ଅଖୁସି ଭାରତ

ପ୍ରକାଶ ତ୍ରିପାଠୀ
ଭାଇ କେମିତି ଅଛନ୍ତି? ସବୁ ଭଲ ତ? ଚିହ୍ନା ପରିଚୟ ଭିତରେ କାହାକୁ ଏମିତି ପଚାରନ୍ତୁ। ଉତ୍ତର ଆସିବ-ହଁ ଭାଇ, ସେମିତି ସୁଖେଦୁଃଖେ ବଞ୍ଚିଛି। ମୁହଁ ନେଫେଡି ଏମିତି ଉତ୍ତର ଦେବେ ଯେ ସତେଯେମିତି ଦୁନିଆଯାକର ସବୁ ଦୁଃଖକଷ୍ଟରେ ସେ ଆକ୍ରାନ୍ତ। ଗାଁରେ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କୁ ପଚାରିଲେ ଉତ୍ତର ପାଇବେ ଭାଇ, ଖଟି ଖଟି ପ୍ରାଣ ଗଲାଣି। କ’ଣ ସରକାରୀ ଚାକିରି କରିଛି ଯେ ମାସ ଶେଷକୁ ଦରମା ଥୁଆ? ସରକାରୀ ଚାକିରିଆଙ୍କୁ ସେହି କଥା ପଚାରିଲେ ଉତ୍ତର ମିଳିବ- ଭାଇ, ଆଉ ଟେନ୍‌ସନ ନେଇ ହେବନି କି ପ୍ରେସରରେ କାମ କରିହେବନି। କେମିତି ଅବସର ମିଳିଯାଆନ୍ତା, ଦୁନିଆ ଯାକର ରୋଗ ବାହାରି ପଡ଼ିଲାଣି। କର୍ପୋରେଟ ସେକ୍ଟରରେ କାମ କରୁଥିବା ଲୋକଙ୍କୁ ପଚାରିଲେ ଉତ୍ତର ମିଳୁଛି- ଭାଇ, ଆମେ ହେଲୁ ଟେକନୋ-କୁଲି, ଦିନକୁ ୧୦ରୁ ୧୨ ଘଣ୍ଟା ଗଧ ଭଳି ଖଟିବୁ। ଚାକିରିର ସ୍ଥାୟିତ୍ୱ କି ପ୍ୟାକେଜ୍‌ର ଭରସା ନାହିଁ। ଗାଁରେ ସ୍କୁଲ ମାଷ୍ଟରଟିଏ ହୋଇଥିଲେ କି ବିଜ୍‌ନେସ କରିଥିଲେ ଭଲ ହୋଇଥାନ୍ତା। ବିଜ୍‌ନେସ କରୁଥିବା ଲୋକଙ୍କୁ ପଚାରିଲେ ଜବାବ ମିଳୁଛି-ଭାଇ, ବ୍ୟାଙ୍କରେ ସୁଧ ବଢ଼ି ବଢ଼ି ଚାଲିଛି। ନିଦବଟିକା ନ ଖାଇଲେ ରାତିରେ ଶୋଇହେଉନି। ଏଥିରୁ ବୁଝାପଡୁଛି ନିଜ ନିଜ ପେସାକୁ ନେଇ କେହି ଖୁସି ବା ସନ୍ତୁଷ୍ଟ ନୁହନ୍ତି। ନିଜ ପେସା ବ୍ୟତୀତ ଅନ୍ୟ ପେସାକୁ ମହତ ମାନୁଛନ୍ତି। ପିଲାଠାରୁ ବୁଢ଼ା, ସମସ୍ତେ ଅଖୁସି। ପିଲାଟିଏ ପାଠପଢ଼ା ବ୍ୟସ୍ତତା ଭିତରେ ଖେଳିବାକୁ ସମୟ ନ ପାଇ ଅଖୁସି। ବୟସ୍କ ବୁଢ଼ୀବୁଢ଼ାମାନେ ନିଃସଙ୍ଗପଣରେ ଅଖୁସି। ସତେଯେମିତି ଅଖୁସିର ବିଷବଳୟରେ ଆମେ ସବୁ ଘୂରିବୁଲୁଛୁ।
ଏହି ଅଖୁସି ପ୍ରସଙ୍ଗରେ ଲେଖିଲା ବେଳେ ନିକଟରେ ପ୍ରକାଶ ପାଇଥିବା ବିଶ୍ୱର ଖୁସି ଦେଶ ତାଲିକା ମନକୁ ଆସେ। ଜାତିସଂଘ ପକ୍ଷରୁ ପ୍ରକାଶିତ ଖୁସି ଦେଶ ୨୦୧୯ ତାଲିକାର ୧୫୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୪୦ ନମ୍ବରରେ ରହିଛି। ୨୦୧୨ରୁ ପ୍ରକାଶ ପାଇ ଆସୁଥିବା ଖୁସି ଦେଶ ତାଲିକାରେ ଭାରତର ସ୍ଥାନ କ୍ରମାଗତ ଭାବେ ତଳକୁ ତଳକୁ ଯିବାରେ ଲାଗିଛି। ଜାତିସଂଘ ପକ୍ଷରୁ ୨୦୧୨ରେ ପ୍ରକାଶିତ ପ୍ରଥମ ଖୁସି ଦେଶ ତାଲିକାରେ ଭାରତର ସ୍ଥାନ ଥିଲା ୧୧୧ରେ। ସର୍ବାଧିକ ଖୁସି ଦେଶର କ୍ରମିକ ସଂଖ୍ୟା ୧ ଥିବା ବେଳେ ସର୍ବାଧିକ ଅଖୁସି ଦେଶର କ୍ରମିକ ସଂଖ୍ୟା ଥିଲା ୧୫୬। ଏହା ପରେ ଖୁସି ଦେଶର ତାଲିକା ୨୦୧୫ରୁ ଅଦ୍ୟାବଧି ପ୍ରକାଶ ପାଇ ଆସୁଛି। ୨୦୧୫ରେ ଭାରତର କ୍ରମିକ ସଂଖ୍ୟା ୧୧୭, ୨୦୧୬ରେ ୧୧୮, ୨୦୧୭ରେ ୧୨୨ ଓ ୨୦୧୮ରେ ୧୩୩ ଥିଲା। ଗୋଟିଏ ଦେଶର ନାଗରିକ ନିଜକୁ କେତେ ଖୁସି ଅନୁଭବ କରୁଛନ୍ତି, ତାରି ଆଧାରରେ ଖୁସି ତାଲିକା ପ୍ରସ୍ତୁତ କରାଯାଇଥାଏ। ଉତ୍ପାଦନ, ସୁସ୍ଥ ଜୀବନ ପ୍ରତ୍ୟାଶା, ସାମାଜିକ ସମର୍ଥନ, ନିର୍ଣ୍ଣୟ ନେବାର ସ୍ବାଧୀନତା, ବ୍ୟକ୍ତି ସ୍ବାଧୀନତା, ବିଶ୍ୱାସ, ଭ୍ରଷ୍ଟାଚାର/ଦୁର୍ନୀତି ଓ ଉଦାରତା/ବଦାନ୍ୟତା ଆଦି ପ୍ରସଙ୍ଗ ଉପରେ ନାଗରିକଙ୍କ ମତାମତ ନିଆଯାଇ ଖୁସି ଦେଶର କ୍ରମ ତାଲିକା ପ୍ରସ୍ତୁତ ହୋଇଥାଏ। ଦୁଃଖ ଓ ଚିନ୍ତା କରିବାର କଥା ଯେ, ଭାରତ ନିରନ୍ତର ଖୁସି ତାଲିକାରେ ତଳକୁ ତଳକୁ ଖସି ଚାଲିଛି। ଦଶଟି ସର୍ବାଧିକ ଖୁସି ଦେଶ ନ ହେଲା ନାହିଁ, ଶହେଟି ଖୁସି ଦେଶର ତାଲିକା ଭିତରେ ବି ଭାରତ ସ୍ଥାନ ପାଇପାରୁ ନାହିଁ। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫିନ୍‌ଲାଣ୍ଡ ମୋଟ ୧୦ ନମ୍ବରରୁ ୭.୭୭ ନମ୍ବର ରଖି ସର୍ବାଧିକ ଖୁସି ଦେଶ ତାଲିକାର ପ୍ରଥମ ସ୍ଥାନରେ ରହିଥିଲା ବେଳେ ଡେନମାର୍କ ୭.୬୦ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଓ ନରଓ୍ବେ ୭.୫୫ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛି। ଏହା ତଳକୁ ଯଥାକ୍ରମେ ଆଇସ୍‌ଲାଣ୍ଡ, ନେଦରଲାଣ୍ଡ, ସୁଇଜରଲାଣ୍ଡ, ସ୍ବିଡେନ, ନ୍ୟୁଜିଲାଣ୍ଡ, କାନାଡା ଓ ଅଷ୍ଟ୍ରିଆ ଆଦି ଦେଶ ପ୍ରଥମ ଦଶଟି ଖୁସି ଦେଶ ତାଲିକାରେ ରହିଛନ୍ତି। ଖୁସି ତାଲିକାର ସବା ତଳେ ରହିଛି ଦକ୍ଷିଣ ସୁଦାନ, ଯାହାକୁ ମିଳିଛି ମାତ୍ର ୨.୮୫ ନମ୍ବର। ଦକ୍ଷିଣ ସୁଦାନର ଆଖପାଖରେ ଥିବା ରାଷ୍ଟ୍ରଗୁଡ଼ିକ ହେଉଛନ୍ତି ଆଫଗାନିସ୍ତାନ, ମଧ୍ୟ ଆଫ୍ରିକୀୟ ଗଣରାଜ୍ୟ, ତାଞ୍ଜାନିଆ, ରୁଆଣ୍ଡା, ସିରିଆ, ବୋଟ୍‌ସଓ୍ବାନା ଓ ହାଇତି। ଏହିସବୁ ଦେଶରେ ଗୃହଯୁଦ୍ଧ ଯୋଗୁ ନାଗରିକମାନେ ଅଶାନ୍ତି ଓ ଅଭାବରେ ଜୀବନ କାଟୁଥିବାରୁ ଅଖୁସି ରହିବା ସ୍ବାଭାବିକ।
ଏଥର ଆଲୋଚନା କରିବା ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ସମ୍ପର୍କରେ। ୧୪୦ତମ ସ୍ଥାନରେ ଥିବା ଭାରତକୁ ମିଳିଛି ମାତ୍ର ୪.୧ ନମ୍ବର। କିନ୍ତୁ ପାକିସ୍ତାନ ୫.୬୫ ନମ୍ବର ପାଇ ୬୭ତମ ସ୍ଥାନରେ, ଭୁଟାନ ୫.୦୮ ନମ୍ବର ପାଇ ୯୫ତମ ସ୍ଥାନରେ, ନେପାଳ ୪.୯୧ ନମ୍ବର ପାଇ ୧୦୦ତମ ସ୍ଥାନରେ, ବାଂଲାଦେଶ ୪.୪୫ ନମ୍ବର ପାଇ ୧୨୫ତମ ସ୍ଥାନରେ, ଶ୍ରୀଲଙ୍କା ୪.୩୭ ନମ୍ବର ପାଇ ୧୩୦ତମ ସ୍ଥାନରେ ରହିଛନ୍ତି। ଏକମାତ୍ର ଦେଶ ଆଫଗାନିସ୍ତାନ ୩.୨୦ ନମ୍ବର ପାଇ ୧୫୪ତମ ସ୍ଥାନରେ ରହିଛି। କେବଳ ଆଫଗାନିସ୍ତାନକୁ ଛାଡ଼ିଦେଲେ ଅନ୍ୟ ଦକ୍ଷିଣ ଏସୀୟ ଦେଶ ଭାରତର ଉପରେ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କମ୍‌ ମୁଣ୍ଡ ପିଛା ଆୟ, ଶିକ୍ଷା ଓ ସ୍ବାସ୍ଥ୍ୟରେ ଅନୁନ୍ନତ ଥାଇ ମଧ୍ୟ ପାକିସ୍ତାନ ଓ ଜାପାନ ମଧ୍ୟରେ ମାତ୍ର ୯ଟି କ୍ରମିକ ସଂଖ୍ୟାର ଦୂରତା ରହିଛି। ଏହାର ଅର୍ଥ ଅଭାବ ଓ ଅସୁବିଧାରେ ରହି ମଧ୍ୟ ପାକିସ୍ତାନବାସୀ ନିଜକୁ ଖୁସି ଅନୁଭବ କରୁଛନ୍ତ,ି ଯଦ୍ଦ୍ବାରାକି ୨୦୧୮ରେ ୭୫ କ୍ରମିକ ସଂଖ୍ୟାରେ ଥିବା ପାକିସ୍ତାନ ୨୦୧୯ରେ ୬୭ତମ ସ୍ଥାନକୁ ଉନ୍ନୀତ ହୋଇଛି। ସେହିପରି ଚାଇନା ଓ ଭୁଟାନ ମଧ୍ୟରେ ଦୂରତା ମାତ୍ର ଦୁଇଟି ସଂଖ୍ୟା। ୨୦୧୮ ଖୁସି ଦେଶ ତାଲିକାରେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥନୈତିକ ଶକ୍ତି ଚାଇନାର ସ୍ଥାନ ୮୭ ଥିଲାବେଳେ ୨୦୧୯ ତାଲିକାରେ ତାହା ୯୩ତମ ସ୍ଥାନକୁ ଖସିଯାଇଛି। ଚିନ୍ତାର ବିଷୟ ଯେ ୨୦୨୪-୨୫ରେ ବିଶ୍ୱର ତୃତୀୟ ଅର୍ଥନୈତିକ ମହାଶକ୍ତି ହେବାକୁ ଯାଉଥିବା ଭାରତ ବର୍ଷକୁ ବର୍ଷ ଖୁସି ସୂଚକାଙ୍କରେ ତଳକୁ ତଳ ଖସିବାରେ ଲାଗିଛି। ମୁଣ୍ଡ ପିଛା ଆୟ ବୃଦ୍ଧି ଓ ମାନବ ବିକାଶ ସୂଚକାଙ୍କ ସ୍ଥିତିରେ ସୁଧାର ଘଟୁଥିବା ବେଳେ ଆମେ ଭାରତୀୟମାନେ ଏତେ ଅଖୁସି କାହିଁକି? ଉଦାସ, ଚିନ୍ତା ଓ ଚାପରେ ଏତେ ଆକ୍ରାନ୍ତ କାହିଁକି? ଆମର ପ୍ରତ୍ୟାଶା, ଆକାଂକ୍ଷା ଓ କାମନାର ପୂର୍ତ୍ତି ହୋଇପାରୁ ନାହିଁ ବୋଲି ଆମେ ଖୁସି ଅନୁଭବ କରିପାରୁ ନାହୁଁ। ଜୀବନ ଯେଉଁଭଳି ଭାବରେ ଆମ ସମ୍ମୁଖକୁ ଆସୁଛି, ତାକୁ ଆମେ ସେହିଭଳି ଭାବରେ ଗ୍ରହଣ କରିପାରୁ ନାହୁଁ। ବାହ୍ୟ ମନରେ ତ ଖୁସି ମନାଇପାରୁଛୁ। ଧର୍ମସ୍ଥଳୀକୁ ପୂଜାର୍ଚ୍ଚନା ପାଇଁ ଯାଉଛୁ। ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲୁଛୁ। ମନଲାଖି ବେଶପୋଷାକ ପିନ୍ଧୁଛୁ। ପୂଜାପାର୍ବଣ ପରିବାର ସହ ପାଳି ଖୁସି ହେଉଛୁ। ଏସବୁ ତ କ୍ଷଣିକ ଓ ବାହ୍ୟ ଖୁସି। କିନ୍ତୁ ଅନ୍ତର୍ମନରେ ଖୁସି ହୋଇପାରୁନୁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଭାରତ ବିଶ୍ୱର ସର୍ବାଧିକ ବିଷାଦଗ୍ରସ୍ତ ରାଷ୍ଟ୍ର ତାଲିକାର ତୃତୀୟ ସ୍ଥାନରେ ରହିଛି। ଭାରତ ଉପରକୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଯଥାକ୍ରମେ ଅଛନ୍ତି ସମୃଦ୍ଧିଶାଳୀ ରାଷ୍ଟ୍ର ଚାଇନା ଓ ଆମେରିକା। ସେହିପରି ଆଉ ଏକ ରିପୋର୍ଟ ଅନୁଯାୟୀ ଗତ ଦଶବର୍ଷ ମଧ୍ୟରେ କର୍ପୋରେଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କର ଉଦାସ ଓ ବ୍ୟଗ୍ରତା ଶତକଡା ୫୦ ଭାଗ ବୃଦ୍ଧି ପାଇଛି। ଅର୍ଥାତ୍‌ ପ୍ରତି ଦୁଇଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ ଏହାର ଶିକାର ହେଉଛନ୍ତି।
ବର୍ତ୍ତମାନ ଜୀବନ ଏକ ଦୌଡ଼ ପ୍ରତିଯୋଗିତା ହୋଇଯାଇଛି ଓ ସମସ୍ତେ ଅଣନିଃଶ୍ୱାସୀ ହୋଇ ଦୌଡ଼ିବାରେ ଲାଗିଛନ୍ତି। ଟିକେ ଅଟକିଗଲେ ଅନ୍ୟମାନେ ଆଗକୁ ଚାଲିଯିବାର ଭୟ ବି ରହିଛି। ନିଜର ବଳ ଓ ସାମର୍ଥ୍ୟକୁ ନ ପରଖି ଆମେ କ୍ଷିପ୍ରଗତିରେ ଦୌଡ଼ିବାରେ ଲାଗିଛୁ। ଏ ଦୌଡ଼ ହେଉଛି ଅଧିକରୁ ଅଧିକ ଧନ ଉପାର୍ଜନ, କ୍ଷମତା ଆହରଣ, ପ୍ରତିପତ୍ତି ହାସଲ, ସାମାଜିକ ସ୍ବୀକୃତି, ଖ୍ୟାତି ଓ ଯଶ ଆହରଣ ପାଇଁ। ଏ ଦୌଡ଼ରେ ଯିଏ ଯେତେ ଜୋରରେ ଦୌଡୁଛି, ସେ ସେତେ ଅଖୁସି ରହୁଛି। ଦୌଡ଼ିବା ଆମର ଅଭ୍ୟାସ ହୋଇଗଲାଣି ଓ ଦୌଡ଼ିବା ପାଇଁ ପ୍ରେରଣା ମିଳୁଛି ପାଖ ପଡ଼ୋଶୀଙ୍କଠାରୁ। ନିଜକୁ ନ ଦେଖି ଅନ୍ୟକୁ ଦେଖିବାରେ ଏପରି ଅଭ୍ୟସ୍ତ ହୋଇଗଲୁଣି ଯେ ଅନ୍ୟ ସହ ନିଜକୁ ସମକକ୍ଷ କରିବା ଲକ୍ଷ୍ୟରେ ଦୌଡ଼କୁ କ୍ଷିପ୍ରରୁ କ୍ଷିପ୍ରତର କରିଚାଲିଛୁ। ଏହି ଦୌଡ଼ ଭିତରେ ହାରିଯିବାର ବା ପାଇ ନ ପାରିବାର ଭୟରେ ଆକ୍ରାନ୍ତ ହୋଇଚାଲିଛୁ। ଆମ ଅଜାଣତରେ ମାନସିକ ସ୍ତରରେ ବିକାରଗ୍ରସ୍ତ ହୋଇ ଗଲା ପରେ ବି ଦୌଡ଼ରୁ ଅବ୍ୟାହତି ନେଉନାହୁଁ। ଆମର ଯେତେ ବ୍ୟାଙ୍କ ବାଲାନ୍ସ ଥାଉ, ଯେତେ ବଙ୍ଗଳା ଥାଉ ବା ଯେତେ ଦାମୀ ଗାଡ଼ି ଥାଉ ବଞ୍ଚିବା ପାଇଁ ଦିନକୁ ଦୁଇମୁଠା ଆହାର ଦରକାର। ଗୋଟିଏ ଜୀବନ ଜିଇବା ପାଇଁ ଏସବୁର ଯେତିକି ପ୍ରୟୋଜନ ନାହିଁ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମେ କେତେ ସମୟ ଖୁସିରେ ରହିପାରୁଛୁ ଓ କେତେ ଲୋକ ଆମ ପାଇଁ ଖୁସିରେ ଜିଇ ପାରୁଛନ୍ତି।
ମୋ-୯୪୩୭୨୩୨୪୬୩, ଇମେଲ-prakastripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଓ ଅନୁସନ୍ଧାନ- ବିଶ୍ୱ କଲ୍ୟାଣ ନିମନ୍ତେ ନାଗରିକ ସୃଷ୍ଟି ମୂଳ ଲକ୍ଷ୍ୟ

ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଏକ ନମ୍ର ଅୟମାରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ସୋଆ...

ନିର୍ଯାତିତ ଶୈଶବ ଓ ସାର୍ବଜନୀନ ଶିକ୍ଷା

ସବ୍ୟସାଚୀ ଅମିତାଭ ଆମ ସମାଜରେ ଶିଶୁର ବିକାଶରେ ଶିଶୁଶ୍ରମିକ ପ୍ରଥା ଏକ ବଡ଼ ବାଧକ। ଶିଶୁ ଶ୍ରମିକ ନିଷେଧ ଆଇନ ଅନୁଯାୟୀ ୧୪ ବର୍ଷରୁ କମ୍‌...

କରୋନା ସମୟରେ ବୁଦ୍ଧଙ୍କ ପ୍ରାସଙ୍ଗିକତା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଆଜି ଏକ ଅଦୃଶ୍ୟ ଭୂତାଣୁ କରୋନା ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ବିଭିନ୍ନ ଦେଶରେ ଲକ୍ଷ ଲକ୍ଷ ଲୋକ...

ଓଡ଼ିଶା ରାଜନୀତିରେ ନାରୀଶକ୍ତି

ଶରତଚନ୍ଦ୍ର ମିଶ୍ର ଏଥର ନିର୍ବାଚନ(୨୦୧୯)ରେ ବିଜେଡି ଓଡ଼ିଶାର ସମୁଦାୟ ଲୋକ ସଭା ସିଟ୍‌ର ତିନିଭାଗରୁ ଏକଭାଗ ମହିଳାଙ୍କୁ ପ୍ରଦାନ କରି ଏକ ସକାରାତ୍ମକ ଉଦାହରଣ ସୃଷ୍ଟି...

ଦେଶ ବଞ୍ଚିଲେ ଆମେ ବଞ୍ଚିବା

ବୈକୁଣ୍ଠନାଥ ମିଶ୍ର ମନୁଷ୍ୟର ଅସ୍ବାଭାବିକ ଆଚରଣ ଘୋର ସଙ୍କଟମୟ ସ୍ଥିତିକୁ ଆମନ୍ତ୍ରଣ କରୁଛି। ତା’ର ଚଳଣି, ନିତ୍ୟନୈମିତ୍ତିକ କର୍ମ ସମ୍ପାଦନ ଓ ଗତିବିଧିର ଫଳାଫଳ କ୍ରମେ...

ଚେଇଁ ଶୋଇଥିବ ଯିଏ

ଡ.ନରହରି ବେହେରା କଥାରେ ଅଛି, ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ? ଏହି ଚେଇଁ ଶୋଇଥିବା ମଣିଷଙ୍କର ଚେତନା ଥାଏ, କିନ୍ତୁ ସଚେତନତା ନ...

ପ୍ରତିବାଦ କାହିଁକି

ଆକାର ପଟେଲ ସାରା ଭାରତରେ ତୀବ୍ର ପ୍ରତିବାଦର ସ୍ବର ଉଠିବା ଓ ବିଶ୍ୱର ଗଣମାଧ୍ୟମରେ ପ୍ରଦର୍ଶିତ ହେବାର କାରଣ ବିଷୟରେ ଆମେ ଅନୁଧ୍ୟାନ କରିବା ଆବଶ୍ୟକ।...

ପ୍ରଜାପତି ଉଡ଼ିଲେ

ଭାରତ ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ପାଣ୍ଠି ପାଇ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଜେଡ୍‌ଏସ୍‌ଆଇ) କରିଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ,...

Coronavirus Update

Archives

Model This Week

Why Dharitri