କ୍ଷମତାରୁ ଗଲାପରେ

ଅକ୍ଷୟ କୁମାର ମିଶ୍ର

ସ୍ୱାଧୀନତା ପରେ ଆମ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହେଲା। ଲୋକେ ବାଛିଲେ କାହା ହାତରେ ଶାସନ ଡୋରି ଦେବେ। ପାଞ୍ଚବର୍ଷ ବ୍ୟବଧାନରେ ଥରେ ବାଛିବାର ଅଧିକାର ଦିଆଗଲା। ଏହି କ୍ଷମତା ହାତେଇବା ପାଇଁ କେତେ କୌଶଳ, କେତେ ଫନ୍ଦି ଫିକର। ସାଦା ସିଧା ଜୀବନଶୈଳୀ, ସମସ୍ତଙ୍କୁ ଆପଣେଇ ନେଲା ଭଳି ବ୍ୟବହାର ଓ କଥାବାର୍ତ୍ତା। ନ ଡାକିଲେ ବି ସାହାଯ୍ୟ କରିବାକୁ ହାଜର। କିନ୍ତୁ କ୍ଷମତାକୁ ଆସିବା ପରେ ଦେଖାଯାଉଛି ଅଧିକାଂଶ ଲୋକପ୍ରତିନିଧିଙ୍କ ଲୋକ ଚରିତ୍ର ବଦଳି ଯାଉଛି। କ୍ଷମତା ସେମାନଙ୍କୁ ଅନ୍ଧ କରିଦେଉଛି। ସେମାନେ ଆଉ ସେବ୍ୟ ବୋଲି ନିଜକୁ ନ ଭାବି ନିଜକୁ ଲୋକଙ୍କ ରକ୍ଷକ ବୋଲି ବାହାସ୍ଫୋଟ ମାରୁଛନ୍ତି। ଜୀବନଶୈଳୀ ବଦଳି ଯାଉଛି। ଆଚାର, ବିଚାର, ଚାଲି ଚଳନ, କଥାବାର୍ତ୍ତା, ଭାବଭଙ୍ଗୀ ସବୁଥିରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଆଭିଜାତ୍ୟର ଛାପ ବେଶ୍‌ ବାରି ହୋଇପଡ଼ୁଛି। ଲୋକେ କହୁଛନ୍ତି ଏହା କୁର୍ସୀର ଦୋଷ।
ଫାଟକ ସାମନାରେ ଝୁଲୁଛି ଗୋଟିଏ ବଡ଼ ଫଳକ – ‘କୁକୁର ପ୍ରତି ସାବଧାନ।’ ଦରୁୱାନ୍‌ ଜଗୁଛି ଗେଟ୍‌ ପାଖରେ। ପ୍ରଥମେ ସେ ଅଟକିବ। ‘ବାବୁ ଶୋଇଛନ୍ତି। ଉଠିଲେ ମୁଁ ପଚାରି ଛାଡ଼ିବି। ଅପେକ୍ଷା କର।’ ବ୍ୟସ୍ତ ହୋଇପଡ଼ିଲେ ଟିକିଏ କର୍କଶ ସ୍ବରରେ କହିବ -‘ଅନ୍ୟ କେଉଁଠି ଯଦି କାମ ଅଛି କାମ ସାରି ଆସ।’ ଦୁଇରୁ ତିନିଥର ନେହୁରା ହେଲେ ଚଢ଼ା ସ୍ବରରେ ଶୁଣାଇଦେବେ ‘ଧୈର୍ଯ୍ୟ ନାହିଁ ଯଦି ଚାଲିଯାଅ। ତୁମେ କ’ଣ ଏକା ଆସିଛ ? ଦେଖିପାରୁନ କେତେ ଲୋକ ଅପେକ୍ଷା କରିଛନ୍ତି ? ସେମାନେ ତୁମ ଆସିବାର ଢେର ପୂର୍ବରୁ ଆସିଛନ୍ତି।’ ଏହା ଭିତରେ ଜଣେ ଦୁଇ ଜଣଙ୍କୁ ଦରୁୱାନ୍‌ ସାଲୁଟ୍‌ ମାରି ଛାଡ଼ୁଥିବ। କିନ୍ତୁ ତୁମର ପୁରୁଣା ପରିଚୟ କିଛି କାମ ଦେବନି। ଅଭିଯୋଗ କଲେ କଥା ସରିଲା। ରାଗ ତମ ତମ ହୋଇ କହିବ ”ସେମାନେ ଆଉ ତୁମେ ? ସେମାନଙ୍କ ସହିତ ବାବୁଙ୍କର ସରକାରୀ ଆଲୋଚନା ଅଛି। କାହାକୁ କେତେବେଳେ କେମିତି ଛାଡ଼ିବାକୁ ହେବ ଉପରୁ ନିର୍ଦ୍ଦେଶ ଅଛି। ମୁଁ କାହାକୁ ମନକୁ ଛାଡ଼ୁଛି ନା କାହାକୁ ମନକୁ ଅଟକାଉଛି।“ ତା’ପରେ ଟିକିଏ ନରମି ଯାଇ କହିବ ”ଆଉ ଟିକିଏ ଅପେକ୍ଷା କର। ବାବୁ ଉଠିଲେଣି। ଏଥର ଗେଟ୍‌ ଖୋଲିଦେବି। ସମସ୍ତେ ଯାଇ ପ୍ରତୀକ୍ଷାଳୟରେ ବସିବ।“ କିଛି ସମୟପରେ ଏକ ବିକଟାଳ ଶବ୍ଦ କରି ଲୁହା ଫାଟକଟି ଖୋଲିଯିବ। ପ୍ରତୀକ୍ଷାଳୟକୁ ଯିବାକୁ ଅନୁମତି ସିନା ମିଳିବ ବାବୁଙ୍କ ଦର୍ଶନ ପାଇଁ ଆହୁରି କେତେ କ’ଣ କଟକଣା ଥିବ।
ଆଉ ଜଣେ ଲୋକ ଆସି କହିବ ”ଯେଉଁମାନେ ବାବୁଙ୍କ ସହିତ ଦେଖା କରିବାକୁ ଚାହୁଁଛନ୍ତି, କାଗଜରେ ନିଜର ନାମ, କେଉଁଠୁ ଆସିଛନ୍ତି ଲେଖିଦିଅନ୍ତୁ।“ ଏଇଟି ଦ୍ୱିତୀୟ ସୋପାନ। ଅନୁମତି ଆସିବା ପରେ ବାବୁ ଦର୍ଶନ ଦେଉଥିବା ଉଦ୍ଦିଷ୍ଟ କୋଠରି ସାମନାରେ ଠିଆ ହେବାକୁ ପଡ଼ିବ। କୋଠରି ଆଗରେ ଆଉ ଏକ ଫଳକ ଯେଉଁଥିରେ ବାବୁଙ୍କ ନାମ ଓ ପଦବୀ ଲେଖାଯାଇ ମରା ହୋଇଥିବ। କିନ୍ତୁ କବାଟ ଦେହରେ ଲେଖାଥିବ ‘ବିନା ଅନୁମତିରେ ଭିତରକୁ ପ୍ରବେଶ ନିଷେଧ।’ ଯାହାହେଉ ତୃତୀୟ ସୋପାନ ପାରିହେବା ପରେ ବାବୁଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିବ। ହେଲେ ବାବୁ ହୁଏତ କାହା ସହିତ ଫୋନ୍‌ରେ କଥା ହେଉଥିବେ। ଦର୍ଶନାଭିଳାଷୀ ଲୋକଟି ଯଦି ଭାବିବ ଭାଇ ଫୋନ୍‌ରେ କଥା ହେଉଛନ୍ତି, ସାରନ୍ତୁ, ମୋତେ ଚିହ୍ନିବେ, ମନର କଥା ଖୋଲି କହିବି। ତାହା ହେବ ନାହିଁ। ପାଖରେ ଛିଡ଼ା ହୋଇଥିବା ଲୋକଟି ଇସାରା ଦେଇ କହିବ ‘କୁହନ୍ତୁ, ସାର୍‌ ଶୁଣୁଛନ୍ତି।’ ବିଚରା ଲୋକଟିର ଆଉ ଚାରା କ’ଣ ? ବାବୁ ଶୁଣନ୍ତୁ ବା ନ ଶୁଣନ୍ତୁ କହିବାକୁ ବାଧ୍ୟ। ଫୋନ୍‌ ଛାଡ଼ିଲା ପରେ ବାବୁ କହିବେ ”ଯାହା କହୁଛ ଲେଖିକରି ମୋର ବ୍ୟକ୍ତିଗତ ସଚିବ ପାଖରେ ଦେଇଯାଅ, ମୁଁ ଦେଖିବି।“ ଏତିକି ବେଳକୁ ପାଖରେ ଠିଆ ହୋଇଥିବା ଲୋକଟି କହିବ ”ଚାଲ, ଚାଲ ଅନ୍ୟମାନେ ଆସିବେ। ତୁମର କାମ ହୋଇଗଲା ବୋଲି ଜାଣ।“
କଥାରେ ଅଛି ‘ଆଇନ ଆଖିରେ ସଭିଏଁ ସମାନ।’ କଥାଟିର ସତ୍ୟତା ଥାଉ ବା ନ ଥାଉ କ୍ଷମତା ପାଖରେ ସଭିଏ ସମାନ ଏବେ ଏହି କଥାଟିକୁ ମାନିନେବାକୁ ପଡ଼ିବ। ଭାଇ ବନ୍ଧୁ କୁଟୁମ୍ବ, ଚିହ୍ନା ପରିଚୟ ସବୁ ଅଚିହ୍ନା। ଏହି କ୍ଷମତାଧାରୀ ମଣିଷମାନଙ୍କ ମୁହଁରେ ଏକା ଧରଣର କଥା। ”ମୋର ସମୟ ନାହିଁ, ଲୋକେ ରଖେଇ ଦେଉ ନାହାନ୍ତି, ଏମିତି କି ଘରର କଥା ମଧ୍ୟ ମୁଁ ବୁଝିପାରୁ ନାହିଁ।“ କିନ୍ତୁ କ୍ଷମତାକୁ ବ୍ୟବହାର କରି ଯଦି କିଛି ହାତେଇବାର ଅଛି ତେବେ କଥାଟି ସମ୍ପୂର୍ଣ୍ଣ ବିପରୀତ। ଏହି କ୍ଷେତ୍ରରେ ଆପଣାର ଲୋକଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ।
କୌଣସି ଅଞ୍ଚଳକୁ ଯଦି ବାବୁ ଗସ୍ତ କରନ୍ତି କ୍ଷମତାର ଉଗ୍ର ରୂପଟି ବେଶ୍‌ ଜଳଜଳ ହୋଇ ଦିଶେ। ଆଗରେ ଗାଡ଼ି ପଛରେ ଗାଡ଼ି ମଝିରେ ଚାଲିବ ବାବୁଙ୍କ ଗାଡ଼ି। ଏମିତି ଅବସ୍ଥା ସୁରକ୍ଷାର ବଳୟ ଭେଦକରି ପିମ୍ପୁଡ଼ିଟିଏ ମଧ୍ୟ ଭିତରକୁ ପ୍ରବେଶ କରିପାରିବ ନାହିଁ। ଆଉ ଧୂଳି ଧୂଆଁ ଉଡ଼େଇ ବାବୁଙ୍କ ଗାଡ଼ି ଯେତେବେଳେ ଛୁଟିବ ଆଗକୁ ଦୁଇ ତିନି କିଲୋମିଟର ରାସ୍ତା ପୂରା ଫାଙ୍କା ରଖାଯିବ। ନିୟମରେ ଅଛି ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିଲେ ଦଶ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଅଧିକାଂଶ କ୍ଷେତ୍ରରେ ଏହି ନିୟମ ଖୋଲାଖୋଲି ଉଲ୍ଲଂଘନ ହୁଏ। କ୍ଷମତାର ଅପବ୍ୟବହାରର ଏହା ଏକ ଛୋଟିଆ ଉଦାହରଣ। ସମସ୍ତ ସରକାରୀ କାର୍ଯ୍ୟାଳୟ, ଥାନା, କଚେରି ସବୁଠି ସେମାନଙ୍କୁ ମିଳେ ସ୍ବତନ୍ତ୍ର ଚେୟାର। କାରଣ କ୍ଷମତାକୁ ଡର।
ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାର ଥିଲେ ଏହିପରି ଜଣେ ସମ୍ରାଟ, ଯିଏ ନିଜ ଶକ୍ତି ଓ କ୍ଷମତାକୁ ନେଇ ଏତେ ଉଲ୍ଲସିତ ହୋଇ ପଡ଼ିଥିଲେ ଯେ ଲୋକଙ୍କ ସମ୍ମୁଖରେ ନିଜକୁ ଦେବତା ବୋଲି ଘୋଷଣା କରିବାକୁ ପଛେଇ ନ ଥିଲେ। ଲୋକମାନେ ମଧ୍ୟ ନତଜାନୁ ହୋଇ ଏହାକୁ ଗ୍ରହଣ କରିନେଇଥିଲେ। କେବଳ ସ୍ପାର୍ଟା ନଗରର ଅଧିବାସୀମାନେ ସାମାନ୍ୟ ତୀର୍ଯ୍ୟକ୍‌ ସମାଲୋଚନା କରି କହିଥିଲେ ”ସିକନ୍ଦର ଯଦି ଦେବତା ହେବାକୁ ଇଚ୍ଛୁକ ତେବେ ହୁଅନ୍ତୁ। ପ୍ରତିବାଦ କରୁଛି କିଏ ?“ ଦୂତଙ୍କଠାରୁ ଏହା ଶୁଣି ସିକନ୍ଦର ସେଦିନ କ୍ରୋଧରେ ଗର୍ଜନ କରି କହିଥିଲେ, ”ଅସି ମୁନରେ ସେମାନଙ୍କୁ ବୁଝାଇଦେବି ଆଲେକ୍‌ଜାଣ୍ଡାର ମଣିଷ ନୁହେଁ ଦେବତା। ମୁଁ ଏହି ଅଳ୍ପ ଦିନରେ ଯାହା କରିଛି ସାଧାରଣ ମଣିଷ ପକ୍ଷରେ ଏହା ସମ୍ଭବ ନୁହେଁ।“ କିନ୍ତୁ କ’ଣ ହେଲା ? ରୋଗଶଯ୍ୟାରେ ପଡ଼ିଲା ପରେ କ୍ଷମତା ଯେତେବେଳେ ଅସାର ପାଲଟି ଗଲା, ମୃତ୍ୟୁ ଆସନ୍ନ ପ୍ରାୟ, ଚେତନା ଶକ୍ତି ଯେତେବେଳେ କ୍ଷୀଣରୁ କ୍ଷୀଣତର ସେତେବେଳେ ଦିଗ୍‌ବିଜୟୀ ବୀରଙ୍କ ଶେଷ ଅସ୍ପଷ୍ଟ ଇଚ୍ଛା: ଶବାଧାର ତଳକୁ ମୋର ଦୁଇଟି ହାତ ଝୁଲାଇ ରଖିବ। ସମସ୍ତେ ଦେଖିବେ, ସିକନ୍ଦର ଫେରି ଯାଉଛି ଶୂନ୍ୟ ହସ୍ତରେ।
ମଣିଷ ବୁଝିବା ଆବଶ୍ୟକ, କ୍ଷମତା କ୍ଷଣସ୍ଥାୟୀ। ଆଜି ଅଛି କାଲି ନାହିଁ। କ୍ଷମତା ଚାଲିଗଲା ପରେ ଲୋକମାନେ ମଧ୍ୟ ଦୂରେଇ ଯାଆନ୍ତି। ଯେଉଁ ଘରେ ରାତି ପାହିବା ବେଳକୁ ଶହ ଶହ ଲୋକଙ୍କ ଭିଡ଼ ଜମୁଥିଲା, କ୍ଷମତାରୁ ଚାଲିଗଲା ପରେ କେହି ଆସନ୍ତିନି। ଖଁା ଖଁା ଲାଗେ। କିଛି ଦିନ ଦରୁୱାନ୍‌ ଗେଟ୍‌ ପାଖରେ ବସି ଢୋଳାଏ। ତା’ପରେ ଅନାବଶ୍ୟକ ଭାବି ଛଟେଇ କରିଦେବାକୁ ପଡ଼େ। ସବୁ ଫଳକ ଆପଣାଛାଏଁ ଉଭେଇ ଯାଏ। ଯେଉଁମାନେ ପ୍ରଶଂସାରେ ପୋତି ପକାଉଥିଲେ ସେମାନେ ବିରୋଧରେ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଯେଉଁମାନେ କ୍ଷମତାକୁ ଉପଭୋଗ କରନ୍ତି ଏବଂ କ୍ଷମତାର ଦୁରୁପଯୋଗ କରନ୍ତି ସେମାନେ ଏହି ଦଶା ଭୋଗନ୍ତି। ଆଉ ଯାହା ପାଇଁ କ୍ଷମତା ଆସିବା ଓ ଚାଲିଯିବା ସମାନ କଥା ଏବଂ ଯିଏ କ୍ଷମତାର ସଦୁପଯୋଗ କରେ ତାକୁ ଏମିତି ଶୋଚନୀୟ ପରିସ୍ଥିତି ଭିତରକୁ ଯିବାକୁ ପଡ଼େ ନାହିଁ। ମନେରଖିବା ଉଚିତ କ୍ଷମତାର ଅପବ୍ୟବହାର ଦ୍ୱାରା ଧନ, ସମ୍ପତ୍ତି, ପ୍ରତିପତ୍ତି ଅର୍ଜନ କରାଯାଇପାରେ, କିନ୍ତୁ ନାମ, ଯଶ, ଖ୍ୟାତି ନୁହେଁ।
ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri