ଗୁଣିଗାରେଡ଼ିକୁ ରୋକିବା କେମିତି

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ କିଛିଦିନ ହେଲା ରାଜ୍ୟରେ ଗୁଣିଗାରେଡ଼ି ଓ ଡାହାଣୀ ଜନିତ ଅପରାଧର ଅନେକ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ ନଅ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ୩୫ ଜଣ ବ୍ୟକ୍ତି ଗୁଣି ବା ଡାହାଣୀ ସନ୍ଦେହରେ ହତ୍ୟାର ଶିକାର ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ୍‌ର ତଥ୍ୟ ଅନୁଯାୟୀ ୨୦୧୬ ମସିହାରେ ଏନେଇ ୮୩ଟି ମାମଲା ଦାୟର ହୋଇଥିବା ବେଳେ ୫୮ ଜଣ ହତ୍ୟାର ଶିକାର ହୋଇଛନ୍ତି। ୨୦୧୭ ମସିହାରେ ୯୯ଟି ମାମଲା ରୁଜୁ ହୋଇଥିବା ବେଳେ ୩୬ ଜଣ ହତ୍ୟାର ଶିକାର ହୋଇଛନ୍ତି। ସେହିଭଳି ୨୦୧୮ରେ ୩୯ଜଣ ହତ୍ୟାର ଶିକାର ହୋଇଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ୩୫ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ନବରଙ୍ଗପୁର ପରି ଆଦିବାସୀବହୁଳ ଜିଲା ଏ କ୍ଷେତ୍ରରେ ସର୍ବାଗ୍ରେ ଥିବା ବେଳେ ଉପକୂଳ ଜିଲା ଭାବେ ପରିଚିତ ଗଞ୍ଜାମ ଜିଲା ବି ଏ କ୍ଷେତ୍ରରେ ପଛରେ ନାହିଁ। ରାଜ୍ୟର କିଛି ଆଦିବାସୀ ବହୁଳ ଜିଲାରେ ଦାୟର ହେଉଥିବା ମୋଟ ମାମଲାର ପ୍ରାୟ ୩୦% ହେଉଛି ଗୁଣିଗାରେଡ଼ି ଓ ଡାହାଣୀଜନିତ। ତେବେ ଅନେକ କାରଣରୁ ବହୁ ମାମଲା ଥାନାକୁ ଆସୁନାହିଁ ବା ଥାନାରେ ରୁଜୁ ନ ହୋଇ ଚାପି ଦିଆଯାଉଛି।
ଗୁଣିଗାରେଡ଼ି କିମ୍ବା ଡାହାଣୀର ଧାରଣା ଅନ୍ଧବିଶ୍ୱାସ ଏବଂ ଅବୈଜ୍ଞାନିକତା ଉପରେ ଆଧାରିତ। ଯଦିଓ ଗାଁଗହଳରେ ଏବଂ ଅଶିକ୍ଷିତ ଲୋକଙ୍କ ଭିତରେ ଏହା ଅଧିକ ମାତ୍ରାରେ ରହିଛି, ତଥାପି ଅନେକ ସହର ବାସିନ୍ଦା ଏବଂ ଶିକ୍ଷିତ ଲୋକେ ବି ଏହାର ପ୍ରଭାବରୁ ମୁକ୍ତ ନୁହନ୍ତି। ଗାଁରେ ସାଧାରଣତଃ କୌଣସି ବ୍ୟକ୍ତି କିମ୍ବା କିଛି ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ, ଗୁରୁତର ରୋଗବ୍ୟାଧିର ଶିକାର ହେବା, ଘରର କୌଣସି ସଦସ୍ୟ ବିଶେଷକରି ମହିଳାମାନଙ୍କ ମାନସିକ ବିକାର ଅଥବା ଅସ୍ବାଭାବିକ ବ୍ୟବହାର ଦେଖାଗଲେ ଗୁଣିଗାରେଡ଼ି ହୋଇଥିବା ସନ୍ଦେହ କରାଯାଏ। ତା’ପରେ ଓଝାକୁ ଆଣି ପୂଜାପାଠ କିମ୍ବା ଖଟବିଦ୍ୟା ଜରିଆରେ ଡାହାଣୀ ବା ଗୁଣିଆକୁ ଚିହ୍ନଟ କରିବା ପରେ ଗାଁ ଲୋକେ ତଥାକଥିତ ଗୁଣିଆ ବା ଡାହାଣୀକୁ ଧରି ଦଣ୍ଡ ଦେଇଥାନ୍ତି। ଦୋଷୀ ବ୍ୟକ୍ତିକୁ ମୋଟା ଅଙ୍କର ଜରିମାନା, ଜମିଜମାରୁ ବଞ୍ଚତ୍ତ କରିବା, ସାମାଜିକ ବାସନ୍ଦଠାରୁ ଆରମ୍ଭକରି ମାଡ଼ଦେବା, ମୁଣ୍ଡ ଲଣ୍ଡା କରିବା, ମହିଳା ହୋଇଥିଲେ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲେଇବା, ବଳପୂର୍ବକ ଦାନ୍ତ ଭାଙ୍ଗିବା, ଦଶ ଜୀବର ବିଷ୍ଠାକୁ ମିଶାଇ ଖୁଆଇବା ଆଦି ଦଣ୍ଡ ଦିଆଯାଏ, ଏପରିକି ବଳାତ୍କାର ଓ ହତ୍ୟା କରିବା ପରି ବର୍ବର ଦଣ୍ଡ ଦେବାକୁ ବି ଉତ୍ତ୍ୟକ୍ତ ଲୋକେ ପଛେଇ ନ ଥାନ୍ତି।
ସମାଜରେ ଗୁଣିଗାରେଡ଼ି ଓ ଡାହାଣୀ ପ୍ରଥା ଅବ୍ୟାହତ ରହିବା ପଛରେ ଲୋକଙ୍କ ଖରାପ ଆର୍ଥିକ ସ୍ଥିତି ବ୍ୟତୀତ ପ୍ରମୁଖ କାରଣ ହେଉଛି ଶିକ୍ଷା, ବୈଜ୍ଞାନିକ ମନୋଭାବ, ଉପଯୁକ୍ତ ସ୍ବାସ୍ଥ୍ୟସେବା, ଅପରାଧର ପ୍ରତିକାର ପାଇଁ ଠିକ୍‌ ଆଇନ ଓ ତା’ର ଉପଯୁକ୍ତ କାର୍ଯ୍ୟକାରିତା ଆଦିର ଅଭାବ। ଯେହେତୁ ଆମ ସମାଜରେ ବିଶେଷକରି ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଆଜି ବି ଅଶିକ୍ଷିତ ଅଛନ୍ତି, ତେଣୁ ବୈଜ୍ଞାନିକ ଶିକ୍ଷାର ଅଭାବରୁ ଗୁଣିଗାରେଡ଼ି, ଡାହାଣୀ ଆଦି ଅନ୍ଧବିଶ୍ୱାସରୁ ସେମାନେ ମୁକ୍ତ ହୋଇପାରିନାହାନ୍ତି।
ଆମ ସମ୍ବିଧାନରେ ବୈଜ୍ଞାନିକ ମନୋଭାବକୁ ବଢ଼େଇବା ପାଇଁ ରାଷ୍ଟ୍ର ଉଦ୍ୟମ କରିବ ବୋଲି କୁହାଯାଇଥିବା ବେଳେ ସରକାରୀ କାମରେ କିନ୍ତୁ ତା’ର ପ୍ରତିଫଳନ ଦେଖାଯାଏନି। ଶାସନର ଶୀର୍ଷ ପଦବୀରେ ଥିବା ନେତା ଓ ପ୍ରଶାସକମାନେ ନିଜେ ବିଭିନ୍ନ ଅନ୍ଧବିଶ୍ୱାସରେ ବୁଡ଼ି ରହିବା ସହିତ ପ୍ରତିଦିନ ତାକୁ ବଢ଼ାଇଲା ଭଳି ଆଚରଣମାନ କରି ଚାଲିବା ଦେଖିବାକୁ ମିଳୁଛି। ସରକାର ପ୍ରାଥମିକ ସ୍ତରରୁ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ସ୍କୁଲ ପାଠ୍ୟ ପୁସ୍ତକରେ ଗୁଣିଗାରେଡ଼ି, ଭୂତପ୍ରେତ, ଡାହାଣୀ, ନରବଳି ଆଦି ଅନ୍ଧବିଶ୍ୱାସ ବିରୋଧରେ ଲେଖା ଏବଂ ତା’ ବିରୋଧରେ ସଂଗ୍ରାମ କରିଥିବା ସଂସ୍କାରକମାନଙ୍କ ଜୀବନୀ ଓ କାମକୁ ସ୍ଥାନ ଦେବା ଦରକାର। ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ଏ ନେଇ ଗାଁ ଗହଳିରେ ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ଦରକାର। ଚଳଚ୍ଚିତ୍ର ଓ ମିଡ଼ିଆରେ ବି ଏଭଳି ଅନ୍ଧବିଶ୍ୱାସକୁ ବଢ଼ାଉଥିବା କାର୍ଯ୍ୟକ୍ରମ ପାଇଁ କଟକଣା ଜାରି ହେବା ଉଚିତ।
ଗୁଣିଗାରେଡ଼ିକୁ ପ୍ରତିହତ କରିବାରେ ଆଉ ଏକ ବଳିଷ୍ଠ ଉପାୟ ହେଉଛି ଆଇନଗତ ପଦକ୍ଷେପ। ବିଭିନ୍ନ ମାନବିକ ଅଧିକାର ତଥା ହେତୁବାଦୀ ସଙ୍ଗଠନର ଲଗାତର ଦାବି ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଫଳରେ ୨୦୧୩ ମସିହାରେ ଓଡ଼ିଶା ସରକାର Odisha Prevention of Witch-Hunting (OPWH) Act ନାମରେ ଏକ ଆଇନ ତିଆରି କରିଛନ୍ତି। ରାଜ୍ୟରେ ଗୁଣିଗାରେଡ଼ି ସଂକ୍ରାନ୍ତ ଅପରାଧର ପ୍ରକୃତ ସ୍ଥିତି ତଥା ଅନ୍ୟ ରାଜ୍ୟଗୁଡ଼ିକ କରିଥିବା ଆଇନର ଅଧ୍ୟୟନ ନ କରି ତରବରିଆ ଭାବେ ପ୍ରସ୍ତୁତ ଏହି ଆଇନଟି ଅତ୍ୟନ୍ତ ଦୁର୍ବଳ, ସଙ୍କୀର୍ଣ୍ଣ ହେବା ସହ ରାଜ୍ୟରେ ଗୁଣିଗାରେଡ଼ି ଜନିତ ଅପରାଧକୁ ରୋକିବାରେ ପ୍ରଭାବହୀନ ମନେ ହେଉଛି।
ଏହି ଆଇନରେ ଉଭୟ ଗୁଣୀ ଓ ଡାହାଣୀ ସନ୍ଦେହରେ ଆକ୍ରମଣର ଶିକାର ହେଉଥିବା ଲୋକଙ୍କୁ ପୀଡ଼ିତ ବୋଲି କହିବା ପରିବର୍ତ୍ତେ କେବଳ ଡାହାଣୀ ସନ୍ଦେହରେ ହିଂସାର ଶିକାର ମହିଳାକୁ ହିଁ ପୀଡ଼ିତା ବୋଲି କୁହାଯାଉଛି। କିନ୍ତୁ ଓଡ଼ିଶାର ଅନେକ ଅଞ୍ଚଳରେ ବିଶେଷ କରି ଦକ୍ଷିଣାଞ୍ଚଳରେ ଡାହାଣୀ ନୁହେଁ, ଗୁଣିଗାରେଡ଼ି ପ୍ରଥାର ପ୍ରଚଳନ ରହିଛି ଏବଂ ଗୁଣିଆ ସନ୍ଦେହରେ ପୁରୁଷ ଲୋକେ ହିଁ ଏଭଳି ହିଂସାର ଶିକାର ହୋଇଥାନ୍ତି। ଅତଏବ ଆଇନରେ ରହିଥିବା ଏହି ଗୁରୁତର ତ୍ରୁଟି ଲାଗି ଜଣେ ପୁରୁଷ ଲୋକ ଗୁଣିଆ ସନ୍ଦେହରେ ହିଂସାର ଶିକାର ହେଲେ ସେ ଆଇନର ପରିସରଭୁକ୍ତ ହେଉନି। ଫଳରେ ଅନେକ ମାମଲାରେ ଏହି ଆଇନର ବ୍ୟବହାର କରାଯାଇପାରୁନି ଏବଂ ଯେଉଁଠି ବ୍ୟବହାର କରାଯାଉଛି ସେଥିରେ ଅପରାଧୀମାନେ ଏହି ଦୁର୍ବଳତାର ସୁଯୋଗ ନେଇ ସହଜରେ ଖସି ଯାଉଛନ୍ତି।
ଆଇନରେ ଗୁଣିଆ ବା ଓଝା ଦ୍ୱାରା ଗୁଣୀ ଓ ଡାହାଣୀ ବୋଲି କୌଣସି ବ୍ୟକ୍ତିକୁ ଚିହ୍ନଟ କରିବା, ଅପମାନିତ କରିବା, ଧମକ ଦେବା, ସାମାଜିକ ବାସନ୍ଦ କରିବା, ଲଣ୍ଡା କିମ୍ବା ଲଙ୍ଗଳା କରି ବୁଲାଇବା, ବଳପୂର୍ବକ ଅସନା ଖୁଆଇବା ଆଦିକୁ ଅପରାଧ ପରିସରଭୁକ୍ତ କରାଯାଇନି। ଏପରିକି ଜଣକୁ ଗୁଣିଆ କିମ୍ବା ଡାହାଣୀ ଭାବେ ଚିହ୍ନଟ କରି ତା’ ଉପରେ ହିଂସା ପାଇଁ ସୁଯୋଗ ସୃଷ୍ଟି କରୁଥିବା ସମ୍ପୃକ୍ତ ଗୁଣିଆ କିମ୍ବା ଓଝାକୁ କିମ୍ବା ସମାଜରେ ଖୋଲାଖୋଲି ଭାବେ ଗୁଣିଆ ବୋଲି ପରିଚୟ ଦେଇ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ଆଇନ ପରିସରଭୁକ୍ତ କରାଯାଇନାହିଁ। ଗୁଣିଗାରେଡ଼ି ପ୍ରତି ନିଜର ଅନ୍ଧବିଶ୍ୱାସ କାରଣରୁ କିମ୍ବା ଏଭଳି ଅପରାଧରେ ସହଯୋଗ କରୁଥିବା ଅଧିକାରୀଙ୍କ ପାଇଁ ମଧ୍ୟ କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ। ଗାଁ କିମ୍ବା ସାହିରେ କାହାରି ଅସ୍ବାଭାବିକ ମୃତ୍ୟୁ ପାଇଁ ଗୁଣିଆର ଗୁଜବ ପ୍ରଚାର କରୁଥିବା ବ୍ୟକ୍ତି ଅପରାଧୀର ସଂଜ୍ଞା ଭିତରକୁ ବର୍ତ୍ତମାନର ଆଇନରେ ଆସୁନାହିଁ। ଗୁଣୀ କିମ୍ବା ଡାହାଣୀ ସନ୍ଦେହ ପାଇଁ ଜଣେ ଆତ୍ମହତ୍ୟା କରିବା, ଗାଁ ଛାଡ଼ି ଚାଲିଯିବା କିମ୍ବା ତା’ର ସମ୍ପତ୍ତି ଉପରେ କବ୍ଜା କରିବା ସମ୍ପର୍କରେ ଆଇନ ସମ୍ପୂର୍ଣ୍ଣ ନୀରବ ରହିଛି।
ଆଇନରେ ଯଦିଓ ଅପରାଧ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି କିନ୍ତୁ ଗୁଣିଗାରେଡ଼ି କିମ୍ବା ଡାହାଣୀ ଜନିତ ହିଂସାରେ ପୀଡ଼ିତ ବ୍ୟକ୍ତିର ଥଇଥାନ କିମ୍ବା କ୍ଷତିପୂରଣ ପାଇଁ କୌଣସି ସନ୍ତୋଷଜନକ ବ୍ୟବସ୍ଥା ନାହିଁ। କେବଳ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ତା’ ଉପରେ ଯେଉଁ ହଜାରେ ଟଙ୍କାର ଜରିମାନା ପଡ଼ିବ ସେଥିରୁ ପୀଡ଼ିତ ବ୍ୟକ୍ତିକୁ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି। ଅପରାଧର ଶିକାର ହୋଇ ନିଜର ସର୍ବସ୍ବ ହରାଉଥିବା ସାଧାରଣ ଲୋକଟିଏ ପାଇଁ ଅପରାଧ ଘଟିବାର କେତେ ବର୍ଷ ପରେ ମାତ୍ର ହଜାରେ ଟଙ୍କାର କ୍ଷତିପୂରଣ ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ। ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେଇ ନିଜର ରାଜନୈତିକ ଇଚ୍ଛାଶକ୍ତି ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।
ମୋ-୯୪୩୭୧୬୬୩୯୧,
bhalachandra.odisha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚାପରେ ଶିକ୍ଷା ଓ ଶୈଶବ

ଦ୍ୱିତୀ ଚନ୍ଦ୍ର ସାହୁ ‘ଦାଦା! ଯାହା ସବୁ ପଢିଥିଲି, ସେ ସବୁ ଏବେ କାଟିଦେଲେ। ପ୍ରାୟ ସବୁ ୟୁନିଟ୍‌ର ପାଠ କଟିଗଲା। ମୁଣ୍ଡ ଟେନ୍‌ସନ ହୋଇଗଲା...

ଏଇ ଭାରତରେ

ଦେବତାଙ୍କ ନାଁରେ ଅଭିଯୋଗ ହୋଇଛି। ସେ ଏବେ ନଜରବନ୍ଦୀରେ । ଏମିତି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର କୁଲୁ ଦଶହରାରେ। କୁଲୁ ପ୍ରଶାସନ ବିଧିବଦ୍ଧ...

ଅଧିକାର ଫେରାଇଆଣ

ଆକାର ପଟେଲ ଚଳିତ ମାସରେ ଆମେ ଗଣତନ୍ତ୍ର ଦିବସ ପାଳନ କରିବା, ଯାହା ସ୍ବାଧୀନତା ଦିବସଠାରୁ ଭିନ୍ନ। ଏହି ଦୁଇ ଦିବସ ମଧ୍ୟରେ ଥିବା ପାର୍ଥକ୍ୟ...

ପରମାତ୍ମାଙ୍କ ଅବତରଣ

ଭୁଜେନ୍ଦ୍ର କୁମାର ସ୍ବାଇଁ ପରଂବ୍ରହ୍ମଙ୍କ ଶରୀର ଧାରଣକୁ ଅବତାର କୁହାଯାଏ। କଳିଯୁଗରେ ପରମାତ୍ମା ବୁଦ୍ଧ ରୂପରେ ଓ କଳିଯୁଗର ଶେଷ ଭାଗ ଏବଂ ପରବର୍ତ୍ତୀ ଯୁଗର...

କଲେଜ ହତାରେ ପ୍ରାଣୀଙ୍କ ଯତ୍ନ

ମାନେକା ଗାନ୍ଧୀ ପଟିଆଲାର ଥାପର ଇନ୍‌ଷ୍ଟିଚ୍ୟୁଟ ଆଣ୍ଡ୍‌ ଟେକ୍‌ନୋଲୋଜି ଏବଂ ପଟିଆଲା କଲେଜର କ୍ୟାମ୍ପସ ବା ହତାରେ ଅନୁଷ୍କା, ଅଭିଷେକ, ସାର୍ଥକ ଏବଂ ଗର୍ବିତା ପ୍ରାଣୀ...

ଏଇ ଭାରତରେ

ଏମିତି ସ୍କୁଲ୍‌ ଅଛି ଯେଉଁଠି ପିଲା ପଢୁଛନ୍ତି, ତା’ ସହ ଚାଷ ବି କରୁଛନ୍ତି। ମାତାପିତା ବି ପରୀକ୍ଷା ଦେଉଛନ୍ତି। କେରଳର ଆଲାପ୍ପୁଝା ଜିଲା ଅନ୍ତର୍ଗତ...

ଆସିବ ସାମୁଦ୍ରିକ ପ୍ରଳୟ

ଶେଖ୍‌ ଫରିଦ୍‌ଉଦ୍ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଜନିତ ବିବିଧ ସମସ୍ୟା ମଣିଷ ପାଇଁ ଉଦ୍‌ବେଗର କାରଣ ହେଲାଣି। ଶିଳ୍ପ, କଳକାରଖାନା ଓ...

ନୀତି ମଡେଲକୁ ସାବଧାନ

ଡାନି ରୋଡ୍ରିକ ନବଉଦାରବାଦ ଶେଷ ହୋଇଯାଇଛି କିମ୍ବା ସମ୍ଭବତଃ ଏହା ଅଧିକ ସକ୍ରିୟ ରହିଛି। ତେବେ ସାମ୍ପ୍ରତିକ ସମୟରେ ବିଶେଷଜ୍ଞମାନେ ଏହାର ଉଭୟ ଦିଗରୁ ମଧ୍ୟ...

Advertisement


Archives

Model This Week