ଆଗାମୀ ଓଡ଼ିଶା ବଜେଟର ଆର୍ଥିକ ଦିଗ

ନଟବର ଖୁଣ୍ଟିଆ

ବିଜୁ ଜନତା ଦଳ (ବିଜେଡି) ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱରେ କ୍ରମାନ୍ବୟରେ ୨୦୦୦ ମସିହାରୁ ପାଞ୍ଚ ପାଞ୍ଚଟା ନିର୍ବାଚନ ଜିଣି ୨୦୨୪ ପର୍ଯ୍ୟନ୍ତ ୨୪ ବର୍ଷ ଧରି ଶାସନ କଲା। ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ଏପରି ସୁଯୋଗ ଅନ୍ୟ କେହି ସରକାର ଓ ମୁଖ୍ୟମନ୍ତ୍ରୀ ଅତୀତରେ ପାଇ ନ ଥିଲେ। କିନ୍ତୁ ଗତ ମେ ମାସରେ ହୋଇଥିବା ନିର୍ବାଚନରେ ବିଜେଡି ହାରିଗଲା । ଭାରତୀୟ ଜନତା ପାର୍ଟି (ଭାଜପା)ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ମୋହନ ଚରଣ ମାଝୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ସରକାର ଗଢିଛି। ଏହି ଜୁଲାଇ ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ନିଜେ ମୁଖ୍ୟମନ୍ତ୍ରୀ, ଯେହେତୁ ଅର୍ଥ ବିଭାଗ ତାଙ୍କ ଅଧୀନରେ ଅଛି।
ପୂର୍ବ ସରକାର ନିର୍ବାଚନ ଆସୁଥିବାରୁ ଭୋଟ ଅନ ଆକାଉଣ୍ଟ ବଜେଟ ଫେବୃଆରୀ ୮ ତାରିଖରେ ଉପସ୍ଥାପନ କରି ପ୍ରଥମ ୪ମାସ ପାଇଁ ବ୍ୟୟ ବରାଦ କରିଥିଲେ। ସେହି ଅନ୍ତରୀଣ ବଜେଟରେ ଆକଳନ କରାଯାଇଥିଲା ଏ ବର୍ଷର ବଜେଟର ମୋଟ ପରିମାଣ ହେବ ୨ ଲକ୍ଷ ୫୫ ହଜାର କୋଟି ଟଙ୍କା। କିନ୍ତୁ ଭାଜପା କ୍ଷମତାକୁ ଆସିଥିବାରୁ ଏବଂ ତା’ର ନିର୍ବାଚନୀ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିବାରୁ ବଜେଟ୍‌ର ସ୍ବରୂପ ବଦଳିବ। ସେଥି ମଧ୍ୟରୁ କେତୋଟି ମୁଖ୍ୟ ପ୍ରତିଶ୍ରୁତି ହେଲା ମହିଳାମାନଙ୍କୁ ଦୁଇବର୍ଷ ପାଇଁ ୫୦ ହଜାର ଟଙ୍କାର ଭାଉଚର ଦେବେ। ବୃଦ୍ଧାବୃଦ୍ଧମାନଙ୍କୁ ମାସିକ ବାର୍ଦ୍ଧକ୍ୟଭତ୍ତା ୧୦୦୦ ଟଙ୍କାରୁ ୩୦୦୦ ଟଙ୍କା କରିବେ ଆଉ ଯେଉଁମାନଙ୍କର ବୟସ ୮୦ ବର୍ଷରୁ ଊଦ୍ଧର୍‌ବ ସେମାନଙ୍କର ଭତ୍ତା ୧୨୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିବେ। ତା’ଛଡା ଧାନର ଏମ୍‌ଏସ୍‌ପି ମୂଲ୍ୟ ଉପରେ ବୋନସ ଦେଇ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବେ। ଏହା ବ୍ୟତୀତ ଆଉ ଅନେକ ପ୍ରତିଶ୍ରୁତି ଦିଆଯାଇଛି। ଯେପରିକି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଆଦି ସ୍ଥାପନ। ଜୁଲାଇ ୧୨ରେ ମୁଖ୍ୟମନ୍ତ୍ରୀ ବଜେଟ ପରାମର୍ଶଦାତା କମିଟି ଡାକି ଅନେକଙ୍କର ମତ ନେଇଥିଲେ। ଖବର ପ୍ରକାଶ ପାଇଛି ଯେ ସରକାର ଅନ୍‌ଲାଇନରେ ବଜେଟ ପାଇଁ ୧୨,୦୦୦ ପ୍ରସ୍ତାବ ପାଇଛନ୍ତି। ଏସବୁକୁ ବିଚାର କଲେ ବଜେଟ୍‌ର ଆକାର ଯେଉଁ ୨ ଲକ୍ଷ ୫୫ ହଜାର ଟଙ୍କା ଅନ୍ତରୀଣ ବଜେଟରେ କରାଯାଇଥିଲା ତାହା ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇବ ବୋଲି ପ୍ରାଥମିକ ଆକଳନ କରାଯାଉଛି।
ଏକ ମୋଟାମୋଟି ହିସାବରେ ଆମେ ଆକଳନ କରୁଛୁ ଯେ, ଯଦି ବାର୍ଦ୍ଧକ୍ୟଭତ୍ତାକୁ ୧୦୦୦ ଟଙ୍କାରୁ ୩୦୦୦ ଟଙ୍କା କରାଯାଏ ଏବଂ ଯେଉଁମାନେ ୮୦ ବର୍ଷରୁ ଊଦ୍ଧର୍‌ବ ସେମାନଙ୍କ ଭତ୍ତା ୧୨୦୦ ଟଙ୍କାରୁ ୩୫୦୦ ଟଙ୍କା କରାଯାଏ ତେବେ ଅଧିକ ବ୍ୟୟ ହେବ ୧୪ହଜାର କୋଟି ଟଙ୍କା। ଆମର ବର୍ତ୍ତମାନ ବାର୍ଦ୍ଧକ୍ୟଭତ୍ତା ପାଉଛନ୍ତି ୫୭ ଲକ୍ଷରୁ ଅଧିକ ହିତିଧିକାରୀ ଆଉ ସେମାନଙ୍କ ମଧ୍ୟରୁ ୨ ଲକ୍ଷରୁ ଅଧିକ ହେଉଛନ୍ତି ୮୦ ବର୍ଷରୁ ଊଦ୍ଧର୍‌ବ। ଧାନ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ଉପରେ ୮୦୦ ଟଙ୍କା ବୋନସ ଦେଲେ ଏବର୍ଷ ଯଦି ୮୦ ଲକ୍ଷ ଟନ୍‌ ଧାନ କିଣାଯିବ ତେବେ ମୋଟ ଖର୍ଚ୍ଚ ହେବ ୬୪୦୦କୋଟି ଟଙ୍କା। ଆମର ନିକଟରେ ହୋଇଥିବା ନିର୍ବାଚନରୁ ଜଣାଯାଏ ମହିଳା ଭୋଟରଙ୍କ ସଂଖ୍ୟା ୧୬୩ ଲକ୍ଷ। ଯଦି ଚଳିତ ବର୍ଷ ୨୫ ହଜାର ଟଙ୍କା ସେମାନଙ୍କୁ ଭାଉଚର ଦିଆଯାଏ ସେହି ବାବଦରେ ଖର୍ଚ୍ଚ ହେବ ୪୦.୭୫ ହଜାର କୋଟି ଟଙ୍କା। ମୋଟ ଏହି ତିନିଗୋଟି ମୁଖ୍ୟ ପ୍ରତିଶ୍ରୁତି ପାଇଁ ଅଧିକ ଖର୍ଚ୍ଚ ହେବ ୬୨.୨୫ ହଜାର କୋଟି ଟଙ୍କା। ରାଉଣ୍ଡ ଅପ୍‌ କଲେ ଆବଶ୍ୟକ ହେବ ଅଧିକ ୬୩ ହଜାର କୋଟି ଟଙ୍କା। ଅନ୍ତରୀଣ ବଜେଟରେ ବ୍ୟୟ ବରାଦ ହୋଇଛି ୨ ଲକ୍ଷ ୫୫ ହଜାର କୋଟି ଟଙ୍କା ଆଉ ଯଦି ଏହି ୬୩ ହଜାର କୋଟିକୁ ଯୋଡ଼ି ଦିଆଯାଏ ତେବେ ମୋଟ ବ୍ୟୟ ବରାଦ ହେବ ଅତିକମ୍‌ରେ ୩ ଲକ୍ଷ ୧୮ ହଜାର କୋଟି ଟଙ୍କା। ପୂର୍ବତନ ସରକାର ଯେଉଁସବୁ ଲୋକପ୍ରିୟ ଯୋଜନାରେ ଅର୍ଥ ବ୍ୟୟ କରୁଥିଲେ ସେସବୁକୁ ହଠାତ୍‌ ବନ୍ଦ କରିବାକୁ ନୂଆ ସରକାର ସାହସ କରିବେ ନାହିଁ।
ଏବେ ଆସନ୍ତୁ ଦେଖିବା ଆମର ଆର୍ଥିକ ସ୍ଥିତି କ’ଣ ଅଛି। ସରକାରଙ୍କ ହିସାବ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ନିଜସ୍ବ ଆୟ, କେନ୍ଦ୍ର ଟିକସର ଭାଗ, କେନ୍ଦ୍ରର ଅନୁଦାନକୁ ବିଚାରକୁ ନେଲେ ହେଉଛି ୨ ଲକ୍ଷ ୪ ହଜାର କୋଟି ଟଙ୍କା। ଅବଶିଷ୍ଟ ୫୧ ହଜାର କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ଋଣ ଆଣିବାକୁ ପଡ଼ିବ। ଯଦି ଏବେ ଏହି ଅଧିକ ୬୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତେବେ ଋଣ ପରିମାଣ ହୋଇଯିବ ୧ଲକ୍ଷ ୧୪ ହଜାର କୋଟି ଟଙ୍କା।
କେନ୍ଦ୍ର ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଋଣ ଓ ରାଜ୍ୟ ମୋଟ ଘରୋଇ ଉତ୍ପାଦର ଅନୁପାତ ସର୍ବୋଚ୍ଚ ୨୫ ପ୍ରତିଶତ ହେବା କଥା। କିନ୍ତୁ ପୂର୍ବତନ ରାଜ୍ୟ ସରକାର ନିଜର ଅର୍ଥକୁ ସୁଚାରୁରୂପେ ପରିଚାଳନା କରି ଏହି ଅନୁପାତକୁ ୧୩.୦୬ ପ୍ରତିଶତ ମଧ୍ୟରେ ରଖି ସାରା ଦେଶରେ ଉଦାହରଣ ସୃଷ୍ଟି କରିିଛନ୍ତି ବୋଲି କୁହାଯାଉଛି।
ଅର୍ଥନୀତିରେ ଋଣ କରିବା କିଛି ଖରାପ କଥା ନୁହେଁ। ଋଣ ଏକ ଧାରୁଆ ଅସ୍ତ୍ର । ଯଦି ଡାକ୍ତର ଧାରୁଆ ଅସ୍ତ୍ରକୁ ସଦ୍‌ବ୍ୟବହାର କରିବେ ରୋଗୀକୁ ମରଣ ମୁଖରୁ ରକ୍ଷା କରିପାରିବେ, ଯଦି ଠିକ୍‌ ଭାବରେ ବ୍ୟବହାର କରିପାରିବେ ନାହିଁ ତେବେ ରୋଗୀକୁ ମରଣ ମୁଖକୁ ନେଇଯିବେ। ସେହିପରି ଗୋଟିଏ ସରକାର ଯଦି ଋଣ ଆଣି ଏପରି କାର୍ଯ୍ୟରେ ଲଗାଇବେ ଯେପରି ଦୀର୍ଘମିଆଦୀ ଭିତ୍ତିଭୂମି ସୃଷ୍ଟିକରି ସେହି ଭିତ୍ତିଭୂମିରୁ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା ସହିତ ଉତ୍ପାଦନ କରି ଲାଭବାନ ହେବେ, ତେବେ ସୁଧ ସହ ଋଣର କିସ୍ତି ସହଜରେ ପରିଶୋଧ କରି ପାରିବେ ଓ ଅର୍ଥନୀତିର ବିକାଶ ହେବ। ଋଣର ସଦ୍‌ବ୍ୟବହାର ନ ହେଲେ ଆମ ଅର୍ଥନୀତି ଭାଙ୍ଗିପଡ଼ିବ। ଆଜି କର୍ନାଟକ ସରକାର ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେହି ଅବସ୍ଥା ସୃଷ୍ଟି ହେବ।
ସରକାର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଯେଉଁ ଅଧିକ ଅର୍ଥ ଦରକାର କରିବେ ତାହା କେନ୍ଦ୍ର ସରକାରଙ୍କଠାରୁ ଅନୁଦାନ ରୂପେ, ନିଜର ଟିକସ ଆୟ ବୃଦ୍ଧି କରି ଓ ଅନାବଶ୍ୟକ ଖର୍ଚ୍ଚ କାଟ୍‌ କରି ଏବଂ ସର୍ବଶେଷରେ ଋଣ କରି ଯୋଗାଡ଼ କରି ପାରିବେ। ନିଜର ଆୟ ବୃଦ୍ଧି କରିବା ସହଜ ହେବ ନାହିଁ। ତେଲ ଉପରେ ଅଧିକ ଟିକସ ବସାଇଲେ ବିରୋଧ ହେବ। ଯେହେତୁ ନିଶା ନିବାରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି ଅବକାରୀ ଟିକସରୁ ଆୟ ବଢ଼ି ନ ପାରେ। ଦୁହାଁଳିଆ ଗାଈ ଖଣି ଖାଦାନ କ୍ଷେତ୍ର। ଆଉ କେତେ ତାକୁ ଦୁହିଁବେ?
କେନ୍ଦ୍ର ସରକାର କ’ଣ ଓଡ଼ିଶାର ଦାବି ସମ୍ପୂର୍ଣ୍ଣ ଭାବରେ ପୂରଣ କରିବେ? ଏବେ କେନ୍ଦ୍ରସରକାରଙ୍କ ଦୁଇ ଆଶାବାଡ଼ି ହୋଇଥିବା ଆନ୍ଧ୍ର ପ୍ରଦେଶର ନାଇଡୁ ସରକାର ଓ ବିହାରର ନୀତୀଶ କୁମାର ସରକାର ଅଧିକ ଅର୍ଥ ଦାବି କରୁଛନ୍ତି। ଏପରି ସ୍ଥଳେ କେନ୍ଦ୍ର ସରକାର କ’ଣ ଅଧିକ ଅନୁକମ୍ପା ଦେଖାଇବେ ଓଡ଼ିଶାକୁ? ଓଡ଼ିଶା ସରକାର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବା ସହିତ ଆର୍ଥିକ ଶୃଙ୍ଖଳାକୁ କିପରି ଏଫ୍‌ଆର୍‌ବିଏମ୍‌ ସୀମା ମଧ୍ୟରେ ରଖୁଛନ୍ତି ଦେଖିବାର କଥା। ଅର୍ଥ ବିଭାଗର ବିଶେଷଜ୍ଞମାନେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ କିପରି ଭାବରେ ପରାମର୍ଶ ଦେଇ ନୂଆ ସରକାରଙ୍କ ପ୍ରଥମ ବଜେଟକୁ ଜନସାଧାରଣଙ୍କ ମଧ୍ୟରେ ଓ ଓଡ଼ିଶାର ଅର୍ଥନୀତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ସଚେତନ ନାଗରିକମାନଙ୍କୁ ସନ୍ତୁଷ୍ଟ କରାଇ ପାରିବେ ତାହା ଦେଖିବାର କଥା। ଆମର ଏକ ପ୍ରସ୍ତାବ ହେଲା ମହିଳାମାନଙ୍କୁ ଯେଉଁ ବାର୍ଷିକ ୨୫ ହଜାର ଟଙ୍କାର ଭାଉଚର ଦିଆଯିବ ତାହା କେବଳ ଗୋଟିଏ ପରିବାରର ଜଣେ ମହିଳାଙ୍କୁ ଦିଆଯାଉ।
ଓଡ଼ିଶାବାସୀ ବଜେଟ ଉପସ୍ଥାପନ ଦିବସକୁ ଚାତକ ପରି ଚାହିଁ ବସିଛନ୍ତି। ସକାଳ ଦିନଟି କିପରି ହେବ ବୋଲି ସୂଚାଇଲା ପରି ନୂଆ ସରକାରଙ୍କ ପ୍ରଥମ ବଜେଟରୁ ଭବିଷ୍ୟତରେ ଓଡ଼ିଶାର ଦୀର୍ଘ ସ୍ଥାୟୀ ବିକାଶକୁ କିପରି ତ୍ୱରାନ୍ବିତ କରିବ ତାହା ଜଣା ପଡ଼ିବ।
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri