ଅବହେଳିତଙ୍କ ସ୍ବର ଆଜି ନିଷ୍ପ୍ରଭ

ଡ. ସନ୍ତୋଷ କୁମାର ମହାପାତ୍ର
ସମ୍ପ୍ରତି ବିଶ୍ୱରେ ଉଭୟ ରାଜନୈତିକ, ଅର୍ଥନୈତିକ ଦୃଶ୍ୟପଟରେ ଯେଉଁ ବଡ଼ ପରିବର୍ତ୍ତନ ଘଟୁଛି ସେଥିରେ ଧନୀ ଅଧିକ ଧନୀ, କ୍ଷମତାଶାଳୀ ଅଧିକ କ୍ଷମତାଶାଳୀ ହେଲାବେଳେ ଗରିବ, ଅବହେଳିତଙ୍କ ସ୍ବର କ୍ରମଶଃ ଦୁର୍ବଳ ହୋଇଯାଉଛି। ଶୋଷଣ, ଲୁଣ୍ଠନ ଓ ଆର୍ଥିକ ବୈଷମ୍ୟ ଦ୍ରୁତଗତିରେ ବୃଦ୍ଧିପାଉଛି। ମୁକ୍ତ ଅର୍ଥନୀତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ପ୍ରଚଳନ ହେବା ସହିତ ରାଷ୍ଟ୍ର ତାହାର ଜନହିତକର କାର୍ଯ୍ୟରୁ କ୍ରମଶଃ ଅପସରିଯିବା ଯୋଗୁ କ୍ଷମତାଶାଳୀ, ପୁଞ୍ଜିପତି, ଶିଳ୍ପପତି ତଥା ଧନିକ ଶ୍ରେଣୀଙ୍କ ଆଧିପତ୍ୟ ବୃଦ୍ଧିପାଇଛି। ଅଭିବୃଦ୍ଧି ସୁଫଳର ମୁଖ୍ୟଭାଗ ତାଙ୍କ ନିକଟକୁ ଯାଉଛି। ମୁକ୍ତ ବଜାର ଅର୍ଥନୀତି ଆଜି କ୍ରୋନି କ୍ୟାପିଟାଲିଜମ୍‌ ବା ଅନ୍ତରଙ୍ଗ ପୁଞ୍ଜିବାଦ ଦ୍ୱାରା କବଳିତ। ମୁକ୍ତ ବଜାର ଅର୍ଥନୀତିର ତତ୍ତ୍ୱ ଅନୁଯାୟୀ ଯାହାର ଦକ୍ଷତା ଅଛି ସେ ଅଗ୍ରଗତି କରିବ। ରାଷ୍ଟ୍ର କୌଣସି ହସ୍ତକ୍ଷେପ କରିବ ନାହିଁ। କିନ୍ତୁ ବର୍ତ୍ତମାନ କ୍ରୋନି କ୍ୟାପିଟାଲିଜମ୍‌ର ଆଧିପତ୍ୟ ଯୋଗୁ ରାଷ୍ଟ୍ର ନିରପେକ୍ଷ ନ ରହି ବୃହତ୍‌ କମ୍ପାନୀ, ବିତ୍ତୀୟ ଓଲିଗାର୍ଚ୍ଚି ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛି। ବୃହତ୍‌ କମ୍ପାନୀଗୁଡ଼ିକ ସରକାରଙ୍କ ବିଭିନ୍ନ ସିଦ୍ଧାନ୍ତରେ ହସ୍ତକ୍ଷେପ କରି ଅଧିକ ରିହାତି, ସୁବିଧା ସୁଯୋଗ ଲାଭ କରୁଛନ୍ତି। ଫଳରେ ଗରିବ, ସାଧାରଣ ଜନତା ବଞ୍ଚିତ ହେଉଛନ୍ତି ଏବଂ ଆର୍ଥିକ ବୈଷମ୍ୟ ବୃଦ୍ଧି ପାଉଛି।
ଯଦି କୌଣସି ସରକାର ବୃହତ୍‌ ଦେଶୀ ବିଦେଶୀ କମ୍ପାନୀ, ବିଶ୍ୱବିତ୍ତ ପୁଞ୍ଜି କଥାକୁ ଗୁରୁତ୍ୱ ନ ଦିଏ ତେବେ ସେମାନେ ସେ ଦେଶର ପୁଞ୍ଜି ପ୍ରତ୍ୟାହାର କରି ଷ୍ଟକ୍‌ ମାର୍କେଟର ପତନ ଘଟାଇ ଅର୍ଥନୀତିକୁ ବିପର୍ଯ୍ୟୟ ମୁଖକୁ ଠେଲି ଦେଇଥାନ୍ତି। ଫଳରେ ଯିଏ ଦେଶର ଶାସକ ତାଙ୍କ ହାତରେ ପ୍ରକୃତ କ୍ଷମତା ନ ରହି ତାହା ବଡ଼ ବଡ଼ କମ୍ପାନୀଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି। ବର୍ତ୍ତମାନ ଭାରତ ସମେତ ବିଶ୍ୱବ୍ୟାପୀ ଯେଉଁ କର୍ପୋରେଟ ଟିକସ ହ୍ରାସ, ସୁଧ ହାର ହ୍ରାସର ପ୍ରତିଯୋଗିତା ଚାଲିଛି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ଅଶୀ ଦଶକରେ ବିଶ୍ୱରେ ହାରାହାରି କର୍ପୋରେଟ ଟିକସ ୩୮. ୮୪% ଥିଲା ବେଳେ ବର୍ତ୍ତମାନ ଏହା ୨୩.୦୩%କୁ ହ୍ରାସ ପାଇଛି। ଆମେରିକାରେ ଟ୍ରମ୍ପ ସରକାର ଡିସେମ୍ବର ୨୦୧୭ରେ କର୍ପୋରେଟ ଟିକସ ହାର ୩୫%ରୁ ୨୧%କୁ ହ୍ରାସ କରିଛନ୍ତି। ଭାରତ ସରକାର ନିକଟରେ ୩୦%ରୁ ୨୨%କୁ ହ୍ରାସ କରିଛନ୍ତି। ସବୁ ଦେଶ ମଧ୍ୟରେ ଏପରି ପ୍ରତିଯୋଗିତା ହେବା ଯୋଗୁ ବଡ଼ ବଡ଼ କମ୍ପାନୀଗୁଡ଼ିକର ଲାଭ ବୃଦ୍ଧି ପାଉଛି। କିନ୍ତୁ ଅପରପକ୍ଷରେ ସରକାର ରାଜସ୍ବ ହରାଇବା ଯୋଗୁ ଋଣ ବୃଦ୍ଧି ପାଉଛି। ଆବଶ୍ୟକ ସମ୍ବଳ ଅଭାବରୁ ସରକାର ବିଭିନ୍ନ ଜନହିତକର ତଥା ସାମାଜିକ କ୍ଷେତ୍ରରେ ବ୍ୟୟ ହ୍ରାସ କରୁଛନ୍ତି। ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ଏହି ପ୍ରକ୍ରିୟା ଆମ ଦେଶରେ ବର୍ତ୍ତମାନ ବ୍ୟାପକ। ଏହାଦ୍ୱାରା ରାଷ୍ଟ୍ରର ସମ୍ପଦ କିଛି ଘରୋଇ ବ୍ୟକ୍ତି ହାତକୁ ଚାଲିଯାଉଛି। ଉଦାରୀକରଣ ପ୍ରକ୍ରିୟାରେ ପ୍ରତିଯୋଗିତାର ବାତାବରଣ ସୃଷ୍ଟିକରି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଏକଚାଟିଆ କାରବାର ରୋକି ଦକ୍ଷତା ବୃଦ୍ଧି ଏବଂ ଜନସାଧାରଣଙ୍କୁ ଭଲ ସେବା ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଘରୋଇ ଉଦ୍ୟୋଗର ଏକଚାଟିଆ କାରବାର ବୃଦ୍ଧି ପାଇଛି, ଯାହା ସାଧାରଣ ଜନତାଙ୍କ ସ୍ବାର୍ଥକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଲାଭକୁ ପ୍ରାଧାନ୍ୟ ଦେଉଛି। ନିଯୁକ୍ତି ସୃଷ୍ଟି କରିବାକୁ ଗୁରୁତ୍ୱ ଦେଉନାହିଁ। ସେହିପରି ସୁଧହାର ହ୍ରାସ ପ୍ରତିଯୋଗିତାରେ ସଞ୍ଚୟକାରୀ କ୍ଷତିଗ୍ରସ୍ତ ହେଲାବେଳେ କମ୍ପାନୀଗୁଡ଼ିକର ସୁଧ ପ୍ରଦାନ ଜନିତ ପରିବ୍ୟୟ ହ୍ରାସ ପାଇ ଲାଭ ବୃଦ୍ଧିପାଉଛି। ଏହାର ସୁପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁନାହିଁ।
ଅନେକ ସମୟରେ ବିଭିନ୍ନ ସରକାର, ରାଜନେତା ଦୁର୍ନୀତି, କଳାଟଙ୍କା ବିରୋଧରେ ସ୍ଲୋଗାନ ଦେବା ସହିତ ତାହା ବିରୋଧରେ ଲଢ଼େଇ କରୁଛନ୍ତି ବୋଲି କହିଥାନ୍ତି। ଲୋକମାନେ ମଧ୍ୟ ସେ କଥାକୁ ବିଶ୍ୱାସ କରିଥାନ୍ତି। କିନ୍ତୁ ଦୁର୍ନୀତିର ମୂଳ ଉତ୍ସ ହେଉଛି ନିର୍ବାଚନ ପ୍ରକ୍ରିୟା। ସବୁ ଦଳ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରନ୍ତି। ବିନା କଳାଟଙ୍କା ଓ ଦୁର୍ନୀତିରେ କ’ଣ ଏହା ସମ୍ଭବ। ପୁନଶ୍ଚ ବିଶ୍ୱରେ ୮୨ଟି ପାଖାପାଖି ଟ୍ୟାକ୍ସ ହାଭେନ ରହିଛି; ଯେଉଠି କଳାଟଙ୍କା ରଖାଯାଇଥାଏ। ସେଠି ଟଙ୍କା ରଖିଲେ ଟିକସ ପଡ଼େ ନାହିଁ ବା କମ୍‌ ପଡ଼େ। ଟଙ୍କା ରଖିଥିବା ଲୋକଙ୍କ ନାମ ଗୋପନ ରଖାଯାଏ। ବଡ଼ ବଡ଼ ରାଷ୍ଟ୍ରର ମୁଖ୍ୟମାନେ ଦୁର୍ନୀତି ବିରୋଧରେ କହିଲା ବେଳେ ସେହି ଟ୍ୟାକ୍ସ ହାଭେନର ବିଲୋପ ପାଇଁ କାହିଁକି ଚେଷ୍ଟା କରୁନାହାନ୍ତି। ବାସ୍ତବରେ ଧନିକଶ୍ରେଣୀ, ଶିଳ୍ପପତି, ବଡ଼ ବଡ଼ ନେତାଙ୍କ କଳାଟଙ୍କା ରଖିବା ପାଇଁ ସେସବୁର ସୃଷ୍ଟି; ଯାହା ସାଧାରଣ ଲୋକ ଜାଣନ୍ତି ନାହିଁ। ଏହି ପ୍ରକ୍ରିୟା ଦ୍ୱାରା ଭାରତ ପରି ବିଭିନ୍ନ ରାଷ୍ଟ୍ରରୁ ଅର୍ଥ ସେସବୁ ସ୍ଥାନକୁ ଚାଲିଯାଉଛି ଏବଂ ସମ୍ବଳ ଅଭାବ ଯୋଗୁ ସରକାର ଖର୍ଚ୍ଚ କାଟ କରୁଛନ୍ତି। ପୁନଶ୍ଚ ସମ୍ପ୍ରତି ଅପରାଧରେ ସମ୍ପୃକ୍ତ ବା ଧନିକ ଶ୍ରେଣୀର ବ୍ୟକ୍ତି ପ୍ରତି ନିର୍ବାଚନରେ ଅଧିକ ମାତ୍ରାରେ ବିଧାନସଭା ବା ସଂସଦକୁ ନିର୍ବାଚିତ ହୋଇଯାଉଛନ୍ତି। ମନ୍ତ୍ରିମଣ୍ଡଳରେ ମଧ୍ୟ ସେମାନଙ୍କ ସଂଖ୍ୟା ବୃଦ୍ଧିପାଉଛି। ଫଳରେ ସେମାନେ ଯେଉଁ ସିଦ୍ଧାନ୍ତ ନେଉଛନ୍ତି ସାଧାରଣ ଜନତା ବା ଗରିବମାନଙ୍କ ସପକ୍ଷବାଦୀ ନ ହୋଇ ଧନିକ ଶ୍ରେଣୀଙ୍କୁ ସୁହାଇଲା ପରି ହେଉଛି। ବିଶ୍ୱରେ ମଧ୍ୟ ବିଭିନ୍ନ ଦେଶରେ ଏହି ପ୍ରକ୍ରିୟା ଦେଖାଦେଇଛି।
ସାଧାରଣତଃ ଅବହେଳିତ ଜନତାଙ୍କ ସମସ୍ୟା କଥା ଗଣମାଧ୍ୟମ କହିଥାଏ। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଦର୍ଶାଇଥାଏ। ଯେଉଁ ଦେଶର ଗଣମାଧ୍ୟମ ଯେତିକି ନିରପେକ୍ଷ, ସ୍ବଚ୍ଛ ସେ ଦେଶର ଗଣତନ୍ତ୍ର ସେତିକି ସୁଦୃଢ଼ ଓ ସାଧାରଣ ଜନତାଙ୍କ ସ୍ବର ସେପରି ସରକାର ନିକଟରେ ପହଞ୍ଚିଥାଏ। କିନ୍ତୁ ବିଶ୍ୱବ୍ୟାପୀ ଗଣମାଧ୍ୟମର ସ୍ବାଧୀନତା ଆଜି ନିମ୍ନମୁଖୀ। କ୍ଷମତାଶାଳୀ, ପ୍ରଭାବଶାଳୀ ତାଙ୍କ ସ୍ବାର୍ଥ ପାଇଁ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି। ଫ୍ରିଡମ୍‌ ହାଉସର ଫ୍ରିଡମ୍‌ ଇନ୍‌ ଦି ଓ୍ବାର୍ଲଡର ତଥ୍ୟ ଅନୁସାରେ ଗତ ଦଶନ୍ଧିରେ ବିଶ୍ୱବ୍ୟାପୀ ଗଣମାଧ୍ୟମର ସ୍ବାଧୀନତା ହ୍ରାସ ପାଇଛି। ବିଭିନ୍ନ ବୃହତ୍‌ ଗଣତାନ୍ତ୍ରିକ ଦେଶରେ ଦେଶବାସୀ ନିରପେକ୍ଷ ଖବର ପାଇବାରେ ସମ୍ପୂର୍ଣ୍ଣ ବିଫଳ ହେଉଛନ୍ତି। ଏହି ପ୍ରକ୍ରିୟା ବିଶେଷ ଭାବେ ବିଭିନ୍ନ ଦେଶରେ ଦକ୍ଷିଣପନ୍ଥୀ ସରକାରଙ୍କ ଅଭ୍ୟୁଦୟ ଯୋଗୁ ଘଟୁଛି। ‘ରିପୋର୍ଟର ଓ୍ବିଦାଉଟ୍‌ ବୋର୍ଡସ’ ଦ୍ୱାରା ପ୍ରକାଶିତ ବିଶ୍ୱ ପ୍ରେସ ସ୍ବାଧୀନତା ସୂଚକାଙ୍କରେ ଉଭୟ ଭାରତ ଓ ଆମେରିକାର ସ୍ଥିତି ଗତ କିଛିବର୍ଷ ହେବ ନିମ୍ନଗାମୀ ହୋଇଛି। ବର୍ତ୍ତମାନ ବିଶ୍ୱରେ ବିତର୍କ ଲଢ଼େଇ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ମଧ୍ୟରେ ସୀମିତ ନ ରହି ଗଣତନ୍ତ୍ର ବନାମ ଓଲିଗାର୍ଚ୍ଚି ସ୍ତରକୁ ଆସିଛି। ଓଲିଗାର୍ଚ୍ଚି ଅର୍ଥ ଏକ ଦେଶର କିଛି ହାତଗଣତି ଲୋକଙ୍କ ହାତରେ କ୍ଷମତା ରହିବା। ଡେମୋକ୍ରାସି ପର୍‌ସିପଶନ ଇଣ୍ଡେକ୍ସ ୨୦୧୮ ଅନୁସାରେ ଭାରତ, ଆମେରିକା ସହିତ ୨୪ଟି ରାଷ୍ଟ୍ରର ୨୫୦ କୋଟି ଜନତା ବିପନ୍ନ ଗଣତନ୍ତ୍ରର ସମ୍ମୁଖୀନ ହୋଇଛନ୍ତି। ଗଣତନ୍ତ୍ର ନିମ୍ନମୁଖୀ ହେବା ଅର୍ଥ ସାଧାରଣ ଜନତାଙ୍କ ସ୍ବର ବିଲୀନ ହୋଇଯିବା।
ପୁଣି ପ୍ରଥମଥର ପାଇଁ ବିଶ୍ୱରେ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମିଳିତ ଜାତିସଂଘର ଚିରନ୍ତନ ଉନ୍ନୟନ ଲକ୍ଷ୍ୟ (ଏସ୍‌ଡିଜି) ୨୦୧୮ ରିପୋର୍ଟ ଅନୁସାରେ ଭୋକିଲାଙ୍କ ସଂଖ୍ୟା ଯାହା ବିଶ୍ୱରେ ୨୦୧୫ରେ ୭୭.୭ କୋଟି ଥିଲା ତାହା ୨୦୧୬ରେ ୮୧.୫ କୋଟିକୁ ବୃଦ୍ଧିପାଇଛି। ଭାରତରେ ସେହି ସମୟରେ ୧୯.୦୭ କୋଟି ଭୋକିଲା ଅଛନ୍ତି। ଅପରପକ୍ଷରେ ହିଂସା, ଅଶାନ୍ତି ବ୍ୟାପକ ଭାବେ ବିଶ୍ୱରେ ବୃଦ୍ଧିପାଇଛି, ଯାହାର ଶିକାର ଗରିବମାନେ ବେଶି ହେଉଛନ୍ତି। ଏବେ ବିଶ୍ୱରେ ୪ କୋଟିରୁ ଊର୍ଦ୍ଧ୍ୱ ଜନତା ଆଧୁନିକ କ୍ରୀତଦାସ ଭାବେ ଦୟନୀୟ ଜୀବନ ବିତାଉଛନ୍ତି। ଭାରତରେ ଏମାନଙ୍କ ସଂଖ୍ୟା ୧.୮୩ କୋଟି। ସେହିପରି ଦିନକୁ ଦିନ ନାରୀ ନିର୍ଯାତନା ବୃଦ୍ଧିପାଉଛି। ବାର୍ଦ୍ଧକ୍ୟ ଅବସ୍ଥାରେ ଲୋକମାନେ ପ୍ରଚୁର ସମ୍ପଦ ଥାଇ ଅସହାୟ ମନେକରୁଛନ୍ତି।
ବର୍ତ୍ତମାନ ଗୋଟିଏ ନୀତି ହେଉଛି ପ୍ରଚୁର ସମ୍ପଦ ଅର୍ଜନ କରି ସୁଖୀ ଜୀବନ ବିତାଅ। କିନ୍ତୁ ସମ୍ପଦ ସୃଷ୍ଟି କରିବାର କୌଣସି ସୀମା ନାହିଁ। ସମ୍ପଦ ସୃଷ୍ଟିକରି ବିଳାସମୟ ଜୀବନ ବିତାଇବା, ଚିନ୍ତାଧାରା ପ୍ରାଧାନ୍ୟ ପାଇବା ଯୋଗୁ ଅଧିକାଂଶ ଅନ୍ୟାୟ, ଅନୀତି ଉପାୟରେ ଅର୍ଥ ରୋଜଗାର କରୁଛନ୍ତି। ଯେ ସଚ୍ଚୋଟ ଉପାୟରେ ଜୀବନ ବିତାଇବା ପାଇଁ ଚାହୁଁଛନ୍ତି ସେ ବହୁତ ହଇରାଣହରକତ ହେଉଛି। ଉପଭୋଗ ପ୍ରାଧାନ୍ୟ ପାଇବା ଯୋଗୁ ତ୍ୟାଗ ସେବାର ମୂଲ୍ୟ ରହୁନାହିଁ। ଫଳରେ ଆଜି ସାମାଜିକ ଅସ୍ଥିରତା ବୃଦ୍ଧିପାଇଛି; ଯାହାର ବେଶି କୁପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି। ସରକାର କେବଳ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବା ଯୋଗୁ ପରିବେଶ ବେଶି ଦୂଷିତ ହେଉଛି। ଏହାର କୁପ୍ରଭାବ ମଧ୍ୟ ସାଧାରଣ ଜନତାଙ୍କ ଉପରେ ପଡୁଛି। ଆଜି ଦୁନିଆ ଏତେ ପ୍ରଚାରସର୍ବସ୍ବ ହୋଇଛି ଯେ ପ୍ରକୃତ ତ୍ୟାଗୀ ଲୋକଲୋଚନକୁ ଆସିପାରୁନାହାନ୍ତି। ଅବହେଳିତଙ୍କ ସ୍ବର ନିଷ୍ପ୍ରଭ ହୋଇଛି।
ଡିଭାଇନ ନଗର, ଚାଉଳିଆଗଞ୍ଜ, କଟକ, ମୋ-୯୪୩୭୨୦୮୭୬୨, skmohapatra@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ପର ବୋହୂ ନିଜର

ହରିଶଙ୍କର ମିଶ୍ର କନ୍ୟାଦାନ ଦ୍ୱାରା ଗୋଟିଏ ନୂଆ ସାଂସାରିକ ସମ୍ପର୍କ ଓ ଦାମ୍ପତ୍ୟ ଜୀବନ ଆରମ୍ଭ ହୁଏ। ସେଇ କନ୍ୟା ଗର୍ଭଜାତ ସନ୍ତାନ ଉତ୍ତରଦାୟାଦ ହୋଇ...

ଏଇ ଭାରତରେ

ଜେଲରେ ରହନ୍ତି ଜଣେ ମାତ୍ର କଏଦୀ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୁଜରାଟ ନିକଟବର୍ତ୍ତୀ ଆରବ ସାଗରର ଡିଉ ଆଇଲାଣ୍ଡରେ ଥିବା ଡିଉ ଫୋର୍ଟରେ...

ଏଇ ଭାରତରେ

ବହୁ ସମୟରେ ଆମ ଦେଶର ଚାଷୀମାନେ ଚାଷର ନୂୂଆ କୌଶଳ ଖୋଜି ସଫଳ ହେବା ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଇ ଯେମିତି ସଫଳତା ହାସଲ କରିଛନ୍ତି...

ଦୁର୍ବଳ ହୋଇପଡ଼ିଲେ

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରାଯିବା ପରେ ସେତେବେଳେ ଦେଶବାସୀଙ୍କୁ ବାର୍ତ୍ତା ଦିଆଯାଇଥିଲା ଯେ ଭାରତୀୟ ଅର୍ଥନୀତି ଦୀର୍ଘମିଆଦୀ ସଫଳତା...

ଏଇ ଭାରତରେ

ସେବା କରିବାର ଦୃଢ ଇଚ୍ଛାଶକ୍ତି ଆଗରେ ଭୟର କୌଣସି ସ୍ଥାନ ନ ଥାଏ। ନିର୍ଭୟରେ ସବୁ ପ୍ରତିକୂଳ ପରିବେଶକୁ ପ୍ରତିହତ କରି ସେବକମାନେ ଆଗେଇ ଚାଲନ୍ତି...

‘ଭି’ ନୁହେଁ ‘କେ’ ଆକାର ପରି ସୁଧାର

ଡ. ସନ୍ତୋଷ କୁମାର ମହାପାତ୍ର ସାଧାରଣତଃ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯାଏ। ସେଥିରେ ବିଗତ ବର୍ଷର ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନା...

ଏଇ ଭାରତରେ

ବିଭିନ୍ନ ସ୍ଥାନରେ ଅଦରକାରୀ ଟାୟାର ଜମା ହୋଇ ପରିବେଶକୁ ପ୍ରଦୂଷଣ କରୁଥିବାବେଳେ ତାହାକୁ ଉପଯୋଗ କରି ଚପଲ ତିଆରି କରିବାରେ ସଫଳ ହୋଇଛନ୍ତି ପୁଣେର ପୂଜା...

ଏଇ ଭାରତରେ

ନୂଆ ନୂଆ ଜିନିଷ ଗଢ଼ିବାରେ ଏବେ ଯୁବଶକ୍ତି ବେଶ୍‌ ଆଗକୁ ଯାଇପାରିଛନ୍ତି, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ମଣିଗନ୍ଦନ କୁମାରାପ୍ପାନ ଏବଂ ତାଙ୍କ ଟିମ୍‌...

BGU
Play 250+ Trending Games
Archives

Model This Week

Why Dharitri