ଓଡ଼ିଶାରେ ଶୈକ୍ଷିକ ଅସଙ୍ଗତି

ଡ. ସୁବାସ ଚନ୍ଦ୍ର ପାତ୍ର
ଓଡ଼ିଶାରେ ଶିକ୍ଷା ଓ ଶିକ୍ଷକ ବିପରୀତ ଦିଗକୁ ଗତି କଲା ଭଳି ଜଣାପଡ଼ନ୍ତି। ବ୍ୟବସ୍ଥା ପ୍ରଣୟନକର୍ତ୍ତା ଓ ରୂପାୟନକାରୀ ମଧ୍ୟରେ ସଂଯୋଗର ଅଭାବ ଓ ବିଶ୍ୱାସହୀନତା ଯୋଗୁ ବ୍ୟବସ୍ଥାକର୍ତ୍ତାମାନେ ଯେଉଁ ସ୍ବପ୍ନ ଦେଖାନ୍ତି ବାସ୍ତବ କ୍ଷେତ୍ରରେ ତାହା ରୂପାୟିତ ହୋଇପାରେ ନାହିଁ। ତା’ ଛଡ଼ା ଓଡ଼ିଶାରେ ଶିକ୍ଷାବିତ୍‌, ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ, ପୁରାତନ ଛାତ୍ରୀଛାତ୍ରଙ୍କର ଶିକ୍ଷାନୀତି ପ୍ରଣୟନରେ କିଛି ଭୂମିକା ନ ଥିବାରୁ ବ୍ୟବସ୍ଥା ସଜାଡ଼ିବାକୁ ବିଭାଗୀୟ ମୁଣ୍ଡିଆଳମାନଙ୍କୁ ଛାଡ଼ି ସ୍ବତଃପ୍ରବୃତ୍ତ ଭାବେ ଅନ୍ୟ କେହି ଆଗେଇ ଆସନ୍ତି ନାହିିଁ, ଯେଉଁଥିପାଇଁ ବିଭିନ୍ନ ଅବ୍ୟବସ୍ଥା ବର୍ଷ ବର୍ଷ ଚାଲେ। ତାହା ଠିକ୍‌ କି ଭୁଲ୍‌ କେହି ପାଟି ଫିଟାନ୍ତି ନାହିଁ। ଏ ପ୍ରକାର ଏକ ସାମୂହିକ ଉଦାସୀନତା ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ ପଙ୍ଗୁ କରି ତୋଳିଛି। ତିନୋଟି କ୍ଷେତ୍ରକୁ ଉଦାହରଣ ହିସାବରେ ନିଆଯାଇପାରେ।
ଆମେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାହି ଦେଉଥିଲା ବେଳେ ଶିକ୍ଷାନୀତି ଓ ଶୈକ୍ଷିକ ସଂରଚନା ବିଷୟରେ କେନ୍ଦ୍ର ସରକାରଙ୍କୁ ଅନୁସରଣ କରୁନାହଁୁ। ନବେ ଦଶକ ପରଠୁ କେନ୍ଦ୍ର ସରକାର ଶିକ୍ଷାବିଭାଗର ନାମ ପରିବର୍ତ୍ତନ କରି ମାନବ ସମ୍ବଳ ବିଭାଗ କଲେ କିନ୍ତୁ ପ୍ରଥମରୁ ଏହି ବିଭାଗ ନିମ୍ନ ପ୍ରାଥମିକଠୁ ଉଚ୍ଚତର କାରିଗରି ଶିକ୍ଷା (ଆଇଆଇଟି ଓ ଆଇଆଇଏମ୍‌ ଭଳି ସଂଭ୍ରାନ୍ତ ଅନୁଷ୍ଠାନ) ପର୍ଯ୍ୟନ୍ତ ଶିକ୍ଷା ପରିଚାଳନା ଦାୟିତ୍ୱ ବହନ କରୁଥିଲା ବେଳେ ଏଠି ସେହି କାର୍ଯ୍ୟଟି ୩ଟି ବିଭାଗ ମଧ୍ୟରେ ବଣ୍ଟା ହୋଇଛି। ସବୁଠୁ କୌତୂହଳର କଥା ଆଜିର ବିଜ୍ଞାନ ଓ କାରିଗରି ଯୁଗରେ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଭଲି ‘ବିଶେଷ କ୍ଷେତ୍ରୀୟ ଶିକ୍ଷା’ ଶିଳ୍ପ ବିଭାଗର ଲାଞ୍ଜ ହୋଇ ରହିଛି। ଶିଳ୍ପ ବିଭାଗ ଶିକ୍ଷା ବିଭାଗ ନୁହେଁ। ଏହା ଶିଳ୍ପ, କଳକାରଖାନା ପ୍ରତିଷ୍ଠା, ଧୂଳି ଧୂଆଁର ସମସ୍ୟା ବୁଝିବା ପରେ ଅବଶିଷ୍ଟ ସମୟରେ କ’ଣ କାରିଗରି ଶିକ୍ଷା କଥା ବୁଝିବ? ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ଓ କାରିଗରି ଶିକ୍ଷା ଓଡ଼ିଶାରେ ୩ଟି ଦ୍ୱୀପ ହୋଇ ରହୁଥିବାରୁ କାହାରି ସହିତ କାହାରି ସଂଯୋଗ ନାହିଁ। ଫଳରେ ପାଠ୍ୟକ୍ରମର ପୁନରାବୃତ୍ତି ହୁଏ। ୩ ବିଭାଗରେ ଉପଲବ୍ଧ ମାନବସମ୍ବଳର ସୁବିନିଯୋଗ ହୋଇପାରେ ନାହିଁ। କେନ୍ଦ୍ର ସରକାର ଭଳି ଗୋଟିଏ ବିଭାଗ ନିୟନ୍ତ୍ରଣ କରୁ ନ ଥିବାରୁ ପଢ଼ା ଯାଉଥିବା ବିଷୟଗୁଡ଼ିକ ଆନ୍ତଃବିଷୟକ ହୋଇପାରେ ନାହିଁ। ଉଦାହରଣ ସ୍ବରୂପ ମ୍ୟାନେଜମେଣ୍ଟ କୋର୍ସ, କମ୍ପ୍ୟୁଟର ବିଜ୍ଞାନ, ସୂଚନା ପ୍ରଯୁକ୍ତି ବିଜ୍ଞାନ ପାଠ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ପରିଚାଳନା କରୁଥିବାରୁ ଗୋଟିଏ ବିଭାଗ ନ ହେଲା ନାହିିଁ ଆପାତତଃ ତିନୋଟି ବିଭାଗର ଜଣେ କେନ୍ଦ୍ରୀୟ ସଞ୍ଚାଳକ ଥିଲେ ସେ ସବୁର ସମନ୍ବୟ କରିପାରନ୍ତେ। ଠିକ୍‌ ସେହିପରି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମଧ୍ୟରେ ସମନ୍ବୟ ରହିପାରନ୍ତା। ତେଣୁ କାରିଗରି ଶିକ୍ଷାକୁ ଶିଳ୍ପ ବିଭାଗରୁ ବାହାର କରି ଏକ ସ୍ବତନ୍ତ୍ର ବିଭାଗ କରାଯାଉ ଏବଂ ମୁଖ୍ୟ ସଚିବ ବା ଉନ୍ନୟନ କମିଶନ ସ୍ତରରେ ୩ଟି ବିଭାଗର ଜଣେ ଯୋଗସୂତ୍ରକାରୀ ଅଧିକାରୀ ରୁହନ୍ତୁ, ଯିଏ ଏ ତିନୋଟି ଶିକ୍ଷାକ୍ଷେତ୍ରର ସମନ୍ବୟ ଦାୟିତ୍ୱରେ ରହିବେ।
ବିଭାଗ ଅଲଗା ହେଲେ କେମିତି ଚିତ୍ର ବଦଳେ, ବିଚିତ୍ର ସ୍ଥିତି ଦେଖାଯାଏ ତାହାର ଉଦାହରଣ ହେଲା ଆଦର୍ଶ ବିଦ୍ୟାଳୟ ଓ ମଡେଲ ଡିଗ୍ରୀ କଲେଜର ସ୍ଥିତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଆଦର୍ଶ ବିଦ୍ୟାଳୟର ସ୍ବତନ୍ତ୍ର ଶୈଳୀରେ ନିର୍ମିତ ପରିଚୟ ସୃଷ୍ଟିକାରୀ କୋଠା ଏବଂ କ୍ୟାଡରଭୁକ୍ତ ଶିକ୍ଷକ ଥିଲାବେଳେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ମଡେଲ ଡିଗ୍ରୀ କଲେଜ କେଉଁ ଦୃଷ୍ଟିରୁ ‘ମଡେଲ’ ବୁଝି ହୁଏନାହିଁ। କ’ଣ ପାଇଁ ସେ ଅନୁଷ୍ଠାନଗୁଡ଼ିକ ଆଦର୍ଶ କୁହାଯିବ ତା’ର ଉତ୍ତର ଉଚ୍ଚଶିକ୍ଷା ବିଭାଗ ନିକଟରେ ନାହିଁ। ନା ତା’ର ଅଛି ଢାଞ୍ଚାଗତ ସ୍ବାତନ୍ତ୍ର୍ୟ ଯେଉଁଠି କିଛି ଆଦର୍ଶ ଶିକ୍ଷା ପ୍ରଦାନ କରାଯିବ ନା ସେଥିପାଇଁ ଅଛି ଚିହ୍ନିତ କ୍ୟାଡରଯୁକ୍ତ ଅଧ୍ୟାପକ। ବିଭିନ୍ନ କଲେଜରୁ କାର୍ଯ୍ୟରତ ଅଧ୍ୟାପକମାନଙ୍କୁ ସାଉଁଟି ତହିଁରେ ବିଞ୍ଚି ଦିଆଯାଇଛି। ପରିଣାମ ସ୍ବରୂପ ଶିକ୍ଷକ ମରୁଡ଼ି ଯୋଗୁ ପୂର୍ବ କଲେଜଗୁଡ଼ିକ ଯାହା ଯେମିତି ଚାଲୁଥିଲେ ବି ୮ଟି ମଡେଲ କଲେଜକୁ ଶିକ୍ଷକ ବାଣ୍ଟିଦେଲା ପରେ ସେ ଅନୁଷ୍ଠାନଗୁଡ଼ିକର ଶିକ୍ଷାଦାନ କ୍ଷେତ୍ର ଆହୁରି ଦୁର୍ବଳ ହୋଇଯାଇଛି। ତେଣୁ ଗଣଶିକ୍ଷା ବିଭାଗକୁ ଅନୁକରଣ କରି ମଡେଲ ଡିଗ୍ରୀ କଲେଜଗୁଡ଼ିକ ପ୍ରକୃତରେ ‘ମଡେଲ’ ହିସାବରେ ଗଢ଼ାଯାଉ ଏବଂ ସେଥିପାଇଁ ନିର୍ଦ୍ଦିଷ୍ଟ କ୍ୟାଡରର ଅଧ୍ୟାପକ ଚୟନ କରାଯାଉ, ଯେଉଁମାନେ ସେହି ଅନୁଷ୍ଠାନଗୁଡ଼ିକ ମଧ୍ୟରେ ବଦଳି ହେବେ ଏବଂ ‘ମଡେଲ’ ଶବ୍ଦର ଯଥାର୍ଥତା ପାଇଁ ସେମାନେ ଯେତେ ଉଚ୍ଚମାନର ହେବେ ସେତେ ଭଲ।
ତିନୋଟି ବିଭାଗ ମଧ୍ୟରେ ସମନ୍ବୟ ପାଇଁ କୌଣସି କେନ୍ଦ୍ରୀୟ ନୋଡାଲ ଅଧିକାରୀ ନ ଥିବାରୁ ପୁସ୍ତକ ପ୍ରଣୟନ ଓ ପାଠ୍ୟକ୍ରମ ଖସଡ଼ା କ୍ଷେତ୍ରରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ତାହାର ସବୁଠୁ ଜ୍ୱଳନ୍ତ ଉଦାହରଣ ‘କମ୍ୟୁନିକେଟିଭ ଇଂଲିଶ’କୁ ନେଇ ୩ଟି ସ୍ତରରେ ପୁସ୍ତକ ପ୍ରଚଳନ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ମହାବିଦ୍ୟାଳୟ ଓ ଶିଳ୍ପବିଭାଗ ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜରେ ଏହି ପାଠ୍ୟକ୍ରମ ରହିଛି। ଏଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ଉଚ୍ଚମାନର ପୁସ୍ତକ ଉପଲବ୍ଧ ଏବଂ ପାଠ୍ୟକ୍ରମ ମଧ୍ୟ ନିର୍ଦ୍ଧାରିତ। ଅଳ୍ପ ବହୁତେ ସେ ପ୍ରକାର ପାଠ ମଧ୍ୟ ଯୁକ୍ତ ଦୁଇ ସ୍ତରରେ ପ୍ରଚଳିତ। ଯଦି ତିନୋଟି ବିଭାଗ ମଧ୍ୟରେ ସମନ୍ବୟ ଥାନ୍ତା ଗୋଟିଏ ବା ଦୁଇଟି ଖଣ୍ଡରେ ସେ ପୁସ୍ତକ ପ୍ରଣୟନ କରାଯାନ୍ତା। ତାହା ଯୁକ୍ତ ୨ କଲେଜ, ଉଚ୍ଚଶିକ୍ଷା ଅଧୀନ ଡିଗ୍ରୀ କଲେଜ ବା ଇଞ୍ଜିନିୟରିଂ କଲେଜଗୁଡ଼ିକରେ ପଢ଼ାଯାଇପାରନ୍ତା। ଅବା ମୂଳରୁ ପ୍ରଣୟନ ନ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଭାରତର ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ ତରଫରୁ ପ୍ରକାଶିତ ପୁସ୍ତକକୁ ମଧ୍ୟ ଚୟନ କରାଯାଇପାରନ୍ତା। କିନ୍ତୁ ତା’ ହେଉ ନ ଥିବାରୁ ଏଠି ଖାଲି ପୁନରାବୃତ୍ତି। ଯୁକ୍ତ ଦୁଇ ସ୍ତରରେ ସେମିତି କିଛି ପାଠ ଯୁକ୍ତ ୩ରେ ପଢ଼ାଯାଉଛି ଏବଂ ଯାହା ବି ପଢ଼ାଯାଉଛି ତାହା ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁଯାୟୀ ହେଉନାହିିଁ। କୌତୂହଳର କଥା ଶିକ୍ଷାବିତ୍‌, ପାଠ୍ୟପୁସ୍ତକ ବିଶାରଦ, ଇଂଲିଶ ଶିକ୍ଷକମାନଙ୍କୁ ଅବାନ୍ତର ଏବଂ ଅପମାନିତ କରି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏହିପ୍ରକାର ଏକ ପୁସ୍ତକ ପ୍ରକାଶ କରିଛନ୍ତି ଯାହାକୁ ସମ୍ପାଦନା କରିଛନ୍ତି ସେହି ବିଭାଗର ଜଣେ କାର୍ଯ୍ୟରତ ପ୍ରଶାସକ, ଜଣେ ପରିଷଦ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷକ ଆଉ ଜଣେ ବାହାର ବ୍ୟକ୍ତି। ପ୍ରଶାସକ ଓ ବିଜ୍ଞାନ ଶିକ୍ଷକମାନେ ଯଦି ଇଂଲିଶ ପାଠ୍ୟପୁସ୍ତକ ରଚନା କରିବେ, ତା’ହେଲେ ପାଠ୍ୟପୁସ୍ତକ ବିଶାରଦମାନେ ରହିବେ କାହିଁକି? ଯାହା ଲେଖାଯାଇଛି ତାହା ଜାତୀୟ ତଥା ଅନ୍ତର୍ଜାତୀୟ ପାଠ୍ୟକ୍ରମକୁ ଅନୁସରଣ ନ କରି ମନଇଚ୍ଛା ଲେଖାଯାଇଛି। ଯଦି ସମ୍ପୃକ୍ତ ବ୍ୟକ୍ତିମାନେ କମ୍ୟୁନିକେଟିଭ ଇଂଲିଶରେ ପାରଦର୍ଶୀ ସେମାନେ ସରକାରୀ ଅର୍ଥରେ ପାଠ୍ୟପୁସ୍ତକ ସମ୍ପାଦନା ନ କରି ନିଜେ ଲେଖି ଘରୋଇ ପ୍ରକାଶକ ଦ୍ୱାରା ପ୍ରକାଶିତ କରି ନିଜର ତଥା ରାଜ୍ୟର ଗୌରବ ବଢ଼ାନ୍ତୁ।
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri