ଗଙ୍ଗାସାଗର ଯାତ୍ରୀ

ଶୈଳେନ୍ଦ୍ର ଦ୍ୱିବେଦୀ

ବନ୍ଧୁ କହିଲେ, କେବଳ ପଶ୍ଚିମବଙ୍ଗ ନୁହେଁ, ବରଂ ସାରା ଭାରତରେ ଗଙ୍ଗାସାଗର ଏକ ଅପୂର୍ବ ପର୍ଯ୍ୟଟନ ସ୍ଥଳୀ। ସେ ଯାହା କହିଲେ ସେଥିରେ ମୋର ସେଥିରେ କୌଣସି ଆପତ୍ତି ନଥିଲା। ହଁ, ଗଙ୍ଗାସାଗର କେବଳ ପଶ୍ଚିମବଙ୍ଗର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ତଥା ତୀର୍ଥସ୍ଥାନ ନୁହେଁ, ପରମ୍ପରା କ୍ରମରେ ଏହା ଅତି ପବିତ୍ର ତୀର୍ଥ ଭାବରେ ଗଣା। ଏଠି ଅଛି କପିଳ ମୁନିଙ୍କ ପ୍ରାଚୀନ ମନ୍ଦିର, ଯାହା ୪୩୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ବୋଲି ବର୍ଣ୍ଣନା ଅଛି। ପ୍ରତି ବର୍ଷ ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଗଙ୍ଗାସାଗର ମେଳା ବାବଦରେ ମୋର ସାମାନ୍ୟ ଧାରଣା ଥିଲା, ଯଦିଓ ମୁଁ କେବେ ଗଙ୍ଗାସାଗର ଯାଇନଥିଲି। ବନ୍ଧୁ ଯୋଡ଼ିଲେ, କପିଳ ମୁନି ମୋକ୍ଷ ପାଇବା ପରେ ତାଙ୍କ ମା’ଙ୍କୁ କୁଆଡ଼େ ମୁକ୍ତିର ବାଟ ବତେଇଥିଲେ ଏଇଠି ଏବଂ ସେଥିପାଇଁ ଗଙ୍ଗାସାଗର ମୋକ୍ଷର ପରମ ତୀର୍ଥ। ସେ ପୁଣି କହିଲେ, ଜଣେ ଭକ୍ତିଭାବ ନେଇ ଗଙ୍ଗାସାଗର ଆସିନପାରେ, କିନ୍ତୁ ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟ, ଖାସ୍‌ କରି ଏହାର ଚମତ୍କାର ବେଳାଭୂମି ପାଇଁ ଚାରିଆଡୁ ପର୍ଯ୍ୟଟକ ଗଙ୍ଗାସାଗର ଆସନ୍ତି। ମୁଁ କହିଲି, ଶାସ୍ତ୍ରରେ କୁହାଯାଇଛି ମକର ସଂକ୍ରାନ୍ତି ଦିନ ଗଙ୍ଗାସାଗର ବୁଡ଼ ପକାଇଲେ ଯେଉଁ ପୁଣ୍ୟ ମିଳେ ତାହା ଅନ୍ୟଥା ଅସମ୍ଭବ। ଏ କଥା ବି କୁହାଯାଏ ଯେ, ‘ସାରେ ତୀରଥ ବାରବାର ଗଙ୍ଗାସାଗର ଏକ ବାର।’
ବନ୍ଧୁ ଗଙ୍ଗାସାଗର ମେଳାରୁ ଫେରିଥିଲେ ଏବଂ ଖୁବ୍‌ ଉତ୍ସାହିତ ମନେହେଉଥିଲେ। ତାଙ୍କର ଭକ୍ତିଭାବକୁ ନେଇ ମୋର ବିରୋଧ ଅବଶ୍ୟ ନଥିଲା, ତଥାପି ମୁଁ କହିଲି ଗଙ୍ଗାସାଗର ଯାତ୍ରାକୁ ନେଇ ଶ୍ଳେଷାତ୍ମକ ଲଘୁ ଟିପ୍ପଣୀ ମଧ୍ୟ କରାଯାଇଥାଏ। ବନ୍ଧୁ ମୋ ଆଡ଼କୁ ପ୍ରଶ୍ନିଳ ଆଖିରେ ଚାହିଁଲେ। ମୁଁ କହିଲି, ଖବର ଅନୁସାରେ ୨୦୨୩ରେ ଗଙ୍ଗାସାଗର ମେଳାରେ ପହଞ୍ଚତ୍ଥିଲେ ପାଖାପାଖି ୩୧ ଲକ୍ଷ ଯାତ୍ରୀ। କୁମ୍ଭମେଳା ପରେ ଗଙ୍ଗାସାଗର ମେଳା ଦ୍ୱିତୀୟ ବୃହତ୍ତମ ମେଳା ଜନସମାଗମ ଦୃଷ୍ଟିରୁ। ଏହା କିପରି ଶୃଙ୍ଖଳିତ ହେବ, ସେଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଯଥେଷ୍ଟ ତତ୍ପରତା ପ୍ରକାଶ ପାଇଥାଏ। ତୀର୍ଥସ୍ଥଳକୁ ସଫାସୁତୁରା ରଖିବା ପାଇଁ ଉଦ୍ୟମ କରାଯାଏ। କିନ୍ତୁ ଦୁର୍ଭାଗ୍ୟ, ଏମିତି ହୋଇପାରେ ନାହିଁ। ନିର୍ଦ୍ଧାରିତ ଅବଧି ପରେ ମେଳା ତ ସରିଯାଇଥାଏ, କିନ୍ତୁ ସେ ଅଞ୍ଚଳରେ ପ୍ରଦୂଷଣ ଏତେ ବଢ଼ିଯାଇଥାଏ ଯେ ତାହା ସ୍ବାଭାବିକ ସ୍ଥିତିକୁ ଆସିବା ପାଇଁ ଦୀର୍ଘ ସମୟ ନିଏ। ଉପକୂଳ ଓ ଜଳପ୍ରଦୂଷଣ ସମ୍ବେଦନଶୀଳ ହୋଇପଡ଼େ। ଏହା ସର୍ବାଧିକ ସେହି ସ୍ଥାନରେ ଲକ୍ଷ୍ୟ କରାଯାଏ, ଯେଉଁଠି ଗଙ୍ଗା ବଙ୍ଗୋପସାଗର ସହିତ ମିଳିତ ହୋଇଛି। ତଥ୍ୟ ଅନୁସାରେ ୧୯୯୦ରେ ସେଠି ବୁଡ଼ ପକେଇଥିଲେ ପ୍ରାୟ ୨ ଲକ୍ଷ ଶ୍ରଦ୍ଧାଳୁ, ଯାହା ୨୦୨୩ରେ ୩୨ ଲକ୍ଷ ପାଖାପାଖି ଥିଲା।
ମାତ୍ର କେଇବର୍ଷ ତଳେ ଏକ ଅଧ୍ୟୟନ ଦର୍ଶାଇଥିଲା ଯେ ମେଳା ଯୋଗୁ ସାଗର ଦୀପ ଭୟଙ୍କର ଜଳ ପ୍ରଦୂଷଣକୁ ସାମ୍‌ନା କରୁଛି। ମେଳା ଆଗରୁ ବୁଡ଼ ପକେଇଥିବା ଅଂଚଳରେ କୋଲିଫର୍ମ ବ୍ୟାକ୍ଟେରିଆ ୧୦୦ ମିମି ପାଣିରେ ମାତ୍ର ୨୨ ଥିବା ବେଳେ ମେଳା ପରେ ଏହା ପହଞ୍ଚତ୍ଥିଲା ୯୯୬୩ରେ। ଏହା ସହିତ ହଇଜା ଓ ଚର୍ମ ରୋଗ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ବଢ଼ି ଯାଉଥିଲା। ପରିବେଶବିତ୍‌ମାନେ ଚିନ୍ତିତ, ଜଳବାୟୁ ପରିବର୍ତ୍ତନ କାରଣରୁ ସ୍ପର୍ଶକାତର ସ୍ଥିତିରେ ରହିଥିବା ସାଗର ଦୀପ ଉପକୂଳ କ୍ଷୟ, ସାମୁଦ୍ରିକ ଜୁଆର ଓ ସମୁଦ୍ର ପତ୍ତନ ବୃଦ୍ଧି ସହିତ ଯୁଝୁଥିବା ବେଳେ ଗଙ୍ଗାସାଗର ମେଳା ଧର୍ମ ଓ ସଂସ୍କୃତି ନାଁରେ ଏଇ ଦ୍ୱୀପ ସହିତ ଜୈବ ବିବିଧତା ପରିପୂର୍ଣ୍ଣ ସୁନ୍ଦରବନକୁ ମଧ୍ୟ କ୍ଷତି ପହଞ୍ଚାଉଛି। ବନ୍ଧୁଙ୍କୁ ପୁଣି କହିଲି, ଏକ ସର୍ଭେ ଅନୁଯାୟୀ ଭାରତର ସବୁଠୁ ପ୍ରଦୂଷିତ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ରହିଛି ଆଗ୍ରା, ସିମଲା, ଗୋଆ, ଶ୍ରୀନଗର, ଜୟସାଲମର, ଦାର୍ଜିଲିଂ ଓ ବାରାଣସୀ। ଜଣାପଡ଼ିଛି, ଏ ସବୁ ଜାଗାରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ଅଧିକ। ବିଶେଷଜ୍ଞମାନେ କହନ୍ତି, ଆମ ଦେଶରେ ପର୍ଯ୍ୟଟନ ଏବଂ ତୀର୍ଥ ଭ୍ରମଣ ପରିପୋଷଣୀୟ ହୋଇ ପାରିନାହିଁ। ଖୁବ୍‌ କମ୍‌ ପର୍ଯ୍ୟଟକ ଅଛନ୍ତି ଯିଏ ଭାବନ୍ତି ଯେ ମୋ ପରେ ବି କେହି ଏ ସୁନ୍ଦର ଜାଗାକୁ ଆସିବ, ହୁଏତ ମୋ’ ପର ପିଢ଼ି! ଏବଂ ମୋର ଉତ୍ତରଦାୟିତ୍ୱ ରହିଛି ଯେ ପର୍ଯ୍ୟଟନ ସ୍ଥଳକୁ ସଂରକ୍ଷିତ ରଖାଯିବ।
ଭାରତରେ ଏବେ ସବୁଠୁ ଦୟନୀୟ ସ୍ଥିତିରେ ସମୁଦ୍ର ଉପକୂଳ। ଏଣେ କୁହାଗଲାଣି, ଦେଶରେ ମୋଟ ଅଙ୍ଗାରକାମ୍ଳ ଉତ୍ସର୍ଜନର ଅତି କମରେ ୧୦% ପାଇଁ ଦାୟୀ ଆମ ଅପରିପୋଷଣୀୟ ପର୍ଯ୍ୟଟନ। କିଛି ସ୍ଥାନରେ ମୂଳ ଅଧିବାସୀଙ୍କ ଦୁଃସ୍ଥିତି ଜଣକୁ ବିଚଳିତ କରିବ। ଲଦାଖରେ ହାରାହାରି ବାସିନ୍ଦା ଦିନକୁ ୨୫ ଲିଟର ପାଣି ବ୍ୟବହାର କରୁଥିବା ବେଳେ ଭ୍ରମଣରେ ଆସିଥିବା ପର୍ଯ୍ୟଟକମାନେ ହୋଟେଲରେ ବ୍ୟବହାର କରନ୍ତି ଦିନକୁ ପ୍ରାୟ ୧୦୦ ଲିଟର ପାଣି। ଏଠି ଅଛି ୮୮୦ରୁ ଅଧିକ ହୋଟେଲ ଏବଂ ବର୍ଷକୁ ଆସନ୍ତି ଲଦlଖ ବୁଲିବା ପାଇଁ ଅତିକମ୍‌ରେ ୩ ଲକ୍ଷ ପର୍ଯ୍ୟଟକ।
କଥା ପ୍ରସଙ୍ଗରେ ବନ୍ଧୁଙ୍କୁ କହିଲି, ପୃଥିବୀରେ କିଛି ଅର୍ଥନୀତିକୁ ବାଦ୍‌ ଦେଲେ ଅଧିକାଂଶ କ୍ଷେତ୍ରରେ ସର୍ବସାଧାରଣ ସମ୍ପତ୍ତିର ଯତ୍ନ ନିଆଯାଇ ନଥାଏ। ବାସ୍‌, ମୁଁ ଭଲ ତ ସବୁ ଭଲ। କେଉଁ ନଈକୂଳ, କେଉଁ ବେଳାଭୂମି ସଫା ରହିବ ତାହା ମୋ କାମ ନୁହେଁ। ମୁଁ କେବଳ ମୋର ଏବଂ ମୋ ପରିବାରର ସ୍ବାର୍ଥକୁ ଚାହିଁବି। ତେଣିକି ପାର୍କ, ଖେଳପଡିଆ, ଜଳାଶୟ, ନଦୀ ଓ ଜଙ୍ଗଲ ରକ୍ଷା ହେଉ କି ନହେଉ! ଏହାହିଁ କାରଣ ଗଙ୍ଗାସାଗର ମେଳା ପରେ ଗୋଟିଏ ଅତି ସୁନ୍ଦର ପ୍ରାକୃତିକ ଅଞ୍ଚଳ ପରିଣତ ହୋଇସାରିଥାଏ ଆବର୍ଜନା ଗଦାରେ। ପୁଣି କହିଲି, ଶ୍ଳେଷାତ୍ମକ ଅର୍ଥରେ ‘ଗଙ୍ଗାସାଗର ଯାତ୍ରୀ’ ମଧ୍ୟ ବ୍ୟବହୃତ। ଏମାନେ ଆମ ଜନସଂଖ୍ୟାର ସିଂହଭାଗ ଯେଉଁମାନେ ନିଜ ଚଉହଦିକୁ ବାଦ୍‌ ଦେଲେ ଅବଶିଷ୍ଟ ପୃଥିବୀ ପାଇଁ ବିଲ୍‌କୁଲ ଚିନ୍ତା କରିନଥା’ନ୍ତି। ପର୍ଯ୍ୟାବରଣବିତ୍‌ମାନେ କୁହନ୍ତି, ଏକାନ୍ତ ସ୍ବାର୍ଥପର ପ୍ରକୃତିରୁ ଗଣଜୀବନ ଓ ଗଣସମ୍ପଦ ସହିତ ଆମର ଅସମ୍ପୃକ୍ତି ଏମିତି ଏକ ମୋଡ଼ରେ ଆମକୁ ପହଞ୍ଚାଇ ସାରିଛି, ଯେଉଁଠି ପରସ୍ପରର ହାତ ନ ଧରିଲେ ଆଉ ଆମର ତ୍ରାହି ନାହିଁ। ଏହା କେବଳ ପରିବେଶ କ୍ଷେତ୍ରରେ ସୀମିତ ନୁହେଁ, କାରଣ ଆମ ସାମାଜିକ ଜୀବନର ଖଣ୍ଡଗ୍ରାସ ଆରମ୍ଭ ହୋଇ ସାରିଛି। ଅତୀତର ଯୌଥ ପରିବାର ତ ଆଉ ନlହିଁ, ଆମର ଗୋଷ୍ଠୀ ଜୀବନରୁ ଗୁଣାତ୍ମକ ମାନ ଦ୍ରୁତ ହ୍ରାସ ପାଉଛି। ସହଯୋଗ, ସଂଯୋଗ, ସଦ୍ଦିଛା, ସମବେଦନା କ୍ରମେ ଅର୍ଥ ହରାଇ ବସୁଛନ୍ତି। ଆଉ ଯେଉଁ ଅର୍ଥରେ ଆମେ ଜଗତୀକରଣ, ନେଟୱାର୍କିଂ ପରି ଶବ୍ଦ ଉପରକୁ ବ୍ୟବହାର କରୁଛୁ ସେସବୁର ଚେର ଆଦୌ ମଜଭୁତ ନୁହେଁ। ଜଗତ ସହିତ ଅସମ୍ପୃକ୍ତ ରହିବା, ହଲିଲା ପାଣିକୁ ଗୋଡ଼ ନ ବଢ଼େଇବା ଆମ ଭିତରୁ ଅଧିକାଂଶଙ୍କୁ ଗଙ୍ଗାସାଗର ଯାତ୍ରୀରେ ପରିଣତ କରିସାରିଛି।
ମୋ: ୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri