Advertisement

ଏଣିକି ରକେଟ୍‌ ଗତିରେ…

ତୁଷାରକାନ୍ତ

କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ନ୍ୟାୟାଧୀଶ, ମୁଖ୍ୟ ଶାସନ ସଚିବ ବା ପୋଲିସ ମୁଖ୍ୟ ଇତ୍ୟାଦି ପଦବୀରେ ଅଧିଷ୍ଠିତ ହେବା ଦିନ ପ୍ରଥମେ କହିଥାନ୍ତି, ‘ଏଥର ରାମରାଜ୍ୟ’, ଯଦିଓ ସେମାନେ ନିଜର ପୂର୍ବ ପଦବୀରେ ଅନ୍ତତଃ ସେହି ପଦବୀ ଅଧୀନ କ୍ଷେତ୍ରରେ ରାମରାଜ୍ୟ ପ୍ରତିଷ୍ଠା କରିପାରି ନ ଥାନ୍ତି। ସେହି ଧାରାରେ ଆମର ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ସେହି ପଦବୀର ଦାୟିତ୍ୱ ନେବା ଦିନ କହିଛନ୍ତି, ‘ଏଣିକି ରକେଟ୍‌ ଗତିରେ ଫାଇଲ କାମ ଚାଲିବ’। ପୂର୍ବରୁ ଏହିପରି ଅନେକ ବକ୍ତବ୍ୟର ଫଳ କ’ଣ ହୋଇଛି, ତାହା ଉପରେ ପର୍ଯ୍ୟବସିତ ଆଜିର ଲେଖାଟି।
୨୦୧୨ ମସିହାରେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ ଏବର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିିଭିନ୍ନ ସରକାରୀ ସେବା ପାଇବାରେ ସାଧାରଣ ଜନତା ଅସୁବିଧା ଭୋଗୁଥିବାରୁ, ସେ ‘ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସରକାରୀ ସେବା ଉପଲବ୍ଧ ଅଧିକାର’ ଶୀର୍ଷକ ବିଲ୍‌ଟିଏ ପାରିତ କରେଇଥିଲେ। ସେ ବାବଦରେ ଗୋଟିଏ ଇଂଲିଶ ଭାଷାର ଖବରକାଗଜରେ ଖବରଟିଏ ପ୍ରକାଶିତ ହୁଅନ୍ତେ, ସେହି ଲେଖାଟିକୁ କାଟି ଓ ତା’ ଉପରେ ‘If Nitishji could do, why not Naveenji’ ଲେଖି ତାକୁ ଆମ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଦେଇଥିଲି। ତା’ ପରେ ବିଭିନ୍ନ ସଂଗଠନ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। ଏହି ପ୍ରଚେଷ୍ଟା ଫଳରେ ହେଉ ବା କାକତାଳୀୟ ନ୍ୟାୟରେ, Odisha Right to Public Service Delivery Act ତା୭ା୧୨ା୨୦୧୨ରୁ କାର୍ଯ୍ୟକାରୀ ହେଉଛି, ଯାହାଫଳରେ ୩୦୦ରୁ ଅଧିକ ସରକାରୀ ସେବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି।
ଏହି ତାଲିକାରେ କିଣାଯାଉଥିବା ଜମିର ମ୍ୟୁଟେଶନ ବା ପଟ୍ଟା ତିଆରି ପାଇଁ ସମୟସୀମା ରଖାଯାଇଛି ୯୦ ଦିନ। କଟକସ୍ଥିତ ରେଜିଷ୍ଟ୍ରେଶନ କାର୍ଯ୍ୟାଳୟର ଇନ୍ସପେକ୍ଟର ଜେନେରାଲଙ୍କ ତା୨୩ା୦୨ା୨୦୧୩ର ଚିଠି ଅନୁଯାୟୀ, ଜମି କିଣାହେବାର ୯୦ ଦିନ ଭିତରେ ମନକୁ ମନ ପଟ୍ଟା ତିଆରି ହୋଇ ଜମି କ୍ରେତାଙ୍କୁ ମିଳିବ। ତହସିଲ୍‌ କର୍ମଚାରୀ ଇଣ୍ଟରନେଟ୍‌ରୁ ତଥ୍ୟ ଡାଉନ୍‌ଲୋଡ କରି ପଟ୍ଟା ତିଆରି କରି ଜମିକ୍ରେତାଙ୍କୁ ଦେବେ।
ଆମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହେଉଛି, ତାହାର ସରଜମିନ୍‌ ତଦନ୍ତ ପାଇଁ ନିଜ ଜ୍ୱାଇଁ କିଣିଥିବା ଖଣ୍ଡେ ଜମିର ପଟ୍ଟା ୯୦ ଦିନ ଭିତରେ ହୋଇଛି କି ନାହିଁ ତାହା ଜାଣିବାକୁ ସମ୍ପୃକ୍ତ ତହସିଲ୍‌ ଅଫିସ୍‌କୁ ତା୨୧ା୦୬ା୨୦୧୩ରେ ଯାଇଥିଲି। ସେଠାରେ ଥିବା ପେସ୍କାରବାବୁଙ୍କୁ କବଲାର ନକଲ ଦେଖାଇ ‘ଆଜ୍ଞା ଏ ପଟ୍ଟା ହୋଇଯାଇଛି କି’ ବୋଲି ପଚାରନ୍ତେ ସେ ଚିଡ଼ିଉଠି କହିଥିଲେ, ”କେବେ ଦରଖାସ୍ତ ଦେଇଥିଲେ?“ ମୁଁ ତାଙ୍କୁ ଆଜ୍ଞା, ରାଜସ୍ବ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ, କ୍ରେତାଙ୍କୁ ଆଉ ଦରଖାସ୍ତ ଦେବାକୁ ପଡ଼ିବ ନାହିଁ କହି ସେହି ନିର୍ଦ୍ଦେଶଟି ତାଙ୍କୁ ଦେଖାନ୍ତେ ସେ କହିଥିଲେ, ”ରାଜସ୍ବ ସଚିବ କ’ଣ ବ୍ରହ୍ମା ଯେ ସେ ଯାହା କହିବେ, ତାହା ହେବ। ଏଠି ଆମ ସୁବିଧା ଅନୁସାରେ କାମ ହୁଏ। ଦରଖାସ୍ତ କରନ୍ତୁ, ଦେଖିବା।“
ସେଠାରୁ ଫେରିଆସିବା ବେଳେ ଜଣେ ମହିଳା ମୋତେ ସାନ୍ତ୍ୱନା ଦେଇ କହିଥିଲେ ”ଏ ରାଜ୍ୟରେ ନିୟମକାନୁନ୍‌ ଚାଲେ ନାହିଁ। ମୋତେ ୩ ହଜାର ଟଙ୍କା ଓ କାଗଜପତ୍ର ଦିଅନ୍ତୁ, କାମ ହୋଇଯିବ।“ ପେସ୍କାରଙ୍କ କଥାକୁ ଚିଠି ଆକାରରେ ଲେଖି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ତଥା ରାଜସ୍ବ ସଚିବଙ୍କ ପାଖକୁ ପଠେଇଥିଲି। ତା’ ସହ ରାଜସ୍ବ ସଚିବଙ୍କ ସହ ଏ ବାବଦରେ ଆଲୋଚନା ପାଇଁ ସମୟ ମାଗିଥିଲି। କିନ୍ତୁ ଯେଉଁଠି ଚିଠିର ଉତ୍ତର ମିଳେ ନାହିଁ, ସେଠି ବ୍ୟକ୍ତିଗତ ସାକ୍ଷାତର ସୁଯୋଗ କେମିତି ବା ମିଳନ୍ତା!
ଏ ବାବଦରେ ବିଭିନ୍ନ ଖବରକାଗଜର ‘ସମ୍ପାଦକଙ୍କୁ ପତ୍ର’ ସ୍ତମ୍ଭ, ଟିଭି ଚ୍ୟାନେଲ୍‌ ଦ୍ୱାରା ‘ଷ୍ଟିଙ୍ଗ୍‌ ଅପରେଶନ ଓ ଆଲୋଚନା କାର୍ଯ୍ୟକ୍ରମ’ର ବ୍ୟବସ୍ଥା କରାଇବା ସତ୍ତ୍ୱେ, ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସରକାରୀ ସେବା ପ୍ରଦାନ ନିୟମ ବି ଆପାତତଃ ଅକାମୀ ହୋଇଗଲାଣି। ଏହାର କାରଣ ଏଇଆ ହୋଇପାରେ ଯେ, ନିୟମ ଅନୁସାରେ ନିର୍ଦ୍ଧାରିତ ସମୟରେ କାମ ହେଲେ ଲୋକଙ୍କୁ ହଇରାଣ କରିବାଜନିତ ମଜା ମିଳିବ ନାହିଁ କି ହାତ ଚିକ୍କଣ ହେବ ନାହିଁ।
ଏକଦା ଚିତ୍ତରଞ୍ଜନ ଦାସ ତାଙ୍କର ‘ସ୍ବାଧୀନ ଭାରତର ତିନି ଦଶକ-ସାମାଜିକ ପରିବର୍ତ୍ତନ’ ଶୀର୍ଷକ ଲେଖାରେ ଲେଖିଥିଲେ, ”ସରକାର ଦ୍ୱାରା ସାଧାରଣତଃ କୌଣସି ସାମାଜିକ ପରିବର୍ତ୍ତନ ଆସେ ନାହିଁ। ସରକାର ପ୍ରତିଷ୍ଠିତ ଗାଡ଼ଗୁଡ଼ିକୁ ସବୁଦିନ ଲାଗି ସେହିପରି ଗାଡ଼ କରି ରଖିବାକୁ ଇଚ୍ଛା କରୁଥାଏ। କାରଣ ସାମାଜିକ ପରିବର୍ତ୍ତନ ଦ୍ୱାରା ଯେଉଁ ନୂତନ ଭୂମିଟି ତିଆରି ହେବ, ସେଥିରେ ତା’ ଲାଗି ହୁଏତ କୌଣସି ସ୍ଥାନ ରହିବ ନାହିଁ, ସବୁ ସରକାର ସାଧାରଣତଃ ଏହିପରି ଭୟ କରୁଥାନ୍ତି। ଅସଲ ସାମାଜିକ ପରିବର୍ତ୍ତନ ସରକାର ବାହାରେ ହୁଏ। ସାମନ୍ତମାନଙ୍କ ଦ୍ୱାରା ନୁହେଁ, ସୈନିକମାନଙ୍କ ଦ୍ୱାରା ହିଁ ହୁଏ। ଭୃତ୍ୟମାନେ ଆଦୌ କୌଣସି ପରିବର୍ତ୍ତନକାରୀ ପୁରୁଷାର୍ଥର ଭାଜନ ହୋଇପାରନ୍ତି ନାହିଁ; କ୍ଷମତାର ଭୃତ୍ୟମାନେ ଅନ୍ୟତ୍ର ଯେତେ ଗରାଖ ହୋଇଥାନ୍ତୁ ପଛକେ, ଏଣେ ପାଦ ପକାଇବାକୁ ସବୁବେଳେ ଡରିଥାନ୍ତି। ତେଣୁ କଂସକୁ ଟଳାଇବାକୁ ସର୍ବଦା କୃଷ୍ଣ ଦରକାର ହୁଏ। ଶବଗୁଡ଼ାକ ଚଳନକ୍ଷମ କରିବାକୁ ଶକ୍ତି ଦରକାର ହୁଏ, ଭୋଗବାଦୀ ସନ୍ତୁଷ୍ଟମାନଙ୍କର ସମ୍ମୁଖୀନ ହେବାକୁ ମଣିଷ ଲୋଡ଼ା ହୁଅନ୍ତି।“
ଚିତ୍ତଭାଇଙ୍କ ଆହ୍ବାନ ‘ଭୋଗବାଦୀ ସନ୍ତୁଷ୍ଟମାନଙ୍କ ସମ୍ମୁଖୀନ ହେବାକୁ ମଣିଷ ଲୋଡ଼ା ହୁଅନ୍ତି’ର ୪ ଦଶକ ପରେ ବି ମଣିଷମାନେ କାଳେ ଠିକ୍‌ ଶିକ୍ଷାଦୀକ୍ଷା ଯୋଗେ ସଜାଗ ହୋଇ ପ୍ରଶ୍ନ ପଚାରିବେ, ତେଣୁ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦିଆଯାଇ ଅମଣିଷମାନଙ୍କୁ ସୃଷ୍ଟି କରାଯାଉଛି, ଯେଉଁମାନେ ୩୦୦ରୁ ୫୦୦ ଟଙ୍କା ଖାଦ୍ୟ ଓ ପାନୀୟ ବଦଳରେ ରଡ଼ି ପକାଉଛନ୍ତି ‘ଜିତିବରେ ଜିତିବ, ଅମୁକ ଭାଇ ଜିତିବ’। ଏ ପ୍ରକାର ବାସ୍ତବତାରେ ବ୍ୟସ୍ତ ହୋଇ ଯେଉଁଠି ଜଣେ ସାଂସଦ ‘ଆଉ ଠିଆ ହେବି ନାହିଁ’ ବୋଲି ଘୋଷଣା କରି ବସି ପଡ଼ୁଛନ୍ତି, ସେଠି ମୋ ଭଳି ଅଗାଡ଼ିକୁ ଚିଠିର ଉତ୍ତର ଓ ସାକ୍ଷାତର ସୁଯୋଗ ନ ମିଳିବା ସେମିତି କିଛି ବଡ଼କଥା ନୁହେଁ। ଲୋକେ ଯେତେବେଳେ ହାତ ମଳି, ଦାନ୍ତ ନିକୁଟି ଓ ପାଉଣା ଦେଇ କାମ କରିବାର କଳାଟିକୁ ସମ୍ପୂର୍ଣ୍ଣରୂପେ ନିଜର କରି ନେଇଛନ୍ତି ଓ ସେଥିରୁ ବାହାରିବାକୁ ପ୍ରସ୍ତୁତ ନୁହନ୍ତି, ସେଠି ନବନିଯୁକ୍ତ ମୁଖ୍ୟ ଶାସନ ସଚିବଙ୍କ ରକେଟ୍‌ ଗତିରେ କାମ ହେବା କଥା ପଛକୁ ଥାଉ, ଅନ୍ତତଃ ସରକାରଙ୍କ ନିର୍ଦ୍ଧାରିତ ସମୟ ସୀମା ଭିତରେ କାମ ହେଉ, ଏତିକି ଆଶା କରିବା ବୋଧହୁଏ ଧୃଷ୍ଟତା ହେବନାହିଁ।
tusar1950kanta@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକୀୟ/ ସଡ଼କ ଯମ

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟଠାରୁ ସଡ଼କ ଦୁର୍ଘଟଣାଜନିତ ଲୋକଙ୍କ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଗତ ୩...

ବୃକ୍ଷର ଦାନ

ଡ. ଅଜୟ କୁମାର ପାତ୍ର   ଥରେ ଦେଶର ଜନକ ମହାତ୍ମା ଗାନ୍ଧୀ ଲୋଭାନ୍ବିତ ମଣିଷର କାର୍ଯ୍ୟ ପ୍ରଣାଳୀରେ ବ୍ୟଥିତ ହୋଇ କହିଥିଲେ, ”ଆମର କ୍ଷୁଧା...

ନୀତି କାହା ସ୍ବାର୍ଥରେ

ଆକାର ପଟେଲ ନୀତି ଆୟୋଗ ମୁଖ୍ୟ ଏମିତି କିଛି କହିଲେ ଯାହା ଅନେକଙ୍କୁ ଚିନ୍ତାରେ ପକାଇଦେଇଛି। ଏଥିପାଇଁ ତାଙ୍କୁ ନିଜକୁ ବୁଝାଇବାକୁ ପଡ଼ିଲା। ଏହା ଅବଶ୍ୟ...

ଏଇ ଭାରତରେ

ଜଣେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ପ୍ରେରଣାଦାୟୀ କାର୍ଯ୍ୟ ଦେଖିବାକୁ ମିଳିଛି ପୁଣେରେ। ଅମିତା ଦେଶପାଣ୍ଡେ ଆଇଟିରେ ଡିଗ୍ରୀ ହାସଲ କରିବା ପରେ ଚରଖା ଓ ତନ୍ତ ବ୍ୟବହାର...

ମହାକାଶରେ ଦିବ୍ୟ ଚକ୍ଷୁ

ରିତେଶ କୁମାର ଶିଶୁ ଆମ ଚକ୍ଷୁର ଦୃଷ୍ଟି ପରିସୀମା ସୀମିତ, ଯାହା ମାଧ୍ୟମରେ ବିଶ୍ୱର ସମସ୍ତ ବିଚିତ୍ରତାକୁ ଦେଖିବା ସମ୍ଭବ ନୁହେଁ। ମହାଭାରତରେ ଋଷି ବ୍ୟାସଦେବ...

ମସ୍କ: ମାନିବାକୁ ପଡ଼ିବ

ଟେସ୍‌ଲା ମାଲିକ, ସ୍ପେସ୍‌ଏକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଶ୍ୱର ସର୍ବବୃହତ୍‌ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଆମେରିକାଭିତ୍ତିକ ମାଇକ୍ରୋବ୍ଲଗିଂ ଓ ସୋସିଆଲ ନେଟ୍‌ଓ୍ବର୍କିଂ ସର୍ଭିସ ‘ଟୁଇଟର’କୁ...

ଅଧିକାର ନାହିଁ

ଆକାର ପଟେଲ ସମୀର ଓ୍ବାଙ୍ଖଡେଙ୍କ ଅନୁସୂଚିତ ଜାତି(ଏସ୍‌ସି) ପ୍ରମାଣପତ୍ର ସମ୍ପର୍କରେ ଉଠିଥିବା ବିବାଦ ଆମକୁ ଦୁଇଟି ବିଷୟରେ ଅନୁଧ୍ୟାନ କରିବାକୁ ସୁଯୋଗ ଦେଇଛି। ପ୍ରଥମଟି ସଂରକ୍ଷଣ...

ଚିକେନ ଡାଇବେଟିସ୍‌

ମାନେକା ଗାନ୍ଧୀ ଚିକେନ ଖାଇବା ଯୋଗୁ ଉପୁଜୁଥିବା ଶହେ ସମସ୍ୟା ସମ୍ପର୍କରେ ମୁଁ ଅବଶ୍ୟ ଆଗରୁ ଏହି ସ୍ତମ୍ଭରେ ଦର୍ଶାଇଛି। କିନ୍ତୁ ସମ୍ପ୍ରତି ଏପରି କିଛି...

Advertisement
Archives

Model This Week