ନରକରେ ଜମାକାରୀ

ଭାରତୀୟ ଅର୍ଥନୀତି ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଏହାକୁ ସୁଧାରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଏପରି କି ଅଧିକ ଆୟ ସଂଗ୍ରହ ଲାଗି ଗତ ସାଧାରଣ ବଜେଟ ବେଳେ ସରକାରଙ୍କ ପକ୍ଷରୁ ଯେଉଁ କଠୋର ନିଷ୍ପତ୍ତି ନିଆଯାଇଥିଲା, ସେଥିରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି। କିଛିଦିନ ତଳେ କର୍ପୋରେଟ୍‌ ଟିକସ ହ୍ରାସ କରାଯାଇଛି। ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରିବା ସକାଶେ ସେଗୁଡ଼ିକ ମଧ୍ୟରେ ମିଶ୍ରଣ କରାଯିବା ସହ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ସୁଧହାର କମାଯାଇଛି। ତଥାପି ଭାରତୀୟ ଅର୍ଥନୀତିରେ ତତ୍‌କ୍ଷଣାତ୍‌ ଅଲୌକିକତା ଘଟିବାର ଆଭାସ ମିଳିପାରୁ ନାହିଁ। ହଠାତ୍‌ ବିମୁଦ୍ରୀକରଣର ନିଷ୍ପତ୍ତି, ତା’ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଦ୍ରା ସମ୍ପର୍କିତ ନୀତି ପରିବର୍ତ୍ତନ, ଏହାର ଏକ ବର୍ଷ ପୂର୍ତ୍ତି ନ ହେଉଣୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟି ଅର୍ଥନୀତିକୁ ମାନ୍ଦାବସ୍ଥାକୁ ଟାଣିନେଇଛି। ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ଭଳି ବୃହତ୍‌ ଶିଳ୍ପପତିଙ୍କଠାରୁ ଆରମ୍ଭ କରି ଚନ୍ଦା କୋଚ୍ଚରଙ୍କ ପର୍ଯ୍ୟନ୍ତ ବ୍ୟାଙ୍କରଙ୍କ ଭୂମିକା ନିକଟ ଅତୀତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ବ୍ୟକ୍ତିବିଶେଷ କିଛିଟା ଅନିୟମିତତା କରିଥାଇପାରନ୍ତି, କିନ୍ତୁ ଭାରତ ଭଳି ଏକ ବିରାଟକାୟ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଇପାରିବାର ଶକ୍ତି ସେମାନଙ୍କ ପାଖରେ ଥିଲା ବୋଲି ଭାବିବା ଅନୁଚିତ।
ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ୍‌ (ପିଏମ୍‌ସି) ବ୍ୟାଙ୍କ ରିୟଲ ଇଷ୍ଟେଟ କମ୍ପାନୀ ଏଚ୍‌ଡିଆଇଏଲ୍‌ ଭଳି ସଂସ୍ଥାକୁ ପର୍ଯ୍ୟାପ୍ତ ଋଣ ଦେଇ ଘୋର ଆର୍ଥିକ ସମସ୍ୟାରେ ପଡ଼ିଛି। ସେମାନଙ୍କୁ ଦିଆଯାଇଥିବା ଋଣ ଏବେ ଅନାଦାୟ ଋଣ (ଏନ୍‌ପିଏ) ପର୍ଯ୍ୟାୟରେ ପହଞ୍ଚିଛି। ଏହାଦ୍ୱାରା ଜମାକାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପିଏମ୍‌ସିର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାରୁ ୨୪ ସେପ୍ଟେମ୍ବର ୨୦୧୯ରେ ଜମାକାରୀଙ୍କ ଅର୍ଥ ଉଠାଣ ଉପରେ କଟକଣା ଜାରି କରାଯାଇଛି। ଏହାର ପରିଣାମ ଜମାକାରୀଙ୍କୁ ଭୋଗିବାକୁ ପଡ଼ିଲାଣି। ୧୮ ଅକ୍ଟୋବରରେ ଉତ୍ତର-ପୂର୍ବ ମୁମ୍ବାଇ ସହରତଳି ଅଞ୍ଚଳ ମୁଲୁନ୍ଦନିବାସୀ ୮୩ ବର୍ଷୀୟ ମୁରଲୀଧର ଧରାଙ୍କ ମୃତ୍ୟୁ ଏବେ ଅନ୍ୟାନ୍ୟ ଜମାକାରୀଙ୍କୁ ଭୟଭୀତ କରିସାରିଲାଣି। ତାଙ୍କ ପରିବାର ଉକ୍ତ ବ୍ୟାଙ୍କରେ ୮୦ ଲକ୍ଷ ଟଙ୍କା ଜମା କରିଥିଲେ। ମୁରଲୀଧରଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ଲାଗି ପରିବାର ଲୋକେ ବ୍ୟାଙ୍କରୁ ଉକ୍ତ ଅର୍ଥ ଉଠାଣ ଲାଗି ଚେଷ୍ଟା କରି ବିଫଳ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ, ପିଏମ୍‌ସି ବ୍ୟାଙ୍କ ଏବେ ଏକ ପରୀକ୍ଷାମୂଳକ ଉଦାହରଣ ପାଲଟିଛି। ଭାରତୀୟ ଅର୍ଥନୀତି ଗବେଷଣାଗାରରେ ଏହି ବ୍ୟାଙ୍କର ଭବିଷ୍ୟତକୁ ଉତ୍କଣ୍ଠାର ସହିତ ପର୍ଯ୍ୟବେକ୍ଷଣ କରାଯାଉଛି। ଏହି ସମବାୟ ବ୍ୟାଙ୍କର ଏନ୍‌ପିଏ ପରିମାଣ ୨୦୧୭-୧୮ରେ ୧୪୮ କୋଟି ଟଙ୍କା ଥିବା ବେଳେ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ୩୧୫ କୋଟି ଟଙ୍କା ବୃଦ୍ଧି ଘଟିଛି। ଏତିକି ପରିମାଣ ବ୍ୟାଙ୍କ ପକ୍ଷରୁ ଏନ୍‌ପିଏ ଭାବେ ଦର୍ଶାଯାଇଥିଲେ ହେଁ ବେଆଇନ ଭାବେ ପ୍ରଦାନ କରାଯାଇଥିବା ଅନାଦାୟ ଋଣ ବିଷୟରେ ତଥ୍ୟ ପ୍ରକାଶ ପାଇପାରିନାହିଁ। ଏଭଳି ସ୍ଥଳେ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଉଠାଣ ଉପରେ ଆର୍‌ବିଆଇ କଟକଣା ଜାରି କରିଛି। ଜେଟ୍‌ ଏୟାରଓ୍ବେଜର ପୂର୍ବତନ କର୍ମଚାରୀଙ୍କଠାରୁ ଆହୁରି କେତେ ପିଏମ୍‌ସି ଜମାକାରୀ ଇତିମଧ୍ୟରେ ଆତ୍ମହତ୍ୟା କରିସାରିଲେଣି। ଅନ୍ୟମାନେ କେଉଁଭଳି ଭାବେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ଦେଖିବା ପାଇଁ ସରକାର ମଧ୍ୟ ଅପେକ୍ଷାରତ। ଯଦି ସାଧାରଣ ନାଗରିକଙ୍କଠାରୁ କୋହଳ ମନୋଭାବର ସୁରାକ ମିଳେ, ତେବେ ଅନୁରୂପ ପଦକ୍ଷେପ ନେବା ପାଇଁ ଆର୍‌ବିଆଇର ହାତମୁଠା ଟାଣ ହେବ। ଭାରତରେ ଥିବା ପ୍ରାୟ ସବୁ ବ୍ୟାଙ୍କର ପ୍ରବଳ ଏନ୍‌ପିଏ ରହିଛି। କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଏନ୍‌ପିଏ ପରିମାଣ ଦେଖିଲେ ୨୦୧୯ ମାର୍ଚ୍ଚ ସୁଦ୍ଧା ୮ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱକୁ ଯାଇଛି। ବିମୁଦ୍ରୀକରଣର କାରଣ ଭାବେ ବ୍ୟାଙ୍କଗୁଡ଼ିକୁ ରିମନିଟାଇଜ୍‌ ବା ଅର୍ଥ ଫେରାଇ ଆଣିବାର ଉଦ୍ଦେଶ୍ୟ ଥିଲା। ତାହା ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ମାତ୍ର ୩ ବର୍ଷ ମଧ୍ୟରେ ଜଣାପଡ଼ିଛି।
ଘରେ ଅର୍ଥ ନ ରଖି ତାହାକୁ ବ୍ୟାଙ୍କରେ ସଞ୍ଚୟ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବାଧ୍ୟ କରାଯାଉଛି। ଏପରି କି ଅନ୍‌ଲାଇନ୍‌ କାରବାର ଉପରେ କିଛି ବର୍ଷ ହେବ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ସେଭଳି ପରିସ୍ଥିତିରେ ଘରେ ନଗଦ ରଖିଲେ ଆୟକର ବିଭାଗ ଚଢ଼ାଉ କରି ତାହାକୁ କଳାଧନ ଆଖ୍ୟା ଦେଇଦେଉଛନ୍ତି। ଅନ୍ୟପଟେ ବ୍ୟାଙ୍କରେ ଥିବା ଅର୍ଥ ଉଚିତ ସମୟରେ ମିଳିପାରିବ ବୋଲି ନିଶ୍ଚିତତା ବା ଗ୍ୟାରେଣ୍ଟି କିଛି ନାହିଁ। ଆବଶ୍ୟକତା ବେଳେ ଜମାକାରୀ ବ୍ୟାଙ୍କରୁ ଅର୍ଥ ଉଠାଣ କରି ନ ପାରିଲେ ଏବକାର ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରତି ବିମୁଖଭାବ ବଢ଼ିବା ସ୍ବାଭାବିକ। ପିଏମ୍‌ସି ବ୍ୟାଙ୍କର ଆର୍ଥିକ ପରିସ୍ଥିତି ଓ ଉଠାଣ ଉପରେ କରାଯାଇଥିବା କଟକଣା ବାର୍ତ୍ତା ଚାରିଆଡ଼େ ପ୍ରଚାର ହୋଇଯାଉଥିବାରୁ ତାହା ଗ୍ରାହକଙ୍କୁ ମଧ୍ୟ ପ୍ରଭାବିତ କରିବ। ବ୍ୟକ୍ତି ନିଜ ଅର୍ଥର ସୁରକ୍ଷା ଓ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ସକାଶେ ବ୍ୟାଙ୍କ ଯାଇଥାଏ। ଯେତେବେଳେ ସେତକ ଭରସା ବ୍ୟାଙ୍କରୁ ପାଇପାରିବ ନାହିଁ, ସେତେବେଳେ ପୁରୁଣାକାଳିଆ ଢାଞ୍ଚାରେ ତାହାକୁ ଘରେ ସାଇତିବାକୁ ବାଧ୍ୟ ହେବ।
ଦୁଃଖର ବିଷୟ ହେଉଛି ଯେ, ଜମାକାରୀଙ୍କ ଝାଳବୁହା ଧନକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବଡ଼ବଡ଼ିଆଙ୍କୁ ବିନା ବନ୍ଧକରେ ଦେଇଦେଉଛନ୍ତି। କିଛିବର୍ଷ ଅନ୍ତେ ସେମାନେ ତାହାକୁ ଶୁଝି ନ ପାରିବା ପରେ ତାହା ଏନ୍‌ପିଏରେ ପରିଣତ ହୋଇଯାଉଛି। ଏହାଦ୍ୱାରା ସଚ୍ଚୋଟ ଜମାକାରୀ, ଯାହାଙ୍କ ସଂଖ୍ୟା ସର୍ବାଧିକ ରହୁଛି, ସେମାନେ ନରକରେ ପଡ଼ୁଛନ୍ତି। କୌଣସି ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଗଲେ ସରକାର କରଦାତାଙ୍କ ଅର୍ଥକୁ ବ୍ୟବହାର କରି ପ୍ୟାକେଜ ଘୋଷଣା କରୁଛନ୍ତି। ଏଭଳି ସ୍ଥଳେ ପ୍ରଶ୍ନ ଉଠୁଛି ସାଧାରଣ ଜମାକାରୀ ତା’ ନିଜସ୍ବ ଅର୍ଥ ଉଠାଇ ନ ପାରିବା ବେଳେ ସରକାର ବା ବ୍ୟାଙ୍କ କାହିଁକି ଚିନ୍ତିତ ହେଉନାହାନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ସାଧାରଣ ଜମାକାରୀଙ୍କ ସ୍ବାର୍ଥ ସର୍ବାଗ୍ରେ ରହିବା କଥା। ବର୍ତ୍ତମାନ ତାହାର କୌଣସି ଉଦାହରଣ ଦେଖିବାକୁ ମିଳୁନାହିଁ।
ଆଜିର ଆର୍ଥିକ ଜଟିଳ ପରିସ୍ଥିତିରେ ବ୍ୟାଙ୍କିଙ୍ଗ କ୍ଷେତ୍ର ସ୍ବୟଂସମ୍ପୂର୍ଣ୍ଣ ହେବା ଜରୁରୀ ହୋଇପଡ଼ିଲାଣି। ବିଶିଷ୍ଟ ଶିଳ୍ପପତି ବା ଧନୀ ବ୍ୟକ୍ତିଙ୍କ ମୁହଁକୁ ଚାହିଁ ବ୍ୟାଙ୍କଗୁଡ଼ିକ ତତ୍‌କ୍ଷଣାତ୍‌ ଅର୍ଥ ଦେଇଦେବା ଓ ତାହାକୁ ଠିକ୍‌ ସମୟରେ ଫେରାଇ ଆଣିପାରୁ ନ ଥିବାରୁ କ୍ଷତି ସହୁଛନ୍ତି। ବ୍ୟାଙ୍କରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ବଢ଼ିଯାଉଥିବା ଏନ୍‌ପିଏ ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡିତ କରାଯିବା ଦରକାର। ବାରମ୍ବାର ଆର୍ଥିକ ପ୍ୟାକେଜ ଦିଆଯାଇ ବ୍ୟାଙ୍କଗୁଡ଼ିକୁ ବଞ୍ଚାଇ ରଖାଯାଉଥିବାରୁ ଭୁଲ ନିଷ୍ପତ୍ତି ନେଉଥିବା ବ୍ୟାଙ୍କରଙ୍କୁ ଏହା କୌଣସି ଭାବେ ଚିନ୍ତିତ କରୁନାହିଁ। ତେଣୁ ସରକାର, ନୀତି ନିର୍ଦ୍ଧାରକ ଏବଂ ଆର୍‌ବିଆଇ ପକ୍ଷରୁ ଏ ଦିଗରେ ଗଭୀର ଅନୁଶୀଳନ କରାଯିବା ଉଚିତ। ବ୍ୟାଙ୍କଗୁଡ଼ିକୁ ଆର୍ଥିକ ପ୍ୟାକେଜ ଦେବା ବା ଜମାକାରୀଙ୍କ ଅର୍ଥ ଉଠାଣ ଉପରେ କଟକଣା ଲଗାଇଦେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏହାବ୍ୟତୀତ ଏଭଳି ମାରାତ୍ମକ ସମସ୍ୟାକୁ ଐତିହାସିକ ରାଜନୈତିକ ସମସ୍ୟାର ଆଖ୍ୟା ଦେଇ ଘୋଡ଼ାଇ ଦେଲେ ସାଧାରଣ ନାଗରିକ ହନ୍ତସନ୍ତ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାହିଁଥିବା ଜଳକା

ସହଦେବ ସାହୁ ରାଷ୍ଟ୍ରପତି ବାଇଡେନ୍‌ ବଡ଼ ସହଜରେ କହିଦେଲେ, “ଆଫ୍‌ଗାନିସ୍ତାନରୁ ୟୁଏସ୍‌ ଫୋର୍ସକୁ ଫେରାଇଆଣିବା ଯୁକ୍ତିଯୁକ୍ତ; ଯାହା ହୋଇଛି ତାହାଠାରୁ ବେଶି କିଛି ହେବାର ନାହିଁ।”...

ଏଇ ଭାରତରେ

ମଦ ବିରୋଧରେ ଏକ ନିଆରା ଯୁଦ୍ଧ ଦେଖିବାକୁ ମିଳିଛି ଗୁଜରାଟରେ। ଗାନ୍ଧୀନଗର ଜିଲାର କଲୋଲ ତହସିଲ ଅନ୍ତର୍ଗତ ପିୟାଜ ଗାଁରେ ବିବାହ ପୂର୍ବରୁ କନ୍ୟା ପରିବାରର...

ପୋଷାକ ଏବଂ ବିବାଦ

ରୁଦ୍ର ପ୍ରସନ୍ନ ରଥ ସାଧାରଣତଃ ପୋଷାକ ଏବଂ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ମହିଳାମାନେ ଏବେ ପୋଷାକକୁ ନେଇ ଭିନ୍ନ ଏକ କାରଣ...

ବିନାଶ ପଥେ କଂଗ୍ରେସ

ମାସାଧିକ କାଳର କସରତ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାକୁ ମନା କରିଦେଇଛନ୍ତି। ଟୁଇଟରରେ ସେ ଏହାର କାରଣ ମଧ୍ୟ କହିଛନ୍ତି। କିଶୋର...

ଏଇ ଭାରତରେ

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ଏକ ସ୍କୁଲ ବନ୍ଦ ରହିବା ପରେ ଏବେ ଖୋଲିଛି। ଛତିଶଗଡ଼ ବିଜାପୁର ଜିଲାର ନକ୍ସଲ...

କରୋନା ଓ ମାଂସାହାର

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାରୀ କରୋନାରେ ସମଗ୍ର ବଶ୍ୱର ପ୍ରାୟ ସବୁ ଦେଶର ଲୋକ ଏବେ ଗୃହବନ୍ଦୀ। କୁହାଯାଉଛି ଅସତର୍କ ଚାଇନାବାସୀଙ୍କ ବିକୃତ ଖାଦ୍ୟାଭ୍ୟାସରୁ...

ମାତୃଭାଷାର ଭିନ୍ନ ରୂପ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ “ଗତ କେଇଦିନ ଧରି ଓଡ଼ିଶାରେ କରୋନା ସେଞ୍ଚୁରି ମାରି ଚାଲିଛି। ଅଗଷ୍ଟ ପନ୍ଦର ବେଳକୁ କରୋନା ପାଇଁ ଯଦି...

ଅମର ହେବ ମଣିଷ

ଡ. ନରେନ୍ଦ୍ର ସେଠୀ   ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଭାଗବତର ଏହି ମର୍ମସ୍ପର୍ଶୀ ବାଣୀର ଅର୍ଥ ହେଲା ଯିଏ ଜନ୍ମ...

Advertisement
Archives

Model This Week