ଦେଶାନ୍ତରୀ ଶିଶୁଙ୍କ ଶିକ୍ଷା ଅଧିକାର

ଘାସିରାମ ପଣ୍ଡା
ଦାରିଦ୍ର୍ୟ ହେତୁ ପଶ୍ଚିମ ଓଡିଶାର ଅନେକ ପରିବାର ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟର ଇଟାଭାଟିଗୁଡ଼ିକରେ କାମ କରିବାକୁ ଯାଆନ୍ତି। ଏଥିରେ ଛୋଟ ପିଲାମାନେ ମଧ୍ୟ ସାମିଲ ହୁଅନ୍ତି। କଞ୍ଚାମାଟିର ଇଟାକୁ ଓଲଟାଇ ଶୁଖେଇବାରେ ଏହି ପିଲାମାନେ କାମରେ ଆସନ୍ତି। ଧାଡି ହୋଇ ଶୁଖୁଥିବା ଇଟାର ମଝିରେ ଥିବା ଫାଙ୍କରେ ଗଲାବେଳେ ବା ଇଟା ଉପରେ ପାଦଦେଲେ ଇଟା ଭାଙ୍ଗିବାର ସମ୍ଭାବନା ନ ଥିବାରୁ ଏମାନଙ୍କୁ ବ୍ୟବହାର କରାଯାଏ। ଏହି କାରଣରୁ ବର୍ଷରେ ପ୍ରାୟ ଛଅମାସରୁ ଅଧିକ ସମୟ ପରିବାର ସହ ଦେଶାନ୍ତରୀ ହେଉଥିବାରୁ ପିଲାମାନେ ଶିକ୍ଷା ଅଧିକାରରୁ ବଞ୍ଚିତ ହୁଅନ୍ତି। କେହି କେହି ଅଧାରୁ ପାଠ ଛାଡୁଥିବା ବେଳେ ଅନେକେ ମୂଳରୁ ବିଦ୍ୟାଳୟ ଯିବାର ସୁଯୋଗ ପାଆନ୍ତି ନାହିଁ।
ଜୀବିକା ପାଇଁ ଦେଶାନ୍ତରୀ ହେବା ଆଉ ପଶ୍ଚିମାଞ୍ଚଳରେ ସୀମିତ ହୋଇ ରହିନାହିଁ। ପ୍ରାୟତଃ ଓଡିଶାର ସବୁ ଅଞ୍ଚଳରୁ କର୍ମ ଅନ୍ବେଷଣରେ ସ୍ଥାନାନ୍ତର ଦେଖାଗଲାଣି। କାମ ଅନ୍ବେଷଣରେ ଦେଶାନ୍ତରୀ ହେଉଥିବା ଅନେକ ପରିବାର ନିଜ ବୟସ୍କ ମାତାପିତାଙ୍କ ପାଖରେ ଅବା ସମ୍ପର୍କୀୟଙ୍କ ଘରେ ପିଲାଙ୍କୁ ଛାଡି ଯାଉଛନ୍ତି, ନ ହେଲେ ନିଜ ସହ କର୍ମସ୍ଥଳୀକୁ ନେଇ ଯାଉଛନ୍ତି। ଉଭୟ କ୍ଷେତ୍ରରେ ପିଲା ବିଭିନ୍ନ କାରଣରୁ ବିଦ୍ୟାଳୟଠାରୁ ଦୂରେଇ ରହେ ଓ ଧୀରେ ଧୀରେ ପଢାରୁ ବିମୁଖ ହୁଏ।
ସମ୍ବିଧାନର ଧାରା ୨୧(କ) ସଂଶୋଧନ ହେଲା ପରେ ପ୍ରାଥମିକ ଶିକ୍ଷା ମୌଳିକ ଅଧିକାର ଭାବେ ଗଣାହେଉଛି। ୨୦୦୯ରେ ଶିକ୍ଷା ଅଧିକାର ଆଇନ ପ୍ରଣୟନ କରାଗଲା। ପ୍ରତ୍ୟେକ ଶିଶୁଙ୍କୁ ପ୍ରାକ୍‌ ପ୍ରାଥମିକଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ଦାୟିତ୍ୱ ରାଷ୍ଟ୍ର ଉପରେ ନ୍ୟସ୍ତ ରହିଲା। ଦେଶାନ୍ତରୀ ପରିବାରର ଶିଶୁମାନଙ୍କୁ ମଧ୍ୟ ପ୍ରାଥମିକ ଶିକ୍ଷାର ପରିସରକୁ ଆଣିବାର ପ୍ରୟାସ ସରକାରୀ ଓ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା କରାଯାଉଛି। ହେଲେ ଏହା ପର୍ଯ୍ୟାପ୍ତ ଓ ଗୁଣାତ୍ମକ ହୋଇପାରୁନାହିଁ।
ପରିବାର ସହ ଦେଶାନ୍ତରୀ ହେଉଥିବା ଶିଶୁଙ୍କୁ ଗନ୍ତବ୍ୟ ସ୍ଥଳରେ ଶିକ୍ଷା ପ୍ରଦାନ ପାଇଁ କିଛି ଅଞ୍ଚଳରେ ଚେଷ୍ଟା ହୋଇଛି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ବେସରକାରୀ ଅନୁଷ୍ଠାନ ସ୍ବେଚ୍ଛାସେବୀ ଶିକ୍ଷକ ଓ ଅନ୍ୟାନ୍ୟ ସହୟତା ଯୋଗାଇ ଆସୁଛନ୍ତି। ଦେଶାନ୍ତରୀ ଶ୍ରମିକ ପରିବାର ପ୍ରାୟତଃ କର୍ମସ୍ଥଳୀରେ ହିଁ ରୁହନ୍ତି। ଏବେ ବି ପ୍ରତ୍ୟେକ ବର୍ଷ କର୍ମସ୍ଥଳୀର ଚିହ୍ନଟୀକରଣ ଓ ପ୍ରତ୍ୟେକ କର୍ମସ୍ଥଳୀରେ ଶିକ୍ଷା ବ୍ୟବସ୍ଥା ସମ୍ଭବ ହୋଇ ପାରିନାହିଁ। ବରଂ ଶିଶୁ ଦେଶାନ୍ତରୀ ହୋଇ ମାସାଧିକ କାଳ ଗାଁ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିଲେ ବି ଉପସ୍ଥାନ ଖାତାରୁ ନାଁ ହଟାଯାଉ ନାହିଁ। ଫଳତଃ ଦେଶାନ୍ତର ହେତୁ କେତେ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ଜାଣିବା ସମ୍ଭବ ହେଉନାହିଁ।
ବାଧ୍ୟବାଧକତାରେ ଦେଶାନ୍ତର ହେବାକୁ ପଶ୍ଚିମାଞ୍ଚଳରେ ଦାଦନ କୁହାଯାଏ। ଦାଦନ ପ୍ରବଣ କିଛି ଜିଲାରେ ପ୍ରଶାସନ ତରଫରୁ ଋତୁକାଳୀନ ଆବାସିକ ଶିକ୍ଷା ବ୍ୟବସ୍ଥା କରାଯାଏ। ଗାଁମାନଙ୍କରେ ଦାଦନ ଯିବାକୁ ଥିବା ପରିବାର ଓ ସେମାନଙ୍କର ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଶିଶୁମାନଙ୍କୁ ଚିହ୍ନଟ କରାଯାଏ। ସାମୟିକ ଭାବରେ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟକୁ ଆବାସିକ ବିଦ୍ୟାଳୟରେ ପରିଣତ କରାଯିବା ସହ ଏହି ଚିହ୍ନିତ ଶିଶୁମାନଙ୍କୁ ସେଠାରେ ରଖାଯାଇ ପାଠପଢାର ବ୍ୟବସ୍ଥା କରାଯାଏ। ଏହା ଅନେକ ପିଲାଙ୍କୁ ପରିବାର ସହ ଦେଶାନ୍ତରୀ ନ ହୋଇ ଆବାସିକ ବିଦ୍ୟାଳୟରେ ରହି ପ୍ରାଥମିକ ଶିକ୍ଷା ସମ୍ପନ୍ନ କରିବାରେ ସହାୟକ ହୋଇଛି। ଏହାସତ୍ତ୍ୱେ ଆହୁରି ଅନେକ ଶିଶୁ ଏହି ସୁରକ୍ଷା ବଳୟକୁ ଆସିପାରୁ ନାହାନ୍ତି।
ଋତୁକାଳୀନ ଆବାସିକ ବିଦ୍ୟାଳୟ ଉଭୟ ସଂଖ୍ୟା ଓ ସୁବିଧା ଦୃଷ୍ଟିରୁ ସମୁଦ୍ରକୁ ଶଙ୍ଖେ ପଣା ସଦୃଶ। ଦେଶାନ୍ତରୀ ଶିଶୁଙ୍କ ସଂଖ୍ୟା ତୁଳନାରେ ଏବେ ବି ଯଥେଷ୍ଟ ସଂଖ୍ୟାରେ ଋତୁକାଳୀନ ଆବାସିକ ବିଦ୍ୟାଳୟ ନାହିଁ। ସୁବର୍ଣ୍ଣପୁର ଭଳି ଅନେକ ଜିଲା ଦାଦନ ପ୍ରବଣ ହୋଇଥିଲେ ହେଁ ଏ ଯାଏ ଏହି ଜିଲାମାନଙ୍କରେ ଋତୁକାଳୀନ ଆବାସିକ ବିଦ୍ୟାଳୟ ଖୋଲିବାର କୌଣସି ପ୍ରସ୍ତାବ ନାହିଁ। ଏକ ଦିବାଧ୍ୟାୟୀ ବିଦ୍ୟାଳୟକୁ ସାମୟିକ ଭାବେ ଆବାସିକ ବିଦ୍ୟାଳୟରେ ପରିଣତ କରାଯାଏ। ଏଣୁ ଆବାସିକ ବିଦ୍ୟାଳୟ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମି, ସୁବିଧା ଓ ସୁରକ୍ଷା ଏଠାରେ ପ୍ରାୟତଃ ଉପଲବ୍ଧ ନ ଥାଏ। ଏହା ଅନେକଙ୍କୁ ନିଜ ପିଲାଙ୍କୁ ଏଠି ଛାଡି ଦାଦନ ଯିବା ପାଇଁ ନିରୁତ୍ସାହିତ କରୁଛି।
ଯେଉଁ ଅନୁଷ୍ଠାନରେ ଶିଶୁ ପଢୁଛି ବା ରହୁଛି ସେଠାରେ ଶିଶୁ ପାଇଁ ସୁରକ୍ଷିତ ପରିବେଶ ଯୋଗେଇ ଦେବା ପାଇଁ ୨୦୧୪ ଅଗଷ୍ଟ ୨୩ରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ସେହି ଅନୁଯାୟୀ ପ୍ରତ୍ୟେକ ଅନୁଷ୍ଠାନ ନିଜର ଏକ ଶିଶୁ ସୁରକ୍ଷା ପ୍ରୋଟୋକଲ ପ୍ରସ୍ତୁତ କରିବା ସହ ଅନୁଷ୍ଠାନର ମୁଖ୍ୟଙ୍କୁ ଶିଶୁ ସୁରକ୍ଷା ଅଧିକାରୀ ଭାବେ ଘୋଷଣା କରିବେ। ଅନୁଷ୍ଠାନମାନେ ଶିଶୁମାନଙ୍କ ଅସୁବିଧାଗୁଡ଼ିକର ଏକ ରିପୋର୍ଟ ପ୍ରସ୍ତୁତ କରି ତାହା ଦୂର କରିବା ପାଇଁ କାର୍ଯ୍ୟ କରିବେ। ପ୍ରତ୍ୟେକ କର୍ମଚାରୀଙ୍କୁ ଶିଶୁ ଅଧିକାର ସମ୍ବନ୍ଧରେ ସଚେତନ କରାଯିବ ଓ ସେମାନେ ଏହାକୁ ପାଳନ କରିବା ନେଇ ଅଙ୍ଗୀକାରବଦ୍ଧ ହେବେ। ଋତୁକାଳୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଏହାକୁ ଏ ପର୍ଯ୍ୟନ୍ତ ଗୁରୁତ୍ୱ ଦିଆଯାଇ ନାହିଁି।
ରାଜ୍ୟ ସରକାର ଶିଶୁ ଗୃହମାନଙ୍କ ପାଇଁ ଏକ ମାନକ ନିର୍ଦ୍ଧାରଣ କରିଛନ୍ତି। ଏହାଦ୍ୱାରା ପିଲାଙ୍କ ସର୍ବନିମ୍ନ ଆବଶ୍ୟକତା, ସ୍ବାଚ୍ଛନ୍ଦ୍ୟକୁ ସୁନିଶ୍ଚିତ କରାଯାଇ ପାରୁଛି। ଋତୁକାଳୀନ ଆବାସିକ ବିଦ୍ୟାଳୟରେ ମଧ୍ୟ ଏହି ମାନକକୁ ଗ୍ରହଣ ଓ ଅନୁପାଳନ କରାଯିବାର ଆବଶ୍ୟକତା ରହିଛି।
ସୁବର୍ଣ୍ଣପୁର, ମୋ -୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?