ନିଖିଳର କବି କାଳିନ୍ଦୀଚରଣ

ଡ. ହୃଷୀକେଶ ମଲ୍ଲିକ
ଗତ ଶତାବ୍ଦୀର ଓଡ଼ିଆ ଗଦ୍ୟ ଓ କବିତାରେ କାଳିନ୍ଦୀଚରଣ ହେଉଛନ୍ତି ଏକ ସଶକ୍ତ ଉଚ୍ଚାରଣ। ୧୯୨୦ ମସିହା ପରେ, ଅର୍ଥାତ୍‌ ସତ୍ୟବାଦୀ ଯୁଗର ଜାତୀୟତାବାଦୀ ସୋପାନଟି ଅତିକ୍ରମ କଲାପରେ ଓଡ଼ିଆ କବିତାରେ ଯେଉଁ ନୂଆ ଯୁଗଟି ଆସେ, ସେହି ଯୁଗର ଅତ୍ୟତମ ପ୍ରମୁଖ ବିନ୍ଧାଣି ସେ। ‘ମାଟିର ମଣିଷ’ ଉପନ୍ୟାସ ରଚନା କରି ଓଡ଼ିଆ ଉପନ୍ୟାସ ସାହିତ୍ୟରେ ସେ ଯେପରି ଏକ ଦିଗବାରେଣୀ, ‘ମନେ ନାହିଁ’, ‘କ୍ଷଣିକ ସତ୍ୟ’ ଓ ‘ମହାଦୀପ’ ଭଳି କବିତାଗ୍ରନ୍ଥ ରଚନା କରି ଓଡ଼ିଆ କବିତାରେ ସେହିପରି ଭିନ୍ନ ଏକ ବୁନିଆଦିର ନିର୍ମାତା। ତାଙ୍କ ତାରୁଣ୍ୟ ଭାରତୀୟ ରାଜନୀତିର ଏପରି ସମୟଖଣ୍ଡରେ ଉଦ୍ଦୀପିତ, ଯେତେବେଳେ କି ‘କଂଗ୍ରେସ’ରେ ପ୍ରବେଶ କରୁଛି ‘ସମାଜବାଦ’। ଏହି ସମୟକୁ ପୁଣି ଓଡ଼ିଶାରେ ଅଭ୍ୟୁଦୟ ଘଟୁଛି କମ୍ୟୁନିଷ୍ଟ ଚିନ୍ତନର। ରାଜାରାଜୁଡ଼ାଙ୍କ ଏକଚ୍ଛତ୍ର ସ୍ଥିତି ବିପକ୍ଷରେ ଦାନା ବାନ୍ଧୁଛି ମେହନତି ମଣିଷର ପ୍ରତିବାଦୀ ସ୍ବର। ଯଦିଓ କାଳିନ୍ଦୀଙ୍କ ପ୍ରାଥମିକ କବିତା ଥିଲା ‘ସ୍ବପ୍ନ’ ଓ ‘ଯୌବନ’ର ନିରାଜନା; କିନ୍ତୁ ତା’ର ସମାନ୍ତରାଳରେ ଉଧାଉଥିଲା ଓଡ଼ିଆ କବିତାରେ ଏକ ସାମ୍ୟବାଦୀ ଚେତନାର ଅଭୀକତା। ଈଶ୍ୱର ନୁହେଁ, ଈଶ୍ୱରଙ୍କଠୁଁ ନିରାଶ ହୋଇ ମୁହଁ ଫେରାଉଥିବା ନିରାଶ୍ରୟୀ ମଣିଷର ଅଭିଷେକ ଓଡ଼ିଆ କବିତାରେ ରଚିଥିଲା ମାନବବାଦର ଏକ ନୂଆ ଯୁଗ। ଏପରି ଏକ ସନ୍ଧିକ୍ଷଣରେ କାଳିନ୍ଦୀ ଓଡ଼ିଆ କବିତାରେ ଆବିର୍ଭୂତ ହୋଇ, ଓଡ଼ିଆ କବିତାର ଯେଉଁ ବିନୀତ ଓ କାନ୍ଦୁରା ଯୁଗଟିକୁ ବାଟ ବଢ଼େଇ ଆଣିଥିଲେ ସତ୍ୟବାଦୀର ସାହିତ୍ୟସାଧକମାନେ, ତାକୁ ପ୍ରଦାନ କରିଥିଲେ ପ୍ରତିବଦ୍ଧତାର ନିଶଙ୍କ ବଜ୍ର-କବଚ।
କାଳିନ୍ଦୀ ଐତିହ୍ୟ ସୂତ୍ରରୁ ପାଇଥିଲେ ଓଡ଼ିଆ କାବ୍ୟଭାଷାର ଯେଉଁ ଖାନ୍‌ଦାନି, ତାକୁ ଆଧାର କରି ଗଢ଼ିଥିଲେ ନିଜସ୍ବ ଏକ କାବ୍ୟଧାରା, ଯହିଁରେ ‘ମଣିଷ’ ଥିଲା କେନ୍ଦ୍ରରେ। ଅଙ୍ଗେନିଭା ଅନୁଭୂତିକୁ ସେ ଦେଇଥିଲେ କାବ୍ୟଭାଷାର ଗୌରବ। ‘ଗାନ୍ଧାରୀର ଆଶୀର୍ବାଦ’ ଓ ‘ପାସୋରି ଦେଲିରେ ଶିମୁଳିପାଳ’ କବିଙ୍କର ଦୁଇ ଅମର କାବ୍ୟକୃତି। ଏଥିରେ ଅଛି ‘ଆଦର୍ଶ’ ଓ ‘ଜୀବନର ତାଜାପଣ’। ଦେହକୁ କସ୍ମିନ୍‌କାଳେ ଅସ୍ବୀକାର ନ କରି ମଧ୍ୟ ଜୀବନକୁ ଛୁଇଁଛନ୍ତି ମହାକାଶୀ ଉଚ୍ଚତାରେ। ‘ଯୌବନ’ ତାଙ୍କ କବିତାର ଯଦିଓ ପାଦପ୍ରଦୀପ, କିନ୍ତୁ ସେହି ପ୍ରଦୀପରେ ଆଲୋକିତ ନିଖିଳବିଶ୍ୱର ସାମଗ୍ରିକତା। ମଣିଷ ଆଖିର ଏପରି ବୁନ୍ଦାଏ ଲୁହ ନାହିଁ, ଯାହା ତାଙ୍କ କବିତାର ଶବ୍ଦ ଦେଇ ଝରିଯାଇନାହିଁ। ଦୀନଦୁଃଖୀର ଏପରି ଟୋପାଏ ସ୍ବେଦ ନାହିଁ, ଯାହା ତାଙ୍କ କବିତାର ଅତି ସୁକୁମାର ଶବ୍ଦଙ୍କୁ ବି ଝାଳେଇ ଦେଇନାହିଁ। ତାଙ୍କର ପ୍ରତ୍ୟେକଟି ପରିଣତ କବିତାରେ ରାତିଶେଷର ଦୂର ଆଡ଼ବଂଶୀ ପରି ଶୁଭିଛି ଖଟିଖିଆର ନିରୁପାୟ ଦୀର୍ଘଶ୍ୱାସ। ଗଁା ମହାଜନର ଅତ୍ୟାଚାରରେ ନିପୀଡ଼ିତ ସର୍ବହରାର ଦୁର୍ଦ୍ଦଶାକୁ ରୂପ ଦେବାକୁ ଯାଇ କାଳିନ୍ଦୀ ତାଙ୍କର ‘ଚାଷୀର ଭାଗ୍ୟ’ (ମହାଦୀପ) କବିତାରେ ଲେଖିଛନ୍ତି:
”କିଣିଥିଲା ଛଡ଼ାଟିଏ, ପିଲାଏ ଖାଇବେ ଦୁଧ
ମହାଜନ ଦେଖି ତାହା, ତାଗିଦା କରିଛି ସୁଧ!
ଜମିଦାରି ପିଆଦାକୁ, ଆଠଣା ଦେଇଛି କାଲି
ଏ ବରଷ ଖଜଣାଟା, ସତାରିବ ମାସେ ଖାଲି।“
ରାଜନୀତିରେ ଭୋଟ୍‌ ବେଳ ଆସିଲେ ଗାଁ ଗାଁରେ କେତେ ସଭା ହୁଏ, କେତେ ମିଠା ମିଠା ବୋଧନା ଦିଆଯାଏ; ଅଥଚ ଭୋଟ୍‌ ସରିଲେ କାଶିଆ କିଏ ନା କପିଳା କିଏ? ଗରିବର ଭାଗ୍ୟ ଯେଉଁ ତିମିରେକୁ ସେଇ ତିମିରେ। ରାଜନୀତିର ଏଇ ଚିରାଚରିତ ପ୍ରବଞ୍ଚନାକୁ କାଳିନ୍ଦୀ ରୂପ ଦିଅନ୍ତି ଏହିପରି ତାଙ୍କ କବିତାରେ-”ଆପଣା ବରାଦ ଆପେ, କରିବାକୁ ହେବ ଆଜି/ଗଲାଣି ସେ ବେଳକାଳ, କରିବାକୁ ହାଁ ଜୀ ହାଁ ଜୀ!/କରିବାକୁ ହେବ ରଡ଼ି, ନାହିଁ ନାହିଁ ନାହିଁ ଯାହା/କରାମତି ଦେଖାଇବ, କେଡ଼େ ଘାସକଟା ଦାଆ!“ (ଚାଷୀର ଭାଗ୍ୟ, ମହାଦୀପ)। ପ୍ରବଞ୍ଚକଙ୍କ ବିରୋଧରେ ଉତ୍ତୋଳିତ ହୋଇଥିଲା କି ଆଗରୁ ଚାଷୀର ଏ ତୃଷାର୍ତ୍ତ ଘାସକଟା ଦାଆ କାଳିନ୍ଦୀଙ୍କ ପୂର୍ବରୁ, ଏତେ ଅ’ଣ ଉପ୍ରୋଧ?
‘ଚାଳଘର’, ‘ବ୍ୟଥାର ସାଧନ’ ଓ ‘ଯାଦୁଘର’ ଭଳି କବିତା ରଚନା କରି କାଳିନ୍ଦୀ ଓଡ଼ିଆ କବିତାରେ ସାଧାରଣ ଜନତାର ସ୍ବରକୁ ଏପରି ଶାଣିତ କରିଯାଇଛନ୍ତି ଯେ, ତାହା ଆଜି ସୁଦୂର ଅନ୍ତରୀକ୍ଷରେ ବି ପ୍ରତିଧ୍ୱନିତ ହେଉଛି ରହି ରହି। ସମକାଳର ‘କଟକ’ର ରାଜନୈତିକ ବିରୂପତାକୁ କାଳିନ୍ଦୀ ଯେପରି ପ୍ରତ୍ୟକ୍ଷ କରି ଆଙ୍କିଛନ୍ତି ତାଙ୍କ କବିତାରେ, ତା’ର ବିକଳ୍ପ ଖୋଜିଲେ ତାଙ୍କ ସମଧର୍ମା ସହକବିଙ୍କ କବିତାରେ କ୍ୱଚିତ୍‌ ମିଳେ। ଯଥା: ”ସୁବିଧାବାଦର ଫିଟାଇ ନୂତନ ରାହା/କାମଠାରୁ ବଡ଼ ହୋଇଅଛି କରତାଳି/ ସବୁଠାରୁ ବଳି ଖବରକାଗଜ-ମାୟା/କଟକେ କେବଳ ରାଜନୀତି ଆଜିକାଲି।“ (କଟକ-ରାଜନୀତି)। ୧୯୪୦ରେ ଲେଖୁଛନ୍ତି କବି ତାଙ୍କର ଏ କବିତା, ଯେତେବେଳେ ସେ ନିଜେ ବି ଊଣା ଅଧିକେ ରାଜାଶ୍ରିତ ବା ଶାସନର ଅଂଶୀଦାର, ବେତନଭୁକ୍‌।
ଦଳିତ, ଲାଞ୍ଛିତ ଓ ସର୍ବହରାଙ୍କୁ ନେଇ ଓଡ଼ିଆରେ ୧୯୪୦ ପରବର୍ତ୍ତୀ ପର୍ଯ୍ୟାୟରେ ହୁଏତ ଅନେକ କବିତା ଲେଖାଯାଇଛି, କିନ୍ତୁ ଖୁବ୍‌ କମ୍‌ କବି ତାଙ୍କ କବିତାରେ ଗୋଟିପଣେ ଦଳିତ, ଲାଞ୍ଛିତ ଓ ସର୍ବହରାର ହାହାକାର ଭିତରେ ନିଜକୁ ମିଳାଇ ଦେଇଛନ୍ତି, ଯେପରି କରିଛନ୍ତି କାଳିନ୍ଦୀଚରଣ। ଖୁବ୍‌ କମ୍‌ କବିତାରୁ ଶୁଭୁଛି ‘ବ୍ୟକ୍ତିସତ୍ତା’ର ‘ସମଗ୍ର’ରେ ବିସର୍ଜନର ଏ ଅଶ୍ରୁଧ୍ୱନି- ”ଦଳିତ ପୀଡ଼ିତ ମୋ’ ତହୁଁ ଅଧିକ କିଏ?/ମୋ ତହୁଁ ଉଷ୍ଣ ନିଃଶ୍ୱାସ ଢାଳିଦିଏ/ ବୁହାଏ ମୋ’ ତହୁଁ ଅଧିକ କିଏ ବା ଝାଳ/ ରୁଧିର କାହାର ମୋ’ ତହୁଁ ତୀବ୍ର ଲାଲ?/ମଣିଷ ପାଖରେ ବନ୍ଧୁତା କଲେ ଯାଇ/ ସେହି ଛୁରି ଲୋଡ଼ା ନିଜକୁ ରଖିବା ପାଇଁ। (‘ମୋ ବାଣୀ’, ‘ଛୁରିଟିଏ ଲୋଡ଼ା’)। ୧୯୩୯ରେ କାଳିନ୍ଦୀ ଲେଖୁଛନ୍ତି ଏ କବିତା, ଯେତେବେଳେ ସାରା ଦେଶ ମାତିଛି ଏକ ବିବର୍ତ୍ତନର ସନ୍ଧାନରେ। ଲକ୍ଷ୍ୟ କରିବାର କଥା ଯେ, କାଳିନ୍ଦୀଙ୍କ କବିତାରେ ‘ଛୁରି’ ଏଠି ‘ଲୁହା’ର ଶାଣଦିଆ ଛୁରି ନୁହେଁ, ଏ ‘ଛୁରି’ ବନ୍ଧୁତାର, ସମନ୍ବୟର ଓ ପରକୁ ଆପଣେଇ ନେବାର ଉତ୍ସବମୟତା। ଦେବତାର ଦୁଆରେ ଦରିଦ୍ରର ଡାକବାଜି ଫେରି ଆସୁଛି, ଅଥଚ କବି କହୁଛନ୍ତି, ଏ ପ୍ରତ୍ୟାଖ୍ୟାନରେ ଦେବତାର ଟେକ ରଖିବାକୁ କାଟିଦେବାକୁ ହେବ ନିଜର ବେକ।
କାଳିନ୍ଦୀଙ୍କ କବିତାରେ ଆଉ ଏକ ଲକ୍ଷ୍ୟ କରିବାର କଥା ଯେ, ସେ ତାଙ୍କ କବିତାରେ ‘ଶଳା’ ଓ ‘ଶାଳୀ’ ପରି ଇତରୋଚିତ ଶବ୍ଦର ପ୍ରୟୋଗ କରିଥିଲେ ବି କଦାପି ଏ ଶବ୍ଦସବୁକୁ ପ୍ରତିପକ୍ଷ ବିରୋଧରେ ମର୍ଯ୍ୟାଦାହୀନ ଭାବେ ନିୟୋଜିତ କରିନାହାନ୍ତି। ‘କିଏ ଶଳା ସଇତାନ’(୧୯୪୪) ଶୀର୍ଷକ ତାଙ୍କର ଏକ ଚର୍ଚ୍ଚିତ କବିତାର ଏଇ ପଙ୍‌କ୍ତିଟିକୁ ଲକ୍ଷ୍ୟ କରନ୍ତୁ ”ଜନ୍ମ ଆମର ମଣିଷ କୁଳରେ/ନାହିଁ ଇଜ୍ଜତ ମାନ/ଆମ ଝିଅବୋହୂ ସବୁରି ଶାଳୀ ହେ/ଆମେ ଶଳା ସଇତାନ।“ ‘ଶଳା’ ଓ ‘ଶାଳୀ’ ଶବ୍ଦ ଏଠି ନିଜ ପ୍ରତି ‘ଆତ୍ମଧିକ୍କାର’, ଯଦିଓ କବିତାର ଶେଷ ପର୍ଯ୍ୟାୟରେ ସେ କହନ୍ତି ‘ବଳେ ଜଣାଯିବ କିଏ ଶଳା ସଇତାନ’ ବୋଲି। ପ୍ରତି ଯୁଗର ପ୍ରତ୍ୟେକ ପ୍ରତିଭାବାନ କବି ସ୍ଥିତ ଭାଷାର ନବନିର୍ମାଣ କରିଥାନ୍ତି। କାଳିନ୍ଦୀ ତାହା ତ କରିଛନ୍ତି, କିନ୍ତୁ ଏଥି ସହିତ ନିଜର ସକଳ ନିଷ୍ଠା ଦେଇ ସେ ଉଡ୍ର ବାଗ୍‌ଦେବୀଙ୍କର ଯେଉଁ ଚାମର ସେବା କରିଯାଇଛନ୍ତି, ତାହା ଓଡ଼ିଆ କବିତାରେ ଅବଶ୍ୟ ଦୁର୍ଲଭ।
ଓଡ଼ିଆ ଭାଷାର ଅପାଠୁଆ, ଅପାଠୋଇଙ୍କ ତୁଣ୍ଡରୁ ଶବ୍ଦ ଛଡ଼େଇଆଣି ନିଜ କବିତାକୁ ଯେପରି ନିକ କରି ଗଢ଼ିଯାଇଛନ୍ତି କାଳିନ୍ଦୀଚରଣ, ତା’ର ପଟାନ୍ତର କେବଳ ଓଡ଼ିଆ ଭାଷାରେ ନୁହେଁ, ତାଙ୍କ ସମକାଳୀନ ଭାରତର ଅନ୍ୟ କବିତାରେ ମଧ୍ୟ ବିରଳ। କବିଙ୍କର ଆଜି ପବିତ୍ର ଜନ୍ମତିଥି। ଏ ଅବକାଶରେ ମହାର୍ଘ ଏହି କବିଙ୍କର ଗୋଟିଏ କବିତାଂଶ ଉଦ୍ଧାର କରି ତାଙ୍କୁ ‘ଧରିତ୍ରୀ’ ଓ ସମଗ୍ର ଓଡ଼ିଆ ଜାତିର ଶ୍ରଦ୍ଧାଞ୍ଜଳି ବାଢ଼ିଦେବା ହିଁ ହେବ ତାଙ୍କ ପ୍ରତି ଓଡ଼ିଆ ଭାଷାର କାମ୍ୟ କୃତଜ୍ଞତା ”ମୃତ୍ୟୁ ପରେ କି ସୁଖ ଅଛି/କି ଅବା ବିଭୀଷିକା/ କଳ୍ପନାର ରାଇଜେ ବୁଲ କାହିଁ?/ନିଭିଲେ ଥରେ ନ ଜଳେ ଆଉ/ ଜୀବନ-ଦୀପଶିଖା/ଜୀବନ ପରେ ନାହିଁରେ କିଛି ନାହିଁ!“ (‘ଅମର ଆଶା’, ‘ମନେ ନାହିଁ’)
(କବି କାଳିନ୍ଦୀଚରଣଙ୍କ ଜୟନ୍ତୀ ଉପଲକ୍ଷେ)
ମୋ-୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri