ଦେଶର ସଙ୍କଟ ବେଳେ କମ୍ପାନୀଙ୍କ ପୁଷମାସ

ଡ. ସନ୍ତୋଷ କୁମାର ମହାପାତ୍ର
ସରକାର ସ୍ବୀକାର କରନ୍ତୁ ବା ନ କରନ୍ତୁ, ବର୍ତ୍ତମାନ ଭାରତୀୟ ଅର୍ଥନୀତି ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କେବଳ ଆର୍ଥିକ ଅଭିବୃଦ୍ଧି ମନ୍ଥର ହୋଇନି ଅନ୍ୟାନ୍ୟ ସୂଚକାଙ୍କରେ ମଧ୍ୟ ଦେଶର ସ୍ଥିତି ନିମ୍ନଗାମୀ ହୋଇଛି। ଏହାର ସମାଧାନ ପାଇଁ ଠିକ୍‌ ପଦକ୍ଷେପ ନେବା ପରିବର୍ତ୍ତେ ସରକାର କର୍ପୋରେଟ ଜଗତର ତୁଷ୍ଟୀକରଣରେ ଲାଗି ପଡ଼ିଛନ୍ତି। ଯେତେବେଳେ ଦେଶରେ କୌଣସି ଆର୍ଥିକ ସଙ୍କଟ ଦେଖାଯାଏ ସେତେବେଳେ ଧନିକ ଶ୍ରେଣୀ, ପୁଞ୍ଜିପତି ଓ ଲାଭ କରୁଥିବା କମ୍ପାନୀଗୁଡ଼ିକ ସରକାରଙ୍କୁ ସହାୟତାର ହାତ ବଢ଼ାଇବା କଥା। କିନ୍ତୁ ଦୁଃଖର ବିଷୟ ଏମାନେ ଆର୍ଥିକ ଦୁର୍ଗତି ବେଳେ ସରକାରଙ୍କ ଉପରେ ବିଭିନ୍ନ ଚାପ ସୃଷ୍ଟକରି ଅଧିକ ଫାଇଦା ନେଇଥାନ୍ତି। ଆର୍ଥିକ ମାନ୍ଦାବସ୍ଥାର ସମାଧାନ ତଥା ଅଧିକ ଆର୍ଥିକ ଅଭିବୃଦ୍ଧିର ସ୍ବପ୍ନ ଦେଖାଇ ସରକାର କର୍ପୋରେଟ ଟିକସ ୩୦%ରୁ ୨୨%କୁ ହ୍ରାସ କରିଛନ୍ତି। ଫଳରେ ପୂର୍ବରୁ ସରଚାର୍ଜ ଓ ସେସ୍‌ ମିଶାଇ ପ୍ରଭାବୀ ଟିକସ ହାର ୩୪.୯୪% ଥିଲାବେଳେ ତାହା ଏବେ ୨୫.୧୭%କୁ ହ୍ରାସ ପାଇଛି। ସେହିପରି ଅକ୍ଟୋବର ପହିଲା ପରେ ପ୍ରତିଷ୍ଠା ହେଉଥିବା ନୂଆ ଘରୋଇ ମାନ୍ୟୁଫାକ୍ଚରିଂ କମ୍ପାନୀଙ୍କ ଲାଗି ଟିକସ ହାର ୧୫%କୁ ହ୍ରାସ କରାଯାଇଛି। ସରଚାର୍ଜ ଓ ସେସ୍‌ ମିଶାଇଲେ ଏହା ୧୭.୦୧% ହେବ। ଯେଉଁ କମ୍ପାନୀ ପୂର୍ବରୁ ମିଳୁଥିବା ରିହାତି ଛାଡ଼ ନେବେ ନାହିଁ ତାଙ୍କ ପାଇଁ ନୂତନ ଟିକସ ଲାଗୁ ହେବ।
ଅନେକ ସମୟରେ ଯୁକ୍ତି କରାଯାଇଛି ଯେ, ଭାରତରେ କର୍ପୋରେଟ ଟିକସ ହାର ୪୮.୩% ଏବଂ ଏହା ଓଇସ୍‌ଡି ଅନ୍ତର୍ଭୁକ୍ତ ୯୪ଟି ଦେଶ ମଧ୍ୟରେ ସର୍ବାଧିକ ହୋଇଥିବାରୁ ଏହାର ହ୍ରାସ ଆବଶ୍ୟକ। କିନ୍ତୁ ଏହି ହାର ନିର୍ଣ୍ଣୟ କଲାବେଳେ ସେଥିରେ ଲାଭାଂଶ ବଣ୍ଟନ ଟିକସ (ଡିଡିଟି), ସରଚାର୍ଜ, ସେସ୍‌ ଆଦି ଅନ୍ତର୍ଭୁକ୍ତ କରାଯାଇଛି। କମ୍ପାନୀ ଟିକସ ଓ ଲାଭାଂଶ ବଣ୍ଟନ ଟିକସ ସମାନ ନୁହେଁ। ଏହାକୁ ମିଶାଇ କର୍ପୋରେଟ୍‌ ଟିକସ ହାର ନିର୍ଣ୍ଣୟ କରାଯିବା ଅନୁଚିତ। ଏକ କମ୍ପାନୀର ନେଟ୍‌ ଆୟ ଉପରେ ପଡୁଥିବା ଟିକସକୁ କର୍ପୋରେଟ ବା କମ୍ପାନୀ ଟିକସ କୁହାଗଲା ବେଳେ କମ୍ପାନୀଗୁଡ଼ିକ ଯେଉଁ ଲାଭାଂଶ ନିବେଶକମାନଙ୍କୁ ଦେଇଥାନ୍ତି ତା’ ଉପରେ ଯେଉଁ ଟିକସ ଦିଅନ୍ତି ତାହାକୁ ଲାଭାଂଶ ବଣ୍ଟନ ଟିକସ କୁହାଯାଏ। କିନ୍ତୁ ଲାଭାଂଶ ଟିକସ ନ ଦେବା ପାଇଁ କମ୍ପାନୀଗୁଡ଼ିକ ନିବେଶକଙ୍କୁ ଲାଭାଂଶ ନ ଦେଇ ବା କମ୍‌ ଦେଇ ନିଜେ ବିକ୍ରି ହୋଇଥିବା ଅଂଶଧନକୁ ପୁନଃକ୍ରୟ କରୁଛନ୍ତି। ଏଥିରୁ କମ୍ପାନୀଗୁଡ଼ିକୁ ନିବୃତ୍ତ ରଖିବା ପାଇଁ ଏହି ପୁନଃକ୍ରୟ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦% ଟିକସ ଧାର୍ଯ୍ୟ କରିଥିଲେ। କିନ୍ତୁ ପୁନଶ୍ଚ ଚାପରେ ଏହାକୁ କୋହଳ କରି ଦେଇଛନ୍ତି। ଯେଉଁ କମ୍ପାନୀଗୁଡ଼ିକ ୨୦୧୯ ଜୁଲାଇ ୫ ସୁଦ୍ଧା ପୁନଃକ୍ରୟ କରିବାର ସିଦ୍ଧାନ୍ତ ଘୋଷଣା କରିଥିଲେ ସେମାନଙ୍କୁ ଏହି ଟିକସ ଦେବାକୁ ପଡ଼ିବ ନାହିଁ। ପରେ ଏହାକୁ ସମ୍ପୂର୍ଣ୍ଣ ଉଠାଇ ଦେଇପାରନ୍ତି। ପୁନଶ୍ଚ ସରକାର କେବଳ କର୍ପୋରେଟ ଟିକସ ହ୍ରାସ କରିନାହାନ୍ତି ବରଂ ଯେଉଁ କମ୍ପାନୀ ନୂତନ ଟିକସ ହାରର ସୁବିଧା ନେବା ପାଇଁ ଯେଉଁ ରିହାତି ଓ ଛାଡ଼ ନେବେ ନାହିଁ, ସେମାନଙ୍କୁ ଆଉ ସର୍ବନିମ୍ନ ବିକଳ୍ପ ଟିକସ ଦେବାକୁ ପଡିବ ନାହିଁ। ଅନ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ଏହାକୁ ୧୮.୫%ରୁ ୧୫%କୁ ହ୍ରାସ କରିଛନ୍ତି। ଆହୁରି ମଧ୍ୟ ଗତ ଜୁଲାଇ ବଜେଟରେ ଅଂଶଧନ ବିକ୍ରୟଜନିତ ପୁଞ୍ଜିଲାଭ ଉପରେ ଯେଉଁ ଅଧିକ ସରଚାର୍ଜ ଲାଗୁ କରାଯାଇଥିଲା ତାହା ଉଚ୍ଛେଦ କରାଯାଇଛି। ସେ ବିଦେଶୀ ପୋର୍ଟଫୋଲିଓ ନିବେଶକ ହୁଅନ୍ତୁ ବା ବ୍ୟକ୍ତିଗତ ବା ଯେକୌଣସି ପ୍ରକାର ନିବେଶକ ହୁଅନ୍ତୁ ତାଙ୍କୁ ଏହି ସୁବିଧା ଉପଲବ୍ଧ ହେବ।
ବାସ୍ତବରେ ଭାରତରେ କର୍ପୋରେଟ ଟିକସ ହ୍ରାସର ସେପରି ଆବଶ୍ୟକତା ନାହିଁ, କାରଣ ଏଠାରେ ପ୍ରଭାବୀ କର୍ପୋରେଟ ଟିକସ ହାର ମାତ୍ର ୨୩%। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ୨୦୧୬-୧୭ ବଜେଟରେ ଏହି ତଥ୍ୟ ପ୍ରଦାନ କରିଥିଲେ। ପୁନଶ୍ଚ ବ୍ୟାଙ୍କରେ ଅଚଳ ପରିସମ୍ପତ୍ତି ଓ ବ୍ୟାଙ୍କ ଜାଲିଆତିଜନିତ ଅର୍ଥ ଆତ୍ମସାତ୍‌ ଯେଉଁଭଳି ବୃଦ୍ଧି ପାଉଛି ତାହାର ମୁଖ୍ୟ ହିତାଧିକାରୀ ଏବଂ ସୃଷ୍ଟିକାରୀ ହେଉଛନ୍ତି କର୍ପୋରେଟ୍‌ ଜଗତ। କମ୍ପାନୀଗୁଡ଼ିକୁ ବିଭିନ୍ନ ଟିକସ ରିହାତି, ଛାଡ଼ ଯୋଗୁ ସରକାର ଯେଉଁ ରାଜସ୍ବ ପ୍ରତିବର୍ଷ ହରାଉଛନ୍ତି ତାହା ବୃଦ୍ଧିପାଉଛି। ୨୦୧୭-୧୮ରେ ଏହା ୯୩,୬୪୨.୫୦ କୋଟି ହୋଇଥିଲା ବେଳେ ୨୦୧୮-୧୯ରେ ଏହା ୧,୦୮,୭୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏ ବର୍ଷ ଟିକସ ହ୍ରାସ ଯୋଗୁ ଆହୁରି ସର୍ବନିମ୍ନ ୧,୪୫,୦୦୦ କୋଟି ଟଙ୍କା ବୃଦ୍ଧି ପାଇବ। ପୁନଶ୍ଚ କମ୍ପାନୀଗୁଡ଼ିକ ଟିକସ ଫାଙ୍କିବା ପାଇଁ ଆଇନକାନୁନର ଆଶ୍ରୟ ନେବା ଯୋଗୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର କର୍ପୋରେଟ ଟିକସ ଅନାଦେୟ ହୋଇପଡିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କ କହିବା ଅନୁଯାୟୀ ଯେଉଁମାନେ ଆଉ କୌଣସି ରିହାତି, ଛାଡ଼ ଆଦି ନେବେ ନାହିଁ ତାଙ୍କୁ କର୍ପୋରେଟ ଟିକସ ହ୍ରାସର ସୁବିଧା ମିଳିବ। କିନ୍ତୁ ଟିକସ ଆଇନ ମଧ୍ୟରେ ଥିବା ଛିଦ୍ରର ଫାଇଦା ନେଇ କମ୍ପାନୀଗୁଡ଼ିକ ଉଭୟ ସୁବିଧାପ୍ରାପ୍ତ ହେବେ। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ କର୍ପୋରେଟ ଟିକସ ହାର ଯାହା ୧୯୯୩-୯୪ରେ ୪୦% ଥିଲା ତାହା ଏତେ ମାତ୍ରାରେ ହ୍ରାସ ପାଇଲା ବେଳେ ସର୍ବାଧିକ ଆୟକର କ୍ଷେତ୍ରରେ ତାହା ଲାଗୁ ହୋଇନାହିଁ। ୧୯୯୭-୯୮ରୁ ଏହା ୩୦% ଅଛି। ଅବଶ୍ୟ ଉଭୟ କର୍ପୋରେଟ ବା ବ୍ୟକ୍ତିଗତ ଧନିକ ଶ୍ରେଣୀ ଅଧିକ ହାରରେ ଟିକସ ଦେବା ଉଚିତ।
ଏହି ଟିକସ ହ୍ରାସ ଯୋଗୁ ବୃହତ୍‌ କମ୍ପାନୀଗୁଡ଼ିକ ବେଶି ଲାଭବାନ ହେବେ। ୨୦୧୫-୧୬ ବଜେଟରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କର୍ପୋରେଟ ଟିକସ ଆଗାମୀ ୪ ବର୍ଷରେ ୩୦%ରୁ ୨୫%କୁ ହ୍ରାସ କରିବେ ବୋଲି ଘୋଷଣା କରିଥିଲେ। ୨୦୧୬-୧୭ ବଜେଟରେ ବାର୍ଷିକ ୫୦ କୋଟି ଟଙ୍କାର ଟର୍ନଓଭର ଥିବା କର୍ପୋରେଟ କ୍ଷେତ୍ରରେ ଏହାକୁ ସେ ହ୍ରାସ କଲେ। ତା’ର ପରବର୍ତ୍ତୀ ବର୍ଷରେ ଏହି ସୀମା ୫୦ କୋଟି ଟଙ୍କାରୁ ୨୫୦ କୋଟି ଏବଂ ୨୦୧୯-୨୦ ବଜେଟରେ ୨୫୦ କୋଟି ଟଙ୍କାରୁ ୪୦୦ କୋଟି ଟଙ୍କାକୁ ବୃଦ୍ଧି କଲେ। ଅର୍ଥାତ୍‌ ବର୍ତ୍ତମାନର ହ୍ରାସ ପୂର୍ବରୁ ୪୦୦ କୋଟି ଟଙ୍କାର ବାର୍ଷିକ ଟର୍ନଓଭର ଥିବା କମ୍ପାନୀଗୁଡ଼ିକ ୨୫% ହାରରେ ଟିକସ ଦେଉଥିଲେ। ଏମାନଙ୍କ ସଂଖ୍ୟା ମୋଟ କମ୍ପାନୀଗୁଡ଼ିକ ମଧ୍ୟରୁ ୯୯.୩%। ଏଣୁ ଏହି ହ୍ରାସ ଯୋଗୁ ମାତ୍ର ୦.୭% କମ୍ପାନୀ ବା ବଡ଼ ବଡ଼ କମ୍ପାନୀ ଲାଭବାନ ହେବେ। କର୍ପୋରେଟ ଟିକସ ହ୍ରାସ ଯୋଗୁ ଜାତୀୟ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ୧୦୦୦ଟି କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ମୋଟ ୬୫,୦୦୦ କୋଟି ଟଙ୍କା ଲାଭବାନ ହେବେ। ଯେଉଁଦିନ କର୍ପୋରେଟ ଟିକସ ହ୍ରାସ ପାଇଲା ସେହିଦିନ ଷ୍ଟକ୍‌ମାର୍କେଟର ସୂଚକାଙ୍କରେ ବୃଦ୍ଧି ଯୋଗୁ କେବଳ ଅମ୍ବାନୀଙ୍କ ସମ୍ପଦ ୨୨,୦୦୦ କୋଟି ଟଙ୍କା ବୃଦ୍ଧି ପାଇଛି।
ଅନେକେ ଯୁକ୍ତି କରନ୍ତି ଯେ, ଏହି ଟିକସ ହ୍ରାସ ଯୋଗୁ ଆମ ଦେଶର କର୍ପୋରେଟ ଟିକସ ବିଶ୍ୱସ୍ତରରେ ପହଞ୍ଚିବ ଏବଂ ଆମ କମ୍ପାନୀଗୁଡ଼ିକ ପ୍ରତିଯୋଗିତାକ୍ଷମ ହେବେ। ବାସ୍ତବରେ ଟିକସ ହ୍ରାସ ପରେ ଏହା ବିଶ୍ୱରେ ଏକ ସର୍ବନିମ୍ନ ଟିକସ ହାର ଭାବେ ପରିଗଣିତ ହୋଇଛି। ଭାରତରେ ପ୍ରଭାବୀ ଟିକସ ହାର ୨୫.୧୭% ହେଲେ ତାହା ଉନ୍ନତ ଦେଶଗୁଡ଼ିକଠାରୁ କମ୍‌। ଆମେରିକାରେ ତାହା ୨୭%, ଜାପାନରେ ୩୦.୬୨%, ବ୍ରାଜିଲରେ ୩୪%, ଜର୍ମାନୀରେ ୩୦% ଓ ଚାଇନାରେ ୨୫%। ଏକଥା ସତ ଯେ, ବିଶ୍ୱବ୍ୟାପୀ କର୍ପୋରେଟ ଟିକସ ହ୍ରାସ ପାଇଛି। ୮୦ ଦଶକରେ ବିଶ୍ୱରେ ଏହା ହାରାହାରି ୩୮.୮୪% ଥିଲାବେଳେ ବର୍ତ୍ତମାନ ହାରାହାରି ୨୩.୦୩%କୁ ହ୍ରାସ ପାଇଛି। ଏହି ହ୍ରାସର ଉଦ୍ଦେଶ୍ୟ କେବଳ କମ୍ପାନୀଙ୍କ ବିକାଶ। ବର୍ତ୍ତମାନ ବିଶ୍ୱରେ ବଜାର ଅର୍ଥନୀତି ନାହିଁ। ଏହା କ୍ରୋନି କ୍ୟାପିଟାଲିଜମ୍‌ ଦ୍ୱାରା କବଳିତ। ରାଷ୍ଟ୍ର ବର୍ତ୍ତମାନ କର୍ପୋରେଟ କ୍ଷମତା ଆଗରେ ମୁଣ୍ଡ ନୁଆଁଉଛି। ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧିର ସୁଫଳ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚୁନାହିଁ, ବରଂ ବୈଷମ୍ୟ ଦ୍ରୁତଗତିରେ ବୃଦ୍ଧି ପାଇ ଅନେକ ଆର୍ଥିକ ସମସ୍ୟା ସୃଷ୍ଟି କରୁଛି।
କର୍ପୋରେଟ ଟିକସ ହ୍ରାସ ଯୋଗୁ ଭାରତରେ ଘରୋଇ ନିବେଶ, ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି ପାଇବା ସହିତ ଅର୍ଥନୀତି ଚଳଚଞ୍ଚଳ ହେବ ବୋଲି ଯାହା କୁହାଯାଉଛି ତାହା ଭୁଲ୍‌। ଭାରତରେ ବର୍ତ୍ତମାନ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ତାହାର ପ୍ରମୁଖ କାରଣ ହେଲା ଜନସାଧାରଣଙ୍କ କ୍ରୟଶକ୍ତି ଅଭାବ ଯୋଗୁ ଚାହିଦା ହ୍ରାସ। ଯଦି ଚାହିଦା ବୃଦ୍ଧି ନ ପାଏ କେହି ନିବେଶ କରିବାକୁ ଆଗ୍ରହୀ ହେବେ ନାହିଁ। ବରଂ କର୍ପୋରେଟ ଟିକସ ହ୍ରାସ ଯୋଗୁ ଯେଉଁ ଲାଭ ବୃଦ୍ଧିପାଇବ ସେମାନେ ତାକୁ ବିଦେଶରେ ଟ୍ୟାକ୍ସ ହାଭେନ୍‌ରେ ରଖିବେ କିମ୍ବା ନିଜ ଅଂଶଧନ ପୁନଃକ୍ରୟ କରିବେ। ଏଣୁ ସରକାର ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ପାଇଁ ନିଯୁକ୍ତି ସୃଷ୍ଟି କରିବା ସହିତ ବିଭିନ୍ନ ଜନହିତକର, ସାମାଜିକ ଓ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ବିନିଯୋଗ କରିବା ଉଚିତ। ପୁନଶ୍ଚ ବିଦେଶୀ ପୁଞ୍ଜି ପଛରେ ଅଧିକ ନ ଧାଇଁ ଆଭ୍ୟନ୍ତରୀଣ ସଞ୍ଚୟ ବୃଦ୍ଧି ଉପରେ ଧ୍ୟାନ ଦେବା ଉଚିତ। ସଞ୍ଚୟ ବୃଦ୍ଧି ହେଲେ ନିବେଶ ବୃଦ୍ଧି ହେବ ଏବଂ ଆର୍ଥତ୍କ ଅଭିବୃଦ୍ଧି ହେବ।
ମୋ-୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri