ଦୁଇଟି ନଗରୀର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ। ତେବେ ସମଗ୍ର ବିଶ୍ୱ ପାଇଁ ତାହା ପାଲଟିଛି ଶିଳ୍ପ ଦୁର୍ଘଟଣା ଭୟାବହତାର ପ୍ରତୀକ। ୩୫ ବର୍ଷ ପୂର୍ବେ ସେଠାରେ ଥିବା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ (ଆମେରିକୀୟ କମ୍ପାନୀ କାର୍ବାଇଡ୍‌ କର୍ପୋରେଶନ ନିୟନ୍ତ୍ରିତ)ର କୀଟାଣୁନାଶକ ଉତ୍ପାଦନକାରୀ ଶିଳ୍ପସଂସ୍ଥାରୁ ଘଟିଥିଲା ବାଷ୍ପୀୟ ନିର୍ଗମନ। ଏହାର ବିଷାକ୍ତ ପ୍ରଭାବରେ ସରକାରୀ ଆକଳନ ଅନୁସାରେ ମାତ୍ର କେତେ ଘଣ୍ଟା ମଧ୍ୟରେ ପ୍ରାୟ ୩୦୦୦ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ (ବେସରକାରୀ ସଂସ୍ଥାଗୁଡ଼ିକ ଏ ସଂଖ୍ୟା କିଛିଦିନ ମଧ୍ୟରେ ୧୫,୦୦୦ ଅତିକ୍ରମ କରିଥିଲା ବୋଲି ଦାବି କରନ୍ତି) ଏବଂ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦୀର୍ଘକାଳୀନ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ପ୍ରଥମେ ୧୯୮୪ ଡିସେମ୍ବର ୨-୩ର ଗଭୀର ରାତ୍ରିରେ ବାଷ୍ପ ନିର୍ଗତ ହୋଇଥିଲା, ଯାହା ରାସାୟନିକ ଯୁଦ୍ଧରେ ବ୍ୟବହୃତ ମାରାତ୍ମକ ‘ଫସଜେନ୍‌’ ଏବଂ କମ୍ପାନୀ ଏହାକୁ ଗୋପନରେ ପ୍ରସ୍ତୁତ କରୁଥିଲା ବୋଲି ସନ୍ଦେହ କରାଯାଉଥିଲା। ତେବେ ଏହା ପ୍ରକୃତରେ ସେଥିସହିତ ଅନେକ ସାମଞ୍ଜସ୍ୟ ଥିବା ‘ମିଥାଇଲ୍‌ ଆଇସୋ ସିୟାନେଟ୍‌’ ବୋଲି ଜଣାପଡ଼ିଲା। ସେଭିନ୍‌, ଟେମିକ୍‌ ବାଇଗନ୍‌ ଏବଂ ଫୁରାଡନ୍‌ ଭଳି କୀଟାଣୁ ନାଶକର ପ୍ରସ୍ତୁତି ଲାଗି ତାହା ଗଚ୍ଛିତ ରଖାଯାଇଥିଲା। ଏ ବାଷ୍ପ ଅତ୍ୟନ୍ତ ବିଷାକ୍ତ। ବାୟୁରେ ଏହାର ଘନତ୍ୱ ନିୟୁତ ପ୍ରତି ୨୧ ଭାଗକୁ ସ୍ପର୍ଶକଲେ ତାହା ମାତ୍ର କେତେ ମିନିଟ୍‌ ମଧ୍ୟରେ ଆଘ୍ରାଣକାରୀର ମୃତ୍ୟୁ ଘଟାଇଥାଏ। ଏହା ବ୍ୟତୀତ ଅପେକ୍ଷାକୃତ କମ୍‌ ମାତ୍ରାରେ ଏହା ଶ୍ୱାସରୋଗ, ଚକ୍ଷୁରୋଗ, ନିମୋନିଆ, ଦୃଷ୍ଟିଶକ୍ତିହୀନତା ଆଦିଠାରୁ ଆରମ୍ଭ କରି କର୍କଟ ରୋଗ, ଜିନୀୟ ଧ୍ରୁବୀକରଣ ଇତ୍ୟାଦିର କାରଣ ହୋଇପାରେ। ପରିବେଶ ଓ ପରିସଂସ୍ଥା ଉପରେ ଏହାର ଘାତକ ପ୍ରଭାବ ଦୀର୍ଘସ୍ଥାୟୀ, ଯାହାକି ଏବେ ମଧ୍ୟ ଭୋପାଳରେ ଅନୁଭୂତ ହେଉଛି।
ୟୁନିୟନ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ ଶିଳ୍ପକେନ୍ଦ୍ରରୁ ନିର୍ଗତ ହୋଇଥିଲା ପ୍ରାୟ ୪୦ ଟନ୍‌ ‘ମିଥାଇଲ୍‌ ଆଇସୋ ସିୟାନେଟ୍‌’। ଏହାର ଚତୁଃପାର୍ଶ୍ୱରେ ପ୍ରାୟ ୫ କିଲୋମିଟରରୁ ଅଧିକ ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳର ବାୟୁରେ ଏ ବାଷ୍ପର ଘନତ୍ୱ ଥିଲା ଘାତକ ମାତ୍ରାଠାରୁ ଅନେକ ଗୁଣ ଅଧିକ। ଏଣୁ ପରଦିନ (ଡିସେମ୍ବର ୩, ୧୯୮୪) ସକାଳେ ହଜାର ହଜାର ପ୍ରଭାବିତ ଲୋକ ବିଭିନ୍ନ ଡାକ୍ତରଖାନାରେ ଭିଡ଼ ଜମାଇଲା ବେଳେ ଆହୁରି ଅଧିକ ଲୋକ କୌଣସି ଚିକିତ୍ସା ପାଇ ନ ପାରି ଛଟପଟ ହୋଇ ଜୀବନ ସହିତ ସଂଘର୍ଷ କରୁଥିଲେ। ଅନ୍ୟପକ୍ଷରେ କମ୍ପାନୀ ଚାପରେ ତଦାନୀନ୍ତନ ରାଜ୍ୟ ସରକାର ଘୋଷଣା କରିଦେଲେ ଯେ, ଏ ବାଷ୍ପର କୁପ୍ରଭାବ ୮ ଘଣ୍ଟା ଭିତରେ ନିୟନ୍ତ୍ରିତ ହୋଇସାରିଛି। ଅତଏବ ଅଧିକ କିଛି କ୍ଷୟକ୍ଷତିର ସମ୍ଭାବନା ନାହିଁ। ପ୍ରକୃତରେ ଆଜି ୩୫ ବର୍ଷ ପରେ ମଧ୍ୟ ପରିବେଶ ଓ ଜନସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଧନ୍ୟ ଆମର ଜନହିତକାରୀ ଗଣତାନ୍ତ୍ରିକ ସରକାର!
ଦୁର୍ଘଟଣା ଘଟିବା ପରେ ଏହାକୁ ନେଇ ସମଗ୍ର ଦେଶରେ ପ୍ରକଟିତ ହେଲା କ୍ରୋଧିତ ଜନମତ। ଏଣୁ ମଧ୍ୟପ୍ରଦେଶ ସରକାର ତାହା ପ୍ରଶମିତ କରିବା ପାଇଁ ୟୁନିୟନ କାର୍ବାଇଡ୍‌ର ମୁଖ୍ୟଙ୍କୁ ଦିନକ ଲାଗି ପୋଲିସ ହେପାଜତରେ ରଖିଲେ। ପରଦିନ କ୍ଷତିପୂରଣର ପ୍ରତିଶ୍ରୁତି ନେଇ ତାଙ୍କୁ ମୁକ୍ତ କରିଦେଲେ ଏବଂ ତାଙ୍କ ଦେଶକୁ ଫେରିଯିବାର ଅନୁମତି ଦେଲେ। ତେବେ ସେ ପ୍ରତିଶ୍ରୁତି ପାଲଟିଗଲା ପାଣିର ଗାର। ଏଣୁ ସରକାର ଲୋକଦେଖାଣିଆ ଭାବେ ଏବଂ କେତେକ ସ୍ବେଚ୍ଛାସେବୀ ସଙ୍ଗଠନ କମ୍ପାନୀ ବିରୋଧରେ ନ୍ୟାୟାଳୟର ଆଶ୍ରୟ ନେଲେ। ମାତ୍ର ତାହାର କିଛି ଫଳ ବାହାରିଲା ନାହିଁ।
ଇତିମଧ୍ୟରେ ୨୦୦୧ ମସିହାରେ ୟୁନିୟନ କାର୍ବାଇଡ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌କୁ ହାତକୁ ନେଲା ଆମେରିକାର ଡୋ କେମିକାଲ୍‌ସ କମ୍ପାନୀ। ସେ ସମୟରେ ଏହା ମଧ୍ୟ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାର ଏବଂ ଭୋପାଳର ବିପର୍ଯ୍ୟସ୍ତ ପରିବେଶକୁ ସୁଧାରିବାର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଅଦ୍ୟାବଧି ସେ ଦିଗରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଆରମ୍ଭ ହୋଇନାହିଁ। ଅତଏବ ସାରା ଦୁନିଆରେ ପ୍ରମାଣିତ ହୋଇପାରିଛି ଯେ ଭାରତୀୟମାନଙ୍କ ଜୀବନ ଅତି ଶସ୍ତା। ସରକାରରେ ଥିବା ଲୋକଙ୍କୁ ହାତେଇ ପାରିଲେ ଏହାକୁ ବିନା ମୂଲ୍ୟରେ ନଷ୍ଟ କରାଯାଇପାରିବ। ବୋଧହୁଏ ସେଇଥିପାଇଁ ବଡ଼ବଡ଼ ବିଦେଶୀ କମ୍ପାନୀ ଏଠାରେ ପ୍ରଦୂଷଣକାରୀ ଶିଳ୍ପ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ଦେଶରେ ଏହା କରିବା କେବଳ ଯେ ବ୍ୟୟବହୁଳ ତା’ ନୁହେଁ, ସେଥିସହିତ ତାହା କିପରି ସମସ୍ୟାବହୁଳ ତାହାର ଏକ ଦୃଷ୍ଟାନ୍ତ ଏଠାରେ ଦିଆଗଲା।
ଆମେରିକାର ମିଚିଗାନ୍‌ ରାଜ୍ୟରେ ଅବସ୍ଥିତ ମିଡ୍‌ଲାଣ୍ଡଠାରେ ରହିଛି ଡୋ କେମିକାଲ କମ୍ପାନୀର କିଛି ରାସାୟନିକ କାରଖାନା। ତହିଁରୁ ନିର୍ଗତ ହୋଇଥାଏ ଅନ୍ୟାନ୍ୟ ପ୍ରଦୂଷକ ସମେତ ବିଷାକ୍ତ ‘ଡାଇଅକ୍‌ସିନସ୍‌’। ତାହା ସେଠାର ସ୍ତନ୍ୟପାୟୀ ତଥା ଅନ୍ୟାନ୍ୟ ପ୍ରାଣୀ, ମାଛ ଓ ପକ୍ଷୀଙ୍କ ସ୍ବାସ୍ଥ୍ୟଠାରୁ ଆରମ୍ଭକରି ଦୁଇଟି ନଦୀ, ସେଗୁଡ଼ିକର ଉପତ୍ୟକା ଏବଂ ଗୋଟିଏ ହ୍ରଦର ପରିବେଶ ଓ ପରିସଂସ୍ଥାକୁ ଗଭୀରଭାବେ ପ୍ରଭାବିତ କରୁଛି। ଏଣୁ ଏହି ଅଞ୍ଚଳ ପରିବେଶର ବିଶୁଦ୍ଧୀକରଣ ଲାଗି ସେଠାର ସରକାରଙ୍କ ଦାବି ନିକଟରେ ମୁଣ୍ଡ ନୁଆଁଇ ଏ କମ୍ପାନୀ ଚୁକ୍ତିଟିଏ ସ୍ବାକ୍ଷର କରିଛି ଏବଂ ତଦନୁଯାୟୀ ଆରମ୍ଭ କରିଛି ଏକ ୭୭ ଲକ୍ଷ ନିୟୁତ ଡଲାରର ପୁନରୁଦ୍ଧାର ଯୋଜନା। ତନ୍ମଧ୍ୟରେ ଅଗ୍ରାଧିକାର ପାଇଛି ପ୍ରଦୂଷିତ ନଦୀ ଦୁଇଟି। ଏହାର ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ଏବଂ ଆଗାମୀ ୨୦୨୧ ସୁଦ୍ଧା ତାହା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହାବ୍ୟତୀତ ମିଡ୍‌ଲାଣ୍ଡର ଆଖପାଖ ଅଞ୍ଚଳ, ଜଳାଶୟ, ନଦନଦୀ ଆଦି ୧୩ଟି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ବିଶୋଧନକୁ ମଧ୍ୟ ଏହି ଚୁକ୍ତିର ଅନ୍ତର୍ଭୁକ୍ତ କରାଯାଇଛି। ପୁନଶ୍ଚ ସେଗୁଡ଼ିକର ସଦୁପଯୋଗ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକାର ବିକାଶ ଲାଗି ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି।
ମିଡ୍‌ଲାଣ୍ଡ ସହ ତୁଳନା କଲେ ଭୋପାଳରେ ଧନଜୀବନ ହାନି ତଥା ପରିବେଶ ଓ ପରିସଂସ୍ଥାର ଅପଚୟ କାହିଁ କେତେ ଗୁଣ ଅଧିକ। କିନ୍ତୁ ଏହାକୁ ବିନା କ୍ଷତିପୂରଣରେ ଏବଂ ବିନା ଦଣ୍ଡବିଧାନରେ ଏଡାଇଦେବା ସମ୍ଭବ ହେଲା। ସେହି ବିଦେଶୀ କମ୍ପାନୀ କିମ୍ବା ଆମ ଜନମଙ୍ଗଳ ରାଷ୍ଟ୍ରର ଗଣତାନ୍ତ୍ରିକ ସରକାରଙ୍କ ଦୃଷ୍ଟିରେ ଆମ ଜୀବନ ଓ ପରିବେଶର କିଛି ମୂଲ୍ୟ ଥିଲେ ଏପରି ଘଟିଥାନ୍ତା କି? ଅନ୍ୟପକ୍ଷରେ ଆମେରିକୀୟ ଧନଜୀବନ ଓ ପରିବେଶ ସେଠାର ସରକାରଙ୍କ ପାଇଁ ମୂଲ୍ୟବାନ୍‌। ସେଥିପାଇଁ ତାହା ଡୋ କେମିକାଲ୍‌ସକୁ ତଦ୍ଦ୍ବାରା ଉତ୍ପନ୍ନ ପରିବେଶୀୟ ସମସ୍ୟାର ସମାଧାନ କରିବା ଲାଗି ବାଧ୍ୟ କରିପାରିଲା।
ଭୁବନେଶ୍ୱର, ମୋ:୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଚରିତ୍ର କିଣି ହୁଏନି

ଚିତ୍ର ଦିଶେ। ଦୃଶ୍ୟ ଦିଶେ। ଅନେକ ଜଡ଼ବସ୍ତୁ ସହ ଜୀବନ୍ତ ଗଛଲତା, ଜୀବଜନ୍ତୁ, ସର୍ବୋପରି ପ୍ରାଣୀ ଶ୍ରେଷ୍ଠ ମଣିଷ ବି ଦେଖାଯାନ୍ତି ନଗ୍ନ ଆଖିକୁ। ହେଲେ ମଣିଷର…

ଭଲ ପିଲାର ସଂଜ୍ଞା

ରାସ୍ତାର ଦୁଇ ପଟେ ଦୁଇଟି ଗଛ। ଆମ୍ବ ଗଛ। ଦୁଇ ଗଛରେ ପ୍ରଚୁର ଆମ୍ବ ଫଳିଛି। ପାଚିଛି ଓ ସୁନ୍ଦର ଦିଶୁଛି। ଗୋଟିଏ ଗଛ ତଳେ ପିଲାମାନେ…

ହର୍ମୁଜରୁ ତାଇଓ୍ବାନ

ଅଧିକାଂଶ ସ୍କୁଲପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେ, ପୃଥିବୀର ପରିଧିର ଲମ୍ବ ପାଖାପାଖି ୨୫,୦୦୦ ମାଇଲ ବା ୪୦,୦୦୦ କିଲୋମିଟର। ହେଲେ ସେମାନେ ଜାଣିନାହାନ୍ତି ଯେ, ଏହା ମଧ୍ୟରୁ…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri