ହିଟ୍‌ଲରଙ୍କ ହଲୋକାଷ୍ଟ ଓ ଗାନ୍ଧିଜୀଙ୍କ ଅହିଂସା

ଡ. ପ୍ରଫୁଲ୍ଲ କୁମାର ପାଣି

ଦ୍ୱିତୀୟ ବିଶ୍ବଯୁଦ୍ଧ (୧୯୩୯-୪୫) ସମୟରେ ହିଟ୍‌ଲରଙ୍କ ନାଜି ବାହିନୀ ଇଉରୋପର ବିଭିନ୍ନ ସ୍ଥାନରୁ ଇହୁଦୀମାନଙ୍କୁ ଧରି ଆଣି ଯେଉଁ ଢଙ୍ଗରେ ଗଣହତ୍ୟା କରୁଥିଲେ ତାହା ହଲୋକାଷ୍ଟ ନାମରେ ଜଣାଶୁଣା। ଇହୁଦୀମାନଙ୍କୁ ବିଭିନ୍ନ କ୍ୟାମ୍ପମାନଙ୍କରେ ବସ୍ତା ଭଳି ଠେସି ଦିଆଯାଉଥିଲା। କେତେବେଳେ ଗ୍ୟାସ ଚ୍ୟାମ୍ବରରେ ପୂରାଇ ତ କେତେବେଳେ ଗୁଳି ମାରି ବା ଲଣ୍ଡା କରି ଷ୍ଟାମ୍ପ ମରାଯାଇ ମୃତ୍ୟୁ ପର୍ଯ୍ୟନ୍ତ ଶ୍ରମ ଯନ୍ତ୍ରଣା ଦିଆଯାଇ ହତ୍ୟା କରାଯାଉଥିଲା। ଏହି ବର୍ବରତା ଏତେ ଅଧିକ ଥିଲା ଯେ ବୃଦ୍ଧାବୃଦ୍ଧ, ଶିଶୁ କେହି ବାଦ୍‌ ପଡୁ ନ ଥିଲେ। ପ୍ରାୟ ଷାଠିଏ ଲକ୍ଷ ଇହୁଦୀଙ୍କ ହତ୍ୟା ମଧ୍ୟରେ କେବଳ ପନ୍ଦର ଲକ୍ଷ ଶିଶୁ ଥିଲେ। ପିତୃମାତୃହରା ଯୁବକ ହିଟ୍‌ଲର ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଚିତ୍ର ଅଙ୍କନ କରି ରାଜଧାନୀ ଭିଏନାରେ ଚିତ୍ରକୁ ବିକ୍ରୟ କରିବା ପାଇଁ ଆଶା ପୋଷଣ କରିଥିଲେ। ମାତ୍ର ଭିଏନାର ଲକ୍ଷପତି, ପୁଞ୍ଜିପତି, ଶିଳ୍ପପତି ଏହି ଚିତ୍ରକର ପ୍ରତି ଆଦୌ ଗୁରୁତ୍ୱ ଦେଇ ନ ଥିଲେ ଅଥଚ ମଦ୍ୟପାନ କରି ଅସଂଜତ ଅବସ୍ଥାରେ ପ୍ରମୋଦ କେନ୍ଦ୍ରମାନଙ୍କରେ ସମୟ କଟାଉଥିଲେ। ଏହି ଆଭିଜାତ୍ୟ ସଂପ୍ରଦାୟ ମଧ୍ୟରେ ଅଧିକାଂଶ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ଇହୁଦୀ ସଂପ୍ରଦାୟର। ଏହି ସଂପ୍ରଦାୟ ହାତରେ ଭିଏନାର ଶିଳ୍ପ, କଳକାରଖାନା, ବ୍ୟବସାୟ, ଛାପାଖାନା ବ୍ୟବସାୟ, ସମ୍ବାଦପତ୍ର, ରଙ୍ଗଶାଳା ପ୍ରଭୃତି ନିୟନ୍ତ୍ରଣ ହେଉଥିଲା। ଏହିଠାରୁ ହିଟ୍‌ଲରଙ୍କର ମଧ୍ୟ ବଡ଼ ଧାରଣ ହେଲା ଯେ ମୋ ଜର୍ମାନ ଦେଶର ଦୁର୍ଭାଗ୍ୟ ପାଇଁ ବିଶେଷ ଭାବରେ ଇହୁଦୀମାନେ ହିଁ ଦାୟୀ। ଏମାନଙ୍କୁ ସମୂଳେ ଧ୍ବଂସ କରିବା ପାଇଁ ତାଙ୍କ ଭିତରେ ପ୍ରତିଶୋଧର ବହ୍ନି କୁହୁଳି ଥିଲା। ପ୍ରଥମ ବିଶ୍ବଯୁଦ୍ଧ (୧୯୧୪-୧୮) ସମୟରେ ହିଟ୍‌ଲର ଜର୍ମାନ ସେନାର ଏକ ସୈନିକ ହେଲେ। ଏହି ଯୁଦ୍ଧରେ ଜର୍ମାନୀ ପରାସ୍ତ ହୋଇଥିଲା। ଅନ୍ୟ ଜର୍ମାନ ସୈନିକଙ୍କ ପରି ହିଟ୍‌ଲର ଜର୍ମାନୀର ପରାଜୟ ସ୍ବୀକାର କରି ନ ଥିଲେ। ତାଙ୍କର ବିଶ୍ବାସ ଥିଲା ଯେ ସେମାନେ ଯୁଦ୍ଧରେ ହାରି ନାହାନ୍ତି। ଇହୁଦୀ ଏବଂ କମ୍ୟୁନିଷ୍ଟମାନେ ଦେଶ ସହିତ ବିଶ୍ବାସଘାତକତା କରି ଦେଶକୁ ହରାଇଛନ୍ତି। ଏହି ପରାଜୟ ନିମନ୍ତେ ସେ ଇହୁଦୀମାନଙ୍କୁ ଦୋଷୀ ଭାବି ଏକ ରୂଢ଼ୀବାଦୀ ବୈରଭାବ ପୋଷଣ କଲେ। ବିଶେଷ ଭାବରେ ଜର୍ମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସମୟରେ ନାଜିମାନେ ଚିନ୍ତା କଲେ ଇହୁଦୀମାନଙ୍କୁ ଦେଶରୁ ବହିଷ୍କାର କରାଗଲେ ସମସ୍ୟାର ସମାଧାନ ହୋଇଯିବ। ଏହି ଘଟଣାକୁ ରାଜନୈତିକ ପ୍ରସଙ୍ଗ କରି ହିଟ୍‌ଲର ନିର୍ବାଚନରେ ବିଜୟ ଲାଭ କଲେ ଓ ଜର୍ମାନର ସର୍ବେସର୍ବା ହୋଇଗଲେ। ଇହୁଦୀମାନଙ୍କ ବିରୁଦ୍ଧରେ ବିଭିନ୍ନ ଆଇନକାନୁନ ଲଗାଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ। ସେ ଇହୁଦୀମାନଙ୍କୁ କୀଟ ସହିତ ତୁଳନା କରି କହିଥିଲେ- ରୋଗର କାରଣକୁ ନଷ୍ଟ ନ କରିବା ପର୍ଯ୍ୟନ୍ତ ଯେପରି ରୋଗ ନିୟନ୍ତ୍ରିତ ହେବ ନାହିଁ, ସେହିପରି ଇହୁଦୀମାନଙ୍କୁ ଜର୍ମାନରୁ ନ ତଡ଼ିବା ପର୍ଯ୍ୟନ୍ତ ଜର୍ମାନର କୌଣସି ବିକାଶ ହେବ ନାହିଁ। ଏହି ଭାବନା କ୍ରମଶଃ ହିଟ୍‌ଲରଙ୍କ ଇହୁଦୀ ମାରଣ ଯଜ୍ଞରେ ଘୃତ ଢାଳିଲା ଭଳି ହୋଇଥିଲା।
ଯେତେବେଳେ ଧର୍ମାବଲମ୍ବୀଙ୍କଠାରୁ ଆରମ୍ଭ କରି ପୃଥିବୀର ବିଶିଷ୍ଟ ବ୍ୟକ୍ତିମାନେ ହିଟ୍‌ଲରଙ୍କ ଏହି ବର୍ବରତା ଓ ପୈଶାଚିକ ପ୍ରବୃତ୍ତି ସମ୍ପର୍କରେ ଗାନ୍ଧିଜୀଙ୍କ ଦୃଷ୍ଟି ଆକର୍ଷଣ କଲେ ସେତେବେଳେ ଗାନ୍ଧିଜୀ(୧୯୩୮ନଭେମ୍ବର ୧୧ସଂଖ୍ୟା) ହରିଜନ ପତ୍ରିକାରେ ଲେଖିଥିଲେ-”ବିଶ୍ବ ସଭ୍ୟତାର ବିକାଶ ପର୍ଯ୍ୟାୟରେ ଇହୁଦୀମାନଙ୍କ ଯୋଗଦାନ ପ୍ରଣିଧାନ ଯୋଗ୍ୟ। ନାଜିମାନେ ଇହୁଦୀମାନଙ୍କୁ ଯେପରି ହତ୍ୟା କରି ଚାଲିଛନ୍ତି ଏପରି ବର୍ବର କାଣ୍ଡ ବିଶ୍ବ ଇତିହାସରେ ନାହିଁ। ହିଟ୍‌ଲରଙ୍କ ପରି ପାଗଳ ଶାସକ ଅତୀତରେ ନ ଥିଲେ। ଯଦିଓ ମୁଁ ଯୁଦ୍ଧରେ ବିଶ୍ବାସ କରେ ନାହିଁ, ଅହିଂସା ମୋର ମନ୍ତ୍ର ତଥାପି ମାନବବାଦର ସୁରକ୍ଷା ପାଇଁ ଯୁଦ୍ଧର ଆବଶ୍ୟକତାକୁ ସର୍ବାଧିକ ମନେକରିଥାଏ।“ ଇହୁଦୀଙ୍କ ସଂହାର ସମ୍ପର୍କରେ ଗାନ୍ଧିଜୀ କହିଥିଲେ, ଇହୁଦୀମାନଙ୍କୁ ଲୋପ କରିଦେବା ପାଇଁ ହିଟ୍‌ଲର ଯେପରି ଚାହୁଁଛନ୍ତି ସେହିପରି ଇହୁଦୀମାନେ ସ୍ବେଚ୍ଛାକୃତ ଭାବରେ ଆତ୍ମ ବଳିଦାନ ଦିଅନ୍ତୁ। ନାଜିମାନଙ୍କ ଗୁଳିରେ କିମ୍ବା ଗ୍ୟାସ ଚ୍ୟାମ୍ବରରେ ମରିବା ଅପେକ୍ଷା ନିଜ ଇଚ୍ଛାରେ ଜୀବନ ଦେବା ଅଧିକ ଶ୍ରେୟସ୍କର ଓ ପ୍ରଭାବଶାଳୀ ହେବ। ସତ୍ୟାଗ୍ରହ ମାଧ୍ୟମରେ ସେମାନଙ୍କ ମଧ୍ୟରୁ ଯେ କେହି ଅହିଂସା ମାର୍ଗରେ ଆଗେଇ ନେତୃତ୍ୱ ନେଲେ ଇହୁଦୀ ଜାତିର ନୈରାଶ୍ୟ ଭଙ୍ଗ ହୋଇ ଆଶାର କିରଣ ଉଜ୍ଜୀବିତ ହୁଅନ୍ତା। ମରଣକୁ ଅସହାୟ ଭାବେ ଭେଟିବା ଅପେକ୍ଷା ଈଶ୍ବରଙ୍କ ଇଚ୍ଛା ଭାବି ସାହସର ସହିତ ନାଜିମାନଙ୍କୁ ମୁକାବିଲା କରି ମଣିଷର ଗୌରବଗାଥା ବୁଝାଇ ହୁଅନ୍ତା। ଅହିଂସା ମାର୍ଗରେ ଚାଲିବାକୁ ହେଲେ ଅହିଂସ ବ୍ୟକ୍ତି ଶତ୍ରୁକୁ ଭଲପାଇବ ଏବଂ ତା’ ପାଇଁ ମଧ୍ୟ ଈଶ୍ବରଙ୍କୁ ପ୍ରାର୍ଥନା କରିବ। ତେଣୁ ଇହୁଦୀ ଭାଇଭଉଣୀମାନେ ହିଟ୍‌ଲରଙ୍କ ପାଇଁ ସମୂହ ପ୍ରାର୍ଥନା କରିବା ଦରକାର। ଏପରି କଲେ ଇହୁଦୀମାନଙ୍କର ଆତ୍ମ ମର୍ଯ୍ୟାଦା ବୃଦ୍ଧି ପାଇବ ଓ ବିଶ୍ବ ସମୁଦାୟକୁ ଅନୁପ୍ରାଣିତ କରିବ। ଗାନ୍ଧିଜୀଙ୍କର ଏପରି ମତାମତକୁ ସମାଲୋଚନା କରି ନିଉୟର୍କର ଏକ ଇହୁଦୀ ପତ୍ରିକା ଲେଖିଥିଲା-‘ଜର୍ମାନରେ ଯଦି ଏହିପରି କିଏ ଇହୁଦୀ ଗାନ୍ଧୀ ହୋଇ ବାହାରନ୍ତି, ମାତ୍ର ପାଞ୍ଚ ମିନିଟ ମଧ୍ୟରେ ତା’କୁ ମାରି ଦିଆଯିବ’। ଏହାର ଉତ୍ତରରେ ଗାନ୍ଧିଜୀ କହିଥିଲେ- ଏପରି ଘଟିଲେ ଅହିଂସା ଶକ୍ତିର ଅଭ୍ୟୁଦୟ ହେବ। ବାକ୍ୟରେ ମରିବା ଅପେକ୍ଷା ନାଜିଙ୍କ ବନ୍ଧୁକ ଆଗରେ ଅହିଂସା ସଂଗ୍ରାମରେ ପ୍ରାଣତ୍ୟାଗ କରିବା ଶ୍ରେୟସ୍କର।
ସେହି ସମୟରେ ମହାତ୍ମା ଗାନ୍ଧୀ ସେବାଶ୍ରମରେ ଥିବା ତାଙ୍କର ଏକାନ୍ତ ପୁରାତନ ଇହୁଦୀ ବନ୍ଧୁ ହରମାନ କାଲେନ ବାକ୍‌ଙ୍କୁ ହିଟଲରଙ୍କ ପାଇଁ ପ୍ରାର୍ଥନା କରିପାରିବେ କି ବୋଲି ପଚାରିଲେ, କାଲେନ ବାକ୍‌ ତତ୍‌କ୍ଷଣାତ୍‌ ସ୍ପଷ୍ଟ ମନାକରି ଥିଲେ। ଇହୁଦୀମାନଙ୍କୁ ପିଶାଚ ଭଳି ହତ୍ୟା କରିଥିବା ହିଟ୍‌ଲରଙ୍କୁ ନେଇ ତାଙ୍କ ଭିତରେ କ୍ରୋଧ ସଂଚରିତ ହେବା ସ୍ବାଭାବିକ। ୧୯୦୪ ମସିହା ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀ ସତ୍ୟାଗ୍ରହ ଚଳାଉଥିବା ସମୟରେ ଧନିକ ବ୍ୟକ୍ତି କାଲେନ ବାକ୍‌ (ଇହୁଦୀ ଆର୍କିଟେକ୍ଟ) ଗାନ୍ଧିଜୀଙ୍କ ସଂସ୍ପର୍ଶରେ ଆସିଥିଲେ। ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ସରଳପଣରେ ଗଭୀରଭାବେ ଅନୁପ୍ରାଣିତ ହୋଇ ହରମାନ କାଲେନ ବାକ୍‌ ଜୋହାନ୍‌ସବର୍ଗରେ ଥିବା ନିଜର ଏଗାରଶହ ଏକର ଜମି ଗାନ୍ଧିଜୀଙ୍କୁ ଦାନ କରିଥିଲେ। ଏହି ଜମିରେ ଗାନ୍ଧିଜୀ ବିଖ୍ୟାତ ଟଲଷ୍ଟୟ ଫାର୍ମ ସ୍ଥାପନ କରି ସତ୍ୟାଗ୍ରହୀମାନଙ୍କୁ ରହିବା ପାଇଁ ଆଶ୍ରୟ ଦେଇଥିଲେ। ଗାନ୍ଧିଜୀଙ୍କର ଏକାନ୍ତ ଶିଷ୍ୟ ହରମାନ କାଲେନ ବାକ୍‌ ସେବାଗ୍ରାମରେ ରହି ଧନଜୀବନ ପରିହାରପୂର୍ବକ ଅହିଂସା ବ୍ରତକୁ ଆପଣାଇଥିଲେ। ମାତ୍ର ହିଟ୍‌ଲରଙ୍କର ଇହୁଦୀ ବର୍ବରତା ପରିପ୍ରେକ୍ଷୀରେ ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ସମର୍ଥନ କରିପାରି ନ ଥିଲେ। ଶେଷରେ ବାପୁଜୀ ଉପସ୍ଥିତ ସମସ୍ତଙ୍କୁ କହିଥିଲେ- ପ୍ରତିଶୋଧ ବେଶ୍‌ ସୁଖଦାୟକ ବା ମିଠା, ମାତ୍ର କ୍ଷମାଦେବା ଶାଶ୍ବତ ଏବଂ ସ୍ବର୍ଗୀୟ।
କାମାକ୍ଷାନଗର, ମୋ:୬୩୭୨୪୫୯୯୬୦


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri