ଛଟେଇ ବିପଦ

ତଥାଗତ ସତପଥୀ

ଏସିଆନ୍‌ ଟାଇଗର୍ସ ଭାବେ ପରିଚିତ ସିଙ୍ଗାପୁର, ହଂକଂ, ଦକ୍ଷିଣ କୋରିଆ, ତାଇଓ୍ବାନ, ଥାଇଲାଣ୍ଡ ଏବଂ ବିଶେଷକରି ମାଲେସିଆ ଭଳି ଦେଶରେ ୧୯୯୭ରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା। ଏହାଦ୍ୱାରା ସେହି ସମୟରେ ବିଶ୍ୱ ଅର୍ଥନୀତି ଘୋର ପ୍ରଭାବିତ ହୋଇଥିଲା। ହେଲେ ଭାରତ ସୁରକ୍ଷିତ ରହିଥିଲା। ପରବର୍ତ୍ତୀ ସମୟରେ ୨୦୦୮ରେ ଆମେରିକାରେ ସୃଷ୍ଟି ହୋଇଥିବା ସବ୍‌-ପ୍ରାଇମ୍‌ ସଙ୍କଟ ପୃଥିବୀ ସାରା ବ୍ୟାପିଥିଲା। ଏହା ସତ୍ତ୍ୱେ ସେତେବେଳେ ଭାରତ ଉପରେ ଆଖିଦୃଶିଆ ପ୍ରଭାବ ପଡ଼ି ନ ଥିଲା। ଏବେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ଦେଖାଦେଇଥିବା ଆର୍ଥିକ ଦୁଃସ୍ଥିତି ଦୀର୍ଘ ୭୦ ବର୍ଷ ଭିତରେ ଦେଖା ଯାଇ ନ ଥିଲା। ଲୋକଙ୍କର ବ୍ୟବସ୍ଥା ଉପରେ ବିଶ୍ୱାସ ତୁଟିଯାଉଛି। ସେଥିପାଇଁ ଏଠାରେ ନିବେଶ କରିବାକୁ ଅନେକେ କୁଣ୍ଠିତ। ଏଭଳି ସ୍ଥିତି ଯୋଗୁ ଭାରତୀୟ ଅର୍ଥନୀତି ଏକ ସଙ୍କଟ ଦେଇ ଗତି କରୁଛି ବୋଲି ସେ କହିବା ପାଇଁ ବାଧ୍ୟ ହୋଇଥିଲେ। ହେଲେ ସତ୍ୟ ପ୍ରକାଶ ଯୋଗୁ ସରକାରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଥିବାରୁ ତାଙ୍କ ଉପରେ ଚାପ ପଡ଼ିଥିଲା। ଫଳରେ ନିଜ ମନ୍ତବ୍ୟରୁ ସେ ଓହରି ଯାଇଥିଲେ ଏବଂ ତାଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଛି ବୋଲି କହି ଗଣମାଧ୍ୟମ ଉପରେ ଦୋଷ ଲଦିଥିଲେ। କିନ୍ତୁ ସେହି ମତ ଦେଶର ବାସ୍ତବ ପରିସ୍ଥିତି ହୋଇଥିବାରୁ ତାଙ୍କର ମତ ପରିବର୍ତ୍ତନକୁ ସାଧାରଣରେ କେହି ବିଶ୍ୱାସ କରୁନାହାନ୍ତି। ଏବେ ସେହି ମତ ଯୋଗୁ ଘଟିଥିବା କ୍ଷତି ଭରଣା କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର କହିଲେଣି ଯେ ଏବେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ନାହିଁ, କେବଳ କେତେକ କ୍ଷେତ୍ରରେ ଚାହିଦା ହ୍ରାସ ପାଇଛି। ଏଭଳି କଥା କଟାକଟି ଗୋଟିଏ ପଟେ କୌତୂହଳ ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ ତାହା ଭୟଙ୍କର ପରିସ୍ଥିତିକୁ ଘୋଡ଼ାଇବାର ଅପରିପକ୍ୱ ଚେଷ୍ଟା ସମସ୍ତଙ୍କୁ ବ୍ୟସ୍ତ କରିବା କଥା। କିନ୍ତୁ ଢଗ ଅଛି-‘ଅଜ୍ଞ ହିଁ ସୁଖୀ’। ଏହି ନୀତିରେ ବିଭିନ୍ନ ଚିନ୍ତାଧାରାର ଜନ୍ମ ଓ ମୃତ୍ୟୁକୁ ନେଇ ଭିନ୍ନ ଆଡ଼େ ଦୃଷ୍ଟି ଆକର୍ଷଣ କରାଯାଉଛି।
ଅର୍ଥନୀତିର ବାସ୍ତବ ଅବସ୍ଥାକୁ ବୁଝି ଏହାର ସମାଧାନ ବାହାର କରିବାକୁ ଯାଇ ୨୩ ଅଗଷ୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ୟାକେଜ ଘୋଷଣା କରିଛନ୍ତି। ଖବରଦାତା ସମ୍ମିଳନୀ ଡାକି ସେ ଯେଭଳି ତରବରିଆ ଭାବେ ପ୍ୟାକେଜ ଘୋଷଣା କଲେ, ସେଥିରୁ ମନେହେଲା ଯେପରି ଅର୍ଥମନ୍ତ୍ରୀ ଏକ ମିନି ବଜେଟ ଉପସ୍ଥାପନ କରୁଛନ୍ତି। ଜୁଲାଇ ୫ରେ ଉପସ୍ଥାପିତ ବଜେଟର ମାତ୍ର ଦେଢ଼ ମାସ ପରେ ସେହି ସାମ୍ବାଦିକ ସମ୍ମିଳନୀରେ କେବଳ ଯେ ତାଙ୍କର ମୁଖ୍ୟ ୧୦ ପଏଣ୍ଟ କାର୍ଯ୍ୟକ୍ରମ ଉପସ୍ଥାପନ କଲେ ତାହା ନୁହେଁ, ଅର୍ଥମନ୍ତ୍ରୀଙ୍କ ବ୍ୟସ୍ତତା ମଧ୍ୟ ସ୍ପଷ୍ଟ ଜଣାପଡ଼ିଥିଲା। ଏହି ସାମ୍ବାଦିକ ସମ୍ମିଳନୀ ଡକାଇ ପୁନର୍ବାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକୁ ଫେରାଇ ନେବା ଅର୍ଥନୈତିକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରୁନାହିଁ। ଏହାର କାରଣ ହେଲା ବଜେଟରେ ଅନେକ ଲକ୍ଷ୍ୟ ରଖି ଅର୍ଥନୈତିକ ପଦକ୍ଷେପ ଚିନ୍ତା କରାଯାଇଥିଲା। କିନ୍ତୁ ୨୦୧୬ ନଭେମ୍ବରର ବିମୁଦ୍ରୀକରଣ ଯୋଗୁ ଦେଶକୁ ଘଟିଥିବା ଅର୍ଥନୈତିକ କ୍ଷତିର କୁଫଳ ଏବେ ଫଳପ୍ରଦ ହେବାକୁ ଆରମ୍ଭ ମାତ୍ର ହୋଇଛି। ତାହା ଫଳରେ ଭାରତ ସକାଶେ ଦୀର୍ଘମିଆଦୀ ଅର୍ଥନୈତିକ ପଦକ୍ଷେପ ଗ୍ରହଣ କରିବା ସମ୍ଭବପର ହୋଇପାରୁ ନାହିଁ। ଏହାକୁ ଚିହ୍ନି ସରକାର ମାତ୍ର ଦେଢ଼ ମାସ ଭିତରେ ୨୦୧୯-୨୦ ବଜେଟର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବା ଫଳରେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ପୂର୍ବରୁ ରଖା ଯାଇଥିବା ଲକ୍ଷ୍ୟସବୁ ଅପୂରଣୀୟ ରହିଯିବ। ଯଦି ସରକାର ତାଙ୍କ ନୀତି ସୃଷ୍ଟି କରି ନିଜେ ବଦଳାଇବାକୁ ବାଧ୍ୟ ହେଉଛନ୍ତି, ତେବେ ଦେଶ ସଙ୍କଟରେ ପଡ଼ିଥିବା ଅର୍ଥନୀତି ସମ୍ପର୍କରେ ସାଧାରଣ ଲୋକ ମଧ୍ୟ ବୁଝିପାରୁଥିବେ। ଅବଶ୍ୟ ଯେଉଁ ନାଗରିକ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହୃଦୟଙ୍ଗମ କରିବେ ନାହିଁ, ସେମାନଙ୍କ ପାଇଁ କୌଣସି ମଲମ କାମ କରିବ ନାହିଁ।
ଏହି ପରିପ୍ରେକ୍ଷୀରେ ଅଟୋମୋବାଇଲ କ୍ଷେତ୍ରକୁ ଦେଖାଯାଉ। ପ୍ରଦୂଷଣ ହ୍ରାସ ଲାଗି ସରକାର ୨୦୨୦ ଆରମ୍ଭରେ ଗାଡ଼ିମୋଟରରେ ବିଏସ୍‌ (ଭାରତ ଷ୍ଟେଜ୍‌)-୬ ନିୟମ ଲାଗୁ କରିବାକୁ ଯାଉଛନ୍ତି। ବର୍ତ୍ତମାନର ଗାଡ଼ିଗୁଡ଼ିକୁ ଦେଖିଲେ ତାହା ବିଏସ୍‌-୪ରେ ଗଡ଼ୁଛି। ଏଥିସହିତ ସରକାର ଦେଶରେ ଇ-ଯାନ ପ୍ରଚଳନ ଲାଗି ଅଣ୍ଟା ଭିଡ଼ୁଛନ୍ତି। ଏହାଦ୍ୱାରା ଉଭୟ କମ୍ପାନୀ ଓ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାରୁ ଗାଡ଼ି ବିକ୍ରି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଫଳରେ ଉତ୍ପାଦିତ ଗାଡ଼ି ପଡ଼ି ରହିଛି। ଏହି କାରଣରୁ କମ୍ପାନୀଗୁଡ଼ିକ କାରଖାନା ବନ୍ଦ କରିବାକୁ ବାଧ୍ୟ ହେଲେଣି। ଅଟୋ ଡିଲର ମହାସଂଘ ତଥ୍ୟ ଅନୁଯାୟୀ ପ୍ରାୟ ସାଢ଼େ ୩ ଲକ୍ଷ କର୍ମଚାରୀ ଛଟେଇ ହୋଇ ସାରିଲେଣି। ସେହିଭଳି ବିସ୍କୁଟ ଭଳି ଖାଦ୍ୟ ପ୍ରସ୍ତୁତ କରୁଥିବା ‘ପାର୍ଲେ’ କମ୍ପାନୀ ଆଗକୁ ୧୦,୦୦୦ କର୍ମଚାରୀ ଛଟେଇ କରିବ ବୋଲି କହିଲାଣି। ଅନ୍ୟପଟେ ବ୍ୟାଙ୍କ ଭଳି ସଂସ୍ଥା ମଧ୍ୟ କ୍ଷତିର ସମ୍ମୁଖୀନ ହେଉଛନ୍ତି। ପୃଥିବୀର ଅନ୍ୟତମ ବୃହତ୍‌ ବ୍ୟାଙ୍କ ଏଚ୍‌ଏସ୍‌ବିସିର ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ିଛି ଯେ, ମହାରାଷ୍ଟ୍ରର ପୁଣେ ଓ ତେଲେଙ୍ଗାନାର ହାଇଦ୍ରାବାଦରୁ ପ୍ରାୟ ୧୫୦ ମଧ୍ୟ ସ୍ତର (ମିଡିଲ ଲେଭଲ) କର୍ମଚାରୀ ନିକଟରେ ଛଟେଇ ହୋଇଛନ୍ତି। ଏହା ପ୍ରମାଣ କରୁଛି ଯେ, ଆର୍ଥିକ ମାନ୍ଦାବସ୍ଥାର କୁପ୍ରଭାବ ଏବେ ଅର୍ଥନୀତିର ସବୁ କ୍ଷେତ୍ରକୁ ବ୍ୟାପୁଛି।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କହୁଛନ୍ତି ଯେ, ବିଶ୍ୱ ଅର୍ଥନୀତି ୩.୨ ପ୍ରତିଶତ ଅଭିବୃଦ୍ଧି ଦେଇ ଗତି କରୁଥିବା ବେଳେ ଭାରତ ୫.୮ ପ୍ରତିଶତରେ ଚାଲିଛି। ତେଣୁ ଭାରତୀୟ ଅର୍ଥନୀତି ସବଳ ଅଛି। ବାସ୍ତବରେ ଡଉଲଡାଉଲ ଚେହେରା ରଖିଥିବା ଯୁବକ ଭିତରେ ମାରାତ୍ମକ ରୋଗ ଥିଲେ କିଛି ଦିନ ପରେ ସେ ଯେପରି ରୋଗାକ୍ରାନ୍ତ ହୋଇଯାଏ, ଆଜି ଭାରତୀୟ ଅର୍ଥନୀତି ଭିତରୁ ରୁଗ୍‌ଣ ହୋଇଗଲାଣି। ଏଥିପାଇଁ ବାହ୍ୟ ପ୍ରଭାବ ନୁହେଁ, ଆଭ୍ୟନ୍ତରୀଣ ଆର୍ଥିକ ନୀତିରେ ଚଟାପଟ ପରିବର୍ତ୍ତନ ଦାୟୀ। ଉଦାହରଣ ସ୍ବରୂପ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଜିତିବା ପାଇଁ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଆଣିଲେ। ଅବଶ୍ୟ ରାଜନୈତିକ ଲକ୍ଷ୍ୟ ସିଦ୍ଧି ହେଲା, କିନ୍ତୁ ଦେଶକୁ ଦୀର୍ଘମିଆଦୀ କ୍ଷତି ପହଞ୍ଚୁଛି। ଏହି ନିଷ୍ପତ୍ତି ଯୋଗୁ ଅନେକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ତାଲା ଲାଗିଗଲା, ଯାହାକି ଏବେଯାଏ ଖୋଲି ନାହିଁ। ସେହିଭଳି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଯୋଗୁ ଅନେକ ଉଦ୍ୟୋଗ ଉପରକୁ ଉଠିପାରୁ ନାହାନ୍ତି।
କହିବାକୁ ଗଲେ ରାଜନୈତିକ ଅଭିସନ୍ଧି ରଖି ଦେଶର ଅର୍ଥନୀତିକୁ ପରିଚାଳନା କରାଗଲେ ସଙ୍କଟ ଦେଖାଦେବ। ବାଲାକୋଟ୍‌ ଆକ୍ରମଣ ଭଳି ଦେଶପ୍ରେମ ଜାଗ୍ରତ କରୁଥିବା ଘଟଣା କ୍ଷଣିକ ଉତ୍ତେଜନା ସୃଷ୍ଟି କରେ। ସେହି ‘ଘୋ’ରେ ଭାସିଯିବା ପାଇଁ ଅନେକେ ପସନ୍ଦ କରିପାରନ୍ତି। କିନ୍ତୁ ତାହାର ବିପରୀତ ଦିଗକୁ କ୍ୱଚିତ୍‌ ଅନୁଭବ କରିଥାଆନ୍ତି। ସବୁବେଳେ ଅର୍ଥନୀତି ରାଜନୀତିଠାରୁ ଅଲଗା ରହିବା କଥା। ତାହା ହେଉ ନ ଥିବାରୁ ଅର୍ଥନୈତିକ ବିପଦ ମାଡ଼ି ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri