ବିଜ୍ଞାନ ହିଁ ଭରସା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନୋଭେଲ କରୋନା ଭୂତାଣୁର ଆବିର୍ଭାବ ଆଜି ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ଏକରକମ ଆହ୍ବାନ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ମଣିଷ ଦେହକୁ ସଂକ୍ରମିତ ହୋଇଥିବା ଏହି ଭୂତାଣୁ ଏବେ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ମହାମାରୀ ରୂପ ନେବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛି।
ବିଶ୍ୱରେ ଭୂତାଣୁଜନିତ ମହାମାରୀ ଆଦୌ ନୂଆ ନୁହେଁ। ଅତୀତରେ ବିଶ୍ୱରେ ଅନେକ ରୋଗ ସୃଷ୍ଟି ହୋଇ ମହାମାରୀର ରୂପ ନେଇଛି। ତେବେ ନୂଆକରି ମୁଣ୍ଡ ଟେକୁଥିବା ଯେକୌଣସି ଭୂତାଣୁର ଆବିର୍ଭାବ ଓ ତା’ର ପ୍ରତିକାରକୁ ନେଇ ସମାଜରେ ସର୍ବଦା ଅନେକଗୁଡ଼ିଏ ଭ୍ରାନ୍ତି, ଅନ୍ଧ ବିଶ୍ୱାସ ଓ ଅବୈଜ୍ଞାନିକ ଧାରଣା ଦେଖିବାକୁ ମିଳିଥାଏ। ଆଜି କରୋନା କ୍ଷେତ୍ରରେ ମଧ୍ୟ ସେହିକଥା ହିଁ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ବିଶ୍ୱରେ ଅନେକ ବାବା ମାତା ଓ ଧର୍ମଗୁରୁ କରୋନା ନେଇ ଅନେକ ଭୁଲ୍‌ ତଥା ଅବୈଜ୍ଞାନିକ କଥାର ପ୍ରଚାର କରିବା ଦେଖାଯାଇଛି। କେହି କରୋନା ଭୂତାଣୁକୁ ଭଗବାନଙ୍କ ଅବତାର ବୋଲି କହି ଯଜ୍ଞ କଲେ କିମ୍ବା ଅମୁକ ମନ୍ତ୍ର ପଢ଼ିଲେ ଏହା ବିଲ୍‌କୁଲ୍‌ ପାଖ ମାଡ଼ିବନି ବୋଲି କହୁଥିବା ବେଳେ କେହି କୋରନାରୁ କରୋନା ଆସିଛି ଏବଂ ନମାଜ ପଢ଼ିଲେ ଏହି ରୋଗ ଆଦୌ ହେବନି ବୋଲି କହିଲେଣି। କେହି ମାଳିକାରେ କରୋନା ଆସିବା କଥା ରହିଛି ବୋଲି କହୁଥିଲା ବେଳେ କେହି ଏଠି ତେତିଶ କୋଟି ଦେବତା ଅଛନ୍ତି, ତେଣୁ କରୋନା ଆସିବନି ବୋଲି କହିଛନ୍ତି।
ଗତ କିଛି ମାସ ମଧ୍ୟରେ କରୋନା ଭୂତାଣୁର ସଂକ୍ରମଣ ବଢ଼ିବା ସହିତ ଗୋମୂତ୍ର ଓ ଗୋବରକୁ ତା’ର ପ୍ରତିଷେଧକ ବୋଲି ଅନେକ ବାବା ମାତା ଓ ନେତା ଦାବି କରିବା ଦେଖାଯାଇଛି। ଜଣେ ବାବା ମୁହଁରେ ମାସ୍କ ବଦଳରେ ନାକରେ ଦେଶୀ ଗାଈଘିଅ ଲଗାଇଲେ କରୋନା ଭୂତାଣୁ ଆସିଲେ ମରିଯିବ ବୋଲି କହୁଥିବା ବେଳେ ଜଣେ ଯୋଗଗୁରୁ ନାକରେ ସୋରିଷ ତେଲକୁ ଉଷୁମ କରି ଲଗାଇବାକୁ ପରାମର୍ଶ ଦେଇଛନ୍ତି। କେହି ଗୋମୂତ୍ର ପାର୍ଟିର ଆୟୋଜନ କରି ଶହ ଶହ ଲୋକଙ୍କୁ ଗୋମୂତ୍ର ଓ ଗୋବର ଖୁଆଇଲେଣି ତ କେହି ତୁଳସୀ ପତ୍ର ଖାଇଲେ କରୋନା ହେବନି ବୋଲି ହ୍ବାଟସପ୍‌ରେ ଭାଇରାଲ କଲାଣି।
ସବୁଠାରୁ ଆଶ୍ଚର୍ଯ୍ୟର କଥା କରୋନାକୁ ନେଇ ବିଭ୍ରାନ୍ତି ସୃଷ୍ଟି କରିବାରେ ଖୋଦ୍‌ କେନ୍ଦ୍ର ସରକାର ବି ପଛରେ ନାହାନ୍ତି। ବିଶ୍ୱରେ ଏଯାଏ ଏହି ମହାମାରୀର କୌଣସି ଔଷଧ ଉଦ୍‌ଭାବିତ ହୋଇ ନ ଥିବା ବେଳେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଉଭୟ ହୋମିଓପ୍ୟାଥି ଓ ଆୟୁର୍ବେଦରେ କରୋନାର ଔଷଧ ରହିଛି ବୋଲି ନିଜ ୱେବ୍‌ସାଇଟ୍‌ରେ ଦାବି କରିଛନ୍ତି, ଯାହାକୁ ଅନେକ ସମାଲୋଚନା ପରେ ନିକଟରେ ହଟେଇ ଦିଆଯାଇଛି। କୋଭିଡ-୧୯ ଏକ ସଦ୍ୟ ଆବିଷ୍କୃତ ଭୂତାଣୁ ହୋଇଥିବା ବେଳେ କୌଣସି ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ବିନା ଏଭଳି ଔଷଧର ପ୍ରଚାର ଅବିବେକିତା ମନେହୁଏ। ସେହିଭଳି ନିକଟରେ ଗଙ୍ଗାଜଳରେ କରୋନାର ରୋଗ ପ୍ରତିଷେଧକ କ୍ଷମତା ରହିଛି ନା ନାହିଁ ବୋଲି ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଆଇସିଏମ୍‌ଆର୍‌ ପ୍ରତ୍ୟାଖ୍ୟାନ କରିଦେଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନିକଟରେ କରୋନାର ଆୟୁର୍ବେଦିକ ଉପଚାର ପାଇଁ ଗବେଷଣା କରିବାକୁ ବି ନିର୍ଦ୍ଦେଶ ଦେବା ଦେଖିବାକୁ ମିଳିଛି।
କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଥମ ଦିନରୁ ହିଁ ବିଜ୍ଞାନ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ବିଶ୍ୱର ଧର୍ମଯାଜକମାନେ ନିଜର ପ୍ରାସଙ୍ଗିକତା ଓ ଅସ୍ତିତ୍ୱକୁ ବଜାୟ ରଖିବାକୁ ଏହି ରୋଗ ସମ୍ପର୍କରେ ନାନା ଅବୈଜ୍ଞାନିକ ଏବଂ କପୋଳକଳ୍ପିତ ତତ୍ତ୍ୱର ଅବତାରଣା କରୁଛନ୍ତି। ସେତେବେଳେ ବୈଜ୍ଞାନିକ ଓ ଡାକ୍ତରମାନେ ରୋଗର କାରଣ, ସଂକ୍ରମଣ ତଥା ତା’ର ଚିକିତ୍ସାର ଉପାୟ ସବୁ ବାହାର କରି ଚାଲିଛନ୍ତି। ଗତ ନଭେମ୍ବରରେ ଚାଇନାର ଉହାନ୍‌ ସହରରେ ଏହି ଭୂତାଣୁଜନିତ ସଂକ୍ରମଣର ଘଟଣା ପ୍ରଥମେ ସାମ୍‌ନାକୁ ଆସିବା ପରେ ଯଦିଓ ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗ ସମ୍ପର୍କରେ ସ୍ଥାନୀୟ ଡାକ୍ତର ଓ ବୈଜ୍ଞାନିକମାନେ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରି ନ ଥିଲେ ମଧ୍ୟ ପରେ ପରେ ବିଜ୍ଞାନ ଓ ତଥ୍ୟର ଆଧାରରେ ଏହାକୁ ଭୂତାଣୁଜନିତ ସଂକ୍ରମଣ ବୋଲି ଜାଣିବାରେ ସଫଳ ହୋଇଥିଲେ। ଏହି ଭୂତାଣୁର ଚରିତ୍ର ସମ୍ପର୍କରେ ଅନୁଧ୍ୟାନ କରି ଏହାକୁ ସାର୍ସ, ମାର୍ସ ପରି କରୋନା ପ୍ରଜାତିର ସପ୍ତମ ଭୂତାଣୁ ବୋଲି ଚିହ୍ନଟ କରି ତାକୁ ନୋଭେଲ କରୋନା ଭୂତାଣୁ ରୂପେ ନାମିତ କରିଥିଲେ। ପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିବା ସହ ଏହାକୁ କୋଭିଡ-୧୯ ବୋଲି ନାମିତ କରିଥିଲା।
ଆଜି ଚାଇନାଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ବିଶ୍ୱରେ କରୋନା ରୋଗର ମୁକାବିଲାଟି ପ୍ରଥମେ ମାସ୍କର ପରିଧାନ, କ୍ୱାରାଣ୍ଟାଇନ୍‌ ବା ସଙ୍ଗରୋଧ, ପରୀକ୍ଷା ଜରିଆରେ ସଂକ୍ରମଣର ଚିହ୍ନଟ ଏବଂ ହସ୍‌ପିଟାଲ ଚିକିତ୍ସା ମାଧ୍ୟମରେ ହିଁ କରାଯାଉଛି। ବିଜ୍ଞାନର ନିୟମ ଆଧାରରେ ସଂକ୍ରମଣର ଶୃଙ୍ଖଳାକୁ ରୋକିବାକୁ ଲକ୍‌ଡାଉନ୍‌ କରାଯାଉଛି। କରୋନାର ଏଯାଏ ଔଷଧ ବାହାରି ନ ଥିଲେ ବି ସଂକ୍ରମିତକୁ ହସ୍‌ପିଟାଲରେ ଦାଖଲ କରି ତା’ର ଲକ୍ଷଣ ଭିତ୍ତିକ ଚିକିତ୍ସା ଅଥବା ଆଜିକାଲି ପ୍ଲାଜ୍‌ମାଥେରାପି ଜରିଆରେ ଚିକିତ୍ସା କରାଯାଉଛି। ଗୁରୁତର ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ଏକ ବଡ଼ଧରଣର ହତିଆର ଭାବେ ବ୍ୟବହୃତ ହେଉଛି। ସବୁଠାରୁ ବଡ଼ କଥା ହେଲା ବିଜ୍ଞାନ କାରଣରୁ ହିଁ ରୋଗ ଓ ତା’ର ପ୍ରତିରୋଧ ସମ୍ପର୍କରେ ସମସ୍ତ ଟିକିନିଖି କଥା ଓ ତଥ୍ୟ ଆଜି ପ୍ରତି ସମୟରେ ଟିଭି, ରେଡିଓ, ମୋବାଇଲ ଏବଂ ଇଣ୍ଟରନେଟ୍‌ ଜରିଆରେ ବିଶ୍ୱର ଶହ ଶହ କୋଟି ଲୋକଙ୍କ ନିକଟକୁ ପହଞ୍ଚିବା ଫଳରେ ସେମାନଙ୍କୁ ରୋଗର ମୁକାବିଲାରେ ସାହାଯ୍ୟ କରିପାରୁଛି।
କରୋନା ଭଳି ଏକ ସାମାନ୍ୟ ଭୂତାଣୁର ଭୟରେ ଯେତେବେଳେ ଧର୍ମର ପ୍ରବକ୍ତାମାନେ ନିଜକୁ ଅସହାୟ ମନେକରି ଭାଟିକାନ୍‌ଠାରୁ ଆରମ୍ଭ କରି ମକ୍କା ଓ ମଦ୍ଦିନା, ଶିରିଡ଼ି ସାଇ, ବୈଷ୍ଣୋଦେବୀ, ତିରୁପତି ବାଲାଜୀ ପରି ସାରା ବିଶ୍ୱର ପ୍ରମୁଖ ଧର୍ମସ୍ଥଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି, ସେତେବେଳେ କିନ୍ତୁ ଏହି ଭୂତାଣୁର ମୁକାବିଲା ବିଜ୍ଞାନ ଆଗେଇ ଆସିଛି। କୋଭିଡ୍‌-୧୯ର ଔଷଧ ଓ ଟିକାର ଉଦ୍‌ଭାବନ ପାଇଁ ବିଶ୍ୱରେ ଶହେରୁ ଊର୍ଦ୍ଧ୍ୱ ସ୍ଥାନରେ ବୈଜ୍ଞାନିକମାନେ ଲାଗି ପଡ଼ିଥିବା ବେଳେ ଡାକ୍ତରଖାନାଗୁଡ଼ିକ ଚବିଶ ଘଣ୍ଟିଆ ଖୋଲା ରହିଛି। କରୋନାରୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ସମ୍ମୁଖରେ ଥିବାବେଳେ ବହୁସଂଖ୍ୟାରେ ସଂକ୍ରମିତ ହୋଇ ନିଜର ଜୀବନ ବି ହରାଇଛନ୍ତି।
ବିଶ୍ୱରେ ମଣିଷକୁ ଯେତେସବୁ ରୋଗ ହେଉଛି ତାକୁ ବୁଝିବାରେ, ତା’ର କାରଣକୁ ଚିହ୍ନଟ କରିବାରେ ତଥା ତା’ର ଔଷଧ ବା ଟିକାର ଉଦ୍‌ଭାବନ କରିବାରେ କେବଳ ବିଜ୍ଞାନ ହିଁ ସକ୍ଷମ ହୋଇପାରିଛି। ଅତୀତରେ ଯେଉଁ ପୋଲିଓ ଏବଂ କୁଷ୍ଠରୋଗକୁ ଦିନେ ‘ପୂର୍ବଜନ୍ମର ପାପର ଫଳ’, ‘ଭଗବାନଙ୍କ ଅଭିଶାପ’ ବୋଲି କୁହାଯାଉଥିଲା, ହଇଜା, ବସନ୍ତ ପରି ଅନେକ ରୋଗ, ଯେଉଁଥିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ପ୍ରାଣ ହରାଉଥିଲେ, ତାକୁ ବୁଝି ନ ପାରି ଲୋକେ ଭଗବାନ କିମ୍ବା ଭଗବାନଙ୍କ ଲୀଳା ବୋଲି ପୂଜା କରୁଥିଲେ କିମ୍ବା ପଣାପାଣି, ପଶୁବଳି ଦେଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଥିଲେ, ତାକୁ ବିଜ୍ଞାନ ହିଁ  ମୁଳୋତ୍ପାଟନ କରିବାର ଉପାୟ ବାହାର କରିପାରିଛି।
ତେବେ ସୁଖର କଥା ଯେ କରୋନାର ମୁକାବିଲା ପାଇଁ ଆଜି ସାଧାରଣ ଲୋକେ ଗୁଣିଆ, ଓଝାଙ୍କ ତନ୍ତ୍ରମନ୍ତ୍ରର ସହାୟତା ଅଥବା ବାବା ମାତା ଓ ଧର୍ମଗୁରୁଙ୍କ ଅବୈଜ୍ଞାନିକ ପ୍ରବଚନ ଅପେକ୍ଷା ଡାକ୍ତର ଓ ବୈଜ୍ଞାନିକମାନଙ୍କ ପରାମର୍ଶକୁ ହିଁ ଅଧିକ ଗ୍ରହଣ କରୁଛନ୍ତି। ଆଜିକାଲି ଟିଭି ପରଦାରେ ବାବାମାତାଙ୍କ ପ୍ରବଚନ କିମ୍ବା ଜ୍ୟୋତିର୍ବିଦ୍‌ମାନଙ୍କ ଭବିଷ୍ୟତବାଣୀ ବଦଳରେ ଡାକ୍ତର, ବୈଜ୍ଞାନିକ, ସ୍ବାସ୍ଥ୍ୟ ବିଶେଷଜ୍ଞ କିମ୍ବା ନୀତିନିର୍ମାତାମାନଙ୍କୁ ଅଧିକ ଦେଖିବାକୁ ମିଳୁଛି। ଲୋକେ ରୋଗ ଓ ତା’ର ପ୍ରତିକାର ବିଷୟରେ ଜ୍ଞାନ ଓ ତଥ୍ୟ ହାସଲ କରିବା ପାଇଁ ଡାକ୍ତର ଏବଂ ବିଜ୍ଞାନ ଉପରେ ଅଧିକ ଭରସା କରିବା ନିଶ୍ଚିତ ରୂପେ ଏକ ଭଲ ସୂଚନା।
ବିଜ୍ଞାନକୁ ହତିଆର କରି ହିଁ ଅଚିହ୍ନା, ଅଜଣା ରାସ୍ତାରେ ମାନବ ସମାଜ ଚାଲି ଆସିଛି। କଲେରା, ଯକ୍ଷ୍ମା, ପ୍ଳେଗ, ମ୍ୟାଲେରିଆ, ସ୍ପାନିଶ୍‌ ଫ୍ଲୁ ପରି ଭୟଙ୍କର ସଂକ୍ରାମକ ରୋଗ ବିରୁଦ୍ଧରେ ମଣିଷର ଏହି ଲଢ଼େଇ ବିଜ୍ଞାନକୁ ହତିଆର କରି ହିଁ ସଫଳତା ଲାଭ କରିଛି। କ୍ୟାନ୍‌ସର୍‌, ଏଚ୍‌ଆଇଭି ପରି ମାରାତ୍ମକ ରୋଗର ଚିକିତ୍ସାରେ ବି ଆଜି ବିଜ୍ଞାନ ହିଁ ଏକମାତ୍ର ହତିଆର ହୋଇଆସିଛି। ପ୍ରତିଷେଧକର ଆବିଷ୍କାର ପାଇଁ ଲଢ଼େଇରେ ବିଜ୍ଞାନ ଓ ବୈଜ୍ଞାନିକମାନଙ୍କ ଅସାମାନ୍ୟ ସଂଗ୍ରାମର ଗୌରବୋଜ୍ଜ୍ୱଳ ଇତିହାସକୁ ବି ଆମେ ଜାଣିଛେ। ପ୍ରତିକୂଳତାର ବିରୁଦ୍ଧରେ ଧାରାବାହିକ ସଂଗ୍ରାମ ଓ ପ୍ରତିକୂଳତାକୁ ଅତିକ୍ରମ କରି ଆଗେଇଯିବା ହିଁ ହୋଇଛି ମାନବ ସଭ୍ୟତାର ଇତିହାସ। ବିଜ୍ଞାନ, ଏକତା, ଆତ୍ମବିଶ୍ୱାସ ଓ ଦୃଢ଼ତାକୁ ପାଥେୟ କରି ହିଁ ମଣିଷ ସାଫଲ୍ୟ ଅର୍ଜନ କରିଛି। ଅତଏବ କରୋନା ଭୂତାଣୁ ବିରୁଦ୍ଧରେ ବିଜ୍ଞାନର ସହାୟତାରେ ମଣିଷର ଏହି ଲଢ଼େଇ ବି ଶେଷରେ ଯେ ସଫଳ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
ଫୋନ୍‌ : ୯୪୩୭୧୬୬୩୯୧
bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri