ସରକାର ବିଳମ୍ବ ନ କରନ୍ତୁ

ତତ୍ତ୍ୱ ଓ ତର୍କ/ବିମଳ ପାଣ୍ଡିଆ

ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୨୩ ଭିତରେ ଭାରତର ପ୍ରମୁଖ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ‘ସେନ୍ସେକ୍ସ’ ୪୧,୩୯୯ରୁ ୨୫,୯୮୧କୁ ଖସି ସାରିଥିଲା। ମାସକ ଭିତରେ ନିବେଶକାରୀଙ୍କ ୩୭% ପୁଞ୍ଜି ଡୁବି ସାରିଥିଲା। ଆକ୍ସିସ ବ୍ୟାଙ୍କ, ରିଲାଏନ୍ସ ଭଳି ବିଶାଳ କମ୍ପାନୀର ଶେୟାର ଦର ଏହି ମାସକ ମଧ୍ୟରେ ଅଧା ହୋଇଗଲାଣି। ସିନେମା ଥିଏଟର, ନିର୍ମାଣ, ହୋଟେଲ, ପର୍ଯ୍ୟଟନ ଓ ପରିବହନ ଭଳି କ୍ଷେତ୍ରରେ ଥିବା କମ୍ପାନୀଙ୍କ କଥା ନ କହିବା ଭଲ। ସିଏନ୍‌ବିସି ଟିଭି ୧୮ ମାର୍ଚ୍ଚ ୨୦ ତାରିଖରେ ଏକ ରିପୋର୍ଟ ପ୍ରକାଶ କରିଛି ଯେ, ସମ୍ଭବତଃ ଇପିଏଫ୍‌ ଏହି ଆର୍ଥିକ ବର୍ଷରେ ୮.୫%ର ଘୋଷିତ ସୁଧ ଦେବାରେ ସକ୍ଷମ ହେବ ନାହିଁ। ମାର୍ଚ୍ଚ ୧୯ ତାରିଖରେ ଇଣ୍ଡିଆ ଟୁଡେର ପ୍ରକାଶିତ ଖବର ଅନୁସାରେ ଭାରତୀୟ ରେଳ ୧୬୮ଟି ଟ୍ରେନ୍‌ ବାତିଲ କରି ସାରିଥିଲା। ଯାତ୍ରୀ ନ ହେବା କାରଣରୁ ତାହା ବାତିଲ କରାଯାଇଥିଲା। ପରେ ୨୨ ମାର୍ଚ୍ଚରୁ ସମସ୍ତ ରେଳଗାଡ଼ିକୁ ସ୍ବାସ୍ଥ୍ୟ ବିପଦ କାରଣରୁ ବାତିଲ କରାଯାଇ ସାରିଛି। ଟାଇମ୍ସ ଅଫ୍‌ ଇଣ୍ଡିଆରେ ମାର୍ଚ୍ଚ ୧୭ ତାରିଖରେ ପ୍ରକାଶିତ ଏକ ଖବରର ଶୀର୍ଷକ ଥିଲା ‘ସରକାର କିଛି ନ କଲେ ମେ ମାସ ବେଳକୁ ଅଧିକାଂଶ ବିମାନ କମ୍ପାନୀ ଦେବାଳିଆ ହୋଇସାରିଥିବେ’। ୨୪ ମାର୍ଚ୍ଚରୁ ସବୁ ବିମାନ ଉଡିବା ବନ୍ଦ ହୋଇସାରିଛି। ଆଗରୁ କେବେଳ ବଡ଼ ଦୋକାନ ବନ୍ଦ କରାଯାଇଥିଲା, ଏବେ ଜରୁରୀ ଆବଶ୍ୟକତାକୁ ଛାଡିଦେଲେ ପ୍ରାୟ ସବୁ ବ୍ୟବସାୟ ବନ୍ଦ ହୋଇସାରିଛି। ବଡ ବ୍ୟବସାୟୀ ଓ କମ୍ପାନୀମାନେ ପ୍ରବଳ କ୍ଷତିର ଚିନ୍ତାରେ ତ୍ରସ୍ତ ହୋଇସାରିଥିବା ବେଳେ ଗରିବ ଓ ମଧ୍ୟମବର୍ଗ ଆୟ ହରାଇସାରିଲେଣି ବା ହରାଇବାର ଦ୍ୱାରରେ ଅଛନ୍ତି।
ଖାଲି ଭାରତର ନୁହେଁ ବିଶ୍ୱର ଅର୍ଥନୀତି ଏକ ଭୟଙ୍କର ମାନ୍ଦାବସ୍ଥା ଆଡକୁ ତୀବ୍ର ଗତିରେ ଧାଉଁଛି। ଆମେରିକା, ସମସ୍ତ ୟୁରୋପୀୟ ଦେଶ ତଥା ଜାପାନ, କୋରିଆ, ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶ ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ପ୍ରତିଦିନ କିଛି ନା କିଛି ନୂଆ ପଦକ୍ଷେପ ନେଉଛନ୍ତି। ସ୍ଥିତି ଏତେ ବିକଟ ଯେ ମାସେ ମଧ୍ୟରେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ସୁଧହାରରେ ଦୁଇଥର ବ୍ୟାପକ ହ୍ରାସ କରି ପ୍ରାୟ ଶୂନ ପ୍ରତିଶତକୁ ଖସାଇ ଦେଇଛି। ଆମେରିକାର ରାଷ୍ଟ୍ରପତି ଅଧରାତିରେ ବି ବଡ ନିଷ୍ପତ୍ତି ନେଉଛନ୍ତି। ମାର୍ଚ୍ଚ ୧୮ତାରିଖରେ ଟ୍ରମ୍ପ ଏକ ନୂଆ ଆଇନରେ ଦସ୍ତଖତ କରିଛନ୍ତି। ଅର୍ଥନୀତିକୁ ଉଦ୍ଧାର କରିବା ଲକ୍ଷ୍ୟରେ ଟ୍ରମ୍ପଙ୍କ ତାହା ଥିଲା ସପ୍ତାହେ ମଧ୍ୟରେ ସେହିଭଳି ଦ୍ୱିତୀୟ ବଡ ଉଦ୍ୟମ। ଏହି ଆଇନ ଅନୁସାରେ ଛୁଟିରେ ରହିଲେ ମଧ୍ୟ ଦରମା, ବେକାରୀ ଭତ୍ତା, ପୁଷ୍ଟି ସହାୟତା ଓ ରୋଗ ପରୀକ୍ଷା ପାଇଁ ଅଧିକ ସହାୟତାର ବ୍ୟବସ୍ଥା ଅଛି। ୨୪ ମାର୍ଚ୍ଚରେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ କିଣିବାର ଐତିହାସିକ ନିଷ୍ପତ୍ତି ନେଇଛି। ୧୯୨୦ ଦଶକର ଡିପ୍‌ ଡିପ୍ରେସନ ବେଳେ ମଧ୍ୟ ଫେଡେରଲ ରିଜର୍ଭ ସେମିତି ପଦକ୍ଷେପ ନେଇ ନ ଥିଲା। ଆମେରିକାର ରାଷ୍ଟ୍ରପତି ଆଉ ଏକ ବିଶାଳ ପ୍ୟାକେଜ୍‌ ଆଣିବାକୁ ଯାଉଛନ୍ତି ଯାହା ଏକ ଟ୍ରିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୭୫ ଲକ୍ଷ କୋଟି ଟଙ୍କାର ହେବ ବୋଲି କୁହାଯାଉଛି। ଆମେରିକାର ସେହି ପ୍ୟାକେଜ୍‌ ଭାରତ ସରକାରଙ୍କ ମୋଟ ବଜେଟର ଦୁଇଗୁଣରୁ ବି ଅଧିକ ହେବାକୁ ଯାଉଛି। ଏମିତି ବଡ଼ ନିଷ୍ପତ୍ତି ନେଇ ଅର୍ଥନୀତିକୁ ସମ୍ଭାଳିବା ସଙ୍ଗେସଙ୍ଗେ ଲୋକଙ୍କ ଦୁଃସ୍ଥତାକୁ ପ୍ରତିହତ କରିବା ପାଇଁ ଦୃଢ ନିଷ୍ପତ୍ତି ନେବାରେ ଆମେରିକା ଏକା ନାହିଁ। ଜର୍ମାନୀ ସରକାର କରୋନାରେ ଆକ୍ରାନ୍ତ ହୋଇପଡିଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ ୧୫୬ ବିଲିୟନ ୟୁରୋ ବା ପ୍ରାୟ ୧୨ ଲକ୍ଷ ୮୭ ହଜାର ଟଙ୍କାର ଅତିରିକ୍ତ ବଜେଟ ଆଣୁଛନ୍ତି। ଜର୍ମାନୀର ଜନସଂଖ୍ୟା ଆମର ୧୬ ଭାଗରୁ ଭାଗେ। ଏହିଭଳି ପ୍ୟାକେଜ୍‌ମାନଙ୍କରେ ଆୟ ଓ ରୋଜଗାର ହରାଉଥିବା ବା ରୋଗରେ ପୀଡିତ ବ୍ୟକ୍ତି ଓ ପରିବାରକୁ ପ୍ରତ୍ୟକ୍ଷ ଅର୍ଥ ପ୍ରଦାନ, ଛୋଟ ବ୍ୟବସାୟ ପାଇଁ ଋଣ, ଇନ୍‌କମ ଟ୍ୟାକ୍ସ ଛାଡ, ବଡ ବ୍ୟବସାୟ ପାଇଁ ଋଣ ସହାୟତା ଆଦି ପ୍ରାବଧାନ ରହିବ ବୋଲି ସୂଚନା ମିଳୁଛି। ଅର୍ଥନୀତି ଯେମିତି ଧ୍ୱସ୍ତ ହୋଇ ନ ଯିବ ଏବଂ ଆୟ ହରାଉଥିବା ଲୋକେ ଯେମିତି ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ ନ ହେବେ ସେଥିପାଇଁ ବିଶ୍ୱର ପ୍ରମୁଖ ଦେଶର ସରକାରମାନେ ଲାଗିପଡ଼ିଛିନ୍ତି।
ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ଆର୍ଥିକ ମାନ୍ଦାବସ୍ଥାରୁ ତ୍ରାହି ପାଇବା ପାଇଁ ଗୋଟିଏ ପରେ ଗୋଟିଏ ପୁଟୁଳା ଫିଟାଇ ଚାଲିଥିବା ବେଳେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାରତର ସରକାର କିନ୍ତୁ ନିଷ୍କ୍ରିୟତାର ଗାଢ଼ ନିଦ୍ରାରେ ଥିବା ଭଳି ମନେ ହୁଏ। କରୋନାର ପ୍ରସାର ରୋକିବା ପାଇଁ ଅବଶ୍ୟ ସରକାର ଅନେକ ଦୃଢ ପଦକ୍ଷେପ ନେଇଛନ୍ତି। ପ୍ରାୟ ସମଗ୍ର ଦେଶରେ ଏବେ ଲକ୍‌ ଡାଉନ ହୋଇସାରିଛି। ତେବେ ଅର୍ଥନୀତିକୁ ସୁଧାରିବା ପାଇଁ ଭାରତ ସରକାର ବା ରିଜର୍ଭ ବ୍ୟାଙ୍କ ଗୋଟିଏ ବି ବଡ ପଦକ୍ଷେପ ୨୩ ମାର୍ଚ୍ଚ ଯାଏ ନେଇ ନାହାନ୍ତି। ଗୋଟିଏ ଦିନ ପୂର୍ବରୁ ଯେତେବେଳେ ଘୋଷଣା ହେଲା ଯେ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୧୯ତାରିଖ ରାତି ୮ଟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ, ସେତେବେଳେ ଅନେକେ ଆଶା କରିଥିଲେ ଯେ କରୋନାର ପ୍ରତିରୋଧ ସହ ତୀବ୍ରଗତିରେ ଡୁବୁଥିବା ଅର୍ଥନୀତିକୁ ଉଦ୍ଧରିବା ପାଇଁ ସେ କିଛି ଠୋସ୍‌ ଘୋଷଣା କରିବେ। କିନ୍ତୁ, ପ୍ରଧାନମନ୍ତ୍ରୀ ରହିଗଲେ କେବଳ ଜନତା କର୍ଫ୍ୟୁ ଓ ଘଣ୍ଟି ଥାଳି ବଜାଇବା ଭଳି ପ୍ରତୀକତା ପାଳନ କରିବାର ଆହ୍ବାନ ଦେବାରେ। ସେହିଭଳି ପ୍ରତୀକତାର ଆବଶ୍ୟକତା ନିଶ୍ଚିତ ଅଛି। ମାତ୍ର ବିକଟ ଆର୍ଥିକ ପରିସ୍ଥିତିର ମୁକାବିଲା ପାଇଁ ଅନେକ କିଛି କରିବା ଦରକାର। ସେହି ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅର୍ଥନୀତିର ଆହ୍ବାନକୁ ମୁକାବିଲା କରିବା ପାଇଁ ଏକ ଟାସ୍କ ଫୋର୍ସ୍‌ ଗଠନ ହୋଇଛି। ପ୍ରତିଦିନ ସମସ୍ୟା ଜଟିଳ ହୋଇଚାଲିଥିବା ବେଳେ ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ସେହି ଟାସ୍କ ଫୋର୍ସ ଗୋଟିଏ ବି ବଡ ଘୋଷଣା କରି ନ ଥିଲା। ଭାରତ ଦୃଢ ପଦକ୍ଷେପ ନେବାରେ ବହୁତ ବିଳମ୍ବ କରିସାରିଲାଣି ଯାହା ଖୁବ୍‌ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ରହିଛି।
ଶେୟାରରେ ପୁଞ୍ଜି ନିବେଶ କରିଥିବା ଲୋକେ ତ ତାଙ୍କର ପ୍ରାୟ ଅଧା ସମ୍ପତ୍ତି ମାସକ ମଧ୍ୟରେ ହରାଇ ସାରିଲେଣି କିନ୍ତୁ ତାହା ଅର୍ଥନୀତିକୁ ଗ୍ରାସି ଚାଲିଥିବା ସର୍ବଗ୍ରାସୀ ବିପଦର କାଣିଚାଏ ବି ନୁହେଁ। ପ୍ରଧାନମନ୍ତ୍ରୀ ଯେଉଁ ଦିନ ତାଙ୍କ ଭାଷଣରେ କାହାରି ଦରମା କାଟନ୍ତୁ ନାହିଁ ବୋଲି କମ୍ପାନୀମାନଙ୍କୁ ଆହ୍ବାନ ଦେଲେ, ସେହି ଦିନ ହିଁ ଭାରତର ସବୁଠାରୁ ବଡ ବିମାନ କମ୍ପାନୀ ଇଣ୍ଡିଗୋ ବ୍ୟାପକ ଦରମା କାଟର ଘୋଷଣା କଲା। ପରିବହନ, ପର୍ଯ୍ୟଟନ, ହୋଟେଲ, ନିର୍ମାଣ, ସିନେମା, ଥିଏଟର ଭଳି ଶିଳ୍ପ ଓ କମ୍ପାନୀ ସ୍ଥାଣୁ ହୋଇ ସାରିଲେଣି। ସେମାନେ କର୍ମଚାରୀଙ୍କ ଦରମା କାଟ କଲେଣି ବା ବିନା ଦରମାରେ କର୍ମଚାରୀଙ୍କୁ ଛୁଟିରେ ପଠାଇବା ଆରମ୍ଭ କଲେଣି। ଋଣ କିସ୍ତି ଖିଲାପ ହେବାର ଆଶଙ୍କା ଢେର ବଢ଼ିଗଲାଣି। ଅଣ-ସଂଗଠିତ କ୍ଷେତ୍ରର ଅବସ୍ଥା ଆହୁରି ଖରାପ। ଆୟ ଭୀଷଣ ଭାବରେ ପ୍ରଭାବିତ ହେଲାଣି। ଲୋକେ ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି। ଅନେକଙ୍କ ପାଖରେ ଏବେ ପଇସା ନାହିଁ ବା ଖୁବ୍‌ ଶୀଘ୍ର ସରିଯିବ। ଏପଟେ କରୋନାର ଭୟ, ସେପଟେ ବିକଟ ହୋଇଚାଲିଛି ଆମ ଅର୍ଥନୀତି। ନିଜକୁ ସୁରକ୍ଷିତ ରଖିବା ପାଇଁ ବ୍ୟକ୍ତିଗତ, ସାମୂହିକ, ସାଙ୍ଗଠନିକ ଓ ସରକାରୀ ସ୍ତରରେ ବ୍ୟାପକ ସତର୍କତା ପ୍ରଥମ ଆବଶ୍ୟକତା ନିଶ୍ଚୟ କିନ୍ତୁ ଆମକୁ ଅର୍ଥବ୍ୟବସ୍ଥାର ସ୍ଖଳନକୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ବି କିଛି କମ୍‌ ନୁହେଁ। ପ୍ରତୀକାତ୍ମକତା ରହୁ କିନ୍ତୁ ଅର୍ଥନୀତିକୁ ପତନରୁ ରକ୍ଷା କରିବା ପାଇଁ ଦୃଢ ପଦକ୍ଷେପ ଆହୁରି ଜରୁରୀ। ଏଥିରେ ବିଳମ୍ବ ନ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri