ଘର କେତେ ଭଲ

ଅଲେଖ ଚନ୍ଦ୍ର ମିଶ୍ର

ଦିଗନ୍ତବିସ୍ତାରୀ ପ୍ରଶାନ୍ତ ମହାସାଗରର ପୂର୍ବଭାଗରେ ଗଭୀର ଜଳରାଶିର ଏକ ଦୁର୍ଗମ ଅଞ୍ଚଳରେ ଥିଲା ଏକ ଅଜଣାଅଶୁଣା ନିର୍ଜନ ଦ୍ୱୀପ। ଦ୍ୱୀପଟିର ଚତୁଃପାର୍ଶ୍ୱରେ ଛଅଶହ ମାଇଲ ପର୍ଯ୍ୟନ୍ତ ଜନବସତି ନ ଥିଲା। ଥରେ ଜଣେ ଅଭିଜ୍ଞ ନାବିକକୁ ତା’ର ସାମାନ୍ୟ ଭୁଲ୍‌ ପାଇଁ (କପ୍ତାନଙ୍କ ସହ ମତଭେଦ) ଦଣ୍ଡବିଧାନ ସ୍ବରୂପ ସେହି ଦ୍ୱୀପରେ ଜୋରଦ୍‌ଜବରଦସ୍ତି ଛାଡିଦିଆଗଲା। ନାବିକଟିର ଅନୁତାପ, କ୍ଷମାଭିକ୍ଷା ଓ ଆକୁଳ କ୍ରନ୍ଦନକୁ କର୍ଣ୍ଣପାତ ନ କରି ନିଷ୍ଠୁର କପ୍ତାନ ଜାହାଜକୁ ନେଇ ଚାଲିଗଲା। କର୍ମକୁ ଆଦରି ଲୋକଟି ସେଇ ଦ୍ୱୀପ ଭିତରକୁ ପାଦ ବଢେଇଲା। ମାତ୍ର ଯାହା ଦେଖିଲା ଭୟରେ ତା’ର ଦେହ ଶିହିରି ଉଠିଲା। ଭୀଷଣାକୃତି ଜଳଜୀବ, ବିଷଧର ସରୀସୃପ, ଭୟଙ୍କର ହିଂସ୍ରଜନ୍ତୁ, ଅଦ୍ଭୁତ ମାଂସାଶୀ ବିହଙ୍ଗ ସମସ୍ତେ ସେଠାରେ ଅବାଧରେ ବିଚରଣ କରୁଥିଲେ। କ୍ରମେ ସେ ଜାଣିଗଲା ଆଗ୍ନେୟଗିରିର ଜ୍ୱାଳାମୁଖ, ଝଡବତାସର କର୍କଶ ସ୍ବର, ଘନ ବନାନୀ ଓ ହିଂସ୍ର ଜନ୍ତୁଙ୍କର ଭୟଙ୍କର ଗର୍ଜନ ହିଁ ଥିଲା ଦ୍ୱୀପଟିର ପ୍ରାକୃତିକ ଦୃଶ୍ୟପଟ। ଦିନରେ ନରକ, ରାତିରେ ପ୍ରେତପୁରୀ। ସେଥିପାଇଁ ସେଠାରେ ଜଣେ ବି ମଣିଷ ନ ଥିଲା। କିନ୍ତୁ ସେଇଠାରେ ହିଁ ସେ ରହିବାକୁ ବାଧ୍ୟ ହୋଇଥିଲା।
ଏଇ ବିଭୀଷିକା ଭିତରେ କେତେଦିନ ସେ ରହିବ? କେବେ ହୁଏତ ମୁକ୍ତି ପାଇବ କି ନାହିଁ? କିମ୍ବା ଏଇ ଅବକାଶରେ ତା’ର ଜୀବନଦୀପ ଲିଭିଯିବ? ଏଇଭଳି ଆଶଙ୍କା ମଧ୍ୟରେ ଛଟପଟ ହୋଇ ଲୋକଟି ଉପକୂଳ ନିକଟରେ ବସିରହି ସତୃଷ୍ଣନୟନରେ ଚାହିଁ ରହେ। ଦୂରରେ ବସ୍ତୁଟିଏ ଦେଖିଲେ ସାହାଯ୍ୟ ପାଇଁ ଚିତ୍କାର କରେ। ଆକାଶରେ ଉଡିଯାଉଥିବା ବ୍ୟୋମଯାନକୁ ହାତଠାରି ଡାକେ। ତା’ର ବାର୍ତ୍ତା ତା’ର ପ୍ରିୟଜନଙ୍କ ପାଖରେ ପହଞ୍ଚାଇ ଦେବା ପାଇଁ ବାୟୁକୁ ଅନୁନୟ କରେ। କିନ୍ତୁ ତା’ର ସବୁ ଚେଷ୍ଟା ବିଫଳ ହୁଏ। ଦ୍ୱୀପଟି ଅବାଟରେ ଥିବାରୁ କୌଣସି ଜାହାଜ ବି ସେ ଦିଗରେ ଆସେନା। ଦିନ ଗଣୁ ଗଣୁ ଦେଢହଜାର ଦିନ (୪ବର୍ଷ) ବିତିଗଲା। ହଠାତ୍‌ ଦିନେ ତା’ର ଭାଗ୍ୟୋଦୟ ହେଲା। ଏକ ସ୍ପେନିସ ଜାହାଜ ବାଟ ଭୁଲି ସେହି ଦ୍ୱୀପ ନିକଟରେ ଯାଉଥିଲା। ତାକୁ ଦେଖି ଲୋକଟି ଯେମିତି କୋଟିନିଧି ପାଇଗଲା। କାଳବିଳମ୍ବ ନ କରି ଏକ ଛୋଟ ଡାଳରେ ନିଆଁ ଲଗେଇ ତାକୁ ମଶାଲ ଭଳି ଦେଖେଇ ଡାକ ପକେଇଲା, ”ଉଦ୍ଧାର କର, ଉଦ୍ଧାର କର।“ ତା’ର ଚିତ୍କାର ଜାହାଜରେ ଥିବା ଲୋକଙ୍କ କାନରେ ପଡିଲା। ହେଲେ ତା’ର ଦୀର୍ଘ ରୁକ୍ଷ, ନିଶ, ଦାଢି, କେଶ, ବେଶ, ପୋଷାକ ଓ ଶୁଷ୍କ ଦେହକୁ ଦେଖି ତାକୁ ଏକ ବନ୍ୟପଶୁ ଭାବି ସେମାନେ ଚାଲିଯାଉଥିଲେ। କିନ୍ତୁ ଲୋକଟି ତା’ର ସମସ୍ତ ଶକ୍ତି ସଞ୍ଚୟ କରି ଶେଷ ଚେଷ୍ଟା କଲା, ବୁଡିଯାଉଥିବା ଜାହାଜରୁ ରକ୍ଷା ପାଇଥିବା ମୁଁ ଜଣେ ମଣିଷ। ଦୟାକରି ମତେ ଏଠାରୁ ଉଦ୍ଧାର କର। ଏଥରକ ସେମାନେ ଜାହାଜକୁ କୂଳରେ ଲଗେଇଲେ ଏବଂ ଲୋକଟିକୁ ଉଠେଇ ନେଲେ। ଜାହାଜରେ ଆଶ୍ରୟ ଦେଇ ତା’ ଦେଶରେ ଛାଡିଦେଲେ। ଲୋକଟି ଯେମିତି ପୁନର୍ଜନ୍ମ ପାଇଲା। ନିଜର ପ୍ରିୟଜନଙ୍କ ଆଗରେ ଲୋକଟି ଯେତେବେଳେ ତା’ର ମୃତବତ୍‌ ଜୀବନ କାହାଣୀକୁ ବର୍ଣ୍ଣନା କଲା ଚାରିଆଡୁ ସମବେଦନାର ସୁଅ ଛୁଟିଲା। ସେଇ ଲୋକଟି ଥିଲେ ବିଖ୍ୟାତ ନାବିକ ଆଲେକ୍‌ଜାଣ୍ଡାର ସେଲ୍‌କାର୍କ। ଯେଉଁ ଜାହାଜରୁ ସେ ନିର୍ବାସିତ ହୋଇଥିଲେ ତା’ର ନାମ ଥିଲା ‘ସିନ୍‌କ୍ୟୁ ପୋର୍ଟସ’ ଏବଂ ତା’ର କ୍ୟାପ୍‌ଟେନ ଥିଲେ ଷ୍ଟ୍ରାଡ୍‌ଲିଂ। ସମ୍ପୃକ୍ତ ଦ୍ୱୀପଟିର ନାମ ଥିଲା, ଜୁଆନ ଫର୍ନାଡେଜ୍‌ ଏବଂ ଘଟଣାଟି ଘଟିଥିଲା ୧୭୦୪ ମସିହାରେ। ଏହି କାହାଣୀଟି ହିଁ ଥିଲା ୧୭୦୯ ମସିହାରେ ପ୍ରଖ୍ୟାତ ଇଂଲିଶ କବି ଉଇଲିୟମ କାଓପରଙ୍କ ଦ୍ୱାରା ରଚିତ କାଳଜୟୀ କବିତା ‘ଦି ସଲିଚ୍ୟୁଡ୍‌ ଅଫ୍‌ ଆଲେକ୍‌ଜାଣ୍ଡାର ସେଲ୍‌କାର୍କ’ର ପଟ୍ଟଭୂମି। ଏହି କବିତାଟି ଏତେ ଲୋକପ୍ରିୟ ହୋଇଥିଲା ଯେ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା।
ସେଥିରେ ଅନୁପ୍ରାଣିତ ହୋଇ ୧୭୧୯ ମସିହାରେ ସ୍ବନାମଧନ୍ୟ ବ୍ରିଟିଶ୍‌ ଔପନ୍ୟାସିକ ଡାନିଏଲ୍‌ ଡିଫୋ ରଚନା କଲେ ବିଖ୍ୟାତ ଉପନ୍ୟାସ ‘ରବିନ୍‌ସନ୍‌ କ୍ରୁସୋ’ ଯାହା ବିଶ୍ୱ ସାରସ୍ବତ ଦରବାରରେ ଅଦ୍ୟାବଧି ଏକ ଅମୂଲ୍ୟରତ୍ନ ହୋଇ ରହିଛି। ପୃଥିବୀର ପ୍ରାୟ ସମସ୍ତ ପ୍ରମୁଖ ଭାଷାରେ ଅନୂଦିତ ଏହି କାହାଣୀକୁ ଓଡିଆ ଭାଷାରେ ରୂପାନ୍ତରିତ କରିଥିଲେ ଭକ୍ତକବି ମଧୁସୂଦନ ରାଓ (ନିର୍ବାସିତର ବିଳାପ), ଯାହାର ଶଂସିତ ଅଂଶକୁ ଆବଶ୍ୟକ ସ୍ଥଳେ ସ୍ଥାନିତ କରାଯାଇଛି। ଏହି କାହାଣୀଟିରେ ସନ୍ନିବିଷ୍ଟ ବାର୍ତ୍ତା ହେଲା, ଏଭଳି ଭୟଙ୍କର ସ୍ଥାନରେ ରାଜାହେବା ଅପେକ୍ଷା ସମାଜରେ ଭୟ ଓ ଆଶଙ୍କାରେ ଦିନ କାଟିବା ଭଲ। (ବେଟର ଓ୍ବେଲ୍‌ ଇନ୍‌ ଦ ମିଡ୍‌ଷ୍ଟ ଅଫ୍‌ ଆଲାର୍ମସ୍‌ ଦାନ୍‌ ରେନ୍‌ ଇନ୍‌ ଦିସ୍‌ ହରିବଲ୍‌ ପ୍ଲେସ୍‌.)। (ବରଂ ନିବାସ ଭଲ ରଣକ୍ଷେତ୍ରରେ…. ଅଧମ ଗତି)।
ଏହାର ବହୁକାଳ ପୂର୍ବରୁ ମହାକବି କାଳିଦାସ ତାଙ୍କର ଅମରକୃତି ‘ମେଘଦୂତମ୍‌’ କାବ୍ୟରେ ଅଳକାପୁରୀରୁ ବିଚ୍ୟୁତ ଶାପଗ୍ରସ୍ତ ଯକ୍ଷର ମର୍ତ୍ତ୍ୟର ରାମଗିରିରେ ଅବସ୍ଥାନଜନିତ ବିଳାପକୁ ଆଧାର କରି ଅନୁରୂପ କାହାଣୀ ବର୍ଣ୍ଣନା କରିଯାଇଛନ୍ତି।
ଏକୁଟିଆ ଜୀବନ କେତେ ଦୁର୍ବିଷହ ଏଥିରୁ ଅନୁମେୟ। ଯେଉଁ ପ୍ରିୟଜନଙ୍କର ସାନ୍ନିଧ୍ୟକୁ ମଣିଷ ହେୟଜ୍ଞାନ କରେ ସେମାନଙ୍କର ଅବର୍ତ୍ତମାନରେ ତାଙ୍କୁ ଝୁରିହୁଏ। ନିରୋଳା ଜୀବନ ଏକ ଅଭିଶାପ। ଏକାକୀ ରହିବା ଏକ ଦଣ୍ଡ। ସେଥିପାଇଁ କେଉଁ ଅନାଦିକାଳରୁ ନିର୍ବାସନ, ଦେଶାନ୍ତର ଦଣ୍ଡବିଧିର ଏକ ଅଂଶ ଭାବରେ ପ୍ରଚଳିତ। ଶତ୍ରୁ କବଳରୁ ବଞ୍ଚିବା ପାଇଁ ମଧ୍ୟ ମଣିଷ ଆତ୍ମନିର୍ବାସନ ବରଣ କରେ। ସେ ପୁରାଣର ସୁଗ୍ରୀବ ହୁଅନ୍ତୁ ଅଥବା ଇତିହାସର ନେପୋଲିୟନ। କାରାଗାରରେ ବନ୍ଦୀ ଜୀବନ ଏହାର ଅନ୍ୟ ଏକ ଦୃଷ୍ଟାନ୍ତ। ସମାଜରେ ଥାଇ ବି କିଛି ଲୋକଙ୍କୁ ଏକଘରିଆ, ବାସନ୍ଦ, ନିଆଁପାଣି ବନ୍ଦ ଭଳି କଠୋର ଶାସ୍ତିବିଧାନ କରାଯାଏ। କିଛିଲୋକ ଭରପୂର ପରିବାରର ଆପଣା ଲୋକଙ୍କୁ ପର କରି ଅଣୁ ପରିବାରକୁ ଆପଣାନ୍ତି। କାଳକ୍ରମେ ଯେତେବେଳେ ସେଇ କ୍ଷୁଦ୍ର ପରିବାର ତାଙ୍କଠାରୁ ଦୂରକୁ ଚାଲିଯାଏ ସେ ସମ୍ପୂର୍ଣ୍ଣ ଏକା ହୋଇଯାନ୍ତି ଏବଂ ତାଙ୍କର ଆଗକୁ ପଛକୁ କେହି ନ ଥାନ୍ତି। ଜୀବନର ଅନ୍ତିମ ପର୍ଯ୍ୟାୟ ଅସହ୍ୟ ହୋଇପଡେ। ପ୍ରାଚୁର୍ଯ୍ୟର ସ୍ତୂପ ଉପରେ ଉପବିଷ୍ଟ ଥାଇ ବି ସେମାନେ ଅଭାବଗ୍ରସ୍ତ ହୋଇଥାନ୍ତି। ସେମାନେ ବଞ୍ଚି ରହନ୍ତି କାରଣ ମରି ନ ଥାନ୍ତି। ଶେଷରେ ବଞ୍ଚିତର ଗ୍ଳାନି ଓ ଅସହାୟତାର ଅବସାଦ ଭିତରେ କେତେକ ଦୁର୍ବଳମନା ଲୋକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନିଅନ୍ତି।
ସମ୍ପ୍ରତି ବିଶ୍ୱରେ ଏହି ପ୍ରସଙ୍ଗ ଆଲୋଚନାର ବିଷୟ ପାଲଟିଛି। ୧୪୮ଟି ଦେଶର ୩.୪ ନିୟୁତ ଲୋକଙ୍କ ଉପରେ ଅଧ୍ୟୟନ କରି ଆମେରିକାର ବ୍ରିଗ୍‌ହାମ୍‌ ୟଙ୍ଗ ୟୁନିଭରସିଟିର ପ୍ରଫେସର ଜୁଲିଆନେ ହୋଲ୍‌ଟ ଲୁନ୍‌ଷ୍ଟାଡ୍‌ କହନ୍ତି ପୃଥିବୀରେ ଆତ୍ମହତ୍ୟାକାରୀଙ୍କର ଶତକଡା ୫୦ଭାଗ ଏକା ରହୁଥିବା ଲୋକ। ଅନ୍ୟମାନଙ୍କ ସହିତ ମିଳିମିଶି ରହିଲେ ଯେଉଁ ଖୁସି ମିଳେ ତାହା ମଣିଷକୁ ଅଧିକ ଦିନ ବଞ୍ଚେଇ ରଖେ। ଅତଏବ ଏକୁଟିଆ ଜୀବନକୁ ଏଡାଇବା ସମସ୍ତଙ୍କର ଧ୍ୟେୟ ହେବା ଉଚିତ। ହୋମ୍‌ ସ୍ବିଟ୍‌ ହୋମ୍‌। ଦେୟାର ଇଜ୍‌ ନୋ ପ୍ଲେସ୍‌ ଲାଇକ୍‌ ହୋମ୍‌। (ଘର କେତେ ଭଲ, ତା’ଭଳି ଭଲ ସ୍ଥାନ ଆଉ ନାହିଁ)।
ସାରଦାଶ୍ରୀ,୯୦୪, ଶାସ୍ତ୍ରୀନଗର, ୟୁନିଟ ୪, ଭୁବନେଶ୍ୱର, ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ କରି ଗୋଟିଏ କୁକୁର ବଞ୍ଚାଇଲା ଆଉ ଏକ କୁକୁରର ଜୀବନ। ମଧ୍ୟପ୍ରଦେଶର ନରସିଂହପୁର ଅନ୍ତର୍ଗତ ସୈସରା ଗାଁରେ ରକ୍ତଦାନକୁ ନେଇ ଏକ ଭିନ୍ନ ଉଦାହରଣ...

ଆମ ପାଇଁ ହରି ଭରସା

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ”ହେ ପ୍ରଭୁ! ଏ ଜନ୍ମ ତ ନିଷ୍ଫଳ ହେଲା। ପୁନର୍ଜନ୍ମ ବୋଲି ଯଦି କିଛି ଥାଏ, ତେବେ ଆସନ୍ତା ଜନ୍ମରେ...

ଉଦ୍ଭିଦର ଇନ୍ଦ୍ରିୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଦିନେ ନିଶ୍ଚୟ ଜାଣିବାକୁ ପାଇବା ଯେଉଁ ଗଛଗୁଡ଼ିକୁ ଆମେ ମାରିଦେଉଛୁ, ଯେଉଁ ଘାସକୁ ଆମେ ବଗିଚାରୁ ଉପାଡ଼ି ପକାଉଛୁ,...

ଭବିଷ୍ୟତ କହିବ

ଚାଇନାର ଉହାନ୍‌ରୁ କରୋନା ଭାଇରସ୍‌ ବାହାରିଥିଲା। ହେଲେ ଏହି ଭୂତାଣୁ ଏବେ ବିଶ୍ୱର ପ୍ରାୟ ସବୁ ଦେଶକୁ ଗ୍ରାସ କରିସାରିଛି। ଏପରିକି ଚାଇନା ରାଜଧାନୀ ବେଜିଂରେ...

ବାଣିଜି୍ୟକ ଅସ୍ପୃଶ୍ୟତା

ହରିହର ତ୍ରିପାଠୀ ମହାମାରୀ କରୋନା ବିଶ୍ୱର ବାଣିଜ୍ୟ ଚିତ୍ରପଟରେ ଆଣିଛି ଯୁଗାନ୍ତକାରୀ ପରିବର୍ତ୍ତନ। ବିଶ୍ୱବାଣିଜ୍ୟରେ ଏକଚାଟିଆ ଆଧିପତ୍ୟ ବଜାୟ ରଖିଥିବା ଦେଶଗୁଡ଼ିକ ଭିତରେ ଦେଖାଦେଇଛି ବାଣିଜି୍ୟକ...

ସମ୍ପାଦକୀୟ/ପ୍ଲାଷ୍ଟିକ୍‌ ଯୁଗ

ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ନକାରାତ୍ମକ ପ୍ରଭାବ ଅନୁଭୂତ ହେଲାଣି। ଏହାର ସଦ୍ୟ ପ୍ରମାଣ ସେପ୍ଟେମ୍ବରରେ ଦେଖିବାକୁ ମିଳିଛି। ଉକ୍ତ...

ସେକାଳ ଚିଠି

ଡା. ବାସୁଦେବ ପ୍ରଧାନ ଆଜି ବାକ୍ସ ଭିତରୁ ପୁରୁଣା ଚିଠିଟିଏ ପାଇ ଚିଠି ବିଷୟରେ ଦୁଇପଦ ଲେଖିବାକୁ ଇଚ୍ଛା ହେଲା। ଚିଠି ବହୁ ପୁରୁଣା କଥା...

ଏକୁଳର ନା ସେକୁଳର

କରୋନା ଭାଇରସ୍‌ ସଂକ୍ରମଣ ଓ ତତ୍‌ଜନିତ ଲକ୍‌ଡାଉନ୍‌ ଯୋଗୁ ବିଶ୍ୱ ଅର୍ଥନୀତି ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନ୍ତର୍ଜାତୀୟ ସ୍ତରରେ...


Coronavirus Update

Archives

Model This Week

Why Dharitri