଷିତ କଲାଭଳି ପାଠ୍ୟକ୍ରମ ଓ ପରିବେଶ, ପର୍ଯ୍ୟାପ୍ତ ଭିତ୍ତିଭୂମି, ଉତ୍ସର୍ଗୀକୃତ ଶିକ୍ଷକଙ୍କର ଦିଗ୍‌ଦର୍ଶନ, ଭଲ ମଣିଷ ଗଢ଼ିବାର ନିଷ୍ଠା ଓ ସଂକଳ୍ପ, ପିଲାଙ୍କୁ ଆପଣେଇ ନେବାର ଉତ୍ସାହ ଓ ଆବେଗ, ଶିଶୁ ମନଲାଖି ଶିକ୍ଷାଦାନ କରିବାର ଆଗ୍ରହ ଓ ଉଦ୍ଦୀପନା। ଯଦି ସରକାରୀ ସ୍କୁଲଗୁଡ଼ିକରେ ଏଭଳି ସ୍ଥିତି ଜାରି ରହେ, ତେବେ କେବଳ ୧୪,୦୦୦ ସ୍କୁଲ ନୁହେଁ, ଆଗାମୀ ଦିନରେ ସମସ୍ତ ସରକାରୀ ସ୍କୁଲ ବନ୍ଦ ହେବାର ସମ୍ଭାବନାକୁ ଏଡ଼େଇ ଦିଆଯାଇ ନ ପାରେ।
ପାଠକେ! କିଏ ଜଣେ କହିଥିଲେ- ”ଚାଷ ହୁଡ଼ିଲେ ବରଷେ, ପାଠ ହୁଡ଼ିଲେ ପୁରୁଷେ।“ ନିଅଁ ମଜଭୁତ ନ ହେଲେ ଯେମିତି ଘର ମଜଭୁତ ହୁଏ ନାହିଁ, ସେମିତି ସ୍କୁଲ ଶିକ୍ଷା ଦୋରସ୍ତ ନ ହେଲେ, ଆମ ଶିକ୍ଷା ବ୍ୟବସ୍ଥା ଦୃଢ଼ ହୋଇପାରିବ ନାହିଁ। ପ୍ରାଥମିକ ଶିକ୍ଷା ହେଉଛି ଜାତୀୟ ଜୀବନର ଏକ ପ୍ରଧାନ ଅଙ୍ଗ। ଶ୍ରେଣୀଗୃହ ହେଉଛି ମଣିଷ ନିର୍ମାଣର ମହାନ୍‌ ତୀର୍ଥ। ଏହିଠାରେ ହିଁ ଦେଶ ଓ ଜାତିର ଭବିଷ୍ୟତ ରୂପରେଖ ନିର୍ଣ୍ଣୀତ ହୋଇଥାଏ। ଏଣୁ ଆମ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ହେଲେ ପ୍ରଥମେ ଆମ ଶ୍ରେଣୀଗୃହକୁ ସଜାଡ଼ିବାକୁ ହେବ। ଶିଶୁ ମନସ୍ତତ୍ତ୍ୱକୁ ବୁଝିବାକୁ ହେବ। କାରଣ ଶିଶୁର ବାଲ୍ୟାବସ୍ଥା ହେଉଛି ତା’ର ବ୍ୟକ୍ତିତ୍ୱ ବିକାଶର ଅମୃତଲଗ୍ନ। ଶିଶୁକୁ ସର୍ବଦା ସୁଖୀ ଓ ଖୁସି କରାଇବା ଆମର ସାମାଜିକ ଦାୟିତ୍ୱ। ଏଥିପାଇଁ ଆମ ପାଠ୍ୟକ୍ରମରେ ପରିବର୍ତ୍ତନ ଲୋଡ଼ା। କାରଣ ଶିଶୁଟିଏର ପରିପୂର୍ଣ୍ଣ ବିକାଶ ପାଇଁ ସୁଶିକ୍ଷା ଜରୁରୀ। ମାତ୍ର ଏ ସୁଶିକ୍ଷା ଦେବ କିଏ? ଏହା ହେଉଛି ଏ ସମୟର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ବିଦ୍ୟାଳୟ ବନ୍ଦ କରିବା ଏ ସମସ୍ୟାର ସମାଧାନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ପୁନର୍ବିନ୍ୟାସ କରିବା ହେଉଛି ବର୍ତ୍ତମାନର ଆହ୍ବାନ।
ଏ କଥା ନିଶ୍ଚିତ ଯେ, ଶିଶୁ ହୃଦୟର ବିକାଶ ପାଇଁ ଆମ ପାଠ୍ୟକ୍ରମରେ ବିଶେଷ କିଛି ବ୍ୟବସ୍ଥା ନାହିଁ। ଏ କ୍ଷେତ୍ରରେ ଯଦି ଆମ ପାଠ୍ୟକ୍ରମରେ ଦିଲ୍ଲୀର ସରକାରୀ ସ୍କୁଲ୍‌ ଭଳି ସାହିତ୍ୟ, ସଂସ୍କୃତି, କଳା, ସଂଗୀତ, କବିତା, ଯୋଗ, ପ୍ରାଣାୟାମ, ବ୍ୟାୟାମ ଓ ସର୍ବୋପରି ନୈତିକ ଶିକ୍ଷା ଆଦି ସାମିଲ କରାଯାଆନ୍ତା, ତେବେ ବିଦ୍ୟାର୍ଥୀମାନେ ଆକର୍ଷିତ ହୁଅନ୍ତେ। ବିଷ୍ଣୁଶର୍ମା ରାଜପୁତ୍ରମାନଙ୍କୁ ପଞ୍ଚତନ୍ତ୍ର ନାମରେ ବିଦିତ ଅମର କାହାଣୀମାଳା ଶୁଣାଇ କିପରି ଶିକ୍ଷିତ କରାଇପାରିଥିଲେ ସେ ପ୍ରସଙ୍ଗ ସମସ୍ତଙ୍କୁ ଜଣା। ଏଭଳି ଶିକ୍ଷା ପ୍ରଦାନ ପାଇଁ ଆମ ଶିକ୍ଷକମାନଙ୍କୁ ଗତାନୁଗତିକ ପାଠ୍ୟପୁସ୍ତକ ଉପରେ ନିର୍ଭର କଲେ ଚଳିବ ନାହିଁ। ଦୃଷ୍ଟାନ୍ତ ଓ କାହାଣୀ ମାଧ୍ୟମରେ ଏ ଶାଶ୍ୱତ ଶିକ୍ଷା ଦିଆଯାଇପାରେ। ସରକାର ଏ ବାବଦରେ ଚିନ୍ତା କରିବାର ବେଳ ଆସିଛି। ଆମ ଶିକ୍ଷା ବ୍ୟବସ୍ଥାରେ ଯଦି କେବେ ବି ଏ କାୟାକଳ୍ପ ସମ୍ଭବ ହୁଏ, ତେବେ ଅଭିଶପ୍ତ ସିସିଫାସ୍‌ର ଶ୍ରମ ସାର୍ଥକ ହେବ। ଏଥିରେ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କର ମଙ୍ଗଳ ନିହିତ।
ନୀଳମାଧବ କଲେଜ, କଣ୍ଟିଲୋ, ନୟାଗଡ଼, ମୋ: ୯୪୩୭୫୧୭୯୭୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri