ବିଚାର ବ୍ୟବସ୍ଥାରେ ସଂସ୍କାର ଲୋଡ଼ା

ଡ. ଜୟଦେବ ସାହୁ

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବିଶ୍ୱର ଏକ ଶକ୍ତିଶାଳୀ ନ୍ୟାୟାଳୟ ଭାବରେ ପରିଗଣିତ। ଏକ ଶକ୍ତ ବିଚାର ବ୍ୟବସ୍ଥା ପାଇଁ ହିଁ ବିଶ୍ୱରେ ଭାରତ ଏକ ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର। ସବୁବେଳେ ନ୍ୟାୟାଳୟ ଚେଷ୍ଟା କରି ଆସିଛି ନିରପେକ୍ଷ ହୋଇ ମାମଲାଗୁଡ଼ିକର ଫଇସଲା କରିବା ପାଇଁ। ତେବେ ଭାରତୀୟ ବିଚାର ବ୍ୟବସ୍ଥା ତ୍ରୁଟିଶୂନ୍ୟ ନୁହେଁ। ସେଥିପାଇଁ ବିଭିନ୍ନ ସମୟରେ ବିଚାର ବ୍ୟବସ୍ଥାରେ ସଂସ୍କାର ଆଣିବାର ପ୍ରଚେଷ୍ଟା କରାଯାଇଛି। ନିକଟରେ ମାନ୍ୟବର ସୁପ୍ରିମ କୋର୍ଟ ବିଚାର ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ବିଶେଷ ଚିନ୍ତା ପ୍ରକଟ କରିଛନ୍ତି। ଦୀର୍ଘ ୩୦ ବର୍ଷ ଧରି ଜଣେ କାରାବାସ କଲାପରେ ସେ ନିର୍ଦ୍ଦୋଷରେ ଖଲାସ ହେଲା ଶୀର୍ଷ ଅଦାଲତ ଦ୍ୱାରା। ଅଦାଲତ ନିଜେ ବ୍ୟଥିତ ହୋଇ ପଡ଼ିଛନ୍ତି ଏହି ମାମଲାରେ। ଏହା କେବଳ ଗୋଟିଏ ଘଟଣା ନୁହେଁ, ଏଭଳି ଅନେକ ସଂଖ୍ୟାରେ ଲୋକମାନେ ବିନା ଦୋଷରେ କାରାଗାରର ଅନ୍ଧାର କୋଠରିରେ ନିଜ ଜୀବନ ଦୀପକୁ ନିର୍ବାପିତ କରୁଛନ୍ତି। ଅନେକ କାରଣ ଯୋଗୁ ନ୍ୟାୟ ଠିକ୍‌ ସମୟରେ ମିଳୁ ନ ଥିବାରୁ ଦୋଷୀ ଖସି ଯିବାରେ ସଫଳ ହେଉଛି ଏବଂ ବିଳମ୍ବିତ ନ୍ୟାୟ ନିର୍ଦ୍ଦୋଷଙ୍କ ପାଇଁ ଏକ ଶାସ୍ତି ସଦୃଶ। କଥାରେ ଅଛି ବିଳମ୍ବିତ ନ୍ୟାୟ ଅନ୍ୟାୟ। ଅନେକ ନିର୍ଦ୍ଦୋଷ ବ୍ୟକ୍ତି ନ୍ୟାୟ ବ୍ୟବସ୍ଥାରେ ଥିବା ଫାଙ୍କ ଯୋଗୁ ଖଲାସ ହେବାର ଅନେକ ନଜିର ରହିଛି।
ଏକ ତଥ୍ୟ ଅନୁସାରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ି ମାଲଦା ଅଦାଲତରେ ୧୯୫୨ ଏପ୍ରିଲ ୪ ତାରିଖରେ ଜାବେନ୍ଦ୍ର ନାରାୟଣ ଚୌଧୁରୀ ଓ ଆଶୁତୋଷ ଚୌଧୁରୀ ଏକ ଜମି ବିଭାଜନ ମାମଲା ଦାଏର କରିଥିଲେ। କିନ୍ତୁ ତା’ର ପ୍ରଥମ ଶୁଣାଣି ଅଗଷ୍ଟ ୧୧ ତାରିଖ ୨୦୧୭ ମସିହାରେ ହୋଇଥିଲା। ଏମିତି ଅନେକ ମାମଲା ୫୦ ବର୍ଷରୁ ଅଧିକ ବର୍ଷ ଶୁଣାଣି ନ ହୋଇ ପଡି ରହିଛି। କେନ୍ଦ୍ର ଆଇନମନ୍ତ୍ରୀ ସ୍ବୀକାର କରି କହିଲେ ଯେ, ସୁପ୍ରିମ କୋର୍ଟରେ ୫୦ ବର୍ଷ ପୁରୁଣା ବେଶି ମାମଲା ନାହିଁ, କିନ୍ତୁ ଉଚ୍ଚ ନ୍ୟାୟାଳୟମାନଙ୍କରେ ଅନେକ ମାମଲାର ବୟସ ୫୦ ବର୍ଷରୁ ଅଧିକ। ଏତେ ବର୍ଷ ପରେ ଯଦି ଜଣେ ନିର୍ଦ୍ଦୋଷ ପ୍ରମାଣିତ ହୁଏ, ତେବେ ତା’ର ଅର୍ଥ କ’ଣ? ମୁଦେଇ ବା ମୁଦାଲା ସେତେବେଳେ ହୁଏତ ଏ ପୃଥିବୀରେ ନ ଥିବେ। ଏଇ ନିକଟରେ ଓ ମୟୂରଭଞ୍ଜ ଜିଲାର ବଳରାମପୁର ଗ୍ରାମର ହାବିଲ ସିନ୍ଧୁ ୩ ଜଣ ପଡ଼ୋଶୀଙ୍କୁ ହତ୍ୟା କରିଥିବା ମାମଲାରେ ଛନ୍ଦି ହୋଇ ଦୀର୍ଘ ୧୯ ବର୍ଷ କାରଗାରରେ ରହିବା ପରେ ନିର୍ଦ୍ଦୋଷରେ ମୁକ୍ତ ହେଲେ। ଏତେ ବର୍ଷ ପରେ ହତ୍ୟା ମାମଲାରେ ସମ୍ପୃକ୍ତ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହେଲା ପରେ ସମାଜ ତାକୁ ଠିକ୍‌ ଭାବେ ଗ୍ରହଣ କରିବ ତ ? ତା’ର ହଜି ଯାଇଥିବା ଅମୂଲ୍ୟ ୧୯ ବର୍ଷ ଭରଣା ହୋଇପାରିବ କି? ଥରେ ସମ୍ମାନ ହରେଇ ସାରିବା ପରେ ସେ ସମ୍ମାନର ସହିତ ବଞ୍ଚିପାରିବ ତ ? ଜବଲପୁର ସେସନ୍ସ ଜଜ୍‌ ଏକ ହତ୍ୟା ମାମଲାରେ ଓମ୍‌ପ୍ରକାଶ ଯାଦବ ଓ ଅନ୍ୟ ଦୁଇ ଜଣଙ୍କୁ ଫାଶିଦଣ୍ଡରେ ଦଣ୍ଡିତ କଲେ ଏବଂ ଉଚ୍ଚ ନ୍ୟାୟାଳୟ ମଧ୍ୟ ଏହି ଦଣ୍ଡକୁ କାଏମ ରଖିଲେ। କିନ୍ତୁ ଉଚ୍ଚତମ ନ୍ୟାୟାଳୟ ମୃତ୍ୟୁ ଦଣ୍ଡ ପାଇଥିବା ଏହି ତିନି ଜଣଙ୍କୁ ନିର୍ଦ୍ଦୋଷ ବୋଲି ଖଲାସ କଲେ। ପ୍ରଶ୍ନ ଉଠେ ଜଣେ ସାଧାରଣ ବ୍ୟକ୍ତି ଯାହା ପାଖରେ ଅର୍ଥ ନାହିଁ ସେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଯାଇ ପାରିବ କି । ଏତେ ଦିନର ନ୍ୟାୟିକ ସଂଘର୍ଷ ପରେ ତା’ର ମାନସିକ ଓ ଆର୍ଥିକ ଅବସ୍ଥା କିପରି ଥିବ । ଏମିତି ଅନେକ ମାମଲାରେ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଉପର ଅଦାଲତ ନିର୍ଦ୍ଦୋଷ ବୋଲି ଦଣ୍ଡ ମୁକ୍ତ କରିଥିବାର ନଜିର ଅଛି। ତଳ କୋର୍ଟର ଯେଉଁ ବିଚାରପତି ଦୋଷୀ ସାବ୍ୟସ୍ତ କରି ଥାଆନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ଖୁବ୍‌ କମ୍‌ ଉଦାହରଣ ଅଛି। ଅବଶ୍ୟ ଦଣ୍ଡ ବିଧାନ ଯଦି ଉଦ୍ଦେଶ୍ୟମୂଳକ ହୋଇଥିବ ତେବେ ଭାରତୀୟ ପିଙ୍ଗଳ ଆଇନ ୨୧୯ ଧାରା ଲାଗୁ କରାଯାଇପାରେ।
କଶ୍ମୀରର ଜାମାରୁଦ ହବିବ ନାମ୍ନୀ ଜଣେ ମହିଳା ତାଙ୍କ ପୁସ୍ତକ ‘କଏଦୀ ନମ୍ବର ୧୦୦’ରେ ବିନା ଦୋଷରେ କାରାଗାରରେ କଟାଇଥିବା ଯନ୍ତ୍ରଣାମୟ ପାଞ୍ଚ ବର୍ଷର ତାଙ୍କ ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଦୀର୍ଘ ପାଞ୍ଚ ବର୍ଷ ସେ ଯେଉଁ ମାନସିକ ଯନ୍ତ୍ରଣାରେ ଛଟ ପଟ ହୋଇଛନ୍ତି, ତା’ର ଭରଣା ହୋଇପାରିବ କି? ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାର ବିଶେଷ ବ୍ୟବସ୍ଥା ପ୍ରଚଳିତ ନ୍ୟାୟ ବ୍ୟବସ୍ଥାରେ ନାହିଁ। ସେଥିପାଇଁ ବ୍ୟକ୍ତି ଜଣକ ଅସହାୟ ହୋଇ ପଡ଼େ।
୨୦୧୮ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ଆକଳନ ଅନୁସାରେଦାଏର ହୋଇଥିବା ୩୩.୧୫ ଲକ୍ଷ ମାମଲାରୁ ମାତ୍ର ୮.୬୪ ଲକ୍ଷ ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଲେ। ହତ୍ୟା ମାମଲାଗୁଡ଼ିକରେ ୩୮.୧ ପ୍ରତିଶତ ଓ ବଳାତ୍କାର ପାଇଁ ମାତ୍ର ୨୫.୪ ପ୍ରତିଶତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଛନ୍ତି। ମାମଲାରୁ ଅନେକ କାରଣ ପାଇଁ ଦୋଷୀମାନେ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି। ଏଥିପାଇଁ ନ୍ୟାୟାଳୟକୁ ସମ୍ପୂର୍ଣ୍ଣ ଦୋଷାରୋପ କରାଯାଇ ନ ପାରେ। ଆଇନରେ ଥିବା ଫାଙ୍କ, ତଦନ୍ତରେ ପୋଲିସ ଅଫିସରଙ୍କ ଅବହେଳା, ସାକ୍ଷୀମାନଙ୍କ ଭୁଲ୍‌ ବୟାନ ଯୋଗୁ ବହୁ ଅପରାଧୀ ଦଣ୍ଡ ମୁକ୍ତ ହୁଅନ୍ତି। ଏଇଥିପାଇଁ ବିଚାର ବ୍ୟବସ୍ଥାର ସଂସ୍କାର ପାଇଁ ୨୦୦୦ ମସିହାରେ ଗଠିତ କମିଟିର ନ୍ୟାୟମୂର୍ତ୍ତି ଭି.ଏସ. ମାଲିମଠ କହିଲେ, ପ୍ରଚଳିତ ନ୍ୟାୟ ବ୍ୟବସ୍ଥା ଦୋଷୀ ସପକ୍ଷରେ ରହିଥିବା ବେଳେ ପୀଡ଼ିତଙ୍କ ନ୍ୟାୟ ପାଇଁ ବିଶେଷ ବ୍ୟବସ୍ଥା ନାହିଁ । ତେଣୁ ସଂସ୍କାରର ଆବଶ୍ୟକତା ରହିଛି। ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ରାମନା ପ୍ରଚଳିତ ନ୍ୟାୟ ବ୍ୟବସ୍ଥାର ସଂସ୍କାର ସପକ୍ଷରେ ଥିଲେ। ସେ ବିଚାର ବ୍ୟବସ୍ଥାର ଭାରତୀୟ କରଣ ଉପରେ ଗୁରୁତ୍ୱାରୋପ କଲେ। ନ୍ୟାୟ ବ୍ୟବସ୍ଥା ଲୋକକୈନ୍ଦ୍ରିକ ହେଲେ ହିଁ ଲୋକେ ଉପକୃତ ହେବେ। ତାଙ୍କ ମତ ଅନୁସାରେ ଗାଁରୁ ଆସିଥିବା ଜଣେ ବ୍ୟକ୍ତି ପାଇଁ ନ୍ୟାୟାଳୟ ଅପରିଚିତ ଜାଗା। ସେ କୋର୍ଟର ଇଂଲିଶରେ ଜବାବ ସୁଆଲ ବୁଝିପାରେ ନାହିଁ। ମାମଲାର ବିଚାର ପ୍ରକ୍ରିୟା ଲମ୍ବା ହେଉଥିବାରୁ ସେ ତଳିତଳାନ୍ତ ହୋଇଯାଏ।
ମାମଲାର ଶୀଘ୍ର ଫଇସଲା ପାଇଁ ଅଧିକ ବିଚାରପତି ନିଯୁକ୍ତି, ଅଧିକ ଫାଷ୍ଟ୍ରାକ କୋର୍ଟ ପ୍ରତିଷ୍ଠା, ଆଇନକାନୁନ୍‌ରେ ଯୁଗୋପଯୋଗୀ ସଂଶୋଧନ, ନ୍ୟାୟିକ ପଦ୍ଧତିର ସରଳୀକରଣ, କୋର୍ଟରେ ମାତୃଭାଷାର ପ୍ରଚଳନ, ଅଧିକ ଦେୟମୁକ୍ତ ନ୍ୟାୟିକ ସାହାଯ୍ୟ ଯୋଗାଇ ଦେଲେ ବିଚାର ବ୍ୟବସ୍ଥା ତ୍ରୁଟିଶୂନ୍ୟ ଓ ଆସ୍ଥାଭାଜନ ହୋଇପାରିବ। ବହୁ ଦିନରୁ ପ୍ରଚଳିତ ଉପନିବେଶବାଦୀ ନିୟମ କାନୁନ୍‌ର ସଂଶୋଧନ ଜରୁରୀ।
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ,
ଭବାନୀପାଟଣା
ମୋ:୭୯୭୮୯୯୦୦୧୬


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଚୋରି

ପାଣିର ଅନ୍ୟ ନାମ ଜଳ। ଜଳ ବିନା ବଞ୍ଚିବା ଅସମ୍ଭବ। ପୃଥିବୀରେ ୩ ଭାଗ ଜଳ ଥିବାବେଳେ ୧ ଭାଗ ସ୍ଥଳ ରହିଛି। ତେବେ ଅନେକ...

ନାଁ ବଦଳେଇବାର ଖେଳ

ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଆମ ସାର୍‌ ଥରେ କଳାପଟାରେ ଦୁଇଟା ସମାନ ଲମ୍ବର ଗାର ଟାଣି ପଚାରିଲେ, କୌଣସି ବି ଗାରକୁ ନ ଲିଭେଇ...

ଅଭିନବତ୍ୱ ଲାଭଦାୟକ

ସାରା ବିଶ୍ୱରେ ମହିଳାମାନେ ବାର୍ଷିକ ପ୍ରାୟ ୩୨ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ପରିଚାଳନା ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ସେମାନେ ଇଚ୍ଛାନୁମୋଦିତ ଖର୍ଚ୍ଚର...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri