ସମ୍ପାଦକୀୟ/ ପୂର୍ବାଭାସ ମିଳିଲାଣି

ଉତ୍ତରପ୍ରଦେଶର ଉନ୍ନାଓ ବଳାତ୍କାର ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ଆଇନଜୀବୀ କାର୍‌ରେ ଯାଉଥିବା ବେଳେ ରାଏବରେଲିର ଗୁରୁବକ୍ସଗଞ୍ଜ ନିକଟରେ ୨୮ ଜୁଲାଇରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଉକ୍ତ କାର୍‌କୁ ଟ୍ରକ୍‌ ଯେଭଳି ଧକ୍‌କା ଦେଇଛି, ତାହା ପଛରେ ଷଡ଼ଯନ୍ତ୍ର ଥିବା କୁହାଯାଉଛି। କାରଣ ଧକ୍‌କା ଦେଇଥିବା ଟ୍ରକ୍‌ର ନମ୍ବର ପ୍ଲେଟ ଉପରେ କଳା ବୋଳାଯାଇଥିଲା ଏବଂ ତତ୍‌ସହିତ ନିୟମ ଭାଙ୍ଗି ତାହା ଭୁଲ ରାସ୍ତାରେ ଯାଉଥିତ୍ବା ଖବର ମିଳିଛି। ଏହି ଦୁର୍ଘଟଣାରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଦୁଇ ସମ୍ପର୍କୀୟାଙ୍କ ମୃତ୍ୟୁ ଘଟିଛି। ଏଥିରେ ଭାଜପା ବିଧାୟକ କୁଲଦୀପ ସିଂ ସେନେଗାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ବଳାତ୍କାର ଅଭିଯୋଗରେ କୁଲଦୀପଙ୍କୁ ଗତ ଏପ୍ରିଲ ୧୩ରେ ଗିରଫ କରାଯାଇଥିଲା। ୨୦୧୭ରେ ବିଧାୟକ ନିଜ ବାସଭବନରେ ବଳାତ୍କାର କରିଥିବା ପୀଡ଼ିତାଙ୍କ ମା’ ସେତେବେଳେ ଅଭିଯୋଗ କରିଥିଲେ। ଏପରି କି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ପୀଡ଼ିତା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବିଷୟ ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଏଠାରେ ଆହୁରି ମନେପକାଇ ଦିଆଯାଇପାରେ ଯେ, ପୂର୍ବରୁ ପୀଡ଼ିତାଙ୍କ ପିତାଙ୍କ ନାମରେ ମିଥ୍ୟା ଅଭିଯୋଗ ଅଣାଯାଇ ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ତାଙ୍କୁ ପିଟିଥିଲା ଓ ତାହା ହାଜତ ମୃତ୍ୟୁ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବିଧାୟକ ଭାଇଙ୍କ ସମ୍ପୃକ୍ତି ଥିବା ନେଇ ସେତେବେଳେ ଆଲୋଡ଼ନ ସୃଷ୍ଟି ହୋଇଥିଲା।
୨୮ ଜୁଲାଇର ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) କହିଛନ୍ତି ଯେ, ପୀଡ଼ିତାଙ୍କ ମା’ କିମ୍ବା ସେମାନଙ୍କ ସମ୍ପର୍କୀୟ କେହି ସିବିଆଇ ତଦନ୍ତ ଲାଗି ଅନୁରୋଧ କଲେ ସରକାର ତାହା କରିବା ଲାଗି ପ୍ରସ୍ତୁତ ଅଛନ୍ତି। ଶୁଣିବାକୁ ମିଳୁଛି ଯେ, ବଳାତ୍କାର ଘଟଣାକୁ ବନ୍ଦ କରିଦେବା ପାଇଁ ବିଧାୟକ ଏଭଳି ଷଡ଼ଯନ୍ତ୍ର କରିଛନ୍ତି। ଭାରତରେ ପୀଡ଼ିତ କିମ୍ବା ସାକ୍ଷୀଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରାଯିବା ନୂଆ କଥା ନୁହେଁ। ଏପରିକି ସାକ୍ଷୀଙ୍କୁ ଧମକଚମକ ଦିଆଯାଇ ମାମଲାର ଦିଗ ମଧ୍ୟ ବଦଳାଇ ଦିଆଯାଏ। ଦେଶର ପ୍ରତ୍ୟେକ ଅଞ୍ଚଳରେ ଏଭଳି ଘଟଣାର ଅନେକ ଉଦାହରଣ ମିଳିଥାଏ। ସମାଜର ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ପଦକ୍ଷେପ ନେବାକୁ ପଛାଇ ନ ଥାନ୍ତି। ଏଥିସହିତ ପୋଲିସ ଓ ନ୍ୟାୟ ବ୍ୟବସ୍ଥାକୁ ଦେଖିଲେ କୌଣସି ମାମଲା ବିଳମ୍ବିତ ହେବା ଅର୍ଥ ତାହା କ୍ରମଶଃ ଦୁର୍ବଳ ହେବାକୁ ଲାଗିଥାଏ।
ଏବେ ଉତ୍ତରପ୍ରଦେଶ ଡିଜିପି ଉକ୍ତ ଦୁର୍ଘଟଣାର ସିବିଆଇ ତଦନ୍ତ ନେଇ କହିଥିବା କଥାକୁ ଦେଖିଲେ ପୋଲିସ ବ୍ୟବସ୍ଥାରେ ଗଡ଼ବଡ଼ ଥିବା ବାସ୍ନା ମିଳୁଛି। ଜଣେ ବିଧାୟକ ଅପରାଧ ସହ ଜଡ଼ିତ ରହିବା ଓ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଦେବା ସକାଶେ ୩ ଜଣ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥିଲା। ତେବେ ଉକ୍ତ ସୁରକ୍ଷାକର୍ମୀ ପୀଡ଼ିତାଙ୍କ ସହ ଯାଇ ନ ପାରିବା ନେଇ ପ୍ରଶ୍ନ ଉଠିବା ପରେ ଡିଜିପି କହିଛନ୍ତି ଯେ, ଉକ୍ତ କାର୍‌ରେ ସ୍ଥାନାଭାବ ଦେଖାଦେବାରୁ ସେମାନେ ଯାତ୍ରା କରିପାରି ନ ଥିଲେ। ସୂଚନା ଦିଆଯାଇପାରେ ଯେ, ପୀଡ଼ିତା, ତାଙ୍କ ଖୁଡ଼ୀ, ମାଈଁ ଏବଂ ଆଇନଜୀବୀ ରାଏବରେଲି ଜେଲରେ ଥିବା ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ଭେଟି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଗୋଟିଏ କାର୍‌ରେ ବସିବା ପାଇଁ ସ୍ଥାନାଭାବ ଦେଖାଦେଇଥିଲେ ହେଁ ପୋଲିସ ଅନ୍ୟ କୌଣସି ବ୍ୟବସ୍ଥା କରିପାରିଥାଆନ୍ତା। ଏହାବ୍ୟତୀତ ଏହି ଘଟଣାରୁ ଅନ୍ୟ ଏକ ଖିଅ ବାହାରୁଛି। ନୂତନ ଭିତ୍ତିଭୂମି ସୃଷ୍ଟି ନାମରେ ଦେଶବ୍ୟାପୀ ୪ ଓ ୬ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଛି। ଏଥିପାଇଁ ଦେଶର ରାଜକୋଷରୁ ପ୍ରବଳ ମାତ୍ରାରେ ଅର୍ଥ ଖର୍ଚ୍ଚ କରାଯାଉଛି। କିନ୍ତୁ ଆଧୁନିକ ରାଜରାସ୍ତାର ନିୟମ ମାନିବା ସମ୍ପର୍କରେ ଭାରତୀୟମାନଙ୍କୁ କୌଣସି ସମୟରେ ସଜାଗ କରାଯାଉ ନାହିଁ। ବର୍ତ୍ତମାନ ପୀଡ଼ିତାଙ୍କ ଦୁର୍ଘଟଣାକୁ ଦେଖାଯାଉ। ଏକ ସାଧାରଣ ରାସ୍ତା ଦୁର୍ଘଟଣା ଭାବେ ଏହାର ରିପୋର୍ଟ ଥାନାରେ ଲେଖାଯିବ। ଟ୍ରକ୍‌ ଓ ତା’ର ଚାଳକ ଧରାପଡ଼ିଲେ ମଧ୍ୟ ପ୍ରଚଳିତ ଆଇନ ଅନୁଯାୟୀ ସେହି ଡ୍ରାଇଭର ରାସ୍ତା ଦୁର୍ଘଟଣା ଘଟାଇଥିବା ଅପରାଧରେ ପଡ଼ିପାରନ୍ତି। କିନ୍ତୁ ଜାଣିଶୁଣି ହତ୍ୟା କରିଛନ୍ତି ବୋଲି ମକଦ୍ଦମା ରୁଜୁ କରିବା ସମ୍ଭବପର ହୁଏ ନାହିଁ। ବିଶେଷକରି ଉତ୍ତର ଭାରତର ବିଭିନ୍ନ ରାଜ୍ୟ ଏବଂ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଏହିଭଳି ରାସ୍ତା ଆଇନକୁ ବେଖାତିର କରାଯାଉଥିବା ପରିଲକ୍ଷିତ ହେଉଛି। ଜଣେ ହତ୍ୟା କରିଥିବା ସତ୍ତ୍ୱେ ତାହାକୁ ହତ୍ୟା ଧାରାରେ ଦଣ୍ଡିତ କରିବା ସମ୍ଭବପର ହେବ ନାହିଁ, ଯଦି ତାହା ସଡ଼କ ଦୁର୍ଘଟଣାରେ ହୋଇଥିବ।
ଆଜିର ଭାରତକୁ ଦେଖିଲେ, ଏହିଭଳି ବଳାତ୍କାର, ଧମକ ଏବଂ ତତ୍‌ସହିତ ହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ସରକାରୀ ବ୍ୟବସ୍ଥା ଓ ରାଜନେତାମାନେ ମଧ୍ୟ ଏହିଭଳି କାର୍ଯ୍ୟକୁ ଖୋଲାଖୋଲି ପ୍ରୋତ୍ସାହନ ଦେଉଥିବାରୁ ଭବିଷ୍ୟତରେ ଏଭଳି ଅଧିକରୁ ଅଧିକ ଅପରାଧ ଘଟିବ ବୋଲି ପୂର୍ବାଭାସ ମିଳିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri