ସାହିତ୍ୟ ଓ କରୋନା

ସୁଧାକର ଦାସ

ଏବେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ଖୋଲିଲେ ମାଳମାଳ ଆତ୍ମଘୋଷିତ କବି ଓ ଲେଖକ ଆଉ ତାଙ୍କ ସୃଷ୍ଟି ଓ କୃତି ଆଖି ଚମକେଇ ଦିଏ। ଆଜିକାଲି ତ, ଦିବସର ଅଭାବ ନହିଁ। ମାତୃ ଦିବସ, ବନ୍ଧୁ ଦିବସ, ପ୍ରେମ ଦିବସ… ଏମିତି କେତେ କ’ଣ। ଆଉ ଏଇ ଅବସରରେ ଜନ୍ମ ନେଉଛନ୍ତି ଅସଂଖ୍ୟ କବି ଓ ଲେଖକ। ଯିଏ ଯେମିତି ପାରିଲା, ଯା’ ମୁଣ୍ଡକୁ ଯାହା ଆସିଲା ଆଠଦଶ ଧାଡି ଲେଖି ପକେଇଲା। ଏମିତିକି, ଏସବୁ ଲେଖାର ପ୍ରଥମ ଦୁଇଧାଡିରେ ଅତି କମ୍‌ରେ ଦୁଇ ତିନୋଟି ବନାନ ଅଶୁଦ୍ଧି ଦୃଷ୍ଟିରେ ପଡିବା ନିଶ୍ଚିତ। ଏତେ ଉଦ୍ଭଟ ଶବ୍ଦର ପ୍ରୟୋଗ ହୋଇଥାଏ ଯେ, ନା ସେଥିରୁ ବାହାରୁଥାଏ କିଛି ନିର୍ଦ୍ଦିଷ୍ଟ ଅର୍ଥ ନା ତାହା ପ୍ରକାଶ କରୁଥାଏ କିଛି ଭାବ। କେତେକେ ତ ନିଜ ଲେଖାକୁ ବଡ଼ ବଡ଼ ନାମଜାଦା କବି ବା ଲେଖକଙ୍କ ଶୈଳୀରେ ଲେଖିବାକୁ ଯାଇ କ’ଣ କ’ଣ ଲେଖୁଛନ୍ତି ତାହା ସେମାନେ ନିଜେ ବି ବୁଝନ୍ତିନି। କିନ୍ତୁ ପରିତାପର ବିଷୟ, ବିନା ସାଧନା ବିନା ଆହରଣ, ବିନା ନିଜସ୍ବ ଶବ୍ଦକୋଷ ଓ ଜ୍ଞାନଗରିମାରେ ଏମାନେ ଯାହା ଲେଖୁଛନ୍ତି, ଥୋକେ ଲୋକ ସାଙ୍ଗେ ସାଙ୍ଗେ ତା’କୁ ଅପୂର୍ବ, ଅସାଧାରଣ, ଚମତ୍କାର ଭଳି ଶବ୍ଦରେ ଉତ୍ସାହିତ କରି ନିଜକୁ ସ୍ବଳ୍ପ ଜ୍ଞାନୀ ଓ ମୂର୍ଖ ଆଖ୍ୟା ଦେବାକୁ ବି ଲଜ୍ଜାବୋଧ କରୁନାହାନ୍ତି। ଏହା ଆମ ସାହିତ୍ୟ ପ୍ରତି କେବଳ ଅବଜ୍ଞା ବା ଅବମାନନା ନୁହେଁ ବରଂ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଏକ ଭାଷା ପ୍ରତି ବିଦ୍ରୂପ ଓ ତିରସ୍କାର। ବେଳେବେଳେ ତ, ଏଭଳି ଅସାହିତ୍ୟ ସୃଷ୍ଟି କରି ସଂସ୍କୃତିକୁ ବିପନ୍ନ କରୁଥିବା ଅଜ୍ଞାନ-ଅବିବେକୀମାନଙ୍କୁ ଜାତିଦ୍ରୋହୀ ବୋଲି କହିବାକୁ ଇଚ୍ଛା ହୁଏ।
ସାହିତ୍ୟ କ’ଣ ଆଖିକୁ ଚମକେଇବା ଜିନିଷଟିଏ? ଯାହା ମନକୁ ଆନ୍ଦୋଳିତ, ହୃଦୟକୁ ଆଲୋଡିତ ନ କଲା, ଯାହାର ସୂକ୍ଷ୍ମ କଳ୍ପନାର ଭାବପୂର୍ଣ୍ଣ ବିନ୍ୟାସ ପାଠକକୁ ଲେଖକର ଭାବନା-ରାଜ୍ୟକୁ ସମ ତାଳଲୟରେ ଆକର୍ଷି ନ ନେଲା, ସେ ସର୍ଜନାର ମହତ୍ତ୍ୱ କ’ଣ? ପାଠକଟି ଯଦି ସେଇ ଲେଖା ଭିତରେ ନିଜକୁ, ନିଜର ହର୍ଷ, ବିଷାଦ, ପୁଲକ ଓ ମନସ୍ତାତ୍ତ୍ୱିକ ଅବେଗକୁ ଖୋଜି ନ ପାଇଲା ସେ ଲେଖା ବୃଥା। ଭାବନା ଓ ଚିନ୍ତନର ପରିପ୍ରକାଶ ଯଦି ସମୁଚିତ ଶବ୍ଦ ଓ ଶୈଳୀରେ ପରିସ୍ଫୁଟିତ ହୋଇ ନ ପାରିଲା ତେବେ ସେ ସାହିତ୍ୟ କେବଳ ଅବାନ୍ତର ଦୁର୍ବୋଧ୍ୟ ହୋଇ ରହିଯାଏ ସିନା, ସୁଖପାଠ୍ୟ ବା ପାଠ୍ୟ ଉପଯୋଗୀ କଦାପି ହୋଇପାରେ ନାହିଁ। ସାହିତ୍ୟ ଏକ ସାଧନା, ସାହିତ୍ୟ ଏକ ଦୀର୍ଘ ସମୟର ତପସ୍ୟା, ଏହା ଏକ ଗଭୀର ଅନ୍ବେଷଣ, ସଞ୍ଚୟନ, ଆହରଣ ଓ ଉଦ୍ଗିରଣର ବ୍ୟାପାର। ଏଥିରେ ଥାଏ ଉପଯୁକ୍ତ ଭାବ, ଭାଷା, ଯୁକ୍ତି, ଛନ୍ଦ ଓ ଅନୁରଣନ। ଏ ସୃଷ୍ଟିରେ କୌଣସି କାଳଜୟୀ ସାହିତ୍ୟସ୍ରଷ୍ଟା ବିନା ସଞ୍ଚୟନ, ଆହରଣ ଓ ଅନ୍ବେଷଣରେ କିଛି ଉଦ୍ଗାରିବାକୁ କେବେ ପ୍ରଚେଷ୍ଟା କରି ନାହାନ୍ତି କାରଣ ସାହିତ୍ୟ ପ୍ରତି ଥିଲା ଓ ରହିଛି ସେମାନଙ୍କର ପ୍ରଗାଢ଼ ଅନୁରକ୍ତି, ସମ୍ମାନ ଏବଂ ସଂଭ୍ରମତା। ସେ ବ୍ୟାସଦେବ, ବାଲ୍ମୀକି ହୁଅନ୍ତୁ, ସାରଳାଦାସ କି ଭୀମଭୋଇ ହୁଅନ୍ତୁ କିମ୍ବା ସାଂପ୍ରତିକ ସମାଜର ଯେ କେହି ପ୍ରଥିତଯଶା ସାରସ୍ବତ ସାଧକ।
ତେବେ ଓଡିଆ ଭାଷା-ସାହିତ୍ୟକୁ ଅବମାନନା କେବଳ ଆଜି ସୋସିଆଲ ମିଡିଆରେ ସୀମିତ ହୋଇ ନାହିଁ। ମୁଦ୍ରଣ ଜଗତରେ ବି ଆଜି ଆମ ଭାଷା-ସାହିତ୍ୟ ଉପରେ ଚାଲିଛି ନିର୍ଲ୍ଲଜ୍ଜ ଉପଦ୍ରବ। ଯାହା ପାଖେ ପଇସା ଅଛି ସେ ଆଜି ଲେଖକ କି କବି। ମନଇଚ୍ଛା ନିଜ ଢଙ୍ଗରେ, ଏମିତି କିଛି ଗପ ଓ କବିତା ବହି ସବୁ ପ୍ରକାଶିତ ହେଉଛି ଯେଉଁଥିରେ ସ୍ଥାନିତ ଲେଖାକୁ ପଢିଲେ ଲାଗିବ ଯେମିତି ହାଇସ୍କୁଲ୍‌ ବାର୍ଷିକ ସ୍ମରଣିକାରେ ଅପରିପକ୍ୱ ଶୈଳୀରେ ଲେଖା ହୋଇଥିବା କଞ୍ଚା ଭାବନାର କିଛି ଗପ କି କବିତା। ଏମିତି ବହିର ଛପାସଂଖ୍ୟା ବି ଶହେ କି ଦୁଇଶହ, କେବଳ ନିଜ ବନ୍ଧୁପରିଜନ ଓ ଆତ୍ମୀୟଙ୍କୁ ବାଣ୍ଟିବା ପାଇଁ, ଆଉ ଜବରଦସ୍ତ ସେମାନଙ୍କ ମୁହଁରୁ ମିଛ ପ୍ରଶଂସା ଶୁଣିବା ପାଇଁ। ଏଇ ମାନସିକତା, ବିନା ସାଧନା, ବିନା ସୃଜନାତ୍ମକ ଆବେଗରେ ପ୍ରକାଶିତ ଏଭଳି ସାହିତ୍ୟ କୌଣସି ସଭ୍ୟ ସଂସ୍କୃତିସମ୍ପନ୍ନ ସମାଜ ପାଇଁ କେତେ ହିତକାରୀ? ପାଠକ ହାତରେ ଯେତେବେଳେ ଏହିଭଳି ବହି କିଛି ପଡୁଛି, ସେ ସାହିତ୍ୟ ଉପରୁ ଆସ୍ଥା ହରାଉଛି। ଏହାଦ୍ୱାରା କିଛି ତରୁଣ, ଯୁବ ଲେଖକ ଲେଖିକା ଯୋଉମାନେ ବାସ୍ତବରେ ପ୍ରତିଭାସମ୍ପନ୍ନ, ବହୁ କଷ୍ଟରେ କିଛି ଅର୍ଥ ଯୋଗାଡ କରି ନିଜର ବହିଟିଏ ଛାପୁଛନ୍ତି, ପ୍ରକାରାନ୍ତରେ ସେମାନେ ବୀତସ୍ପୃହ ପାଠକର ରୋଷର ଶିକାର ହୋଇ ଆଦ୍ୟ ସାରସ୍ବତ ଜୀବନକୁ ଜଳାଞ୍ଜଳି ଦେଉଛନ୍ତି।
ସମୟ ସହିତ ତାଳଦେଇ ସାହିତ୍ୟର ରୂପରେଖ ବଦଳିବା କିଛି ଅସ୍ବାଭାବିକ ନୁହେଁ। ସେମିତି ଭାଷାର ପ୍ରୟୋଗ ଓ ନୂଆ ନୂଆ ଶୈଳୀରେ ପରିପ୍ରକାଶକୁ ନେଇ ପରୀକ୍ଷା ନିରୀକ୍ଷା ସବୁବେଳେ ସ୍ବାଗତଯୋଗ୍ୟ। କିଛି ଆଧୁନିକ ସ୍ରଷ୍ଟା ତ ସେମାନଙ୍କ ନିଜସ୍ବ ଶୈଳୀ ଆଉ ଶବ୍ଦକୁ ନେଇ କଳାକାରିଗରୀ ପାଇଁ ପାଠକ ମହଲରେ ବେଶ୍‌ ଆଦୃତ। କିନ୍ତୁ ଅର୍ଥବଳରେ ସାରସ୍ବତ ସାମ୍ରାଜ୍ୟକୁ ପ୍ରବେଶ କରି ଭାଷା ଓ ସୃଜନୀକୁ କଦାକାର କରୁଥିବା ଉଚ୍ଚାକାଂକ୍ଷୀ ବ୍ୟକ୍ତିବିଶେଷ ସେମାନଙ୍କ ଅପଚେଷ୍ଟାରୁ ବିରତ ରହିବା ସମାଜ ପାଇ ମଙ୍ଗଳକାରୀ ନୁହେଁ କି?
ଏବେ ଦିନେ, ଏଇ ଲକ୍‌ଡାଉନ୍‌ ସମୟରେ ଏହି ବିଷୟରେ ବେଶ୍‌ ଗଭୀରଭାବେ ଅନୁଶୀଳନ କଲାବେଳେ ମନକୁ ଗୋଟେ କଥା ଆସିଲା। କଥାଟି ହେଲା, ଆମ ସାହିତ୍ୟ ଥରେ ଏଇଭଳି କରୋନାର ଶିକାର ହୁଅନ୍ତାନି! ଶୁଣିଛି, ଯାହାର ରୋଗପ୍ରତିରୋଧକ ଶକ୍ତି ଅଧିକ କରୋନା ତା’ର କିଛି କ୍ଷତି କରି ପାରିବନି, ଆଉ ଯାହାର ଦୁର୍ବଳ ସେ ଶିକାର ହେବାର ସମ୍ଭାବନା ସହ ମୃତ୍ୟୁବରଣ କରିବାର ଆଶଙ୍କା ଅଧିକ। ଆମ ସାହିତ୍ୟଜଗତକୁ ବି ସେମିତି କରୋନା ଭଳି କିଛି ମହାମାରୀ ଆସନ୍ତା, ଆଉ ଯାହାର ଆହରଣ, ଅନ୍ବେଷଣ, ସଞ୍ଚୟନ ଶକ୍ତି ଦୁର୍ବଳ ସେମାନଙ୍କର ସମୂଳେ ବିନାଶ ଘଟନ୍ତା ଏବଂ ବାସ୍ତବ ସ୍ରଷ୍ଟାମାନଙ୍କ ଅମୂଲ୍ୟ ଅବଦାନରେ ଆମ ଭାଷା, ସାହିତ୍ୟ ହୋଇଉଠନ୍ତା ଆହୁରି ଜାଜ୍ଜ୍ୱଲ୍ୟମାନ, ଆହୁରି ହୃଦୟଗ୍ରାହୀ!!

ସ୍ବାହା, କେନାଲ ରୋଡ୍‌, ଛତ୍ର ବଜାର, କଟକ, ମୋ- ୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri