ଅବାସ୍ତବ ଚାଷୀଙ୍କ ଆୟବୃଦ୍ଧି ଲକ୍ଷ୍ୟ

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ
ଚାଷୀଙ୍କ ଆୟ ୬ ବର୍ଷରେ ଦୁଇଗୁଣା ବଢ଼ିବ କି ନାହିଁ ତାହାକୁ ନେଇ ଚିନ୍ତା କରିବା ପ୍ରାୟ ସମସ୍ତେ ଛାଡ଼ି ଦେଇଥିବା ବେଳେ ଭାରତର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି କିନ୍ତୁ ବର୍ଷକରେ ଦେଢ଼ଗୁଣା ବଢ଼ି ସାରିଛି। ଅର୍ଥନୈତିକ ପତ୍ରିକା ‘ଫୋର୍ବସ’ ଅନୁସାରେ ୬ା୧୨ା୨୦୧୯ ତାରିଖରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ଥିଲା ୫୯.୯ ବିଲିୟନ ଡଲାର ବା ପ୍ରାୟ ୪ ଲକ୍ଷ ୨୫ ହଜାର କୋଟି ଟଙ୍କା। ମାତ୍ର ବର୍ଷକ ତଳେ ତାଙ୍କ ସମ୍ପତ୍ତିର ପରିମାଣ ୪୦.୧ ବିଲିୟନ ଡଲାର ଥିଲା। ଅର୍ଥାତ୍‌ ବର୍ଷକରେ ବଢ଼ିଲା ୪୯.୪% ବା ପ୍ରାୟ ଦେଢ଼ ଗୁଣା। ଏବେ ଆସିବା କୃଷକଙ୍କ ଆୟକୁ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଜାରି କରିଥିବା ଜିଡିପି ତଥ୍ୟ ଅନୁସାରେ କୃଷିକ୍ଷେତ୍ରର ବୃଦ୍ଧି ହାର ୨୦୧୯-୨୦ ବର୍ଷର ପ୍ରଥମ ତ୍ରିମାସୀରେ ଥିଲା ମାତ୍ର ୨% ଓ ଦ୍ୱିତୀୟ ତ୍ରିମାସୀରେ ଥିଲା ୨.୧%। ପୂର୍ବ ବର୍ଷର ଏହି ଦୁଇ ତ୍ରିମାସୀରେ କୃଷିକ୍ଷେତ୍ରର ବୃଦ୍ଧି ହାର ଥିଲା ଯଥାକ୍ରମେ ୫.୧% ଓ ୪.୯%। ଅର୍ଥାତ୍‌ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ଅଧାରୁ ଅଧିକ ହ୍ରାସ ପାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆୟ ଦୁଇଗୁଣା କରିବୁ ବୋଲି ପ୍ରଥମେ ଘୋଷଣା କରିଥିଲେ ୨୮ା୦୨ା୨୦୧୬ ତାରିଖରେ। ପରେ ସରକାରଙ୍କ ଏହା ସବୁଠାରୁ ବଡ଼ ଲକ୍ଷ୍ୟ ମଧ୍ୟରୁ ଗୋଟିଏ ବୋଲି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ସଂସଦ ଭିତରେ ଓ ବାହାରେ ବାରମ୍ବାର ଦୋହରାଇଛନ୍ତି। ଏହି ଘୋଷଣା ଅନୁସାରେ ୨୦୧୬ ବର୍ଷକୁ ମୂଳ ବର୍ଷ ହିସାବରେ ନେଇ ୬ ବର୍ଷରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ହେବା କଥା। ସେହି ୬ ବର୍ଷ ମଧ୍ୟରୁ ଅଧା ସରିଗଲାଣି। ଏହି ତିନି ବର୍ଷରେ ଚାଷୀଙ୍କ ଆୟ କେତେ ବଢି ସାରିଲାଣି ତାହା କିନ୍ତୁ ସରକାର ପ୍ରକାଶ କରିନାହାନ୍ତି। ବଢୁଛି ନା ନାହିଁ ତାହାକୁ ନେଇ ବି ଘୋର ଶଙ୍କା ଉଠିଲାଣି। ୩୧ା୦୮ା୨୦୧୯ରେ ‘ବିଜ୍‌ନେସ ଷ୍ଟାଣ୍ଡାର୍ଡ’ ପତ୍ରିକାରେ ରାଜଲକ୍ଷ୍ମୀ ନିର୍ମଳ ଉଲ୍ଲେଖ କରିଥିଲେ ଯେ, ବିଗତ ଦଶବର୍ଷର ପ୍ରଥମ ପାଞ୍ଚବର୍ଷ ବା ୨୦୦୯-୧୦ରୁ ୨୦୧୩-୧୪ ମଧ୍ୟରେ ଖାଦ୍ୟଶସ୍ୟର ବାର୍ଷିକ ହାରାହାରି ଉତ୍ପାଦନ ହାର ୫% ଥିଲା। କିନ୍ତୁ ପର ପାଞ୍ଚବର୍ଷରେ ବଢିବ କ’ଣ ଓଲଟି ତାହା ୩%କୁ ଖସି ଯାଇଥିଲା। ଏହି ବୃଦ୍ଧି ହାର କେତେ ନିକୃଷ୍ଟ ତାହା ଜଣାପଡ଼େ ଚାଷୀଙ୍କ ଆୟ ଦୁଇଗୁଣ କେମିତି ହୋଇପାରିବ ତାହା ସ୍ଥିର କରିବା ପାଇଁ କେନ୍ଦ୍ର ସରକାର କୃଷି ବିଭାଗର ବରିଷ୍ଠ ଅଧିକାରୀ ଅଶୋକ ଦଳୱାଇଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ଆନ୍ତଃମନ୍ତ୍ରଣାଳୟ କମିଟିର ଆକଳନରୁ। ଦଲୱାଇ ଓଡ଼ିଶା କ୍ୟାଡରର ଜଣେ ଦକ୍ଷ ଆଇଏଏସ୍‌ ଅଫିସର ତଥା ନିଜେ କୃଷି ବିଜ୍ଞାନରେ ଉଚ୍ଚ ଶିକ୍ଷାପ୍ରାପ୍ତ ଅଟନ୍ତି। ତାଙ୍କ କମିଟିରେ ଅନ୍ୟ ବିଶେଷଜ୍ଞ ମଧ୍ୟ ଥିଲେ। ସେହି କମିଟି ହିସାବ କରିଥିଲା ଯେ, ଯଦି ୨୦୧୫-୧୬ ବର୍ଷ ତୁଳନାରେ ୨୦୨୨-୨୩ ସୁଦ୍ଧା ଭାରତର ଚାଷୀଙ୍କ ଆୟ ଦୁଇଗୁଣା କରିବାର ଅଛି ତେବେ ଏହି ଛଅବର୍ଷର ପ୍ରତ୍ୟେକ ବର୍ଷ ଚାଷୀଙ୍କ ପ୍ରକୃତ ଆୟ ବାର୍ଷିକ ହାରାହାରି ୧୦.୪୧% ହାରରେ ବଢ଼ିବା ଦରକାର। ୨୦୦୨-୦୩ରୁ ୨୦୧୨-୧୩ ମଧ୍ୟରେ ଚାଷୀଙ୍କ ପ୍ରକୃତ ଆୟ ମୋଟେ ୩.୫% ହାରରେ ହିଁ ବୃଦ୍ଧି ପାଇଥିଲା। ଅନ୍ୟ ଭାବରେ କହିଲେ, ଚାଷୀଙ୍କ ଆୟକୁ ୬ବର୍ଷରେ ଦୁଇଗୁଣ କରିବା ପାଇଁ ପ୍ରକୃତ ଆୟରେ ବୃଦ୍ଧି ହାର ପୂର୍ବ ୧୦ ବର୍ଷରେ ଯାହା ରହିଥିଲା ତାହାଠାରୁ ଆହୁରି ତିନି ଗୁଣା ବଢ଼ାଇବାର ଆବଶ୍ୟକତା ଅଛି।
ଗଭୀର ଚିନ୍ତାର ବିଷୟ ହେଲା ଯେ ‘ଚାଷୀଙ୍କ ଆୟ ଦୁଇଗୁଣା ବୃଦ୍ଧି’କୁ ସରକାର ତାଙ୍କର ପ୍ରମୁଖ ଲକ୍ଷ୍ୟ କହୁଥିବା ବେଳେ ଚାଷୀଙ୍କ ଆୟ ଗତ ତିନିବର୍ଷରେ କେତେ ବଢିଛି ତାହା କହିବା ବେଳକୁ ସରକାରଙ୍କ ମୁହଁରେ ତାଲା ପଡିଯାଉଛି। ତାଲା ପଡୁଛି କାରଣ ସରକାର ଚାଷୀଙ୍କ ଆୟ ମାପିବାର ପ୍ରଚେଷ୍ଟା ହିଁ କରିନାହାନ୍ତି। ଗତ ୬ା୧୨ା୨୦୧୯ ତାରିଖରେ ରାଜ୍ୟ ସଭାରେ ଏକ ସିଧା ପ୍ରଶ୍ନ ଥିଲା ‘୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ଚାଷୀଙ୍କ ବାର୍ଷିକ ଆୟରେ ବୃଦ୍ଧି ହାର କେତେ ଥିଲା?’ ସରକାର ଯଦି ଚାଷୀଙ୍କ ଆୟରେ ବୃଦ୍ଧିକୁ ନେଇ ଚିନ୍ତିତ ତେବେ ଏହାର ଏକ ସିଧା ଉତ୍ତର ଆସିବା କଥା କିନ୍ତୁ ମନ୍ତ୍ରୀ ମହୋଦୟ କହିଲେ ଯେ, ଏହି ତିନିବର୍ଷରେ ଚାଷୀଙ୍କ ଆୟ ମାପିବା ପାଇଁ କୌଣସି ସର୍ଭେ ହୋଇନାହିଁ। ଓଲଟା ମନ୍ତ୍ରୀ ୨୦୧୩ ମସିହାରେ ଏନ୍‌ଏସ୍‌ଏସ୍‌ଓ କରିଥିବା ସର୍ଭେର ତଥ୍ୟ ରଖିଥିଲେ ଯାହାର ପ୍ରଶ୍ନ ସହିତ କିଛି ବି ସମ୍ପର୍କ ନ ଥିଲା। ନେଡିଗୁଡ଼ କହୁଣିକୁ ବୋହିବା ବେଳକୁ କେନ୍ଦ୍ର ସରକାର ଗତ ୨୩ା୦୧ା୨୦୧୯ ତାରିଖରେ ଅଶୋକ ଦଲୱାଇଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାପ୍ରାପ୍ତ କମିଟି ଗଠନ କରିଛନ୍ତି, ଯାହାର କାର୍ଯ୍ୟ ହେଲା ଦଲୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ପୂର୍ବ ଆନ୍ତଃମନ୍ତ୍ରଣାଳୟ କମିଟିର ସୁପାରିସଗୁଡିକ କେତେ କାର୍ଯ୍ୟକାରୀ ହୋଇଛି ତାହାକୁ ପରଖିବା ତଥା ନିର୍ଦ୍ଧାରିତ କାର୍ଯ୍ୟପନ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗ, ସଂସ୍ଥା ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମନ୍ବୟ ରଖିବା। ଦଲୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ପୂର୍ବ କମିଟି ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ତିନିଟି ପ୍ରମୁଖ ସ୍ତମ୍ଭର ଆବଶ୍ୟକତା ଥିବା ଚିହ୍ନଟ କରିଥିଲେ। ପ୍ରଥମଟି ହେଲା, ଫସଲଗୁଡ଼ିକର ଉତ୍ପାଦକତା ବଢ଼ାଇ ମୋଟ ଅମଳ ବଢାଇବା, ଦ୍ୱିତୀୟଟି ହେଲା ଉପଲବ୍ଧ ସମ୍ବଳର ଠିକ୍‌ ଉପଯୋଗ କରି ଖର୍ଚ୍ଚକୁ କମାଇବା ଏବଂ ତୃତୀୟଟି ହେଲା ଚାଷୀଙ୍କୁ ତାଙ୍କ ଉତ୍ପାଦର ଲାଭପ୍ରଦ ମୂଲ୍ୟ ଯୋଗାଇବା। ଏବେ ପ୍ରଥମ ସ୍ତମ୍ଭକୁ ଦେଖିବା। ଫସଲର ଉତ୍ପାଦନ ବିଭିନ୍ନ ବର୍ଷରେ ତଳ ଉପର ହୋଇଥାଏ କିନ୍ତୁ ଏହା ଅଳ୍ପ ହାରରେ ହେଉ ପଛେ ହାରାହାରି ଭାବରେ ବଢିଚାଲିଛି। ତେବେ ଏହା ଏକ ନିରାଟ ବାସ୍ତବତା ଯେ ଫସଲର ମୋଟ ଉତ୍ପାଦନ ସହିତ ଚାଷୀ ଆୟର ପ୍ରତ୍ୟକ୍ଷ ସମ୍ପର୍କ ପ୍ରାୟ ନାହିଁ। ଉତ୍ପାଦନ ବଢ଼ିଲେ ଚାଷୀ ବିପତ୍ତିରେ ପଡି ଅତି କମ୍‌ ଦରରେ ବିକିବାର ଉଦାହରଣ ନିତିଦିନିଆ ଘଟଣା ହୋଇଗଲାଣି। ଅଧିକ ଦିନ ସାଇତା ହୋଇ ରହୁଥିବା ଶସ୍ୟଗୁଡ଼ିକ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଜଟିଳ ହେବାରେ ଲାଗିଛି। ଚାଷ ଖର୍ଚ୍ଚ କମାଇ ଚାଷୀଙ୍କ ଆୟ ବଢ଼ାଇବା ଆଉ ଏକ ମାଧ୍ୟମ ବୋଲି ଚିହ୍ନଟ ହୋଇଛି। କିନ୍ତୁ ଚାଷ ଖର୍ଚ୍ଚ କମିବାର କୌଣସି ସୂଚନା ମିଳୁନାହିଁ ବରଂ ଚାଷୀଙ୍କ ନିଜ ଅନୁଭୂତି ତଥା ସରକାରଙ୍କ ଦ୍ୱାରା ହେଉଥିବା ଖର୍ଚ୍ଚର ଆକଳନ ଅନୁସାରେ ଚାଷ ଖର୍ଚ୍ଚ ବଢି ହିଁ ଚାଲିଛି। ତୃତୀୟଟି ହେଲା, ଚାଷୀଙ୍କୁ ଲାଭଜନକ ମୂଲ୍ୟ ଯୋଗାଇବା। କେବଳ ଧାନ ଓ ଗହମକୁ ଛାଡିଦେଲେ ସରକାର ଚାଷୀଙ୍କୁ ଲାଭଜନକ ମୂଲ୍ୟ ଯୋଗାଇବା ପାଇଁ ପ୍ରାୟ କିଛି କରିନାହାନ୍ତି। ସରକାରଙ୍କ ଏମ୍‌ଏସ୍‌ପି ବା ସର୍ବନିମ୍ନ ଦର ପ୍ରତିଶ୍ରୁତିର ଲାଭ ଖୁବ୍‌ କମ୍‌ ଚାଷୀ ଓ ଖୁବ୍‌ କମ୍‌ ଅଞ୍ଚଳରେ ହିଁ ମିଳେ। ସରକାରଙ୍କ ‘ଇ-ନାମ’ ଯୋଜନା ଏବେ ବି ପ୍ରାୟ ବସ୍ତାନି ଭିତରେ।
ମୋଟାମୋଟି ଭାବରେ ଦେଖିଲେ ଚାଷୀଙ୍କ ଆୟ ୬ବର୍ଷରେ ଦୁଇଗୁଣ ବଢ଼ାଇବା ଲକ୍ଷ୍ୟ ହାସଲ କରିବା ପାଇଁ ସରକାର କିଛି ଠୋସ୍‌ ଉଦ୍ୟମ ଓ ଯୋଜନା କରିଥିବାର ଆଦୌ ସୁରାକ ମିଳୁନାହିଁ। ସରକାର ବୋଧହୁଏ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବଢ଼ାଇବାରେ ବେଶି ଆଗ୍ରହୀ। ଏଣେ ଚେରମୂଳ ଶଢ଼ିବାରେ ଲାଗିଲାଣି, ଚାଷ ବୁଡିବାକୁ ଲାଗିଲାଣି। ସରକାର ଏହି ସତ୍ୟତାକୁ ହୃଦୟଙ୍ଗମ କରିବା ଦରକାର। ଗଣମାଧ୍ୟମ, ସାଧାରଣ ଜନତା, ରାଜନୈତିକ ଦଳ ଆଦି ଚାଷୀଙ୍କ ପକ୍ଷ ନେଇ ସରକାରଙ୍କୁ ଏହି ବିଷୟରେ ଉତ୍ତରଦାୟୀ କରିବାର ଆବଶ୍ୟକତା ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗରିକତା ବନାମ ମାନବିକତା

ବୈକୁଣ୍ଠନାଥ ମିଶ୍ର ନାଗରିକତ୍ୱ ସଂଶୋଧନ ଆଇନ ପ୍ରଣୀତ ହେବା ଦିନଠାରୁ ଅନେକ ଆଲୋଚନା, ପର୍ଯ୍ୟାଲୋଚନା, ତର୍କ, ବିତର୍କ, ସପକ୍ଷ ଓ ବିପକ୍ଷବାଦୀଙ୍କ ଆନ୍ଦୋଳନ ଭାରତର ରାଜନୈତିକ...

ସମ୍ପାଦକୀୟ/ଦୁଃଖଭୋଗ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁମାନ କରିଛି ଯେ, ଆସନ୍ତା ୩ ଦିନ ଧରି ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ। କେତେକ ସ୍ଥାନରେ ତାପମାତ୍ରା...

ଅଭିଭାବକଙ୍କ ଦାୟିତ୍ୱ

ଡ. ଚିନ୍ତାମଣି ପଣ୍ଡା ନିଜର ଦୋଷତ୍ରୁଟିକୁ ଆଖିବୁଜି ଦେଇ ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ବୋଧହୁଏ ଏବେକାର ତଥାକଥିତ ସଭ୍ୟସମାଜର ଏକ ସହଜାତ ପ୍ରବୃତ୍ତି। ସେହି...

ମହାନତିର ସାବିତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା ହୋଇଛି ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍, ଅନ୍ଧାଧୁନ୍, ପଦ୍ମାବତ୍, ବଧାଈ ହୋ ଅାଦି ହିନ୍ଦୀ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ ପ୍ରସାଦ ରାଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଲାଗି ଅଣ୍ଟା ଭିଡ଼ିବା ସହ ଆଦିବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବାରେ ବି ସଫଳ ହୋଇଛନ୍ତି।...

ଖାପ୍‌ ପଞ୍ଚାୟତ ଓ ପୋଲିସ ସଂସ୍କାର

ଯୁଧିଷ୍ଠିର ମହାରଣା   ଜାତି , ଗୋଷ୍ଠୀ ବା ପରିବାରର ମାନସମ୍ମାନ ରକ୍ଷା ନଁାରେ ଅନେକ ଅପରାଧ ସଂଘଟିତ ହୋଇଥାଏ। ଏଥିପାଇଁ ଭାରତୀୟ ସମାଜରେ ପ୍ରଚଳିତ...

ପାହାଡ଼ ମଣିଷ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପୁଣ୍ୟ ଅର୍ଜନ କରି ପାରଲୌକିକ ସୁଖ ଲାଭ କରିବା ପାଇଁ ମନ୍ଦିର, ମସ୍‌ଜିଦ,...

ପୁଣି ମଦ

ପ୍ରକାଶ ତ୍ରିପାଠୀ କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିଲାବେଳେ କେତେକ ସର୍ତ୍ତରେ ମଦଦୋକାନ ଖୋଲିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡଲାଇନ୍‌ ଜାରି କରିଥିଲେ। କିଛି...

Advertisement
Archives

Model This Week