Advertisement
Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଶ୍ରୀଲଙ୍କା ମୁକାବିଲା

ଲିଡ୍ସ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଶୁକ୍ରବାର ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟର ଏହି ୨୭ତମ ମ୍ୟାଚ୍‌ ଶ୍ରୀଲଙ୍କା ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ, ଦୁଇଟି ପରାଜୟ ଓ ଦୁଇଟି ବିନା ଫଳାଫଳ ସହ ୪ ପଏଣ୍ଟ ହାସଲ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଫଳରେ ସେମି ଫାଇନାଲ ଦୌଡରେ ସ୍ଥିତି ବଜାୟ ରଖିବାକୁ ହେଲେ ଶ୍ରୀଲଙ୍କାକୁ ଏବେ ବାକିଥିବା ୪ଟି ମ୍ୟାଚ୍‌ରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ତେଣୁ ବିଜୟ ହାସଲ ଛଡ଼ା ଶ୍ରୀଲଙ୍କା ପାଇଁ ଅନ୍ୟ ରାସ୍ତା ନାହିଁ। ୧୯୯୬ ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଟାଇଟଲ ଜିତିଥିବା ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏହାପରେ ଦୁଇଟି ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା। ଗତ ସପ୍ତାହରେ ଶ୍ରୀଲଙ୍କା ୮୭ ରନରେ ଲଣ୍ଡନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଏବେ ଇଂଲଣ୍ଡ ବିପକ୍ଷରେ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ସ୍ବତନ୍ତ୍ର ପ୍ରଦର୍ଶନ କରିବାକୁ ହେବ।
ଘରୋଇ ପରିବେଶରୁ ଫାଇଦା ଉଠାଇ ଫେଭରାଇଟ ବିବେଚିତ ହେଉଥିବା ଇଂଲଣ୍ଡ ଏବେ ବେଶ୍‌ ଶକ୍ତିଶାଳୀ ମନେହେଉଛି। ୫ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ ଖେଳି ୪ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଇଂଲଣ୍ଡ କେବଳ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡର ବ୍ୟାଟିଂ ଏବେ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛି। ୫ଟିରୁ ୪ଟି ମ୍ୟାଚ୍‌ରେ ଇଂଲଣ୍ଡ ୩୦୦ରୁ ଊର୍ଦ୍ଧ ରନ ସଂଗ୍ରହ କରିଥିଲା। ଏଥିମଧ୍ୟରୁ ବାଂଲାଦେଶ ବିପକ୍ଷରେ ଇଂଲଣ୍ଡ ୩୮୬/୬ ଓ ଆଫଗାନିସ୍ତାନ ବିପକ୍ଷରେ ୩୯୭/୬ ରନ ସ୍କୋର କରିଥିଲା। ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡର ୫ଜଣ ବ୍ୟାଟ୍ସମ୍ୟାନ ଶ୍ରେଷ୍ଠ ୧୦ଜଣ ସର୍ବାଧିକ ସ୍କୋର ହାସଲକାରୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ହୋଇଥିବା ୧୨ଟି ଶତକରୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ନାମରେ ୫ଟି ରହିଛି। ଯଦିଓ ତାରକା ଓପନର ଜାସନ ରୟ ଇଞ୍ଜୁରି କାରଣରୁ ଦଳରେ ନ ଥିଲେ ମଧ୍ୟ ଇଂଲଣ୍ଡ ପ୍ରଦର୍ଶନରେ କୌଣସି ଫରକ ପଡିନାହିଁ। ଆଫଗାନିସ୍ତାନ ବିପକ୍ଷରେ ମୋର୍ଗାନ ୧୪୮ ରନର ଧୂଆଁଧାର ପାଳି ଖେଳିଥିଲେ। ଏହି ଇନିଂସରେ ସେ ୧୭ଟି ଛକା ମାରି ବିଶ୍ୱରେକର୍ଡ ସ୍ଥାପନ କରିଥିଲେ ଓ ଇଂଲଣ୍ଡ ୬ ଉଇକେଟ ହରାଇ ୩୯୭ ରନ ସ୍କୋର କରିଥିଲା। ଇଂଲଣ୍ଡ ଏବେ ଅପରାଜେୟ ମନେହେଉଛି।
ଇଂଲଣ୍ଡକୁ ରୋକିବାକୁ ହେଲେ ଶ୍ରୀଲଙ୍କାକୁ ଦମ୍‌ଦାର ପ୍ରଦର୍ଶନ କରିବାକୁ ହେବ। ଲସିଥ ମାଲିଙ୍ଗା ଓ ନୂଆନ ପ୍ରଦୀପଙ୍କ ଭଳି ଦ୍ରୁତ ବୋଲରଙ୍କୁ ମଧ୍ୟ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିବାକୁ ହେବ। ଶ୍ରୀଲଙ୍କାର ବ୍ୟାଟିଂ ମଧ୍ୟ ଆଶାନୁରୂପ ହୋଇପାରିନାହିଁ। ଶ୍ରୀଲଙ୍କା ମିଡିଲ ଅର୍ଡର ଏପର୍ଯ୍ୟନ୍ତ ସବୁବେଳେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କା ୧୪ ରନରେ ୫ ଉଇକେଟ ହରାଇଥିଲା ଓ ଶେଷରେ ୧୩୬ ରନରେ ଅଲଆଉଟ ହୋଇଥିଲା। ସେହିପରି ଆଫଗାନିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ରନ କରି ଅଲଆଉଟ ହୋଇଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ୩୬ ରନରେ ୭ ଉଇକେଟ ହରାଇ ବପର୍ଯ୍ୟୟର ଶିକାର ହୋଇଥିଲା। ଗତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କା ଭଲ ଆରମ୍ଭ କରି ୩ ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲା। ତେବେ ଶେଷରେ ୨୪୭ ରନରେ ଅଲଆଉଟ ହୋଇଥିଲା। ତେଣୁ ବ୍ୟାଟିଂରେ ଥିବା ଅସ୍ଥିରତାକୁ ଶ୍ରୀଲଙ୍କାକୁ ସୁଧାରିବାକୁ ପଡିବ। ଜୋଫ୍ରା ଆର୍ଚର, ମାର୍କ ଉଡଙ୍କ ଭଳି ଦ୍ରୁତ ବୋଲରଙ୍କୁ ସାମନା କରିବାକୁ ହେଲେ ଶ୍ରୀଲଙ୍କାକୁ ଅସାଧାରଣ ବ୍ୟାଟିଂ ପ୍ରଦର୍ଶନ କରିବାକୁ ହେବ। ଆର୍ଚର ଏପର୍ଯ୍ୟନ୍ତ ୧୨ ଓ ଉଡ ୯ଟି ଉଇକେଟ ଅକ୍ତିଆର କରିଛନ୍ତି। ଶ୍ରୀଲଙ୍କାକୁ ହରାଇ ଇଂଲଣ୍ଡ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ୍‌ କୁରାନ, ଲିଅମ ଡସନ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଧନଞ୍ଜୟ ଡି ସିଲଭା, ନୂଆନ ପ୍ରଦୀପ, ଅଭିଷ୍କା ଫର୍ଣ୍ଣାଣ୍ଡୋ, ସୁରଙ୍ଗ ଲକମଲ, ଲସିଥ୍‌ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ, କୁଶଲ ମେଣ୍ଡିସ୍‌, ଜୀବନ ମେଣ୍ଡିସ୍‌, କୁଶଲ ପେରେରା, ଥିସାରା ପେରେରା, ମଲିନ୍ଦା ସିରିବର୍ଦ୍ଧନେ, ଲାହିରୁ ଥିରିମାନେ, ଇସୁରୁ ଉଡାନା ଓ ଜେଫ୍ରି ଭାନଡେରସେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ: ଲାବୁସ୍କାନ

ମେଲବୋର୍ନ,୨।୧(ପି.ଟି.): ଗତ ଦୁଇଟି ଟେଷ୍ଟରେ ଆମେ ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ ବୋଲି ଅଷ୍ଟ୍ରେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ ସ୍ବୀକାର କରିଛନ୍ତି। ଭାରତୀୟ...

ଆଡିଲେଡ୍‌ ଓଭାଲରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୯।୫: ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆଡିଲେଡ୍‌ ଓଭାଲ ଗ୍ରାଉଣ୍ଡରେ ଦିବାରାତ୍ର ତଥା ପିଙ୍କ୍‌ବଲ୍‌ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଉଭୟ...

ଶ୍ରୀଲଙ୍କାକୁ ୨୦୦ ରନ୍‌ର ଟାର୍ଗେଟ୍‌

ଲକ୍ଷ୍ନୌ,୨୪।୨: ଅଟଳ ବିହାରୀ ବାଜପେୟୀକ୍ରିକେଟ ଷ୍ଟାଡିୟମରେ ଗୁରୁବାର ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୧୯୯...

ଇଟାଲିଆନ ଓପନ୍‌: ସ୍ବିଟେକ ଚାମ୍ପିୟନ

ରୋମ,୧୭।୫: ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟରେ ପୋଲାଣ୍ଡର ଇଗା ସ୍ବିଟେକ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ଫ୍ରେଞ୍ଚ ଓପନ୍‌ ଚାମ୍ପିୟନ...

କୋହଲିଙ୍କ ଶତକ ପରେ ମୁଣ୍ଡ ନୁଆଁଇ ସଲାମ୍‌ କଲେ ବୃଦ୍ଧ; ଭାଇରାଲ ଭିଡିଓ ଦେଖିଲେ…

ଦୁବାଇ,୯।୯: ଭାରତ-ଆଫଗାନିସ୍ତାନ ମଧ୍ୟରେ ଗୁରୁବାର ଖେଳାଯାଇଥିବା ଏସିଆ କପ୍‌ ସୁପର-୪ ମୁକାବିଲାରେ ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ବିରାଟ କୋହଲି। ସେ...

ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ...

ରୋମାଣ୍ଟିକ୍‌ ଅନ୍ଦାଜରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କଲେ ଏହି କ୍ରିକେଟର୍‌

ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନଙ୍କ ମଙ୍ଗଳବାର ନିର୍ବନ୍ଧ ଶେଷ ହୋଇଛି। ଦୀର୍ଘ ଦିନ ଧରି ପ୍ରେମ ସମୟରେ ରହିବା ପରେ ଗର୍ଲଫ୍ରେଣ୍ଡ କ୍ୟାଥରିନା ମିଗୁଏଲଙ୍କ...

ପ୍ରଥମ ଟି୨୦; ବାୟୁ ପ୍ରଦୂଷଣ ନେଇ ସମସ୍ୟା ନାହିଁ: ରୋହିତ

ନୂଆଦିଲ୍ଲୀ, ୧।୧୧ (ପି.ଟି.)- ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି ଓ ଏନେଇ ଗଣମାଧ୍ୟମଗୁଡିକରେ ବେଶ୍‌ ଚର୍ଚ୍ଚା ଚାଲିଛି। ଆସନ୍ତା ୩...

Advertisement
Archives

Model This Week