ପରମାଣୁ ଶକ୍ତିର ସନ୍ଦେଶ

ଡ. ନରେନ୍ଦ୍ର କୁମାର ସେଠୀ

୧୯୩୮ ମସିହାରେ ଜର୍ମାନ ବୈଜ୍ଞାନିକ ଓଟୋ ହାନ ଓ ଫ୍ରିଜ ଷ୍ଟ୍ରସମାନ ଆଣବିକ ବିଖଣ୍ଡନ ପ୍ରକ୍ରିୟା ଆବିଷ୍କାର କଲା ପରେ ପ୍ରଥମ କରି ପରମାଣୁ ବୋମା ତିଆରି କରିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ତେବେ ବିଶ୍ୱର ଅନେକ ବୁଦ୍ଧିଜୀବୀଙ୍କ ସମେତ ବୈଜ୍ଞାନିକ ଆଇନଷ୍ଟାଇନ ମଧ୍ୟ ଏପରି ଆଶଙ୍କା କରି ତତ୍କାଳୀନ ଆମେରିକା ରାଷ୍ଟ୍ରପତି ରୁଜଭେଲଟଙ୍କ ପାଖକୁ ଏକ ଚିଠି ଲେଖି ଜର୍ମାନୀର କ୍ରୂର ଶାସକ ହିଟଲର ପରମାଣୁ ବୋମା ତିଆରି କରିପାରନ୍ତି ବୋଲି କହିଥିଲେ; ଯାହା ଫଳରେ ଆମେରିକା ତରବର ହୋଇ ମ୍ୟାନହଟନ ପ୍ରୋଜେକ୍ଟ ଆରମ୍ଭ କଲା ଓ ପରମାଣୁ ବୋମା ଗୁପ୍ତ ରୂପରେ ବିକଶିତ କଲା। ୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯଥାକ୍ରମେ ପ୍ରଥମେ ଜାପାନର ହିରୋସୀମା ଓ ପରେ ନାଗାସାକି ଉପରେ ଆମେରିକା ପରମାଣୁ ବୋମା ବିସ୍ଫୋରଣ କରିଥିଲା। ଏକ ଆକଳନରୁ ଜଣାଯାଏ ଯେ ପ୍ରାୟ ଚାରି ଲକ୍ଷ ଲୋକ ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିଲେ। ଲିଟିଲ ବୟ ନାମକ ଏକ ବୋମାରେ ମାତ୍ର ୬୪ କିଲୋ ସମୃଦ୍ଧ ୟୁରାନିୟମ ଯାହା ୧୫ ହଜାର ଟନ ଟିଏନ୍‌ଟି ବିସ୍ଫୋରଣର ଶକ୍ତି ସୃଷ୍ଟି କରିଥିଲା। ସାରା ବିଶ୍ୱ ପରମାଣୁ ବୋମାର ଭୟବହତାକୁ ଦେଖି ଆତଙ୍କିତ ହେବା ସଙ୍ଗେ ସଙ୍ଗେ ସାମାନ୍ୟ ପରମାଣୁ ଭିତରେ ଲୁଚିଥିବା ବିପୁଳ ଶକ୍ତି ସହ ପରିଚିତ ହେଲା। ଜଣାପଡିଲା ଯେ ଏକ ଗ୍ରାମ ୟୁରାନିୟମ୍‌ର ବିଖଣ୍ଡନରେ ସୃଷ୍ଟି ହେଉଥିବା ଶକ୍ତି ୧୩ ବ୍ୟାରେଲ ପେଟ୍ରୋଲିୟମ କିମ୍ବା ୩୦ ହଜାର କିଲୋ କୋଇଲାରେ ଥିବା ଶକ୍ତି ସହ ସମାନ।
ସେଇଦିନୁ ବିଶ୍ୱର ବୈଜ୍ଞାନିକମାନେ ଏହି ବିପୁଳ ଲୁକ୍କାୟିତ ଶକ୍ତିକୁ ମାନବ ସେବାରେ ଲଗେଇବାକୁ ଚିନ୍ତା କଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହେଲା ଜାପାନରେ ହୋଇଥିବା ବିସ୍ଫୋରଣର ମାତ୍ର ଦଶ ବର୍ଷ ପରେ ୧୯୫୫ ମସିହାରେ ବିଜୁଳି ଶକ୍ତି ନିମନ୍ତେ ଆଣବିକ ରିଆକ୍ଟର ତିଆରି କରିବା ପାଇଁ ଜାପାନ ଆଇନ ପ୍ରଣୟନ କଲା। ଏକଦା ଜାପାନର ଜାତୀୟ ବିଜୁଳି ଉତ୍ପାଦନର ୩୦ ପ୍ରତିଶତ ପରମାଣୁ ଶକ୍ତିରୁ ଆସୁଥିଲା। ସେହିପରି ବର୍ତ୍ତମାନ ଆମେରିକାରେ ୨୦ ପ୍ରତିଶତ, କାନାଡା ୧୫ ପ୍ରତିଶତ, ବେଲଜିୟମ ୪୮ ପ୍ରତିଶତ, ଫିନଲାଣ୍ଡ ୩୫ ପ୍ରତିଶତ, ଫ୍ରାନ୍ସ ୭୧ ପ୍ରତିଶତ, ଜର୍ମାନୀ ୧୨.୫ ପ୍ରତିଶତ, ସୁଇଜରଲାଣ୍ଡ ୨୪ ପ୍ରତିଶତ, ବୁଲଗେରିଆ ୩୮ ପ୍ରତିଶତ, ରୁଷିଆ ୨୦ ପ୍ରତିଶତ, ଦକ୍ଷିଣ କୋରିଆ ୨୬ ପ୍ରତିଶତ ଓ ଭାରତରେ ୩ ପ୍ରତିଶତ ବିଜୁଳି ଶକ୍ତି ପରମାଣୁ ରିଆକ୍ଟରରୁ ଆସିଥାଏ।
ସୂଚନାଯୋଗ୍ୟ ଯେ,ଭାରତରେ ପ୍ରଥମ ପରମାଣୁ ରିଆକ୍ଟର ମହାରାଷ୍ଟ୍ରର ତାରାପୁର ଠାରେ ୧୯୬୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏହି ରିଆକ୍ଟର ୧୬୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କରେ, ଯାହା ଏପର୍ଯ୍ୟନ୍ତ ସଫଳତାର ସହ ଚାଲିଛି। ବର୍ତ୍ତମାନ ଆମ ଦେଶରେ ୨୨ଟି ପରମାଣୁ ରିଆକ୍ଟର ବିଭିନ୍ନ ସ୍ଥାନରେ ଅଛି; ଯୋଉଠୁ ୬୭୮୦ ମେଗାୱାଟ ବିଜୁଳି ଉତ୍ପାଦନ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ, ପରମାଣୁ ବିଜୁଳି ପାରମ୍ପରିକ ତାପଜ ବିଦ୍ୟୁତ ଅପେକ୍ଷା ଶସ୍ତା ଓ ପ୍ରଦୂଷଣମୁକ୍ତ। ଯେହେତୁ ପରମାଣୁ ରିଆକ୍ଟରରେ ଇନ୍ଧନ ରୂପେ ୟୁରାନିୟମ ବ୍ୟବହାର କରାଯାଏ, ଏଥିରୁ ଧୂଆଁ କିମ୍ବା ପାଉଁଶ ବାହାରି ନ ଥାଏ। ତେଣୁ ଏହା ଏକ ପ୍ରଦୂଷଣ ମୁକ୍ତ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଜୁଳି ଶକ୍ତି ଦେଇପାରୁଥିବା ଅଣପାରମ୍ପରିକ ଶକ୍ତି ଉତ୍ସ ଭାବେ ବିଶ୍ୱରେ ଆଦୃତି ଲାଭ କରିଛି। ଭାରତର ପରମାଣୁ ରିଆକ୍ଟରଗୁଡିକ ନିରବଚ୍ଛିନ୍ନ ଭାବରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲି ବିଶ୍ୱ ରେକର୍ଡ ମଧ୍ୟ କରିଛି। ଉନ୍ନତ ମାନର ଅତ୍ୟାଧୁନିକ ଜ୍ଞାନ କୌଶଳରେ ପରମାଣୁ ରିଆକ୍ଟର ତିଆରି କରିବାରେ ଭାରତ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ର ଭାବରେ ପରିଣତ ହେଇଛି ।
ଖାଲି ସେତିକି ନୁହେଁ ପରମାଣୁ ଶକ୍ତିର ଶାନ୍ତିପୂର୍ଣ ବିନିଯୋଗ ଆହୁରି ଅନେକ କ୍ଷେତ୍ରରେ କାୟା ବିସ୍ତାର କରିବାରେ ଲାଗିଛି।
ଦୁରାରୋଗ କର୍କଟ ପରି ଅସାଧ୍ୟ ରୋଗର ଚିକିତ୍ସା ଏହି ଆଣବିକ ଶକ୍ତି ଦ୍ୱାରା କରାଯାଇଥାଏ। ଶକ୍ତିଶାଳୀ ବିକିରଣ ଦେଉଥିବା ରେଡିଓ ଆଇସୋଟୋପ ବ୍ୟବହାର କରି କେମୋଥେରାପି ଦ୍ୱାରା କ୍ୟାନସର ରୋଗର ଚିକିତ୍ସା ଏକମାତ୍ର ସଫଳ ଓ ଲୋକାଦୃତ ଉପାୟ ଭାବରେ ଚିକିତ୍ସା କ୍ଷେତ୍ରରେ ପରିଚିତ। ଏ ଦିଗରେ ଆମ ଦେଶର ଅଗ୍ରଣୀ ଗବେଷଣା ସଂସ୍ଥା ଭାଭା ପରମାଣୁ ଗବେଷଣା କେନ୍ଦ୍ରରେ ଏ ବିଷୟରେ ଗଭୀର ଅଧ୍ୟୟନ କରାଯାଇ ୨୬ ପ୍ରକାରର ବିଭିନ୍ନ ଉନ୍ନତଧରଣର ବୀଜ ପ୍ରସ୍ତୁତ କରାଯାଇଛି। ତାହା ମଧ୍ୟରେ ଚିନା ବାଦାମ, ସୋରିଷ, ଧାନ, ବିନ ଛୁଇଁ, କପା ଇତ୍ୟାଦି। ଏହା ଏବେ ବହୁଳ ଭାବରେ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶର ଚାଷୀମାନେ ବ୍ୟବହାର କରୁଛନ୍ତି। ଉଦାହରଣ ସ୍ବରୂପ TG- 37A , TG-38 କିସମର ଉନ୍ନତ ମାନର ଚିନାବାଦାମ, ଯାହା ଭାଭା ପରମାଣୁ କେନ୍ଦ୍ରରେ ବିକଶିତ ହୋଇଛି ବହୁଳ ପରିମାଣରେ ଓଡ଼ିଶାର ଚାଷୀମାନଙ୍କ ମଧ୍ୟରେ ଲୋକପ୍ରିୟ। ତେଜସ୍କ୍ରିୟ ଆଇସୋଟୋପକୁ ମାଟିରେ ସାର ସହିତ ପ୍ରୟୋଗ କରି ଓ ଫସଲ ଭିତରେ ରାସାୟନ ସାର କେତେଦୂର କାର୍ଯ୍ୟକ୍ଷମ ତାହା କଳନା କରାଯାଇପାରୁଛି। ଏଥିପାଇଁ ଫସଫରସ ସହ P-32 ଓ ସଲଫର ସହିତ S-35 ତେଜସ୍କ୍ରିୟ ଆଇସୋଟୋପ ବ୍ୟବହାର କରାଯାଇ ଥାଏ । ସେହିପରି ପେଷ୍ଟିସାଇଡ଼ରେ ଆଇସଟୋପ ବ୍ୟବହାର କରି ଏହାର ସାଇଡ୍‌ ଇଫେକ୍ଟ ବିଷୟରେ ଜାଣି ହୁଏ। ଫଳରେ ଚାଷୀମାନେ କୋଉ ରାସାୟନିକ କେତେ ବ୍ୟବହାର କରିବେ ତା’ର ଠିକ ଅନୁମାନ ମିଳିଯାଏ। କୋଉ କୀଟନାଶକ ବ୍ୟବହାର ଅନୁପଯୋଗୀ ତାହା ମଧ୍ୟ ଚାଷୀ ଭାଇ ଜାଣିପାରନ୍ତି। ଫସଲ ଉତ୍ପାଦନ ପରେ ତାକୁ ପୋକ ଦାଉରୁ ରକ୍ଷା କରି ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖିବାରେ ମଧ୍ୟ ଆଣବିକ ଶକ୍ତିର ପ୍ରୟୋଗ ହେଉଛି। ଅତି ଶକ୍ତିଶାଳୀ ବିକିରଣ ଦେଉଥିବା ରେଡିଓ ଆଇସୋଟୋପ ଗୁଡିକ ଦ୍ୱାରା ଖାଦ୍ୟ ଶସ୍ୟକୁ ଅନେକ ଦିନ ନିରାପଦ ଭାବରେ ସାଇତି ରଖା ଯାଇପାରୁଛି । ଏପରି ଖାଦ୍ୟ ଶସ୍ୟ ସଂରକ୍ଷଣ କେନ୍ଦ୍ର ଆମ ଦେଶରେ ନାଶିକ, ମୁମ୍ବାଇ ଓ ଅନ୍ୟ ଜାଗାରେ ପ୍ରତିଷ୍ଠା କରାଯାଇଛି।
ତେବେ ଆମ ରାଜ୍ୟର ଉପକୂଳ ଅଞ୍ଚଳରେ ପରମାଣୁ ରିଆକ୍ଟର ବସାଇବା ପାଇଁ ପ୍ରାରମ୍ଭିକ ସର୍ଭେ କିଛି ବର୍ଷ ପୂର୍ବେ ହୋଇଥିଲା। ଓଡିଶାର ସମୁଦ୍ର ଉପକୂଳ ବାଲିରେ ଅତି ଦରକାରୀ ଥୋରିୟମ ପ୍ରଚୁର ପରିମାଣରେ ଅଛି। ଏହି ଥୋରିୟମ ଭବିଷ୍ୟତର ପରମାଣୁ ରିଆକ୍ଟର ପାଇଁ ଇନ୍ଧନ ହେବ ଓ ଭାରତର ଶକ୍ତି ଆବଶ୍ୟକତାକୁ ବହୁ ପରିମାଣରେ ପୂର୍ଣ୍ଣ କରିବ। ହିରୋସୀମା ଓ ନାଗାସାକି ନିଶ୍ଚୟ ମାନବ ଇତିହାସର ଏକ କଳା ଅଧ୍ୟାୟ। ତେବେ ତାକୁ ଭୁଲି ମଣିଷ ପରମାଣୁ ଶକ୍ତିକୁ ଶାନ୍ତିପୂଣ୍ଣର୍ର୍ ବିନିଯୋଗ କରି ସମଗ୍ର ମାନବ ଜାତିର କଲ୍ୟାଣ କରୁଛି ଏଥିରେ ସନ୍ଦେହ ନାହିଁ ।
ବୈଜ୍ଞାନିକ, ଭାଭା ପରମାଣୁ ଗବେଷଣା କେନ୍ଦ୍ର, ଯାଦୁଗୁଡା, ପୂର୍ବ ସିଂହଭୂମ, ଝାଡ଼ଖଣ୍ଡ
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri