ଉଚ୍ଚ ମଣିଷର ନୀଚ ପ୍ରବୃତ୍ତି

ବୈକୁଣ୍ଠନାଥ ମିଶ୍ର
ସରକାରୀ ସ୍ତରରେ ଦରିଦ୍ରର ସଂଜ୍ଞା ନିରୂପଣ ପାଇଁ ଏକ ସ୍ବତନ୍ତ୍ର ବିଧିବ୍ୟବସ୍ଥା ରହିଛି। ଉକ୍ତ ସଂଜ୍ଞା ଅନୁଯାୟୀ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ସେମାନେ ଦରିଦ୍ର ପଦବାଚ୍ୟ। ବିଶ୍ୱସ୍ତରୀୟ ସଂଜ୍ଞା କହେ, ଦୈନିକ ୧.୯୦ ଡଲାର ବା ମୁଣ୍ଡପିଛା ପ୍ରାୟ ୧୩୫ ଟଙ୍କାରୁ କମ୍‌ ଆୟ କରୁଥିବା ବ୍ୟକ୍ତି ଦରିଦ୍ର। କିନ୍ତୁ ଭାରତରେ ବର୍ଷକୁ ୨୭,୦୦୦ ଟଙ୍କାରୁ କମ୍‌ ଆୟ କରୁଥିବା ବ୍ୟକ୍ତି ଦରିଦ୍ର ସୀମାରେଖାର ତଳେ ବୋଲି ସ୍ଥିର କରାଯାଇଛି। ଦାରିଦ୍ର୍ୟ ନିର୍ଦ୍ଧାରଣ କରିବା ଏକ ପ୍ରବଞ୍ଚନାମୟ କୌଶଳ। ଏକ ନିର୍ଦ୍ଦିଷ୍ଟ ଅଙ୍କର ଆୟକୁ ନେଇ ଦାରିଦ୍ର୍ୟ ନିର୍ଦ୍ଧାରଣ ହୁଏ ତ ସହଜ ହୋଇପାରେ, ମାତ୍ର ଗ୍ରାମ ଓ ସହରାଞ୍ଚଳରେ ବାସ କରୁଥିବା ଦରିଦ୍ର, ନିରକ୍ଷର ବ୍ୟକ୍ତିମାନଙ୍କର ଆୟର କୌଣସି ସ୍ଥିରତା ନାହିଁ। ସମାଜର ସର୍ବନିମ୍ନ ସ୍ତରରେ ବାସ କରୁଥିବା ଏହି ଲୋକମାନଙ୍କର ନା ଅଛି କୌଣସି ସ୍ଥିର ଆୟର ଉତ୍ସ ନା ଆୟର ମୂଲ୍ୟାଙ୍କନ ପାଇଁ ସେପରି ବଳିଷ୍ଠ ପ୍ରମାଣପତ୍ର। ସରକାରୀ କିମ୍ବା ବେସରକାରୀ ଉଦ୍ୟୋଗରେ ଚାକିରି କରୁଥିବା ବ୍ୟକ୍ତିଙ୍କର ଆୟ ଆକଳନ କରିବା ସହଜ। କାରଣ ସେମାନଙ୍କର ଆୟ ସ୍ଥିର ଏବଂ ଆୟର ଉତ୍ସ ମଧ୍ୟ ନିର୍ଦ୍ଦିଷ୍ଟ। ସାଧାରଣ ବ୍ୟକ୍ତିଟିଏ ଅଧିକ ଆୟ କରି ସ୍ବଳ୍ପ ଆୟକାରୀ ବୋଲି ଦର୍ଶାଇଲେ, ତା’ର ସତ୍ୟତା ପରଖିବାର କୌଣସି ଉପାୟ ନାହିଁ। ଶ୍ରମଜୀବୀମାନଙ୍କ ମଧ୍ୟରେ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଶ୍ରମିକ ଅଛନ୍ତି, ଯେଉଁମାନଙ୍କର ଆୟ ପରସ୍ପରଠାରୁ ଭିନ୍ନ। ତଥାପି ସରକାର ବିପିଏଲ୍‌ ଶ୍ରେଣୀ ସୃଷ୍ଟି କରିଛନ୍ତି, ଯାହାଙ୍କୁ କିଛି ସରକାରୀ ସାହାଯ୍ୟର ବ୍ୟବସ୍ଥା କରାଯାଇଛି। ଏହି ସାମାନ୍ୟ ସୁବିଧା ଗଣ୍ଡାକ ହାତେଇବା ପାଇଁ ଥିଲାବାଲାଙ୍କର ପ୍ରତିଯୋଗିତା ଦେଖି ମନରେ କ୍ଷୋଭ ଜାତ ହୁଏ। ମଣିଷ ସାମାନ୍ୟ ସ୍ବାର୍ଥ ପାଇଁ ଏତେ ତଳକୁ ଖସିଯାଇପାରେ କିପରି?
କିନ୍ତୁ ଧାର୍ମିକ ତଥା ଆଧ୍ୟାତ୍ମିକ କ୍ଷେତ୍ରରେ ଦେଖିଲେ ଅନେକ ଧର୍ମଗୁରୁ ଅଛନ୍ତି, ଯେଉଁମାନେ ତମାମ ଜୀବନ ଦାରିଦ୍ର୍ୟର କଷଣ ମଧ୍ୟରେ ଜିଇ ଆସିଛନ୍ତି। ଗୁରୁ ନାନକ, ସନ୍ଥ କବୀର, ତୁକାରାମ ଓ ଆଉ ଅନେକେ ଉତ୍କଟ ଦାରିଦ୍ର୍ୟକୁ ସାମ୍‌ନା କରି ମଧ୍ୟ ତାଙ୍କ ସାଧନାପଥରୁ ବିଚ୍ୟୁତ ହୋଇନାହାନ୍ତି। ରାମକୃଷ୍ଣ ପରମହଂସ, ଠାକୁର ଅନୁକୂଳଚନ୍ଦ୍ର ମଧ୍ୟ ଏହି ଶ୍ରେଣୀର ଜଣେ ଜଣେ ଆଧ୍ୟାତ୍ମିକ ଗୁରୁ, ଯେଉଁମାନେ ଅର୍ଥ ପାଇଁ ସମ୍ପୂର୍ଣ୍ଣ ଉଦାସୀନ। ରାମକୃଷ୍ଣଙ୍କ ଜୀବନର ଏକ କ୍ଷୁଦ୍ର କାହାଣୀ ଏହାର ବଳିଷ୍ଠ ପ୍ରମାଣ। ଥରେ ରାତିରେ ବିଛଣାରେ ଶୋଇବାମାତ୍ରେ ହଠାତ୍‌ ଉଠିପଡ଼ି ‘ବିଛା ବିଛା’ ବୋଲି ଚିତ୍କାର କଲେ। ଶିଷ୍ୟମାନେ ତାଙ୍କ ପାଖକୁ ଆସିବାରୁ ସେ ସେମାନଙ୍କୁ ବିଛଣା ଝାଡ଼ିବାକୁ ନିର୍ଦ୍ଦେଶ ଦେଇ କହିଲେ, ”ବିଛଣା ପ୍ରସ୍ତୁତ କରିବା ପୂର୍ବରୁ ଟିକେ ଭଲକରି ଝାଡ଼ିଦେଲ ନାହିଁ, ଏଥିରେ ବିଛାଟିଏ ରହି ମୋତେ ଦଂଶନ କରୁଛି।“ ଶିଷ୍ୟମାନେ ବିଛଣା ଝାଡ଼ିଦେବାରୁ ତହିଁରୁ ମୁଦ୍ରାଟିଏ ବାହାରିଲା ଓ ତା’ପରେ ଗୁରୁଜୀ ଆରାମରେ ଶୋଇଲେ। ସେହି ଆଧ୍ୟାତ୍ମିକ ଗୁରୁମାନଙ୍କୁ ଅର୍ଥ ଠିକ୍‌ ବିଛା ପରି ଦଂଶନ କରନ୍ତି। ସେମାନଙ୍କ ପାଇଁ ଅର୍ଥ ହେଉଛି ଅର୍ଥହୀନ। ସେ ସମୟର ପ୍ରତ୍ୟେକ ଆଧ୍ୟାତ୍ମିକ ଗୁରୁ ଠିକ୍‌ ଏହିପରି ଅର୍ଥ ପ୍ରତି ନିରାସକ୍ତ ଥିଲେ। ସେମାନେ କାମିନୀକାଞ୍ଚନଠାରୁ ଦୂରରେ ରହିବାକୁ ଉପଦେଶ ଦେଉଥିଲେ, ଯାହା ଆଜିର ଗୁରୁମାନଙ୍କଠାରେ ବ୍ୟତିକ୍ରମ।
ଶ୍ରୀମଦ୍ଭାଗବତର ଅନୁଶୀଳନ ମଧ୍ୟ ଅନୁରୂପ। ଥରେ ଉଦ୍ଧବଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହିଲେ, ଜଣେ ଦରିଦ୍ର ଅର୍ଥଶୂନ୍ୟ ବ୍ୟକ୍ତି ସେ ନୁହେଁ ଯାହାର ଧନ ନାହିଁ। ସେ ହିଁ କେବଳ ଦରିଦ୍ର ଯେ ସଦା ଅସନ୍ତୁଷ୍ଟ। ଦାରିଦ୍ର୍ୟ ଏକ ମାନସିକ ସ୍ଥିତି। ଯାହା ଆମକୁ ପ୍ରାପ୍ତ ହେଉଛି ତାହା ଈଶ୍ୱରଙ୍କ ଦାନ ଭାବି ସନ୍ତୁଷ୍ଟ ହେବାକୁ ପଡ଼ିବ। ତହୁଁ ଅଧିକ ଆଶା କିମ୍ବା ପ୍ରୟାସ କରିବା କେବଳ ପାପ ନୁହେଁ, ଭଗବାନଙ୍କୁ ଅସମ୍ମାନ କରିବା ସଙ୍ଗେ ସମାନ। ପ୍ରାପ୍ୟଠାରୁ ଅଧିକ ଆଶା କରିବା ଓ ଆଶା ଫଳବତୀ ନ ହେଲେ ମନରେ କ୍ଷୋଭ ଜାତହେବା ଦୁଇଟିଯାକ ଈଶ୍ୱରୀୟ ଚିନ୍ତନର ପରିପନ୍ଥୀ। ମହାତ୍ମା ଗାନ୍ଧୀ କୁହନ୍ତି, ଧରିତ୍ରୀ ମା’ ତା’ର ସମସ୍ତ ସନ୍ତାନର ଜୀବନ ଧାରଣ ପାଇଁ ବ୍ୟବସ୍ଥା କରିଛି କିନ୍ତୁ ଲୋଭ ଚରିତାର୍ଥ କରିବା ପାଇଁ ନୁହେଁ- ‘ଦି ଆର୍ଥ ପ୍ରୋଭାଇଡ୍ସ ଏନଫ୍‌ ଟୁ ସାର୍ଟିସ୍‌ଫାଏ ଏଭ୍ରି ମ୍ୟାନ୍‌ସ ନିଡ୍‌, ବଟ୍‌ ନଟ୍‌ ଏଭ୍ରି ମ୍ୟାନ୍‌ସ ଗ୍ରିଡ୍‌’। ଜଣେ ବ୍ୟକ୍ତିର ଧନର ପୂର୍ଣ୍ଣତା ଅର୍ଥ ଅନ୍ୟ କେତେକଙ୍କର ଧନର ଶୂନ୍ୟତା। ଅଳ୍ପ କିଛି ବ୍ୟକ୍ତିଙ୍କର ଅସୀମ ଧନସମ୍ପତ୍ତି ବହୁଲୋକଙ୍କ ଦାରିଦ୍ର୍ୟର କାରଣ। ଭାରତର ଏକ ପ୍ରତିଶତ ଲୋକଙ୍କ ହାତରେ ସମୁଦାୟ ସମ୍ପତ୍ତିର ୭୩ ପ୍ରତିଶତ ଠୁଳ ହୋଇଛି। ଗୋଟିଏ ଜାଗାରେ ମାଟି ଗଦା କରିବା ଅର୍ଥ ଅନ୍ୟ ସ୍ଥାନରେ ମାଟି ଖୋଳି ଗାତ ତିଆରି କରିବା। ଠିକ୍‌ ସେହିପରି ଜଣକର ବିଳାସବ୍ୟସନ ଅନ୍ୟ କେତେକଙ୍କର ଦାରିଦ୍ର୍ୟର କାରଣ ହୋଇଥାଏ। ମହାତ୍ମା ଗାନ୍ଧୀ ପୁଣି କୁହନ୍ତି, ”ଆମେ ଉତ୍ପାଦନକୁ ଗୁରୁତ୍ୱ ନ ଦେଇ ସୁଷମ ବଣ୍ଟନକୁ ଗୁରୁତ୍ୱ ଦେବା ଉଚିତ। କିଛି ଲୋକଙ୍କଠାରେ ଧନ ଗଚ୍ଛିତ ରହି ଆଉ କିଛି ନିରନ୍ନ ରହିଲେ, ଏହାକୁ କଦାପି ପ୍ରଗତିର ଶୁଭ ଲକ୍ଷଣ ବୋଲି ମନେ କରାଯାଇପାରିବ ନାହିଁ।“ ତେଣୁ ଧନର ବିକେନ୍ଦ୍ରୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧନୀ ମଧ୍ୟ ଦାନ କରିବାର ମାନସିକତା ଆହରଣ କରିବା ଏକ ମହତ୍ତ୍ୱପୂର୍ଣ୍ଣ ଗୁଣ। ଚାଣକ୍ୟ କୁହନ୍ତି- ଦାନ, ଉପଭୋଗ ଓ ବିନାଶ ଏହିପରି ଧନର ତିନୋଟି ଗତି ଅଛି। ଯେ ଦାନ କରେ ନାହିଁ, ଭୋଗ କରେ ନାହିଁ, ତା’ର ତୃତୀୟାଗତି ଅର୍ଥାତ୍‌ ନାଶ ହୋଇଯାଏ।
ଦାନ ଏକ ସ୍ବର୍ଗୀୟ ଗୁଣ। ଶ୍ରୀମଦ୍ଭାଗବତ କହେ, ‘ଦାନମୀଶ୍ୱରଭାବଶ୍ଚ’-ଦାନ ଏକ ମହାନ ଈଶ୍ୱରୀୟ ଗୁଣ, ଯାହାକୁ ଜାତି ଧର୍ମ ନିର୍ବିଶେଷରେ ଗ୍ରହଣ କରିବା ବିଧେୟ। ଇସ୍‌ଲାମ ଓ ଖ୍ରୀଷ୍ଟଧର୍ମ ମଧ୍ୟ ଦାନ ଉପରେ ଗୁରୁତ୍ୱ ଦିଅନ୍ତି। ଆଧ୍ୟାତ୍ମିକ ଗୁରୁମାନେ ମତଦିଅନ୍ତି ଯେ, ମଣିଷ ପଛେ ଆର୍ଥିକ ଦୃଷ୍ଟିରୁ ଦରିଦ୍ର ହୋଇଥାଉ, ମାତ୍ର ନୀତି ନୈତିକତାରେ ଦରିଦ୍ର ନ ହେଉ। ପାର୍ଥିବ ସୁଖପ୍ରାପ୍ତି ମଣିଷ ପକ୍ଷେ ସହଜ ହୋଇପାରେ। ମାତ୍ର ଈଶ୍ୱରୀୟ ସୁଖପ୍ରାପ୍ତି ସହଜ ନୁହେଁ। ପାର୍ଥିବ ସୁଖପ୍ରାପ୍ତି ନିମନ୍ତେ ମନୁଷ୍ୟର ପ୍ରୟାସ ଯେତେ ପ୍ରଗାଢ଼, ତା’ର କିୟଦଂଶ ଯଦି ଈଶ୍ୱରୀୟ ସୁଖପ୍ରାପ୍ତି ନିମନ୍ତେ କରାଯାନ୍ତା ତେବେ ଭଗବତ୍‌ କରୁଣା ବିଡ଼ମ୍ବିତ ହୁଅନ୍ତା ନାହିଁ। ପାର୍ଥିବ ସମ୍ପତ୍ତି ବ୍ୟୟରେ କ୍ଷୟ ହୁଏ, କିନ୍ତୁ ଈଶ୍ୱରୀୟ ସମ୍ପତ୍ତି ବ୍ୟୟରେ ବୃଦ୍ଧିପ୍ରାପ୍ତ ହୁଏ। ଧନର ଚୌର୍ଯ୍ୟ ଭୟ ଅଛି, କିନ୍ତୁ ଈଶ୍ୱରୀୟ ଧନ ବ୍ୟକ୍ତିସତ୍ତାର ବିଲୋପ ପରେ ମଧ୍ୟ ଉଜ୍ଜୀବିତ ଥାଏ। ଈଶ୍ୱରୀୟ ପୁଞ୍ଜିର ରକ୍ଷଣାବେକ୍ଷଣ ପାଇଁ କୌଣସି ବ୍ୟାଙ୍କ କିମ୍ବା ଜଗୁଆଳିର ଆବଶ୍ୟକତା ପଡ଼ି ନ ଥାଏ। ହୃଦୟରୂପକ ବ୍ୟାଙ୍କରେ ବିନା ଜଗୁଆଳିରେ ଏହା ଛାଏଁ ଛାଏଁ ପରିବର୍ଦ୍ଧିତ ହେଉଥାଏ। ଭକ୍ତର ୧୦ଟି ଲକ୍ଷଣ ଯଥା ଅକ୍ରୋଧ, ବୈରାଗ୍ୟ, ଜିତେନ୍ଦ୍ରିୟ, କ୍ଷମା, ଦୟା, ସର୍ବଜନପ୍ରିୟତା, ନିର୍ଲୋଭ, ଦାନ, ଭୟଶୂନ୍ୟତା ଓ ଶୋକଶୂନ୍ୟତା (ଅଚ୍ୟୁତାନନ୍ଦଙ୍କ ଭକ୍ତିରସ ମାଳିକା) ଥିଲେ ମନୁଷ୍ୟ ଈଶ୍ୱରୀୟ ସତ୍ତାର ନିକଟବର୍ତ୍ତୀ ହୁଏ।
ଆଧ୍ୟାତ୍ମିକତା ଦୃଷ୍ଟିରୁ ଦାରିଦ୍ର୍ୟ ଏକ ଆପେକ୍ଷିକ ଶବ୍ଦ। ଅର୍ଥଶୂନ୍ୟତା ଦାରିଦ୍ର୍ୟ ନୁହେଁ। ମାନସିକ ଆବେଗର ଅନୁପସ୍ଥିତି ହିଁ ଦାରିଦ୍ର୍ୟ। ଏପରି ଜ୍ଞାନୋଦୟ ହେଲେ ଅର୍ଥ ତୋସରପାତ ମନୋବୃତ୍ତିରୁ ନିବୃତ୍ତି ମିଳେ ଓ ଈଶ୍ୱରୀୟ ସାନ୍ନିଧ୍ୟ ପାଇଁ ସ୍ବର୍ଗୀୟ ଲାଳସା ଜାତ ହୁଏ। ପାର୍ଥିବ ଧନସମ୍ପତ୍ତି ଆହରଣଜନିତ ସୁଖ ଅଳିକ ଓ କ୍ଷଣସ୍ଥାୟୀ। ପାର୍ଥିବ ସୁଖ କେବଳ ଧୂମ ସଦୃଶ, ଯାହା କିୟତ୍‌କାଳ ସ୍ଥାୟୀ। ଏକ କ୍ଷଣରେ ପ୍ରତିଭାତ ହୋଇ ଅନ୍ୟ କ୍ଷଣରେ ଉଭେଇଯାଏ। ମାତ୍ର ବାସ୍ତବ ସୁଖ ଚିରନ୍ତନ। ଜୀବନ ହେଉଛି ଜନ୍ମ ଓ ମୃତ୍ୟୁ ମଧ୍ୟରେ ବ୍ୟବଧାନ। ଜନ୍ମ ପୂର୍ବରୁ ଓ ମୃତ୍ୟୁ ପରେ ସମସ୍ତେ ସମାନ। ଜୀବଦ୍ଦଶାରେ କେବଳ ଦେଖାଦିଏ ଧନୀ ନିର୍ଦ୍ଧନର ପାର୍ଥକ୍ୟ। ଜୀବନକୁ ଉପଲବ୍ଧି କରିବାରେ ନିହିତ ରହିଛି ସକଳ ସୁଖର ଆଦିସତ୍ତା। ଏପରି ବୋଧଶକ୍ତିର ଅବର୍ତ୍ତମାନରେ ଅସାଧୁତାର ଜନ୍ମ। ଅସାଧୁତାରୁ ଜନ୍ମ ନିଏ ଚଞ୍ଚକତା, ଅନ୍ୟକୁ ଠକିବାର ମନୋବୃତ୍ତି। ସାଧାରଣ ସ୍ତରରେ ବିପିଏଲ୍‌ ଅନ୍ତର୍ଭୁକ୍ତ ହେବା, ରାଶନ କାର୍ଡ ଖଣ୍ଡେ ହାତେଇବା, କାଳିଆ ଯୋଜନାରୁ ଅନୁଚିତ ଫାଇଦା ଉଠାଇବା ଯେପରି ଏକ ନୀଚ ପ୍ରବୃତ୍ତି, ସେହିପରି ସାଧାରଣ ବଣ୍ଟନ ସାମଗ୍ରୀ ଲୁଣ୍ଠନ କରିବା, ସରକାରୀ ଅର୍ଥ ତୋସରପାତ କରିବା ଓ ଅସାଧୁ ଉପାୟରେ ଧନ ସଂଗ୍ରହ କରିବା ଉଚ୍ଚ ମଣିଷର ନୀଚ ପ୍ରବୃତ୍ତି।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri