ଆସୁଛି ଫଇସଲା

ଅନିଲ ବିଶ୍ୱାଳ
ସବୁଆଡେ ଗୋଟିଏ ଚର୍ଚ୍ଚା। ସୁପ୍ରିମ୍‌କୋର୍ଟରେ ବହୁଚର୍ଚ୍ଚିତ ରାମମନ୍ଦିର ସମ୍ପର୍କରେ ଦୀର୍ଘ ୭୦ ବର୍ଷ ଧରି ଚାଲିଥିବା ବିଚାରର ଫଇସଲା ଆସୁଛି। ଏହା ହେଉଛି ସ୍ବାଧୀନ ଭାରତର ସବୁଠାରୁ ଲମ୍ବା ମକଦ୍ଦମା। କେବଳ ସେତିକି ନୁହେଁ ଏ ବିବାଦରେ ଏକ ମକଦ୍ଦମା ସ୍ବାଧୀନତା ପୂର୍ବରୁ ବ୍ରିଟିଶ କୋର୍ଟରେ ବି ଚାଲିଥିଲା। ସୁପ୍ରିମ୍‌କୋର୍ଟଙ୍କ ରାୟ ଯାହା ବି ଆସିବ ତାକୁ ସମସ୍ତ ପକ୍ଷ ମାନିବେ ଏ ପ୍ରକାର ଆଶା ଓ ବିଶ୍ୱାସ ସମସ୍ତଙ୍କର ରହିଛି, କାରଣ ଗତ ୭୦ ବର୍ଷରେ ଏହି ବିବାଦର ସମାଧାନ ହୋଇପାରିଲା ନାହିଁ। ୭୦ ବର୍ଷରେ ବିଶ୍ୱର ଇତିହାସ ବହୁତ ବଦଳିଛି। ୧୯୪୫ରେ ଜର୍ମାନୀର ବିଭାଜନ ହୋଇଥିଲା। ୭୦ ବର୍ଷରେ ଜର୍ମାନୀ ପୁଣି ଏକାଠି ହୋଇ ଭାରି ଯାନ୍ତ୍ରିକ ଶିଳ୍ପରେ ବିଶ୍ୱରେ ନିଜର ପ୍ରଭାବ ଜାହିର କରିପାରିଲା। ୧୯୬୩ ମସିହାରେ ସ୍ବାଧୀନତା ପାଇଥିବା ସିଙ୍ଗାପୁର ମାତ୍ର ୩୦ବର୍ଷରେ କ’ଣ ହୋଇଗଲା ତାହା ସମସ୍ତେ ଜାଣନ୍ତି। ୭୦ ବର୍ଷ କିଛି କମ୍‌ ସମୟ ନୁହେଁ। ଗୋଟିଏ ବିବାଦୀୟ ଜମିକୁ ନେଇ ମାମଲା ୭୦ ବର୍ଷ ଚାଲିବା ବୋଧହୁଏ ବିଚାର ବ୍ୟବସ୍ଥାର ଗୋଟିଏ ଦରିଦ୍ର ଚେହେରାକୁ ଦେଖାଉଛି କହିଲେ ଭୁଲ ହେବ ନାହିଁ। ରାୟ ଯାହା ବି ଆସୁ, ତାହା କଦାପି ଦୁଇ ପକ୍ଷକୁ ଖୁସି କରି ନ ପାରେ। କିନ୍ତୁ ଏଠାରେ ସମସ୍ତଙ୍କୁ ବଡ଼ପଣ ଦେଖାଇବାକୁ ପଡ଼ିବ। ସୁନ୍ନି ଓ୍ବାକଫ୍‌ ବୋର୍ଡ ଯିଏ ଏହି ମାମଲାକୁ ୭୦ ବର୍ଷ ଧରି ଲଢ଼ିଆସିଲେ, ମାମଲା ବିଚାରର ଶେଷ ଦିନରେ ବିବାଦୀୟ ଜମିକୁ ରାମ ମନ୍ଦିର ନିର୍ମାଣ ପାଇଁ ଦିଆଯାଉ ବୋଲି ଏକ ସତ୍ୟପାଠ ଦେଇ ଦାବି କରିବା ନିଶ୍ଚିତ ଭାବେ ଯେତିକି ଖୁସିର କଥା ସେତିକି ଆଶ୍ଚର୍ଯ୍ୟର କଥା ମଧ୍ୟ। ସେ ଯାହା ବି ହେଉ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସମସ୍ତଙ୍କ ପାଇଁ ସର୍ବମାନ୍ୟ ହେଉ, ଏହା ହିଁ କାମନା।
ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ପ୍ରାୟ ସମସ୍ତେ ଏକ ରାଜନୈତିକ ବିଷୟ ଏବଂ ହିନ୍ଦ୍‌ୁ-ମୁସଲମାନ ପ୍ରସଙ୍ଗ ବୋଲି ଭାବନ୍ତି। ହେଲେ ବାସ୍ତବରେ ରାମ ମନ୍ଦିର ନିର୍ମାଣ ଏକ ରାଜନୈତିକ ବିଷୟ ନୁହେଁ, ବରଂ ଏହା ହେଉଛି ହିନ୍ଦୁମାନଙ୍କର ଆସ୍ଥା, ବିଶ୍ୱାସ ଓ ଭାବନାର କଥା। ରାମ ମନ୍ଦିର ଆନ୍ଦୋଳନ ରାଜନୈତିକ ଆନ୍ଦୋଳନ ନୁହେଁ, ଏହା ହେଉଛି ଦେଶର ସାଂସ୍କୃତିକ ସ୍ବାଧୀନତାର ଆନ୍ଦୋଳନ। ଏ ଆନ୍ଦୋଳନ ୫୦୦ ବର୍ଷର ପୁରୁଣା ଆନ୍ଦୋଳନ, ଯେତେବେଳେ ଆଜିଭଳି କଂଗ୍ରେସ କିମ୍ବା ଭାଜପା ନ ଥିଲେ। କେବେ ଏହାକୁ ସାଧୁସନ୍ଥମାନେ ଚଲାଇଥିଲେ ତ କେବେ ରାଜନେତାମାନେ ଚଲାଇଛନ୍ତି। ଗାନ୍ଧିଜୀ ଯେଉଁ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ କରିଥିଲେ ସେତେବେଳେ ରାମ ହିଁ ଥିଲେ ତାଙ୍କ ଆଦର୍ଶ। ଏହାକୁ କିନ୍ତୁ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ସବୁବେଳେ ଚିତ୍ରଣ କରାଯାଇଛି, ଯାହା ଏହି ପ୍ରସଙ୍ଗକୁ ଟିକିଏ କ୍ଷୁଣ୍ଣ କରିଛି। ବିଶେଷଭାବେ ୧୯୯୨ ମସିହାରେ ବାବ୍ରୀ ମସ୍‌ଜିଦ ଭାଙ୍ଗିବା ପରେ ଏପରି ଆରୋପ ପ୍ରତ୍ୟାରୋପ ବେଶି ହୋଇଛି।
ହେଲେ ଆମେ ଭୁଲିଯିବା ଉଚିତ ନୁହେଁ ୧୮୮୩ ମସିହାରେ ଯେତେବେଳେ ନା ଭାଜପା ଥିଲା ନା କଂଗ୍ରେସ ଥିଲା ସେତେବେଳେ ମହନ୍ତ ରଘୁବୀର ଦାସ ଅଯୋଧ୍ୟାରେ ବାବ୍ରୀ ମସ୍‌ଜିଦକୁ ଭାଙ୍ଗି ସେଠାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଦାବି କରିଥିଲେ। ରାମ ମନ୍ଦିର ନିର୍ମାଣ ଆନ୍ଦୋଳନ ଏକ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନ ଭାବେ ଲୋକଙ୍କ ଭାବପ୍ରବଣତା ସହିତ ରହିଛି। ଆନ୍ଦୋଳନର ନେତୃତ୍ୱ କିଏ କେତେବେଳେ ନେଇଛନ୍ତି ତାହା ଭିନ୍ନ କଥା କିନ୍ତୁ ଏହା ଏକ ଜନ ଆନ୍ଦୋଳନ, ଏଥିରେ କୌଣସି ସନ୍ଦେହ ନାହିଁ। ଏହା ମଧ୍ୟ ହିନ୍ଦୁ-ମୁସଲମାନ କଥା ନୁହେଁ। ୨ ବର୍ଷ ତଳେ ଉତ୍ତରପ୍ରଦେଶ ଶିୟା ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡର ଚେୟାରମ୍ୟାନ ଓ୍ବାସିମ ରିଜ୍‌ଭି ଗୋଟିଏ ଚିଠି ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ’ ବୋର୍ଡକୁ ଲେଖି କହିଥିଲେ ଯେ, ୧୫୨୮ରେ ବାବରଙ୍କ ନିର୍ଦ୍ଦେଶରେ ଅଯୋଧ୍ୟା ରାମମନ୍ଦିରକୁ ଭାଙ୍ଗି ମସ୍‌ଜିଦ ନିର୍ମାଣ ହୋଇଥିଲା। ବର୍ତ୍ତମାନ ସେହି ସ୍ଥାନରେ ପୁଣି ରାମଙ୍କ ମନ୍ଦିର ନିର୍ମାଣ ହେଉ। ଭାରତରେ ରହୁଥିବା ମୁସଲମାନଙ୍କ ଭିତରୁ ୯୯% ମୁସଲମାନଙ୍କ ପୂର୍ବପୁରୁଷ ତ କେବେ ହିନ୍ଦୁ ଥିଲେ। ସେମାନଙ୍କର ଡିଏନ୍‌ଏ ଓ ଭାରତରେ ରହୁଥିବା ୧୦୦ କୋଟି ହିନ୍ଦୁଙ୍କ ଡିଏନ୍‌ଏ ତ ପୂରା ସମାନ। ସେମାନେ ଯେତେବେଳେ ହିନ୍ଦୁ ଥିଲେ ରାମ ତାଙ୍କର ଆରାଧ୍ୟ ଥିଲେ। ଆଜି ବି ସେମାନଙ୍କ ମନରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଶ୍ରଦ୍ଧା ଅଛି।
ରାମ କିଏ? ଭାରତରେ ରହୁଥିବା ସାଧାରଣ ଲୋକଙ୍କର ପୂର୍ବପୁରୁଷ ହେଉଛନ୍ତି ରାମ। ରାମଙ୍କ ଜୀବନ ଆଦର୍ଶରେ ପରିପୂର୍ଣ୍ଣ। ପ୍ରଜାବତ୍ସଳ, ଧର୍ମପରାୟଣ, ତ୍ୟାଗପୂତ ଜୀବନ ପାଇଁ ସେ ପୂଜା ପାଆନ୍ତି। ଯୁଗ ଯୁଗ ପାଇଁ ଶ୍ରୀରାମଚନ୍ଦ୍ରଙ୍କ ଆଦର୍ଶ ଜୀବନ ପ୍ରେରଣା ହୋଇ ରହିଆସିଛି। ଇଣ୍ଡୋନେସିଆ, ବାଂଲାଦେଶ ଆଦି ମୁସଲମାନବହୁଳ ଦେଶରେ ଆଜି ବି ରାମାୟଣର ନାଟକ ପରିବେଷଣ ହୁଏ। ସେମାନଙ୍କ ଉପାସନା ପଦ୍ଧତି ବଦଳିଯାଇଛି ସତ, ପ୍ରଭୁ ରାମଙ୍କ ପ୍ରତି ଥିବା ଶ୍ରଦ୍ଧା କମିନି। ରାମଙ୍କ ଚରିତ୍ରରୁ ସମାଜକୁ ଦିଗ୍‌ଦର୍ଶନ ମିଳେ। ଆଉ ସେପଟେ ବାବର ଜଣେ ଅନୁପ୍ରବେଶକାରୀ ଲୁଟେରା ହୋଇ ଭାରତକୁ ଆସିଥିଲେ। ଉଜ୍‌ବେକିସ୍ତାନରେ ଜନ୍ମିତ ବାବର କାବୁଲରେ ବାରମ୍ବାର ଯୁଦ୍ଧ ହାରିଲା ପରେ ଭାରତ ଆସିଥିଲେ। ବାବରଙ୍କୁ ତାଙ୍କ ଜନ୍ମସ୍ଥାନ କାବୁଲରେ ଜଣେ ପରାଜିତ ସୈନିକ ଭାବେ ମାନନ୍ତି।
ଏ ମାମଲା କେବଳ ମନ୍ଦିର-ମସ୍‌ଜିଦର ମାମଲା ନୁହେଁ କି ଜମି ବିବାଦର ମାମଲା ନୁହେଁ। ଅଯୋଧ୍ୟାରେ ୨ଥର ଖୋଦେଇ ହୋଇଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା। ୧୯୭୭ରେ ଯେତେବେଳେ ବାବ୍ରୀ ମସ୍‌ଜିଦ ଥିଲା ଓ ୨୦୦୩ରେ ଯେତେବେଳେ ବାବ୍ରୀ ମସ୍‌ଜିଦ ଭାଙ୍ଗି ଯାଇଥିଲା, ଦୁଇ ଥର ଯାକ ଖୋଦେଇରେ ମନ୍ଦିର ଥିବାର ପ୍ରମାଣ ମିଳିଛି। ୧୯୭୭ରେ ହୋଇଥିବା ଖୋଦେଇରେ ଏଏସ୍‌ଆଇର ଅଧିକାରୀ ବି.ବି. ଲାଲ୍‌, କେ.କେ. ମହମ୍ମଦ ସାମିଲ ଥିଲେ। ମସ୍‌ଜିଦର ତଳେ ବିଭିନ୍ନ ଖମ୍ବ ମିଳିଲା, ଯେଉଁଠି ହିନ୍ଦୁ ଦେବତାଙ୍କର ମୂର୍ତ୍ତି ଥିଲା। ହିନ୍ଦୁମାନଙ୍କ ପୂଜା ପଦ୍ଧତିର ଚିତ୍ର ଥିଲା। ନିଜେ କେ.କେ. ମହମ୍ମଦ ନିଜର ବହି ‘ମେ ହୁଁ ଭାରତୀୟ’ରେ ଏ କଥା ଉଲ୍ଲେଖ କରିଛନ୍ତି ଓ ଏ କଥା ମଧ୍ୟ ଲେଖିଛନ୍ତି, କିପରି ତାଙ୍କ ଉପରେ ମୁସଲମାନ ନେତାମାନେ ଚାପ ପକାଉଥିଲେ ସେଠାରେ ମନ୍ଦିର ନ ଥିଲା ବୋଲି ରିପୋର୍ଟ ଦେବା ପାଇଁ। ୨୦୦୩ରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ୱିତୀୟ ଥର ପାଇଁ ଖୋଦେଇ ହୋଇଥିଲା। ସେତେବେଳେ ହୋଇଥିବା ଖୋଦେଇ ଠିକ୍‌ ମସ୍‌ଜିଦ ଯେଉଁଠି ଥିଲା ସେଇଠି ହୋଇଥିଲା, କାରଣ ବାବ୍ରୀ ଢାଞ୍ଚା ଭାଙ୍ଗିଯାଇଥିଲା। ସେଠାରେ ସେତେବେଳେ ୮୫ଟା ଖମ୍ବ ମିଳିଲା। ଖୋଦେଇ ବେଳେ ଦୁଇ ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ରହୁଥିଲେ, ଖୋଦେଇରେ କାମ କରୁଥିବା ଶ୍ରମିକମାନେ ବି ଅଧା ମୁସଲମାନ ଓ ଅଧା ହିନ୍ଦୁ ଥିଲେ। ଏଏସ୍‌ଆଇର ବିଶେଷଜ୍ଞ କମିଟିରେ ବି ଅଧା ହିନ୍ଦୁ ଓ ଅଧା ମୁସଲମାନ ଥିଲେ। ଖୋଦେଇରେ ଗୋଟିଏ ଶିଳାଲେଖ ମିଳିଲା, ଯାହାକୁ ଏବେ ‘ବିଷ୍ଣୁହରି ଶିଳାଲେଖ’ ବୋଲି କୁହାଯାଉଛି। ୫ ଫୁଟ୍‌ ଲମ୍ବ, ୨ ଫୁଟ୍‌ ଚଉଡ଼ା, ୨୦ ଲାଇନ ଲେଖାଥିବା ଏହି ଶିଳାଲେଖରେ ଲେଖାହୋଇଛି କି ବିଦ୍ୱାନ୍‌ଶ୍ରେଷ୍ଠ ମହାରାଜା ଗୋବିନ୍ଦଚନ୍ଦ୍ର ଏଠାରେ ଭବ୍ୟ ରାମମନ୍ଦିର ନିର୍ମାଣ କରିଛନ୍ତି। ଆଉ ଏକ ଲେଖା ମିଳିଲା ମସ୍‌ଜିଦ ଉପରେ। କୁତ୍‌ବୁଦ୍ଦିନ ଆଇବାକ୍‌ଙ୍କ ଦ୍ୱାରା ଏହି ଲେଖାରେ ଲେଖାଯାଇଛି କି ହିନ୍ଦୁମାନଙ୍କ ଉପରେ ମୁସଲମାନଙ୍କର ବିଜୟ ହୋଇଛି। ୨୭ ମନ୍ଦିରକୁ ଭାଙ୍ଗି ଏହି ମସ୍‌ଜିଦ ନିର୍ମାଣ ହୋଇଛି। ଏବେ ଅପେକ୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ। କ’ଣ ରାୟ ଦେଉଛନ୍ତି ବିଚାରପତି। ଐତିହାସିକ ତଥ୍ୟ ପ୍ରମାଣର ଆଧାର ଏବଂ ଲୋକଙ୍କ ଭାବନାକୁ ଅଦାଲତ କେତେ ଗୁରୁତ୍ୱର ସହିତ ନେଉଛନ୍ତି ତାହା ଦେଖିବାକୁ ଲୋକେ ଚାହିଁ ରହିଛନ୍ତି।
ହରିରାଜପୁର, ପୁରୀ, ମୋ- ୯୪୩୮୫୭୯୨୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ମହିଳାଙ୍କ ବର୍ଜ୍ୟମୁକ୍ତ ଅଭିଯାନରେ ଗୋଟିଏ ସହରର ୪୦ ପ୍ରତିଶତ ଲୋକ ସାମିଲ ହେବା କିଛି କମ୍‌ କଥା ନୁହେଁ। ମହାରାଷ୍ଟ୍ରର ମହାଡା ସହରର ମମତା...

କରୋନା ଲଢ଼େଇର ମହାନାୟକମାନେ

ଅନିଲ କୁମାର ବିଶ୍ୱାଳ କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ ା ସାରା ବିଶ୍ୱରେ ଏକ କଳାବାଦଲ ଛାଇ ଯାଇଛି...

ଋଣ ପରିଶୋଧ

ରଞ୍ଜନ କୁମାର ଦାସ ଭାରତୀୟ ପ୍ରଶାସନିକ ସେବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟରେ ଚଣ୍ଡିଗଡ଼ ଯାଇଥିଲି। ମାସେକାଳ ଧରି ଚାଲିବାକୁ ଥିବା ଏହି...

ହିଜାବ ପ୍ରସଙ୍ଗ

ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କୁ କର୍ନାଟକର ଉଡୁପି ଓ କୁନ୍ଦପୁରର ସରକାରୀ କଲେଜରେ ପ୍ରବେଶ ଅନୁମତି ନ ମିଳିବାରୁ ତାହାକୁ ନେଇ ବିବାଦ ଲାଗିରହିଛି। ଏପରି...

ଅରୁଚିକର ରାଣେ

କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ୨୪ ଅଗଷ୍ଟରେ ଗିରଫ କରିଛି। ୨୩ ଅଗଷ୍ଟରେ ଜନଆଶୀର୍ବାଦ...

କ୍ଷୁଧାମୁକ୍ତ ବିଶ୍ୱ ପ୍ରୟାସ

ଗ୍ଲୋରିଆ ଅବ୍ରାହମ୍‌ ପରାଲ୍ଟା ଏକ ଅନୁକୂଳ, ନିଷ୍ପକ୍ଷ ତଥା ଅଧିକ ସ୍ଥାୟୀ କୃଷି ବାଣିଜ୍ୟ ବ୍ୟବସ୍ଥାକୁ ଫେରିବା ପାଇଁ ଆମକୁ ଉତ୍ତମ ବୈଶ୍ୱିକ ନୀତିନିୟମ ତଥା...

ଏଇ ଭାରତରେ

ପଞ୍ଜାବରେ କେତେକ ସରକାରୀ ସ୍କୁଲରେ ପିଲାମାନେ ପଢିବା ସହ ସ୍କୁଲ ବଗିଚାରେ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମନ୍‌ସା...

ଏଇ ଭାରତରେ

ବାଦ୍ୟଯନ୍ତ୍ର ପ୍ରତି ଏକ ପରିବାରର ଆସକ୍ତି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପରିବାର ରହୁଛନ୍ତି କେରଳର ପାଲକ୍କଡଠାରୁ ୧୫ କି.ମି. ଦୂର ପେରୁଭେମ୍ବା...

Advertisement
Archives

Model This Week