ଫନୀ ଫେରାଇଛି ପୁରୁଣା ଦିନ

ପ୍ରକାଶ ତ୍ରିପାଠୀ
ଗତ ମେ ୩ତାରିଖରେ ଓଡ଼ିଶା ଉପକୂଳ ଜିଲାଗୁଡ଼ିକରେ ମହାପ୍ରଳୟ ଘଟାଇ ୧୯୯୯ ମହାବାତ୍ୟାର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି ସାମୁଦ୍ରିକ ଝଡ଼ ଫନୀ। ପୁରୀଠାରେ ସ୍ଥଳଭାଗକୁ ଛୁଇଁବା ପରେ ବାତ୍ୟାକୁ ନେଇ ସମସ୍ତ ଆଶଙ୍କା ଓ ଆକଳନକୁ ସତ୍ୟ ପ୍ରମାଣିତ କରିଦେଇଛି ଫନୀ। ୧୯୯୯ ମହାବାତ୍ୟାରୁ ବର୍ତ୍ତିଯାଇଥିବା ପୁରୀବାସୀଙ୍କର ମେ ୩ ତାରିଖ ଭୋର ପର୍ଯ୍ୟନ୍ତ ଅତୁଟ ବିଶ୍ୱାସ ଥିଲା ଯେ ପ୍ରଭୁ ଶ୍ରୀଜଗନ୍ନାଥ ପୁରୀକୁ ଧ୍ୱଂସମୁଖରୁ ନିଶ୍ଚିତ ସୁରକ୍ଷା ଦେବେ। ବାତ୍ୟା ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ରରୁ ବାନା ଉଡ଼ିଯିବା ପରେ ଅନେକ ପୁରୀବାସୀଙ୍କର ବିଶ୍ୱାସ ଅଧିକ ଦୃଢ଼ୀଭୂତ ହୋଇଥିଲା। କେହି କେହି କହିଥିଲେ ଯେ ମହାପ୍ରଭୁ କୁଆଡ଼େ ସମୁଦ୍ର ଭିତରକୁ ବାନା ପଠାଇ ମହାବାତ୍ୟାକୁ ରୋକିଦେବାକୁ ସନ୍ଦେଶ ଦେଇଛନ୍ତି। ନୀଳଚକ୍ରରୁ ବାନା ଉଡ଼ିଯିବାର ଦୃଶ୍ୟ ବି ନିମିଷକ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଯେଉଁମାନେ ଏକଥାକୁ ବିଶ୍ୱାସ କରିନେଇଥିଲେ, ସେମାନେ ବୋଧହୁଏ ବୁଝି ନ ଥିଲେ ଯେ ପ୍ରକୃତି ହିଁ ଈଶ୍ୱର। ଈଶ୍ୱରଙ୍କୁ ଅଟକାଇବା ବା ପ୍ରତିରୋଧ କରିବାର ଶକ୍ତି କାହାର ନାହିଁ।
ଅନେକ ସମାଲୋଚନାର ଶରବ୍ୟ ହୋଇଥିଲେ ବି, ଜନସାଧାରଣଙ୍କୁ ଅତିରଞ୍ଜିତ ମନେହୋଇଥିଲେ ବି ବାତ୍ୟା ସମ୍ପର୍କରେ ବାରମ୍ବାର ତଥ୍ୟ ପରିବେଷଣ ଓ ବାତ୍ୟାର ଯଥେଷ୍ଟ ପୂର୍ବରୁ ବ୍ୟାପକ ଜନସଚେତନତା ସୃଷ୍ଟି କରିପାରିଥିବାରୁ ଉଭୟ ପ୍ରିଣ୍ଟ ମିଡିଆ ଓ ଇଲେକ୍ଟ୍ରୋନିକ ମିଡିଆ ଧନ୍ୟବାଦାର୍ହ। ବାତ୍ୟା ସଂଘଟିତ ହେବାର ସପ୍ତାହକ ପୂର୍ବରୁ ଇଲେକ୍ଟ୍ରୋନିକ ମିଡିଆ ପକ୍ଷରୁ ଏ ସମ୍ପର୍କିତ ତଥ୍ୟ ତଥା ବାତ୍ୟାଜନିତ ଭୟାବହତା ଉପରେ କ୍ରମାଗତ କାର୍ଯ୍ୟକ୍ରମ ପରିବେଷଣକୁ ଅନେକେ ନାପସନ୍ଦ କରିବା ସହ ଏହା ଦ୍ୱାରା ଜନସାଧାରଣରେ ଅଯଥା ଆତଙ୍କ ସୃଷ୍ଟି କରାଯାଉଥିବା ଅଭିଯୋଗ ଉଠିଥିଲା। ଏପରି କି ସମୁଦ୍ର ଭିତରକୁ ଯାଇ ବାତ୍ୟାର ସିଧା ପ୍ରସାରଣ ଓ ବାତ୍ୟା ସହ ସ୍ଥଳଭାଗକୁ ଏକ ସମୟରେ ଆସିବାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଅନେକେ ଟିପ୍ପଣୀ ପ୍ରଦାନ କରିଥିଲେ। ଏତେବଡ଼ ମହାବାତ୍ୟାକୁ ସଫଳ ମୁକାବିଲା କରିବା, ମୃତାହତ ସଂଖ୍ୟାକୁ ଯଥେଷ୍ଟ ହ୍ରାସ କରିବାରେ ରାଜ୍ୟ ପ୍ରଶାସନକୁ ପ୍ରଶଂସା ମିଳିବା ସହ ମିଡିଆ ହାଉସ୍‌ଗୁଡ଼ିକର ସମୟୋଚିତ ଖବର ପରିବେଷଣକୁ ମଧ୍ୟ ବାହାବାଃ ମିଳିବା ସ୍ବାଭାବିକ। ସୋସିଆଲ ମିଡିଆ (ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଇତ୍ୟାଦି) ମଧ୍ୟ ଦୁଃସମୟରେ ଏହାର ଉପଯୋଗିତା ଓ ଆବଶ୍ୟକତାକୁ ପୁଣିଥରେ ପ୍ରମାଣିତ କରିଛି।
ସରକାରଙ୍କ ତ୍ୱରିତ ପଦକ୍ଷେପ, ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆ ଦ୍ୱାରା ବ୍ୟାପକ ଜନସଚେତନତା ସୃଷ୍ଟି ଓ ସୋସିଆଲ ମିଡିଆର ସୁବ୍ୟବହାର ପାଇଁ ଅନେକ ଧନଜୀବନ ଯେ ରକ୍ଷା ପାଇପାରିଲା ତାହା ଅସ୍ବୀକାର କରିହେବ ନାହିଁ। ୧୯୯୯ ମହାବାତ୍ୟାକୁ ମୁଁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିଲି ଓ ଫନୀ ବାତ୍ୟାର ଭୟାବହତାକୁ ବି ଅଙ୍ଗେ ନିଭେଇଛି। ପ୍ରାୟ ୨୦ ବର୍ଷର ବ୍ୟବଧାନରେ ଦୁଇଟି ମହାବାତ୍ୟାର ତାଣ୍ଡବଲୀଳା ମଧ୍ୟରେ ବିଶେଷ କିଛି ଫରକ ନାହିଁ। ସେତେବେଳେ ରାଜ୍ୟରେ ଏତେ ସଂଖ୍ୟକ ପକ୍କାଘର ନ ଥିଲା କି ବାତ୍ୟା ଆଶ୍ରୟସ୍ଥଳ ନ ଥିଲା। ବାତ୍ୟା ପୂର୍ବରୁ ଆଜି ଭଳି ଏତେମାତ୍ରାରେ ଜନସଚେତନତା ବା ସରକାରୀ ତତ୍ପରତା ପ୍ରକାଶ ପାଇପାରି ନ ଥିବାରୁ ବ୍ୟାପକ ଧନଜୀବନ କ୍ଷତି ଘଟିଥିଲା। ମାତ୍ର ୧୯୯୯ ମହାବାତ୍ୟାରୁ ଶିକ୍ଷାଲାଭ ଓ ୨୦୧୩ ପରଠାରୁ ଲଗାତର ସାମୁଦ୍ରିକ ଝଡ଼ରୁ ରାଜ୍ୟ ସରକାର ଓ ରାଜ୍ୟବାସୀ ଅନେକ ଶିକ୍ଷାଲାଭ କରିଥିବା ଯୋଗୁ ଫନୀର ଅନେକାଂଶରେ ସଫଳ ମୁକାବିଲା କରାଯାଇପାରିଲା। ଫନୀ ମୁକାବିଲାରେ ରାଜ୍ୟ ସରକାରଙ୍କର ପଦକ୍ଷେପକୁ ଇତିମଧ୍ୟରେ ଅନେକ ଅନ୍ତର୍ଜାତୀୟ ସଂଗଠନ ଓ ରାଷ୍ଟ୍ର ତାରିଫ କଲେଣି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ମଡେଲ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଅନୁକରଣୀୟ ହୋଇଛି। ଜାତିସଂଘ ଇତିମଧ୍ୟରେ ଓଡ଼ିଶାର ବାତ୍ୟା ପ୍ରଶମନ ପରିଚାଳନାକୁ ଭୂୟସୀ ପ୍ରଶଂସା କରିଛି।
ତେବେ ଗୋଟିଏ କଥା ଏଠାରେ ଉପସ୍ଥାପିତ କରିବାକୁ ବାଧ୍ୟ ହେଉଛୁ ଯେ, ଆମ ଲୋକଚରିତ୍ର ବଦଳି ନାହିଁ। ୧୯୯୯ ମହାବାତ୍ୟା ପରବର୍ତ୍ତୀ ଓ ଫନୀ ପରବର୍ତ୍ତୀ ସମୟରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟିକ ସ୍ଥଳରୁ ଚୋରି, ଗୁହାଳ ତଥା ଫାର୍ମରୁ କୁକୁଡ଼ା ଓ ଛେଳି ଚୋରି, ଏପରି କି ରିଲିଫ ସାମଗ୍ରୀ ବଣ୍ଟନରେ ବାଧା ସୃଷ୍ଟି କରିବା ଘଟଣା ଶୁଣିବାକୁ ମିଳୁଛି। ଏବେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ଥିତି ପ୍ରାୟ ସମାନ। ସବୁଠାରେ ନିର୍ବାଚନ ଉଷ୍ମତା ଏବେ ବି ଭରିରହିଛି ଓ ସ୍ବାଭାବିକ ଅବସ୍ଥା ଫେରିନାହିଁ। ରାଜନୈତିକ ମତକୁ ନେଇ ଗାଁ-ଗାଁ, ସାହି-ସାହି ଏବେ ବହୁଧା ବିଭକ୍ତ। ରାସ୍ତାଘାଟରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମିରହିଥିଲେ ହେଁ ଏହାକୁ ସଫା କରିବା ପାଇଁ ଲୋକେ ଅପେକ୍ଷା କରିରହିଛନ୍ତି ପ୍ରଶାସନକୁ। ଏପରି କି ନିଜ ଘର ସମ୍ମୁଖ ଅଞ୍ଚଳର ପରିଚ୍ଛନ୍ନତାକୁ ଲୋକେ ଦୃଷ୍ଟି ଦେଉନାହାନ୍ତି। ନିର୍ବାଚନ ପୂର୍ବରୁ ଗଳିକନ୍ଦିରେ ଘୂରି ବୁଲୁଥିବା ତଥା ବିଭିନ୍ନ ଦଳୀୟ ପତାକା ଧରି ନିଜକୁ ଦେଶସେବକର ଡିଣ୍ଡିମ ପିଟୁଥିବା ତଥାକଥିତ ଜନସେବକମାନଙ୍କର ଦେଖାନାହିଁ। ବାତ୍ୟା ପୂର୍ବବର୍ତ୍ତୀ ସତର୍କତା ପାଇଁ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ, ମାତ୍ର ବାତ୍ୟା ପରବର୍ତ୍ତୀ ସମୟର ଠିକ୍‌ ପରିଚାଳନା ହିଁ ସରକାରଙ୍କ ଦକ୍ଷତାର ଅସଲ ପରିଚୟ ହେବ।
ବିଦ୍ୟୁତ୍‌ ନାହିଁ, ପାଣି ନାହିଁ, ଟେଲିଫୋନ ନେଟ୍‌ଓ୍ବର୍କ ନାହିଁ, ଏଟିଏମ୍‌ ନାହିଁ କି ଯାନବାହନ ପାଇଁ ଇନ୍ଧନ ନାହିଁ। ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉଥିଲେ ହେଁ ସବୁ କିଛି ସ୍ବାଭାବିକ ହେବା ପାଇଁ ଅନେକ ଦିନ ଲାଗିବ। ସହରୀ ଲୋକ ଏବେ ଗାଁ ମୁହାଁ। ନାହିଁ ନାହିଁର ସହର ଏବେ ଆଉ ଭଲ ଲାଗୁନି। ଅତି କମ୍‌ରେ ନଳକୂପ, ପୋଖରୀ ଅଛି ଗାଁରେ। ଚଳି ହୋଇଯିବ। ଫନୀ ବାତ୍ୟା ଏବେ ଆମର ସାମାଜିକ ଚଳଣିକୁ ପଚାଶବର୍ଷ ତଳକୁ ଠେଲିଦେଇଛି। ତାଳପତ୍ର ତିଆରି ବିଞ୍ଚଣା ଗୋଟିକୁ ଅଶୀଟଙ୍କା ହେଲେ ବି କିଣିବାକୁ ବାଧୁନାହିଁ। ଗତ ୪ ତାରିଖରେ ପୁଅଟିଏ ପାଲିଙ୍କିରେ ବସି ବିବାହ କରିବାକୁ ଯାଉଥିବା ଦେଖିବାକୁ ମିଳିଲା। ରାସ୍ତାରେ ଇଲେକ୍ଟ୍ରିକ ଖୁଣ୍ଟ, ଗଛ ଓ ଭଙ୍ଗା ଆଜବେଷ୍ଟସ ପଡ଼ିଥିବା ଯୋଗୁ ସୌଖୀନ କାର୍‌ରେ ବରପାତ୍ର ଯିବା ସମ୍ଭବ ନ ହେବାରୁ ବହୁ ଖୋଜାଖୋଜିରେ ପାଲିଙ୍କିଟିଏ ଯୋଗାଡ଼ ହୋଇଥିଲା। ଘରେଘରେ ଏବେ କାଠଚୁଲିରେ ରୋଷେଇ। କାଳେ ଆଗକୁ ରନ୍ଧନ ଗ୍ୟାସ୍‌ ଅଭାବ ପଡ଼ିବ ବୋଲି କାଠଚୁଲି ଏବେ ଭାରି ପସନ୍ଦ। ଘରର ମହିଳାମାନେ ଗ୍ରାଇଣ୍ଡର ବଦଳରେ ମସଲା ଓ ବେସର ବାଟୁଛନ୍ତି ଶିଳରେ। ଫ୍ରିଜ୍‌ ଅଚଳ ଥିବାରୁ ଏବେ ତଟକା ପରିବାର ରୋଷେଇ ଚାଲିଛି ଓ ପୁରୁଣା ବାସି ଖାଦ୍ୟ ଫ୍ରିଜ୍‌ରୁ କାଢ଼ି ଗରମ କରି ଖାଇବାକୁ ପଡୁନାହିଁ। ଏବେ ପ୍ରତି ସାରେ ଡିବିରି ଓ ଲଣ୍ଠନ କାଚ ସଫା ହେଉଛି। ମୋବାଇଲ ଫୋନ ଓ ଟେଲିଭିଜନ ଅଚଳ ହୋଇଯାଇଥିବା ଯୋଗୁ ଘରର ସବୁ ସଦସ୍ୟ ସା ହେଲେ ଗୋଟିଏ ଘରେ ଡିବିରି ବା ଲଣ୍ଠନଟିଏ ଲଗାଇ ଏକାଠି ବସୁଛନ୍ତି। ଦୁଃଖ ସୁଖ ହେଉଛନ୍ତି, ପରସ୍ପରକୁ ସମୟ ଦେଇପାରୁଛନ୍ତି। ଏକାଠି ଖାଉଛନ୍ତି ଓ ବରଡ଼ା ବିଞ୍ଚଣା ଧରି ଗରମରୁ ରକ୍ଷାପାଉଛନ୍ତି। ନଳକୂପ ଓ ପୋଖରୀର ଉପଯୋଗିତା ବଢ଼ିଯାଇଛି। ରାତ୍ରିର ଖୋଲା ଆକାଶର ତାରାଭରା ଜହ୍ନରାତିରେ ଆନମନା ହେଉଛନ୍ତି। ମନୋରଞ୍ଜନର ମୁଖ୍ୟ ଆଧାର ପାଲଟିଛି ଘରର ଅତି ପୁରୁଣା ରେଡିଓ। ଅଗଣାରେ ସପ ପାରି ଘରର ସବୁଲୋକ ରେଡିଓରୁ ଯୁବବାଣୀ, କୃଷିସଂସାର, ଆଞ୍ଚଳିକ ଖବର, ଆଧୁନିକ ସଙ୍ଗୀତ ତଥା ବିବିଧଭାରତୀର ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଏକାଠି ଶୁଣିବା ପୁଣିଥରେ ୫୦ ବର୍ଷ ତଳର ସୁନେଲି ଅତୀତକୁ ଉଜ୍ଜୀବିତ କରିପାରିଛି। ଆଧୁନିକ ଚଳଣିରେ କ୍ରମଶଃ ଦୂରେଇଯାଉଥିବା ପାରିବାରିକ ସମ୍ପର୍କକୁ ଅଳ୍ପ ସମୟ ପାଇଁ ହେଲେ ବି ମହାବାତ୍ୟା ଫନୀ ଫେରାଇ ଆଣିଛି ଆମ ପାଖକୁ।
ଆମ ଜୀବଦ୍ଦଶାରେ ୧୯୯୯ ମହାବାତ୍ୟା ପରେ ଫନୀ ହେଉଛି ସର୍ବାଧିକ ପ୍ରଳୟ ସୃଷ୍ଟିକାରୀ ସାମୁଦ୍ରିକ ଝଡ଼। ୧୯୮୧ରୁ ୨୦୧୯ ମଧ୍ୟରେ ଓଡ଼ିଶାରେ ୧୦୨ଟି ସାମୁଦ୍ରିକ ବାତ୍ୟା ସଂଘଟିତ ହୋଇଥିବା ବେଳେ ୨୦୧୩ରୁ ୨୦୧୯ ମଧ୍ୟରେ ଲଗାତର ୪ ଗୋଟି ସାମୁଦ୍ରିକ ବାତ୍ୟା ସୃଷ୍ଟିହେବା ଓଡ଼ିଶା ପାଇଁ ନିଶ୍ଚିତ ଏକ ଅଶୁଭ ସଙ୍କେତ। ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୮ରେ ତିତ୍‌ଲି ଓ ୨୦୧୯ ଆରମ୍ଭରୁ ଫନୀରୁ ଏହି ସଙ୍କେତ ମିଳେ ଯେ, ଆଗାମୀ ଦିନରେ ସାମୁଦ୍ରିକ ବାତ୍ୟା ହିଁ ଓଡ଼ିଶାର ବିକାଶ ଓ ପ୍ରଗତିରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରିବ। ଏଥିପାଇଁ ଓଡ଼ିଶାର ଭୌଗୋଳିକ ସ୍ଥିତିକୁ ପାଣିପାଗ ବିଶେଷଜ୍ଞମାନେ ଦାୟୀ କରୁଥିଲା ବେଳେ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ତଥା ସାମୁଦ୍ରିକ ଜଳବାୟୁରେ ମାତ୍ରାଧିକ ଉତ୍ତାପ ବୃଦ୍ଧି ଆଗାମୀ ଦିନରେ ଅନେକ ସାମୁଦ୍ରିକ ଝଡ଼କୁ ଜନ୍ମଦେବାରେ ସହାୟକ ହୋଇପାରେ। ଏଥିପାଇଁ ଉପକୂଳ ଓଡ଼ିଶାବାସୀଙ୍କର କେବଳ ଜୀବନ ନୁହେଁ, ଜୀବିକାର ସ୍ଥାୟୀ ସୁରକ୍ଷା ପାଇଁ ଚିନ୍ତା କରିବାର ସମୟ ଆସିଛି। ଫନୀ ପ୍ରଭାବରେ ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାର ସବୁଜିମା ହଜିଯାଇଥିବା ଯୋଗୁ ଆଗାମୀ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯିବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସୁଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା ତଥା ଏ ଦିଗରେ ସରକାରୀ,ବେସରକାରୀ ତଥା ସର୍ବୋପରି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ମିଳିତ ସହଯୋଗ ଅତି ଜରୁରୀ।
ଇମେଲ୍‌-prakas. tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିଚକ୍ଷଣ କୂଟନୀତିଜ୍ଞ

ୟୁରୋପରେ ଫିନ୍‌ଲାଣ୍ଡ ହେଉଛି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର। ବିଗତ କିଛିବର୍ଷ ମଧ୍ୟରେ ଭାରତ-ଫିନ୍‌ଲାଣ୍ଡ ଦ୍ୱିପାକ୍ଷିକ ବାଣିଜି୍ୟକ ସମ୍ପର୍କ ସୁଦୃଢ଼ ହୋଇଛି। ସେଠାକାର ଆଇଟି,...

ଏଇ ଭାରତରେ

ଭାରତ ଏକ କୃଷିପ୍ରଧାନ ଦେଶ। ଦେଶର ଅଧିକାଂଶ ଅଞ୍ଚଳର ଚାଷଜମି ମୌସୁମୀବାୟୁ ଜନିତ ବର୍ଷାଜଳ ଉପରେ ନିର୍ଭର କରେ। ଏହାଦ୍ୱାରା ଭଲ ଫସଲ ହେବ ବୋଲି...

ଆରମ୍ଭ ମାତ୍ର

ଭାରତ-ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ସୀମା ବିବାଦ ଚାଲିଥିବା ବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିଛନ୍ତିି।...

ଅପୂର୍ଣ୍ଣ ମେଡିକାଲ ଆୟୋଗ

ଡାକ୍ତରୀ ଶିକ୍ଷା, ବୃତ୍ତି ଓ ଅନୁଷ୍ଠାନର ସମସ୍ତ ଦିଗର ବିକାଶ ତଥା ନିୟନ୍ତ୍ରଣ ପାଇଁ ପୂର୍ବର ଦୁର୍ନୀତିଗ୍ରସ୍ତ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)କୁ ବଦଳାଇ...

ଏଇ ଭାରତରେ

ମଣିଷ ଅର୍ଥ ସଞ୍ଚୟ କରେ ତା’ ଭବିଷ୍ୟତ ପାଇଁ। କିନ୍ତୁ ଏକ କୃଷକ ଦମ୍ପତି ଜୀବନ ସାରା ସଞ୍ଚୟ କରିଥିବା ଅର୍ଥକୁ ଲକଡାଉନ୍‌ ସମୟରେ ଅସହାୟମାନଙ୍କୁ...

ସମ୍ପାଦକୀୟ/ଦୁଃଖଭୋଗ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁମାନ କରିଛି ଯେ, ଆସନ୍ତା ୩ ଦିନ ଧରି ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ। କେତେକ ସ୍ଥାନରେ ତାପମାତ୍ରା...

ମଦ୍ୟପ ବାପଙ୍କ ଅସାମାଜିକ ପୁଅ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆମ ସମାଜରେ ଏବେ ମଦ୍ୟପମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତା’ର ନିମ୍ନଗାମୀ ପ୍ରଭାବ ପରିଲକ୍ଷିତ ହେଉଛି ଆମ ପାରିବାରିକ, ସାମାଜିକ...

ରଫ୍‌ଖାତାକୁ ଆଦର

ଡ. ସତ୍ୟ ନାରାୟଣ ମିଶ୍ର ସମୟର ଘନଘଟା ମଧ୍ୟରେ ମଣିଷ କର୍ମ କରେ ଓ କର୍ମଫଳକୁ ମଧ୍ୟ ଭୋଗ କରେ। ସତ୍‌ କର୍ମର ଫଳ ସୁଖ...

Coronavirus Update


Archives

Model This Week

Why Dharitri