ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ
ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପରିଚାଳନା ଓ ସୂଚନା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତାହା ମଧ୍ୟ ଯଥାଯଥ ଭାବେ କାର୍ଯ୍ୟକାରୀ ହେଉଥିଲା। ଜଣେ ସାଧାରଣ ଲୋକ ବିଭାଗର ୱେବ୍‌ସାଇଟକୁ ଯାଇ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ ତଥ୍ୟ ପାଇପାରୁଥିଲା। କେବଳ ଦେଶ ବା ରାଜ୍ୟର ସ୍ଥିତି ନୁହେଁ, ପ୍ରତ୍ୟେକ ପରିବାରର ତଥ୍ୟ ମିଳିପାରୁଥିଲା। ଜଣେ ଚାହିଁଲେ କାହାର ପାଇଖାନା ତିଆରି ହେଲାଣି, କାହାର ନାହିଁ ତାହା ଜାଣି ପାରୁଥିଲା। କାହାକୁ ପାଇଖାନା ପାଇଁ ରିହାତି ପଇସା ମିଳିଲା, କେବେ ମିଳିଲା ତାହା ସହଜରେ ଜାଣି ପାରୁଥିଲା। କେଉଁ ଗାଁର ପାଇଖାନା ସଂଖ୍ୟା କେତେ ଅଛି, କେଉଁ ମାସରେ କେତେ ପାଇଖାନା ତିଆରି ହେଲା ତାହା ଜଣେ ସହଜରେ ଜାଣି ପାରୁଥିଲା। ସେହିପରି ପାନୀୟ ଜଳ ସମ୍ବନ୍ଧିତ ପ୍ରାୟ ସମସ୍ତ ତଥ୍ୟ ୱେବ୍‌ସାଇଟ ମାଧ୍ୟମରେ ହାସଲ କରିବାର ବ୍ୟବସ୍ଥା ଥିଲା। ଖାଲି ଗାଁ ନୁହେଁ, ବସ୍ତିର ପାନୀୟ ଜଳ ସ୍ଥିତିର ସୂଚନା ମଧ୍ୟ ମିଳୁଥିଲା। କେତୋଟି ଓ କି କି ଜଳଉତ୍ସ ଅଛି ତାହା ଜଣେ ଜାଣିପାରୁଥିଲା। କେଉଁ ଜଳଉତ୍ସର ଜଳ ପରୀକ୍ଷା କେବେ ହୋଇଥିଲା ଓ ପରୀକ୍ଷଣରେ ବିଭିନ୍ନ ବ୍ୟାକ୍ଟେରିଆ ଓ ରସାୟନର ମାତ୍ରା କେତେ ଥିଲା ତାହା ୱେବ୍‌ସାଇଟରୁ ଉପଲବ୍ଧ ହେଉଥିଲା। ସେହି ତଥ୍ୟକୁ ଠୁଳକରି ଜଣେ ଚାହିଁଲେ ବିଭିନ୍ନ ବିଷୟରେ ତର୍ଜମା କରିପାରୁଥିଲା।
ଏବେ ଆଉ ସେହି ସ୍ଥିତି ନାହିଁ। ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ତତ୍କାଳୀନ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ସ୍ବଚ୍ଛ ଭାରତ ଅଭିଯାନରେ ପରିବର୍ତ୍ତିତ ହେଲା। ପ୍ରଥମ କିଛି ବର୍ଷ ପାଇଁ ଉଭୟ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ ତଥ୍ୟ ୱେବ୍‌ସାଇଟରେ ପୂର୍ବ ଭଳି ରହିଲା। କିନ୍ତୁ ତା’ ପରେ ସେହି ବିଭାଗର ଉଭୟ ପରିମଳ ଓ ପାନୀୟଜଳ ୱେବ୍‌ସାଇଟ ମଇଳା ହେବା ଆରମ୍ଭ ହେଲା। ଲୋକଙ୍କଠୁ ତଥ୍ୟ ଲୁଚାଇବାର ପ୍ରକ୍ରିୟା ଆରମ୍ଭ ହୋଇଗଲା। ପ୍ରଥମେ ପାଳିପଡିଲା ସ୍ବଚ୍ଛ ଭାରତ (ଗ୍ରାମୀଣ) ସମ୍ବନ୍ଧିତ ୱେବ୍‌ସାଇଟର। ଏବେ ଜଣେ ସ୍ବଚ୍ଛ ଭାରତ ୱେବ୍‌ସାଇଟକୁ ଗଲେ ଅତି ବେଶିରେ ଭାରତରେ ଓ ଭାରତର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶରେ କେତେ ପ୍ରତିଶତ ପାଇଖାନା ଲକ୍ଷ୍ୟ ହାସଲ ହୋଇଛି ସେତିକି ତଥ୍ୟ ପାଇବ। ଜିଲାଓ୍ବାରି ତଥ୍ୟ ପାଇବ ନାହିଁ। ଘର, ଗାଁ, ପଞ୍ଚାୟତର ତଥ୍ୟ ତ ଦୂରର କଥା। ଏବେ କେବଳ କେତେ ଗାଁ ବାହ୍ୟ ମଳମୁକ୍ତ ହେଲା ତାହାର ସଂଖ୍ୟା ହିଁ ମିଳିବ, ତାହାଠୁ ଅଧିକ କିଛି ନୁହେଁ। କେଉଁ ଗାଁ ବାହ୍ୟମଳମୁକ୍ତ ହେଲାଣି ତାହା ଜଣେ ଜାଣିବାର ସୁଯୋଗ ନାହିଁ।
ଏଯାଏଁ ପାନୀୟ ଜଳର ବିସ୍ତୃତ ତଥ୍ୟ ପ୍ରଦାନ କରୁଥିବା ୱେବ୍‌ସାଇଟ ଏବେ ସେହି ସମାନ ରାସ୍ତା ଧରିଛି। ଯେଉଁ ୱେବ୍‌ସାଇଟରୁ ପ୍ରତି ଉତ୍ସ, ପ୍ରତି ବସ୍ତିର ତଥ୍ୟ ମିଳୁଥିଲା ସେଠି ଏବେ କେବଳ କିଛି ମୋଟା ତଥ୍ୟ ହିଁ ମିଳୁଛି। ଉଦାହରଣସ୍ବରୂପ, ଏବେ କେବଳ ରାଜ୍ୟ ଓ ଜିଲାର କେତେ ପ୍ରତିଶତ ଲୋକଙ୍କୁ ପାଇପ ଜଳ ମିଳୁଛି ତାହାର ମୋଟ ସଂଖ୍ୟା ଓ ପ୍ରତିଶତ ହିଁ ଦିଆଯାଉଛି। ଆଗରୁ ଜଣେ ଚାହିଁଲେ ଗୋଟିଏ ଗାଁ ଓ ବସ୍ତିରେ କେତେ ଲୋକ ପାଇପ ଜଳ ପାଉଛନ୍ତି ତାହାର ତଥ୍ୟ ପାଇପାରୁଥିଲା। ସେହିପରି ଏବେ କେବଳ କେତୋଟି ଜଳଉତ୍ସର ପାଣି ପରୀକ୍ଷା ହୋଇଛି ଓ ତହିଁରୁ ମୋଟ କେତୋଟି ପ୍ରଦୂଷିତ ତାହାର ମୋଟ ସଂଖ୍ୟା ହିଁ ମିଳୁଛି। ପୂର୍ବରୁ ପ୍ରତି ଉତ୍ସର ତଥ୍ୟ ମିଳୁଥିଲା। ପାଣି କେବେ ପରୀକ୍ଷା ହୋଇଥିଲା ଓ ତାହାର ଫଳ କ’ଣ ମିଳିଥିଲା ତାହା ଜଣେ ଜାଣିପାରୁଥିଲା। ଏବେ କେଉଁ ଉତ୍ସର ଜଳ ପରୀକ୍ଷା ହୋଇଛି ଓ କେଉଁ ଉତ୍ସର ଜଳ ପ୍ରଦୂଷିତ ତାହା ଜଣେ ଜାଣିବା ଆଉ ସମ୍ଭବ ନୁହେଁ। ଏମିତି ଅନେକ ତଥ୍ୟ ଉଭୟ ୱେବ୍‌ସାଇଟରୁ ହଟାଇ ନିଆଯାଇଛି। ଅନ୍ୟ ଭାବରେ କହିଲେ ସାଧାରଣ ଲୋକଙ୍କୁ କିଛି ଅତି ଜରୁରୀ ତଥ୍ୟ ନ ଦେବାର ସମସ୍ତ ବନ୍ଦୋବସ୍ତ କରାହୋଇଛି।
ସାଧାରଣ ଲୋକଙ୍କଠାରୁ ଏହି ତଥ୍ୟ ଲୁଚାଇବାର କ୍ରମବର୍ଦ୍ଧମାନ ପ୍ରକ୍ରିୟା ଶାସନ ପ୍ରଣାଳୀ ପ୍ରତି ଅବିଶ୍ୱାସର ଅଙ୍ଗୁଳି ଦେଖାଇବା ପାଇଁ ବାଧ୍ୟ କରିଦିଏ। କାହିଁକି ସରକାର ଆଗରୁ ପ୍ରଦାନ କରୁଥିବା ତଥ୍ୟ ଏବେ ପ୍ରଦାନ କରୁନାହାନ୍ତି ସେହି ପ୍ରଶ୍ନ ସମସ୍ତେ କରିବା ସ୍ବାଭାବିକ। କ’ଣ ଏମିତି ରହସ୍ୟ ଅଛି ଯେ ସରକାର ପାନୀୟ ଜଳ ଭଳି ଏକ ଗୁରୁତର ପ୍ରସଙ୍ଗରେ ଲୋକଙ୍କୁ ତଥ୍ୟ ଲୁଚାଇବା ଆରମ୍ଭ କରିଛନ୍ତି? ସୁପ୍ରିମ୍‌କୋର୍ଟ ଭାରତୀୟ ସମ୍ବିଧାନର ଧାରା ୨୧କୁ ବ୍ୟାଖ୍ୟା କରି କହିଛନ୍ତି ଯେ, ଯେହେତୁ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ ତେଣୁ ସ୍ବଚ୍ଛ, ସୁରକ୍ଷିତ ଓ ପର୍ଯ୍ୟାପ୍ତ ଜଳ ଉପରେ ଲୋକଙ୍କ ମୌଳିକ ଅଧିକାର ରହିଛି। ତେଣୁ ପ୍ରତ୍ୟେକ ବ୍ୟକ୍ତି ସେ ପିଉଥିବା ବା ପାଉଥିବା ପାଣିର ମାନ କ’ଣ ରହିଛି ତାହା ଜାଣିବାର ଅଧିକାର ରହିଛି। ସରକାର ସେହି ତଥ୍ୟ ପ୍ରଦାନ ନ କରି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ହନନ କରୁଛନ୍ତି।
ତେବେ ସରକାର କାହିଁକି ତଥ୍ୟ ଲୁଚାଉଛନ୍ତି ତାହାକୁ ନେଇ ଆହୁରି ଅନେକ ପ୍ରଶ୍ନ ମନକୁ ଆସୁଛି। କ’ଣ ସରକାର ଲୋକଙ୍କୁ ଉନ୍ନତ ପାନୀୟ ଜଳ ଓ ପରିମଳ ସ୍ଥିତି ଯୋଗାଇବାର ଯେଉଁ ଢୋଲ ପିଟୁଛନ୍ତି ସେହି ଢୋଲରେ ବଡ଼ ବଡ଼ ଛିଦ୍ର ଅଛି? କ’ଣ ଗାଁ ବାହ୍ୟ ମଳମୁକ୍ତ ହୋଇଯାଇଛି ବୋଲି କରାହେଉଥିବା ଦାବିର ବାସ୍ତବତାକୁ ଢାଙ୍କିବାର ଏହା ଏକ ପ୍ରଯତ୍ନ? କ’ଣ ଯେଉଁ ମାତ୍ରା ଓ ମାନକର ପାନୀୟ ଜଳ ଯୋଗାଇଦିଆହେଉଛି ବୋଲି ଡିଣ୍ଡିମ ପିଟାହେଉଛି ବାସ୍ତବ ସ୍ଥିତି ତାହାଠୁ ଢେର ଭିନ୍ନ ଓ ସେଥିପାଇଁ ତଥ୍ୟ ଲୁଚାଇବାର ଏହି ବ୍ୟଗ୍ରତା? ‘ଉଜ୍ଜ୍ୱଳା’, ‘ଆୟୁଷ୍ମାନ ଭାରତ’, ‘ମୁଦ୍ରା’ ଭଳି ବଡ଼ ଯୋଜନାରେ ଆରମ୍ଭରୁ ହିଁ ପାରଦର୍ଶିତା ନାହିଁ। କିଏ ହିତାଧିକାରୀ ତାହା ଜାଣିବାର କିଛି ସୁଯୋଗ ନାହିଁ। କେବଳ କିଛି ମୋଟା ହିସାବ ଜଣେ ପାଇବ, ଯହିଁରୁ କିଛି ଅନୁଶୀଳନ କରିବା ସମ୍ପୂର୍ଣ୍ଣ ଅସମ୍ଭବ।
ଓଡ଼ିଶା ସରକାର ମଧ୍ୟ କେନ୍ଦ୍ରର ଏହି ପଦ୍ଧତି ଦ୍ୱାରା ସମ୍ଭବତଃ ଅନୁପ୍ରାଣିତ ହୋଇଛନ୍ତି। ଏକଦା ଓଡ଼ିଶାର ‘ଇ-ଡେସ୍ପାଚ’ ବ୍ୟବସ୍ଥା ଭାରତର ସମସ୍ତ ରାଜ୍ୟ ମଧ୍ୟରେ ସବୁଠାରୁ ଉତ୍କୃଷ୍ଟ ଥିଲା। ସରକାର କ’ଣ ଚିଠି କାହାକୁ ପଠାଉଛନ୍ତି ଲୋକେ ତାହା ଜାଣିପାରୁଥିଲେ। ଏବେ କିନ୍ତୁ ଦେଖାଯାଉଛି ଯେ ଅଧିକାଂଶ ବିଭାଗ ଚିଠିକୁ ‘ଇ-ଡେସ୍ପାଚ’ରେ ଆଦୌ ଅପ୍‌ଲୋଡ଼ କରୁନାହାନ୍ତି ବା ଗୁପ୍ତ ଶ୍ରେଣୀର ହୋଇ ନ ଥିବା ଅନେକ ଚିଠିକୁ ମଧ୍ୟ ଲୁଚାଇ ରଖିଦେଉଛନ୍ତି। ଓଡ଼ିଶା ସରକାରଙ୍କ ‘ସଂଯୋଗ’ ଅଭିଯୋଗ ପ୍ରତିବିଧାନ ବ୍ୟବସ୍ଥା ମଧ୍ୟ ଏକ ଆଦର୍ଶ ବ୍ୟବସ୍ଥା ଥିଲା। ଜଣେ ସାଧାରଣ ଲୋକ ୱେବ୍‌ସାଇଟକୁ ଯାଇ କେଉଁ ବିଭାଗରେ କେତେ ଓ କ’ଣ ଅଭିଯୋଗ ଆସିଛି ଓ ତାହାର କେମିତି ସମାଧାନ ହୋଇଛି ତାହା ଜାଣିପାରୁଥିଲା। ଏବେ ଆଉ ସେହି ସୁଯୋଗ ନାହିଁ। କେବଳ ଜଣେ ଅଭିଯୋଗକାରୀ ତା’ ନିଜର ଅଭିଯୋଗର ସ୍ଥିତି ଜାଣିପାରିବ।
ଏକ ପାରଦର୍ଶୀ ବ୍ୟବସ୍ଥା ଭଲ ଶାସନ ବ୍ୟବସ୍ଥାର ସବୁଠୁ ବଡ଼ ପରିଚାୟକ। ବୈଷୟିକ ପ୍ରଗତି ସହ ପାରଦର୍ଶିତା ବଢ଼ିବା କଥା। କିନ୍ତୁ ସରକାର ଆଗରୁ ଥିବା ପାରଦର୍ଶୀ ବ୍ୟବସ୍ଥାକୁ ଧ୍ୱଂସ କରିଚାଲିଛନ୍ତି। ଲୋକେ ଯାହା ତଥ୍ୟ ପାଉଥିଲେ ସେତିକି ବି ଆଉ ପାଉନାହାନ୍ତି। ଏହା ପ୍ରଗତି ନା ଅଧୋଗତି?


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସାଧାରଣତଃ ବଗିଚାରେ ଔଷଧୀୟ ଗଛ ଘିକୁଆଁରୀ ରଖାଯାଇଥାଏ। ହେଲେ ଏହାର ଚାଷ ଲାଭଜନକ ବୋଲି ପ୍ରମାଣ କରିଛନ୍ତି ହୃଷୀକେଶ ଜୟସିଂହ ଧାନେ । ମହାରାଷ୍ଟ୍ର ସତାରା...

‘ଫ୍ଲେଶ୍‌’ର ସ୍ରଷ୍ଟା

ହିତ୍ୟ କ୍ଷେତ୍ରରେ ବିଶ୍ୱର ସର୍ବମାନ୍ୟ ନୋବେଲ ପୁରସ୍କାର ପରେ ବୁକର୍‌ ପ୍ରାଇଜ୍‌ର ମର୍ଯ୍ୟାଦା ରହିଛି। ପ୍ରତିବର୍ଷ ଏହି ସମୟକୁ ସାହିତି୍ୟକ ଓ ସାହିତ୍ୟପ୍ରେମୀ ଅନାଇ ବସିଥାଆନ୍ତି...

ବାଜେଲୋକଙ୍କ ଜୟଗାନ

ଚଣ୍ଡ ଘୃଣା ସହ ଅଜସ୍ର ବିରକ୍ତି ସୂଚକ ‘ବାଜେଲୋକ’ର ଏ ଉଚ୍ଚାରଣ ଯେଉଁ ଚରିତ୍ର ପାଇଁ ଅଭିପ୍ରେତ, ତାଙ୍କର ପୁଣି ଜୟଗାନ। ଜଣଙ୍କ ପ୍ରତି ଅତୃପ୍ତି...

ନୂତନ ଭାରତର ସ୍ଥିତି

କିଛିବର୍ଷ ପୂର୍ବେ ନୀତି ଆୟୋଗ କହିଥିଲେ, ଭାରତର ର଼୍ୟାଙ୍କ ସୂଚିତ ହୋଇଥିବା ସମସ୍ତ ଅଣତିରିଶ(ପରବର୍ତ୍ତୀ ସମୟରେ ୩୨ ହୋଇଛି) ବିଶ୍ୱ ସୂଚକାଙ୍କ ପାଇଁ ଗୋଟିଏ ଏକକ,...

କଟିକାଟି

କଥାରେ ଅଛି ପୁରୁଷଙ୍କୁ ସେମାନଙ୍କ ଦରମା ବା ଆୟ ସମ୍ପର୍କରେ ପଚାରିବା ଏବଂ ମହିଳାଙ୍କୁ ସେମାନଙ୍କ ବୟସ କଥା ପଚାରିବା ଗର୍ହିତ ା ତଥାପି ସାଙ୍ଗମାନଙ୍କ...

ଜନଜାତି ବିକାଶ ଆମ ପ୍ରାଥମିକତା

ଜୟ ଜଗନ୍ନାଥ ଆଜି ଜନଜାତୀୟ ଗୌରବ ଦିବସ।ଭଗବାନ ବିର୍ସା ମୁଣ୍ଡାଙ୍କର ପବିତ୍ର ଜୟନ୍ତୀ। ବିର୍ସା ମୁଣ୍ଡା ଥିଲେ ଆଦିବାସୀମାନଙ୍କ ସ୍ବାର୍ଥ, ସ୍ବାଭିମାନ ଓ ଆତ୍ମପରିଚୟର ସୁରକ୍ଷା...

ପନ୍ତଙ୍କ ବଦଳି

୧୯୯୧ ବ୍ୟାଚ୍‌ର ଏହି ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁଧାଂଶ ପନ୍ତ ରାଜସ୍ଥାନର ସର୍ବୋଚ୍ଚ ପ୍ରଶାସନିକ ପଦବୀରୁ ଯାଇ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟରେ...

ଏଇ ଭାରତରେ

ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଦେଶରେ ଉଦାହରଣ ସୃଷ୍ଟି କରିଛି ଦକ୍ଷିଣ ଦିଲ୍ଲୀର ନବଜୀବନ ବିହାର। ଏଠାରେ ରହନ୍ତି ୨୫୦ ପରିବାର। ପରିବାରଗୁଡ଼ିକରେ ପ୍ରତିଦିନ ରୋଷେଇଘରୁ ବାହାରୁ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri