ଘରୋଇ ହିଂସା ସାମାଜିକ ବ୍ୟାଧି

ଇଂ. ବିଦ୍ୟାଧର ପଣ୍ଡା

”ବାପା! ତୋତେ ମୋ’ ରାଣ। ବାପା! ତୋତେ ମୋ’ ରାଣ ବାପା। କାଠଫାଳିଆ ପକେଇ ଦେ। ବାପା! ତୋତେ ମୋ’ ଛୁଆଭାଇ ରାଣ। ବାପା! ତୋତେ ତୋ ପୁଅରାଣ। ବୋଉକୁ ମାରନା, କାଠଫାଳିଆ ପକେଇ ଦେ।“ ରାତି ଦଶଟାବେଳେ ମୋ’ବସାଘର ପଛପଟରେ ନବମଶ୍ରେଣୀରେ ପଢୁଥିବା ପଡୋଶୀ ଝିଅଟି ହଠାତ୍‌ ଏମିତି ଚିତ୍କାର କରିଉଠିଲା। ମୁଁ ଝରକା ପାଖରେ ଅନ୍ଧାରଘର ଭିତରପଟରୁ ସେମାନଙ୍କୁ ଦେଖୁଥିଲିି। ଦୁଃଶାସନ ପ୍ରେମର ପାଦତଳେ କାଠଫାଳିଆଟିଏ ଦୁଇହାତରେ ଜାବୁଡି ଧରି ପ୍ରେମକୁ ମାରିବାକୁ ଉପରକୁ ଉଚ୍ଚେଇ ବୀରମୁଦ୍ରାରେ ଟିକିଏ ଆଗକୁ ଝୁଙ୍କି ଛିଡାହୋଇ ବାଡେଇଦେବାକୁ ବାରମ୍ବାର ଉଦ୍ୟତ ହେଉଥାଏ, ହେଲେ ପାହାର ପ୍ରେମର କୌଣସି ଅଙ୍ଗରେ ପକେଇ ପାରୁ ନ ଥାଏ। ପ୍ରତିଥର ଝିଅ ତା’ ମାଆକୁ ବାପାର ପାହାରରୁ ରକ୍ଷା କରିଦେଉଛି। ଗୋଟିଏ ପାହାର ପ୍ରେମ କାନ୍ଧରେ ପଡିଲାପରେ ଝିଅ ଧାଇଁଆସି ତା’ଉପରେ ଶୋଇ ବାପାକୁ ରାଣନିୟମ ଦେଇ ମାଆକୁ ମାରିବାରୁ ବାରଣ କରୁଛି। ଝିଅପୁଅ ରାଣକୁ ଦୁଃଶାସନ ମାନି କାଠଫାଳିଆ ଫୋପାଡି ଛାତ ଉପରକୁ ପଳେଇଲା। ମୋ ବସାଘର ଡାହାଣଝରକା ଖୋଲି ଦେଖିଲି ଅନ୍ୟଏକ ପଡୋଶୀଙ୍କର ସମସ୍ତ ସଦସ୍ୟ ପଛପଟ ଅଗଣାର ଏ ବିଭସତ୍ ଘରୋଇ ହିଂସାର ଦୃଶ୍ୟ ଦେଖୁଛନ୍ତି। ସକାଳ ହେଲାରୁ ସେହି ଡାହାଣପଟ ପଡୋଶୀଙ୍କୁ ପଛ ପଡୋଶୀ ଦୁଃଶାସନ ବିଷୟରେ ଗତକାଲି ରାତିଘଟଣା ବିଷୟରେ ପଚାରିଲି। କେତେ କାଳର ପେଡିଖୋଲି ଭାଉଜ ପଛପଡୋଶୀଙ୍କ ଆମୂଳଚୂଳ ଇତିହାସ ବର୍ଣ୍ଣନା କରି ବସିଲେ।
ଦୁଃଶାସନ ବେଣୀରାମ ଯାତ୍ରାପାଟିରେ ଖଳନାୟକ ଅଭିନୟ କରେ। ତା’ସ୍ତ୍ରୀ ପ୍ରେମ ସେହି ପାର୍ଟିର ହିରୋଇନ୍‌। ସେତେବେଳେ ଦୁଃଶାସନକୁ ବର୍ଷକୁ ସତୁରି ହଜାର ଓ ପ୍ରେମକୁ ବର୍ଷକୁ ଚାଳିଶ ହଜାର ଟଙ୍କା ପାରିଶ୍ରମିକ ମିଳେ। ଗାଁଗଣ୍ଡା ବୁଲି ମଫସଲ ଅଞ୍ଚଳରେ ଯାତ୍ରାକରିବାକୁ ଗଲାବେଳେ ଦୁହେଁ ଏକାଠି ରୁହନ୍ତି। ଏମିତି ରହୁ ରହୁ ଦୁହିଁଙ୍କ ଭିତରେ ପ୍ରେମ ହୋଇଗଲା। ପ୍ରେମ ହେବାରେ କିଛି ନ ଥିଲା, କିନ୍ତୁ ପ୍ରେମର ଗର୍ଭ ରହିଗଲା। ଯାତ୍ରାପାର୍ଟି ବହୁତ କ୍ଲବ୍‌ ଓ ଯାତ୍ରା କମିଟିମାନଙ୍କ ପାଖରୁ ଯାତ୍ରା କରିବାକୁ ଯିବେ ବୋଲି ଅଗ୍ରୀମ ଟଙ୍କାରଖି ରସିଦ୍‌ କାଟିଦେଇ ସାରିଥାନ୍ତି। ତେଣୁ ଏମାନଙ୍କୁ ଘରକୁ ଆସି ବାହାହେବାକୁ ଛୁଟି ମିଳିଲାନି। ସମସ୍ତ ଯାତ୍ରାକାମ ସାରିଲାବେଳକୁ ଛଅମାସ ବିତିଗଲା। ଟିକେ ଟିକେ ପେଟ ଦେଖାଗଲାଣି। ସେଇ ଅବସ୍ଥାରେ ମୟୂରଭଞ୍ଜ ବାରିପଦାର ଏଇଘରକୁ ଆସି ସେ ଦୁହେଁ ବାହାହେଲେ। ଦୁଇମାସ ପରେ ଏଇ ଝିଅ ରିଙ୍କି ଜନ୍ମ ହେଲା, ଯିଏ ଏବେ ନବମରେ ପଢିଲାଣି। ତା’ ଅର୍ଥ ଏ’ କାହାଣୀ ପ୍ରାୟ ପନ୍ଦରବର୍ଷ ତଳର ଘଟଣା। ତା’ପରେ ପ୍ରେମ ଆଉ ଯାତ୍ରାଦଳରେ ଅଭିନୟ କରିବାକୁ ଗଲାନି କି ଦୁଃଶାସନକୁ ବି ଛାଡିଲାନି। ଦୁହେଁ ଏଇଠି ଚାରୋଟି ଜର୍ସିଗାଈ ରଖି ଦୈନିକ ପ୍ରାୟ ତିରିଶ ଚାଳିଶ ଲିଟର୍‌ କ୍ଷୀର ବିକି ଭଲ ରୋଜଗାର କରୁଛନ୍ତି। ବାରବର୍ଷ ପରେ ଏବେ ତିନିବର୍ଷ ତଳେ କେମିତି ପୁଣି ଗୋଟିଏ ପୁଅ ଜନ୍ମ ହୋଇଛି। ଘରେ ଏବେ ଦୁଃଶାସନ, ପ୍ରେମ, ବଡଝିଅ ରିଙ୍କି ଓ ସାନପୁଅ ତିନିବର୍ଷର ରଙ୍କନିଧି। ଯାତ୍ରା କଳାକାରମାନେ ରାତି ଅନିଦ୍ରାକୁ ଖଳନାୟକ ପରି ଭିଡକାମ। ଗଳାଫଟେଇ ଚିକତ୍ାରକରି ଡାଏଲଗ୍‌ କହିବାକୁ ହେବ। ନିଶାପାଣି ନ ହେଲେ କ’ଣ କରିହେବ! ଏତେ ବର୍ଷହେଲା ଯାତ୍ରାଦଳରେ ରହି ମଦପିଇବା ଅଭ୍ୟାସ ହୋଇଯାଇଛି। ହେଲେ ଏ’ଯେଉଁ ତାଲାବନ୍ଦୀ ହେଲା କୋଉଆଡେ କିଛି ମିଳୁନି। କ୍ଷୀର ଦେବାକୁ ସିଏ ଆଉ ସହର ବି ଯାଉନି। ସବୁ ଦହି, ଛେନା କରି ଆଖପାଖର ଲୋକଙ୍କୁ ଶସ୍ତାରେ ଯାଚିକି ଦେଇଦେବାକୁ ହେଉଛି। ଖାଲି ଖାଲି ଘରେ ବସି ଚିଡିଚିଡା ହୋଇ ଟିକେଟିକେ କଥାରେ ପ୍ରେମ ଉପରେ ବିଧାଗୋଇଠା ଲଦିଦେଉଛି। କାଲି ରାତିରେ ଶାଶୁବୋହୂ ଭିତରେ କ’ଣ ଟିକେ ଖିଟ୍‌ପିଟ୍‌ ହେଲା ସେ ଝିଅ ରିଙ୍କିର ସାଙ୍ଗମାନଙ୍କୁ ନେଇକି। ଦୁଃଶାସନ ଦୁହିଁଙ୍କୁ ଚୁପ୍‌ ରହିବାକୁ କହି କହି ଥକିଲା, କେହି ଶୁଣିଲେନି। ଶେଷରେ କାଠଫାଳିଆ ଧରି ସ୍ତ୍ରୀ ପ୍ରେମକୁ ଗୋଟାଏ ପାହାର ପକେଇଛି। ତାଲାବନ୍ଦୀର ପ୍ରଥମଦିନଠାରୁ ଆମ ରାଜ୍ୟ ସରକାରଙ୍କ ତରଫରୁ ସବୁଦିନ ଅପରାହ୍ନ ସାଢେଚାରିଟା ସମୟରେ କରାଯାଉଥିବା ପତ୍ରକାର ସମ୍ମେଳନରେ ହଠାତ୍‌ ଦିନେ ଉଦ୍‌ଘୋଷକ ମହୋଦୟ ଘରୋଇହିଂସା ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲେ। ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଏ ସନ୍ଦର୍ଭରେ ବିଶେଷ ସନ୍ଦେଶ ବି ଦେଶବାସୀଙ୍କୁ ଜଣେଇଲେ। ମୋତେ ଏ ସବୁ ସେଦିନ ଆଦୌ ପ୍ରାସଙ୍ଗିକ ଲାଗିଲାନି, ଜମାରୁ ହଜମ ହେଉ ନ ଥାଏ। ମନେମନେ ଭାବୁଥାଏ ଆମେସବୁ କରୋନା ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିବାକୁ ଟିଭି ଖୋଲି କେତେବେଳୁ ଟକଟକି ଲଗେଇ ବସିଛେ, ଏମାନେ ଘରୋଇହିଂସା ଆଡକୁ କାହିଁକି ମୁହଁାଇଲେ! ମୁଁ କିନ୍ତୁ ସେଦିନ ଭୁଲ୍‌ଥିଲି। ଗତକାଲି ରାତିରେ ଯେତେବେଳେ ମୋ ପଡୋଶୀଙ୍କ ଘରୋଇହିଂସା ସ୍ବଚକ୍ଷୁରେ ଦେଖିଲି, ମୋର ଆଖି ଖୋଲିଗଲା। ପରେ ମୋତେ ଘରକାମରେ ସାହାଯ୍ୟ କରୁଥିବା କୁନୁ ଆସି ଖୁସି ଜାହିର କଲା ଯେ ଆସନ୍ତା ସୋମବାରରେ ସବୁ ଖୋଲିଯିବ। ଯିଏ ଯୁଆଡେ ନିଜ ନିଜର କାମଧନ୍ଦାରେ ଚାଲିଯିବେ। ମୁଁ ପଚାରିଲି, ”ତୋର ଏତେ ଖୁସି କାହିଁକି? ତୋ କାମ ତ ତାଲାବନ୍ଦୀରେ ବି ଚାଲୁରହିଛି। ଲୁଗା ସଫା, ବାସନ ମଜା ଓ ଘର ପୋଛା।“ ନାଇଁ ମ ବାବୁ! ମୋ କଥା ନୁହେଁ। ମୋ ମର୍ଦ୍ଦ, ଗେରସ୍ତ କଥା ପଡିଛି। ନିଶାପାଣିଖିଆ ଲୋକ। ବାହାରେ ମିଳୁନି ଯେ ଚାଉଳ ସାଙ୍ଗରେ ସାରପିଡିଆ ମିଶେଇ ଘରେ ଦେଶୀମଦ ପୋଚ ତିଆରିକରି ନିଜ ହାତରେ ରାନ୍ଧି ମଦ ପିଉଛି। କୋଉଦିନ ପୋଲିସ ଧରିଲେ ବହୁତ ମାରିବ। ଖୋଲିଲେ ସିଏ ତା’ କାମକୁ ପଳେଇବ, ରାସ୍ତାକାମରେ ରୋଲର୍‌ଗାଡି ଚଲାଏ। ମାସକୁ ବାରହଜାର ଟଙ୍କା ଦରମା ପାଏ ଯେ ତା’ପଇସା ତାକୁ ନିଅଣ୍ଟ। ମାଛମାଂସ, ପିଆପିଇରେ ସବୁ ଉଡେଇଦିଏ। ବେଳେବେଳେ ମୋ ପାଖରୁ ଟଙ୍କା ମାଗିନେଇ ମଦ ପିଏ। ତାଲାବନ୍ଦୀ ହେବାଦିନରୁ ଘରେରହିଲା ପରେ ମୋ ଉପରକୁ ଛଅଥର ହାତ ଉଠେଇ ସାରିଲାଣି। କିଛି କାରଣ ନାହିଁ। ବେଳେବେଳେ ତିଅଣ କାହିଁକି ରାଗ କଲିନି ବୋଲି ମାରିଲା ଦି’ଚାପୁଡା ଯେ ମୋ ବାଁଗାଲ ଫୁଲିଗଲା। ଆଉଥରେ ଖାଇବା ବାଢୁବାଢୁ ଟିକେ ଡେରି ହେବାରୁ ବିଧାଗୋଇଠା ଥୋଇ ଦେଇ, ରାଗ ତମତମ ହୋଇ ବାହାରକୁ ଚାଲିଗଲା। ସନ୍ଧ୍ୟାକୁ ପିଇପାଇ କୋଉଠୁ ଝୁଲିଝୁଲି ଆସିଲା। ସିଏ ଘରୁ ଚାଲିଗଲେ ମୋର ଶାନ୍ତି। ଏ ସବୁ କଥାଶୁଣି ସରକାରଙ୍କୁ ଅଶେଷ ଧନ୍ୟବାଦ ଯେ ଘରୋଇହିଂସା ପରି ବିଷୟପ୍ରତି ଆମ ପ୍ରଶାସନ ପ୍ରଥମରୁ ସମ୍ବେଦନଶୀଳତାର ସହ ଧ୍ୟାନ ରଖିଛି ଏବଂ ତାଲାବନ୍ଦୀରେ ଏହି ମାରାମତ୍କ ସାମାଜିକ ବ୍ୟାଧି ଘରୋଇ ହିଂସାକୁ ସମ୍ପୂର୍ଣ୍ଣରୂପେ ପ୍ରତିରୋଧ କରିବା ଲାଗି ଆଉରି କିଛି ପଦକ୍ଷେପ ନେବାପାଇଁ ଏହା ପ୍ରକୃଷ୍ଟ ସମୟ।

ଏଲ୍‌-୧୭/୧୫, ପଞ୍ଚସଖା ନଗର, ଡ଼ୁମୁଡ଼ୁମା, ଖଣ୍ଡଗିରି, ଭୁବନେଶ୍ୱର, ମୋ- ୯୪୩୯୧୨୮୦୫୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri