ଅନ୍ୟ ଆଖିରେ ବଞ୍ଚିବା

ଡ. ସୁବାସ ଚନ୍ଦ୍ର ପାତ୍ର
ମଣିଷ ନିଜ ଆଖିରେ ଦେଖେ, କିନ୍ତୁ ଅନ୍ୟ ଆଖିରେ ବଞ୍ଚେ। ନିଜ ଆଖିରେ ସେ ତା’ର ଦୈହିକ ପ୍ରତିଫଳନ ଦେଖିପାରେ, କିନ୍ତୁ ଅନ୍ୟର ନୈତିକ ଚକ୍ଷୁରେ ସେ ମୂଲ୍ୟାୟିତ ହୁଏ। ପୃଥିବୀର ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ ଆତ୍ମଜ୍ଞାନ ମାଧ୍ୟମରେ ଆତ୍ମନିରୀକ୍ଷଣ ଦ୍ୱାରା ଆତ୍ମମୂଲ୍ୟାୟନ କରିପାରନ୍ତି। ସାଧାରଣ ସାମାଜିକ ଜୀବନରେ କିନ୍ତୁ ଆମକୁ ଅନ୍ୟର ସକାରାତ୍ମକ ନଜର ଉପରେ ନିର୍ଭର କରିବାକୁ ପଡ଼େ।
ପାରିବାରିକ ଜୀବନରେ ଅନେକ ପୁତ୍ରକନ୍ୟାଙ୍କର ସଫଳ ଜୀବନର ହେତୁ ବାପା, ମା, ଗୁରୁଜନ ବା ଶିକ୍ଷକଙ୍କ ନଜରକୁ ନେଇ ସେମାନଙ୍କର ସଚେତନତା। ଅର୍ଥାତ୍‌ ପାଠପଢ଼ା, ବୃତ୍ତିଗତ ଅବା କର୍ମମୟ ଜୀବନରେ ସେମାନେ ସଚେତନ ଥାନ୍ତି ସେମାନଙ୍କର କୌଣସି କାମ ‘ଅଙ୍କିତ ଭଗବାନ’ଙ୍କ ନଜରରେ ସେମାନଙ୍କୁ ପତିତ ନ କରୁ। ଜ୍ଞାନର ଗରିମା ପ୍ରକଟିତ ହେଉ ବା ନ ହେଉ ଅନ୍ତତଃ ନୈତିକତା ଦୃଷ୍ଟିରୁ ସେମାନେ ସେମାନଙ୍କର ପ୍ରିୟ ଗୁରୁଜନମାନଙ୍କ ଆଗରେ ମୁଣ୍ଡଟେକି ଚାଲିପାରିବାର ଆତ୍ମବିଶ୍ୱାସ ରଖନ୍ତି। ଏକ ବୃହତ୍ତର ସାଧାରଣ ନୈତିକ ଜୀବନ ପାଇଁ ସନ୍ତାନସନ୍ତତିଙ୍କର ଏହି ସଚେତନତା ଯେତିକି ଜରୁରୀ ସେମାନଙ୍କର ବାପା, ମା’ଙ୍କ ପାଇଁ ଏହା ତା’ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍‌ ଅନୁରୂପ ଭାବରେ ବାପା, ମା ଅବା ଗୁରୁଜନମାନେ ମଧ୍ୟ ସେମାନଙ୍କ ପିଲାଛୁଆଙ୍କ ନଜରରେ ଗଳି ନ ପଡ଼ିବା ପାଇଁ ସତତ ଚେଷ୍ଟିତ ହେବା ଉଚିତ। ପିଲାଙ୍କ ଦୋଷତ୍ରୁଟି ବୟସ ବିଚାରରେ କ୍ଷମା କରି ଦିଆଯାଇପାରେ, କିନ୍ତୁ ବାପା, ମା’ଙ୍କ ଅନୈତିକ କାର୍ଯ୍ୟ ସେମାନଙ୍କ ପିଲାମାନଙ୍କୁ ଅସହ୍ୟ ମାନସିକ ଯନ୍ତ୍ରଣା ଦେବା ସହ ସେମାନଙ୍କୁ ଯଥେଷ୍ଟ ସାମାଜିକ ଲାଞ୍ଛନାର ଶିକାର କରାଏ। ବଡ଼ ଦୁଃଖ ଲାଗେ ଶୁଣିବାକୁ ଯେତେବେଳେ ସେମାନଙ୍କର ସ୍କୁଲ ବା କଲେଜର ସହପାଠୀ ବା ସହପାଠିନୀ ପଚାରେ, ”ତୋ ବାପା ବା ତୋ ମା’ଙ୍କୁ ପୋଲିସ କାହିଁକି ବାନ୍ଧିନେଲା? ତୋ ବାପା ସିନା ମୁହଁ ଢାଙ୍କିଥିଲେ, ହେଲେ ଟିଭି ସ୍କ୍ରିନ୍‌ରେ ତାଙ୍କର ନାମ ଲେଖାଥିଲା।“ଏ ପ୍ରଶ୍ନ କେତେ ବେଦନାଦାୟକ ସେହି କୋମଳମତି ପିଲାମାନେ ଜାଣୁଥିବେ।
ଖାଲି ସାମାଜିକ ଜୀବନ ନୁହେଁ, ସାରସ୍ବତ ଜୀବନରେ ଏହି ନଜର ସଚେତନତା ଜଣକୁ ଅଧିକ କଳାନିଷ୍ଠ, ସାହିତ୍ୟମନସ୍କ, ଅଧ୍ୟବସାୟୀ କରାଏ। ଲେଖକଙ୍କ ପାଇଁ ପାଠକଙ୍କର ଆଖି ଯେତେବେଳେ ମୂଲ୍ୟବାନ୍‌ ହୋଇପଡ଼େ, ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ ସେ ନିଜକୁ ଅଧିକ ସାଧନାରତ କରେଇ ନିଜର ସୃଷ୍ଟିକୁ ଅଧିକ ଉନ୍ନୀତ କରେଇବାକୁ ଚେଷ୍ଟାକରେ। କୌତୁକର କଥା ଏହି କାଳ୍ପନିକ ମୂଲ୍ୟାୟନକାରୀଙ୍କ ଅଦୃଶ୍ୟ ଉପସ୍ଥିତି ସାହିତ୍ୟ ବା କଳାର ମାନ ବଢ଼ାଏ, ପରମାୟୁ ବଢ଼ାଏ, ବିଶେଷତଃ ସେହି ଲେଖକ ଯେତେବେଳେ ତଥାକଥିତ କଳ୍ପିତ ମୂଲ୍ୟାୟନକାରୀଙ୍କ ମନମନ୍ଦିରର ଆଦର୍ଶ, ଅମର ସାଧକ ହୋଇଥାନ୍ତି। ବେଳେବେଳେ ଏହାର ଅତିରଞ୍ଜିତ ରୂପ ମଧ୍ୟ ଦେଖିବାକୁ ମିଳିପାରେ ଯାହା ଘଟୁଥିଲା ଇଂଲିଶ ପ୍ରଫେସର ସର୍ବେଶ୍ୱର ଦାସଙ୍କ କ୍ଷେତ୍ରରେ। ଜଣେ ଅତିମାତ୍ରାରେ ବିଦ୍ୱାନ କିମ୍ବଦନ୍ତୀ ଶିକ୍ଷକ ହୋଇ ମଧ୍ୟ, ଯାହାଙ୍କର ଅଧିକାଂଶ ଉଚ୍ଚାରଣ ଥିଲା ପ୍ରେରଣାପ୍ରସୂତ, ନିଜର ଅନେକ କବିତା ଜଣେ ଦୁଇ ଜଣଙ୍କୁ ପଢ଼େଇ ଶେଷରେ ଚିରି ଦେଉଥିଲେ ଏହି କଥା କହି ଯେ ସେ ସବୁର ଗୁଣାତ୍ମକତା ଅଥବା ମୌଳିକତା ବିଷୟରେ ସେ ନିଶ୍ଚିନ୍ତ ନୁହନ୍ତି!
ସାମାଜିକ ତଥା ସାରସ୍ବତ ଜୀବନରେ ଅନ୍ୟର ନଜର ସଚେତନତା ସବୁବେଳେ ଭୀତିପ୍ରଦ ନୁହେଁ ଅବା ମଣିଷକୁ ସଙ୍କୁଚିତ କରିଦିଏ ନାହିଁ ବରଂ ସ୍ଥଳ ବିଶେଷରେ ଏହା ପ୍ରେରଣାର କାମ କରେ। ଆତ୍ମୀୟସ୍ବଜନ ବା ପରସ୍ପରର ପରିଚିତ ସାରସ୍ବତ ବନ୍ଧୁମାନଙ୍କ ପାଇଁ ଏହା ପାରସ୍ପରିକ ପ୍ରଗତିର କାରଣ ମଧ୍ୟ ହୋଇଥାଏ, ଯାହା ଘଟିଥିଲା ମନୋଜ ଦାସ ଓ କବି ବ୍ରଜନାଥ ରଥଙ୍କ ସାରସ୍ବତ ବନ୍ଧୁତ୍ୱ କ୍ଷେତ୍ରରେ, ବିଶେଷତଃ ସେମାନଙ୍କର ପ୍ରାରମ୍ଭିକ ଜୀବନରେ।
ସଫଳ କଳା ପରି ସଫଳ ପ୍ରେମ ମଧ୍ୟ ଆବଶ୍ୟକ କରେ ଅନୁପସ୍ଥିତି ଭିତରେ ଉପସ୍ଥିତିର ଅନୁଭବ। ପ୍ରେମିକ, ପ୍ରେମିକା ହୁଅନ୍ତୁ ଅବା ସ୍ବାମୀ, ସ୍ତ୍ରୀ- ଉଭୟେ ଚାହାନ୍ତି ପରସ୍ପରର ନଜରରେ ଅଧିକ ଉଚ୍ଚା ଦେଖାଯିବା। ପ୍ରତିଷ୍ଠିତ ପରିବାର ଅପେକ୍ଷା ସାଧାରଣ ପରିବାରରେ ସୁଖମୟ ଦାମ୍ପତ୍ୟ ଜୀବନର କାରଣ ହୋଇଥାଏ ପରସ୍ପରର ‘ଆଖି’ ପ୍ରତି ଗୁରୁତ୍ୱ। ଏକ ବେପରୁଆ ବା ହେୟ ମନୋଭାବ ଯୋଗୁ ମଣିଷ ଯେତେବେଳେ ତା’ ସାଥୀର ଅପେକ୍ଷମାଣ ଆଖିକୁ ନଜରଅନ୍ଦାଜ କରେ, ସେତେବେଳେ ଏହି ବିଶ୍ୱାସର ଜୀବନ ଭାଙ୍ଗିଯାଏ। ତେଣୁ ପ୍ରେମଜୀବନ କିମ୍ବା ଦାମ୍ପତ୍ୟଜୀବନରେ ଉପସ୍ଥିତ ଆଖି ଅପେକ୍ଷା ଅନୁପସ୍ଥିତ ଆଖି ବେଶି ଶକ୍ତିଶାଳୀ।
ସମୟକ୍ରମେ, ବୟସକ୍ରମେ ପରିବାର, ସମାଜର ସାମୂହିକ ଆଖି ଭଗବାନଙ୍କ ଆଖିର ରୂପ ନିଏ। ଏକ ନୈତିକ, ନୈଷ୍ଠିକ ଜୀବନଯାପନ କାଳରେ ମଣିଷ ଅନୁଭବ କରେ ଏକ ଚକାଡୋଳାର ଉପସ୍ଥିତି। ସେ ଚକାଆଖି ନିରୀକ୍ଷଣର ଅବା କ୍ଷମାର ଅବା କରୁଣାର ହୋଇପାରେ। କିନ୍ତୁ ସେହି ସଚେତନତା ହିଁ ମଣିଷ ପାଇଁ, ସମାଜ ପାଇଁ ଯଥେଷ୍ଟ। ସେ ଆଖି ଈଶ୍ୱରଙ୍କର ହେଉ ବା ପ୍ରକୃତିର, ନିଜ ପ୍ରିୟଜନଙ୍କର ଅବା ମହାପୁରୁଷଙ୍କ ହେଉ, ସେ ଆଖି କାଳକ୍ରମେ ନିଜର ବିବେକରେ ରୂପାନ୍ତରିତ ହୁଏ ଏବଂ ମଣିଷର ପଥପ୍ରଦର୍ଶକ ସାଜେ। ସେହି ପ୍ରକାର ଏକ ଆଦର୍ଶମୟ ଅବସ୍ଥାରେ ପୋଲିସ, ଭିଜିଲାନ୍ସ, ପ୍ରଚଳିତ ଆଇନ, କୋର୍ଟ କଚେରି, ଜେଲଖାନା ଅବାନ୍ତର ହୋଇପଡ଼େ। ତେବେ ପ୍ରଶ୍ନ ଉଠିପାରେ ମଣିଷର ଜଣା ପ୍ରକୃତି ଏବଂ ଦୈନନ୍ଦିନ ଜୀବନରେ ତା’ର ପ୍ରତିଫଳିତ ବ୍ୟବହାର ଦୃଷ୍ଟିରୁ ଏହା କେତେଦୂର ବାସ୍ତବ? ଆଦର୍ଶ ଓ ବାସ୍ତବତା ମଧ୍ୟରେ ସବୁବେଳେ ବ୍ୟବଧାନ ରହେ। ଆଦର୍ଶ ଏକ ସମ୍ଭାବନା, ଏକ ପରିକଳ୍ପନା। ହୁଏତ ଅଣୁସ୍ତରରେ, ବ୍ୟକ୍ତିଗତ ସ୍ତରରେ ଏ ପ୍ରକାର ଆଦର୍ଶର ରୂପାୟନ ସମ୍ଭବ ଯାହା କିଛି ମାତ୍ରାରେ ସାମାଜିକ ଜୀବନକୁ ପ୍ରଭାବିତ କରିପାରେ।
ଭଗବାନ ଅଛନ୍ତି କି ନାହାନ୍ତି ଜଣାନାହିଁ। ତାଙ୍କର ଆଖି ଅଛି କି ନାହିଁ, ତାହା ବି ଜଣାନାହିଁ। ତେବେ ନିଜର ପ୍ରିୟଜନ, ଗୁରୁଜନ, କଳ୍ପିତ ଆଧ୍ୟାତ୍ମିକ ମଣିଷର ଆଖିକୁ ଭଗବାନଙ୍କର ଆଖି ଭାବି କାମ କଲେ ସାଧାରଣ ଜୀବନ ନୈତିକ ଜୀବନରେ ରୂପାନ୍ତରିତ ହୋଇପାରିବ।
ପୂର୍ବତନ କଲେଜ ଅଧ୍ୟକ୍ଷ, ଜେଲରୋଡ୍‌, ବାଲେଶ୍ୱର, ମୋ-୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri