ବିଚାର ବ୍ୟବସ୍ଥାରେ ସଂସ୍କାର ଲୋଡ଼ା

ଡ. ଜୟଦେବ ସାହୁ

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବିଶ୍ୱର ଏକ ଶକ୍ତିଶାଳୀ ନ୍ୟାୟାଳୟ ଭାବରେ ପରିଗଣିତ। ଏକ ଶକ୍ତ ବିଚାର ବ୍ୟବସ୍ଥା ପାଇଁ ହିଁ ବିଶ୍ୱରେ ଭାରତ ଏକ ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର। ସବୁବେଳେ ନ୍ୟାୟାଳୟ ଚେଷ୍ଟା କରି ଆସିଛି ନିରପେକ୍ଷ ହୋଇ ମାମଲାଗୁଡ଼ିକର ଫଇସଲା କରିବା ପାଇଁ। ତେବେ ଭାରତୀୟ ବିଚାର ବ୍ୟବସ୍ଥା ତ୍ରୁଟିଶୂନ୍ୟ ନୁହେଁ। ସେଥିପାଇଁ ବିଭିନ୍ନ ସମୟରେ ବିଚାର ବ୍ୟବସ୍ଥାରେ ସଂସ୍କାର ଆଣିବାର ପ୍ରଚେଷ୍ଟା କରାଯାଇଛି। ନିକଟରେ ମାନ୍ୟବର ସୁପ୍ରିମ କୋର୍ଟ ବିଚାର ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ବିଶେଷ ଚିନ୍ତା ପ୍ରକଟ କରିଛନ୍ତି। ଦୀର୍ଘ ୩୦ ବର୍ଷ ଧରି ଜଣେ କାରାବାସ କଲାପରେ ସେ ନିର୍ଦ୍ଦୋଷରେ ଖଲାସ ହେଲା ଶୀର୍ଷ ଅଦାଲତ ଦ୍ୱାରା। ଅଦାଲତ ନିଜେ ବ୍ୟଥିତ ହୋଇ ପଡ଼ିଛନ୍ତି ଏହି ମାମଲାରେ। ଏହା କେବଳ ଗୋଟିଏ ଘଟଣା ନୁହେଁ, ଏଭଳି ଅନେକ ସଂଖ୍ୟାରେ ଲୋକମାନେ ବିନା ଦୋଷରେ କାରାଗାରର ଅନ୍ଧାର କୋଠରିରେ ନିଜ ଜୀବନ ଦୀପକୁ ନିର୍ବାପିତ କରୁଛନ୍ତି। ଅନେକ କାରଣ ଯୋଗୁ ନ୍ୟାୟ ଠିକ୍‌ ସମୟରେ ମିଳୁ ନ ଥିବାରୁ ଦୋଷୀ ଖସି ଯିବାରେ ସଫଳ ହେଉଛି ଏବଂ ବିଳମ୍ବିତ ନ୍ୟାୟ ନିର୍ଦ୍ଦୋଷଙ୍କ ପାଇଁ ଏକ ଶାସ୍ତି ସଦୃଶ। କଥାରେ ଅଛି ବିଳମ୍ବିତ ନ୍ୟାୟ ଅନ୍ୟାୟ। ଅନେକ ନିର୍ଦ୍ଦୋଷ ବ୍ୟକ୍ତି ନ୍ୟାୟ ବ୍ୟବସ୍ଥାରେ ଥିବା ଫାଙ୍କ ଯୋଗୁ ଖଲାସ ହେବାର ଅନେକ ନଜିର ରହିଛି।
ଏକ ତଥ୍ୟ ଅନୁସାରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ି ମାଲଦା ଅଦାଲତରେ ୧୯୫୨ ଏପ୍ରିଲ ୪ ତାରିଖରେ ଜାବେନ୍ଦ୍ର ନାରାୟଣ ଚୌଧୁରୀ ଓ ଆଶୁତୋଷ ଚୌଧୁରୀ ଏକ ଜମି ବିଭାଜନ ମାମଲା ଦାଏର କରିଥିଲେ। କିନ୍ତୁ ତା’ର ପ୍ରଥମ ଶୁଣାଣି ଅଗଷ୍ଟ ୧୧ ତାରିଖ ୨୦୧୭ ମସିହାରେ ହୋଇଥିଲା। ଏମିତି ଅନେକ ମାମଲା ୫୦ ବର୍ଷରୁ ଅଧିକ ବର୍ଷ ଶୁଣାଣି ନ ହୋଇ ପଡି ରହିଛି। କେନ୍ଦ୍ର ଆଇନମନ୍ତ୍ରୀ ସ୍ବୀକାର କରି କହିଲେ ଯେ, ସୁପ୍ରିମ କୋର୍ଟରେ ୫୦ ବର୍ଷ ପୁରୁଣା ବେଶି ମାମଲା ନାହିଁ, କିନ୍ତୁ ଉଚ୍ଚ ନ୍ୟାୟାଳୟମାନଙ୍କରେ ଅନେକ ମାମଲାର ବୟସ ୫୦ ବର୍ଷରୁ ଅଧିକ। ଏତେ ବର୍ଷ ପରେ ଯଦି ଜଣେ ନିର୍ଦ୍ଦୋଷ ପ୍ରମାଣିତ ହୁଏ, ତେବେ ତା’ର ଅର୍ଥ କ’ଣ? ମୁଦେଇ ବା ମୁଦାଲା ସେତେବେଳେ ହୁଏତ ଏ ପୃଥିବୀରେ ନ ଥିବେ। ଏଇ ନିକଟରେ ଓ ମୟୂରଭଞ୍ଜ ଜିଲାର ବଳରାମପୁର ଗ୍ରାମର ହାବିଲ ସିନ୍ଧୁ ୩ ଜଣ ପଡ଼ୋଶୀଙ୍କୁ ହତ୍ୟା କରିଥିବା ମାମଲାରେ ଛନ୍ଦି ହୋଇ ଦୀର୍ଘ ୧୯ ବର୍ଷ କାରଗାରରେ ରହିବା ପରେ ନିର୍ଦ୍ଦୋଷରେ ମୁକ୍ତ ହେଲେ। ଏତେ ବର୍ଷ ପରେ ହତ୍ୟା ମାମଲାରେ ସମ୍ପୃକ୍ତ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହେଲା ପରେ ସମାଜ ତାକୁ ଠିକ୍‌ ଭାବେ ଗ୍ରହଣ କରିବ ତ ? ତା’ର ହଜି ଯାଇଥିବା ଅମୂଲ୍ୟ ୧୯ ବର୍ଷ ଭରଣା ହୋଇପାରିବ କି? ଥରେ ସମ୍ମାନ ହରେଇ ସାରିବା ପରେ ସେ ସମ୍ମାନର ସହିତ ବଞ୍ଚିପାରିବ ତ ? ଜବଲପୁର ସେସନ୍ସ ଜଜ୍‌ ଏକ ହତ୍ୟା ମାମଲାରେ ଓମ୍‌ପ୍ରକାଶ ଯାଦବ ଓ ଅନ୍ୟ ଦୁଇ ଜଣଙ୍କୁ ଫାଶିଦଣ୍ଡରେ ଦଣ୍ଡିତ କଲେ ଏବଂ ଉଚ୍ଚ ନ୍ୟାୟାଳୟ ମଧ୍ୟ ଏହି ଦଣ୍ଡକୁ କାଏମ ରଖିଲେ। କିନ୍ତୁ ଉଚ୍ଚତମ ନ୍ୟାୟାଳୟ ମୃତ୍ୟୁ ଦଣ୍ଡ ପାଇଥିବା ଏହି ତିନି ଜଣଙ୍କୁ ନିର୍ଦ୍ଦୋଷ ବୋଲି ଖଲାସ କଲେ। ପ୍ରଶ୍ନ ଉଠେ ଜଣେ ସାଧାରଣ ବ୍ୟକ୍ତି ଯାହା ପାଖରେ ଅର୍ଥ ନାହିଁ ସେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଯାଇ ପାରିବ କି । ଏତେ ଦିନର ନ୍ୟାୟିକ ସଂଘର୍ଷ ପରେ ତା’ର ମାନସିକ ଓ ଆର୍ଥିକ ଅବସ୍ଥା କିପରି ଥିବ । ଏମିତି ଅନେକ ମାମଲାରେ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଉପର ଅଦାଲତ ନିର୍ଦ୍ଦୋଷ ବୋଲି ଦଣ୍ଡ ମୁକ୍ତ କରିଥିବାର ନଜିର ଅଛି। ତଳ କୋର୍ଟର ଯେଉଁ ବିଚାରପତି ଦୋଷୀ ସାବ୍ୟସ୍ତ କରି ଥାଆନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ଖୁବ୍‌ କମ୍‌ ଉଦାହରଣ ଅଛି। ଅବଶ୍ୟ ଦଣ୍ଡ ବିଧାନ ଯଦି ଉଦ୍ଦେଶ୍ୟମୂଳକ ହୋଇଥିବ ତେବେ ଭାରତୀୟ ପିଙ୍ଗଳ ଆଇନ ୨୧୯ ଧାରା ଲାଗୁ କରାଯାଇପାରେ।
କଶ୍ମୀରର ଜାମାରୁଦ ହବିବ ନାମ୍ନୀ ଜଣେ ମହିଳା ତାଙ୍କ ପୁସ୍ତକ ‘କଏଦୀ ନମ୍ବର ୧୦୦’ରେ ବିନା ଦୋଷରେ କାରାଗାରରେ କଟାଇଥିବା ଯନ୍ତ୍ରଣାମୟ ପାଞ୍ଚ ବର୍ଷର ତାଙ୍କ ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଦୀର୍ଘ ପାଞ୍ଚ ବର୍ଷ ସେ ଯେଉଁ ମାନସିକ ଯନ୍ତ୍ରଣାରେ ଛଟ ପଟ ହୋଇଛନ୍ତି, ତା’ର ଭରଣା ହୋଇପାରିବ କି? ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାର ବିଶେଷ ବ୍ୟବସ୍ଥା ପ୍ରଚଳିତ ନ୍ୟାୟ ବ୍ୟବସ୍ଥାରେ ନାହିଁ। ସେଥିପାଇଁ ବ୍ୟକ୍ତି ଜଣକ ଅସହାୟ ହୋଇ ପଡ଼େ।
୨୦୧୮ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ଆକଳନ ଅନୁସାରେଦାଏର ହୋଇଥିବା ୩୩.୧୫ ଲକ୍ଷ ମାମଲାରୁ ମାତ୍ର ୮.୬୪ ଲକ୍ଷ ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଲେ। ହତ୍ୟା ମାମଲାଗୁଡ଼ିକରେ ୩୮.୧ ପ୍ରତିଶତ ଓ ବଳାତ୍କାର ପାଇଁ ମାତ୍ର ୨୫.୪ ପ୍ରତିଶତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଛନ୍ତି। ମାମଲାରୁ ଅନେକ କାରଣ ପାଇଁ ଦୋଷୀମାନେ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି। ଏଥିପାଇଁ ନ୍ୟାୟାଳୟକୁ ସମ୍ପୂର୍ଣ୍ଣ ଦୋଷାରୋପ କରାଯାଇ ନ ପାରେ। ଆଇନରେ ଥିବା ଫାଙ୍କ, ତଦନ୍ତରେ ପୋଲିସ ଅଫିସରଙ୍କ ଅବହେଳା, ସାକ୍ଷୀମାନଙ୍କ ଭୁଲ୍‌ ବୟାନ ଯୋଗୁ ବହୁ ଅପରାଧୀ ଦଣ୍ଡ ମୁକ୍ତ ହୁଅନ୍ତି। ଏଇଥିପାଇଁ ବିଚାର ବ୍ୟବସ୍ଥାର ସଂସ୍କାର ପାଇଁ ୨୦୦୦ ମସିହାରେ ଗଠିତ କମିଟିର ନ୍ୟାୟମୂର୍ତ୍ତି ଭି.ଏସ. ମାଲିମଠ କହିଲେ, ପ୍ରଚଳିତ ନ୍ୟାୟ ବ୍ୟବସ୍ଥା ଦୋଷୀ ସପକ୍ଷରେ ରହିଥିବା ବେଳେ ପୀଡ଼ିତଙ୍କ ନ୍ୟାୟ ପାଇଁ ବିଶେଷ ବ୍ୟବସ୍ଥା ନାହିଁ । ତେଣୁ ସଂସ୍କାରର ଆବଶ୍ୟକତା ରହିଛି। ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ରାମନା ପ୍ରଚଳିତ ନ୍ୟାୟ ବ୍ୟବସ୍ଥାର ସଂସ୍କାର ସପକ୍ଷରେ ଥିଲେ। ସେ ବିଚାର ବ୍ୟବସ୍ଥାର ଭାରତୀୟ କରଣ ଉପରେ ଗୁରୁତ୍ୱାରୋପ କଲେ। ନ୍ୟାୟ ବ୍ୟବସ୍ଥା ଲୋକକୈନ୍ଦ୍ରିକ ହେଲେ ହିଁ ଲୋକେ ଉପକୃତ ହେବେ। ତାଙ୍କ ମତ ଅନୁସାରେ ଗାଁରୁ ଆସିଥିବା ଜଣେ ବ୍ୟକ୍ତି ପାଇଁ ନ୍ୟାୟାଳୟ ଅପରିଚିତ ଜାଗା। ସେ କୋର୍ଟର ଇଂଲିଶରେ ଜବାବ ସୁଆଲ ବୁଝିପାରେ ନାହିଁ। ମାମଲାର ବିଚାର ପ୍ରକ୍ରିୟା ଲମ୍ବା ହେଉଥିବାରୁ ସେ ତଳିତଳାନ୍ତ ହୋଇଯାଏ।
ମାମଲାର ଶୀଘ୍ର ଫଇସଲା ପାଇଁ ଅଧିକ ବିଚାରପତି ନିଯୁକ୍ତି, ଅଧିକ ଫାଷ୍ଟ୍ରାକ କୋର୍ଟ ପ୍ରତିଷ୍ଠା, ଆଇନକାନୁନ୍‌ରେ ଯୁଗୋପଯୋଗୀ ସଂଶୋଧନ, ନ୍ୟାୟିକ ପଦ୍ଧତିର ସରଳୀକରଣ, କୋର୍ଟରେ ମାତୃଭାଷାର ପ୍ରଚଳନ, ଅଧିକ ଦେୟମୁକ୍ତ ନ୍ୟାୟିକ ସାହାଯ୍ୟ ଯୋଗାଇ ଦେଲେ ବିଚାର ବ୍ୟବସ୍ଥା ତ୍ରୁଟିଶୂନ୍ୟ ଓ ଆସ୍ଥାଭାଜନ ହୋଇପାରିବ। ବହୁ ଦିନରୁ ପ୍ରଚଳିତ ଉପନିବେଶବାଦୀ ନିୟମ କାନୁନ୍‌ର ସଂଶୋଧନ ଜରୁରୀ।
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ,
ଭବାନୀପାଟଣା
ମୋ:୭୯୭୮୯୯୦୦୧୬


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?