
ଆନନ୍ଦପୁର,୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରରେ ନୂତନ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛି। ଚଳିତ ୨୧୦୯-୨୦ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରଙ୍କର ନାମଲେଖା କରାଯାଇ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବାବେଳେ ସ୍ଥାନୀୟ ଅଭିଭାବକଙ୍କ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଛି। କେନ୍ଦ୍ରୀୟ ଓ ରାଜ୍ୟ ସରକାର ଚାକିରିଆ କୋଟା ସିଟ୍କୁ ବାଦ୍ ଦେଇ ଅବଶିଷ୍ଟ ସିଟ୍ ପାଇଁ ଲଟେରୀ ମାଧ୍ୟମରେ ଶ୍ରେଣୀ ଅନୁସାରେ ଛାତ୍ରୀଛାତ୍ର ଚୟନ କରାଯାଇଥିଲା। ତେବେ ଲଟେରୀରେ ହୋଇଥିବା ଚୟନ ପ୍ରକ୍ରିୟାକୁ ନେଇ ସ୍ଥାନୀୟ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଚୟନ ପ୍ରକ୍ରିୟାରେ ଚଞ୍ଚକତା କରିଥିବା ବହୁ ଅଭିଭାବକ ଅଭିଯୋଗ କରିଛନ୍ତି। ସେହିଭଳି ଭିତିରିଆ ଭାବେ କିଛି ପ୍ରଭାବଶାଳୀ ଅଭିଭାବକଙ୍କ ପିଲାମାନଙ୍କୁ ଚଳିତ ଶିକ୍ଷାବର୍ଷରେ ନାମ ଲେଖାଇବା ପାଇଁ ଭିତିରିଆ ଚକ୍ରାନ୍ତ କରାଯାଉଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଆନନ୍ଦପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକମାନେ ଏହାକୁ କିପରି ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ ସେନେଇ ବହୁ ଉଦ୍ୟମ କରିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପେକ୍ଷା କରିଥିବା କୁହାଯାଉଛି। ତେବେ ଚୟନ ପ୍ରକ୍ରିୟା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଗାଇଡଲାଇନ୍ ଅନୁଯାୟୀ ହେଉଥିବା ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଏସ୍କେ ସେଠୀ କହିଛନ୍ତି।