ପୁନଃ ଶୂନଗାଡ଼ି

ଡ. ପ୍ରଫୁଲ୍ଲ କୁମାର ସାହୁ
ଊନବିଂଶ ଶତାବ୍ଦୀରେ ଦୁଇଚକିଆ ଓ ଚାରିଚକିଆ ଯାନର ଉଦ୍ଭାବନ ଥିଲା ସମଗ୍ର ମାନବଜାତି ପାଇଁ ଏକ ବଡ଼ ଉପଲବ୍ଧି। ମୋଟର ଯାନର ବ୍ୟବହାର ଯୋଗୁ ସହଜ, ସରଳ ଓ ଆରାମଦାୟକ ହୋଇପାରିଲା ଗମନ ଓ ପରିବହନ। ମାତ୍ର କ୍ରମଶଃ ଯାନବାହନର ଉତ୍ପାଦନ ଓ ବ୍ୟବହାର ଏତେ ବଢ଼ିଲା ଯେ, ମାନବ ସମାଜ ପାଇଁ ବିପଦ ହୋଇ ଉଭାହେଲା ତା’ର ନକାରାତ୍ମକ ପ୍ରଭାବ। ୧୯୫୧ ମସିହା ବେଳକୁ ଆମ ଦେଶରେ ବାର୍ଷିକ ୩ଲକ୍ଷ ମୋଟର ଗାଡ଼ି ପଞ୍ଜୀକୃତ ହୋଇଥିବା ବେଳେ ଏବେ ବର୍ଷକୁ ପଞ୍ଜୀକୃତ ହେଉଥିବା ଗାଡ଼ିର ସଂଖ୍ୟା ୧କୋଟିରୁ ଅଧିକ। କେବଳ ଦିଲ୍ଲୀ ସହରରେ ରାଜାରାସ୍ତାକୁ ପ୍ରତିଦିନ ଓହ୍ଲାଉଛି ଦେଢ଼ ହଜାର ନୂଆ କାର। ମୋଟର ଯାନ ସଂଖ୍ୟା ଯେତେ ବଢୁଛି, ତା’ର ଚଳପ୍ରଚଳକୁ ସୁଗମ କରିବା ପାଇଁ ସେତେ ଚଉଡ଼ା ହେଉଛି ରାସ୍ତା। ତଥାପି ବିପୁଳ ସଂଖ୍ୟାର ଗାଡ଼ିକୁ ଛାତିରେ ସ୍ଥାନ ଦେବା ପାଇଁ ଅକ୍ଷମ ହୋଇପଡୁଛି ରାସ୍ତା। ଫଳରେ ସୃଷ୍ଟି ହେଉଛି ଟ୍ରାଫିକ୍‌ ସମସ୍ୟା। କେବଳ ଟ୍ରାଫିକ୍‌ ସମସ୍ୟା ନୁହେଁ, ନିଶବ୍ଦ ଘାତକରେ ପରିଣତ ହେଲାଣି ମୋଟରଯାନରୁ ନିର୍ଗତ ବିଷାକ୍ତ ଧୂଆଁ। ଜୀବନଧାରଣ ପାଇଁ ମଣିଷର ପ୍ରଥମ ଆବଶ୍ୟକତା ହେଉଛି ବାୟୁ। ମାତ୍ର ଶ୍ୱାସକ୍ରିୟା ପାଇଁ ବିଶୁଦ୍ଧ ବାୟୁ ଆଉ କାହିଁ? ଧୂଳିଧୂଆଁରେ ରୁନ୍ଧି ହୋଇଗଲାଣି ବାୟୁମଣ୍ଡଳ। ଏହି ପ୍ରଦୂଷଣ ପାଇଁ କଳକାରଖାନା ପରେ ଯାନବାହନର ଯୋଗଦାନ ସର୍ବାଧିକ। କେବଳ ଯାନ ଚଳାଚଳ ଯୋଗୁ ଦିଲ୍ଲୀରେ ଦୈନିକ ନିର୍ଗତ ହେଉଛି ହାରହାରି ୫୦୦ମେଟ୍ରିକ୍‌ ଟନ୍‌ ଅଙ୍ଗାରକାମ୍ଳ। ଗାଡ଼ିରେ ବ୍ୟବହୃତ ଇନ୍ଧନ ଯୋଗୁ ସେଥିରୁ ନିର୍ଗତ ରାସାୟନିକ ଧୂଳିକଣା ଓ ଜଳି ନ ଥିବା ଗ୍ୟାସୋଲିନ୍‌ ଆଦି ମିଶି ସୃଷ୍ଟି ହେଉଛି ସ୍ମଗ୍‌ ବା ଧୂଆଁ ମିଶା କୁହୁଡ଼ି। ଏଥିସହ ବିଷାକ୍ତ ବାଷ୍ପର ଆସ୍ତରଣ ଯୋଗୁ ଘଣ୍ଟା ଘଣ୍ଟା ଧରି ଅଚଳ ହୋଇଯାଉଛି ମହାନଗରୀର ଜୀବନଯାତ୍ରା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସୂଚନାନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ସୃଷ୍ଟି ହେଉଛି ଫୁସ୍‌ଫୁସ୍‌ ସଂକ୍ରମଣ, ଆଜ୍‌ମା, ବ୍ରୋଙ୍କାଇଟିସ୍‌ ଓ ନାନା ପ୍ରକାର ଚକ୍ଷୂରୋଗ। ବାୟୁ ପ୍ରଦୂଷଣ ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଥିବାରୁ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଇଚ୍ଛା ପ୍ରକଟ କଲେଣି ଅନେକ ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତି। କେବଳ ଦିଲ୍ଲୀ ନୁହେଁ, ଦେଶର ଗୁଡ୍‌ଗାଁଓ ଏବଂ ଅନ୍ୟାନ୍ୟ ସହରକୁ ମଧ୍ୟ ବ୍ୟାପିଲାଣି ସମାନ ଅବସ୍ଥା। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେଉଁଠି କାର୍‌ ବିରାମ ଦିବସ ପାଳନ ହେଉଛି ତ କେଉଁଠି ପ୍ରୟୋଗ ହେଉଛି ଯୁଗ୍ମ-ଅଯୁଗ୍ମ ତତ୍ତ୍ୱ।
ମୋଟରଯାନର ବ୍ୟାପକ ବ୍ୟବହାର ଯୋଗୁ କେବଳ ବାୟୁ ପ୍ରଦୂଷିତ ହେଉଛି, ତାହା ନୁହେଁ ବରଂ ଏହାଦ୍ୱାରା ନାନାଭାବରେ ଦୁର୍ବଳ ହେଉଛି ଦେଶର ଅର୍ଥନୀତି। ଆଗେ କମ୍‌ ଇନ୍ଧନରେ ଅଧିକ ଦୂର ଅତିକ୍ରମ କଲାଭଳି ଯାନ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିଲେ ତା’ର ପ୍ରସ୍ତୁତକର୍ତ୍ତା। ବର୍ତ୍ତମାନ ଇନ୍ଧନ ନୁହେଁ, ଯାନର ଆକାର ପ୍ରକାର, ଶକ୍ତି ଓ ବେଗ ଉପରେ ନିର୍ଭର କରୁଛି ତା’ର ପରିଚୟ ଓ ଚାହିଦା। ଏକ ବିକାଶଶୀଳ ଦେଶ ଭାବରେ ମୋଟରଯାନରେ ଇନ୍ଧନ ଆବଶ୍ୟକତା ମେଣ୍ଟାଇବା ପାଇଁ ଭାରତ ବିଦେଶରୁ ଆମଦାନି କରୁଛି ଚାହିଦାର ପ୍ରାୟ ସତୁରି ଭାଗ ତେଲ। ଅର୍ଥାତ୍‌ ଦେଶରେ ଯାନବାହନ ସଂଖ୍ୟା ଯେତେ ବଢୁଛି ତା’ର ସିଧାସଳଖ ପ୍ରଭାବ ପଡ଼ୁଛି ଆମର ବୈଦେଶିକ ମୁଦ୍ରା ପାଣ୍ଠି ଉପରେ। ଏତଦ୍‌ଭିନ୍ନ ଗାଡ଼ିର ଭିଡ଼ କମାଇବା ପାଇଁ ବିପୁଳ ଅର୍ଥ ବ୍ୟୟରେ କେଉଁଠି ୪ଲେନ୍‌ ବିଶିଷ୍ଟ ରାସ୍ତାକୁ ୬ଲେନ୍‌ କରାଯାଉଛି ତ କେଉଁଠି ୮ଲେନ୍‌ରେ ପରିଣତ ହେଉଛି ୬ଲେନ୍‌ ବିଶିଷ୍ଟ ରାସ୍ତା। ନୂଆ ରାସ୍ତା ତିଆରି ଓ ରାସ୍ତା ପ୍ରଶସ୍ତୀକରଣ ପାଇଁ ଭଙ୍ଗାଯାଉଛି ଦୋକାନ ବଜାର, କଟାଯାଉଛି ରାଜୁଡ଼ା ଅମଳର ମହାଦ୍ରୁମ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଆମ ଦେଶରେ ପ୍ରାୟ ପ୍ରତି ମିନିଟ୍‌ରେ ଗୋଟିଏ ସଡ଼କ ଦୁର୍ଘଟଣା ଘଟୁଛି ଏବଂ ଏହାଦ୍ୱାରା ହାରାହାରି ୧୬ଜଣ ବ୍ୟକ୍ତି ପ୍ରାଣ ହରାଉଛନ୍ତି ପ୍ରତି ଘଣ୍ଟାରେ। ଦୁର୍ଘଟଣା ଯୋଗୁ କାହାର ବଞ୍ଚତ୍ ରହିବା ପାଇଁ ବ୍ୟୟବହୁଳ ଚିକିତ୍ସା ଆବଶ୍ୟକ ହେଉଛି ତ କିଏ ଅକର୍ମଣ୍ୟ ହୋଇପଡ଼ୁଛି ସାରା ଜୀବନ। ସେଥିପାଇଁ ଉଜୁଡ଼ି ଯାଉଛି ହଜାର ହଜାର ପରିବାର। ମୋଟରଯାନ ଉପରେ ମାତ୍ରାଧିକ ନିର୍ଭରଶୀଳତା ଆମ ଜୀବନଶୈଳୀରେ ବି ଆଣିଛି ବ୍ୟାପକ ପରିବର୍ତ୍ତନ। ସୌଖୀନ ଜୀବନଯାପନ କରିବାକୁ ଯାଇ ଦିନକୁ ଦିନ ଅଳସୁଆ ହୋଇଯାଉଛି ମଣିଷ। ତା’ର ଚାଲିବା ଅଭ୍ୟାସ କମିଯିବା ଫଳରେ ବଢୁଛି ମେଦବହୁଳତା, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଓ ମଧୁମେହ ରୋଗର ପ୍ରାଦୁର୍ଭାବ। ଏହାର ସିଧାସଳଖ ପ୍ରଭାବ ପଡ଼ୁଛି ଆମ ଅର୍ଥନୀତି ଉପରେ। ଦୂରତ୍ୱକୁ ପରାହତ କରି ସମୟର ସଦୁପଯୋଗ ନିମନ୍ତେ ମୋଟର ଯାନ ଥିଲା ମଣିଷର ଏକ ଯୁଗାନ୍ତକାରୀ ଉଦ୍ଭାବନ। ମାତ୍ର ଏବେ ଆମର ସେ ଧାରଣାକୁ ବଦଳାଇ ଦେଲାଣି ଯାନ ଯନ୍ତ୍ରଣା। ବଡ଼ ବଡ଼ ସହରରେ ଅଳ୍ପ କେଇ ମିନିଟ୍‌ ପାଇଁ ଟ୍ରାଫିକ୍‌ ଜାମ୍‌ ହୋଇଗଲେ ପଛକୁ ପଛ ଛିଡ଼ାହୋଇଯାଉଛି ହଜାର ହଜାର ଗାଡ଼ି। କେଉଁଠି ଦଶ କିଲୋମିଟର ରାସ୍ତା ଅତିକ୍ରମ କରିବା ପାଇଁ ଦୁଇ ତିନି ଘଣ୍ଟା ସମୟ ଲାଗିଯାଉଛି ତ କେଉଁଠି ଘଣ୍ଟା ଘଣ୍ଟା ଧରି ରାସ୍ତାରେ ହଲଚଲ ହୋଇପାରୁନି ଗାଡ଼ି। ଏଭଳି ଟ୍ରାଫିକ୍‌ ଜାମ୍‌ କେବଳ ଭାରତବର୍ଷରେ ନୁହେଁ, ଏହି ସମସ୍ୟା ଦେଖିବାକୁ ମିଳୁଛି ବିଶ୍ୱର ପ୍ରାୟ ଅଧିକାଂଶ ଦେଶରେ। ଖବରକାଗଜରେ ପ୍ରକାଶିତ ତଥ୍ୟ ଅନୁସାରେ ଅଷ୍ଟ୍ରେଲିଆର ମେଲବୋର୍ନ, ସିଡ୍‌ନୀ, ବ୍ରିସ୍‌ବେନ୍‌ ଓ ପର୍ଥ ଆଦି ସହରରେ ଟ୍ରାଫିକ୍‌ ସମସ୍ୟା ଖୁବ୍‌ ଉତ୍କଟ। ବାଲାଂଦେଶର ଢାକା ସହରରେ ଏହା ଏବେ ନିୟନ୍ତ୍ରଣ ବାହାରେ। ବିଶେଷଜ୍ଞଙ୍କ ମତରେ କେବଳ ରାସ୍ତା ଚଉଡ଼ା ହେଲେ ସମାଧାନ ହୋଇଯାଏନି ଟ୍ରାଫିକ୍‌ ସମସ୍ୟା। ଚାଇନାର ୫୦ଲେନ୍‌ ବିଶିଷ୍ଟ ବେଜିଂ-ହଂକଂ-ମାକାଓ ରାଜପଥରେ ହେଉଥିବା ଟ୍ରାଫିକ୍‌ ଜାମ୍‌ ତାହାର ଏକ ଉଦାହରଣ। ମୋଟର ଯାନ ବୃଦ୍ଧି ହାରରେ ଚାଇନା ଏବେ ପୃଥିବୀର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତା’ ପଛକୁ ଅଛି ଭାରତ। ଏ କଥା ସତ୍ୟ ଯେ ସବୁ ଦେଶର ବିକାଶର ଗତିକୁ ତ୍ୱରାନ୍ବିତ କରିଛି ମୋଟରଯାନ। ମାତ୍ର ତା’ର ମାତ୍ରାଧିକ ବ୍ୟବହାରଜନିତ ବାୟୁ ପ୍ରଦୂଷଣକୁ ନେଇ ମାନବ ଜାତିର ଅସ୍ତିତ୍ୱ ପ୍ରତି ସୃଷ୍ଟି ହେଲାଣି ଆହ୍ବାନ। ଏଥିରୁ ମୁକୁଳିବା ପାଇଁ ବିଶ୍ୱର ଶୀର୍ଷ ସ୍ତରୀୟ ନେତାମାନଙ୍କ ଭିତରେ ଘନଘନ ଚାଲିଛି ବିଚାର ବିମର୍ଶ। ଯାନ ଯନ୍ତ୍ରଣାକୁ ଉପଲବ୍ଧି କରି କାର୍‌ ଛାଡ଼ି ସାଇକେଲ ବ୍ୟବହାର କଲେଣି ୟୁରୋପ, ଆମେରିକା ଓ ଜାପାନ୍‌ର ଲୋକେ। ୟୁରୋପର ଅଧିକାଂଶ ସହରରେ ସାଇକେଲ୍‌ ଚାଳକଙ୍କ ପାଇଁ ତିଆରି ହେଲାଣି ସ୍ବତନ୍ତ୍ର ଲେନ୍‌। ସେଠାରେ ଟ୍ରେନ୍‌ ଯୋଗେ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଗଲାବେଳେ ସାଥିରେ ସାଇକେଲ ନେବା ପାଇଁ ଟ୍ରେନ୍‌ରେ ସଂଯୋଗ ହେଲାଣି ସ୍ବତନ୍ତ୍ର ବଗି। ସାଇକେଲ ଚାଳନାର ଉପଯୋଗିତା ସମ୍ପର୍କରେ ବିଶ୍ୱକୁ ବାର୍ତ୍ତା ଦେବା ପାଇଁ ଫ୍ରାନ୍ସରେ ନିୟମିତ ଆୟୋଜିତ ହେଲାଣି ସାଇକେଲ ପ୍ରତିଯୋଗିତା। ସାଧାରଣତଃ ସାଇକେଲ କୌଣସି ଇନ୍ଧନ ଲୋଡେନି କି ସାଇକେଲ ଚାଳନା ଯୋଗୁ ନ ଥାଏ ପରିବେଶ ପ୍ରଦୂଷଣର ପ୍ରଶ୍ନ। ବରଂ ସାଇକେଲ ଚାଳନା କରିବା ଦ୍ୱାରା ମାଂସପେଶୀ ଅଧିକ ସଚଳ ହୁଏ ଏବଂ ଦୂର ହୋଇଯାଏ ଗଣ୍ଠି ଜନିତ ସମସ୍ୟା। ତେଣୁ କାର୍‌ ଛାଡ଼ି ନିୟମିତ ସାଇକେଲ ଚାଳନା ଉପରେ ଗୁରୁତ୍ୱ ଦେଲେଣି ବିକଶିତ ଦେଶର କୋଟିପତି ବ୍ୟବସାୟୀମାନେ। ଅଥଚ ଆମ ଦେଶରେ ଆବଶ୍ୟକତା ନ ଥାଇ ମଧ୍ୟ ଲୋକ କାର୍‌ କିଣୁଛନ୍ତି ନିଜର ସାମାଜିକ ପ୍ରତିଷ୍ଠା ତଥା ଆପଣା ଅହଂ ପ୍ରଦର୍ଶନ ପାଇଁ। ଏ କ୍ଷେତ୍ରରେ ମୋଟର କମ୍ପାନୀ ଦ୍ୱାରା ପ୍ରଭାବିତ ହୋଇ ଆମ ସରକାର ବି ଲୋକଙ୍କୁ ଯୋଗାଉଛନ୍ତି ପ୍ରୋତ୍ସାହନ। ସେହି କାରଣରୁ ଏଠି ଚାଷୀଙ୍କୁ ଋଣ ଦେବା ପାଇଁ କୁଣ୍ଠା ପ୍ରକାଶ କରୁଥିବା ବ୍ୟାଙ୍କ ଲୋକଙ୍କୁ କାର୍‌ ଋଣ ଯୋଗାଇ ଦେଉଛି ସହଜ କିସ୍ତି ଓ ରିହାତି ସୁଧହାରରେ।
ଯାନ ଯନ୍ତ୍ରଣାରୁ ମୁ୍‌କ୍ତି ପାଇଁ ସରକାର ତଥା ଲୋକଙ୍କର ଏହି ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ଗମନାଗମନ ନିମନ୍ତେ ଆମକୁ ବାଇକ୍‌ ଓ କାର୍‌ ବଦଳରେ ନିର୍ଭର କରିବାକୁ ପଡ଼ିବ ସର୍ବସାଧାରଣ ଯାନ ଉପରେ। ସହର ଭିତରେ କିମ୍ବା ଅଳ୍ପ ଦୂରତା ଅତିକ୍ରମ କରିବାକୁ ଥିଲେ ଆମକୁ ପୁଣି ଫେରିବାକୁ ପଡ଼ିବ ସେଇ ଶୂନଗାଡ଼ି ବା ସାଇକେଲ ପାଖକୁ, ଯାହା ଆମ ଆଭିଜାତ୍ୟର ସଂକେତ ବହନ କରୁଥିଲା ବିଂଶ ଶତାବ୍ଦୀର ମଧ୍ୟଭାଗରେ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ହେବା ସହିତ ସରକାରଙ୍କ ପ୍ରୋତ୍ସାହନ ରହିଲେ ମୋଟରବାଇକ୍‌ ଛାଡ଼ି ସାଇକେଲ ଚଢ଼ି କଲେଜ ଆସିବାକୁ ଆଗ୍ରହ ପ୍ରକାଶ କରିବେ ଛାତ୍ରୀଛାତ୍ର। ସାଇକେଲ ଚଢ଼ି ଅଫିସ ଆସିବା ପାଇଁ କର୍ମଚାରୀମାନଙ୍କ ଭିତରେ ମଧ୍ୟ ଉତ୍ସାହ ସୃଷ୍ଟି କରିବା ଦରକାର।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍‌.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା...

ଏଇ ଭାରତରେ

ଲଲକ୍‌ଡାଉନରେ ହାଇଦ୍ରାବାଦର ଏଚ୍‌ଆର୍‌ ମ୍ୟାନେଜର ଦୋସାପତି ରାମୁଙ୍କ ଜୀବନର ମୋଡ଼ ବଦଳିଯାଇଛି। ସେ ଏକ ରାଇସ୍‌ ଏଟିଏମ୍‌ ଖୋଲି ଗରିବଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ରାମୁ...

ଏଇ ଭାରତରେ

ଶିଖ୍‌ ଓ ମୁସଲମାନ ସଂଗ୍ରାମର ମୂକସାକ୍ଷୀ ପଞ୍ଜାବର ଫତେଗଡ ସାହିବର ପବିତ୍ର ମାଟିରେ ସାମ୍ପ୍ରଦାୟିକ ସଦ୍‌ଭାବନାର ଛବି ଦେଖିବାକୁ ମିଳେ। ଏଠାରେ ଗୋଟିଏ ପରିସରରେ ଗୁରୁଦ୍ୱାର...

ନୀଳ ବିପ୍ଳବର ଶୁଭାରମ୍ଭ

ଡ. ବିନ୍ଦୁ ଆର୍‌. ପିଲାଇ, ଡ. ବିଭୁଦତ୍ତ ମିଶ୍ର ୨୦୦୧ ମସିହାରୁ ଭାରତ ସରକାର ୧୦ ଜୁଲାଇକୁ ଜାତୀୟ ମତ୍ସ୍ୟପାଳକ ଦିବସ ଭାବେ ପାଳନ କରିଆସୁଛନ୍ତି।...

ଏଇ ଭାରତରେ

ଦୁଇ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ। ତାହାକୁ କିିଣିବା ପାଇଁ ଉଭୟେ ଚପଲରେ ପିଟାପିଟି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝିମିଟି ଖେଳରୁ...

ସଚେତନତା ହିଁ ରକ୍ଷାକବଚ

ଅଲେଖ ଚନ୍ଦ୍ର ମିଶ୍ର ଆଜିକାଲି ଗଣମାଧ୍ୟମରେ ନାରୀବିରୋଧୀ ଅପରାଧ ବେଶି ପ୍ରକାଶ ପାଉଛି। ଏଭଳି ଅପରାଧର ଧାରାକୁ ରୋକିବା ପାଇଁ ଅନେକ ଗଣ ସଚେତନତା ସୃଷ୍ଟି...

ଉଦ୍ଦେଶ୍ୟହୀନ ପ୍ରବେଶ

ଆକାର ପଟେଲ ଚଳିତ ବର୍ଷ ଜାନୁୟାରୀରେ ଆମେରିକା ୨୦୧୮ର ଏକ ଗୁପ୍ତ ଡକ୍ୟୁମେଣ୍ଟକୁ ଅଗୁପ୍ତ ଶ୍ରେଣୀଭୁକ୍ତ କଲା ପରେ ସବୁକଥା ସାମ୍ନାକୁ ଆସିଛି। ଚାଇନା ସୃଷ୍ଟି...

ସାଇବର ଅପରାଧର କାୟା ବିସ୍ତାର

ନଗେନ୍ଦ୍ର ନାଥ ପଟ୍ଟନାୟକ ପ୍ରଯୁକ୍ତିଗତ ଜ୍ଞାନକୌଶଳ ତଥା ବୈଷୟିକ କ୍ଷେତ୍ରରେ ଏତେ ଭୌତିକ ବିକାଶ ଘଟିଛି ଯେ ଆଜିକାଲିର ଦୁନିଆକୁ ଆମେ କମ୍ପ୍ୟୁଟର ଯୁଗ ବୋଲି...

Advertisement
Archives

Model This Week