ଅଧାଗଢ଼ା ଡଙ୍ଗରିଆ

ଦ୍ୱିତୀ ଚନ୍ଦ୍ର ସାହୁ
ବିରାଟକାୟ କାନ୍ଥ ଭଳି ଠିଆହୋଇଛି ନିୟମଗିରି ପାହାଡ଼। ତା’ରି ପାଦଦେଶରେ ଡଙ୍ଗରିଆ ଗାଁ ରାଇଲିମା। ବିନା ଦ୍ୱିଧାରେ ଗାଁରେ ପହଞ୍ଚତ୍ବା ଲାଗି ଆମନ୍ତ୍ରଣ ମୁଦ୍ରାରେ ରାସ୍ତାଟିଏ ଲମ୍ବିଛି ଆଗକୁ। ଦି’କଡ଼ରେ ଥିବା ଜଙ୍ଗଲ ସରି ସରି ଆସୁଛି ଅଧା ଚନ୍ଦାମୁଣ୍ଡ ପରି। ହାତଗଣତି କେତୋଟି ଗଛ ନିଜର ସ୍ଥିତି ଜାହିର କରୁଛନ୍ତି। କିଛି ଦୂର ଗଲାପରେ ଆଉ ସେଇ ରାସ୍ତା ଦେଇ ଗାଡି ଯିବା ସମ୍ଭବ ହେଲାନାହିଁ। ରାସ୍ତା ମଝିରେ ବର୍ଷାଜଳ ଯାଇ ଆଁ ହୋଇଯାଇଛି ଠିକ୍‌ ମୁହଁରେ ଥିବା ଅଲିଭା କଟାଦାଗ ପରି। ଆବୁ ଭଳି ସ୍ଥାନେ ସ୍ଥାନେ ମୁଣ୍ଡିଆ ପାହାଡ଼ର କିଛି ଅଂଶ ରାସ୍ତା ଦଖଲ କରି ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ରାସ୍ତାଟି ନିଜର ସ୍ଥିତି ଜାହିର କରୁଛି ଅଥଚ ଉପର ଦେଇ ଗାଡ଼ି ଯିବା ଲାଗି ମନା କରୁଛି ଯେମିତି। ଗାଡ଼ି ରଖି ସେଇଠୁ ଚାଲି ଚାଲି ଆଗକୁ ବଢ଼ିଲୁ। ମାଓବାଦୀ ଇଲାକା ଭାବେ ପରିଚିତ ସେଇ ଅଞ୍ଚଳ ସାଧାରଣ ଅପରିଚିତ ଲୋକଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ, ଏ କଥା ବହୁପୂର୍ବରୁ ବୁଝି ସାରିଥିଲୁ। କିନ୍ତୁ ଆଦିବାସୀଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ୱାସକୁ ନେଇ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ ପାଇଁ ସ୍ଥିତି ଅନୁଧ୍ୟାନ ଲାଗି ଗାଁକୁ ଯିବା ଥିଲା ଆମ ଉଦ୍ଦେଶ୍ୟ। ତୀଖ ରାସ୍ତାରେ ଉପରକୁ ଉଠି ଉଠି ଗାଁରେ ପହଞ୍ଚତ୍ଲାବେଳକୁ ସରି ଆସୁଥିଲା ସମସ୍ତ ଶକ୍ତି। ଗାଁର ପ୍ରବେଶପଥ କଡ଼ର ପଣସ ଗଛ ମୂଳେ ଥିବା ପଥର ମୂଳେ ଲଥ୍‌କରି ବସିପଡ଼ିଲୁ। ପହିଲି ଖରାର ପ୍ରକୋପ ସେତେ ନ ଥିଲେ ବି ଅସହ୍ୟ ଗୁଳୁଗୁଳି ହେତୁ ଦେହରେ ଝାଳ ଭର୍ତ୍ତି ହୋଇସାରିଥିଲା। ରେଳ ଲାଇନ ଭଳି ଦୁଇଟି ଧାଡିରେ ଥିବା ଘରଗୁଡିକ ଗାଁର ଚିତ୍ରକୁ ଉପସ୍ଥାପିତ କରୁଥିଲା। ପାରମ୍ପରିକ ଘର ସ୍ଥାନରେ ଥିଲା ଟିଣଘର- ସରକାରଙ୍କ ବିକାଶର ଚିହ୍ନ।
କଦର୍ଯ୍ୟ ଦିଶୁଥିବା ବସନ୍ତମୁହଁ ପରି ଗାଁ ମୁଣ୍ଡ ପ୍ରବେଶ ପଥରୁ ସାହି ଭିତରକୁ ଲମ୍ବିଥିଲା ମଝିରେ ମଝିରେ ଉଠିଯାଇଥିବା ସିସି ରୋଡ। ସାହିର ଦାଢ଼ରେ ବିରାଟ ପଣସ ଗଛରେ ବସିଥିଲେ ଗାଁ ଲୋକେ। ପାରମ୍ପରିକ ଡଙ୍ଗରିଆ ପୋଷାକରେ କିଛି ବୟସ୍କ ଲୋକ ନିଜ ଗାଁରେ ପରଦେଶୀ ଭଳି ଲାଗୁଥିଲେ। ଯୁବକମାନଙ୍କ ନିକଟରେ ବିରଳ ଜନଜାତିର କୌଣସି ଚିହ୍ନବର୍ଣ୍ଣ ବାରି ହେଉ ନ ଥିଲା ତାଙ୍କ ବେଶଭୂଷାରୁ। କେତେକ ଲୁଙ୍ଗି, ଗଞ୍ଜି ଓ ଗାମୁଛା ଭିତରେ ସୀମିତ ଥିଲେ। ଆଉ କିଛି ଗଜା ଭେଣ୍ଡିଆ ପ୍ୟାଣ୍ଟ ଓ ଶାର୍ଟ ପିନ୍ଧି ଶିକ୍ଷିତ ହୋଇଥିବାର ସୂଚନା ଦେଉଥିଲେ ଯେମିତି। କେଶବିନ୍ୟାସ ବି ବଦଳିଯାଇଥିଲା। ମୁଣ୍ଡରେ ପାରମ୍ପରିକ ଖୋସା ନ ଥିଲା। ନାକରେ ଫାଶା ବି ପିନ୍ଧି ନ ଥିଲେ। ଡଙ୍ଗରିଆଙ୍କ ବିକାଶର ଏଇ ଚିତ୍ର କିଛି ମାତ୍ରାରେ ଆମୋଦିତ କଲା। କିଛି ଘର ସାମ୍ନାରେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ଡଙ୍ଗରିଆ ରମଣୀମାନେ ତଥାପି ପାରମ୍ପରିକ ବେଶଭୂଷାରେ ଶୋଭା ପାଉଥିଲେ। ସାଥିରେ ଥିବା ସ୍ଥାନୀୟ ଯୁବକ ଆସିବାର ଉଦ୍ଦେଶ୍ୟ ଜଣାଇଲେ। ବୟସ୍କ ଡଙ୍ଗରିଆ ନିଜ ଭାଷାରେ କ’ଣ କହିଲେ। ଅନ୍ୟମାନେ ହସିଲେ ଜୋରରେ। ପଚାରିବା ପୂର୍ବରୁ ସ୍ଥାନୀୟ ଯୁବକ କହିଲା, ମୁଖିଆଙ୍କ ଅଭିପ୍ରାୟ- ”ସେମିତି ଖାଲିରେ ସିନେମା କରିଦେବୁ କି! ହବନି। ଆମକୁ କିଛି ପଇସା ଦେବାକୁ ପଡ଼ିବ।“ ଯୁବକ ଜଣକ କହିଲା- ”ସିନେମା ଶୁଟିଂ ବେଳେ ଭୋଜି କରି ଖାଇବା।“ ସମସ୍ତେ ଖୁସି ହୋଇଯାଇଥିଲେ।
ଡଙ୍ଗରିଆଙ୍କ ଭିତରେ ଏମିତି ପ୍ରବଣତା ବଢ଼ାଇ ଦିଆଯାଇଛି। ପର୍ଯ୍ୟଟକଙ୍କୁ ଧରି ଆସୁଥିବା ଗାଇଡ୍‌ମାନେ ଚିତ୍ର ଉତ୍ତୋଳନ ଲାଗି ଅନିଚ୍ଛୁକ ଡଙ୍ଗରିଆ ରମଣୀମାନଙ୍କ ହାତରେ କିଛି ପଇସା ଗୁଞ୍ଜି ନିଜ ପସନ୍ଦ ମୁତାବକ ଚିତ୍ର ଉତ୍ତୋଳନ କରି ନିଅନ୍ତି। ପରବର୍ତ୍ତୀ ସମୟରେ ଦେଶ ବିଦେଶରେ ଘୂରି ବୁଲେ ଆମ ଡଙ୍ଗରିଆଙ୍କ ଚିତ୍ର ସହ ଅନେକ ମନଗଢ଼ା ଅଜବ କାହାଣୀ ବଖାଣନ୍ତି। ଏହା ଅନେକ ସମୟରେ ସମସ୍ୟା ସୃଷ୍ଟି କରି ଆସିଛି। ଡଙ୍ଗରିଆ ବସ୍ତ୍ର କାପାଡା ଗୁଣ୍ଡି, ହାତରେ ଓ ବେକରେ ପିନ୍ଧୁଥିବା ଅଳଙ୍କାରର ଚାହିଦା ସ୍ଥାନୀୟ ହାଟରେ ଢେର ଅଧିକ। ଡଙ୍ଗରିଆଙ୍କ ନାମରେ ଡୋକ୍ରା କଳାର ସାମଗ୍ରୀ ବେଶ୍‌ ଆଗ୍ରହର ସହ କିଣି ନିଅନ୍ତି ଦେଶୀ ବିଦେଶୀ ପର୍ଯ୍ୟଟକ।
କିଛି ଯୁବକମାନଙ୍କ ହାତରେ ଦେଖିଲି ମୋବାଇଲ। ନିଜ ମୋବାଇଲର ସିଗ୍‌ନାଲକୁ ପରଖିଲି ଓ ବୁଝିଗଲି ତୁରନ୍ତ। ପଚାରିଲି ମୋବାଇଲରେ କ’ଣ କରୁଛ? ଯୁବକ ଜଣକ ହସି ଉତ୍ତର ଦେଲା- ବେଶି ସମୟ ଗୀତ ଶୁଣୁଛୁ ଆଜ୍ଞା! କେବେ କେବେ ବାହାରକୁ ଗଲେ ଫୋନ୍‌ ବ୍ୟବହାର କରୁଛୁ। ତା’ କଥା ନ ସରୁଣୁ ଜଣେ ମଧ୍ୟବୟସ୍କ ଡଙ୍ଗରିଆ ସିମିରି ଜାକସିକା କହିଲା- ଏ ମୋବାଇଲ ଏମାନଙ୍କୁ ନଷ୍ଟ କରିଦେଲା ଆଜ୍ଞା! ଦିନରାତି ଏଥିରେ ମାତିଲେ। କାମଧନ୍ଦା ନାହିଁ। ପାଠଶାଠ ତ ପଢ଼ିଲେ ନାହିଁ। ନା ଆମ ଡଙ୍ଗର କାମକୁ ପାରିଲେ ନା ଚାକିରିବାକିରି କଲେ। କଥାଟା ତୀର ଭଳି ହୃଦୟକୁ ଛୁଇଁଗଲା। ଏହା ବିକାଶର ଅନ୍ୟ ଦିଗକୁ ଜଣାଇଦେଲା। ଅଧିକ ଆଲୋଚନା କଲି। ଯାହା ନିଷ୍କର୍ଷ ତାହା ବାସ୍ତବିକ ସାଂଘାତିକ। ଡଙ୍ଗରିଆ ଗାଁରେ ଥିବା ‘ଅଧାଗଢା ମୂର୍ତ୍ତି’ଗୁଡ଼ିକ ଏବେ ସେମାନଙ୍କ ପରିବାର ପାଇଁ ପାଲଟିଛନ୍ତି ବୋଝ। ଅଧିକାଂଶ ଡଙ୍ଗରିଆ ପିଲା ମାଟ୍ରିକ୍‌ ଛୁଇଁ ପାରୁନାହାନ୍ତି। ଅଧାରୁ ପାଠ ଛାଡି ଗାଁରେ ଆସ୍ଥାନ ଜମାଉଛନ୍ତି। ପାଠପଢ଼ା ବେଳେ ସେମାନଙ୍କ ଭିତରେ ବୃଦ୍ଧି ପାଇଥିବା ମାନସିକତା ପାରମ୍ପରିକ ଚାଷ ପ୍ରତି ବିମୁଖ କରୁଛି। ଅଧାପଢୁଆ ହେତୁ କିଛି କାମରେ ଆସୁନି ଏମିତି ଅଲୋଡା ପାଠ। ନା ଏ କୁଳର ହୋଇପାରୁଛନ୍ତି ନା ସେ କୁଳର। ମଝିରେ ରହି ନିଜେ ଦହଗଞ୍ଜ ହେବା ସହ ପରିବାର ପାଇଁ ବୋଝ ହୋଇପଡୁଛନ୍ତି। ସୀମିତ ପାରିବାରିକ ଆୟ ଭିତରେ ଏ ଅର୍ଦ୍ଧଶିକ୍ଷିତ ଯୁବକମାନଙ୍କ ଆଧୁନିକ ଆବଶ୍ୟକତା ମେଣ୍ଟାଇବା ଭାରି କଷ୍ଟକର ହୋଇପଡୁଛି ପରିବାରକୁ। ଏଇ କାରଣରୁ ସେମାନେ ଭିନ୍ନ ମାର୍ଗକୁ ଆପଣେଇବାକୁ ଏକରକମ ବାଧ୍ୟ ହେଉଛନ୍ତି। ବିଭିନ୍ନ ଯୋଜନା ଜରିଆରେ ଡଙ୍ଗରିଆଙ୍କ ବିକାଶ ଦିଗରେ ସରକାରୀ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଦିନତମାମ ମୋବାଇଲ ଭିତରେ ବୁଡ଼ିରହି କର୍ମକୁଢ଼ ହେବା ଚିନ୍ତାର କାରଣ। ମିଳିଗଲା ପ୍ରାମାଣିକ ଚିତ୍ର ପାଇଁ ଭଲ ମସଲା। ମନେ ମନେ ସ୍ଥିର ହୋଇଯାଇଥିଲା ଚିତ୍ର, ଚରିତ୍ର ଓ କଥାବସ୍ତୁ। ଫେରିବାକୁ ଉଦ୍ୟମ କଲି। କିନ୍ତୁ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା। ଦରସିଝା ଖାଦ୍ୟ, ଦରଗଢ଼ା ଘର, ଅଧାଗଢ଼ା ମୂର୍ତ୍ତି ଯେପରି ନିଜର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ରୂପେ ଜାହିର କରିପାରେନା, ଲାଗିଲା ଅଧାଗଢ଼ା ଏଇ ଯୁବ ଡଙ୍ଗରିଆଙ୍କ ଭବିଷ୍ୟତ ମଧ୍ୟ ଠିକ୍‌ ଅଧାପନ୍ତରିଆ ଓ ଲକ୍ଷ୍ୟଚ୍ୟୁତ ଦୋ ଛକିରେ ଥିବା ମଣିଷ ପରି ଅସ୍ଥିର। ପୂର୍ଣ୍ଣାଙ୍ଗ ମୂର୍ତ୍ତି ଗଢ଼ିବା ଏବେକାର ସମୟର ଆହ୍ବାନ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri