ଜାଟି ଲୋକ

ଦ୍ୱିତୀ ଚନ୍ଦ୍ର ସାହୁ

ସାବିତ୍ରୀ ଅମାବାସ୍ୟା ଦିନ ବଜାର ଟିକେ ଅଧିକ ଭିଡ଼। ଖାଲି ଭିଡ଼ ନୁହେଁ, ଦରଦାମ୍‌ ମଧ୍ୟ ଟିକେ ଚଢ଼ା। ଦର ଶୁଣି ସତ୍ୟବାନମାନେ ମୁହଁ ଚାହାଁଚାହିଁ ହେବେ ଟିକେ। ପରସ୍ପର ବାଚନିକ ବାର୍ତ୍ତାଳାପ କରିବେ ଓ ଥାଳି ପୂର୍ଣ୍ଣ ଉଦ୍ଦେଶ୍ୟରେ ଜିନିଷ କିଣିବେ। ଏମିତିରେ ଏ ବର୍ଷ ବଜାରରେ ଜାମୁକୋଳି ଟିକେ ଦୁର୍ଲଭ ମନେ ହେଉଥିଲା। ସତ୍ୟବାନମାନେ ସହରର ବିଭିନ୍ନ ଛକ ସବୁ ଖୋଜିବା ପରେ ବି ମିଳିଲା ନାହିଁ। ଏତିକିବେଳେ ଭାରରେ ବୋହି ଜଣେ ଆଦିବାସୀ ଦମ୍ପତି ବଡ଼ ବଡ଼ ଲୋଭିଲା ଜାମୁକୋଳି ଧରି ଆସିଲେ। ନଜରକୁ ଆସୁ ଆସୁ ଦର ବୁଝିଲି। ଡଜନ ଦଶ ଟଙ୍କା। ଅନ୍ୟ ଦରଠାରୁ ମନ୍ଦ କିଛି ନୁହଁ। ତୁରନ୍ତ ବାରଟି ଜାମୁକୋଳି ବାଛି ଧରିଲି। ବାକିସବୁ ଜିନିଷ କିଣା ସରିଥିବାରୁ ଦଶ ଟଙ୍କା ଦେଇ ସେଠାରୁ ଖସିବାକୁ ଉଦ୍ୟମ କଲି। ଏତିକିବେଳେ ଆଉ ଜଣେ ସତ୍ୟବାନ ପହଁଚିଲା। ଦର ଶୁଣି କହିଲା- ‘ସୁନା ଆଣିଛୁ କି ! ଏମିତି ଦର କହୁଛୁ। ଗୁଟେକୁ ଆଠଣା ଲେଖା ଦେ। ଡଜନ ଛଅ ଟଙ୍କା ଯେ ଚିର୍ଲା ନାଇଁ ମୋ ପାଖେ। ତୋତେ ପାଞ୍ଚ ଟଙ୍କା କା ଦେବି !’ ଏତିକି କଥା ଶୁଣି ଆଦିବାସୀ ମହିଳା ଜଣକ ମନାକଲା। ଭାରରେ ବୋହି ଆଣିଥିବା ଆଦିବାସୀ ପୁରୁଷ ଲୋକଟି ହାଲିଆ ହୋଇ ଯାଇଥିବାରୁ ଟିକେ ସାଷ୍ଟାମ ହେଉଥିଲା। ସତ୍ୟବାନ ଜଣକ ଏତିକିବେଳେ ଦି’ ଡଜନ କୋଳି ବାଛି ସାରିଥିଲା। ତାରି ହିସାବରେ ଦଶ ଟଙ୍କା ଦେବାକୁ ବାରମ୍ବାର ଉଦ୍ୟମ କରିବା ପରେ ବି ଆଦିବାସୀ ଦମ୍ପତି ମନା କରିଚାଲିଥିଲେ। ଧୀରେ ଧୀରେ ଭିଡ଼ ବଢିବାକୁ ଲାଗିଲା। ଏମିତି ମଣିଷ ସହ ଭେଟ ହେବାରୁ ମନରେ ଅଧିକ ଉତ୍ସୁକତା ବଢ଼ିଗଲା ଓଟିଟିର ସିରିଅଲ ଭଳି। ୟା’ ପରେ କ’ଣ କରିବ ଲୋକଟି ଭାବିଲା ବେଳକୁ ଗହଳିର ସୁଯୋଗ ନେଇ ଧୀରେ ସେଠାରୁ ଖସିବାକୁ ଲାଗିଲା। ଏଇ ଚରିତ୍ରର ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ ହୋଇପାରେ, ସେଇ ଆକର୍ଷଣରେ ତା’ ପଛେ ପଛେ ସାମାନ୍ୟ ଦୂରରେ ଥାଇ ଦେଖିବାକୁ ଲାଗିଲି। ତାଳ ବିକୁଥିବା ଅନ୍ୟ ଆଦିବାସୀ ଲୋକଟି ପଛରେ ସେମିତି ପଡ଼ିଗଲା। ଦର କଷାକଷି ଚାଲିଲା। ଅନ୍ୟ ଲୋକ କିଣି ଚାଲି ଯାଉଥିଲେ। ଲୋକଟି କିନ୍ତୁ ନିଜ ଦର ନିକଟରେ ଅଟକିଥିଲା। ଆଉ ସେଇ ଦରରେ ତାଳ କିଣିବା ପାଇଁ ତାଳର ଖରାପ ମାନକୁ ନେଇ ବି ଦି’ ପଦ ଶୁଣାଉଥିଲା। ଢେର ସମୟ ଧରି ସେଇଠି ସେମିତି ଅଡ଼ିବସିଥିଲା ଲୋକଟି। ସମୟ ହେତୁ ମୋହ ଭଙ୍ଗ କରି ଘରକୁ ଫେରିବାକୁ ଆରମ୍ଭ କଲାବେଳେ ତାଳ ବିକୁଥିବା ଲୋକଟି ହଠାତ୍‌ କହିଲା- ‘ତୁଇ ବଡ଼ ଜାଟି ଲୁକ ଆଜ୍ଞା! ବିଜାର କରି ପକଉଛୁ। ନବୁ ଯଦି ସିମିତି ନେଇ ଯା’ ସିନା ଇଠି ବିଜାର କରୁନା। ମୋର ବେପାର ମାଡ଼ କରୁନା।’ ଦେଖିଲି ଲୋକଟି ଅଲାଜୁକ ଭାବେ ଖେଁ ଖେଁ ହସିଲା ଓ ଭଲଲୋକ ଭଳି କହିଲା – ‘ନାଇ ନାଇରେ ବାବୁ ! ତୋର କଷ୍ଟ ମୋତେ ଲୁଡାନି। ମୋର ହିସାବକୁ ହେଟି ତୋର ଦଶ ଟଙ୍କା ନେ।’ ୟା’ପରେ ବିକ୍ରେତା ବିରକ୍ତ ହୋଇ କହିଲା- ‘ଯେତେ ଦେଉଛୁ ଦେଲୁ ଦେଲୁ ଆଜ୍ଞା! ବେଇଗି ଇଠୁ ପଳା।’ ସେଇ ଜାଟି ଲୋକ ବିଷୟରେ ଆଉ ଅଧିକ ଜାଣିବାର ଆଗ୍ରହ ନଥିଲା। ଗାଡ଼ି ନିକଟକୁ ଆସି ଘରକୁ ଫେରିବାକୁ ଲାଗିଲି।
ସମାଜରେ ଏମିତି ବହୁ ଜାଟି ଲୋକ ଅଛନ୍ତି। ଅନେକ ସମୟରେ ନିଜର ମାନ ମହତକୁ ବଳି ପକେଇ ଦିଅନ୍ତି ପଛେ ପିଛା ଛାଡ଼ନ୍ତିନି। ଏମାନଙ୍କ ପାଇଁ ଈପ୍ସିତ ଜିନିଷ ବା କାର୍ଯ୍ୟ ହାସଲ ସବୁଠୁ ପ୍ରଧାନ ପ୍ରସଙ୍ଗ। ବାକି ସବୁ ଗୌଣ। ଈପ୍ସିତ ବସ୍ତୁଟିକୁ ହାସଲ କରିବା ଲାଗି ସବୁ ସ୍ତରକୁ ଓହ୍ଲେଇ ପାରନ୍ତି। ଏମିତି ମଣିଷ ହାବୁଡ଼ରେ ଥରେ ପଡ଼ିଗଲେ ଆପଣ ନିଜକୁ ନିଜେ ବିରକ୍ତ ହୋଇଯିବେ। ସେଇ ଜାଟି ମଣିଷକୁ ଯେତେ ଯାହା କହିଲେ ବି କିଛି ଫରକ ପଡ଼ିବନି। ସେପଟୁ କିଛି ପ୍ରତ୍ୟୁତ୍ତର ପାଇବେନି। ସେଇ ସେଇ ପୁରୁଣା ଡାଏଲଗ ତା’ଠାରୁ ଶୁଣିବେ ହିଁ ଶୁଣିବେ। ଗାଳିମନ୍ଦ କଲେ ଚିରାଚରିତ ଢଙ୍ଗରେ ଖେଁ ଖେଁ ହୋଇ ଦାନ୍ତ ଦେଖେଇବେ। ଏମିତିରେ ସେମାନେ ପ୍ରତିପକ୍ଷକୁ ଜଣାଇବାକୁ ଚାହିଁବେ ଯେ ମହାଶୟ! ଆପଣ ଯେତେ ଯାହା କହିଲେ ବି ମୋତେ କିଛି ପ୍ରଭାବ ପଡ଼ିବାର ନାହିଁ। ମୋର ଚର୍ମ ଗଣ୍ଡା ଚର୍ମଠାରୁ ବଳି ବଧିରା। ଆପଣଙ୍କ ଏଇ ସାମାନ୍ୟ ଆଘାତଭରା କଥା ଫୁଲ ପରି ଲାଗିବ। ଜାଟି ମଣିଷର ଏମିତି ଅଲାଜୁକି ପ୍ରତିକ୍ରିୟାରେ ଏପଟର ମଣିଷ ଭିତରେ ଲାଜ ଜଡ଼ସଡ଼ ହୋଇଯିବ। ଧୀରେ ଧୀରେ ନିଜକୁ ନିଜେ ଖରାପ ଭାବିବା ଆରମ୍ଭ କରିବେ। ସେଇ ଲୋକଟିଠାରୁ ଯେତେ ଜଲ୍‌ଦି ନିଜକୁ ମୁକ୍ତ କରି ଶାନ୍ତିରେ ନିଃଶ୍ୱାସ ମାରିବାକୁ ହାଇଁପାଇଁ ହେବେ। ଅଗତ୍ୟା ନିଜ ମାନ ମହତକୁ ଦେଖି ତାରି କାମଟିକୁ ଜଲ୍‌ଦି ତୁଟେଇ ବିଦା କରିବାକୁ ଆଗ୍ରହ ପ୍ରକାଶ କରିବେ। ଜାଟି ମଣିଷମାନେ ଭାରି ଚାଲାଖ। ସେମାନେ ଜାଣନ୍ତି ବ୍ୟସ୍ତବହୁଳ ଦୁନିଆରେ ଏଇଭଳି ଜୀବମାନଙ୍କ କଥା କିଏ ମନେରଖିବେ। ଟିକେ ସମୟ ପାଇଁ ହେଉ ପଛେ ସବୁ କିଛି ସହିଗଲେ କାମଟା ହାସଲ ସମ୍ଭବ ହୋଇପାରିବ। ସେଇକ୍ରମରେ ଗାଳିଫଜତି ସବୁକୁ ଉଦରସ୍ଥ କରି ଖାଲି ଦାନ୍ତ ନିକୁଟି ଅଭିନୟ କରି ଚାଲିଲେ ହେଲା। ସମୟେ ସମୟେ ତାରି ଭଳି ବେହିଆ ଲୋକ ପାଖରେ ପଡ଼ିଗଲେ ପ୍ରସଙ୍ଗ ଆହୁରି ଅଧିକ ଜମିଯାଏ। ଅନ୍ୟକୁ ଦେଖାଇ ଦେଖାଇ ଜାଟି ମଣିଷ ଉଦ୍ଦେଶ୍ୟରେ ଯେତେ ବକବାସ କଥା ଶୁଣାଇଲେ ବି ତଥାପି ତା’ର କିଛି ଫରକ ପଡ଼େନି। ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କି ପାଇଁ ଲୋଡ଼ା ନ୍ୟାୟରେ ସବୁ କଥା ଲଥାକୁ ଆତ୍ମସ୍ଥ କରିପକାଏ ସହଜରେ ସେ। ବିଶେଷକରି ଅର୍ଥ ଓ କ୍ଷମତା ହାସଲ ପାଇଁ ଅଧିକତର ଲୋକ ଜାଟି ମଣିଷ ହୋଇଯାଆନ୍ତି ସହଜରେ। ସେଇ ମଣିଷକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲେ। ପରିବାର ଲୋକେ ବାହାରେ ମୁହଁ ଦେଖାଇବାକୁ ସହଜ ମଣନ୍ତି ନାହିଁ। କିନ୍ତୁ ଜାଟି ମଣିଷ ବେଶ ଫୂର୍ତ୍ତିରେ ଥାଏ।
ବାସ୍ତବରେ ଏମାନେ ନିଜେ ଗୋଟେ ଅଡୁଆ ସୂତା। ସୂତାର ଗଣ୍ଠି କେଉଁଠି ନିଜେ ଜାଣିଥା’ନ୍ତି, ଅଥଚ ସୂତାକୁ ଅଡୁଆ କରି ବାହାରକୁ ଫିଙ୍ଗି ଦିଅନ୍ତି। ସେଥିରେ ଫସିଥିବା ମଣିଷର କଷ୍ଟକୁ ଦେଖି ଖୁସି ହୁଅନ୍ତି। ମଣିଷ ଥରେ ଜାଟି ହୋଇଗଲେ ବାକି ମଣିଷକୁ ସେମିତି ଜାଟି ମଣିଷ କରିବାକୁ ଚେଷ୍ଟା କରନ୍ତି। କାରଣ ଗୁହରେ ପଡ଼ିଥିବା ପଇସାକୁ ଦାନ୍ତରେ କାଢ଼ିବାକୁ ବାଧା ନଥିବା ଏମିତିଆ ଜାଟି ମଣିଷ ପାଇଁ ବାକିସବୁ ଅତି ମାମୁଲି। ସେମାନେ ଅନ୍ୟ ପାଇଁ ବିରକ୍ତକର ହୋଇପାରନ୍ତି ଓ ଅନ୍ୟକୁ ସହଜରେ ବିରକ୍ତ କରିପାରନ୍ତି। ଜାଟି ମଣିଷ ଆଦୌ ସହଜ ଓ ସରଳ ନୁହନ୍ତି। ବରଂ ଭାରି ଖଳ ଓ କୁଟିଳ। ଅଥଃ ସାବଧାନ !
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?