ଋଷି ବଙ୍କିମଚନ୍ଦ୍ର ଓ ବନ୍ଦେ ମାତରମ୍‌

ଅରୁଣ କୁମାର ପଣ୍ଡା
ଏ ବେ ସମଗ୍ର ଦେଶରେ ରାଷ୍ଟ୍ରବାଦ, ଜାତୀୟତା ଓ ଦେଶଭକ୍ତି ଆଦି ବିଷୟକୁ ନେଇ ଖୁବ୍‌ ତର୍କବିତର୍କ ଚାଲିଛି। ଏହି ଶବ୍ଦଗୁଡିକର ଉପଯୋଗ କେବଳ ଭୋଟ ପାଇଁ କରାଯାଉଛି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରୁଥିବା ବେଳେ ରାଷ୍ଟ୍ର ଏବଂ ରାଷ୍ଟ୍ରୀୟତା ସର୍ବୋପରି ଏବଂ ଦଳ ଓ କ୍ଷମତା ତା’ ଆଗରେ ଗୌଣ ବୋଲି ପ୍ରଚାର କରୁଛନ୍ତି ସ୍ବୟଂ ପ୍ରଧାନମନ୍ତ୍ରୀ। ଶହ ଶହ ବର୍ଷ ତଳୁ ଅର୍ଥାତ୍‌ ବୈଦିକ କାଳରୁ ‘ମାତା ଭୂମିଃ, ପୁତ୍ରୋଽହଂ ପୃଥିବ୍ୟାମ୍‌’ ମନ୍ତ୍ରକୁ ଆଧାର କରି ଭାରତରେ ସଞ୍ଚରିତ ଦେଶଭକ୍ତିର ଉଗ୍ର ପ୍ରବାହ ଦେଖିବାକୁ ମିଳିଥିଲା ସ୍ବାଧୀନତା ସଂଗ୍ରାମ ସମୟରେ। ମାଟିକୁ ମା’ କହିବାର ସଂସ୍କାର ଆମ ପାଇଁ ଅତି ପ୍ରାଚୀନ ଏବଂ ସେହି ପରିପ୍ରେକ୍ଷୀରେ ଭାରତ ଆମ ପାଇଁ ଏକ ମାଟିର ଦେଶ ନୁହେଁ ଏହା ମାତୃଭୂମି। ଅନାଦି କାଳରୁ ମାତୃଶକ୍ତିର ଆରାଧନାରେ ଆମେ ମଗ୍ନ। ମାତୃଭୂମି ଆରାଧନାର ମହାନ୍‌ ମନ୍ତ୍ର ଥିଲା ବନ୍ଦେ ମାତରମ୍‌। ସ୍ବାଧୀନତୋତ୍ତର ଭାରତରେ ବନ୍ଦେ ମାତରମ୍‌କୁ ନେଇ ଅନେକ ବିବାଦ ସୃଷ୍ଟି କରାଯାଇଥିଲେ ମଧ୍ୟ ଏକଥା ସ୍ବୀକାର କରିବାକୁ ହେବ ଯେ ବନ୍ଦେ ମାତରମ୍‌ର ଶକ୍ତିଶାଳୀ ନିନାଦରେ ଦେଶରେ ଅଭୂତପୂର୍ବ ଜନଜାଗରଣ କାରଣରୁ ଇଂରେଜ ଶାସକଙ୍କୁ ଭାରତରୁ ତଡିବାର ପଥ ସୁଗମ ହୋଇଥିଲା। ଆମର ଏହି ମହାନ୍‌ ରାଷ୍ଟ୍ରଗୀତର ରଚୟିତା ହେଉଛନ୍ତି ପ୍ରଖ୍ୟାତ କବି, ଉପନ୍ୟାସକାର, ଗଦ୍ୟ ସାହିତ୍ୟ ସ୍ରଷ୍ଟା ଏବଂ ପତ୍ରକାର ରାଷ୍ଟ୍ରଋଷି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତରେ ସେ ଭାରତମାତାଙ୍କୁ ସକଳ ଶକ୍ତିର ଆଧାର ରୂପେ ବର୍ଣ୍ଣନା କରି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଯେଭଳି ଯାଦୁକରୀ ଶବ୍ଦ ସଂଯୋଜନା ମାଧ୍ୟମରେ ଚିତ୍ରିତ କରିଛନ୍ତି ତାହା ଅନନ୍ୟ ଓ ଅସାଧାରଣ। ଶୁଦ୍ଧ ସଂସ୍କୃତ ଶବ୍ଦର ପ୍ରୟୋଗ ଏବଂ ବଙ୍ଗ ଭାଷାରେ ଛନ୍ଦ ଲାଳିତ୍ୟ ଦ୍ୱାରା ସମୃଦ୍ଧ ଏହି କବିତାଟି କୋଟି କୋଟି ଭାରତୀୟଙ୍କ ହୃଦୟକୁ ଦେଶ ପାଇଁ ସ୍ପନ୍ଦିତ କରିଚାଲିବ। କବିତାଟି ଏହାଙ୍କ ରଚିତ ପ୍ରସିଦ୍ଧ ଉପନ୍ୟାସ ‘ଆନନ୍ଦ ମଠ’ର ଅଂଶବିଶେଷ। କବି ତତ୍କାଳୀନ ବଙ୍ଗ ପ୍ରଦେଶ ଉତ୍ତର ଚବିଶ ପ୍ରଗଣା ଜିଲାର ନୈହାଟି ନିକଟ କାନ୍ଥାଲପଡାରେ ୧୮୩୮ ମସିହା ଜୁନ ୨୭ ତାରିଖରେ ଏକ ରକ୍ଷଣଶୀଳ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୮୯୪ ମସିହା ଏପ୍ରିଲ ୮ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଥିଲେ କଲିକତା ମହାନଗରୀରେ।
ପ୍ରାଥମିକ ଏବଂ ହାଇସ୍କୁଲ ପାଠ ପରେ ସେ ହୁଗୁଳିସ୍ଥିତ ମୋହସିନ କଲେଜ ଏବଂ ପରେ ପ୍ରଖ୍ୟାତ ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କରି ବିଶ୍ୱବିଦ୍ୟାଳୟର ଅନ୍ୟତମ ପ୍ରଥମ ସ୍ନାତକ (ଗ୍ରାଜୁଏଟ) ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୮୫୮ରୁ ସେ ବ୍ରିଟିଶ ରାଜ୍‌ରେ ଜଣେ ଡେପୁଟି ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରି ୧୮୯୧ରେ ଅବସର ନେଇଥିଲେ। ଏହି ଚାକିରିକାଳ ମଧ୍ୟରେ ବଙ୍କିମବାବୁ ଓଡ଼ିଶାର ଅନୁଗୋଳରେ ମଧ୍ୟ କିଛିବର୍ଷ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରିଥିଲେ। ସେ ସମୟର ଅନୁଗୋଳ ଅଞ୍ଚଳର ପାର୍ବତୀୟ ପରିବେଶ, ସବୁଜ ଶସ୍ୟଖେତ ଏବଂ ନଦୀ ଝରଣାର ଅନୁପମ ସୌନ୍ଦର୍ଯ୍ୟରେ ବିମୁଗ୍ଧ ଲେଖକ ବଙ୍କିମଚନ୍ଦ୍ରଙ୍କ କଲମରୁ ସ୍ବତଃ ଝଙ୍କୃତ ହୋଇଥିଲା- ବନ୍ଦେ ମାତରମ୍‌, ସୁଜଳାଂ ସୁଫଳାଂ ଶସ୍ୟଶ୍ୟାମଳାଂ ମାତରମ୍‌। ବିଦେଶୀ ବ୍ରିଟିଶ ଶାସକ ବିରୋଧରେ କେତେକ ଯୁବ ସନ୍ନ୍ୟାସୀ ସଂଗଠିତ ହୋଇ କିଭଳି ସଂଗ୍ରାମ କରିଥିଲେ ଏବଂ ବ୍ରିଟିଶ ପୋଲିସର ଅତ୍ୟାଚାର ସତ୍ତ୍ୱେ ସେମାନଙ୍କ ଲଢ଼େଇ ଅଦମିତ ଥିଲା। ଏହି କାହାଣୀ ଉପରେ ଆଧାରିତ ଉପନ୍ୟାସ ‘ଆନନ୍ଦ ମଠ’ ମାତୃଭୂମିକୁ ମା’ର ସମ୍ମାନ ଦେଇ ତା’ର ସୁରକ୍ଷା ଓ ସମ୍ମାନ ପାଇଁ ତନୁ-ମନ-ଧନ ଅର୍ପଣ କରିବାର ଭାବନା ଏହି ଗୀତ ମାଧ୍ୟମରେ ସମଗ୍ର ଦେଶରେ ଜାଗରିତ ହୋଇଥିଲା। ବଙ୍କିମଚନ୍ଦ୍ରଙ୍କ ଦେହାନ୍ତର ଦୁଇବର୍ଷ ପରେ ରହେମତୁଲ୍ଲା ମୟାବୀଙ୍କ ଅଧ୍ୟକ୍ଷତାରେ ୧୮୯୬ରେ କଲିକତାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ କବିଗୁରୁ ରବୀନ୍ଦ୍ରନାଥ ନିଜେ ସ୍ବର ସଂଯୋଜନା କରି ନିଜ କଣ୍ଠରେ ଗାନ କରିଥିଲେ ବନ୍ଦେ ମାତରମ୍‌ ସଙ୍ଗୀତ। ଏହାର ରଚୟିତା ବଙ୍କିମଚନ୍ଦ୍ରଙ୍କ ଆଗରେ ପ୍ରଥମେ କବିଗୁରୁ ଏହାକୁ ଗାନ କଲାବେଳେ ବଙ୍କିମ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ।
୧୯୩୬ ମସିହାରେ ଜାତୀୟ କଂଗ୍ରେସରେ ଯେତେବେଳେ ଜାତୀୟ ସଙ୍ଗୀତ କ’ଣ ହେବ ସେ ନେଇ ଆଲୋଚନା ହେଲା, ସେତେବେଳେ ବନ୍ଦେ ମାତରମ୍‌କୁ ନେଇ ନେତାଙ୍କ ମଧ୍ୟରେ ମତ ବିଭାଜନ ଆରମ୍ଭ ହେଲା। ଏହି ସଙ୍ଗୀତର ବିରୋଧୀମାନଙ୍କ ମତରେ ଏହା ଏକ ମୂର୍ତ୍ତିପୂଜାର ଗୀତ ଏବଂ ଏହାକୁ ଜାତୀୟ ସଙ୍ଗୀତର ମର୍ଯ୍ୟାଦା ଦିଆଗଲେ ମୁସଲମାନଙ୍କ ଭାବନା ଉପରେ ଆଘାତ ଲାଗିବ। ପରନ୍ତୁ ୧୯୩୭ ମସିହା ଅକ୍ଟୋବର ୨୮ ତାରିଖରେ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟି ଆମର ସ୍ବାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇ ଆସୁଥିବା ବନ୍ଦେ ମାତରମ୍‌ର ପ୍ରଥମ ଦୁଇଟି ପଦକୁ ଜାତୀୟ ସଙ୍ଗୀତର ମର୍ଯ୍ୟାଦା ଦିଆଯିବା ନେଇ ନିଷ୍ପତ୍ତି ନେଲେ। କଂଗ୍ରେସ କାର୍ଯ୍ୟକାରୀ କମିଟି ଅବଦୁଲ ଆବୁଲ କାଲାମ ଆଜାଦ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କୁ ନେଇ ଦେଶର ଜାତୀୟ ସଙ୍ଗୀତ ନିରୂପଣରେ ନେହେରୁ କବିଗୁରୁଙ୍କ ପରାମର୍ଶ ଲୋଡିବାରୁ ସେ କହିଲେ ଏହାର ପ୍ରଥମ ପଦରେ ଯେଉଁ ଭକ୍ତି ଓ ମାଧୁର୍ଯ୍ୟ ପ୍ରକଟିତ ହୋଇଛି, ଆମ ପୁଣ୍ୟ ମାତୃଭୂମିର ଯେଉଁ ଅପରୂପ ଶୋଭାସମ୍ପଦର ଅଭିବ୍ୟକ୍ତି କରାଯାଇଛି ସେ ଦୃଷ୍ଟିରୁ ଏହାକୁ ଜାତୀୟ ସଙ୍ଗୀତର ମର୍ଯ୍ୟାଦା ଦେବାରେ କିଛି ଅସୁବିଧା ନାହିଁ ବୋଲି ମୁଁ ଭାବୁଛି। ଆମର ସ୍ବାଧୀନତା ଆନ୍ଦୋଳନ ବେଳେ ବନ୍ଦେ ମାତରମ୍‌ ସଙ୍ଗୀତ ଅଗଣିତ ଦେଶପ୍ରେମୀଙ୍କ ହୃଦୟରେ ଦେଶଭକ୍ତିର ଫଲ୍‌ଗୁ ପ୍ରବାହିତ କରିଥିଲା। ତେଣୁ ଆମ ଆନ୍ଦୋଳନର ସଫଳତା ସମୟରେ ଏହାକୁ କିପରି ଅବଜ୍ଞା କରାଯିବ।
କବିଗୁରୁଙ୍କ ତର୍କରେ ପଣ୍ଡିତ ନେହେରୁ ଓ କମିଟି ସଦସ୍ୟମାନେ ପ୍ରଭାବିତ ହେଲେ। ମୂର୍ତ୍ତିପୂଜାର ଘୋର ବିରୋଧୀ ବ୍ରାହ୍ମ ସମାଜର ସଦସ୍ୟମାନେ ମଧ୍ୟ ବନ୍ଦେ ମାତରମ୍‌କୁ ସମର୍ଥନ କଲେ। ପରେ ବରିସାଲରେ ଆୟୋଜିତ ବିଶାଳ ସମାବେଶରେ ବନ୍ଦେ ମାତରମ୍‌ ଗାନ କରାଗଲା। ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ମଧ୍ୟ ଏହା ସ୍ଲୋଗାନରେ ପରିଣତ ହେଲା। ପୋଲିସ ଅତ୍ୟାଚାରର ମୁକାବିଲା ପାଇଁ ଅଗଣିତ ଯୁବକ ଦେଶବ୍ୟାପୀ ବନ୍ଦେ ମାତରମ୍‌କୁ ଆୟୁଧ କଲେ। ଇଂରେଜ ସରକାରର ବନ୍ଦେ ମାତରମ୍‌କୁ ବେଆଇନ ଘୋଷଣା ସତ୍ତ୍ୱେ ବିପ୍ଳବୀ ଏବଂ ଆନ୍ଦୋଳନକାରୀଙ୍କ ପାଇଁ ଏହା ଜାଗରଣର ମହାମନ୍ତ୍ରରେ ପରିଣତ ହେଲା। ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପ୍ରବଳ ଲାଠିମାଡ କଲା। ହଜାର ହଜାର ଲୋକ ଆହତ ହେଲେ। କିନ୍ତୁ ବନ୍ଦେ ମାତରମ୍‌ର ଧ୍ୱନି ଶିଥିଳ ହେଲା ନାହିଁ।
ବିପ୍ଳବୀ ଅରବିନ୍ଦ ସେତେବେଳେ କହିଥିଲେ ୩୨ ବର୍ଷ ତଳେ ବଙ୍କିମଚନ୍ଦ୍ର ଏହି ଗୀତ ଲେଖିଥିଲେ। କିନ୍ତୁ ସେତେବେଳେ ଏହାକୁ ଖୁବ୍‌ ଅଳ୍ପ ଲୋକ ଶୁଣିଥିଲେ। ଆଜି ବନ୍ଦେ ମାତରମ୍‌ ଅସଂଖ୍ୟ କଣ୍ଠରେ ରାଷ୍ଟ୍ରୀୟ ମନ୍ତ୍ର ରୂପେ ମୁଖରିତ ହୋଇଉଠିଛି।
ବନ୍ଦେ ମାତରମ୍‌ ବଙ୍ଗଳା ଭାଷାର କବିତା ହେଲେ ମଧ୍ୟ ଏଥିରେ ସଂସ୍କୃତର ଆଧିପତ୍ୟ ଫଳରେ ଏହା ଭାଷାଗତ ସୀମା ଭିତରେ ଆବଦ୍ଧ ହୋଇ ରହିନାହିଁ। ଏହି ମାତୃଭୂମି ଆରାଧନା ସ୍ତୋତ୍ର ଭାରତମାତାର ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ରୂପ ବୈଭବର ବର୍ଣ୍ଣନାରେ ଆରମ୍ଭ ହୋଇଛି। ଦୁଃଖର ବିଷୟ, ବନ୍ଦେ ମାତରମ୍‌ ଭଳି ସଙ୍ଗୀତକୁ ସାମ୍ପ୍ରଦାୟିକତାର କ୍ଷୁଦ୍ର ସୀମା ମଧ୍ୟରେ ଆବଦ୍ଧ କରିବାର ପ୍ରୟାସ ଆଜି ବି ଚାଲିଛି।
(ବଙ୍କିମଚନ୍ଦ୍ରଙ୍କ ଜନ୍ମଦିବସ ଉପଲକ୍ଷେ)
ମୋ- ୯୪୩୭୨୭୦୬୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶରେ ବେଳେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିବାବେଳେ ଉତ୍ତରପ୍ରଦେଶର ମିରଟରେ ବାସକରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା...

ଉଗ୍ର ଜାତୀୟତାବାଦ

ଭାରତର କଶ୍ମୀରୀକରଣକୁ ନେଇ ଶିକ୍ଷାବିତ୍‌ ପ୍ରତାପ ଭାନୁ ମେହେଟ୍ଟା ଆମକୁ ସତର୍କ କରିଦେଇଛନ୍ତି। ତାଙ୍କ ମତରେ କଶ୍ମୀରରେ ସୁରକ୍ଷା ବଳ ଓ ସରକାରୀ ସଂସ୍ଥାଗୁଡ଼ିକ ସିଭିଲ...

ବସନ୍ତ ଓ ଯୌବନ

ଉପେନ୍ଦ୍ର ବିଶ୍ୱାଳ ଆମ୍ର ମୁକୁଳର ଆବେଗିକ ଆମନ୍ତ୍ରଣରେ ସମ୍ମୋହନ ହୋଇଉଠେ ବସନ୍ତ। ଅଧୀର ହୋଇ ଅନେଇଥାଏ ବାଗ୍‌ଦେବୀଙ୍କ ଆଗମନୀକୁ। ବିଦ୍ୟାଦାତ୍ରୀଙ୍କ ଆବାହନୀ ହେଲାକ୍ଷଣି ଧରାପୃଷ୍ଠକୁ ଓହ୍ଲାଇ...

କାର୍ଯ୍ୟ ସମ୍ପାଦନ ଯାଞ୍ଚ ହେଉନାହିଁ କାହିଁକି

ସହଦେବ ସାହୁ   ପାଠ କହେ ଯେ ଲୋକଙ୍କ ଉପରେ ଟିକସ ବସାଇ ସେହି ପଇସାରେ ସରକାର ଦେଶରେ ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଉନ୍ନତିମୂଳକ କାମ...

ମଣିମା ଓ ମଣିଷ

ନିରଞ୍ଜନ ପାଢ଼ୀ ଗଣତନ୍ତ୍ରର ଗରିମା ମଧ୍ୟରେ ରାଜତନ୍ତ୍ର ବିଲୟ ଲଭିବାର ଇତିହାସ ପୁରୁଣା ହୋଇଗଲାଣି। ଜନତନ୍ତ୍ରର ଜୟଧ୍ୱନି ମଧ୍ୟରେ କେବେଠୁଁ ନିଃଶବ୍ଦ ହୋଇଗଲାଣି ମଣିମା ବୋଲି...

ଥାପଡ଼କୁ ନା

ପ୍ରକାଶ ତ୍ରିପାଠୀ କେତେକ କାରଣ ପାଇଁ ପତ୍ନୀଙ୍କ ଉପରକୁ ହାତ ଉଠାଇବା ଯୁକ୍ତିଯୁକ୍ତ। ଏଭଳି ମତ ପୁରୁଷ ନୁହେଁ, କେତେକ ମହିଳା ହିଁ ପ୍ରକାଶ କରିଛନ୍ତି।...

ଏଇ ଭାରତରେ

ବେଳେବେଳେ ଗୋଟିଏ ଗୋଟିଏ ଘଟଣା ଜଣଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣିଥାଏ, ଯାହା ଘଟିଛି ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ କନଷ୍ଟେବଳ ରୋହିତଙ୍କ କ୍ଷେତ୍ରରେ। ତାଙ୍କର ପୂରା...

ଏଇ ଭାରତରେ

ବର୍ଜ୍ୟର ପୁନଃ ଉପଯୋଗ କରି କୃଷି ସମସ୍ୟା ଦୂର କରିବାରେ ରାଜସ୍ଥାନର ନାରାୟଣ ଗୁଜ୍ଜର ଓ ପୁରନ ସିଂଙ୍କ ପ୍ରୟାସ ନିଶ୍ଚିତ ନିଆରା। ବୋରଜ ଗାଁର...

Advertisement
Archives

Model This Week