କଳ୍‌କୀ ଭୂମିକାରେ ଭାରତୀୟ ଭୋଟର

ମାୟାଧର ନାୟକ
ଏବେ ସାରା ଭାରତରେ ଦଳମାନେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଦେଲେଣି। ଗଲା ଏପ୍ରିଲ ୧୧ରେ ପ୍ରଥମ ଦଫା କଳିଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଇମିତି ଦଫାକୁ ଦଫା ମେ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଶେଷରେ ମେ ୨୩ରେ ଫଳାଫଳ ଘୋଷଣା ହେବ। ମହାଭାରତ ଯୁଦ୍ଧ ୧୮ ଦିନ ଲାଗିଥିଲା। ରୁଷ ବିପ୍ଳବ ୧୦ଦିନରେ ଶେଷ ହୋଇଥିଲା। ୨୦୧୯ କଳିଯୁଦ୍ଧ ବର୍ଷବର୍ଷ ଧରି ଲାଗିରହିଛି। ଧର୍ମକୁ ଆଖିଠାରି ମିଛଟାରେ ନିର୍ବାଚନୀ ପାଲା ଚାଲିଛି। ଏ ପାଲା ଦେଢମାସ ଚାଲିବ।
ଆଜି ଏ ଦେଶର ବର୍ତ୍ତମାନଟା କି ବିକୃତ, କି ବୀଭତ୍ସ! ବିଶାଳ ବିରୋଧାଭାସର ବିଚିତ୍ର ଏ ଦେଶ, ଯାହାକୁ ଆମେ ଭାରତବର୍ଷ କହିଲେ ଉପହାସ କରିବ ଇତିହାସ- ଲଜ୍ଜା ଓ ସଂକୋଚରେ ମୁହଁ ଘୋଡାଇବେ ଆମ ପୂର୍ବପୁରୁଷ। ଏଠି ନପୁଂସକ ନାୟକହୀନ ରାଜନୀତି ଉକତ୍ଟ ଉପଦଂଶ ପରି ଆକ୍ରାନ୍ତ କରିସାରିଛି ଆମର ଏହି ଦୁର୍ଭାଗା ଦେଶକୁ। ବର୍ତ୍ତମାନର ରାଜନୀତି କ୍ଷେତ୍ରରେ ଶୋଷକ ହିଁ ସାଜିଛନ୍ତି ଶାସକ ଶ୍ରେଣୀ। ଦୁର୍ବୃତ୍ତମାନେ ହିଁ ପାଲଟିଛନ୍ତି ଦ୍ୱାରପାଳ! ମାଫିଆ ହୋଇଛି ମୁଖିଆ- ଗୁଣ୍ଡା ବନିଛି ମୁଣ୍ଡିଆଳ- ମେଣ୍ଢା ପାଲଟିଛି ଭେଣ୍ଡା- ଗବ୍ବର ହୋଇଛି ମାତବର୍‌- ଜିରୋ ହୋଇଛି ହିରୋ।
ଶାସକମାନଙ୍କ ଆଖିରେ କୁମ୍ଭୀରର ଅଶ୍ରୁଳ ବିଜ୍ଞପ୍ତି ଦେଖି ଭୁଆଁ ବୁଲୁଛି ଭାରତୀୟ ଜନତା। ସ୍ବର୍ଣ୍ଣକଙ୍କଣଧାରୀ କ୍ଷୁଧିତ ବ୍ୟାଘ୍ରର ବାହ୍ୟ ବୈରାଗ୍ୟରେ ପ୍ରତାରିତ ହେଉଛି ଆଜିର ପ୍ରଲୁବ୍‌ଧ ଯୁବସମାଜ। ଚଞ୍ଚକ ରାଜନୀତି ଚଳୁ କରିବାକୁ ବସିଛି ସାରାଦେଶକୁ। ରାଜନୈତିକ ଦୁର୍ନୀତି ଓ ଭ୍ରଷ୍ଟାଚାର ସହିତ ଅର୍ଥନୈତିକ ଶୋଷଣର ଗଢିଉଠିଛି ଖୋଲାଖୋଲି ସମ୍ପର୍କ। ଭିନ୍ନ ଭିନ୍ନ ନାଁ ଓ ଦଳ ଦଖଲ କରିନେଇଛନ୍ତି ଭିନ୍ନ ଭିନ୍ନ କିଆରି। ଜନସ୍ବାର୍ଥ ନୁହେଁ- ଆମତ୍ସ୍ବାର୍ଥ ଓ ନ୍ୟସ୍ତସ୍ବାର୍ଥ ହିଁ ଆଜି ଏକମାତ୍ର ଆଭିମୁଖ୍ୟ। ସେଥିପାଇଁ ଆଜି ନେତାମୁଣ୍ଡରେ ଟୋପି, ଜନତା ମଥାରେ ଥୋପି! ନେତାର ଚାଲିଛି- ବିଧାନସଭା, ରାଜ୍ୟସଭା, ଲୋକ ସଭା- ଜନତାର କେବଳ ଶୋକସଭା।
ଆଜିର ରାଜନୀତି ରୁଗ୍‌ଣ, ଅର୍ଥନୀତି ଋଣୀ, ଧର୍ମ ଧୂସର। ଏହି ଅବସ୍ଥା ଏକ ଅରାଜକତା ଓ ଅତିଷ୍ଠ ଅବ୍ୟବସ୍ଥା ଛଡା ଆଉ କ’ଣ ହୋଇପାରେ? ଏହି ଅବାଞ୍ଛନୀୟ ଅବସ୍ଥାରୁ ହିଁ ଜନ୍ମନିଏ ଆତଙ୍କବାଦ, ଅନ୍ଧବିଶ୍ୱାସ, ଅନ୍ଧାକାନୁନ୍‌ର ବିଷାକ୍ତ ବାତାବରଣ। ବିଷମଞ୍ଜି ଆଜି ପାଲଟି ସାରିଛି ବିଶାଳ ବିଷବୃକ୍ଷ। ଏ ବୃକ୍ଷର ଫଳାହାର ଏକ ପ୍ରାତ୍ୟହିକ ପ୍ରାତଃରାସରେ ପରିଣତ ହୋଇଛି ଆମ ସମସ୍ତଙ୍କ ପକ୍ଷରେ। ଭାରତବର୍ଷର ପ୍ରତ୍ୟେକ ଗାଁ ଗୋଟିଏ ଭାତହାଣ୍ଡିର ଚାଉଳ। ସେଇ ସ୍ଥାଣୁତ୍ୱ, ସ୍ଥବିରତା ଓ ଶୀତଳଶୂନ୍ୟତା ସବୁଠି ସଞ୍ଚରିତ। ଏହା ନିଶ୍ଚିତପକ୍ଷରେ ଯେକୌଣସି ରାଜନୈତିକ ଦଳ, ଯିଏ ଶାସନ ଓ କ୍ଷମତା ବଣ୍ଟୁଆରିର ମୁକୁଳା ମଇଦାନରେ ଜର୍ସି ପିନ୍ଧିବାକୁ ଆଗେଇଆସୁଛି- ତାହାପାଇଁ ମସ୍ତବଡ ଚ୍ୟାଲେଞ୍ଜ। ମାତ୍ର ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାର ଯୋଗ୍ୟତା ଆଜି କେତୋଟି ଦଳ ଭିତରେ ରହିଛି? ସ୍ବାଧୀନ ଭାରତବର୍ଷରେ ଅସଲ ଶାସକ ଦଳ ଏପର୍ଯ୍ୟନ୍ତ ଏକ ଉତ୍କଟ ପ୍ରଶ୍ନବାଚୀ। କୌଣସି ଦଳ ଗଣତାନ୍ତ୍ରିକ ମୂଲ୍ୟବୋଧର ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇପାରି ନାହିଁ। ଗୋଟାଏ ଶବ୍ଦ ଏକ ସବୁଠି ପ୍ରତିଧ୍ୱନିତ- ହାଇକମାଣ୍ଡ୍‌! ଏ ହାଇକମାଣ୍ଡ୍‌ମାନଙ୍କ ଛାଇରେ ନାହିକଟା ନାବାଳକ ଭାରତବର୍ଷର ଭବିଷ୍ୟତ ଆମ ରାଜନୀତିରେ ବଜାଇଚାଲିଛି ଏକ ଶିଶୁମୃତ୍ୟୁଭୟର ସତର୍କଘଣ୍ଟି!
ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାର ଗୋଟି ଚଳାଇବାକୁ ଛାଡିଦେଇ ଦେଶବାସୀ ଚୁପଚାପ୍‌ ବସିରହିବା ଆଦୌ ନିରାପଦ ନୁହେଁ। ପରିଚ୍ଛନ୍ନ ଭାବମୂର୍ତ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ଦେଶ ଓ ଜନଗଣଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସୁରକ୍ଷାକଳ୍ପେ ଯଦି ଏକ ସଂକଳ୍ପବଦ୍ଧ ସମ୍ମିଳିତ ରାଜନୈତିକ ମହାଶକ୍ତି ଠିଆହୋଇ ପାରନ୍ତା, ତା’ହେଲେ ଭାରତବର୍ଷ ପାଇଁ ପ୍ରସ୍ତୁତ ହୋଇପାରନ୍ତା ପ୍ରକୃତ ମୁକ୍ତିମାର୍ଗ। ଜନଗଣଙ୍କୁ ଅନ୍ଧକାରରେ ରଖି, ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ପଦାନତ କରି କୌଣସି ରାଜନୈତିକ ଦଳକୁ ଗଣତନ୍ତ୍ର ନାଁରେ ଗାଦିରେ ଠାକୁର କରାଇ ବସାଇଦେଉଥିବା ଯାଏ- ଆମେ କେବଳ ଏକ ସୁବିଧାବାଦର ସଡକରେ ମୋରମ୍‌ ବିଛେଇ ଚାଲୁଥିବା ମାତ୍ର। ଏବେ ନକାରାମତ୍କ ନେତୃତ୍ୱ ଅଧିକାଂଶ ରାଜନୈତିକ ଦଳର ସାଧାରଣ ବ୍ୟାଧି ଏବଂ ଏ ବ୍ୟାଧି ଉକତ୍ଟ ଭାବେ ସଂକ୍ରାମକ ହୋଇ ପୂରା ଦେଶଟାକୁ ଦଳର ଜଳଖିଆ ଥାଳିରେ ପରଷି ଦେବାପାଇଁ ପୂରା ତୟାର- ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଅଘଟଣ ଆଉ କ’ଣ ଥାଇପାରେ?
ଆଜି ମନ୍ଦିର-ମସ୍‌ଜିଦକୁ ନେଇ ଝଗଡା। ଧର୍ମ-ଅଧର୍ମକୁ ନେଇ ବିବାଦ। ସୀମା-ସନ୍ତ୍ରାସକୁ ନେଇ ତୁମ୍ବିତୋଫାନ। ରାଷ୍ଟ୍ର, ଧର୍ମ, ପତାକା, ଜାତୀୟତା ଇତ୍ୟାଦିକୁ ଆଳକରି ସାରା ପୃଥିବୀରେ ସମ୍ପ୍ରତି ପୁଞ୍ଜିବାଦ ତା’ର ଚକ୍ରାନ୍ତରେ ଚମକତ୍ାରିତା ପ୍ରଦର୍ଶନ କରିଚାଲିଛି। ମାଟିଠୁଁ ମଣିଷକୁ ଅଲଗା କରିଦିଆଯାଉଛି। ଲକ୍ଷ୍ୟଠୁ ଲୋଚନକୁ ଦୂରେଇ ରଖାଯାଉଛି। ସ୍ବପ୍ନଠୁ ସଂକଳ୍ପକୁ ହଟେଇ ନିଆଯାଉଛି। ସବୁସ୍ତରରେ ଲେଲିହାନ୍‌ ଲୋଳଜିହ୍ବା ବିସ୍ତାର କରିଚାଲିଛି ଅତିଷ୍ଠ ଅସନ୍ତୋଷର ଅଗ୍ନିଶିଖା। ଅଥଚ ଗଦିରେ ଘୁମେଇ ଗାଦିରେ ବସିଥିବା ଆଜିର ଶାସକ ଶ୍ରେଣୀ, ଖଟରେ ଶୋଇ ମଠରେ ମାମଲତି କରୁଥିବା ଯାଜକବୃନ୍ଦ, କୁର୍ସିରେ ବସି ଆର୍ଶି ଆଗରେ ଚେହେରା ନଚାଉଥିବା ଦୁର୍ନୀତିଗ୍ରସ୍ତ ପ୍ରଶାସକବର୍ଗ ସମକାଳୀନ ସମାଜର ଏ ଉକତ୍ଟ ଅସୁସ୍ଥତା ପ୍ରତି ଏକାନ୍ତ ଉଦାସୀନ।
ଆମେ କଂସେଇମାନଙ୍କୁ କରିଛୁ କର୍ଣ୍ଣଧାର। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଅଜବ ଗୋଟାଏ ଅଜଗରୀ ରାଜନୀତି ବିସ୍ତାର କରିସାରିଛି ତାହାର ଭୟଙ୍କର ଫଣା। ଜଘନ୍ୟ ଜନଜହ୍ଲାଦମାନଙ୍କ ପ୍ରଚଣ୍ଡ ଫୁତ୍‌କାର ଭିତରେ ମିଳେଇ ଯାଉଛି ପ୍ରବଞ୍ଚିତ ଜନଗଣଙ୍କ ଛିନ୍ନଭିନ୍ନ ଚିକତ୍ାର! ବାପ ଯାଉଛି ଦାଦନକୁ, ମା’ ଗୋଟୋଉଛି ଗୋବର, ପିଲା ବିକ୍ରି ହେଉଛି ବିଚ୍‌ ବଜାରରେ। ଦଳମାନେ ବାଣ୍ଟିଚାଲିଛନ୍ତି ଫମ୍ପା ପ୍ରତିଶ୍ରୁତିର ପାମ୍ପରା ପାମ୍ପଲେଟ୍‌। ହାଣମୁହଁକୁ ମୁହଁାଇ ଚାଲିଥିବା ଆମର ଏଇ ଯୁଗଯୁଗର ଐତିହ୍ୟମୟ ଦେଶ ଓ ସମାଜଜୀବନକୁ କ’ଣ ନିଶ୍ଚିହ୍ନ ହେବାପାଇଁ ଆମେ ଛାଡିଦେବା? ଗୋଟାଏ କୁରୁକ୍ଷେତ୍ରରେ ଦିନେ ମୂଳପୋଛ ହୋଇଯାଇଥିଲା ମହାଭାରତ। ଆଜି ଆମ ସାମ୍ନାରେ ସହସ୍ର କୁରୁକ୍ଷେତ୍ର, ଆମର ଏଇ ମହାନ୍‌ ଭାରତକୁ କ’ଣ ଆମେ ଆଜି ବଳି ପକେଇଦେବା ତା’ ଭିତରେ?
ଦେଶର ଭବିଷ୍ୟତ ନିର୍ଭର କରୁଛି ୨୦୧୯ ନିର୍ବାଚନ ଉପରେ। ଆଗକୁ ଭୟଙ୍କର ବିପଦ। ଯିଏ ଯାହା ପ୍ରତିଶ୍ରୁତି ଦେଉଛି, ସେସବୁ ଅବାନ୍ତର ପ୍ରତିଶ୍ରୁତିର ଉଚ୍ଚତା ଏଭରେଷ୍ଟକୁ ଟପିଗଲାଣି। ସ୍ବୟଂ ଭଗବାନ ଯଦି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀର ଦାୟିତ୍ୱ ନିଅନ୍ତି, ସେ ବି ଟଙ୍କାରେ ଅଣେ ପ୍ରତିଶ୍ରୁତି ପାଳନ କରିପାରିବେ କି ନାହିଁ ସନ୍ଦେହ! କାରଣ ଭାରତବର୍ଷର ଏହି ଭୟଙ୍କର ପୂତିଗନ୍ଧମୟ ସମାଜବ୍ୟବସ୍ଥାରେ ଯିଏ ଯାହା କହୁ ପଛକେ ମାଟି କାମୁଡ଼ି ପଡ଼ିରହିଥିବା ଏ ଭାରତୀୟ ମହାଜାତିର ଅସଲ ଇଚ୍ଛା କଦାପି ପୂରଣ କରିପାରିବେ ନାହିଁ। ଯାହା ବି କରାଯିବ ସବୁ ସେଇ ପୁଞ୍ଜିବାଦର ସ୍ବାର୍ଥରେ। ଦେଶର ପରିବର୍ତ୍ତନ, ଜନଗଣଙ୍କର ବିକାଶ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ମହାଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ପଡିବ। ଏ ନିର୍ବାଚନର ଭୋଟରମାନଙ୍କୁ କଳ୍‌କୀ ଅବତାରର ଭୂମିକା ନିର୍ବାହ କରିବାକୁ ହେବ। କୋଟିକୋଟି ଗରିବ ଚାଷୀ, ଶ୍ରମିକ, ଯୁବକ, ବିସ୍ଥାପିତ ନରନାରୀ, ନିରନ୍ନ ନିରୀହ ମଣିଷମାନଙ୍କୁ ଗଣତନ୍ତ୍ରର ହତିଆର ଭାବେ ବ୍ୟବହାର କରି ଏବେ ନୂତନ ପିଢ଼ିର ରଣନୀତିଜ୍ଞମାନଙ୍କୁ ଘୋଷଣା କରିବାକୁ ପଡ଼ିବ ଯେ ଦେଶଦ୍ରୋହୀମାନଙ୍କ ମୁଖାରେ ଶକ୍ତ ଆଘାତ ଦେବାର ସମୟ ଆସିଯାଇଛି। ସେ ଦେଶଦ୍ରୋହୀମାନଙ୍କୁ ଖୋଜିବାକୁ ହେଲେ ବିଦେଶ ଯିବାକୁ ପଡ଼ିବ ନାହିଁ- ଦୂର ସୀମାନ୍ତରେ ପାଦ ପକାଇବାର କ୍ଳେଶ ବରଣ କରିବାକୁ ହେବ ନାହିଁ। ସେମାନେ ଅଛନ୍ତି ଆମ ଆଗରେ-ପଛରେ-ଏକଡ଼-ସେକଡ଼-ଚାରିକଡ଼। ଏଇ ଦେଶ ଭିତରେ, ଆମ ଆଖିର ପରିଧିରେ, ନାକ ସାମ୍ନାରେ। ସେମାନଙ୍କ ସଂହାର ସକାଶେ ଭାରତୀୟ ଭୋଟର ଏବେ କଳ୍‌କୀର ଭୂମିକା ନେବା ଦରକାର।
ଯାଜପୁରରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri