ପାଞ୍ଚ ଟ୍ରିଲିୟନ ଡଲାରର ସ୍ବପ୍ନ

ଡ. ସନ୍ତୋଷ କୁମାର ମହାପାତ୍ର
ଯିଏ ଶାସନ କରୁ ବା ସରକାର ଗଠନ କରୁ ଜନସାଧାରଣ ତଥା ଦେଶର ବିଭିନ୍ନ ସମସ୍ୟା ସମାଧାନ କରିବା ସହଜ ନୁହେଁ। କିନ୍ତୁ ଏକ ଜନମଙ୍ଗଳ ସରକାର ସେଥିପାଇଁ ଚେଷ୍ଟା କରିବା ଉଚିତ। ମାତ୍ର ବର୍ତ୍ତମାନ ଭାରତ ତଥା ବିଭିନ୍ନ ଦେଶରେ ସରକାରମାନେ ନାନା ସମସ୍ୟାରୁ ଜନସାଧାରଣଙ୍କ ମନକୁ ଦୂରେଇ ରଖି ନିଜର ଜନପ୍ରିୟତା ବଜାୟ ରଖିବା ପାଇଁ ବିଭିନ୍ନ ମନଭୁଲାଣିଆ ସ୍ଲୋଗାନ, ଭାବାବେଗ ସହିତ ଜଡିତ ପ୍ରସଙ୍ଗ ଉଠାଇବା ସହିତ ବିଭିନ୍ନ ପ୍ରକାର ସ୍ବପ୍ନ ଦେଖାଉଛନ୍ତି। ଯଦି ଏପରି କରିବାରେ କୌଣସି ସରକାର ସର୍ବାଗ୍ରେ ରହିବେ ତେବେ ସେ ହେଉଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର। ବର୍ତ୍ତମାନ ଦେଶରେ କ୍ଷୁଧା, ବେକାରି, ଦାରିଦ୍ର୍ୟ, ବୈଷମ୍ୟ, ନାରୀନିର୍ଯାତନା, ଚାଷୀ ଆତ୍ମହତ୍ୟା, ଅପରାଧ କାର୍ଯ୍ୟକଳାପ ପରି ସମସ୍ୟା ଉଗ୍ରରୂପ ଧାରଣ କଲାବେଳେ ସରକାର ଏସବୁର ସମାଧାନ ପାଇଁ ପ୍ରୟାସ କରିବା ପରିବର୍ତ୍ତେ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ଦେଖାଉଛନ୍ତି। ସତେ ଯେପରି ଭାରତୀୟ ଅର୍ଥନୀତିର ଆକାର ୫ ଟ୍ରିଲିୟନ ଡଲାର (୧ ଟ୍ରିଲିୟନ = ୧ଲକ୍ଷ କୋଟି, ୧ ଡଲାର ବର୍ତ୍ତମାନ ୬୮ ଟଙ୍କାରୁ ୬୯ ଟଙ୍କା ମଧ୍ୟରେ) ହେଲାପରେ ଦେଶର ସବୁ ସମସ୍ୟା ଆପେ ଆପେ ସମାଧାନ ହୋଇଯିବ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୮-୧୯ ବର୍ଷ ପାଇଁ ଯେଉଁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯାଇଛି ସେଥିରେ ୨୦୨୪-୨୫ ସୁଦ୍ଧା ଭାରତୀୟ ଅର୍ଥନୀତିର ଆକାର ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି କୁହାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକବର୍ଷର ପୂର୍ଣ୍ଣାଙ୍କ ବଜେଟରେ ଏହି ସ୍ବପ୍ନକୁ ଦୋହରାଇଛନ୍ତି। ତାଙ୍କ ସରକାର ଅମଳରେ ଅର୍ଥନୀତିର ଆକାର ଅଧିକ ବୃଦ୍ଧି ପାଇବା କଥା କହିବାକୁ ଯାଇ କହିଛନ୍ତି ଯେ, ୨୦୧୪ରେ ଭାରତୀୟ ଅର୍ଥନୀତିର ଆକାର ୧.୮୫ ଟ୍ରିଲିୟନ ଡଲାର ଥିଲା ଏବଂ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ୩ ଟ୍ରିଲିୟନ ଡଲାରରେ ପହଞ୍ଚିବ। ପ୍ରଧାମନ୍ତ୍ରୀ ଆଉ ଏକପାଦ ଆଗକୁ ଯାଇ କହିଛନ୍ତି ଯେ, ଭାରତ ୧ ଟ୍ରିଲିୟନ ଅର୍ଥନୀତି ହେବା ପାଇଁ ୫୦ରୁ ୬୦ ବର୍ଷ ନେଇଥିଲା। କିନ୍ତୁ ତାଙ୍କ ଶାସନ ଅବଧିରେ (୨୦୧୪-୨୦୧୯) ଏହା ୨ ଟ୍ରିଲିୟନ ଅତିକ୍ରମ କଲା। ଏକଥାକୁ ଖଣ୍ଡନ କରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ, ଯଦି ଭାରତୀୟ ଅର୍ଥନୀତି ୫ ଟ୍ରିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଥାଏ ତାହାର ପ୍ରମୁଖ କାରଣ ହେଉଛି ପୂର୍ବ ସରକାର ବିଶେଷକରି ନେହେରୁ, ନରସିଂହ ରାଓ, ମନମୋହନ ସିଂଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଶକ୍ତିଶାଳୀ ଫାଉଣ୍ଡେଶନ ବା ଭିତ୍ତି। ୨୦୧୮ ସୁଦ୍ଧା ଭାରତ ୫ମ ବୃହତ୍ତମ ଅର୍ଥନୀତି ବୋଲି ସୀତାରାମନ୍‌ ଯାହା କହିଛନ୍ତି ତାହା ଭୁଲ୍‌। କାରଣ ଯଦିଓ ମଝିରେ ଭାରତ ଫ୍ରାନ୍ସକୁ ଅତିକ୍ରମ କରି ୬ଷ୍ଠ ବୃହତ୍ତମ ଅର୍ଥନୀତି ହୋଇଥିଲା, ଅକ୍ଟୋବର ୨୦୧୮ଠାରୁ ଫ୍ରାନ୍ସ ପୁନର୍ବାର ୫ମ ସ୍ଥାନକୁ ଫେରିଯାଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁସାରେ ସେହି ସମୟରେ ଭାରତର ଅର୍ଥନୀତିର ଆକାର ୨.୬୯ ଟ୍ରିଲିୟନ ଡଲାର ହୋଇଥିଲାବେଳେ ଫ୍ରାନ୍ସ ଅର୍ଥନୀତି ୨.୭୯ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା। ୨୦୧୪ରେ ଭାରତର ଅର୍ଥନୀତି ବାସ୍ତବରେ ୨.୦୪୯ ଟ୍ରିଲିୟନ ଡଲାର ଥିଲା। ସେହି ସମୟରେ ଚାଇନା ଅର୍ଥନୀତିର ଆକାର ୧୦.୩୮୦ ଟ୍ରିଲିୟନ ଡଲାର ଥିଲା। ୨୦୧୮ରେ ଚାଇନା ଅର୍ଥନୀତି ୧୩.୪୦୭ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଲା ବେଳେ ଭାରତୀୟ ଅର୍ଥନୀତି ୨.୭ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ୨୦୧୯ ଶେଷ ସୁଦ୍ଧା ଚାଇନା ଅର୍ଥନୀତି ୧୪.୨୦୬ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଲା ବେଳେ ଭାରତ ଅର୍ଥନୀତି ୨.୯୭ ବା ୩ ଟ୍ରିଲିୟନ ଡଲାର ପାଖାପାଖି ହେବ ବୋଲି ଆକଳନ କରାଯାଇଛି। ଏହାର ଅର୍ଥ ଗତ ୫ ବର୍ଷରେ ଚାଇନା ଅର୍ଥନୀତି ୩.୮୩୬ ଟ୍ରିଲିୟନ ଡଲାର ବୃଦ୍ଧି ପାଇଲା ବେଳେ ଭାରତୀୟ ଅର୍ଥନୀତି ମାତ୍ର ୦.୯୩ ଟ୍ରିଲିୟନ ଡଲାର ବୃଦ୍ଧିପାଇଛି। ଏଣୁ ମୋଦି ସରକାର ଅମଳରେ ଆର୍ଥିକ ଅଭିବୃଦ୍ଧି ଅଧିକ ହୋଇଛି ବୋଲି ଯାହା ପ୍ରଚାର କରାଯାଉଛି ତାହା ଭୁଲ୍‌।
୨୦୨୪-୨୫ରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ସମ୍ଭାବନାକୁ ନେଇ ଯେଉଁମାନେ ଆଶଙ୍କା ପ୍ରକଟ କରୁଛନ୍ତି ସେମାନଙ୍କୁ ସମାଲୋଚନା କରି ପ୍ରଫେଶନାଲ ପେସିମିଷ୍ଟ ବା ବୃତ୍ତିଗତ ନୈରାଶ୍ୟବାଦୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାସ୍ତବରେ ସରକାର ନୈରାଶ୍ୟବାଦୀ ବା ଅତ୍ୟଧିକ ଆଶାବାଦୀ ନ ହୋଇ ବାସ୍ତବବାଦୀ ହେବା ଉଚିତ। ଯଦି ଏକ ସରକାର ଚାହିଁଲେ ବା ଯୋଜନା କଲେ ଅଭିବୃଦ୍ଧି ଆଶାଜନକ ହେବ ତେବେ ନିଜେ ମୋଦି-୧ ସରକାର କାହିଁକି ଏଥିରେ ବିଫଳ ହୋଇଛନ୍ତି? କାହିଁକି ଗତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୬.୮%କୁ ହ୍ରାସ ପାଇଛି, ଯାହା ଗତ ୫ ବର୍ଷରେ ସର୍ବନିମ୍ନ। ସ୍ବୟଂ ସରକାର ଯେତେବେଳେ ଅଭିବୃଦ୍ଧି ହାରର ମନ୍ଥର ପ୍ରକ୍ରିୟାକୁ ରୋକିପାରୁନାହାନ୍ତି, ସେତେବେଳେ ହଠାତ୍‌ ଏପରି ସ୍ବପ୍ନ କାହିଁକି ଦେଖାଉଛନ୍ତି? ଅବଶ୍ୟ ଅଧିକ ଲୋକ ଅଧିକ ଉପଭୋଗ ବା ବ୍ୟୟ କଲେ ଅର୍ଥନୀତିର ଆକାର ବୃଦ୍ଧି ପାଇବ। ଏଣୁ ଏହି ପ୍ରକ୍ରିୟା ଜାରି ରହିଲେ ଭାରତୀୟ ଅର୍ଥନୀତି ୫ ଟ୍ରିଲିୟନ ଡଲାର ଆପେ ଆପେ ଅତିକ୍ରମ କରିବ। ସରକାର ସେପରି ପ୍ରଚାର କରିବାର ନାହିଁ କି ସ୍ବତନ୍ତ୍ର ଯୋଜନା କରିବାର ଆବଶ୍ୟକତା ନାହିଁ। କେବଳ କ୍ରୟଶକ୍ତି ବୃଦ୍ଧିକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ୨୦୨୪-୨୫ରେ ଅର୍ଥନୀତି ୫ ଟ୍ରିଲିୟନ ଡଲାରରେ ପହଞ୍ଚିବା ପାଇଁ ୨୦୧୯-୨୦ରୁ ଭାରତୀୟ ଅର୍ଥନୀତି ହାରାହାରି ୮% ହାରରେ ବୃଦ୍ଧି ପାଇବା ଆବଶ୍ୟକ। କିନ୍ତୁ ବର୍ତ୍ତମାନର ଆର୍ଥିକ ସ୍ଥିତି ବିଶେଷକରି ଆଭ୍ୟନ୍ତରୀଣ ସଞ୍ଚୟ ଏବଂ ନିବେଶ ହାର ହ୍ରାସକୁ ଦେଖିଲେ ଏହା ସମ୍ଭବ ପରି ମନେହୁଏ ନାହିଁ। ଏପରି କି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ପୂର୍ବ ଧାର୍ଯ୍ୟ ୭.୩% ବଦଳରେ ୭% ହେବ ବୋଲି ମତ ଦେଇଛି। ସେହିପରି ଆଗାମୀ ବର୍ଷରେ ମଧ୍ୟ ପୂର୍ବାନୁମାନ ୭.୫% ନ ହୋଇ ୭.୨% ହେବ ବୋଲି ମତ ଦେଇଛି। ପୁନଶ୍ଚ ଅନ୍ତର୍ଜାତୀୟ ପରିସ୍ଥିତି ବର୍ତ୍ତମାନ ସଙ୍ଗିନ, ଯାହା ଆର୍ଥିକ ଅଭିବୃଦ୍ଧିରେ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିବ। ବିଶେଷକରି ଉପଭୋକ୍ତାଙ୍କ ବିଶ୍ୱାସହାନି, ବାଣିଜ୍ୟ ଯୁଦ୍ଧ, ଆମେରିକାର ସୁରକ୍ଷାବାଦୀ ନୀତି ଯୋଗୁ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ମଧ୍ୟ ନିମ୍ନଗାମୀ ହୋଇଛି। ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ହ୍ରାସ ପାଇଲେ ଭାରତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ ଏବଂ ୫ ଟ୍ରିଲିୟନ ଡଲାରର ସ୍ବପ୍ନ ସ୍ବପ୍ନରେ ରହିଯିବ। ଅବଶ୍ୟ ସରକାର ତଥ୍ୟ ବିକୃତୀକରଣ କରି ବା ଜିଡିପି ଆକଳନ ପଦ୍ଧତିରେ ପରିବର୍ତ୍ତନ କରି ଆର୍ଥିକ ଅଭିବୃଦ୍ଧି ଦେଖାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କାରଣ ଭାରତର ଜିଡିପି ଆକଳନକୁ ନେଇ ସନ୍ଦେହ ପ୍ରକାଶପାଇଛି। ସ୍ବୟଂ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ୍‌ କହିଛନ୍ତି ଯେ, ୨୦୧୧-୧୨ରୁ ଯେଉଁ ଅଭିବୃଦ୍ଧି ହାର ସରକାର ଦର୍ଶାଇଛନ୍ତି ତାହା ବାସ୍ତବରେ ୨.୫% କମ୍‌ ହେବ।
ସରକାର ଯେତେବେଳେ ଅଭିବୃଦ୍ଧିର ସ୍ବପ୍ନ ବାଣ୍ଟୁଛନ୍ତି, ସେତେବେଳେ ଭାରତ ଉଚ୍ଚ ମଧ୍ୟମ ଆୟକାରୀ ରାଷ୍ଟ୍ର ହୋଇପାରିନାହିଁ। ଆୟକୁ ଭିତ୍ତିକରି ୨୦୧୯ ମସିହା ଜୁଲାଇ ୧ ତାରିଖରେ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଭାରତ ନିମ୍ନ ମଧ୍ୟମ ଆୟକାରୀ ଦେଶ ଭାବେ ପରିଗଣିତ ହେଉଛି। ଏହା ୪୬ଟି ନିମ୍ନ ମଧ୍ୟମ ଆୟକାରୀ ତାଲିକାରେ ରହିଛି। ୨୦୦୯ରେ ଅର୍ଥାତ୍‌ ଉପା ସରକାର ଅମଳରେ ଭାରତ ନିମ୍ନ ଆୟକାରୀ ଦେଶରୁ ନିମ୍ନ ମଧ୍ୟମ ଆୟକାରୀ ରାଷ୍ଟ୍ରକୁ ଉନ୍ନୀତ ହୋଇଥିଲା। ଏହି ସରକାର ଅମଳରେ ପୂର୍ବସ୍ଥିତିରେ କିଛି ଉନ୍ନତି ଘଟିନାହିଁ। ଅନେକ ବିକାଶଶୀଳ ଦେଶ ତଥା ବ୍ରିକ୍‌ର ସଦସ୍ୟ ରାଷ୍ଟ୍ର ଭାରତଠାରୁ ଉନ୍ନତ ସ୍ଥିତିରେ ଅଛନ୍ତି। ପୁନଶ୍ଚ ଜିଡିପି (କ୍ରୟ ଶକ୍ତି ସମତା) ଦୃଷ୍ଟିରୁ ୨୦୦୫ରେ ଭାରତ ବିଶ୍ୱରେ ୧୦ମ ସ୍ଥାନରେ ଥିଲା। ଉପା ସରକାର ଅମଳରେ ଏହା ୨୦୧୧ ସୁଦ୍ଧା ୩ୟ ସ୍ଥାନରେ ପହଞ୍ଚିଥିଲା। କେବଳ ଆମେରିକା ଓ ଚୀନ ଭାରତଠାରୁ ଆଗରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ସରକାର ଅମଳରେ ଏହି ସ୍ଥିତିରେ ଆଉ ଉନ୍ନତି ଘଟିନାହିଁ।
ବୃହତ୍‌ ଅର୍ଥନୀତି ବା ଅଧିକ ଜିଡିପି ସପକ୍ଷରେ ଯୁକ୍ତି ବାଢି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ପିଠାର ଆକାର ବଢିଲେ ହିଁ ପରିବାରଙ୍କର ଅଂଶ ବୃଦ୍ଧି ପାଇବ। କିନ୍ତୁ ସେ କହିଲେ ନାହିଁ ଯେ କେବଳ ନିର୍ଦ୍ଦିଷ୍ଟ ଧନିକ ଶ୍ରେଣୀଙ୍କ ଭାଗ ବୃଦ୍ଧି ପାଇବ ଏବଂ ବୈଷମ୍ୟ ବୃଦ୍ଧି ପାଇବ। ଗରିବମାନଙ୍କ ପାଖକୁ କିଛି ନ ଆସିପାରେ। ଏହା ହୋଇ ନ ଥିଲେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ ଅନୁଯାୟୀ ଭାରତର ୧% ଜନତା ଦେଶର ୫୮.୪% ସମ୍ପଦର ଅଧିକାରୀ ହୋଇ ନ ଥାନ୍ତେ। ୨୦୦୦ରୁ ୨୦୧୭ ମଧ୍ୟରେ ବୈଷମ୍ୟ ୬ ଗୁଣ ବୃଦ୍ଧିପାଇ ନ ଥାନ୍ତା। ସରକାର ଯେତେବେଳେ ବଡ଼ ଅର୍ଥନୀତି କଥା କହୁଛନ୍ତି ସେତେବେଳେ ଭୁଲିଯାଉଛନ୍ତି ଯେ, ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ବିଶ୍ୱରେ ଅତ୍ୟନ୍ତ ଲଜ୍ଜାକର ସ୍ଥିତିରେ ରହିଛି। ବିଶେଷକରି ମୁଣ୍ଡପିଛା ଆୟ (ନାମାଙ୍କନ) ଦୃଷ୍ଟିରୁ ଭାରତ ବିଶ୍ୱରେ ୧୪୨ ସ୍ଥାନରେ ଥିଲାବେଳେ ମୁଣ୍ଡପିଛା ଆୟ (କ୍ରୟ ଶକ୍ତି ସମତା) ଦୃଷ୍ଟିରୁ ଭାରତ ୧୧୯ତମ ସ୍ଥାନରେ ରହିଛି। ୨୦୧୮ରେ ବିଭିନ୍ନ ଦେଶର ମୁଣ୍ଡପିଛା ଆୟ ଯଥା ଆମେରିକା (୬୨୬୪୧ ଡଲାର), ଜର୍ମାନୀ (୪୮୧୯୫ ଡଲାର), ଗ୍ରେଟବ୍ରିଟେନ(୪୨୪୯୧ ଡଲାର), ଜାପାନ (୩୯୨୮୬ ଡଲାର), ଚାଇନାର (୯୭୭୦ ଡଲାର) ହୋଇଥିଲା ବେଳେ ଭାରତ କ୍ଷେତ୍ରରେ ଏହା ମାତ୍ର ୨୦୦୫ ଡଲାର। ପୁନଶ୍ଚ ଏଠାରେ ସ୍ବତଃ ପ୍ରଶ୍ନ ଉଠେ ସରକାର ଯେଉଁ ଅଭିବୃଦ୍ଧି ଉପରେ କେବଳ ଗୁରୁତ୍ୱ ଦେଉଛନ୍ତି ତାହା କ’ଣ ନିଯୁକ୍ତି ଅଧିକ ସୃଷ୍ଟି କରିବ? ତାହା କ’ଣ କ୍ଷୁଧା, ଦାରିଦ୍ର୍ୟ, ବୈଷମ୍ୟ, କଳା ଟଙ୍କା, ଦୁର୍ନୀତି, ସନ୍ତ୍ରାସବାଦ କାର୍ଯ୍ୟକଳାପ ହ୍ରାସ କରିବ? ଏହା ନ ଘଟିପାରେ। ବାସ୍ତବରେ ବର୍ତ୍ତମାନ ଯେପରି ନିଉଜିଲାଣ୍ଡ ସରକାର ଅଭିବୃଦ୍ଧି ଉପରେ ପ୍ରାଧାନ୍ୟ ନ ଦେଇ ଜନତାଙ୍କ ଉନ୍ନତମାନର ଜୀବନ ଉପରେ ପ୍ରାଧାନ୍ୟ ଦେଉଛନ୍ତି ତାହା ଭାରତ ସରକାର ଅନୁସରଣ କରିବା ଉଚିତ।
ମୋ- ୯୪୩୭୨୦୮୭୬୨, skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ି ଓ ଜାମ୍ବବାନ

ପବିତ୍ରମୋହନ ପଟ୍ଟନାୟକ, ଡ. ଅମିୟ କୁମାର ମହାପାତ୍ର ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିର ଏକ ନିର୍ଣ୍ଣାୟକ ଭୂମିକା ରହିଛି। ଯୁବପିଢ଼ି ଦେଶର ପୁଞ୍ଜି ଓ ଦେଶର ଗାୈରବ।...

ଗଣିତ ଜଗତର ନକ୍ଷତ୍ର

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ଗଣିତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ୨୦୨୦ର ଏବେଲ ପୁରସ୍କାର ହିଲେଲ (ହ୍ୟାରି)ଫର୍ଷ୍ଟାଇନବର୍ଗଙ୍କୁ ପ୍ରଦାନ କରାଯାଇଛି। ତାଙ୍କ ସହ ରୁଷୀୟ -ଆମେରିକୀୟ...

ଆଜିର ଅର୍ଥନୀତି/ ମୋରାଟୋରିୟମ୍‌ ବୃଥା

ସଦ୍ୟତମ ଆର୍ଥିକ ପଦକ୍ଷେପ ସ୍ବରୂପ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ହାରରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଭାରତ କରୋନା ଭୂତାଣୁ ବିରୋଧରେ...

ମୁଁ ସ୍ବର ଉଠାଏ

ଡ. ଗାୟତ୍ରୀବାଳା ପଣ୍ଡା ”ମୁଁ ସ୍ବର ଉଠାଏ- ତା’ର ମାନେ ନୁହେଁ ଯେ ମୁଁ ଚିତ୍କାର କରେ, ତା’ର ଅର୍ଥ ହୁଏତ ଏୟା ଯେ ଯେଉଁମାନେ...

କାହାକୁ କହିବା ସୁଶାସନ

ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ ସମାପ୍ତ। ପିତାମହ ଭୀଷ୍ମ ଶରଶଯ୍ୟାରେ। ଯୁଧିଷ୍ଠିର ଯାଇ ପ୍ରଶ୍ନ କଲେ- ”ପିତାମହ! ସୁଶାସନ କାହାକୁ କହନ୍ତି?“ ପିତାମହ କହିଲେ-...

ଶିକ୍ଷକଙ୍କ ସପକ୍ଷରେ

ଡ. କୁଳାଙ୍ଗାର ସକାଳୁ ସକାଳୁ ସିଏ ହାତରେ ଠେଙ୍ଗାଟିଏ ଧରି ଦୁଇ ଅକ୍ଷରୀ ଶ୍ଲୋକ ଉଚ୍ଚାରଣ ପୂର୍ବକ ଲେଖକଙ୍କ ଘରେ ପହଞ୍ଚତ୍ଲା ଏବଂ ବିଦ୍ୟାଳୟର ନାନା...

ଏଇ ଭାରତରେ

ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି...

ମୋଦିଙ୍କ ଛାଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନର ଦ୍ୱିତୀୟ ପାଳି ଆରମ୍ଭ କରିବା ଅବସରରେ ବାବୁମାନଙ୍କୁ ଏକ ବଳିଷ୍ଠ ବାର୍ତ୍ତା ଦେଇଛନ୍ତି...

Coronavirus Update


Archives

Model This Week

Why Dharitri